Unknown

 

 

 

 

 

 

 

 

 

 

 

ବାସନ୍ତୀ

 

ସମ୍ପାଦକ

ଶ୍ରୀ ଭିକାରିଚରଣ ଦାଶ

 

 

 

 

 

 

 

 

 

 

 

‘ଉତ୍କଳ ସାହିତ୍ୟ’ର ପ୍ରବୀଣ ସମ୍ପାଦକ

ଶ୍ରୀଯୁକ୍ତ ବିଶ୍ୱନାଥ କର

କରକମଳେଷୁ

 

ପଦେ କଥା

 

‘ବାସନ୍ତୀ’ ଉପନ୍ୟାସ ଧାରାବାହିକରୂପେ ‘ଉତ୍କଳ ସାହିତ୍ୟ’ ମାସିକ ପତ୍ରିକାରେ ୧୯୨୬–୨୭ ସାଲରେ ପ୍ରଥମେ ପ୍ରକାଶ ପାଇଥିଲା । ଏହାପରେ ୧୯୩୧ ମସିହାରେ ଶ୍ରୀ ଶରତ୍‌ଚନ୍ଦ୍ର ମୁଖାର୍ଜିଙ୍କ ସମ୍ପାଦନାରେ ଏହି ଉପନ୍ୟାସର ପ୍ରଥମ ସଂସ୍କରଣ ହେଲା । ପ୍ରଥମ ସଂସ୍କରଣରେ ମୂଳପାଠର ସାମାନ୍ୟ କିଛି ପରିବର୍ତ୍ତନ କରାଯାଇଥିବା ଏବଂ କେତେକ ଲେଖିକାଙ୍କ ନାମ ବାଦ ଦେଇଥିବା ଆମେ ଦେଖିପାରିଲୁ । ପାଠର କେତେକ ପରିବର୍ତ୍ତନ ହେବାଦ୍ୱାରା ବିଷୟ ବସ୍ତୁର କ୍ରମବିକାଶରେ ଖାପଛଡ଼ା ବୋଧ ହେଉଥିଲା । ପୁଣି ସେହି ସମୟର କେତେକ ଶବ୍ଦ–ପ୍ରୟୋଗର ମଧ୍ୟ ପରିବର୍ତ୍ତନ କରାଯାଇଥିଲା । କିନ୍ତୁ ଏହି ସଂସ୍କରଣରେ ମୂଳପାଠକୁ ଅନୁସରଣ କରିବା ସଙ୍ଗେ ସଙ୍ଗେ ପ୍ରଥମ ସଂସ୍କରଣର ଲେଖକ ଓ ଲେଖିକାଙ୍କ ତାଲିକାକୁ ଗ୍ରହଣ କରିଛୁ ।

 

ଭିକାରିଚରଣ ଦାଶ

ସମ୍ପାଦକ

Image

 

ପ୍ରାରମ୍ଭିକ

 

ଚାଳିଶବର୍ଷ ତଳର କଥା । ବନ୍ଧୁ ଅନ୍ନଦାଶଙ୍କର ଓ ମୁଁ ଗ୍ରୀଷ୍ମଛୁଟିରେ ଥାଉଁ ପୁରୀରେ । ପ୍ରତି ସନ୍ଧ୍ୟାରେ ସମୁଦ୍ରକୂଳେ ଭେଟ । ଆଉ ସେ ଭେଟର ଆରମ୍ଭ ସନ୍ଧ୍ୟା ପୂର୍ବରୁ ହୋଇ ଅନେକ ରାତିଯାକେ ରହିବାଟା ଥିଲା ସାଧାରଣ ଘଟଣା । କଥାବାର୍ତ୍ତା ଭିତରେ ଜୀବନର ଭବିଷ୍ୟତ କାର୍ଯ୍ୟପନ୍ଥା ଓ ସାହିତ୍ୟ ଆଲୋଚନା ଥିଲା ପ୍ରଧାନ ବିଷୟ ।

 

ଯୋଜନା ପ୍ରସ୍ତୁତ କରିବାରେ ଅନ୍ନଦା ସବୁବେଳେ ଅଗ୍ରଣୀ । ସାହିତ୍ୟ ସୃଷ୍ଟିରେ ବ୍ୟକ୍ତିଗତ ଉଦ୍ୟମ ଭଳି ମିଳିତ ପ୍ରଚେଷ୍ଟାର ପରିସର ଯେ ପ୍ରଶସ୍ତ, ସେ ଦିଗରେ ତାଙ୍କର ଉତ୍ସାହ ଥାଏ ଅପରିସୀମ । ଓଡ଼ିଆରେ କେତେକ ଲେଖକଙ୍କ ମିଳିତ ଉଦ୍ୟମରେ ଗୋଟିଏ ଉପନ୍ୟାସ ଲେଖିବା ପ୍ରସ୍ତାବ ଅନ୍ନଦାହିଁ ପ୍ରଥମେ କରନ୍ତି । ତାହା କି ଭଳି ସମ୍ଭବପର ହୋଇପାରେ, ସେ ସମ୍ପର୍କରେ ଆମ ଦୁହିଁଙ୍କ ଭିତରେ ବହୁ ଆଲୋଚନା କରାଗଲା । ସେତେବେଳେ ମାସିକ ‘‘ଉତ୍କଳ ସାହିତ୍ୟ’’ ଥାଏ ଓଡ଼ିଆ ସାହିତ୍ୟର ମୁଖପତ୍ର । ତାହାରି ପୃଷ୍ଠାରେହିଁ ପରିକଳ୍ପିତ ଉପନ୍ୟାସଟିକୁ ଧାରାବାହିକ ପ୍ରକାଶ କରିବାକୁ ଆମେ ସ୍ଥିର କଲୁଁ ଓ ଗଳ୍ପଟିର ମେରୁଦଣ୍ଡ କିପରି ହେବ, ତା’ରି ରୂପରେଖ ଆଲୋଚନା କରି ଆଙ୍କିଲୁଁ ।

 

ସୁଭାଗ୍ୟକୁ ‘‘ଉତ୍କଳ ସାହିତ୍ୟ’’ର ପ୍ରଖ୍ୟାତ ସମ୍ପାଦକ ସ୍ୱର୍ଗୀୟ ବିଶ୍ୱନାଥ କର ସେହି ସମୟରେ ସପରିବାର ଆସି ରହୁଥାନ୍ତି ପୁରୀ ସମୁଦ୍ରକୂଳରେ । ଦୁଇ ବନ୍ଧୁଙ୍କ ମଧ୍ୟରେ ସ୍ଥିର ହେଲା, ବିଶ୍ୱନାଥବାବୁଙ୍କୁ ଭେଟି ଏହି ପ୍ରସ୍ତାବଟି ପକାଇବା ।

 

ଦୁହେଁ ଗଲୁଁ ବିଶ୍ୱନାଥବାବୁଙ୍କ ପାଖକୁ । ସମୁଦ୍ରକୂଳ ଗୀର୍ଜା ପଛପଟ ଗୋଟିଏ ବଡ଼ ଘରେ ସେ ରହୁଥାନ୍ତି । ତାହାର ସୁଉଚ୍ଚ ପ୍ରଶସ୍ତ ବାରଣ୍ଡାରେ ଗୋଟିଏ ଆରାମ୍‌ ଚୌକିରେ ବିଶ୍ୱନାଥବାବୁ ବସିଥାନ୍ତି । ତେଜୀୟାନ୍‌ ମୁଖମଣ୍ଡଳରେ ଶୁଭ୍ର ଶ୍ମଶ୍ରୁ ଦେଖି ଦୂରରୁ ଚିହ୍ନିଲୁଁ । ପଶ୍ଚିମ ଦିଗ୍‌ବଳୟର ରକ୍ତିମ ରଶ୍ମି ପଡ଼ି ତାହା ଅଧିକ ଉଜ୍ଜ୍ୱଳ ଦେଖାଯାଉଥାଏ । ପାଖରେ ତାଙ୍କର ଦୁଇ କନ୍ୟା, କୁମାରୀ ସୁପ୍ରଭା ଓ ପ୍ରତିଭା । ସମ୍ମୁଖରେ ସୁନୀଳ ମହାସାଗର ଈଷତ୍‌ ଶୁଭ୍ର ବାଲୁକାବେଳାକୁ ଫେନିଳ ଲହରୀର ବାହୁ ପ୍ରସାରି ଆଲିଙ୍ଗନ କରୁଥାଏ । ପୁଣି ଘନ ଝାଉଁବନରେ ବାୟୁର ହିଲ୍ଲୋଳ ସୃଷ୍ଟି କରିଥାଏ ଅଖଣ୍ଡ ଶାସ୍ତ୍ରୀୟ ସଂଗୀତର ସ୍ୱରଝଙ୍କାର । ଅଦୂରରେ ଆମେ ଦୁହେଁ ଝାଉଁବନ ଉହାଡ଼ରେ ରହି ଅପେକ୍ଷା କଲୁଁ ।

 

ସେତେବେଳକୁ ‘‘ଉତ୍କଳ ସାହିତ୍ୟ’’ର ଧାରାବାହିକ ଲେଖକ ଭାବରେ ଆମେ ବିଶ୍ୱନାଥବାବୁଙ୍କ ପାଖରେ ସୁପରିଚିତ । ମାତ୍ର ସମ୍ଭ୍ରମ ଓ ସଙ୍କୋଚଦ୍ୱାରା ଆକ୍ରାନ୍ତ ହୋଇ ତାଙ୍କ ପାଖକୁ ଅଗ୍ରସର ହେବାପାଇଁ ଦୁଇ ବନ୍ଧୁ ଠେଲାଠେଲି ହେଲୁ । ଶେଷରେ ସାହାସ ବାନ୍ଧି ତାଙ୍କ ଆଗରେ ଉଭୟେ ଏକତ୍ରରେ ପହଞ୍ଚିଲୁ ।

 

ପ୍ରସ୍ତାବଟି ଶୁଣି ସେ ଆଗ୍ରହୀ ଥିବାର ଜଣାପଡ଼ିଲା । ତାଙ୍କର ଗୋଟିଏ ସର୍ତ୍ତ ହେଲା, ଉପନ୍ୟାସଟିକୁ କୌଣସି ପ୍ରକାରେ ସମ୍ପୂର୍ଣ୍ଣ କରିବାକୁ ହେବ ଓ କୌଣସି ସଂଖ୍ୟାରେ ତାହା ଯେପରି ବାଦ୍‌ପଡ଼ି ନ ଯାଏ । ସେଥିଲାଗି ଆମେ ତାଙ୍କୁ ନିର୍ଭର ଜବାବ ଦେଲୁଁ । ସେହି ଅନୁସାରେ ‘‘ଉତ୍କଳ ସାହିତ୍ୟ’’ର ପରବର୍ତ୍ତୀ ସଂଖ୍ୟାରେ ମୁଁ ନିମ୍ନୋକ୍ତ ପ୍ରକାରେ ଲେଖିଲି ‘ନିବେଦନ’ ଓ ଅନ୍ନଦା ଲେଖିଲେ ଗଳ୍ପାଂଶ–

Image

 

ବାସନ୍ତୀ

ନିବେଦନ

 

ଉତ୍କଳର କେତେ ଜଣ ତରୁଣ ଲେଖକ ମିଳିମିଶି ଖଣ୍ଡିଏ ଉପନ୍ୟାସ ଲେଖିବାକୁ ସ୍ଥିର କରିଛନ୍ତି । ବଙ୍ଗଳାର ‘‘ବାରୋୟାରୀ’’ ଉପନ୍ୟାସ ଯେପରି ବାର ଜଣ ସାହିତ୍ୟିକଙ୍କଦ୍ୱାରା ରଚିତ, ଏ ଉପନ୍ୟାସଟି ସେହିପରି ଉତ୍କଳର କେତେ ଜଣ ପୁରାତନ ଓ ନୂତନ ସାହିତ୍ୟିକଙ୍କଦ୍ୱାରା ରଚିତ ହୋଇ ପ୍ରକାଶିତ ହେବ । ପ୍ରତ୍ୟେକେ ଗୋଟିଏ ଯୋଡ଼ିଏ ପରିଚ୍ଛେଦ ଲେଖିବେ; ସୁତରାଂ ପରିଶ୍ରମ ଆନନ୍ଦ ତୁଳନାରେ ଅଳ୍ପ ପଡ଼ିବ ।

 

ଏହି ଉପନ୍ୟାସଟି ଲେଖିବାପାଇଁ ଆପାତତଃ ଚାରି ଜଣ ପ୍ରସ୍ତୁତ ଅଛନ୍ତି । ଆହୁରି ସାତ ଆଠ ଜଣ କିମ୍ୱା ଚାରି ପାଞ୍ଚ ଜଣ ଲେଖକ ଲୋଡ଼ା । ଏହି ଯଜ୍ଞର ହୋତୃ ପଦପାଇଁ ଓଡ଼ିଶାରେ ଲୋକର ଅଭାବ ହେବନାହିଁ ବୋଲି ମନେହୁଏ । ଶ୍ରୀଯୁକ୍ତ ନନ୍ଦକିଶୋରବଳ ମହାଶୟ ଏକ ସମୟରେ ‘‘କନକ ଲତା’’ ନାମରେ ଗୋଟିଏ ଉପନ୍ୟାସ ଲେଖୁଥିଲେ । ସମାପ୍ତ ହୋଇଥିଲେ ଏ ଖଣ୍ଡିକ ଓଡ଼ିଶାରେ ଶ୍ରେଷ୍ଠ ଉପନ୍ୟାସମାନଙ୍କ ମଧ୍ୟରେ ସ୍ଥାନ ପାଇଥାନ୍ତା ବୋଲି କେହି କେହି ବିଶ୍ୱାସ କରନ୍ତି । ଶ୍ରୀଯୁକ୍ତ ବାଙ୍କନିଧି ପଟ୍ଟନାୟକ ଓ ଶ୍ରୀଯୁକ୍ତ ଦିବ୍ୟସିଂହ ପାଣିଗ୍ରାହୀଙ୍କର କ୍ଷୁଦ୍ର ଗଳ୍ପ ଲେଖିବାର ଶକ୍ତି ଏବଂ ସୁଖ୍ୟାତି ଅଛି । ଶ୍ରୀମତୀ କୁନ୍ତଳାକୁମାରୀ ସାବତଙ୍କ ‘‘ଭ୍ରାନ୍ତି’’ ଉତ୍କୃଷ୍ଟ ଗଳ୍ପ । ଶ୍ରୀମତୀ ସୁପ୍ରଭା କର ଗୋଟିଏ ଚମତ୍କାର ଗଳ୍ପ ଲେଖିଥିଲେ । ଶ୍ରୀମତୀ କୋକିଳ ଦେଈଙ୍କର କେତେଗୋଟି ସୁନ୍ଦର ଗଳ୍ପ ଉତ୍କଳ ସାହିତ୍ୟରେ ପ୍ରକାଶିତ ହୋଇଥିଲା । ଶ୍ରୀମତୀ ସରଳା ଦେଈଙ୍କର ଲେଖିବାର ହାତ ଅଛି, ଯଦିଚ ଏପର୍ଯ୍ୟନ୍ତ କୌଣସି ଗଳ୍ପ ଦେଖାଯାଇନାହିଁ । ଶ୍ରୀଯୁକ୍ତ ଦୟାନିଧି ମିଶ୍ର ଏକ ସମୟରେ ଐତିହାସିକ ଗଳ୍ପ ଲେଖୁଥିଲେ । ଶ୍ରୀଯୁକ୍ତ ଉପେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ସାମାଜିକ ଚିତ୍ରଗୁଡ଼ିକ ଉପାଦେୟ ହୋଇଥାଏ । ଏହା ବ୍ୟତୀତ କେତେକ ନୀରବ ସାଧକ ମଧ୍ୟ ଉତ୍କଳରେ ଅଛନ୍ତି । ଏମାନେ ଇଚ୍ଛାକଲେ ଓଡ଼ିଶାର କଥା-ସାହିତ୍ୟକୁ ସମୃଦ୍ଧ କରନ୍ତେ-

 

କିଏ କିଏ ଏହି ଉପନ୍ୟାସଟି ଲେଖିବାକୁ ଇଚ୍ଛୁକ ଅଛନ୍ତି, ତାହା ଶୀଘ୍ର ଜାଣିପାରିଲେ ଅନୁଷ୍ଠାତାମାନେ ବିଶେଷ ଉପକୃତ ହେବେ । ସେମାନେ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ଉପରେ ଉପନ୍ୟାସଟିର ସୂତ୍ରପାତ କରିବାର ଭାର ଦେଇଅଛନ୍ତି । ତାଙ୍କ ପରେ ଆଉ ଦୁଇ ଜଣ ଲେଖିବାର ସ୍ଥିର ହୋଇଅଛି । କିନ୍ତୁ ସେମାନଙ୍କ ପରେ କିଏ କିଏ ଲେଖିବେ, ସ୍ଥିର ହୋଇନାହିଁ । ଏହି ନିବେଦନ ପାଠକରି ଯେଉଁମାନେ ଲେଖିବାକୁ ଇଚ୍ଛୁକ, ସେମାନେ ନାମ ପଠାଇବେ ବୋଲି ଆଶା କରାଯାଏ । ସେମାନଙ୍କ ଅଭିପ୍ରାୟ ଅନୁସାରେ କର୍ତ୍ତବ୍ୟ ବିଭାଗ କରାଯିବ; ଅର୍ଥାତ୍‌ କିଏ କେଉଁ ଅଂଶ କେବେ ଲେଖିବେ ତାହା ନିର୍ଦ୍ଧାରିତ ହେବ ।

 

ଯେଉଁମାନେ ଲେଖିବେ, ସେମାନଙ୍କୁ କେତେଗୁଡ଼ିଏ ନିୟମ ମାନିବାକୁହେବ । ୧–ସେମାନେ ଏଥିସଂଲଗ୍ନ ପ୍ଳଟ୍‌କୁ ଅବଲମ୍ୱନ କରି ଗୋଟିଏ ଯୋଡ଼ିଏ ଲେଖାଏଁ ପରିଚ୍ଛେଦ ଲେଖିବେ-। ୨–ପୂର୍ବ ପ୍ରକାଶିତ ଅଂଶ ସହିତ ଅସଙ୍ଗତି ନ ରହିବା ପ୍ରତି ଲକ୍ଷ୍ୟ କରିବାକୁ ହେବ । ୩–ମୁଖ୍ୟ ଚରିତ୍ରମାନଙ୍କର ବିକାଶ ଦେଖାଇବାକୁ ହେଲେ ଗୌଣ ଚରିତ୍ରମାନଙ୍କର ଯେତିକି ବିକାଶ ଆବଶ୍ୟକ, ସେତିକିରୁ ବେଶି ହେବନାହିଁ । ଅର୍ଥାତ୍‌ ଅବାନ୍ତର ଅଂଶର କୌଣସି ସ୍ଥାନ ରହିବନାହିଁ । ୪–ପ୍ଳଟ୍‌ରେ ଯେଉଁ ସବୁ ଚରିତ୍ରର ଉଲ୍ଲେଖ ରହିବ, ସେ ସବୁକୁ ଛାଡ଼ି ନୂତନ ଚରିତ୍ର ସୃଷ୍ଟି କରାଯାଇପାରେ; କିନ୍ତୁ ଏ ସବୁ ଚରିତ୍ରକୁ ଅପ୍ରଧାନ କରିବାକୁ ହେବ ଏବଂ ମୁଖ୍ୟ ଚରିତ୍ରମାନଙ୍କର ବିକାଶପାଇଁ ଯେ ଏମାନଙ୍କର ଅବତାରଣା, ଏ କଥା ସବୁବେଳେ ମନେ ରଖିବାକୁ ହେବ । ୫–ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରଚିତ ଅଂଶ ନିମ୍ନ ଠିକଣାକୁ ପଠାଇବାକୁ ହେବ । ପ୍ରେରିତ ରଚନାଗୁଡ଼ିକରେ ଅସଂଗତି ବା ଅବାନ୍ତର ଅଂଶ ଅଛି କି ନାହିଁ ବିବେଚନା କରିବାର ଭାର ଶ୍ରୀଯୁକ୍ତ ଅନ୍ନଦାଶଙ୍କର ରାୟଙ୍କ ଉପରେ ନ୍ୟସ୍ତ ଅଛି । ସେ ଆବଶ୍ୟକ ହେଲେ ଲେଖକଙ୍କର ପରାମର୍ଶ ନେଇ କିଛି ପରିବର୍ତ୍ତନ କରିପାରିବେ । ୬–କିଏ କେଉଁ ଅଂଶ ଲେଖିବେ, ଲେଖକମାନଙ୍କ ନାମ ପାଇବା ପରେ ସେମାନଙ୍କୁ ତାହା ଜଣାଇ ଦିଆଯିବ । ଦୈବକ୍ରମେ କୌଣସି ଲେଖକ ଲେଖିବାକୁ ଅକ୍ଷମ ହେଲେ, ଅନୁଗ୍ରହ କରି ପୂର୍ବରୁ ଜଣାଇବେ । ତାଙ୍କ ଅଂଶ ଅନ୍ୟ କେହି ଲେଖିବେ ।

 

ଲେଖାର ରୀତି (Style) ଏବଂ ଭାଷାର ତାରତମ୍ୟ ଉପନ୍ୟାସଟିରେ ରହିବା ସ୍ୱାଭାବିକ । ସୁତରାଂ ଏହାକୁ କେହି କେହି ଖେଚାଡ଼ି କହି ଉପହାସ କରିପାରନ୍ତି । କିନ୍ତୁ ଠିକ୍‌ ଭାଗ ମାପରେ ତିଆରି ହେଲେ ଖେଚୁଡ଼ିଟା ଭାତଠାରୁ ଉତ୍କୃଷ୍ଟତର ଖାଦ୍ୟ, ଏହା ସମସ୍ତେ ଜାଣନ୍ତି । ସୁନ୍ଦର ହେଲେ ଆମ୍ଭମାନଙ୍କର ଖେଚାଡ଼ି ଉପନ୍ୟାସଟିକୁ ଉପହାସ କରି କେହି ଉପବାସ ରହିବାକୁ ମଙ୍ଗିବେନାହିଁ । ବିଶେଷତଃ ଏକାଧିକ ଲେଖକଙ୍କର ସମାବେଶରେ ଏହା ଗୋଟିଏ ଗ୍ରୁପ୍‌ଫଟୋ ପରି ମନୋହର ଓ ସୁଦୃଶ୍ୟ ହେବ ।

 

ପ୍ରକାଶ ଥାଉ କି, ଉତ୍କଳ ସାହିତ୍ୟର ସୁପରିଚିତ ସମ୍ପାଦକ ଶ୍ରୀଯୁକ୍ତ ବିଶ୍ୱନାଥ କର ଏ ଉଦ୍ୟମରେ ଉତ୍ସାହ ଓ ସାହାଯ୍ୟ ଦେବାକୁ ଅଙ୍ଗୀକାର କରିଅଛନ୍ତି ।

 

କାଳିନ୍ଦୀଚରଣ ପାଣିଗ୍ରାହୀ

 

ଗଳ୍ପାଂଶ (Plot)

 

କଟକର ଦିପୋଟି ବଳରାମବାବୁଙ୍କର ଅଳ୍ପ ବୟସରେ ମୃତ୍ୟୁ ଘଟେ । ତାଙ୍କର ବିଧବା ପତ୍ନୀ ଓ ଏକମାତ୍ର ସନ୍ତାନ ବାସନ୍ତୀ ଅନାଥା ହୋଇପଡ଼ିଲେ । ବିଷୟବୁଦ୍ଧି ଅଭାବରୁ ଶେଷରେ ଏମାନଙ୍କର ଅବସ୍ଥା ଏତେ ଶୋଚନୀୟ ହୋଇପଡ଼ିଲା ଯେ, ବିଧବାଙ୍କ ମୃତ୍ୟୁ କାଳରେ ଦେବବ୍ରତ ନାମକ ଜଣେ କଲେଜ ଛାତ୍ର ପୂର୍ବରୁ ଏମାନଙ୍କ ସଙ୍ଗେ ପରିଚିତ ନଥିଲେ ଚିକିତ୍ସା ପ୍ରଭୃତିର ସମ୍ଭାବନା ନଥିଲା । ବିଧବା ମୃତ୍ୟୁପୂର୍ବରୁ ଦେବବ୍ରତକୁ ସ୍ୱଜାତୀୟ ଜାଣି କନ୍ୟା ସମର୍ପଣ କରିଥିଲେ-। ଦେବବ୍ରତ ପିତୃହୀନ ନାବାଳକ ଜମିଦାର, ଉଚ୍ଛୃଙ୍ଖଳ ହେଲେ ମଧ୍ୟ ଉଦାର ହୃଦୟ–ସବୁବେଳେ Romance ଖୋଜି ବୁଲେ । ମାତାଙ୍କ ଅନୁମତି ବିନା ବାସନ୍ତୀ ସହିତ ତା’ର ବିନା କୌଳିକ ରୀତିରେ ବିବାହ । ମାତାଙ୍କର ଅସନ୍ତୋଷ । ପୁତ୍ରର ଅପରାଧର ଦଣ୍ଡ ବଧୂ ଉପରେ ପଡ଼ିଲା । ବାସନ୍ତୀ କଟକର Girl's Schoolରେ କିଛିଦିନ ପଢ଼ିଥିଲା । ଘରେ ମଧ୍ୟ ତା’ର ବେଶ୍‌ ଶିକ୍ଷା ଥିଲା । ଏକ କଥାରେ ସେ ନୂତନ ଯୁଗର ବାର୍ତ୍ତା ବେଶ୍‌ ବୁଝିଥିଲା ଏବଂ ନାରୀ ସ୍ୱାତନ୍ତ୍ର୍ୟର ପୂର୍ଣ୍ଣ ପକ୍ଷପାତୀ ଥିଲା । ସେକାଳର ବୁଢ଼ୀଙ୍କୁ ଏହା କାହୁଁ ଭଲଲାଗିବ ? ଦେବବ୍ରତର ଶିକ୍ଷାଲୋକ ମନ୍ଦ ନୁହେଁ । ସେ ନାରୀସ୍ୱାତନ୍ତ୍ର୍ୟର ପକ୍ଷପାତୀ ହେଲେହେଁ ପୂର୍ଣ୍ଣ ସ୍ୱାଧୀନତା ଦେବାର ବିରୋଧୀ । ତାହାର ଏକ ଧାରଣା ଯେ, ଏହି ପୂର୍ଣ୍ଣ ସ୍ୱାତନ୍ତ୍ର୍ୟଦ୍ୱାରା ଦାମ୍ପତ୍ୟ ପ୍ରେମ ଶିଥିଳ ହୋଇଆସେ ଏବଂ ନାରୀ ତାହାର ଲଜ୍ଜା ପ୍ରଭୃତି ପ୍ରକୃତିଗତ ଭୂଷଣ ହରାଇ ଦିଏ । ପ୍ରଥମେ ସେ ମାତାଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ପଡ଼ିଥିଲା । କିନ୍ତୁ କ୍ରମେ ଯେବେ ପତ୍ନୀର ସ୍ୱାଧୀନଭାବ ବୁଝିଲା, ସେତେବେଳେ ମାତାଙ୍କର ପକ୍ଷ ନେଲା । ପଡ଼ୋଶୀ ପରିବାର ସମସ୍ତଙ୍କର ବାସନ୍ତୀ ଉପରେ ଆକ୍ରୋଶ । ଅଶାନ୍ତିରେ ତାହାର କାଳ କଟିବାକୁ ଲାଗିଲା ।

 

ଦିନେ ଦେବବ୍ରତ ଖଣ୍ଡେ ଛିନ୍ନ ପତ୍ରାଂଶ ପାଇ ଏତେ ଉତ୍ତେଜିତ ହେଲା ଯେ, ସେ ସଙ୍ଗେ ସଙ୍ଗେ ପତ୍ନୀକୁ ନିରକ୍ଷ ଭାବରେ ଖଣ୍ଡିଏ ଗାଡ଼ି କରି ଷ୍ଟେସନରୁ ପଠାଇଦେଲା । ସେହି ପତ୍ରାଂଶରେ ଉତ୍‌ପୀଡ଼ିତା ବାସନ୍ତୀ କୌଣସି ଅଜ୍ଞାତନାମା ବ୍ୟକ୍ତି ନିକଟକୁ ଚାଲିଯିବା ପାଇଁ ଇଚ୍ଛା ପ୍ରକାଶ କରିଥିଲା । ଦେବବ୍ରତ ଜାଣେନାହିଁ ସେ ବ୍ୟକ୍ତି ବାସନ୍ତୀର ଏକମାତ୍ର ଆତ୍ମୀୟ, କୌଣସି ସମ୍ପର୍କରେ ଭାଇ । ବିଶେଷତଃ ସ୍ୱାମୀଙ୍କ ବ୍ୟବହାରରେ ବାସନ୍ତୀ ଉତ୍ତ୍ୟକ୍ତ ହୋଇ ଯେ କିଛିଦିନ ଲାଗି ସେ ସ୍ଥାନକୁ ଯିବାକୁ ଇଚ୍ଛା କରିଥିଲା, ତାହା ମଧ୍ୟ ଦେବବ୍ରତ ଜାଣେନାହିଁ । ବାସନ୍ତୀ ନିଜେ ଟିକେଟ୍‌ କିଣି ଟ୍ରେନ୍‌ଚଢ଼ି ସେହିମାନଙ୍କ ପାଖକୁ ଚାଲିଗଲା ଓ ପରମ ଆଦର ପାଇ ସେଠାରେ ରହିଲା ।

 

କିଛିଦିନ ପରେ ଦେବବ୍ରତ ପତ୍ରର ଅନ୍ୟ ଅଂଶଟି ଆବିଷ୍କାର କଲା, ବାସନ୍ତୀର ଲିଖିତ ଡାଏରୀ ଓ ପତ୍ରାଦି ପାଠକରି । ବାସନ୍ତୀର ନାରୀତ୍ୱକୁ ଯେ ସେ ଦିନେ ଅପମାନ କରିଥିଲା, ସେଥିଲାଗି ତାହାର ଘୋର ଅନୁତାପ ଆସିଲା । ବାସନ୍ତୀର ଆସନ ଖୁବ୍‌ଉଚ୍ଚ ହୋଇ ଦିଶିଲା । ବାସନ୍ତୀର ଅନୁସନ୍ଧାନ କରାଗଲା । କିନ୍ତୁ କୌଣସି ସମ୍ୱାଦ ମିଳିଲାନାହିଁ । ଦେବବ୍ରତର ମାତା ପୁନର୍ବିବାହର ପ୍ରସ୍ତାବ କଲେ, କିନ୍ତୁ ସେ ଘର ଛାଡ଼ି ନିଜେ ବାସନ୍ତୀର ଅନୁସନ୍ଧାନରେ ବାହାରିଲା । ବାଟରେ ଅସୁସ୍ଥ ହୋଇ ଜଣେ ଚିକିତ୍ସକଙ୍କ ଅଧୀନରେ ରହିଲା । ସେହି ବିନୋଦବିହାରୀ ବାସନ୍ତୀର ସମ୍ପର୍କୀୟ ଭାଇ । ବିନୋଦଙ୍କ ସ୍ତ୍ରୀର କୌଶଳରେ ବାସନ୍ତୀ ସହିତ ଦେବବ୍ରତର ମିଳନ । ସ୍ଥୂଳତଃ, ଏହିଟି ହେଲା ପ୍ଳଟ୍‌ । ଏହାକୁ ଯଥେଷ୍ଟ ଦୀର୍ଘ କରାଯାଇପାରେ । କିନ୍ତୁ ମୂଳ କଥା ବା ମୁଖ୍ୟପାତ୍ରପାତ୍ରୀଙ୍କ ଚରିତ୍ରରେ ଘୋର ପରିବର୍ତ୍ତନ ସାଧନ ଚଳିବନାହିଁ ।

 

ଇଚ୍ଛୁକ ଲେଖକମାନେ ନିଜ ନିଜର ନାମ ନିମ୍ନସ୍ୱାକ୍ଷରକାରୀଙ୍କୁ ଜଣାଇବେ । କାହାରି କିଛି ପଚାରିବାର ଥିଲେ, ଏହି ଠିକଣାକୁ ପତ୍ର ଦେବେ ।

 

ଅ. ରାୟ

C/o ‘‘ଉତ୍କଳ ସାହିତ୍ୟ’’

ଚାନ୍ଦିନୀ ଚୌକ, କଟକ ।

 

‘‘ଉତ୍କଳ ସାହିତ୍ୟ’’ ୨୮ଶ ଦ୍ୱିତୀୟ ସଂଖ୍ୟାର (ଜ୍ୟେଷ୍ଠ ୧୩୩୧) ୬୧ ପୃଷ୍ଠାରେ ଏହି ନିବେଦନ ଓ ଗଳ୍ପାଂଶ ପ୍ରକାଶିତ ହୁଏ । ‘ବାସନ୍ତୀ’ର ପ୍ରଥମ ଓ ଦ୍ୱିତୀୟ ପରିଚ୍ଛେଦର ମଧ୍ୟ ଆରମ୍ଭ ହୁଏ ଠିକ୍‌ ଏହାରି ପରେ । ପରବର୍ତ୍ତୀ ସଂଖ୍ୟାରେ ଧାରାବାହିକ ଭାବରେ ଆଉ ଯୋଡ଼ିଏ ପରିଚ୍ଛେଦ ଲେଖିଲେ ଶ୍ରୀ ଶରତ୍‌ଚନ୍ଦ୍ର ମୁଖୋପାଧ୍ୟାୟ । ତହୁଁ ୪ର୍ଥ ସଂଖ୍ୟା ଶେଷରେ ଏହିରୂପେ ‘‘ବାସନ୍ତୀ ସମ୍ୱନ୍ଧରେ ଗୋଟିଏ ସର୍ତ୍ତ’’ ପ୍ରକାଶିତ ହୁଏ–

 

‘‘ବାସନ୍ତୀର ଉଦ୍‌ଯୋକ୍ତାମାନେ ପୂର୍ବ ସଂଖ୍ୟାରେ ‘ବାସନ୍ତୀ’ ସମ୍ୱନ୍ଧୀୟ ଗୋଟିଏ ସର୍ତ୍ତ ଉଲ୍ଲେଖ କରିବାକୁ ଭୁଲିଯାଇଥିଲେ । ସର୍ତ୍ତଟି ଏହି ‘ବାସନ୍ତୀ’ର କୌଣସି ଲେଖକଙ୍କର ଅଂଶଟି ସେମାନଙ୍କର ମନୋନୀତ ନ ହେଲେ ପ୍ରକାଶ ନ କରି ପ୍ରତ୍ୟର୍ପଣ କରିବା ଅଧିକାର ସେମାନଙ୍କର ଅଛି ।’’

 

‘‘ଇତିମଧ୍ୟରେ ଅନେକ ଲେଖକ ‘ବାସନ୍ତୀ’ରେ ଲେଖିବାର ଇଚ୍ଛା ପ୍ରକାଶ କରି ସେମାନଙ୍କୁ ବିଶେଷ ଉତ୍ସାହିତ କରିଛନ୍ତି । ବ୍ୟକ୍ତିଗତ ଭାବରେ ପ୍ରତ୍ୟେକ ହିତୈଷୀଙ୍କୁ କୃତଜ୍ଞତା ଜ୍ଞାପନ କରିବାର ସାଧ୍ୟ ନଥିବାରୁ ସେମାନେ ‘‘ସାହିତ୍ୟ’’ର ସାହାଯ୍ୟ ଗ୍ରହଣ କରୁଅଛନ୍ତି ।

 

ଅ. ରାୟ ।’’

 

ସାହିତ୍ୟ ବୋଇଲେ ‘‘ଉତ୍କଳ ସାହିତ୍ୟ’’କୁହିଁ ଲକ୍ଷ୍ୟ କରାଯାଇଛି ।

 

ଗୋଟିଏ ସର୍ତ୍ତ

 

ରେଭେନ୍‌ସା କଲେଜର ଛାତ୍ର ଥିବା ସମୟରୁ ସାହିତ୍ୟ–ମଞ୍ଚରେ ଆମ୍ଭମାନଙ୍କର ପ୍ରଥମ ସମାବେଶ ଘଟେ । ତାହା ପୂର୍ବରୁ ବିଭିନ୍ନ ସ୍କୁଲରେ ମଧ୍ୟ କାହାରି କାହାରି ମଧ୍ୟରେ ପରିଚୟ ହୋଇଥିଲା । ପ୍ରଥମେ ଛାତ୍ରାବସ୍ଥାର ସାହିତ୍ୟ ସାଧନା ‘‘ଉତ୍କଳ ସାହିତ୍ୟ’’ ପତ୍ରିକାରେହିଁ ଆବଦ୍ଧ ହୋଇ ରହେ । ପୁସ୍ତକ ଆକାରରେ ଆମର ମିଳିତ ଉଦ୍ୟମର ଅନ୍ୟତମ ପ୍ରଥମ ପ୍ରମାଣ ହେଲା, ‘‘ସବୁଜ କବିତା’’ । ଏହି କବିତା ସଙ୍କଳନର ସମ୍ପାଦନା ଦାୟିତ୍ୱ ମଧ୍ୟ ମୋତେ ଗ୍ରହଣ କରିବାକୁ ପଡ଼ିଥିଲା । ଅନ୍ନଦାଶଙ୍କର, ଶରତ୍‌ଚନ୍ଦ୍ର, ହରିହର, ବୈକୁଣ୍ଠନାଥ ଓ ମୋର କେତେଗୋଟି କବିତା ସଂଗ୍ରହ କରି ପ୍ରତ୍ୟେକଙ୍କର ବ୍ୟକ୍ତିଗତ ଚାନ୍ଦାଦ୍ୱାରା ‘‘ସବୁଜ କବିତା’’ର ମୁଦ୍ରଣ ସମ୍ଭବପର ହୋଇଥିଲା ।

 

କର୍ମକ୍ଷେତ୍ରରେ ପ୍ରବେଶ କରିବା ପରେ ଆମ୍ଭେମାନେ ଯଥାଶକ୍ତି ଅଂଶମୂଳଧନ ସୂତ୍ରରେ ‘‘ସବୁଜ ସାହିତ୍ୟ ସମିତି’’ ଗଠନ କଲୁଁ ଓ ତାହାର ପ୍ରଥମ ପ୍ରକାଶନ ହେଲା ‘‘ବାସନ୍ତୀ’’ ଉପନ୍ୟାସ । ଶ୍ରୀ ଶରତ୍‌ଚନ୍ଦ୍ର ମୁଖାର୍ଜି ପୁସ୍ତକାକାରରେ ‘‘ବାସନ୍ତୀ’’ର ସମ୍ପାଦନ ଦାୟିତ୍ୱ ଗ୍ରହଣ କଲେ ଓ ସେଥି ସହିତ ସବୁଜ ସାହିତ୍ୟ ସମିତି ସଙ୍ଗଠନର ସମସ୍ତ ଦାୟିତ୍ୱ ମଧ୍ୟ । ଏହି ସମୟରେହିଁ ‘‘ଯୁଗବୀଣା’’ ମାସିକ ପତ୍ର ଶ୍ରୀ ହରିହର ମହାପାତ୍ରଙ୍କ ସମ୍ପାଦନାରେ ପ୍ରକାଶିତ ହୁଏ । ଉଦ୍ୟୋକ୍ତାମାନଙ୍କ ମଧ୍ୟରୁ କେହି କେହି ନାନାସ୍ଥାନରେ କର୍ମକ୍ଷେତ୍ରରେ ପ୍ରବେଶ କରି ବିକ୍ଷିପ୍ତ ହୋଇ ପଡ଼ିବା କାରଣରୁ ‘‘ଯୁଗବୀଣା’’ ମାସିକ ପତ୍ର ବନ୍ଦ ହେବା ସଙ୍ଗେ ସବୁଜ ସାହିତ୍ୟ ସମିତିର କାର୍ଯ୍ୟ ମଧ୍ୟ କ୍ରମେ ଶିଥିଳ ହୋଇ ଶେଷରେ ବନ୍ଦ ହୋଇଯାଏ ।

 

ବହୁବର୍ଷ ପରେ ଏବେ ନିଉ ଷ୍ଟୁଡ଼େଣ୍ଟସ୍‌ ଷ୍ଟୋରର ପ୍ରକାଶକ ଶ୍ରୀ ଭିକାରିଚରଣ ଦାସ ‘‘ବାସନ୍ତୀ’’ ଓ ‘‘ସବୁଜ କବିତା’’ର ପୁନର୍ମୁଦ୍ରଣ ଲାଗି ଉତ୍ସାହିତ ହୋଇଛନ୍ତି । କିନ୍ତୁ ପ୍ରାରମ୍ଭରୁ ଆମ୍ଭମାନଙ୍କର ଯେଉଁ ନୀତି ଓ ସର୍ତ୍ତ ରହିଥିଲା, ତାହାରି ସମ୍ମାନାର୍ଥେ ଏ ଦୁଇଟି ପୁସ୍ତକର ରୟାଲ୍‌ଟି କୌଣସି ବ୍ୟକ୍ତିବିଶେଷ ଲେଖକଙ୍କର ପ୍ରାପ୍ୟ ହେବନାହିଁ । ତାହା ଆଧୁନିକ ଓଡ଼ିଆ ସାହିତ୍ୟର ଉନ୍ନତି କଳ୍ପେ ବ୍ୟୟିତ ହେବ । ସବୁଜ ସାହିତ୍ୟ ସଂସ୍ଥାର ପ୍ରତିଷ୍ଠାତା–ସଦସ୍ୟ ଶ୍ରୀ ଅନ୍ନଦାଶଙ୍କର ରାୟ, ଶ୍ରୀ ଶରତ୍‌ଚନ୍ଦ୍ର ମୁଖାର୍ଜି, ଶ୍ରୀ ହରିହର ମହାପାତ୍ର, ଶ୍ରୀ ବୈକୁଣ୍ଠନାଥ ପଟ୍ଟନାୟକ ଓ ନିମ୍ନ ସ୍ୱାକ୍ଷରକାରୀ ଏହି ପାଣ୍ଠିର ତତ୍ତ୍ୱାବଧାରକରୂପେ କାର୍ଯ୍ୟ କରିବେ । ସୁଖର କଥା, କେତେକ ଲେଖକ ଓ ପାଠକ ଏଥିମଧ୍ୟରେ ଏହି ସୁଖର କଥା, କେତେକ ଲେଖକ ଓ ପାଠକ ଏଥିମଧ୍ୟରେ ଏହି ପାଣ୍ଠିକୁ ନିଜ ରଚିତ ପୁସ୍ତକର ସ୍ୱତ୍ୱ ଓ ଅର୍ଥ ସାହାଯ୍ୟ କରିବାପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ତତ୍ତ୍ୱାବଧାରକମାନଙ୍କ ନିଷ୍ପତ୍ତି ଅନୁଯାୟୀ ତାହା କାର୍ଯ୍ୟରେ ପରିଣତ ହେବ । ପାଣ୍ଠିର ଆୟବୟ ହିସାବ ମଧ୍ୟ ପ୍ରକାଶିତ ହେବ ।

 

କଟକ,

 

ଅକ୍ଟୋବର ୧, ୧୯୬୮

କାଳିନ୍ଦୀଚରଣ ପାଣିଗ୍ରାହୀ

ଦଶହରା ।

 

Image

 

Unknown

ସୂଚୀପତ୍ର

 

 

ଲେଖକ

ପରିଚ୍ଛେଦ

୧.

ଶ୍ରୀ କାଳିନ୍ଦୀଚରଣ ପାଣିଗ୍ରାହୀ

ଏକ

 

 

ଦୁଇ

 

 

ଅଠେଇଶି

 

 

ଅଣତିରିଶି

 

 

ତିରିଶି

୨.

ଶ୍ରୀ ଶରତ୍‌ଚନ୍ଦ୍ର ମୁଖାର୍ଜି

ତିନି

 

 

ଚାରି

 

 

ତେଇଶି

 

 

ଛବିଶି

ଶ୍ରୀ ହରିହର ମହାପାତ୍ର

ପାଞ୍ଚ

 

 

ଛଅ

୪.

ଶ୍ରୀ ଅନ୍ନଦାଶଙ୍କର ରାୟ

ସାତ

 

 

ପନ୍ଦର

 

 

ଷୋହଳ

୫.

ଶ୍ରୀମତୀ ସରଳା ଦେବୀ

ଆଠ

 

 

ନଅ

 

 

ସତର

 

 

ଅଠର

 

 

ଊଣେଇଶି

 

 

କୋଡ଼ିଏ

 

 

ଏକୋଇଶି

 

 

ବାଇଶି

 

 

ସତେଇଶି

୬.

ଶ୍ରୀମତୀ ସୁପ୍ରଭା ଦେବୀ

ଦଶ

 

 

ଏଗାର

୭.

ଶ୍ରୀ ମୁରଲୀଧର ମହାନ୍ତି

ବାର

 

 

ଚଉଦ

୮.

ଶ୍ରୀମତୀ ପ୍ରତିଭା ଦେବୀ

ତେର

୯.

ବୈଷ୍ଣବଚରଣ ଦାସ

ଚବିଶ

 

 

ପଚିଶି

Image

 

–ଏକ–

 

ଶରତର ପ୍ରଭାତ ।

 

ଏହି ପ୍ରଭାତ ପରି ସେ ନିର୍ମଳ, ଏହି ସତେଜ ଆକାଶ, ଏହି ଶୁଭ୍ର ଗଙ୍ଗଶିଉଳୀ ପରି ତାହାର ସଦ୍ୟ ଫୁଟନ୍ତ ଯୌବନ ! ଏହି ଶୀତଳ ସମୀରଣ ପରି ସେ ତାହାର ଜାଗ୍ରତ ଯୌବନ ଘେନି ଜୀବନ୍ତ ଧରଣୀର ପୁଲକପୂର୍ଣ୍ଣ ଶ୍ୟାମଳ ବକ୍ଷ ଉପରେ ଛୁଟି ଚାଲିଥିଲା ।

 

ବାସନ୍ତୀ–ରୂପର ଅନୁରୂପ ନାମଟି–ବସନ୍ତର ଗୋଟିଏ ପ୍ରତିଛବି । ସେହି ଫୁଲଗନ୍ଧର ମଦିରାରେ ତା’ ଅନ୍ତର ଯେପରି ଚିରଦିନ ସୌରଭିତ । ସେହି କୋକିଳ ଧ୍ୱନି ପ୍ରତିଧ୍ୱନିତ ହେବାର ତାହାରି କଣ୍ଠ ଏକା ଉପଯୁକ୍ତ ସ୍ଥଳ । ପରମ ବିଭବଶାଳୀ ବସନ୍ତଋତୁର ଅପ୍‌ସରା ସେ, ଶରତର ଶୁଭ୍ର ସମ୍ଭାରରେ ଅଧିକତର ରମଣୀୟ ତାହାର ରୂପକାନ୍ତି । କିନ୍ତୁ ଆଜି ଏହି ସୁପ୍ରଭାତରେ ଖଣ୍ଡେ ବିଷାଦ–ବଉଦ ଉଠି ତାହାର ଶରତନିର୍ମଳ ମୁଖମଣ୍ଡଳଟିକି ମଳିନ କରି ରଖିଛି, ତୁଷାରପୀଡ଼ିତା ନୀଳ ଅପରାଜିତା ପରି ଅଶ୍ରୁସିକ୍ତ ତାହାର ନୟନ ଯୁଗଳ ।

 

କାହିଁକି ? କେଉଁ ବ୍ୟଥାରେ ଏ ସତେଜ କୁସୁମଟି ମ୍ରିୟମାଣ ? ଏହାକୁ ସ୍ପର୍ଶ କରିବାକୁ ବ୍ୟଥାର ତ ବ୍ୟଥା ଉପୁଜିବାର କଥା । ହାୟ, ନିୟତିର ଯଦି ଟିକିଏ କବିତ୍ୱ ଥାନ୍ତା, ଟିକିଏ ସୌନ୍ଦର୍ଯ୍ୟବୋଧ ଥାନ୍ତା !

 

ବାସନ୍ତୀର କି ଦୁଃଖ ? ବିରହ ? ସେ ଯେ ଅବିବାହିତା । ଦାରିଦ୍ର୍ୟ ? ତାହାର ରୀତିନୀତିରୁ ଅବସ୍ଥା ଯେ ବେଶ୍‌ ସ୍ୱଚ୍ଛଳ ବୋଲି ମନେହୁଏ । ତେବେ ଆଉ କ’ଣ ? ଆଉ କ’ଣ ପିତୃବିୟୋଗର ଅଳ୍ପକାଳ ପରେ ମାତା ରୋଗଶଯ୍ୟାରେ–ସେହି ଜନନୀ, ଯାହାର କୋଳ ଲାଭକରି ପିତୃବିୟୋଗକୁ ସେ ଭୁଲିଯାଇଛି, ସେହି ଜନନୀ ଯେ ତାହାର ସଂସାର ସାହାରାରେ ଏକମାତ୍ର ଆଶ୍ରୟ–ତରୁ !

 

ବାସନ୍ତୀର ପିତା ବଳରାମ ବାବୁ କଟକରେ ଡିପୋଟି ଥିଲେ । କନ୍ୟା ବାସନ୍ତୀ ଓ ପତ୍ନୀ ବିନା ତାଙ୍କ ସଂସାରରେ ଅନ୍ୟ କେହି ନଥିଲେ । ତାଙ୍କର ଅକାଳ ବିୟୋଗ ପରେ ଏ ଦୁହିଁଙ୍କୁ ସମସ୍ତ ସଂସାରର ଭାର ନେବାକୁ ହୋଇଥିଲା । ବଳରାମବାବୁ ଖର୍ଚ୍ଚରୁ ଉଦ୍‌ବୃତ୍ତ କିଛି ଅର୍ଥ ପ୍ରଭିଡ଼େଣ୍ଟ ଫଣ୍ଡରେ ଜମା ରଖିଥିଲେ, ସେହି ଅର୍ଥ ସାହାଯ୍ୟରେ ଏ ଦୁହେଁ ସଂସାର ଚଳାଇ ନିଅନ୍ତି । ଜନନୀ ସର୍ବଦା ତତ୍ପର ଥାନ୍ତି, ବାସନ୍ତୀ ଯେପରି ସେମାନଙ୍କ ସହାୟହୀନତାର କୌଣସି ସୂଚନା ନ ପାଉ । ବାସନ୍ତୀ ମଧ୍ୟ ପିତୃହୀନା ହୋଇ ମାତାଙ୍କ ପ୍ରତି ଅଧିକ ଆକୃଷ୍ଟ ହୋଇପଡ଼ିଥିଲା । ସେ ଆବାଲ୍ୟ ପରମ ସ୍ନେହରେ ଲାଳିତା ମାତା ପିତାଙ୍କର ଏକମାତ୍ର ନିଧି । ଅଭାବ ଦୁଃଖର ଛାୟା ତାକୁ ପ୍ରାୟ ସ୍ପର୍ଶ କରି ନଥିଲା । କିନ୍ତୁ ଯେଉଁଦିନୁ ମୃତ୍ୟୁ ତା’ର କଳା ପର୍ଦ୍ଦାର ଅନ୍ତରାଳରେ ପିତାଙ୍କୁ ଅନ୍ତର୍ହିତ କଲା, ଯେଉଁ ଦିନୁ ସଂସାର ନିର୍ମମ ପ୍ରକୃତିର ସେ ପ୍ରଥମ ପରିଚୟ ପାଇଲା, ସେହି ଦିନୁ ସେ ତାହାର ସୁଦୃଢ଼ ସ୍ନେହବନ୍ଧନରେ ମାତାଙ୍କୁ ଆବଦ୍ଧ କରି ମୃତ୍ୟୁ କବଳରୁ ରକ୍ଷା କରିବାଲାଗି ସତର୍କ ରହିଲା । କିନ୍ତୁ ହାୟ, ସେହି କୋମଳ କରଟିକୁ ଏଡ଼ି ଦେଇ ମୃତ୍ୟୁଦୂତ କଠିନପ୍ରାଣରେ ତାହାର ସ୍ନେହମୟୀ ଜନନୀଙ୍କୁ ଧରି ବସିଛି ।

 

ଶଯ୍ୟା ଉପରେ ବସି ସେ ରୁଗ୍‌ଣା ଜନନୀଙ୍କ ସେବାରେ ରତ । ମାତାଙ୍କୁ ଛାଡ଼ି ସେ ଏକାକିନୀ ରହିବ, ଏଡ଼େ ବଡ଼ ନିର୍ମମ ଘଟଣା ଭାବିବା ତାହା ପକ୍ଷରେ ଅସମ୍ଭବ । ଅତି ଆଦରରେ ଲାଳିତା ହୋଇ ସେ ଏ ସଂସାରର କଣ୍ଟକମୟ ପଥର ସମ୍ୱାଦ ରଖିବାକୁ ଦିନେହେଲେ ଫୁରୁସତ୍‌ ପାଇନାହିଁ । ଏହାକୁ ମିଶାଇ ସେ ଚଉଦଟି ଶରତ ଉପଭୋଗ କରିଛି; କିନ୍ତୁ ଏହା ମଧ୍ୟରେ ମୁହୂର୍ତ୍ତକ ପାଇଁ ତାହାର ସ୍ୱୀୟ ଭବିଷ୍ୟତ ଚିନ୍ତା ମନରେ ଉଦିତ ହୋଇନାହିଁ, ଅତୀତ ପ୍ରତି ମଧ୍ୟ ସେ କେବେହେଲେ ଦୃଷ୍ଟି ଫେରାଇନାହିଁ । କେବଳ ପିତାଙ୍କ ଯତ୍ନରେ କଟକ ବାଳିକା ବିଦ୍ୟାଳୟରେ କେତେକ ବର୍ଷ ପଢ଼ି ଏବଂ ପ୍ରତିଦିନ ସମ୍ୱାଦପତ୍ରାଦି ପାଠକରି ନାରୀ ଜାତିର ସ୍ୱାତନ୍ତ୍ର୍ୟପାଇଁ ତାହାର ଯଥାସାଧ୍ୟ କିଛି କରିବାର ଇଚ୍ଛା । ତାହା ନ ହେଲେ ଖଣ୍ଡେ ଶୁଷ୍କପତ୍ର ପରି ସେ ପବନ ବେଗରେ ଭାସି ବୁଲୁଥିଲା । କେଉଁଠାରୁ ଆସିଲା ତାହାର ଚିନ୍ତାନାହିଁ, କେଉଁଆଡ଼େ ପୁଣି ଭାସିଯିବ ତାହାର ଭାବନାନାହିଁ ।

 

ଏକାକୀ ଗୃହରେ ମାତାଙ୍କ ନିକଟରେ ବସି ସେ ସେବାରେ ଲାଗିଥାଏ । ଏକାଦିକ୍ରମେ ତିନିଦିନ ହେଲା ଜ୍ୱର, ଆଦୌ ଉପଶମନାହିଁ । ବାସନ୍ତୀ ଥର୍ମୋମିଟର ବ୍ୟବହାର କରି ଜାଣେ । ସାମାନ୍ୟ ଚିକିତ୍ସା କରିପାରିବାର ଶିକ୍ଷା ମଧ୍ୟ ତାହାର ଅଛି । ନିଜ ହୋମିଓପ୍ୟାଥିକ ବାକ୍ସଟିର ସାହାଯ୍ୟରେ ସେ ଜନନୀଙ୍କର ଚିକିତ୍ସା କରୁଥାଏ । ଯଦିବା ନିଜ ସମ୍ପର୍କୀୟ ଦୁଃଖଦୁର୍ଦ୍ଦିନ ପାଇଁ ସେ କଦାପି ପ୍ରସ୍ତୁତ ନଥିଲା; ତଥାପି ଆମ୍ଭମାନଙ୍କ ନାରୀସମାଜ ତୁଳନାରେ ତାହାର ଶିକ୍ଷା ଓ ସ୍ୱାଧୀନତା ଅନେକ ଉଚ୍ଚରେ । ନିଜ ବିପଦାଶଙ୍କାରେ ସେ କାତରା; କିନ୍ତୁ ଅପର ଦୁଃସ୍ଥ ବ୍ୟକ୍ତିର ସାହାଯ୍ୟରେ ତାହାର ସାହସ ଓ ବଳ ଅତୁଳନୀୟ । ପଡ଼ୋଶୀ ବୃଦ୍ଧ ରାମ ତିହାଡ଼ୀଙ୍କର ବହୁଦିନର ବେମାରି ସେ ତାହାରି ହୋମିଓପ୍ୟାଥିକ ଚିକିତ୍ସାରେ ଆରୋଗ୍ୟ କରି ଦେଇଥିଲା । ପଡ଼ାର ଆଖପାଖ ଲୋକେ ଏହି ସବୁ ଧରଣ ଦେଖି କଟାକ୍ଷ କରୁଥିଲେ । କିନ୍ତୁ ବଳରାମବାବୁ କିମ୍ୱା ତାଙ୍କ ସ୍ତ୍ରୀଙ୍କ ସପକ୍ଷରେ କେହି କିଛି ଭରସି କହିପାରୁ ନଥିଲେ । ବାସନ୍ତୀ ମଧ୍ୟ ଏ ସବୁ ଜାଣିବାର ସୁବିଧା ପାଇନାହିଁ । ତାହାର ଚରିତ୍ର ଓ ଶିକ୍ଷା ଉପରେ ପିତାମାତାଙ୍କର ତୀକ୍ଷ୍ଣ ଦୃଷ୍ଟି ଥିଲା ଏବଂ ସେହି ଶିକ୍ଷା ଅନୁପାତରେ ସେମାନେ ତାକୁ ବେଶ୍‌ ସ୍ୱାଧୀନତା ଦେଇଥିଲେ ।

 

ଏକାକୀ ଯାଇ ଡାକ୍ତର ଡାକି ଆଣି ମାତାଙ୍କର ଚିକିତ୍ସା କରାଇବାର ସାହସ ତାହାର ଥିଲା; କିନ୍ତୁ ବାସନ୍ତୀ ଡାକ୍ତର କଥା ପକାଇଲେ ମାତା ଅତ୍ୟନ୍ତ ଅନିଚ୍ଛା ସହ କହନ୍ତି, ‘‘ନାହିଁ ମା’, ତୋର ଏତେ ଚିନ୍ତା କାହିଁକି ? ତୁ ତ ମୋର ଡାକ୍ତରଠାରୁ ଭଲ ଜାଣୁ । ତୋର ଚିକିତ୍ସାରେ ମୁଁ ଭଲ ହୋଇଯିବି ଯେ । ତୁ ଖୁସି ହ, ଖେଲ୍‌ବୁଲ । ଡାକ୍ତର କଥା ତୁ କାହିଁକି ଭାବୁଛୁ ?’’ ବାସନ୍ତୀ ଜନନୀଙ୍କ ଇଚ୍ଛା ବିରୁଦ୍ଧରେ କିଛି କରେନାହିଁ । ବାସନ୍ତୀ ଜାଣେ, ସେ ତାଙ୍କ କଥା ବେଶୀ ଭାବୁଥିବାର ଜନନୀ ଯଦି ବୁଝିପାରନ୍ତି, ତେବେ ଅତ୍ୟନ୍ତ ବ୍ୟଥିତ ହେବେ ଏବଂ ସେହି ଦୁଃଖରେ ରୋଗ ମଧ୍ୟ ବୃଦ୍ଧି ଲଭି ପାରେ । ସୁତରାଂ ସେ ଜନନୀଙ୍କ ମନରେ କୌଣସି ପ୍ରକାର କଷ୍ଟ ନ ଦେବା ବିଷୟରେ ସଦା ସତର୍କ ଥିଲା । ଜନନୀ ନିର୍ମଳା ଦେବୀ ତାକୁ ସବୁବେଳେ ନିକଟରେ ବସି ରହିବାକୁ ମନାକରନ୍ତି, ସହଧ୍ୟାୟିନୀମାନଙ୍କ ସଙ୍ଗେ ଖେଳିବାକୁ ବୁଲିବାକୁ କହି ବଡ଼ ଜିଦ୍‌ କରନ୍ତି; କିନ୍ତୁ ସେ ତାଙ୍କୁ ଛାଡ଼ି ଯାଇପାରେନାହିଁ । ସେ ଯଦି ଖେଳେ ତାଙ୍କରି ଶଯ୍ୟା ନିକଟରେ ବସି ସହଧ୍ୟାୟିନୀମାନଙ୍କୁ ଡାକି ଆଣି ଖେଳେ; କିନ୍ତୁ ସେ ଖେଳ କେବଳ ଜନନୀଙ୍କ ଆନନ୍ଦ ଲାଗି, ତାହାର ଆନନ୍ଦ ସେଥିରେ ତିଳେ ହେଲେ ନଥାଏ ।

 

ବାସନ୍ତୀର ବନ୍ଧୁ ସୁନୀତି ଖ୍ରୀଷ୍ଟାନ୍‌। ସୁନୀତିଦ୍ୱାରା ମାତାଙ୍କୁ ପ୍ରବର୍ତ୍ତାଇ ଡାକ୍ତର ଡାକିବାକୁ ସେ ଚେଷ୍ଟା କରିଛି । କିନ୍ତୁ ସବୁଥର ମା’ ଉତ୍ତର ଦେଇଛନ୍ତି, ‘‘ନାହିଁ ମା’, ତୁମେମାନେ କାହିଁକି ଏତେ ବ୍ୟସ୍ତ ହେଉଛି ? ମୁଁ ତ ସେପରି କିଛି ଆବଶ୍ୟକ ବର୍ତ୍ତମାନ ଦେଖୁନାହିଁ । ଆବଶ୍ୟକ ହେଲେ ମୁଁ ତ ନିଜେ କହିବି ।’’ ସୁନୀତି ଟିକିଏ ବଳାଇ ବଳାଇ କହେ, ‘‘ମାଉସି, ଡାକ୍ତର ଦେଖିଲେ ଜରଟା କାହିଁକି ଛାଡ଼ୁନାହିଁ ବୁଝାଯାନ୍ତା ।’’ ବାସନ୍ତୀର ମା’ ଏ କଥାରେ କାନ ନ ଦେଇ କହନ୍ତି, ନାହିଁ ମା’, ଥାଉ । ତୁମେମାନେ ଭାବୁଛ, ମୁଁ କ’ଣ ମୋ କଥା ଭାବୁନାହିଁ । ମୁଁ କ’ଣ ଜାଣେନାହିଁ, ମୁଁ ମରିଗଲେ ମୋ ବାସନ୍ତୀର କେଡ଼େ କଷ୍ଟ ହେବ ? ଜାଣି ଜାଣି ମୁଁ ତାକୁ ଏଡ଼େ କଷ୍ଟ ଦେବାକୁ ଯାନ୍ତି ?’’ ହାୟରେ ଜନନୀର ପ୍ରାଣ, ଜାଣି ଜାଣି ସେ ଏହା କରିବାକୁ ଯିବ କାହିଁକି ? କିନ୍ତୁ ଏହା ପୂର୍ବରୁ କେତେଥର ତ ଜ୍ୱର ଆସିଛି । ସେ ମାତୃହୃଦୟ ଯେବେ ଭବିଷ୍ୟତ କଥା ଏତେ ବିଚାର କରି ଚଳେ, ତେବେ ବାସନ୍ତୀ ଏ ସମ୍ୱାଦ ପୂର୍ବରୁ ଜାଣିପାରେନାହିଁ କାହିଁକି ? ଯେତେବେଳେ ଜ୍ୱରପୀଡ଼ାରେ ମାତା ଚଳିବାକୁ ଅକ୍ଷମ, ସେତେବେଳେ ଯାଇ କନ୍ୟା ତାଙ୍କ ରୋଗ କଥା ଜାଣିପାରେ ।

 

ମାତାଙ୍କୁ ରାଜି କରି ଡାକ୍ତର ଡାକି ଉପଯୁକ୍ତ ଚିକିତ୍ସା କରାଇବା ଭଳି ଜଣେମାତ୍ର ଲୋକକୁ ବାସନ୍ତୀ ଜାଣେ । ସେ ଦେବଭାଇ ! କିନ୍ତୁ ଏ କେତେଦିନ ତାଙ୍କର ତ କୌଣସି ସମ୍ୱାଦନାହିଁ, ଚିଠି ଖଣ୍ଡେ ମଧ୍ୟ ମିଳିନାହିଁ । ସେ କ’ଣ ଏଡ଼େ ନିର୍ମମ ହୋଇପାରନ୍ତି ? ଯାହା କହନ୍ତି, ବିପଦକାଳରେ କେହି ବନ୍ଧୁ ନୁହନ୍ତି, ସେ କଥାଟା କ’ଣ ଏଡ଼େ କଠୋର ସତ୍ୟ ? ଦେବଭାଇ ପରି ଲୋକ ଏଡ଼େ ନିଷ୍ଠୁର ହୋଇପାରେ ? କାହା ଲାଗି କେଜାଣି, ଅଭିମାନରେ ବିଦ୍ଧହୋଇ ଗର୍ବିତ ବାସନ୍ତୀର ଚକ୍ଷୁ ଛଳଛଳ ହୋଇ ଆସିଲା ।

 

ଠିକ୍‌ ସେହି ସମୟରେ ଦାଣ୍ଡଦ୍ୱାରରେ ସାଇକେଲ ଘଣ୍ଟା ଶୁଭିଲା ଏବଂ ସଙ୍ଗେ ସଙ୍ଗେ ଦେବବ୍ରତ ଘରେ ଆସି ପହଞ୍ଚିଗଲେ ।

 

–ଦୁଇ–

 

କଟକ ରେଭେନ୍‌ସା କଲେଜ ସେ ସମୟକୁ ଚାଉଳିଆଗଞ୍ଜକୁ ଅନ୍ତରିତ ହୋଇ ନଥିଲା-। ସେହି ପୁରାତନ ଗୃହଗୁଡ଼ିକରେ ମଧ୍ୟ ନୂତନ ଆଲୋକ, ନବଯୁଗର ବାର୍ତ୍ତା ପ୍ରବେଶ କରିପାରିଥିଲା-। ସେହି କ୍ଷୁଦ୍ର ବେଷ୍ଟନୀ ଭିତରେ ମଧ୍ୟ ସମାଜସେବା, ଦେଶସେବା, ସାହିତ୍ୟ ସେବାର ବିସ୍ତୃତ କ୍ଷେତ୍ର ପ୍ରସ୍ତୁତ କରାଯାଇଥିଲା । ସେହି ଯୁବକମାନେ କଲେଜରୁ ବାହାରି ଦେଶରେ ଆଜି କି କି କାର୍ଯ୍ୟ କରିଅଛନ୍ତି, ତାହାର ହିସାବ ଆମ୍ଭେମାନେ ରଖି ନାହୁଁ । କିନ୍ତୁ ସେକାଳର ଯୁବକ ଛାତ୍ରମାନଙ୍କର ଉଦ୍ୟମ, ଉତ୍ସାହ ଯେ ବେଶ୍‌ ପ୍ରବଳ ଥିଲା, ସକଳ କ୍ଷେତ୍ରରେ ଛାତ୍ରମାନେ ଯେ ଦେଶବାସୀମାନଙ୍କୁ ଯଥେଷ୍ଟ ଆଶାଭରସା ଦେଉଥିଲେ, ଏହାର ପ୍ରମାଣ ବର୍ତ୍ତମାନ ଦୁର୍ଲ୍ଲଭ ନୁହେଁ ।

 

ସେହି ସମୟରେ କଲେଜର ତୃତୀୟ ବାର୍ଷିକ ଶ୍ରେଣୀରେ ଗୋଟିଏ ଛାତ୍ର ପଢ଼ୁଥିଲା–ନାମ ଦେବବ୍ରତ । ଏ ଯୁବକଟିର ନାମ ଉଲ୍ଲେଖ କରିବାର ବିଶେଷ କାରଣ ଅଛି । ଦେବବ୍ରତ ବାଲେଶ୍ୱରର ଜଣେ ଜମିଦାରଙ୍କ ପୁତ୍ର । ଗୃହରେ ତାହାର କେବଳ ବୃଦ୍ଧାମାତା ଥାଆନ୍ତି ଏବଂ ଜଣେ ସମ୍ପର୍କୀୟ ଖୁଡ଼ୁତା ଜମିଦାରୀ ବୁଝନ୍ତି । ଛାତ୍ର ହିସାବରେ ଦେଖିଲେ ଦେବବ୍ରତକୁ ମନଯୋଗୀ କରିବାର ଜୁ ନାହିଁ; କାରଣ କ୍ଳାସରେ ଅଧ୍ୟାପନା ପ୍ରତି ତାହାର ଯେତେ ମନଯୋଗ, ତା’ଠାରୁ ବେଶୀ ମନଯୋଗ ଅଧ୍ୟାପକଙ୍କ ବେଶଭୂଷା ପ୍ରତି, ତାଙ୍କର ଚାଲିଚଳନ ଓ କଥାବାର୍ତ୍ତା ପ୍ରତି । କ୍ଳାସ ଗୃହରେ ତାହାର ଚକ୍ଷୁ ଅଳ୍ପ ସମୟ ମଧ୍ୟରେ କ୍ଳାନ୍ତ ହୋଇପଡ଼େ । ଘଣ୍ଟାକରୁ ପ୍ରାୟ ଚାଳିଶ ମିନିଟ କଟିଯାଏ ବାହାରକୁ ଚାହିଁ । ଗାଡ଼ିଟାଏ, ଘୋଡ଼ାଟାଏ ଓ ପଥିକଟାର ଗତିବିଧି ନିରୀକ୍ଷଣ କରିବାରେ ତାହାର ବେଶୀ ସମୟ ଯାଏ । ଘରକୁ ଗଲେ ଖେଳ, ସଂଗୀତ ଚର୍ଚ୍ଚା, ହାସ୍ୟାମୋଦ, ତର୍କ ଇତ୍ୟାଦି ।

 

ଅନ୍ୟଦିଗରୁ ଦେଖିଲେ ସେ ଜଣେ ନେତା । ସଭାସମିତି ହେଲେ ତାହାର ଆହ୍ୱାନ–ବକ୍ତୃତା ଦେବାକୁ ହେବ, ସଂଗୀତ ଗାଇବାକୁ ହେବ । ଫୁଟବଲ, ଟେନିସ୍‌, କ୍ରିକେଟ, ହକି ପ୍ରଭୃତିରେ ସେ ସୁନିପୁଣ । ଛାତ୍ରାବାସରେ କେହି ରୋଗାକ୍ରାନ୍ତ ହେଲେ, ଡାକ୍ତର ଓ ସୁପରିଣ୍ଟେଣ୍ଡେଣ୍ଟ୍‌ ଜାଣିବା ପୂର୍ବରୁ ଦେବବ୍ରତ ଜାଣିଥିବ ଓ ଯାଇ ହାଜର ହୋଇଥିବ । ବନ୍ଧୁ ମେଳରେ କିଛି ଆଶଙ୍କା ହେଲେ ଦେବବ୍ରତ ଆଗ ପଦାକୁ ବାହାରିପଡ଼େ । ସରସ୍ୱତୀ ପୂଜା କିମ୍ୱା ଗଣେଶ ପୂଜାରେ ଦେବବ୍ରତର ମୁହୂର୍ତ୍ତେ ଅବସର ନଥାଏ । ଆଜି ଯେବେ ଗୋଟାଏ କଥାରେ ମନ ଲାଗିଛି, ଯଥା ଅସ୍ପୃଶ୍ୟ ତ୍ୟାଗ କରିବାକୁ ହେବ, ଦେବବ୍ରତ ବନ୍ଧୁମାନଙ୍କ ସମକ୍ଷରେ ନିମ୍ନଶ୍ରେଣୀର ଲୋକଙ୍କୁ ପାଖରେ ବସାଇ ଆହାର କରିବ । କିନ୍ତୁ ଏ ସବୁ ସେ ଲଘୁଭାବରେ କରୁ ନଥିଲା । ତାହାର ନିଷ୍ଠାଥିଲା, ତାହାର ଅଦ୍ୟମ ଶକ୍ତି ମଧ୍ୟ ଥିଲା, ପ୍ରାଣରେ ସେ ଅହରହ ଏହି ଶକ୍ତି ଅନୁଭବ କରୁଥିଲା । ଏଥିପାଇଁ ଅକ୍ଳାନ୍ତ ପରିଶ୍ରମରେ ମଧ୍ୟ ତାହାର ଶାନ୍ତି ନଥିଲା କିମ୍ୱା ବିଶ୍ରାମର ପ୍ରୟୋଜନ ବୋଧ ନଥିଲା । ଏହିସବୁ କାରଣରୁ ତାହାର ସହଧ୍ୟାୟୀମାନେ ତାକୁ ଶ୍ରଦ୍ଧା କରନ୍ତି, ଅଧ୍ୟାପକମାନେ ତାକୁ ଖାତିର କରନ୍ତି ।

 

ଦେବବ୍ରତ ପ୍ରଥମେ ଜଣେ ଶିକ୍ଷକଙ୍କ ଅଭିଭାବକତ୍ୱରେ ରହି କଟକ ଭିକ୍ଟୋରିଆ ସ୍କୁଲରେ ଅଧ୍ୟୟନ କରେ । ଖର୍ଚ୍ଚପାଇଁ ଜମିଦାରୀରୁ ଯେ ଟଙ୍କା ଆସେ, ସେଥିରୁ ବେଶୀ ଭାଗଟା ଥିଏଟର, ସର୍କସ ଦେଖା ଓ ସଂଗୀତ ଯନ୍ତ୍ର କ୍ରୟରେ ନିଃଶେଷ ହୋଇଯାଏ । ଗୃହଶିକ୍ଷକ ହରିଗୋପାଳବାବୁ ତାକୁ ଏ ସବୁରେ ବାଧା ଦିଅନ୍ତିନାହିଁ । ଯେଉଁଠାରେ ତାଙ୍କର ଚେଷ୍ଟା ବ୍ୟର୍ଥ ହେବ ବୋଲି ସେ ବୁଝନ୍ତି, ସେଠାରେ ପରିଣାମଦର୍ଶୀ ହୋଇ ଚୁପ୍‌କରି ରହିଯାନ୍ତି । ଆଉ ମଧ୍ୟ ଏ ସକଳ ଫୁର୍ତ୍ତି ସତ୍ୱେ ଦେବବ୍ରତର ଫେଲ୍‌ ଖବର କେବେ ଶୁଣାଯାଇନାହିଁ । କେହି ଏ କଥା ଉତ୍‌ଥାପନ କଲେ କହେ, ‘‘ପାଶ୍‌ କରିବାକୁ କ’ଣ ପାଠପଢ଼ାର ବେଶୀ କିଛି ଦରକାର ? ବେଶୀ ପାଠପଢ଼ା ବିଶ୍ୱବିଦ୍ୟାଳୟରେ ନାମ କରିବା ଲାଗି ।’’ ଶିକ୍ଷକମାନେ ଭଲପିଲାଟା ‘ନଷ୍ଟ’ ହୋଇଯାଉଛି ବୋଲି ବହୁବାର ଆକ୍ଷେପ କରିଥାନ୍ତି । କିନ୍ତୁ ଦେବବ୍ରତ ଏଡ଼େ ବଡ଼ ବୋକା ନୁହେଁ ଯେ ଶିକ୍ଷକମାନଙ୍କ କଥାରେ ଭୁଲିଯିବ । ସେ ସିଧାସିଧା ସେମାନଙ୍କ କଥାର ଉତ୍ତର ଦିଏ, ‘‘ଆପଣଙ୍କ ଭଲପିଲାଗୁଡ଼ାକ ନିପଟ ଗଧ ।’’

 

ଏହିଠାରେ ବାସନ୍ତୀଙ୍କ ସଙ୍ଗରେ ଦେବବ୍ରତ ପରିଚୟ ହେବାର କିଞ୍ଚିତ୍‌ ବିବରଣ ଦେବା ଆବଶ୍ୟକ । ଦେବବ୍ରତ ଯେତେବେଳେ ହରିଗୋପାଳବାବୁ ଶିକ୍ଷକଙ୍କ ଅଭିଭାବକତ୍ୱରେ ଥିଲା, ସେତେବେଳେ ସେମାନଙ୍କ ବସା ବଳରାମବାବୁଙ୍କ ଘରକୁ ଲାଗିଥିଲା । ବଳରାମବାବୁଙ୍କ ଦୃଷ୍ଟି ବଡ଼ ତୀକ୍ଷ୍ଣ । ସେହି ଦୃଷ୍ଟିତଳେ ବାସନ୍ତୀ ସ୍ୱାଧୀନତା ଲାଭ କରିଥିଲା ଏବଂ ସେହି ଦୃଷ୍ଟିବଳରେ ସେ ଦେବବ୍ରତକୁ ତନ୍ନତନ୍ନ କରି ଦେଖି ନେଇଥିଲେ । ଯୁବକର ତେଜ, ବୀର୍ଯ୍ୟ ସଙ୍ଗେ ତାହାର ଚରିତ୍ରର ସାରବତ୍ତାଟିକ ସେ ବେଶ୍‌ ବୁଝିପାରିଥିଲେ । ଏହି କାରଣରୁ ତାଙ୍କ ଗୃହକୁ ଦେବବ୍ରତର ନିର୍ବାଧ ଗତିଥିଲା । ବଳରାମବାବୁ ଓ ତାଙ୍କର ସ୍ତ୍ରୀ ଦେବବ୍ରତକୁ ପିତାମାତାର ସ୍ନେହ ଦୃଷ୍ଟିରେ ଦେଖୁଥିଲେ । ଦେବବ୍ରତ ମଧ୍ୟ ସେମାନଙ୍କୁ ପ୍ରଗାଢ଼ ଶ୍ରଦ୍ଧା ଓ ଭକ୍ତି କରୁଥିଲା । ସେହି ସମୟରୁ ବାସନ୍ତୀ ତାକୁ ଦେବଭାଇ ବୋଲି ଡାକେ । ବଳରାମବାବୁଙ୍କର ଦେବବ୍ରତକୁ ଜାମାତା କରିବାର ସମ୍ପୂର୍ଣ୍ଣ ଇଚ୍ଛା ଥିଲେ ମଧ୍ୟ ପ୍ରକାଶ୍ୟଭାବରେ ତାକୁ ଏହା ଶୁଣାଇ ନଥିଲେ । ସ୍ତ୍ରୀଙ୍କ ପାଖରେ ମଧ୍ୟ ଏ ବିଷୟରେ କିଛି ପ୍ରକାଶ ନ କରି ନୀରବରେ କନ୍ୟା ଓ ଦେବବ୍ରତଙ୍କ ଗତିବିଧି ନିରୀକ୍ଷଣ କରିବାଲାଗି ତାଙ୍କୁ ସାବଧାନ କରି ଦେଇଥିଲେ ।

 

ଦେବବ୍ରତ ଯେତେବେଳେ ମ୍ୟାଟ୍ରିକ ପାଶ୍‌ କରି କଲେଜରେ ପଢ଼ିବାକୁ ଗଲା, ବଳରାମବାବୁଙ୍କର ଇଚ୍ଛା ଥିଲା, ତାଙ୍ଗ ଘରେ ଦେବବ୍ରତକୁ କୌଣସିମତେ ରଖାଇଥାନ୍ତେ; କିନ୍ତୁ ଦେବବ୍ରତ ସେ ପ୍ରସ୍ତାବରେ ନାମଙ୍ଗ ହୋଇ କଲେଜ ବୋର୍ଡିଂରେ ରହିଲା ଏବଂ ପ୍ରତିଦିନ ସେମାନଙ୍କ ଘରେ ଜଳଯୋଗଟା କରିବାକୁ ଅସ୍ୱୀକାର କଲା । ଅଙ୍ଗୀକାର କଲା ସତ୍ୟ; କିନ୍ତୁ ଅଧିକାଂଶ ଦିନ ‘ସମାଜସେବା ସଂଘ’, ‘ସାହିତ୍ୟସମ୍ମେଳନ’ ପ୍ରଭୃତିରେ ଯୋଗଦେଇ ତାକୁ ଅବସର ମିଳୁ ନଥିଲା ।

 

ବାସନ୍ତୀର ପିତାମାତାଙ୍କର ସମସ୍ତ ସାବଧାନତା ସତ୍ତ୍ୱେ ବାସନ୍ତୀ ଓ ଦେବବ୍ରତ ଅଜ୍ଞାତଭାବରେ ପରସ୍ପର ପ୍ରତି ଆକୃଷ୍ଟ ହୋଇ ପଡ଼ିଥିଲେ । ବାସନ୍ତୀର କଥାଟି, ହସଟି, ଅଭିମାନଟି ଦେବବ୍ରତର ପ୍ରାଣକୁ ଗାଢ଼ରୂପେ ସ୍ପର୍ଶ କରୁଥିଲା । ଏବେ ସେହି ଚିତ୍ରଗୁଡ଼ିକ ଅନେକ ସମୟରେ ତାହାର କଳ୍ପନାର ବସ । ବାସନ୍ତୀ ମଧ୍ୟ ଦେବବ୍ରତର ଉଦାର ମାନବିକତା, ସାହସ ଓ ଧୈର୍ଯ୍ୟ ଯୋଗୁଁ ତାକୁ କିପରି ଏକ ଶ୍ରଦ୍ଧା ବିନମ୍ର ଭାବରେ ଦେଖିବାକୁ ଶିଖିଥିଲା । ବିଶେଷତଃ ବଳରାମବାବୁଙ୍କ ମୃତ୍ୟୁସମୟରେ ସେ ଯେପରି ଧୈର୍ଯ୍ୟ ଓ ସାହସର ସହିତ ସାହାଯ୍ୟ କରିଥିଲା ତାହା ଯେ ଦେଖିଛି, ସେ ପ୍ରଶଂସା କରିବାକୁ ବାଧ୍ୟ ହୋଇଅଛି । ଦୁହିଁଙ୍କ ମଧ୍ୟରେ ଏହି ପ୍ରଣୟାଙ୍କୁର ଦିନକୁଦିନ ବୃଦ୍ଧି ଲଭୁଥିଲା । ସଭାସମିତି ପ୍ରଭୃତିରେ ଦିନ ଦୁଇଟା ଅଟକିଗଲେ ଦେବବ୍ରତର ମନ ଚଞ୍ଚଳ ହୁଏ, ଭାବେ, ଯାଇ ବାସନ୍ତୀକି ଥରେ ଦେଖିଆସିବ । ବାସନ୍ତୀ ମଧ୍ୟ ତାକୁ କିଛିଦିନ ନ ଦେଖିଲେ ଘନଘନ ଚିଠି ଲେଖିବାକୁ ଆରମ୍ଭ କରେ । ଲୋକଚକ୍ଷୁର ଅନ୍ତରାଳରେ ଏହି ଦିଓଟି ତରୁଣ ପ୍ରଣୟୀଙ୍କର ମନୋଭାବର ଯେ ଆଦାନପ୍ରଦାନ ଚାଲିଥିଲା, ତାହା ଏକା ବାସନ୍ତୀର ଜନନୀଙ୍କ ବ୍ୟତୀତ ଦ୍ୱିତୀୟ କେହି ଜାଣନ୍ତିନାହିଁ ।

 

କିନ୍ତୁ ଏହା ବେଶିଦିନ ଗୋପନ ରହିପାରିଲାନାହିଁ । ପୂର୍ବରୁ ଆମ୍ଭେମାନେ କହିଅଛୁଁ, ଛାତ୍ରସମାଜରେ ଦେବବ୍ରତର କେତେଦୂର ପ୍ରତିପତ୍ତି ଥିଲା । ଦେବବ୍ରତ ଯଦି କେହ ‘‘ଷ୍ଟାଇକ୍‌’’–ସେ ଆଜ୍ଞା ବିଦ୍ୟୁତ୍‌ବେଗରେ ଛାତ୍ରସାମଜରେ ପ୍ରଚାରିତ ହୋଇଯିବ ଏବଂ ଅବିଳମ୍ୱେ କାର୍ଯ୍ୟରେ ପରିଣତ ହେବ । ଛାତ୍ରମାନଙ୍କର କିଛି ଆପତ୍ତି ଅଧ୍ୟାପକଙ୍କୁ ଶୁଣାଇବାକୁ ହେଲେ ଦେବବ୍ରତହିଁ ଆଗଭର । ଏପରି ଅବସ୍ଥାରେ ଯାହା ସାଧାରଣତଃ ହୋଇଥାଏ, ତାହାହିଁ ହେଲା । ଯେଉଁ ଛାତ୍ରମାନେ ଦେବବ୍ରତର ପ୍ରତିପତ୍ତିରେ ଈର୍ଷାନ୍ୱିତ, ସେମାନେ ତାହାର ଛିଦ୍ରାନ୍ୱେଷଣ କରି ବୁଲିଲେ । ଦେବବ୍ରତ କେତେବେଳେ କେଉଁ ସ୍ଥାନକୁ ଯାଏ, କାହା କାହା ନିକଟକୁ ପତ୍ର ଲେଖେ ଏବଂ କେଉଁଠାରୁ ପତ୍ର ପାଏ ଇତ୍ୟାଦି ବିଷୟ ଆବିଷ୍କାର କରିବାକୁ ଡେରି ହେଲାନାହିଁ । ସେମାନେ ନାନାଭାବରେ ଦେବବ୍ରତର ଚରିତ୍ର ଉପରେ କଳଙ୍କ ଆରୋପ କରି ଗୋଟିଏ ଦଳ ଗଠନ କରି ନେଲେ ଏବଂ କାପୁରୁଷ ପରି ବାଟରେ ଘାଟରେ ଅତି ଅକଥ୍ୟଭାଷାରେ ତାକୁ ଆଘାତ କରିବାକୁ ଆରମ୍ଭ କଲେ । ଦେବବ୍ରତ ବହୁ ପୂର୍ବରୁ ଛାତ୍ରସମାଜରେ ଅନେକଙ୍କ ହୀନତା ଓ ଅଭଦ୍ରତାର ପରିଚୟ ପାଇଥିଲା । ଏହି ଦୂଷିତ ସ୍ୱଭାବ ଯୁବକମାନଙ୍କଠାରେ ଶିକ୍ଷାର ଉଦ୍ଦେଶ୍ୟ ଯେ ମାଟି ହୋଇଯାଇଛି, ତାହା ସେ ବେଶ୍‌ ବୁଝିପାରିଥିଲା । ସେମାନଙ୍କୁ ଭୟ କରି ଦୂରରେ ରହିବା ଅପେକ୍ଷା ଅନ୍ୟ ଉପାୟ ତାହାର ନଥିଲା । ତଥାପି ସେମାନଙ୍କର କ୍ରୁରଦୃଷ୍ଟି ତା’ ଉପରୁ ଫେରିଲାନାହିଁ ଏବଂ ଭଲରୂପେ ପ୍ରତିହିଂସା ନେବାକୁ ସେମାନେ ଗୋଟାଏ ସୁଯୋଗ ଖୋଜି ବୁଲୁଥିଲେ ।

 

ସେଦିନ ଶନିବାର–‘‘ସାମାଜସେବା ସଂଘ’’ର ଚତୁର୍ଥ ଅଧିବେଶନ । ଆଲୋଚ୍ୟ ବିଷୟଟି ‘ନାରୀ ଜାତିର ସ୍ଵାତନ୍ତ୍ର୍ୟ ବିଷୟରେ ଛାତ୍ରସମାଜର କର୍ତ୍ତବ୍ୟ’ । ସଭାପତି ନିଜେ ଦେବବ୍ରତ-। ତାହାର ବିପକ୍ଷ ଦଳ ଏହିଟାକୁ ସୁବର୍ଣ୍ଣ ସୁଯୋଗ ମନେକଲେ । ଯେଉଁମାନଙ୍କର କେବେ ସଭାଗୃହରେ ପାଦ ପଡ଼େନାହିଁ, ସେମାନେ ମଧ୍ୟ ଆଜି ଆସି ହାଜର । ଦେବବ୍ରତ ପୂର୍ବରୁ କିଛିମାତ୍ର ଆଶଙ୍କା କରିନାହିଁ । ସେ ତାହାର ସ୍ୱାଭାବିକ ନିର୍ଭୀକତା ସହିତ ସଭାର କାର୍ଯ୍ୟ ପରିଚାଳନା ଆରମ୍ଭ କଲା । ପ୍ରବନ୍ଧ ପାଠ ପରେ ଜଣେ ବକ୍ତା ଦଣ୍ଡାୟମାନ ହୋଇ କହିଲେ, ମୁଁ ନାରୀ ସ୍ୱାତନ୍ତ୍ର୍ୟ ସମ୍ୱନ୍ଧରେ କିଛି କହିବା ପୂର୍ବରୁ ଆମ୍ଭମାନଙ୍କର–ବିଶେଷତଃ ଆମ୍ଭମାନଙ୍କ ମଧ୍ୟରେ ଯେଉଁମାନେ ମୁଖପାତ୍ର, ସେମାନଙ୍କ ସମ୍ୱନ୍ଧରେ କିଛି କହିବାକୁ ଚାହେଁ । ଏହି କଠିନ କାର୍ଯ୍ୟର ପରିଚାଳନା ଲାଗି ଆମ୍ଭେମାନେ କେତେଦୂର ପ୍ରସ୍ତୁତ ହୋଇଅଛୁ, ଆମ୍ଭମାନଙ୍କ ମଧ୍ୟରେ କେତେ ଜଣଙ୍କର ସେ ନୈତିକତା ଅଛି, ଏହି ପ୍ରଶ୍ନ ମୁଁ ଆଜି ଆପଣମାନଙ୍କୁ ପଚାରିବାକୁ ଚାହେଁ । ଆପଣମାନେ ନିଜ ନିଜ ହସ୍ତରେ–ନା, ନା–ନିଜ ନିଜ ବକ୍ଷରେ ହସ୍ତସ୍ଥାପନ କରି କହନ୍ତୁ ଦେଖି; କେତେ ଜଣ ଏ କାର୍ଯ୍ୟଲାଗି ପ୍ରସ୍ତୁତ ? ମୁଁ ଆଜି ଜୋର କରି କହିପାରେ, ଜଣେ କେହିନାହିଁ । ମୁଁ ଏ ସଭାଗୃହରେ ଥିବା ପ୍ରତ୍ୟେକ ଛାତ୍ରକୁ ତନ୍ନ ତନ୍ନ କରି ଦେଖିଛି । ବର୍ତ୍ତମାନ ମଧ୍ୟ ପ୍ରତି ଛାତ୍ରକୁ ତାହାର ଗୁଣଗ୍ରାମ କହି ଆପଣମାନଙ୍କୁ ଚିହ୍ନାଇ ଦେଇପାରେ ।’’

 

ସଭାପତି ଦୟାୟମାନ ହୋଇ କହିଲେ ‘‘ଏପରି ବ୍ୟକ୍ତିଗତ ଆଲୋଚନାରୁ ବିରତ ହେବାପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ।’’

 

ଅପର ଜଣେ ବକ୍ତା ଦଣ୍ଡାୟମାନ ହୋଇ କହିଉଠିଲେ, ‘‘ସଭାପତି ମହୋଦୟ, ଏଠାରେ ଆତ୍ମଗୋପନ କଲେ ଚଳିବନାହିଁ । ଆ–ଆ–ଆପଣଙ୍କୁ ନେଇ ଏ ସବୁ ଆଲୋଚନା । ଆପଣଙ୍କ ପ୍ରତାରଣା ଧରା ପଡ଼ିଯାଇଛି । ଆଉ ନେତା ହୋଇ ଛଳନା କଲେ ଚଳିବନାହିଁ ।’’ ଦେବବ୍ରତର ମୁଖ ଲାଲ ହୋଇଗଲା । ତତ୍ପରେ ଅପର ଜଣେ ସଭାପତିଙ୍କ କଥାକୁ ଅପେକ୍ଷା ନ କରି କହିବାକୁ ଲାଗିଲେ, ‘‘ଆପଣଙ୍କ ଗୁପ୍ତ ପ୍ରଣୟପତ୍ରର ଆଦାନପ୍ରଦାନ ସବୁ ଜଣାପଡ଼ିଯାଇଛି । ଏହି ସେହି ପତ୍ର ମଧ୍ୟରୁ ଖଣ୍ଡିଏ । ସେହି ପ୍ରଣୟିନୀଙ୍କ ନିକଟକୁ ବୋଧହୁଏ ଆପଣଙ୍କର ଗତିବିଧି ଅଛି । ସମସ୍ତ ସଭାଗୃହରେ ଗଣ୍ଡଗୋଳ ଆରମ୍ଭ ହେଲା । କେତେ ଥଟ୍ଟାତାମସା, ବିକଟହାସ୍ୟ, ସେମ୍‌ ସେମ୍‌ ଧ୍ୱନି । ଦେବବ୍ରତ ସପକ୍ଷରେ ଯେଉଁ କେତେଜଣ କହିବାକୁ ଠିଆ ହେଲେ, ସେମାନଙ୍କୁ ନାନାକୁବାକ୍ୟଦ୍ୱାରା ଚୁପ୍‌ କରାହେଲା । ସଭାପତି ଅଗତ୍ୟା ଗୃହ ପରିତ୍ୟାଗ କଲେ ଏବଂ ସଭାଭଙ୍ଗ ହେଲା ।

 

ଦେବବ୍ରତ ପକ୍ଷରେ ସେ ଆଘାତ ବଡ଼ ଗୁରୁ । ସେ ଆଘାତ ଯେ ତାହାର ସେହି ଗର୍ବିତ ମନୁଷ୍ୟତ୍ୱ ଉପରେ ! ସହସ୍ର ଲୋକଙ୍କ ମଧ୍ୟରେ ଗୋଟାଏ ପ୍ରତିବାଦ କରି ନିଜ ମତର ଅକାଟ୍ୟତା ଦେଖାଇବାର ଅଦମ୍ୟ ଉତ୍ସାହ ଓ ଦୂରନ୍ତ ସାହସ ତାହାର ଅଛି । କିନ୍ତୁ ଅନ୍ତରର ଅନ୍ତରତମ ପ୍ରଦେଶରେ ସେ ଯେଉଁ ଦେବତାକୁ ପୂଜା କରେ ତାହାର ଲୋକଙ୍କ ମୁଖରେ ସେହି ଦେବତାର ଅପମାନ ତାହା ପକ୍ଷରେ ଅସହ୍ୟ । ଅନ୍ୟ କିଛି କହିବାକୁ ଆରମ୍ଭ କଲେ ତାହା ପ୍ରାଣର ସେହି ନିଭୃତ ଦେବତାଙ୍କୁ ନେଇ ଯଦି ଅଧିକ ଗଣ୍ଡଗୋଳ ଆରମ୍ଭ ହୁଏ, ଏହି ଭୟରେ ସେ ନୀରବରେ ସଭାଗୃହ ପରିତ୍ୟାଗ କଲା ।

 

ଦେବବ୍ରତ ସଭା ଛାଡ଼ି ଚାଲିଆସିଲା ସତ; କିନ୍ତୁ ସେଥି ସଙ୍ଗେ ସଙ୍ଗେ ସେହି ଆଘାତର ଉପଶମ ହେଲାନାହିଁ । ବାସନ୍ତୀ ସହିତ ସମ୍ପର୍କ ରଖିବାଟା କେତେଦୂର ନ୍ୟାୟସଙ୍ଗତ, ଏହି କଥା ପୂର୍ବରୁ ସେ କେତେଥର ଭାବିଥିଲେହେଁ ବର୍ତ୍ତମାନ ଛାତ୍ରମାନଙ୍କ କଟାକ୍ଷରେ ତାହାର ମନରେ ପ୍ରଶ୍ନ ଉଠିଲା, ପ୍ରକୃତରେ ସେ କିଛି ଅନ୍ୟାୟ କରିଛି କି ? ଏ କଥା ଭଲରୂପେ ଭାବି ଠିକ୍‌ କରିବା ତାହାର ଉଚିତ ଏବଂ ଏହା ଭାବିବାକୁ ଯେତେଦିନ ଲାଗିବ, ସେତେଦିନ ବାସନ୍ତୀ ସହିତ କୌଣସି ସମ୍ପର୍କ ନ ରଖିବାଟା ସେ ଉଚିତ ମନେକଲା । କାର୍ଯ୍ୟରେ ଏହା ପରିଣତ କରିବାକୁ ହେଲେ ଅବଶ୍ୟ ତାହାର କଷ୍ଟ ହେବାର କଥା । କିନ୍ତୁ ସେ କଷ୍ଟକୁ ସହ୍ୟ କରିବାଭଳି ଶକ୍ତିର ଅଭାବ ତାହାଠାରେ ନାହିଁ । ସେ ସେହିଦିନୁ ବାସନ୍ତୀର ଗୃହକୁ ଯାତାୟାତ ବନ୍ଦ କରିଦେଲା ଏବଂ ତାହାର କୌଣସି ପତ୍ରର ଉତ୍ତର ମଧ୍ୟ ଦେଲାନାହିଁ ।

 

ବାସନ୍ତୀ ପତ୍ର ଲେଖି ଲେଖି ନିରସ୍ତ ହେଲା । ପ୍ରାୟ ଦୁଇ ସପ୍ତାହ ଏହିପରି ବିତିଗଲା । ଦେବବ୍ରତ ଏହି ଅବସରରେ ଭାବି ଠିକ୍‌ କରିଥିଲା, ଛାତ୍ରମାନଙ୍କର ଆକ୍ଷେପ ସମ୍ପୂର୍ଣ୍ଣ ଈର୍ଷାପ୍ରଣୋଦିତ ଓ ଅନ୍ୟାୟମୂଳକ–ବାସନ୍ତୀ ସହିତ ତାହାର ସମ୍ପର୍କ ଅତି ପବିତ୍ର । ସୁତରାଂ ବାସନ୍ତୀ ଜନନୀଙ୍କର ପୀଡ଼ା ସମ୍ୱାଦ ଶୁଣିବାମାତ୍ରକେ ସାଇକେଲ ଧରି ସେ ବାହାରିଲା ।

 

ବାସନ୍ତୀ ବଡ଼ ଅଭିମାନ କରି ସ୍ଥିର କରିଥିଲା, ଦେବଭାଇ ସଙ୍ଗରେ ଦେଖା ହେଲେ ସେ ତାକୁ କଥା କହିବନାହିଁ । କିନ୍ତୁ ସେ ଗୃହରେ ପ୍ରବେଶ କରିବାମାତ୍ରକେ ବାସନ୍ତୀ ସବୁକଥା ଭୁଲିଯାଇ କହିପକାଇଲା, ‘‘ବୋଉ, ଦେବଭାଇ ଆସିଲେଣି ।’’ ନିର୍ମଳାଦେବୀ ହାତଠାରି ଦେବବ୍ରତକୁ ନିକଟରେ ବସାଇଲେ । ବାସନ୍ତୀ ତାକୁ କରୁଣଦୃଷ୍ଟିରେ ଚାହିଁ ପଚାରିଲା, ‘‘ଦେବଭାଇ, ଏତେଦିନେ ଆମେମାନେ ମନେପଡ଼ିଲୁଁ ପରା ! ବୋଉଙ୍କର ତିନିଦିନ ହେଲା ଜ୍ୱର’’–ବାସନ୍ତୀର କଣ୍ଠରୁଦ୍ଧ ହୋଇଆସିଲା । ଦେବବ୍ରତ ଉତ୍ତର କଲା, ‘‘ମାଫ୍‌କର ବାସନ୍ତୀ, ଗୋଟାଏ ପରୀକ୍ଷାରେ ବ୍ୟସ୍ତଥିଲି-।’’ ବାସନ୍ତୀ ଭଲରୂପେ ଜାଣେ, ପରୀକ୍ଷା ଲାଗି ବ୍ୟସ୍ତହେବା ପିଲା ଦେବବ୍ରତ ନୁହେଁ । ଦେବବ୍ରତର ବିନମ୍ର କଥାରେ ସେ ଖୁସି ହୋଇଯାଇଥିଲା । ସେଥିଲାଗି ମାତାଙ୍କ ରୋଗ କଥା ଭୁଲିଯାଇ ପରିହାସ ଭାଷାରେ କହିଲା, ‘‘କେଉଁଦିନୁ ଏତେବଡ଼ ସୁବୋଧ ଛାତ୍ରଟିଏ ହେଲ, ଦେବଭାଇ ? ବୋଉ, ଦେବଭାଇ ପାଠପଢ଼ାରେ ବ୍ୟସ୍ତ ଥିଲେ ।’’ ନିର୍ମଳାଦେବୀ ଟିକିଏ ସ୍ମିତମୁଖରେ କହିଲେ, ‘‘ହଁ ପରୀକ୍ଷା ଥିବ, ବ୍ୟସ୍ତ ହେବାର କଥା ।’’ ବାସନ୍ତୀ ଦେବବ୍ରତକୁ ଗୋଟାଏ ବଡ଼ ସମ୍ପଦ କରି ଜାଣେ । ଦେବଭାଇ ଆସିଛନ୍ତି, ଜନନୀଙ୍କ ରୋଗ ବିଷୟରେ ତାହାର ଆଉ ଭାବନା କ’ଣ ? ସେ ହସି ହସି କହିଲା, ‘‘ଦେବଭାଇ, ତୁମର ତ ଏଥର ଆଶାତୀତ ପରିବର୍ତ୍ତନ ।’’ ଦେବବ୍ରତ ଟିକିଏ ଗାମ୍ଭୀର୍ଯ୍ୟ ଛଳନା କରି କହିଲା, ‘‘ସବୁବେଳେ କ’ଣ ସବୁ ଥାଏ ବାସନ୍ତୀ ? ଏଣିକି ଭଲରକମ ପଢ଼ାପଢ଼ି ନ କଲେ ଚାକିରୀବାକିରୀ ଜୁଟିବ କାହୁଁ ?’’ ବାସନ୍ତୀ ସେହିପରି ପରିହାସ ଭାଷାରେ କହିଲା, ‘‘ହଁ, ଦେବଭାଇ, ତୁମର ଚାକିରୀ ନ କଲେ ପେଟପୋଷା ହେବ କିପରି ? ବୁଢ଼ୀମା ତ ଜମିଦାରୀ ବୁଝିବେ ।’’ ଦେବବ୍ରତ ବାଧା ଦେଇ କହିଲା, ‘‘ନା ବାସନ୍ତୀ, ପରିହାସ ନୁହେଁ ଏଣିକି ମୁଣ୍ଡଟା ଆଉ ସେତେ ହାଲୁକାନାହିଁ ।’’ ବାସନ୍ତୀ ଛାଡ଼ିବାର ପାତ୍ରୀ ନୁହେଁ, ‘‘ହାଲୁକା ରହିବେ କିପରି ? ଧୋତି ପଞ୍ଜାବୀ ସଙ୍ଗରେ ମୁଣ୍ଡ ଉପରେ ତେଲୁଣି ପରି ଏ ଯେ ହ୍ୟାଟ୍‌ଟା ଚାପୁଛ, ଏଥିରେ ବୋଝିଆଙ୍କ ମୁଣ୍ଡ ତ ଭାରୀ ହୋଇ ପଡ଼ିବ ।’’ ଦେବବ୍ରତ ଟିକିଏ ହସି କହିଲା, ‘‘ଛାଡ଼ ସେ ସବୁ କଥା । ବୋଉଙ୍କ ଦେହ କେତେଦିନୁ ଅସୁସ୍ଥ ? ଚିକିତ୍ସକ କିଏ ?’’ ବୋଉଙ୍କ ରୋଗକଥା ପଡ଼ିବାରୁ ବାସନ୍ତୀର ମନଟା କିପରି ହୋଇଗଲା । ସେ ଉତ୍ତର କଲା, ‘‘ତିନି ଦିନ ହେଲା ଜ୍ୱରର ରେମିଶନ୍‌ନାହିଁ । ଡାକ୍ତର ଡାକିବାକୁ ବୋଉ ବରାବର ମନାକରୁଛନ୍ତି ।’’ ଦେବବ୍ରତ ଆଉ ବାକ୍ୟବେୟ ନ କରି ଡାକ୍ତର ଡାକିବାକୁ ବାହାରିଲା । ଜନନୀ କନ୍ୟାକୁ ଇଙ୍ଗିତ କଲେ କିଛି ଜଳଯୋଗର ବ୍ୟବସ୍ଥା କରିବାଲାଗି; କିନ୍ତୁ ଦେବବ୍ରତ ‘‘ମୁଁ ଆଗ ଯାଏ’’ କହି ସାଇକେଲ ଚଢ଼ି ବାହାରିଲା ।

 

ଦେବବ୍ରତ ଓ ବାସନ୍ତୀ ଏକ ଅନ୍ୟର ଅଜ୍ଞାତରେ ଏହିପରି ପରସ୍ପର ପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ; କିନ୍ତୁ କେବେହେଲେ ଏକ ଅପରର ଭାବଭଙ୍ଗୀ ଅଥବା କଥାବାର୍ତ୍ତାରୁ ଏହି ଗୋପନ ପ୍ରଣୟାଙ୍କୁରର ସୂଚନା ପାଇ ନଥିଲେ । ବୀଣା ତାରରେ ଆବଦ୍ଧ ସହସ୍ର ନୀରବ ସ୍ୱରର ମୂର୍ଚ୍ଛନା ପରି ସେମାନେ ଅପେକ୍ଷା କରି ରହିଥିଲେ ସେହି ଦିନକୁ, ଯେଉଁଦିନ ଏହା ନାନାପଥରେ ବିଚ୍ଛୁରିତ ଓ ଝଙ୍କୃତ ହୋଇଉଠିବ । ଉଭୟ ଯୌବନ ନଦୀର ଉଜାଣି ସ୍ରୋତରେ ପାଲ ମେଲିଦେଇ ଚାଲିଥିଲେ । ଉଭୟ ଅନ୍ତର ପ୍ରଣୟଭାବରେ ଭାରାକ୍ରାନ୍ତ ହୋଇପଡ଼ିଥିଲା; କିନ୍ତୁ ଏହା ଯେ ଦିନେ ସାର୍ଥକ ହେବ, ଏହି ବିଶ୍ୱାସରେ ଉଭୟେ ଧୈର୍ଯ୍ୟ ଧରି ରହିଥିଲେ ।

 

ଏହାପରେ ଏମାନଙ୍କ ଜୀବନର ସୁଖଦୁଃଖର ଏକ ପରିଚ୍ଛେଦ ଆରମ୍ଭ ହେଲା । ଡାକ୍ତର ଆସି କହିଲେ, ନିର୍ମଳାଦେବୀଙ୍କର ଡବଲ ନିମୋନିଆ । ସ୍ୱାମୀଙ୍କ ମୃତ୍ୟୁ ପରେ ବହୁବାର ସେ ଜ୍ୱରାକ୍ରାନ୍ତ ହୋଇଅଛନ୍ତି; କିନ୍ତୁ ବାସନ୍ତୀ ଅଧୀରା ହେବ–ଏହି ଭୟରେ ସେ ତାହାଠାରୁ ରୋଗ ଗୋପନ ରଖି ସକଳ କାର୍ଯ୍ୟ କରିଅଛନ୍ତି । ହାୟ ବାତ୍ସଲ୍ୟ, ସେ ଯଦି ଜାଣିଥାଆନ୍ତେ ଅବହେଳା କଲେ ମୃତ୍ୟୁଦୂତର ଏହି ତଲବ ଶେଷରେ ଏପରି ଅଲଙ୍ଘନୀୟ ହୋଇପଡ଼ିବ, ତାହେଲେ ସାମାନ୍ୟ ଦୁଃଖରୁ ବଞ୍ଚାଇବାକୁ ଯାଇ ବାସନ୍ତୀକୁ ସେ ଏ ଗଭୀର ଦୁଃଖରେ ଭସାଇବାକୁ ଚାହିଁଥାଆନ୍ତେ କି ? କିନ୍ତୁ ଏହା କିଏ ଜାଣେ, କିଏ ବୁଝେ ? ମାନବର ସମସ୍ତ ଜାଣିବା ଯେ ଏହି କେତେଟା କଥାରେ ହାରିଯାଏ ସକଳ ଜ୍ଞାନଗର୍ବିତ ମସ୍ତକ ଏହି କେତେଟା କଥାରେ ନଇଁ ଆସେ ।

 

ଦୁଇଦିନ ଅହୋରାତ୍ର ସେବା କରି କି ବାସନ୍ତୀ, କି ଦେବବ୍ରତ କେହି ନିର୍ମଳାଙ୍କୁ ରଖିପାରିଲେନାହିଁ । ମୃତ୍ୟୁ ପୂର୍ବରୁ ଦେବବ୍ରତର ହସ୍ତ ଉପରେ ବାସନ୍ତୀର ହସ୍ତ ସ୍ଥାପନ କରି ସେ କହିଗଲେ, ‘‘ତୁମ ଦୁହିଁଙ୍କୁ ଏକସଙ୍ଗରେ ଦେଖିଯିବାକୁ ତାଙ୍କର ବଡ଼ ଇଚ୍ଛା ଥିଲା; ‘‘ମାତ୍ର ତାହା ସେ ଦେଖିପାରିଲେନାହିଁ । ମୋତେ ମଧ୍ୟ ଆଜି ସେହି ଡାକରା ଆସିଛି । କିନ୍ତୁ ମୁଁ ଆଜି ଏହି ମୃତ୍ୟୁ–ରାଜ୍ୟର ଦ୍ୱାରଦେଶରେ ତୁମ ଦୁହିଁଙ୍କ ମିଳନର ପୁରୋହିତ ହୋଇ ବଡ଼ ଆନନ୍ଦ ପାଇଲି । ଏହି ଯେ ଦିଓଟି ହସ୍ତ ଆଜି ଏକ କରିଦେଲି, ଏହା ଯେପରି ଚିରଦିନ ପାଇଁ ଏହିପରି ରହେ ।’’ ନିର୍ମଳା ଦେବୀଙ୍କୁ ସେ ଆହ୍ୱାନ ମାନିବାକୁ ହେଲା । କିନ୍ତୁ ବାସନ୍ତୀ ତାଙ୍କୁ ଦୋଷ ଦେଇ ନ ପାରେ । ତାଙ୍କ କଥା ସେ ରକ୍ଷା କରିଅଛନ୍ତି–ସେ ଜାଣିଶୁଣି ଏହା କରିନାହାନ୍ତି ତ !

 

–ତିନି–

 

‘‘ବାସ ଏଠି ଏକୁଟିଆ କାହିଁକି ରହିବୁ ? ଆ ଆମଘରକୁ । ମାଆଟିପରା, ଆ’’–କହୁ କହୁ କଲ୍ୟାଣୀ ବାସନ୍ତୀର ଆଖିକୋଣରୁ ଲୋତକ ପୋଛି ଦେଲେ; କିନ୍ତୁ ମାତୃଶୋକ ସେ କ୍ଷଣିକ ଅବରୋଧ ନ ମାନି ଲୋତକବିନ୍ଦୁରୂପେ ପୁଣି ନେତ୍ରକୋଣରେ ଦେଖାଦେଲା ।

 

ବାଷ୍ପରୁଦ୍ଧ କଣ୍ଠରେ ବାସନ୍ତୀ କହିଲା, ‘‘ମୋତେ କ୍ଷମାକର, ମାଉସି ! ମୁଁ ଏ ଘର ଛାଡ଼ି ଯାଇପାରିବି ନାହିଁ ।’’

 

‘‘ମା’ ମୋର ଏ ଘରେ ଆଜି ଏକା ରହିବା ତୋର ଉଚିତ ନୁହେଁ । ଚାଲ–’’

 

‘‘ଏକା କାହିଁକି, ମାଉସି ! ଧନିଆ ତ ଅଛି ।’’ ଧନିଆ ବାସନ୍ତୀର ଚାକର ଟୋକା । ବୟସ ବାର । ‘‘ସେ ପିଲାଟା, ସେ କ’ଣ କରିବ ? ତୋତେ ମୋ ରାଣ । ଚାଲ୍‌ ।’’ –କଲ୍ୟାଣୀ ବାସନ୍ତୀର ହାତ ଦିଓଟି ଧରି ଧୀରେ ଧୀରେ ଟାଣିବାକୁ ଲାଗିଲେ । ହଠାତ୍‌ ବାସନ୍ତୀ କଲ୍ୟାଣୀଙ୍କ ଗୋଡ଼ ଧରିପକାଇ କାନ୍ଦ କାନ୍ଦ ହୋଇ କହିଲା, ‘‘ରାଣ ଦିଅନା, ମାଉସି । ତୁମ କଥା ରଖି ନ ପାରି ଭାରି କଷ୍ଟ ହେଉଛି । ମୁଁ ତୁମ ଗୋଡ଼ ଧରୁଛି, ରାଣ ଦିଅନା ।’’

 

କଲ୍ୟାଣୀ ନିଜ ଗୋଡ଼ରୁ ବାସନ୍ତୀର ହାତ କାଢ଼ିଦେଇ ବାସନ୍ତୀକୁ କୋଳକୁ ଟାଣି ନେଲେ । ବାସନ୍ତୀ କହିଲା, ‘‘ମାଉସି, ମାଉସି ମୋର ଆଉ ଅପରାଧ ବଢ଼ାଅ ନା । ତୁମ କଥା ନ ରଖିବା ଯେ ମୋ ପକ୍ଷରେ ଘୋର ଅପରାଧ ମାଉସି, ମା’ ଚାଲିଗଲେ ।’’ ବାସନ୍ତୀ ଆଉ କହିପାରିଲାନାହିଁ । ମାତୃରୂପିଣୀ କଲ୍ୟାଣୀଙ୍କ ସ୍ନେହମୟୀ କୋଳରେ ଆଶ୍ରୟ ଲଭି ସେ ଉଚ୍ଛ୍ୱସିତ କଣ୍ଠରେ କାନ୍ଦିବାକୁ ଲାଗିଲା ।

 

‘‘କାନ୍ଦ୍‍ନା, ମା’ ବାସ, କାନ୍ଦ୍‍ନା । ଆମ ଘରକୁ ନ ଗଲେନାହିଁ । ଏଇଠି ଥା । ସୁନାବି ତୋ ପାଖରେ ଥାଉ । କାନ୍ଦ୍‍ନା ।’’ –କହୁଁ କହୁଁ କଲ୍ୟାଣୀଙ୍କ ଚକ୍ଷୁ ମଧ୍ୟ ଆର୍ଦ୍ର ହୋଇଆସିଲା । ଦୁହେଁଯାକ ନୀରବରେ ଅଶ୍ରୁମୋଚନ କରିବାକୁ ଲାଗିଲେ । ଅଦୂରରେ ଦଣ୍ଡାୟମାନ ସୁନୀତିର ଛଳ ଛଳ ଚକ୍ଷୁରୁ ବଡ଼ ବଡ଼ ଅଶ୍ରୁବିନ୍ଦୁ ଗଡ଼ି ପଡ଼ିଲା । ସେ ବସ୍ତ୍ରାଞ୍ଚଳରେ ମୁଖ ଆବୃତ କରି ମୃତ୍ୟୁର ଅଜ୍ଞାତଦେବତାଙ୍କ ଉଦ୍ଦେଶ୍ୟରେ ଅଭିଶାପ ବର୍ଷଣ କରିବାକୁ ଲାଗିଲା ।

 

ଶୋକାତୁରା ବାଳିକାକୁ କୋଳରେ ଘେନି କ୍ରନ୍ଦନରତା ଏ ମାତୃମୂର୍ତ୍ତି କଲ୍ୟାଣୀ କିଏ ? କଲ୍ୟାଣୀ ସୁନୀତିର ଜନନୀ ଓ ନିର୍ମଳାଦେବୀଙ୍କର ପ୍ରାଣପ୍ରିୟା ସଖୀ । କଲ୍ୟାଣୀ ବାସ୍ତବରେ କଲ୍ୟାଣମୟୀ–ନାମର ମାଧୁରୀ ଜୀବନର ସମସ୍ତ କାର୍ଯ୍ୟକଳାପରେ ପ୍ରକଟିତ । ଆଜିଠାରୁ କୋଡ଼ିଏବର୍ଷ ପୂର୍ବେ ଯେତେବେଳେ ବଳରାମବାବୁ କିଛିଦିନ ଡିପୋଟି ହେଲାପରେ କଟକ ପେଟିନ୍‌ ସାହିରେ ଖଣ୍ଡିଏ କୋଠା କଲେ ଏବଂ ଗ୍ରାମରୁ ନବୋଢ଼ା ପତ୍ନୀ ନିର୍ମଳାଙ୍କୁ କଟକ ଘେନି ଆସିଲେ, ସେତେବେଳେ ମଫସଲ କଥା ଦୂରେ ଥାଉ, କଟକର ପୌରଜୀବନରେ ମଧ୍ୟ ନାରୀଶିକ୍ଷାର ସ୍ଥାନ ନଥିଲା । କେବଳ କେତେଗୁଡ଼ିଏ ଇଉରୋପୀୟ ଖ୍ରୀଷ୍ଟାନ ମିଶନାରୀମାନଙ୍କ ଚେଷ୍ଟାରେ ନାରୀ ଶିକ୍ଷାର କ୍ଷୁଦ୍ର ପ୍ରଦୀପଟି ଧୀରେ ଧୀରେ ଜଳି ଆସୁଥିଲା । ଏହି କ୍ଷୁଦ୍ର ପ୍ରଦୀପର କ୍ଷୀଣ ଆଲୋକରେ ଯେଉଁ କେତୋଟି ଓଡ଼ିଆ ଖ୍ରୀଷ୍ଟାନ ନାରୀ ଅଜ୍ଞାନ-ତାମସ-ଗର୍ଭରେ ବହୁଦିନରୁ ଲୁପ୍ତ ନିଜର ନାରୀତ୍ୱ–ରତ୍ନର ଉଜ୍ଜ୍ୱଳ ମହିମା ଦେଖିପାରିଥିଲେ, କଲ୍ୟାଣୀ ସେମାନଙ୍କ ମଧ୍ୟରୁ ଜଣେ ।

 

ଗ୍ରାମ୍ୟ ସମାଜପତିମାନଙ୍କ ବିରାଗ ଓ ବିଦ୍ରୁପ ପ୍ରତି ସମାନ ଉପେକ୍ଷାପ୍ରଦର୍ଶନ କରି ବଳରାମବାବୁ ନିର୍ମଳାଙ୍କୁ ଗ୍ରାମରୁ ଘେନି ଆସିଲେ ସତ; କିନ୍ତୁ ଅଳ୍ପଦିନ ମଧ୍ୟରେ ନିର୍ମଳା ପିଞ୍ଜରାବଦ୍ଧା ପକ୍ଷିଣୀ ସଦୃଶ୍ୟ ଅଶାନ୍ତି ଅନୁଭବ କରିବାକୁ ଲାଗିଲେ । ଗ୍ରାମରେ ସେ ଯେ ଅବରୋଧ–ଅଭ୍ୟସ୍ତା ନଥିଲେ, ତାହା ନୁହେଁ; କିନ୍ତୁ ସଙ୍ଗିନୀମାନଙ୍କ ସହିତ ନଦୀରେ ସ୍ନାନ, ଦେବଦର୍ଶନ ପ୍ରଭୃତି ଗ୍ରାମର କ୍ଷୁଦ୍ର ସ୍ୱାଧୀନତାଗୁଡ଼ିକ ତାଙ୍କର ଗ୍ରାମ୍ୟ ଜୀବନରେ ଅନ୍ତତଃ କ୍ଷଣିକ ମଧୁରତା ଆଣୁଥିଲା । ସହରର ଅବୋରଧ ଗ୍ରାମର ଅବରୋଧକୁ ବଳି ପଡ଼ିଲା । ତାଙ୍କ ପରି ଭଦ୍ରପରିବାରର ବଧୂ ପକ୍ଷରେ କଟକରେ ଥାଇ ନଦୀରେ ସ୍ନାନକରିବା ଅସମ୍ଭବ, ଏକା ବାହାରକୁ ଯିବା କଷ୍ଟକର । ବଳରାମବାବୁ ଏ ସବୁର ବିପକ୍ଷରେ ନଥିଲେ ମଧ୍ୟ ନିର୍ମଳା ତାଙ୍କର ଅଭ୍ୟସ୍ତ ଅବରୋଧକୁ ବଜାୟ ରଖିବାକୁ ଯଥେଷ୍ଟ ଚେଷ୍ଟା କରୁଥିଲେ; କିନ୍ତୁ ଏହା ବେଶି ଦିନ ସ୍ଥାୟୀ ହୋଇନାହିଁ । ଗୋଟିଏ ପକ୍ଷୀ ଜାଲବଦ୍ଧ ହେଲେ ତାହାର ସଙ୍ଗୀ ପକ୍ଷୀ ଯେପରି ସ୍ୱେଚ୍ଛା ପ୍ରବର୍ତ୍ତିତ ହୋଇ ଉକ୍ତ ଜାଲରେ ଧରାଦିଏ ଏବଂ କ୍ରମେ କୌଶଳରେ ଜାଲ ଛିନ୍ନକରି ନିଜର ସଙ୍ଗୀକୁ ଉଡ଼ାଇ ନେଇ ଚାଲିଯାଏ ନିର୍ମଳାଙ୍କୁ ଅବରୋଧ ଜାଲରୁ ମୁକ୍ତ କରିବାପାଇଁ ସେହିପରି ଏକ ସଙ୍ଗିନୀର ଆବିର୍ଭାବ ହେଲା । ସେ କଲ୍ୟାଣୀ ।

 

ନିର୍ମଳାଙ୍କ ସହିତ କଲ୍ୟାଣୀଙ୍କର ପ୍ରଥମ ପରିଚୟ ଭାରି କୌତୁକମୟ । କଲ୍ୟାଣୀଙ୍କ ଘର ପାଖରେ ବଳରାମବାବୁଙ୍କ ଘର । ତାଙ୍କର ସ୍ୱାମୀ ସରୋଜବାବୁ ବେଶ୍‌ ସୌଖୀନ ଲୋକ । ଉଦ୍ୟାନ ରଚନା ତାଙ୍କ ଜୀବନର ଗୋଟିଏ ଅତ୍ୟନ୍ତ ପ୍ରିୟ କାର୍ଯ୍ୟ । ସେ ସ୍ତ୍ରୀଙ୍କ ସହିତ ମିଳିମିଶି ଘରର ସମ୍ମୁଖରେ ଖଣ୍ଡିଏ କ୍ଷୁଦ୍ର ଜମିରେ ନାନାରକମର ଫୁଲଗଛ ଲଗାଇଥିଲେ । ତନ୍ମମଧ୍ୟରେ ଦୁଇ ତିନୋଟି ହୃଷ୍ଟପୃଷ୍ଟ ଗୋଲାପ ଗଛ ପ୍ରସ୍ଫୁଟିତ ପୁଷ୍ପ ସମ୍ଭାରରେ ଉଦ୍ୟାନଟିକୁ ଉଜ୍ଜ୍ୱଳ କରି ରଖିଥିଲା । ସେହି କ୍ଷୁଦ୍ର ଉଦ୍ୟାନରେ ସ୍ୱାମୀଙ୍କ ସହିତ ଭ୍ରମଣ କରୁ କରୁ ଦିନେ କଲ୍ୟାଣୀ ଦେଖିଥିଲେ ଯେ ବଳରାମବାବୁଙ୍କ ଗୃହବାତାୟନରୁ ଗୋଟିଏ ସୁନ୍ଦର ମୁଖ ଗୋଟିଏ ପୁଷ୍ପିତ ଗୋଲାପ ଗଛ ପ୍ରତି ସତୃଷ୍ଣ ଦୃଷ୍ଟି ନିକ୍ଷେପ କରୁଅଛି । କଲ୍ୟାଣୀ ଆଗରୁ ଜାଣିଥିଲେ ବଳରାମବାବୁଙ୍କ ସ୍ତ୍ରୀ ଆସିବେ । ସେହି ସୁନ୍ଦର ଆନନ ଯେ ବଳରାମବାବୁଙ୍କ ପତ୍ନୀଙ୍କର, ତାହା ବୁଝିବାକୁ ଆଉ ବିଳମ୍ୱ ହେଲାନାହିଁ । କଲ୍ୟାଣୀଙ୍କର ଇଚ୍ଛା ହେଲା...ଯାଇ ତାଙ୍କ ସହିତ ଆଳାପ କରି ଆସିବେ । କିନ୍ତୁ ସରୋଜବାବୁ ଅଭିଜ୍ଞ ଲୋକ, କହିଲେ, ‘‘ଦେଖ, ତୁମେ ବର୍ତ୍ତମାନ ଯାଅନା । ନୈଷ୍ଠିକ ହିନ୍ଦୁ ପରିବାରର ବୋହୂ କ’ଣ ମନେକରିବେ । ମୁଁ ଆଗେ ବଳରାମବାବୁଙ୍କୁ କହି ଦେଖେଁ ।’’ କିନ୍ତୁ ସରୋଜବାବୁ ବଳରାମବାବୁଙ୍କୁ କହିବା ପୂର୍ବରୁ କଲ୍ୟାଣୀ ନିର୍ମଳାଙ୍କ ସହିତ ହଠାତ୍‌ ପରିଚିତା ହେଲେ ।

 

ଦିନେ ଖରାବେଳେ କଲ୍ୟାଣୀ ବାରନ୍ଦାରେ ଛିଡ଼ା ହୋଇ ଖରାରେ ଝାଉଁଳି ପଡ଼ିଥିବା ମାଧବୀଲତା ଦେହରେ ହାତ ବୁଲାଉ ଅଛନ୍ତି, ଏପରି ସମୟରେ ଶୁଣିଲେ, ବଳରାମବାବୁଙ୍କ ଘରେ ନାରୀକଣ୍ଠରେ କିଏ କହୁଛି, ‘ଯା ମ, ଚମ୍ପା ! ବାବୁଙ୍କ ଘରୁ ଫୁଲ ଆଣିବୁ ଯା । ମାଗିଲେ ସେ ଦେବେ ଯେ–ସନ୍ଧ୍ୟାବେଳେ ସତ୍ୟନାରାୟଣ ପୂଜା । ଯା..ଆମେ ତ ଆଉ ନିଜେ ପିନ୍ଧୁ ନାହୁଁ । ଠାକୁରଙ୍କ ପାଇଁ ମାଗୁଛୁ । ଯା, ପୁଣି ବେଳ ଗଲେ ବାବୁମାନେ କଚିରିରୁ ଆସିଯିବେ । ଆଉ ଯାଇ ପାରିବୁନାହିଁ-।’’ କଥୟିତ୍ରୀଙ୍କ କଣ୍ଠସ୍ୱର ଏପରି ମଧୁର ଯେ କଲ୍ୟାଣୀ ଲତାଟିକୁ ଛାଡ଼ିଦେଇ ତାହା ଶୁଣିବାକୁ ଲାଗିଲେ, କିନ୍ତୁ ପରକ୍ଷଣରେ ଝଙ୍କାର ଉଠିଲା, ‘‘କେଉଁ ବାବୁଘରୁ ଗୋ...? ଏ କିରସ୍ତାନ୍‌ ଘରୁ ଠାକୁରଙ୍କ ପାଇଁ ଫୁଲ ଆଣିବି । ମଲା ମୋର, ଫୁଲ ନ ହେଲେ । ସତ୍ୟନାରାୟଣ ପୂଜା ଫୁଲ ଆଣିବି କିରସ୍ତାନ୍‌ ଘରୁ ?’’ ବଳରାମବାବୁଙ୍କ ସ୍ତ୍ରୀ ଯେ ତାଙ୍କ ଚାକରାଣୀ ଚମ୍ପାକୁ ତାଙ୍କରି ଘରୁ ଫୁଲ ନେବାକୁ କହୁଅଛନ୍ତି, ସେ ବିଷୟରେ କଲ୍ୟାଣୀର ସନ୍ଦେହ ରହିଲାନାହିଁ; କିନ୍ତୁ ଚମ୍ପାର ତର୍ଜନର ଉତ୍ତରରେ ବଳରାମବାବୁଙ୍କ ସ୍ତ୍ରୀ କ’ଣ କହିବେ, ତାହା ଶୁଣିବାକୁ ତାଙ୍କର ଆଗ୍ରହ ହେଲା । କାନଡ଼େରି ସେ ଶୁଣିଲେ ନିର୍ମଳା କହୁଛନ୍ତି, ‘‘ଛି, ଛି, ତୋର ସେହି ସବୁ କଥା ଗଲାନାହିଁ । ତାଙ୍କ ବଗିଚାରୁ ଫୁଲ ଆଣିବୁ, ସେ କିରସ୍ତାନ୍‌ ହେଲେ, କି ପଠାଣ ହେଲେ, ଆମର ସେଥିରେ କ’ଣ ଗଲା-? ଫୁଲ କ’ଣ ଛୁଆଁ ହୁଏ ? ଠାକୁରଙ୍କ ପାଖରେ କ’ଣ ଜାତି ବିଚାର ଅଛି ? ଠାକୁର କ’ଣ ଖାଲି ଆମରି ମା’ ବାପ, ତାଙ୍କର କେହି ନୁହନ୍ତି ? ...ହଉ, ହଉ ଫୁଲ ନ ଆଣିଲେନାହିଁ, ତୁ ‘କିରସ୍ତାନ୍‌’ ‘କିରସ୍ତାନ୍‌’ ବୋଲି ସେମିତି ପାଟି କରନା । ସେମାନେ ଶୁଣିଲେ କ’ଣ ମନେକରିବେ ?’’

 

କଲ୍ୟାଣୀ କଥାଗୁଡ଼ାକ ଶୁଣି ମୁଗ୍ଧ ହୋଇଗଲେ । ସେ ସ୍ୱଜାତୀୟ କେତେ ଲୋକଙ୍କଠାରୁ ଶୁଣିଅଛନ୍ତି ଯେ, ମଫସଲର ହିନ୍ଦୁ ନାରୀମାନେ କୁସଂସ୍କାରରେ ବୁଡ଼ି ରହିଅଛନ୍ତି । ଖ୍ରୀଷ୍ଟାନମାନଙ୍କ ନାମ ଶୁଣିଲେ ସେମାନେ କାନରେ ହାତ ଦିଅନ୍ତି । ଶିକ୍ଷା ଦୀକ୍ଷା ତ ସେମାନଙ୍କର ଏକାବେଳକେ ନାହିଁ; ବରଂ ସେମାନଙ୍କର ଆଚାରବ୍ୟବହାର ଓ ବେଶଭୂଷା ନିତାନ୍ତ କୁରୁଚିସମ୍ପନ୍ନ ଓ ଅସଭ୍ୟ ଧରଣର; କିନ୍ତୁ ଏକ ରହସ୍ୟ ! ଏପରି କଥାବାର୍ତ୍ତା ଓ ମନ ଭାବ ତ କୁସଂସ୍କାରଗ୍ରସ୍ତ ଅସଭ୍ୟ ଗ୍ରାମ୍ୟ ସ୍ତ୍ରୀଲୋକଙ୍କର ନୁହେଁ । ‘‘ଠାକୁରଙ୍କ ପାଖରେ କ’ଣ ଜାତି ବିଚାର ଅଛି ଯେ କିରସ୍ତାନ ବଗିଚାରେ ଫୁଲ ଫୁଟିଲେ ତାକୁ ପିନ୍ଧିବେନାହିଁ ? ଠାକୁର କ’ଣ ଖାଲି ଆମରି ମା’ ବାପ, ତାଙ୍କର କେହି ନୁହନ୍ତି ?’’ ଗ୍ରାମ୍ୟ ସମାଜର ଆବିଳ ସଂକୀର୍ଣ୍ଣତା ମଧ୍ୟରେ ଲାଳିତାପାଳିତା ଯେଉଁ ନାରୀ ଏପରି କଥା କହିପାରେ, ତାହାର ସ୍ୱଭାବ ଯେ କେଡ଼େ ଉଦାର, କଲ୍ୟାଣୀ କ୍ଷଣକ ମଧ୍ୟରେ ତାହା ବୁଝି ନେଲେ । ଉତ୍କଳର ଗ୍ରାମ୍ୟସମାଜ ସମ୍ୱନ୍ଧରେ ତାଙ୍କର ଜ୍ଞାନ କମ୍‌ ନଥିଲା । ସେ ଜାଣିଥିଲେ, ଦେବତାଙ୍କ ଆରାଧନାର ଫୁଲ ଯେ ଛୁଆଁ ହୁଏନାହିଁ, ଏ କଥା ସ୍ୱୀକାର କରିବା ଭଳି ଉଦାରତା ଉତ୍କଳର ତଦାନୀନ୍ତନ ଗ୍ରାମ୍ୟସମାଜର ବିଦ୍ୱନ୍ନନ୍ୟ ସମାଜପତିମାନଙ୍କ ମଧ୍ୟରେ ଜଣଙ୍କର ମଧ୍ୟ ନାହିଁ-। ସରଳ ମନରେ ପରର ଗୁଣ ଗ୍ରହଣ କରିବାରେ ଗୋଟିଏ ସ୍ୱର୍ଗୀୟ ଆନନ୍ଦ ଅଛି ।

 

–ନିର୍ମଳାଙ୍କ କଥାଗୁଡ଼ିକ ଶୁଣି କଲ୍ୟାଣୀଙ୍କ ମନରେ ଗୋଟାଏ ଅପୂର୍ବ ଆନନ୍ଦର ଉଦ୍ରେକ ହେଲା ଏବଂ ସେ ତତ୍‌କ୍ଷଣାତ୍‌ ଗୋଟିଏ କ୍ଷୁଦ୍ର ଚାଙ୍ଗୁଡ଼ିରେ କେତେଗୁଡ଼ିଏ ସୁନ୍ଦର ସୁନ୍ଦର ଗୋଲାପ ଫୁଲ ତୋଳି ନେଇ ନିର୍ମଳାଙ୍କ ସହିତ ଆଳାପ କରି ଆସିଲେ ।

କୋଡ଼ିଏବର୍ଷ ପୂର୍ବର ସେହି ଆଳାପ କାଳକ୍ରମେ ଘନିଷ୍ଠ ବନ୍ଧୁତାରେ ପରିଣତ ହୋଇଥିଲା । ନିର୍ମଳା ବିବାହ ପୂର୍ବରୁ ନିଜର ଅଜାଙ୍କ ପାଖରେ ‘‘ଲାବଣ୍ୟବତୀ’’ ‘‘ବୈଦେହୀଶ ବିଳାସ’’ ‘‘ବିଦଗ୍‌ଧ ଚିନ୍ତାମଣି’’ ପ୍ରଭୃତି ଉତ୍ତମରୂପେ ପାଠ କରିଥିଲେ । କଲ୍ୟାଣୀ ନିର୍ମଳାଙ୍କ ପାଖରୁ ସେହି ସବୁ କାବ୍ୟ ଭଣ୍ଡାରର ରସସ୍ୱାଦନ କରି ନିର୍ମଳାଙ୍କର ଏକାନ୍ତ ଅନୁରକ୍ତା ହୋଇପଡ଼ିଲେ ଏବଂ ଅବସର ସମୟରେ ତାଙ୍କ ପାଖରୁ ସେ ସମସ୍ତ ଶିଖିବାକୁ ଲାଗିଲେ । ନିର୍ମଳା ମଧ୍ୟ କଲ୍ୟାଣୀଙ୍କର ଉଚ୍ଚଶିକ୍ଷା ଓ ମହତ୍‌ ହୃଦୟର ପରିଚୟ ପାଇ ତାଙ୍କୁ ନିଜର ଶିକ୍ଷୟିତ୍ରୀରୂପେ ଗ୍ରହଣ କଲେ ଏବଂ ତାଙ୍କଠାରୁ ଉତ୍କଳ ଓ ବଙ୍ଗର ସାହିତ୍ୟ-ସାଧନାରେ ଦୀକ୍ଷା ଗ୍ରହଣ କଲେ ଓ ସମୟ ସମୟରେ ସୂଚିକର୍ମ, ଚିତ୍ରାଙ୍କନ ପ୍ରଭୃତି ଲଳିତକଳା ମଧ୍ୟ ଶିକ୍ଷା କରିବାକୁ ଲାଗିଲେ । ସମବୟସ, ଐକାନ୍ତିକତା ଓ ମନର ଉଦାରତା ହେତୁରୁ ଉଭୟଙ୍କ ମଧ୍ୟରେ ଗଭୀର ସୌହାର୍ଦ୍ଦ ଜାତ ହୋଇଥିଲା । ବାସ୍ତବରେ ନିର୍ମଳାଙ୍କର ଜ୍ଞାନ ଓ କର୍ମନୈପୁଣ୍ୟ ଅନେକାଂଶରେ କଲ୍ୟାଣୀଙ୍କ ସହିତ ସୌହାର୍ଦ୍ଦର ଫଳ ।

ସେହି ଆଳାପ ପରେ କାଳକ୍ରମେ କେତେ ଘଟଣା ଘଟିଯାଇ ଅଛି । ଯୌବନର ନାନାବିଧ ଆମୋଦପ୍ରମୋଦଠାରୁ ବିଦାୟ ନେଇ ଉଭୟେ ଗୃହିଣୀର ଦାୟିତ୍ୱ ଗ୍ରହଣ କରିଅଛନ୍ତି । ତତ୍‌ପରେ ଏକାଦିନରେ ବାସନ୍ତୀ ଓ ସୁନୀତିର ଜନ୍ମ; କାଳକ୍ରମେ ସେମାନେ ମଧ୍ୟ ପରସ୍ପର ମଧ୍ୟରେ ବନ୍ଧୁତା ସ୍ଥାପନ କରିଅଛନ୍ତି । ଦିଓଟି ମାଳତୀଲତା ଏକ ସମୟରେ ବଜ୍ରାହତ ହେଲାପରି ନିର୍ମଳା ଓ କଲ୍ୟାଣୀ ଉଭୟେ ପ୍ରାୟ ଏକସମୟରେ ବୈଧବ୍ୟର ବଜ୍ରାଘାତ ସହ୍ୟ କରିଅଛନ୍ତି; କିନ୍ତୁ ଏହି ସବୁ ଘଟଣା ବିପର୍ଯ୍ୟୟ ମଧ୍ୟରେ କେବେହେଲେ ଉଭୟଙ୍କର ପ୍ରୀତିବନ୍ଧନ ଶିଥିଳ ହୋଇନାହିଁ ।

ନିର୍ମଳା ଯେତେବେଳେ ହଠାତ୍‌ ରୋଗାକ୍ରାନ୍ତ ହେଲେ, ସେତେବେଳେ କଲ୍ୟାଣୀ ଟାଙ୍ଗିରେ । ସେଠାରେ ତାଙ୍କର ତିରିଶ ଚାଳିଶ ମାଣ ଧାନଜମି ଥିଲା । ଚାଷୀମାନଙ୍କ ନିକଟରୁ ସେହି ସବୁ ଜମିର ଧାନ ଆଦାୟ କରିବାପାଇଁ ହପ୍ତାଏ ହେବ ସେ ଟାଙ୍ଗି ଯାଇଥିଲେ । ଆଜି ଦିନଗାଡ଼ିରେ ଫେରିଆସି କଲ୍ୟାଣୀ ଶୁଣିଲେ କେବଳ ଦୁଇ ତିନିଦିନ ଜ୍ୱର ଭୋଗ କଲା ପରେ ତାଙ୍କର ପ୍ରାଣପ୍ରିୟା ସଖୀ ଇହଧାମରୁ ବିଦାୟ ଗ୍ରହଣ କରିଅଛନ୍ତି । ମିତ୍ର ଶୋକ ତୀକ୍ଷ୍ଣଶର ପରି ତାଙ୍କ ହୃଦୟକୁ ବିଦ୍ଧ କରିବାକୁ ଲାଗିଲା, କିନ୍ତୁ ସେ କାନ୍ଦିଲେନାହିଁ । ସେ ଭାବିଲେ, ସେ ଯଦି ଅଧୀର ହୋଇ କାନ୍ଦନ୍ତି, ତାହେଲେ ଅସହାୟା ବାସନ୍ତୀର ମାତୃଶୋକ ବଢ଼ିଯିବ । ସେ ପିଲା ଲୋକ, ଅଧୀର ଭାବରେ କନ୍ଦାକଟା ଆରମ୍ଭ କଲେ ତାକୁ ସାନ୍ତ୍ୱନା ଦେବା ମୁସ୍କିଲ ହେବ । ସେ ହୃଦୟକୁ ଦୃଢ଼ କରି ବାସନ୍ତୀ ନିକଟକୁ ଗଲେ । ତାଙ୍କର ମନେହେଲା, ତାଙ୍କର ପ୍ରଥମ କର୍ତ୍ତବ୍ୟ ବାସନ୍ତୀକୁ ସାନ୍ତ୍ୱନା ଦେବା ଓ ଆଦରଯତ୍ନଦ୍ୱାରା ତାହା ମନରେ ବିଶ୍ୱାସ ଜନ୍ମାଇବା ଯେ ନିଜର ଜନ୍ମଦାତ୍ରୀକୁ ହରାଇ ଥିଲେ ମଧ୍ୟ ସେ ମାତୃହୀନା ନୁହେଁ ।

କଲ୍ୟାଣୀଙ୍କର ବାସନ୍ତୀ ନିକଟକୁ ଏତେ ଶୀଘ୍ର ଯିବାର ଆହୁରି ଗୋଟିଏ କାରଣ ମଧ୍ୟ ଥିଲା । କଲ୍ୟାଣୀ ସୁଶିକ୍ଷିତା ଖ୍ରୀଷ୍ଟୀୟାନ ମହିଳା ହୋଇ ସୁଦ୍ଧା ପ୍ରେତର ଅସ୍ତିତ୍ତ୍ୱରେ ବିଶ୍ୱାସ କରୁଥିଲେ । ସେ ନିଜେ କେବେ ପ୍ରେତ ଦେଖି ନଥିଲେ; କିନ୍ତୁ କୌଣସି ଲୋକର ମୃତ୍ୟୁ ଦିବସରେ ଓ ତାହାର କିଛିଦିନ ପରେ ପ୍ରେତ ଯେ ନାନାଉତ୍ପାତ ଘଟାଏ, ଏହା ସେ ବହୁବାର ଶୁଣିଥିଲେ ଏବଂ ନିଜ ସ୍ୱାମୀଙ୍କ ମୃତ୍ୟୁରାତ୍ରରେ ଗୃହପଶ୍ଚାତରୁ ନାନାବିଧ ଅଶ୍ରୁତପୂର୍ବ ଶବ୍ଦ ଶୁଣି ତାଙ୍କର ଉକ୍ତ କିମ୍ୱଦନ୍ତୀରେ ବିଶ୍ୱାସ ଦୃଢ଼ ହୋଇଥିଲା । ଏପରି ଅବସ୍ଥାରେ ମାତୃହୀନା ବାସନ୍ତୀକୁ ଏକାକିନୀ ତାଙ୍କ ଘରେ ରଖିବାକୁ କଲ୍ୟାଣୀଙ୍କର ସାହସ ହେଲାନାହିଁ; ଧନିଆ ପିଲା–ସେ ଥିବା ନଥିବା ସମାନ-। କଲ୍ୟାଣୀ ମନେକଲେ, ଯଦି କୌଣସିମତେ ବୁଝାଇ ସେ ବାସନ୍ତୀକୁ ନିଜ ଘରକୁ ଘେନି ଆସନ୍ତି, ତାହେଲେ ଖୁବ୍‌ଭଲ ହେବ । ମନୁଷ୍ୟ ଯାହା ମନେକରେ, ତାହା ସବୁବେଳେ ସଫଳ ହୁଏନାହିଁ । କଲ୍ୟାଣୀ ଯେତେ ବୁଝାଇଲେ ସୁଦ୍ଧା ବାସନ୍ତୀ ସ୍ୱ-ଗୃହ ତ୍ୟାଗ କରିବାକୁ ସମ୍ମତ ହେଲାନାହିଁ ।

ବାସନ୍ତୀ ନିକଟରେ କାନ୍ଦିବେନାହିଁ ବୋଲି ସ୍ଥିର କରି କଲ୍ୟାଣୀ ସେଠାକୁ ଯାଇଥିଲେ; କିନ୍ତୁ ବହୁକାଳର ସଙ୍ଗିନୀର ଗୃହକୁ ସଙ୍ଗିନୀଶୂନ୍ୟ ଓ ମାତୃହୀନା ବାସନ୍ତୀର ଶୋକାକୁଳ ଭାବ ଦେଖି ତାଙ୍କର ପ୍ରତିଜ୍ଞାର ଦୃଢ଼ତା ଉଭେଇଗଲା । ସେ ବାସନ୍ତୀର କରୁଣ ପ୍ରତ୍ୟାଖ୍ୟାନ ଶୁଣି ତାକୁ କୋଳକୁ ଟାଣି ନେଲେ ଏବଂ ନୀରବରେ ଅଶ୍ରୁ ତ୍ୟାଗ କରିବାକୁ ଲାଗିଲେ ।

ବାସନ୍ତୀ ବୁଝୁଛି, ସେ ଅସହାୟା । ଏତେ ବଡ଼ ଘରେ ଅଳ୍ପ ବୟସର ଧନିଆକୁ ସାଙ୍ଗରେ ଘେନି ଏକା ରହିବା ତାହା ପକ୍ଷରେ ଖୁବ୍‌କଷ୍ଟକର । ତେବେ ସେ କଲ୍ୟାଣୀଙ୍କ ଘରକୁ ଯିବାକୁ ଅସମ୍ମତ ହେଲା କାହିଁକି ? ବାସନ୍ତୀ ତୀକ୍ଷ୍ଣବୁଦ୍ଧି ସମ୍ପନ୍ନା । ସୁଶିକ୍ଷା ଫଳରେ ତାହାର ବୟସ ଅନୁପାତରେ ବୁଦ୍ଧି ଢେର ବେଶି । ସ୍ନେହମୟୀ କଲ୍ୟାଣୀ ଯେଉଁସବୁ ଆଶଙ୍କା ହୃଦୟରେ ପୋଷଣ କରି ତାକୁ ନିଜ ଘରକୁ ଘେନିଯିବାକୁ ଚାହୁଁଥିଲେ, ବାସନ୍ତୀ କ୍ଷଣକ ମଧ୍ୟରେ ସେ ସମସ୍ତ ବୁଝିନେଲା-। କଲ୍ୟାଣୀଙ୍କର ପ୍ରଥମ ଆଶଙ୍କା, ନିଜ ଘରେ ରହିଲେ ଜନନୀର ବ୍ୟବହୃତ ଗୃହ ସାମଗ୍ରୀ ଦେଖି କାଳେ ବାସନ୍ତୀ ବେଶି ଶୋକାତୁରା ହେବ ! ବାସନ୍ତୀ ବୁଝିଲା, କଲ୍ୟାଣୀଙ୍କର ଏ ଧାରଣା ଅଯଥାର୍ଥ ନୁହେଁ; କିନ୍ତୁ ସେ କ’ଣ ଏପରି ସ୍ୱାର୍ଥପର ଯେ, ଶୋକ ଓ ତଜ୍ଜନିତ ସ୍ୱାସ୍ଥ୍ୟହାନି ହାତରୁ ରକ୍ଷା ପାଇବାପାଇଁ ମାତାଙ୍କର ଅଯୌବନ ବ୍ୟବହୃତ ପ୍ରିୟ ଗୃହତ୍ୟାଗ କରି ଅପର ସ୍ଥାନକୁ ଚାଲିଯିବ ? ତାହାର ପିତାଙ୍କ ମୃତ୍ୟୁପରେ ଅନେକ ଲୋକ ଗ୍ରାମରେ ଯାଇ ରହିବାକୁ ତାହାର ମାତାଙ୍କୁ ପରାମର୍ଶ ଦେଇଥିଲେ; କିନ୍ତୁ ନିର୍ମଳା ତ ଥରେ ହେଲେ ଗ୍ରାମକୁ ଯାଇ ନଥିଲେ । ସହରରେ ଏକାକିନୀ ରହିବାର ସମସ୍ତ ଅସୁବିଧା ସହ୍ୟ କରି ସେ ଏହିଠାରେ ପଡ଼ିରହିଥିଲେ ଏବଂ ସବୁବେଳେ କହୁଥିଲେ, ‘‘ନା, ନା, ମୁଁ ଅନ୍ୟ କେଉଁଠାକୁ ଯିବାକୁ ଚାହେଁନାହିଁ । ତାଙ୍କର ଯେଉଁଠାରେ ଶେଷ ଅବସ୍ଥାନ, ସେହିସ୍ଥାନ ମୋର ତୀର୍ଥକ୍ଷେତ୍ର, ମୋର ପୁଣ୍ୟ ଭୂମି, ମୋର ସବୁ ।’’ ସେ କ’ଣ ମାତାଙ୍କର ଏ ଆଚରଣ ଦେଖିନାହିଁ ? କେଉଁଠାରେ ମାତାଙ୍କର ବାକ୍ସ ଥୁଆ ହୋଇଛି, କେଉଁଠାରେ ମାତାଙ୍କର ବ୍ୟବହୃତ ଦର୍ପଣ ଆଜି ସୁଦ୍ଧା ଜକ୍‌ଜକ୍‌ ଦିଶୁଛି, କେଉଁଠାରେ ମାତାଙ୍କର ପୋଷିତ ଶୁକ-ଶାବକ ତାହା ଆଡ଼କୁ ସହାନୁଭୂତି ପୂର୍ଣ୍ଣ ଦୃଷ୍ଟି ନିକ୍ଷେପ କରୁଛି–ମା’ ଚାଲିଗଲେ ବୋଲି କ’ଣ ଏ ସବୁର କିଛି ମୂଲ୍ୟନାହିଁ ? ଏ ଗୃହର ସର୍ବାଂଶରେ ଯେ ମାତାଙ୍କ ସୁନିପୁଣ ହସ୍ତର ଚିହ୍ନ ସୁସ୍ପଷ୍ଟ ବିଦ୍ୟମାନ । ପିତାଙ୍କ ମୃତ୍ୟୁ ପରେ ଅସ୍ୱଚ୍ଛଳ ଅବସ୍ଥା ହେତୁରୁ ଚାକରାଣୀକୁ ବାହାର କରି ଦେଇ ତାହାର ଜନନୀ ଗୃହର ସମସ୍ତ କାର୍ଯ୍ୟ ସ୍ୱହସ୍ତରେ କରୁଥିଲେ । କିଏ ଜାଣେ ଯେ ସେହି କଠିନ ପରିଶ୍ରମ ତାଙ୍କର ଅକାଳ ବିୟୋଗର ହେତୁ ନୁହେଁ ? ଯେଉଁ ସ୍ଥାନରେ ମାତାଙ୍କର ଈଦୃଶ ସ୍ୱାର୍ଥତ୍ୟାଗର ଚିହ୍ନ ସୁସ୍ପଷ୍ଟ, ନିଜର କ୍ଷୁଦ୍ରସ୍ୱାର୍ଥ ଲାଗି କେଉଁ ହୃଦୟରେ ସେ ସ୍ଥାନ ଛାଡ଼ି ବାସନ୍ତୀ ଚାଲିଯିବ ? ନା, ନା, ତାହା ଅସମ୍ଭବ ।

କଲ୍ୟାଣୀ ଯେତେବେଳେ କହିଲେ, ତୋର ଏଠାରେ ଏକା ରହିବା ଉଚିତ ନୁହେଁ, ବାସନ୍ତୀ ବୁଝିପାରିଲା ଯେ, କଲ୍ୟାଣୀ ପ୍ରେତର ଆଶଙ୍କା କରୁଅଛନ୍ତି; କିନ୍ତୁ ବାସନ୍ତୀର ମନେହେଲା, ଯେଉଁ ଜନନୀ ଜୀବିତାବସ୍ଥାରେ ପ୍ରାଣପଣେ ନିଜର ସ୍ନେହାଞ୍ଚଳ ଘୋଡ଼ାଇ ତାକୁ ଶତ ଦୁର୍ଦୈବ ହସ୍ତରୁ ରକ୍ଷା କରିଅଛନ୍ତି, ସେ କ’ଣ ଆଜି ପ୍ରେତ ହୋଇ ତାହାର ଅମଙ୍ଗଳ କରିବେ ? ପ୍ରେତ ହେଉନ୍ତୁ, ପିଶାଚ ହେଉନ୍ତୁ, ସେ ଯେ ତାହାର ମା’ ! ମା’ ଯଦି ତାକୁ ଅନ୍ତତଃ ପ୍ରେତରୂପେ ଦେଖାଦିଅନ୍ତି ତାହେଲେ ସେ ତାଙ୍କୁ ଆଲିଙ୍ଗନ କରି ଧନ୍ୟ ହେବ । ସେ ଯେ ପ୍ରେତଭୂମିରେ ମଧ୍ୟ ମାତାର କ୍ରୋଡ଼ରେ ଆଶ୍ରୟ ଲଭିବାକୁ ଚାହେଁ ।

ବାସନ୍ତୀର ପୂର୍ଣ୍ଣ ବିଶ୍ୱାସ, ତାହାର ମାତା ଯେପରି ସାଧୁସ୍ୱଭାବା ଓ ପରର ଉପକାର ପାଇଁ ସର୍ବଦା ଯତ୍ନପରାୟଣା ଥିଲେ, ସେଥିରେ ନିଶ୍ଚୟ ତାଙ୍କର ସ୍ୱର୍ଗଲାଭ ହୋଇଅଛି । ସେ ଆଜି ତ୍ରିଦିବର ଅମରୀମାନଙ୍କ ମଧ୍ୟରୁ ଜଣେ । ସେ ଯେତେବେଳେ ଜାଣିବେ, ତାଙ୍କର ଆଦରଣୀୟା କନ୍ୟା ସେ ଇହଧାମ ତ୍ୟାଗ କରିଅଛନ୍ତି ବୋଲି ତାଙ୍କରିଠାରୁ ଅମଙ୍ଗଳ ଆଶଙ୍କା କରି ତାଙ୍କର ପ୍ରିୟ ବାସଭୂମି ତ୍ୟାଗ କରିବାକୁ ବ୍ୟସ୍ତ, ସେତେବେଳେ ତାଙ୍କ ମନ କିପରି ବ୍ୟଥିତ ହେବ ! ନା, ନା, ବାସନ୍ତୀ ତାହା କରିପାରିବନାହିଁ । ସେ ତାହାର ସ୍ୱର୍ଗବାସିନୀ ସ୍ନେହମୟୀ ମା’ଙ୍କ ମନରେ କଷ୍ଟ ଦେଇପାରିବନାହିଁ । କଲ୍ୟାଣୀ ଅଗତ୍ୟା ନିରାଶ ହେଲେ । ସେ ସୁନୀତିକୁ କହିଲେ, ‘‘ସୁନା, ତୁ ଯଦି ରାତିରେ ଘରେ ରହନ୍ତୁ, ତାହେଲେ ମୁଁ ଏଇଠି ରହନ୍ତି ।’’ କଲ୍ୟାଣୀ ବାସନ୍ତୀକୁ ପ୍ରବୋଧ ଦେଲାବେଳେ କହିଥିଲେ, ‘‘ସୁନାବି ତୋ ପାଖରେ ଥାଉ ।’’ କିନ୍ତୁ ସେଥିରେ ନିଜର ମନ ମାନିଲାନାହିଁ । ସେ ନିଜେ ବାସନ୍ତୀ ନିକଟରେ ରହିବାକୁ ଚାହିଁଲେ । ସୁନୀତି ଶୋକାତୁରା ସଙ୍ଗିନୀକୁ ନିଜର ମା’ ନିକଟରେ ଛାଡ଼ି ଯିବାକୁ ମଧ୍ୟ ସମ୍ମତ ହେଲାନାହିଁ । ସେ କହିଲା, ‘‘ନା, ମା’, ମୁଁ ବଉଳ ପାଖରେ ରହିବି ।’’

‘‘ହଉ ତେବେ । ଘରେ କୋଲପ ଦେଇ ଆ । ଦୁହେଁଯାକ ତୋର ବଉଳ ପାଖରେ ରହିବା ।’’

ପିଲାଦିନୁ ବାସନ୍ତୀ ସୁନୀତିର ବଉଳ ।

 

–ଚାରି–

 

ସେତେବେଳେ ରେଭେନ୍‌ସା କଲେଜରେ ଗୋଟିଏ ମାତ୍ର ହଷ୍ଟେଲ । ହଷ୍ଟେଲଟି ସୈନ୍ୟନିବାସ ଭଳି ଲମ୍ୱା ଓ ଏକ ମହଲା । ରବିବାର ସକାଳ ସାତଟା । ରେଭେନ୍‌ସା କଲେଜ ହଷ୍ଟେଲର ଛାତ୍ରମାନେ ଦନ୍ତଧାବନ ପ୍ରଭୃତି ନିତ୍ୟକର୍ମ ସାରି ଅନ୍ୟବିଧ ନିତ୍ୟକର୍ମ ଚା’ ପାନରେ ବ୍ୟସ୍ତ । ଖୁବ୍‌ଗଳ୍ପ ଓ ହାସ୍ୟଧ୍ୱନିରେ କଲେଜ ହଷ୍ଟେଲ ଉଛୁଳି ପଡ଼ୁଛି । ହଷ୍ଟେଲର ଗୋଟିଏ ଘର ଏତେବେଳଯାଏ ଖୋଲା ହୋଇନାହିଁ । ବୋଧହୁଏ ଗୃହାଧିକାରୀ ନିଦ୍ରିତ । ସେହି ଘରର ଦ୍ୱାରର ଲୁହାକଡ଼ାକୁ ଜୋରରେ ହଲାଉ ହଲାଉ ଗୋଟିଏ ଦଶ ବାରବର୍ଷ ବୟସର ବାଳକ ଡାକୁଛି, ‘‘ଦେବବାବୁ, ଦେବବାବୁ ! ହୋ ଦେବବାବୁ ।’’

 

ପାଠକ ଏ ବାଳକକୁ ଚିହ୍ନନ୍ତି । ସେ ବାସନ୍ତୀର ଚାକର ଧନିଆ । ଧନିଆ କି ଜାତି, ତାହାର ଘର କେଉଁଠାରେ, ତାହାର ମା’ ବାପା କିଏ, ଏ ସବୁ କଥା କାହାରିକୁ ଜଣାନାହିଁ । ସାତ ଆଠବର୍ଷ ପୂର୍ବେ କଟକ ଜିଲ୍ଲାରେ ଭୀଷଣ ଦୁର୍ଭିକ୍ଷ ପଡ଼ିଥିଲା । ସେହି ସମୟରେ ଥରେ ନିର୍ମଳା ଓ କଲ୍ୟାଣୀ ମହାନଦୀ ଆଡ଼କୁ ବୁଲି ଯାଇ ଦେଖିଲେ ଯେ, ସୁବିସ୍ତୁତ କିଲ୍ଲା ପଡ଼ିଆର କୋଣରେ ଗଛମୂଳେ ଛିଡ଼ା ହୋଇ ଗୋଟିଏ ଉଲଗ୍ନ ଶିଶୁ କରୁଣ ସ୍ୱରରେ କାନ୍ଦୁଛି, ‘‘ମାଲୋ ! ମା’ କୁଆଡ଼େ ଗଲୁ ଲୋ !’’ ବାଳକର କାତର କ୍ରନ୍ଦନ ଶୁଣି ଉଭୟଙ୍କର ଦୟା ହେଲା । ପାଖକୁ ଯାଇ ନାନାକଥା ପଚାରିଲେ; କିନ୍ତୁ ବାଳକ ନିତାନ୍ତ ଅଳ୍ପବୟସ୍କ–ସେମାନଙ୍କର କୌଣସି ପ୍ରଶ୍ନର ଉତ୍ତର ଦେଇ ନ ପାରି କେବଳ କାନ୍ଦିବାକୁ ଲାଗିଲା । ବାଳକର ମାତା ହୁଏତ କୁଆଡ଼େ ଯାଇଛି, ନିଜର ହୃଦୟରତ୍ନକୁ ହୃଦୟରେ ଧାରଣ କରିବାକୁ ପୁଣି ଶୀଘ୍ର ଫେରିଆସିବ...ଏହି ଆଶାରେ ସେମାନେ ସେଠାରେ କିଛିକ୍ଷଣ ଅପେକ୍ଷା କଲେ । କ୍ରମେ ସନ୍ଧ୍ୟା ହେଲା, କିଲ୍ଲା ପଡ଼ିଆର ଚାରିଆଡ଼େ ମ୍ୟୁନିସପାଲିଟିର ଆଲୁଅ ଜଳିଉଠିଲା; କିନ୍ତୁ କାହାରି ତ ଦେଖାନାହିଁ । କେବଳ ବାଳକ ପୂର୍ବପରି କାନ୍ଦୁଛି, ‘‘ମାଲୋ, ମା’ କୁଆଡ଼େ ଗଲୁ ଲୋ !’’

 

ବାଳକର ଶୀର୍ଣ୍ଣ ଓ କଙ୍କାଳସାର ଦେହ ଦେଖି ଉଭୟେ ବୁଝିପାରିଲେ ଯେ ସେ କୌଣସି ଦୁର୍ଭିକ୍ଷ ପ୍ରପୀଡ଼ିତାର ସନ୍ତାନ । ବୋଧହୁଏ ହତଭାଗିନୀ ପୁତ୍ରର ଖାଦ୍ୟସଂସ୍ଥାନ କରି ନ ପାରି ତାକୁ କେଉଁ ଅଦୃଶ୍ୟ ଦେବତାଙ୍କ ହାତରେ ଗଛମୂଳେ ସମର୍ପଣ କରି ପଳାୟନ କରିଅଛି । ନିର୍ମଳା ବାଳକଟିକୁ କୋଳକ ଉଠାଇ ନେଇ କହିଲେ, ‘‘କଲ୍ୟାଣୀ, ଏ ଆଜିଠାରୁ ମୋର ।’’ କଲ୍ୟାଣୀ କହିଲେ, ‘‘ନା, ନା, ଏକା ତୁମର ନୁହେଁ ଆମ ଦୁଇଜଣଙ୍କର ।’’ କିନ୍ତୁ ଶେଷରେ ବାଳକଟି ନିର୍ମଳାଙ୍କର ହେଲା । ସେ ପୁତ୍ର ନିର୍ବିଶେଷରେ ତାକୁ ପାଳନ କରିବାକୁ ଲାଗିଲେ । ଶିଶୁର ଅଜ୍ଞାତ କୁଳଶୀଳତା ସମ୍ୱନ୍ଧରେ କେହି କେବେ ଉଚ୍ଚବାଚ୍ୟ କରିନାହିଁ । କେବଳ ନିର୍ମଳାଙ୍କର ତାହା ପ୍ରତି ଅତ୍ୟଧିକ ସ୍ନେହ ଦେଖି ଚମ୍ପା ଥରେ ଥରେ କହୁଥିଲା, ‘‘ମଲା ମୋର, ଛତରଖିଆ ପିଲାଟା–ବାପା ମା’ର ଠିକ୍‌ ନାହିଁ । ତା’ର ପୁଣି ଏତେ ଆଦର । ପେଟର ହେଲେ ଆଉ କ’ଣ ନ ହୁଅନ୍ତା ? ବୋଲେ ତୁଚ୍ଛାକୁ ଏତେ, ମୁଦିନାହିଁ ଗୋଡ଼ କଚାଡ଼ୁ କେତେ ।’’ କିନ୍ତୁ ନିର୍ମଳାଙ୍କର ତର୍ଜନରେ ଚମ୍ପାର ଗର୍ଜନ ବେଶି ଦିନ ସ୍ଥାୟୀ ହୋଇନାହିଁ । ବରଂ ଶିଶୁଟିର ଶାନ୍ତ ସ୍ୱଭାବ ଦେଖି ସେ ମଧ୍ୟ କିଛିଦିନ ପରେ ତାକୁ ଭଲପାଇବାକୁ ଆରମ୍ଭ କରିଥିଲା । ସେହି ଶିଶୁ ଆଜିକାର ଏହି ଧନିଆ । ଦୁର୍ଭିକ୍ଷ କୃପାରୁ ଓଡ଼ିଶାରେ ଧନିଆର ସଂଖ୍ୟା କମ୍‌ ନୁହେଁ ।

 

ଧନିଆ ନିର୍ମଳାକୁ ମା’ ବୋଲି ଡାକୁଥିଲା । ନିର୍ମଳାଙ୍କ ମୃତ୍ୟୁରେ କେବଳ ବାସନ୍ତୀର ମାତୃବିୟୋଗ ନୁହେଁ, ତାହାର ମଧ୍ୟ ମାତୃବିୟୋଗ । ସେ ନିର୍ମଳାଙ୍କ ମୃତ୍ୟୁଦିନ ଖୁବ୍‌କାନ୍ଦିଲା; କିନ୍ତୁ ଅଳ୍ପ ସମୟରେ ଆପେ ଆପେ ସାନ୍ତ୍ୱନା ଲାଭକରି ବାସନ୍ତୀର ଯତ୍ନ ନେବାରେ ଲାଗିଗଲା । ସେ କ୍ଷୁଦ୍ର ବାଳକ; ତଥାପି ବାସନ୍ତୀର ପାଖେ ପାଖେ ଥାଇ ବାସନ୍ତୀ ଯଦ୍ୱାରା ସନ୍ତୁଷ୍ଟ ହେବ, ସେହିପରି ଭାବରେ ପାଣିଆଣିବା, ଘର ପହଁରିବା ପ୍ରଭୃତି ସାନ ସାନ କାମରେ ନିଜକୁ ନିଯୁକ୍ତ କରିଦେଲା ।

 

ଆଜି ନିର୍ମଳାଙ୍କ ମୃତ୍ୟୁର ତୃତୀୟ ଦିବସ । ସକାଳେ ଉଠି ଧନିଆ ଦେଖିଲା, ବାସନ୍ତୀ ସୁନୀତିର କୋଳରେ ମସ୍ତକ ସ୍ଥାପନ କରି କାନ୍ଦୁଅଛି । ସୁନୀତିର ସାନ୍ତ୍ୱନାରେ ସେ ଆଦୌ ତୁନୀ ହେଉନାହିଁ । ଧନିଆ ମନେକଲା, ଦୌଡ଼ିଯାଇ ଦେବବାବୁଙ୍କୁ ଡାକି ଆଣିବ । ଦେବବାବୁ ସାନ୍ତ୍ୱନା ଦେଲେ ଅବା ବାସନ୍ତୀ ଚୁପ୍‌ ହୋଇପାରେ । ଦେବବ୍ରତର ଉପସ୍ଥିତିରେ ବାସନ୍ତୀର ଆନନ୍ଦ ଓ ଦେବବ୍ରତର କଥାପ୍ରତି ବାସନ୍ତୀର ବାଧ୍ୟତା ବାଳକ ଧନିଆ ମଧ୍ୟ ଭଲରୂପେ ଲକ୍ଷ୍ୟ କରିଥିଲା ।

 

ନିର୍ମଳାଙ୍କ ଜୀବିତାବସ୍ଥାରେ ଧନିଆ କେତେଥର କଲେଜ ହଷ୍ଟେଲକୁ ଆସିଛି । ଦେବବ୍ରତର ଘରଟା ସହିତ ତାହାର ପରିଚୟ ଊଣା ନୁହେଁ । କାଳବିଳମ୍ୱ ନ କରି ସେ ହଷ୍ଟେଲକୁ ଚାଲିଲା । ସେ ଦେବବ୍ରତର ଦ୍ୱାରରେ ‘‘ଦେବବାବୁ’’ ‘‘ଦେବବାବୁ’’ ବୋଲି ଡାକିବାର ପାଠକ ଶୁଣି ଅଛନ୍ତି । ଦେବବ୍ରତ ଯେ ବାସ୍ତବରେ ଗଭୀର ନିଦ୍ରାରେ ଅଭିଭୂତ ଥିଲା, ତାହା ନୁହେଁ । ନାନାଦୁର୍ଭାବନା ଓ ପରିଶ୍ରମ ହେତୁରୁ ସେ ଅତ୍ୟନ୍ତ କ୍ଳାନ୍ତହୋଇ ଅର୍ଦ୍ଧସୁପ୍ତ ଅର୍ଦ୍ଧଜାଗ୍ରତ ଭାବରେ ବିଛଣାରେ ପଡ଼ିଥିଲା । ସେହିପରି ଅବସ୍ଥାରେ ସେ ଧନିଆର ଡାକ ଶୁଣିଛି; କିନ୍ତୁ ତାହାର ମନେହେଲା, ବାସ୍ତବିକ ଯେପରି କେହି ଡାକୁନାହିଁ, ସେ ସ୍ୱପ୍ନ ଦେଖୁଛି ମାତ୍ର ।

 

ହଠାତ୍‌ ଦେବବ୍ରତ ଶୁଣିଲା, ଖୁବ୍‌ଉଚ୍ଚ ସ୍ୱରରେ କିଏ ଡାକୁଛି, ‘‘ହୋ ଦେବବାବୁ !’’ ଦେବବ୍ରତର ତନ୍ଦ୍ରା ଭାଙ୍ଗିଗଲା । ସେ ହଠାତ୍‌ ବିଛଣାରୁ ଉଠି ବସିଲା । ପୁଣି ସେହି କଣ୍ଠ, ‘‘କି ହୋ, ତୁମ ଶ୍ୱଶୁର ଘରୁ ମଣିଷ ଆସି ଦୁଆରେ ଡାକୁଛି । ତୁମେ ନିଦରେ ଗଁ ଗଁ ହେଉଛ ।’’ ଦେବବ୍ରତ ବୁଝିଲା, ଏ କଣ୍ଠସ୍ୱର ବିକୃତ । ଭୀଷଣ କ୍ରୋଧରେ ସେ ଦ୍ୱାର ନିକଟକୁ ଦୌଡ଼ି ଆସିଲା; କିନ୍ତୁ କବାଟ ଖୋଲିବା ପୂର୍ବରୁ ବାରଣ୍ଡାରେ ଖୁବ୍‌ ଦ୍ରୁତ ପଦଶବ୍ଦ ଶୁଣି ବୁଝିଲା ଯେ ବକ୍ତା ପଳାୟନ କରିଅଛି ।

 

ବିସ୍ମିତ ଧନିଆକୁ ସମ୍ମୁଖରେ ଦେଖି ଦେବବ୍ରତ ପଚାରିଲା, ‘‘କିରେ ଧନିଆ, ତୁ କୁଆଡ଼େ-?’’ ଧନିଆ କାନ୍ଦ କାନ୍ଦ ହୋଇ କହିଲା, ‘‘ଦେବବାବୁ, ସକାଳୁ ଉଠି ବାସ ଅପା ଭୋ ଭୋ ଡକା ପାରୁଛନ୍ତି । ସୁନା ଅପା ଯେତେ କହିଲେ ତୁନୀ ହେଉନାହାନ୍ତି । ତମେ ଚାଲ ତାଙ୍କୁ ତୁନୀ କରିବ ।’’

 

ଦେବବ୍ରତ କିଛିକ୍ଷଣ ଚୁପ୍‌ହୋଇ ରହି ଧନିଆକୁ କହିଲା, ‘‘ତୁ ଯା, ମୁଁ ଯିବି ।’’ ଧନିଆ ଛାଡ଼ିବାର ପାତ୍ର ନୁହେଁ । ସେ ଜାଣେ ଦେବବ୍ରତ ଅନେକ ଥର ଏହିପରି କହିଛି, ଅଥଚ ନିଜର କଥା ଅନୁସାରେ କାର୍ଯ୍ୟ କରିନାହିଁ ।

 

‘‘ନାହିଁ, ତୁମେ ମୋ ସାଙ୍ଗରେ ଚାଲ ।’’

 

‘‘ଆରେ ତୁ ଯା, ମୁଁ ତୋ ପଛେ ପଛେ ଯାଉଛି ।’’

 

‘‘ମୋ ରାଣ ପକାଇଲ, ନିଶ୍ଚେ ଯିବ ?’’

 

‘‘ତୋ ରାଣ, ନିଶ୍ଚେ ଯିବି, ଯା ।’’ ଧନିଆ ସନ୍ତୁଷ୍ଟ ହୋଇ ଚାଲି ଯାଉଥିଲା । ଦେବବ୍ରତ ତାକୁ ପଛରୁ ଡାକି ପଚାରିଲା, ‘‘ଆରେ ଧନିଆ, ଏଠି ମୋତେ ଆଉ କିଏ ଡାକୁଥିଲା କି ?’’

 

‘‘ହଁ ବାବୁ, ଜଣେ ତୁମରି ଭଳିଆ ବାବୁ ଆପଣା ଗଳା ଟିପ ଧରି କ’ଣ ଶ୍ୱଶୁର ଘର କଥା କହୁଥିଲେ । ତୁମେ ଯେମିତି କବାଟ ଫିଟେଇଛ, ସେମିତି ଦୌଡ଼ି ପଳେଇଲେ ।’’ ଦେବବ୍ରତ ବୁଝିଲା, ଏହା ତାହାର କୌଣସି କାପୁରୁଷ ସହପାଠୀର କାର୍ଯ୍ୟ ।

 

କିଛିଦିନ ହେଲା କଲେଜ ପିଲାମାନେ ଦେବବ୍ରତକୁ ବିରକ୍ତ କରିବା ଲାଗି ବଳରାମବାବୁଙ୍କ ଘରକୁ ଦେବବ୍ରତର ଶ୍ୱଶୁର ଘର ବୋଲି କହୁଥିଲେ । ଦେବବ୍ରତ ସେମାନଙ୍କର ଏପରି ଆଚରଣରେ ଆଦୌ ସୁଖୀ ହୋଇନାହିଁ । ଆଜି ପୁଣି ସେମାନଙ୍କ ମଧ୍ୟରୁ ଜଣଙ୍କର ଏପରି ନୀଚତା ଦେଖି ତାହାର ମୁଖ ଘୃଣା ଓ କ୍ରୋଧରେ ଲାଲ ହୋଇଗଲା । ଗତଦୁଇଦିନର ଘଟନାରେ ତାହାର ମନ ଅବସନ୍ନ ହୋଇ ପଡ଼ିଥିଲା । ସେହିହେତୁରୁ ସେ ଗତରାତ୍ରି ଏକପ୍ରକାର ବିନିଦ୍ର ଭାବରେ କଟାଇଅଛି । ନିଦ୍ରାଳସ ଦେହକୁ ପୁନର୍ବାର ଶଯ୍ୟାରେ ସ୍ଥାପନ କରି ସେ ପୂର୍ବର ଘଟଣାମାନ ମନେ ମନେ ଆଲୋଚନା କରିବାକୁ ଲାଗିଲା ।

 

ଆଜିଠାରୁ ମାତ୍ର ଦୁଇଦିନ ପୂର୍ବର କଥା । ଯେତେବେଳେ ଦେବବ୍ରତର ହସ୍ତ ମଧ୍ୟରେ ବାସନ୍ତୀର ହସ୍ତଟି ସ୍ଥାପନ କରି ବାସନ୍ତୀର ମାତା ଇହଧାମରୁ ଚିରବିଦାୟ ଗ୍ରହଣ କଲେ, ସେତେବେଳେ ଚାରିଆଡ଼ରୁ ସନ୍ଧ୍ୟାରତିର ଶଙ୍ଖଘଣ୍ଟାଧ୍ୱନି ଭାସି ଆସୁଥିଲା । ଦେବବ୍ରତର ମନେ ହୋଇଥିଲା, ପ୍ରକୃତିର ସୂର୍ଯ୍ୟାସ୍ତ ପରି ବାସନ୍ତୀ ମାତାର ଜୀବନାସ୍ତ ମଧ୍ୟ ତାହା ପକ୍ଷରେ ରମଣୀୟ, କାରଣ ସୂର୍ଯ୍ୟ ଅସ୍ତ ଯିବା ପୂର୍ବରୁ ଯେପରି ଧରିତ୍ରୀ ସୁନ୍ଦରୀକୁ ଗୋଧୂଳି ଅଞ୍ଚଳରେ ଆବୃତ କରେ, ବାସନ୍ତୀର ମାତା ତାହାର ଜୀବନକୁ ସେହିପରି ବାସନ୍ତୀ ଅଞ୍ଚଳରେ ଆବୃତ କରି ତାକୁ କେତେ ସାନ ବଡ଼ ଦୁର୍ଦୈବ ହସ୍ତରୁ ରକ୍ଷା କରିଅଛନ୍ତି । ବାସନ୍ତୀ ପରି ରୂପଗୁଣ ସମ୍ପନ୍ନା ଶିକ୍ଷିତାରମଣୀକୁ ଜୀବନର ସଙ୍ଗିନୀରୂପେ ଲାଭ କରିବା ଯେ ତାହାପକ୍ଷରେ କେତେ ବଡ଼ ସୌଭାଗ୍ୟ, ସେ ତାହା ଭାବି ଟିକିଏ ଉତ୍‌ଫୁଲ୍ଲ ମଧ୍ୟ ହୋଇଥିଲା; କିନ୍ତୁ ବାସନ୍ତୀର କାତର କ୍ରନ୍ଦନରେ ତାହାର ସମସ୍ତେ ସୁଖସ୍ୱପ୍ନ ଉଭେଇ ଯାଇଥିଲା । ସେ କ୍ଷଣକ ମଧ୍ୟରେ ବୁଝିପାରିଥିଲା, ସଂସାରର ଅନନ୍ତ ପଥରେ ସେ ଆଜିଠୁଁ ଯାତ୍ରୀ–ସେ ସଂସାର ଅନଭିଜ୍ଞ ବିଷୟ ବୁଦ୍ଧିହୀନ ନବୀନ ଯୁବା, ଆଉ ତାହାର ସାଥୀ ଅସହାୟା ମାତୃବିୟୋଗକାତରା ବାଳିକା ବାସନ୍ତୀ ।

 

ନିର୍ମଳାଙ୍କ ପ୍ରାଣବାୟୁ ବାହାରିଗଲାର କିୟତ୍‌କ୍ଷଣ ପରେ ସୁନୀତି ଶୋକାକୁଳା ବାସନ୍ତୀକୁ ଆପଣାର ବକ୍ଷରେ ଚାପିଧରି କହିଥିଲା, ‘‘ଦେବବାବୁ, ଚୁପ୍‌ ହୋଇ ଛିଡ଼ା ହେଲେ କ’ଣ ହେବ ? ରାତି ହେଉଛି ଯେ ! ଯାଅ, ଶୀଘ୍ର ଶୀଘ୍ର ଆୟୋଜନ କର ।’’ ବାସନ୍ତୀର ଯତ୍ନ ନେବାକୁ ସୁନୀତିକୁ କହି ଓ ଧନିଆକୁ ସବୁବେଳେ ବାସନ୍ତୀର ନିକଟରେ ରହିବାକୁ ଆଦେଶ ଦେଇ ଦେବବ୍ରତ ଶବବାହକମାନଙ୍କ ଉଦ୍ଦେଶ୍ୟରେ ବାହାରି ପଡ଼ିଥିଲା ।

 

ଅନ୍ଧକାର ରାତ୍ରି । ଦେବବ୍ରତ ଚାଲି ଚାଲି ହଷ୍ଟେଲକୁ ଆସିଥିଲା ଓ ସେଠାରେ କରଣ ଛାତ୍ରମାନଙ୍କୁ ଅନୁରୋଧ କରିଥିଲା । ଅନ୍ୟ ଶ୍ରେଣୀର ଛାତ୍ରମାନଙ୍କ ଦ୍ୱାରା ଶବୋତ୍ତଳନ କରାଇବାରେ ଦେବବ୍ରତର ବ୍ୟକ୍ତିଗତ ଆପତ୍ତି ନଥିଲା; କିନ୍ତୁ ତଦ୍ଦ୍ୱାରା କାଳେ ବାସନ୍ତୀର ମନରେ କଷ୍ଟ ହେବ, ଏହା ଭାବି ସେ କେବଳ କରଣ ଛାତ୍ରମାନଙ୍କୁ ଅନୁରୋଧ କରିଥିଲା; କିନ୍ତୁ ଜଣେ ଛଡ଼ା ଆଉ କେହି ଅନ୍ଧକାର ରାତ୍ରିରେ କାଠଯୋଡ଼ିକୂଳର ଶ୍ମଶାନରେ ଶିଶିରାଘାତ ସହିବାକୁ ରାଜି ହୋଇ ନଥିଲେ ।

 

ହଷ୍ଟେଲ ନିକଟରେ ଜଣେ ମଧ୍ୟବୟସ୍କ କରଣ ଅଧ୍ୟାପକଙ୍କ ବସା । ଦେବବ୍ରତ ତାଙ୍କ ନିକଟକୁ ଗଲା । ସବୁ ଶୁଣି ସେ କହିଲେ, ‘‘ହେଉ ଚାଲ । ତୁମ୍ଭେ ଯେତେବେଳେ କହୁଛ ବାଳିକାଟା ଏକା, ପୁଣି ବିପଦରେ ପଡ଼ିଛି, ସେତେବେଳେ କେଉଁ ହୃଦୟବାନ୍‌ ବ୍ୟକ୍ତି ନ ଯାଇ ରହିପାରେ ?–କଷ୍ଟ ! କଷ୍ଟ ତ ଟିକିଏ ନିଶ୍ଚୟ ହେବ; କିନ୍ତୁ ଏପରି ସାମାଜିକ କାର୍ଯ୍ୟରେ କଷ୍ଟ ସହ୍ୟ କରିବା ତ ଯଥାର୍ଥ ମନୁଷ୍ୟତ୍ୱ । ଚାଲ ।’’ ଦେବବ୍ରତ ଟିକିଏ ଆଶ୍ୱସ୍ତ ହେଲା । କବାଟ ଉଢ଼ାଳରୁ କିଏ ଜଣେ ସେମାନଙ୍କ କଥାବାର୍ତ୍ତା ଶୁଣୁଥିଲା । ଅଧ୍ୟାପକ ଘରକୁ ଯିବା ମାତ୍ରକେ ଫୁସ୍‌ଫୁସ୍‌ ଅଥଚ ବିରକ୍ତ ସ୍ୱରରେ ବୃଦ୍ଧା ସ୍ତ୍ରୀ କଣ୍ଠର କଥା ଶୁଣାଗଲା । ଦେବବ୍ରତ କିଛି ବୁଝିପାରିଲାନାହିଁ । କିଛିକ୍ଷଣ ଉତ୍ତାରୁ ଅଧ୍ୟାପକ ଫେରିଆସି ଇଂରାଜୀରେ ଦେବବ୍ରତକୁ କହିଲେ, ‘‘ମୋତେ କ୍ଷମାକର । ମା’ କହୁଛନ୍ତି, କୌଣସି ପାରିବାରିକ କାରଣରୁ ମୋ ପକ୍ଷରେ କିଛିଦିନ ଶବୋତ୍ତଳନ କରିବା ଉଚିତ ହେବନାହିଁ ।’’

 

ଦେବବ୍ରତର ବିରକ୍ତିର ସୀମା ରହିଲାନାହିଁ । କୌଣସି ଉତ୍ତର ନ ଦେଇ ସେ ସେଠାରୁ ଦ୍ରୁତପଦରେ ଚାଲି ଆସିଥିଲା । ଅଧ୍ୟାପକଙ୍କର ଜନୈକ ପ୍ରତିବେଶୀ ତାହାକୁ ପଛରୁ ଡାକି କହିଥିଲେ, ମୁଁ ମଧ୍ୟ କରଣ । ଏପରି ଅବସ୍ଥାରେ ମୋର ଯିବା ଉଚିତ ବୋଲି ମୁଁ ମନେକରେ । ମୁଁ ଯାଇପାରେ କି ?’’ ଭଦ୍ରଲୋକ ଅଦାଲତରେ କିରାନୀ । ନିଜ ଦୁଆରେ ଛିଡ଼ା ହୋଇ ଉଭୟଙ୍କର କଥାବାର୍ତ୍ତା ଶୁଣିଥିଲେ ଓ ତାହାର ପରବର୍ତ୍ତୀ ଘଟଣା ମଧ୍ୟ ଦେଖିଥିଲେ । ଦେବବ୍ରତ ଅତ୍ୟନ୍ତ କୃତଜ୍ଞ ଭାବରେ ତାଙ୍କ ହାତ ଧରି ପକାଇଲା ।

 

ପେଟିନ୍‌ସାହିରୁ ଖାନ୍‌ନଗରକୁ ଶବ ବୋହି ନେବା ତ ତିନିଜଣଙ୍କର କାର୍ଯ୍ୟ ନୁହେଁ । ଦେବବ୍ରତ ଟିକିଏ ଚିନ୍ତିତ ହୋଇ ପଡ଼ିଥିଲା । କିରାନୀବାବୁ କହୁଥିଲେ, ‘‘ଆପଣ ଚିନ୍ତିତ ହେଉଛନ୍ତି କାହିଁକି ? ଚାଲନ୍ତୁ, ଅନ୍ୟ କୌଣସିଠାରେ ଅନୁସନ୍ଧାନ କରିବା । କଟକରେ ତ କରଣଙ୍କ ସଂଖ୍ୟା ଊଣା ନୁହେଁ, ଆଉ ସମସ୍ତେ ମଧ୍ୟ ଆପଣଙ୍କ ପ୍ରଫେସରଙ୍କ ଭଳି ନୁହନ୍ତି ।’’ ଦୁଇଜଣଯାକ ତେଲେଙ୍ଗାବଜାର ଆଡ଼େ ଚାଲିଲେ । ବାଟରେ ଯାଉ ଯାଉ କିରାନୀବାବୁ ହଠାତ୍‌ ପଚାରିଥିଲେ, ‘‘ଆପଣଙ୍କ ପ୍ରଫେସରଙ୍କ କଥା ଭାବୁଛନ୍ତି ପରା !’’ ଦେବବ୍ରତ ମୃଦୁହାସ୍ୟ କଲା । କିରାନୀବାବୁ କହିଥିଲେ, ‘‘ତାଙ୍କ କଥା ଭାବିବା ଅନାବଶ୍ୟକ । ଦେଖିଲେ ତ, ତାଙ୍କ ମା’ଙ୍କର ସାମାନ୍ୟ ନିଷେଧ ଏଡ଼ି ନ ପାରି ସେ ଆପଣଙ୍କୁ କହି ସୁଦ୍ଧା ଆସିଲେନାହିଁ । ତାଙ୍କ ମା’ କାହିଁକି ମନାକଲେ, ତାହା ଜାଣିବାକୁ ବୋଧହୁଏ ଆପଣଙ୍କର କୌତୁହଳ ହେଉଛି ? ତାଙ୍କ ସ୍ତ୍ରୀ ଅନ୍ତଃସତ୍ୱା ବୋଲି ।’’ ସେପରି ଅବସ୍ଥାରେ ମଧ୍ୟ ଦେବବ୍ରତ ହାସ୍ୟ ସମ୍ୱରଣ କରିପାରିଲାନାହିଁ । ସାମାନ୍ୟ କୁସଂସ୍କାରର ବଶବର୍ତ୍ତୀ ହୋଇ ଯେଉଁ ଅଧ୍ୟାପକ ତାକୁ ଏପରି କାର୍ଯ୍ୟରେ ସାହାଯ୍ୟ କଲେନାହିଁ, ସେହି ‘ହୃଦୟବାନ୍‌ ବ୍ୟକ୍ତିଟି’କୁ ଏହି ସାମାନ୍ୟ କିରାନୀ ସହିତ ତୁଳନା କରିବାକୁ ତାହାର ମନ ବ୍ୟଗ୍ର ହୋଇଉଠିଥିଲା ।

 

ତେଲେଙ୍ଗାବଜାରରେ କେତେଜଣ କରଣ ବସା କରିଥିଲେ । ତାଙ୍କ ମଧ୍ୟରୁ କିଏ ଓକିଲ ମୋହରୀର, କିଏ ନବସିନ୍ଦା, କିଏ ଟରଣି, କିଏ ମାମଲତ୍‌କାର ! ଦେବବ୍ରତ ଓ କିରାନୀବାବୁ ଉଭୟଙ୍କର ନାନାଅନୁରୋଧ ଉପରୋଧରେ ସେମାନଙ୍କ ମଧ୍ୟରୁ ଦୁଇଜଣ ରାଜି ହୋଇଥିଲେ । ଶବସଂସ୍କାରର ସମସ୍ତ ଉପାଦାନ ସଂଗ୍ରହ କରି ରାତ୍ରିର ଶେଷଭାଗରେ ଶବକୁ ଶ୍ମଶାନକୁ ନିଆଯାଇଥିଲା; କିନ୍ତୁ ସେତିକିରେ ଦେବବ୍ରତର କଷ୍ଟର ଅବସାନ ହେଲାନାହିଁ । ପ୍ରଭାତ ସଙ୍ଗେ ସଙ୍ଗେ ଭୀଷଣ ଝଡ଼ ଓ ବୃଷ୍ଟିପାତ ହେବାକୁ ଲାଗିଲା । ଶବବାହକମାନେ ନିରୁପାୟ ଭାବରେ ଶବକୁ ଶ୍ମଶାନର ବିଶ୍ରାମଗୃହରେ ରଖିଦେଇ ବସି ରହିଲେ; କିନ୍ତୁ ସେଦିନ ମଧ୍ୟାହ୍ନ ଯାଏ ବୃଷ୍ଟିପାତ ବନ୍ଦ ହେଲାନାହିଁ । ତେଲେଙ୍ଗାବଜାରର କରଣ ଦୁଇଜଣ ବିନା କାରଣରେ ଦେବବ୍ରତ ଉପରେ ବିରକ୍ତ ହେବାକୁ ଲାଗିଲେ ଏବଂ ସେମାନଙ୍କ ପାଇଁ ଜଳଖିଆ, ତମାଖୁ ପ୍ରଭୃତି ଆଣିବାପାଇଁ ଦେବବ୍ରତକୁ ବାରମ୍ୱାର ବ୍ୟତିବ୍ୟସ୍ତ କଲେ । ଦେବବ୍ରତ ଅନ୍ୟ କୌଣସି ଉପାୟ ନ ଦେଖି ବର୍ଷାଜଳରେ ତିନ୍ତି ତିନ୍ତି ବଜାରରୁ ସେମାନଙ୍କ ପାଇଁ ତମାଖୁ ଓ ଜଳଖିଆ ନେଇଯାଇଥିଲା ।

 

ପ୍ରାୟ ତିନିଟାବେଳକୁ ବର୍ଷା ଛାଡ଼ିଗଲା । ଶବବାହକମାନେ ଯେତେବେଳେ କାର୍ଯ୍ୟ ଶେଷକରି ଫେରିଆସିଲେ, ସେତେବେଳେ ପ୍ରାୟ ରାତି ନଅଟା । ଅବସାଦରେ ଦେବବ୍ରତର ଶରୀର ଭାଙ୍ଗିପଡ଼ୁଥାଏ । ତେଲେଙ୍ଗା ବଜାରର କରଣ ଦୁଇଜଣ ଧରି ବସିଲେ, ‘‘କିହୋ ବାବୁ, ଶୁଣିଛୁ ତ ୟାଙ୍କର ଗୋଟାଏ ଝିଅ ଛଡ଼ା ଆଉ କେହି ଉଆରସ ନାହିଁ । ଶ୍ରାଦ୍ଧ ଦିନ ଆମ୍ଭମାନଙ୍କ ଖାଇବା ପିଇବାର ବନ୍ଦୋବସ୍ତ ହେବ ତ ?’’ ଦେବବ୍ରତ ଏ ଲୋକ ଦୁଇଟାଙ୍କର ଛୋଟଲୋକି ଦେଖି ଅବାକ୍‌ ହୋଇଯାଇଥିଲା । ସେ କିଛି ଉତ୍ତର ନ ଦେବାର ଦେଖି କିରାନୀବାବୁ କହିଥିଲେ, ‘‘ଶ୍ରାଦ୍ଧଦିନ ଆପଣମାନଙ୍କର ଖାଇବା କ’ଣ ଏକାନ୍ତ ଦରକାର ?’’

 

‘‘ଆରେ ବାଃ, ଦରକାର ନୁହେଁ ? ଶ୍ରାଦ୍ଧରେ ଭୋଜନ ନ କଲେ ଆମ କାନ୍ଧରୁ ପ୍ରେତ ଓହ୍ଲାଇବ କିପରି ?’’

 

ଦେବବ୍ରତ ଏମାନଙ୍କ କଥା ଶୁଣି ବିସ୍ମୟ ଓ ଘୃଣାରେ ନିର୍ବାକ୍‌ ହୋଇଗଲା । କିରାନୀବାବୁ ସେମାନଙ୍କୁ ବୁଝାଇ ଦେଇଥିଲେ ଯେ ସେମାନଙ୍କର ଭୟନାହିଁ । ଭୋଜନର ବ୍ୟବସ୍ଥାଦ୍ୱାରା ସେ ସେମାନଙ୍କ କାନ୍ଧରୁ ପ୍ରେତ ଓହ୍ଲାଇବାର ବନ୍ଦୋବସ୍ତ କରି ଦେବେ !

 

Unknown

ଦେବବ୍ରତ ସହଜରେ ଶ୍ରାନ୍ତ ହେବାର ଲୋକ ନୁହେଁ । କିନ୍ତୁ ଦୁଇ ଦିନରେ ଏପରି ପରିଶ୍ରମ ଓ ବର୍ଷାମାଡ଼ରେ ଶ୍ରାନ୍ତ ନ ହେବ, ଏପରି ଲୋକ ପୃଥିବୀରେ କିଏ ଅଛି ? ଦେବବ୍ରତର ଅବସନ୍ନ ପାଦଦ୍ୱୟ ଆଉ ଚଳୁ ନଥିଲା । ସେ ଧୀରେ ଧୀରେ ଯାଇ ହଷ୍ଟେଲରେ ନିଜ ଘରର ଦ୍ୱାର ଖୋଲିଥିଲା । ସାବୁନ୍‌ରେ ହାତଗୋଡ଼ ପରିଷ୍କାର କରି ଧୋଇ ସେ ରୋଷେଇ ଘରକୁ ଯାଇଥିଲା । ସେମାନଙ୍କ ମେସ୍‌ରେ ସେ ଦିନ ଶନିବାର ରାତ୍ରିର ଭୂରିଭୋଜନର ବ୍ୟବସ୍ଥା । ରୋଷେଇ ଘର ଓ ଭୋଜନଶାଳା ଉତ୍‌ଫୁଲ୍ଲ ଛାତ୍ରମାନଙ୍କ କୋଳାହଳରେ ମୁଖରିତ । ଜଣେ ରସିକ ଛାତ୍ର ଅନ୍ୟ ଗୋଟିଏ ଛାତ୍ର ନିକଟରେ ମୁଖଭଙ୍ଗୀ କରି ଗାଉଛି, ‘‘ରାଧେ ତୋହଲାଗି, ଶ୍ୟାମ ନ ବଞ୍ଚଇ ଗୋ ଜେମାଦେଈ ।’’ ଦେବବ୍ରତର ମନର ଭାବ ଏ ଆମୋଦରେ ଯୋଗ ଦେବାର ଅନୁକୂଳ ନଥିଲା । କଲେଜ ହଷ୍ଟେଲରେ ରହିଲା ଦିନୁଁ ସେ ତାହାର ଅଧିକାଂଶ ସମୟ ସଙ୍ଗୀମାନଙ୍କ ସହିତ ବୃଥାଳାପ ଓ ସଂଗୀତାଳାପରେ କଟାଇଅଛି; କିନ୍ତୁ ଏହି ଦିନକ ମଧ୍ୟରେ କି ଘୋର ପରିବର୍ତ୍ତନ ! ତାହାର ମନ ଏ ସବୁ ପ୍ରତି ଏକାବେଳକେ ବିଦ୍ରୋହୀ ।

 

ସେ ଘରର ଗୋଟାଏ କଣରେ ବସି ଆହାର କରିବାକୁ ଲାଗିଲା । ଗୃହର ଅନ୍ୟ କୋଣରୁ ଦେବବ୍ରତର ବିପକ୍ଷ ଦଳର ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ରକୁ କହିଲା, ‘‘ହଇ ହେ ମଧୁ, ଶୁଣିଛ !’’

 

‘‘କ’ଣ ହେ ?’’

 

‘‘ଆ ରେ ଯା, ଯା,–ଶୁଣିନା ! ଆହେ ଏଥର ରାସ୍ତା ଏକଦମ୍‌ ସାଫ୍‌।’

 

ଆଉ ଜଣେ ଛାତ୍ର ପଚାରିଲା, ‘‘ଆରେ କେଉଁରାସ୍ତା ?’’

 

‘‘ମ, ମ, ତୁ ବି ଜାଣୁନା ? ଆରେ, ବାସନ୍ତୀ ପ୍ୟାଣ୍ଡେଲକୁ ଯିବାର ରାସ୍ତା !’’

 

ସମସ୍ତ ଛାତ୍ର ହୋ ହୋ କରି ହସି ଉଠିଲେ । ଏ କୁତ୍ସିତ ବିଦ୍ରୁପ ଯେ କାହା ପ୍ରତି ଲକ୍ଷ୍ୟ କରା ହୋଇଅଛି, ଦେବବ୍ରତ ତାହା ବୁଝିପାରିଲା । ଲଜ୍ଜାରେ ତାହାର କାନ ମୂଳ ଲାଲ ହୋଇଗଲା-। ସାମାନ୍ୟ ଆହାର କରି ସେ ନିଜର କୋଠରୀକୁ ଚାଲିଗଲା । ସେ ଏହି ନିଷ୍ଠୁର-ହୃଦୟ ସହପାଠୀମାନଙ୍କଠାରୁ ଦୂରରେ ରହିବାକୁ ଚାହେଁ ।

 

ଏ ସବୁ ତ ଦେବବ୍ରତର ବିରକ୍ତିର କାରଣ; କିନ୍ତୁ ତାହାର ଦୁର୍ଭାବନା କାହିଁକି ? ସେ କଲେଜ ଶିକ୍ଷାପ୍ରାପ୍ତ ତରୁଣ ଯୁବା–ବିଶ୍ୱବିଦ୍ୟାଳୟର ପରୀକ୍ଷାଗାରରୁ କେବେହେଁ ନିରାଶ ହୋଇ ଫେରିନାହିଁ । ତତ୍ପରେ ପୁଣି ଯଥେଷ୍ଟ ସମ୍ପତ୍ତିର ମାଲିକ । ଘରେ ମା’ ଅଛନ୍ତି ସତ୍ୟ; କିନ୍ତୁ ମା’ ତ ଆଉ କିଛି ବୁଝାସୁଝା କରନ୍ତିନାହିଁ । ଦୂରସମ୍ପର୍କୀୟ ଯେଉଁ ବେବର୍ତ୍ତା ଜମିଦାରୀ ବୁଝନ୍ତି, ସେ ତାହାର ବେତନଭୋଗୀ କର୍ମଚାରୀ ମାତ୍ର । ବାସ୍ତବରେ ସମ୍ପତ୍ତି ସମ୍ୱନ୍ଧରେ ସେ ସର୍ବେସର୍ବା । ଏପରି ଅବସ୍ଥାରେ ତାହାର ଚିନ୍ତିତ ହେବାର କାରଣ କ’ଣ ?

 

ବର୍ତ୍ତମାନ ତାହାର ସମସ୍ତ ଚିନ୍ତା ଓ ଭାବନାର ହେତୁ ବାସନ୍ତୀ । ନିର୍ମଳା ଦେବୀ ବାସନ୍ତୀକୁ ତାହା ହାତରେ ସମର୍ପଣ କରି ଦେଇଥିଲେ, ତଦ୍ଦ୍ୱାରା ସେ ସ୍ୱର୍ଗର ଚାନ୍ଦ ହାତ ବଢ଼ାଇ ପାଇଲାପରି ବାସନ୍ତୀକୁ ପାଇ ନିଜକୁ ଧନ୍ୟ ମନେକରିଥିଲା; କିନ୍ତୁ ବର୍ତ୍ତମାନ ବାସନ୍ତୀର କି ଉପାୟ କରିବ, ତାହା ଠିକ୍‌ କରିବାକୁ ଯାଇ ସେ ଗତରାତ୍ରି ବିନିଦ୍ରଭାବରେ କଟାଇ ଅଛି । ଦେବବ୍ରତର ଇଚ୍ଛା–ବାସନ୍ତୀ ସହିତ ତାହାର ଯେତେ ଶୀଘ୍ର ବିବାହ ହୁଏ, ତାହା ପକ୍ଷରେ ତେତେ ଭଲ; କିନ୍ତୁ ଏ ବିବାହ ସମ୍ୱନ୍ଧରେ କେତେଗୁଡ଼ିଏ ବାଧା ଥିଲା । ସେ ବାଧାଗୁଡ଼ିକ ଦେବବ୍ରତ ଅତିକ୍ରମ କରିବ କିପରି ?

 

ପ୍ରଥମ ବାଧା–ତାହାର ମା’ ସୁଭଦ୍ରା ଦେଈ ।

 

ନିର୍ମଳା ଦେବୀଙ୍କ ଜୀବିତାବସ୍ଥାରେ ଦେବବ୍ରତ ସହିତ ବାସନ୍ତୀର ବିବାହ ପ୍ରସ୍ତାବ ହୋଇଥିଲା । ଦେବବ୍ରତର ଅନୁରୋଧ ଅନୁସାରେ ତାହାର ଜନନୀ ସୁଭଦ୍ରା ଭାବୀବଧୂ ଦର୍ଶନ ନିମନ୍ତେ ଗ୍ରାମରୁ କଟକ ଆସିଥିଲେ । ନିର୍ମଳାଙ୍କ ଘରେ ଦୁଇ ଚାରିଦିନ ରହି ସେ ବାସନ୍ତୀର ଆଚାରବ୍ୟବହାର ଓ କାର୍ଯ୍ୟକଳାପ ସମସ୍ତ ପର୍ଯ୍ୟବେକ୍ଷଣ କରିଥିଲେ । ତଦ୍ଦ୍ୱାରା ବାସନ୍ତୀକୁ ନିଜର ବଧୂ କରିବା ଉଚିତ ନୁହେଁ–ଏହି ଧାରଣା ତାଙ୍କ ମନରେ ଦୃଢ଼ୀଭୂତ ହୋଇଥିଲା । ସୁଭଦ୍ରା ବାସନ୍ତୀର ରୂପ ଗୁଣର ନିନ୍ଦା କରିନାହାଁନ୍ତି; କିନ୍ତୁ ତାଙ୍କର ଅସମ୍ମତିର ପ୍ରଧାନ କାରଣ କୌଣସି ସୁଶିକ୍ଷିତା କନ୍ୟାକୁ ତାଙ୍କର ବୋହୂ କରିବେନାହିଁ । ସୁଭଦ୍ରାଙ୍କର ବିଶ୍ୱାସ, ଏପରି ବୋହୂ ତାଙ୍କ ପୁଅକୁ ସର୍ବଦା ବଶରେ ରଖିବ, ବିବାହ ପରେ ପୁତ୍ର ଆଉ ତାଙ୍କର ଅଧୀନତା ସ୍ୱୀକାର କରିବନାହିଁ । ସୁତରାଂ ତାଙ୍କର ମର୍ଯ୍ୟାଦାହାନୀ ସୁନିଶ୍ଚିତ । ହଁ, ବୋହୂମାନଙ୍କ ପକ୍ଷରେ ପାଠଶାଠ ପଢ଼ିଥିବା ଭଲ-। ସେମାନେ ଭାଗବତ ବୋଲିପାରିବେ, ‘କେଶବ କୋଇଲି’ ବା ’ଜେମାଦେଈ କାନ୍ଦ’ ପଢ଼ି ପଢ଼ି ଶାଶୁମାନଙ୍କୁ ଶୁଣାଇବେ; କିନ୍ତୁ ଏ କ’ଣରେ ବାବା ! ଇଂରାଜୀ ପଢ଼ା, ବଙ୍ଗଳା ପଢ଼ା, ଖବରକାଗଜ ପଢ଼ା ଗୀତ ଗାଇବା–ଏସବୁ କ’ଣ ? ତାଙ୍କୁ ସବୁଠାରୁ ଖରାପ ଲାଗିଥିଲା ଯେ ଏତେବଡ଼ ଝିଅଟାର ଟିକିଏ ଲାଜ ସରମନାହିଁ । ତାଙ୍କ ସଙ୍ଗରେ କଥା କହିଲାବେଳେ କାହିଁ ହାତେ ଓଢ଼ଣା ଟାଣି ‘ଚୁ’ ‘ଚୁ’ କହିବ ନା ମୁଣ୍ଡରେ ଲୁଗାନାହିଁ, ଏକାବେଳକେ ସାଫ୍‌ ସାଫ୍‌ କଥା ! ସେ ପୁଣି ଦିନେ ଦେଖିଲେ ଯେ, ବାସନ୍ତୀ ସୁନୀତି ସହିତ ପ୍ରାତଃଭ୍ରମଣ କରିବାକୁ ଯାଇଛି, ଦୁହିଁଙ୍କ ଗୋଡ଼ରେ ଦୁଇଯୋଡ଼ା ଜୋତା ! ସର୍ବନାଶ ! ତାଙ୍କ ବୋହୂ ଜୋତା ପିନ୍ଧିବ ? ନା, ନା, ଏପରି ବୋହୂ ତାଙ୍କର ଲୋଡ଼ାନାହିଁ-

 

ସେ ଗ୍ରାମକୁ ଫେରି ଗଲାବେଳେ ଦେବବ୍ରତକୁ କହିଗଲେ ଯେ ଧରଧରାପୁରରେ ସେ ତାହାପାଇଁ ଗୋଟିଏ ପାତ୍ରୀ ଯୋଗାଡ଼ କରିଅଛନ୍ତି; ପାତ୍ରୀଟି ଭାଗବତ ବୋଲିପାରେ, ଚିତା ଦେଇପାରେ, ଫୁଲତୋଡ଼ା ପରି ଲୁଗା କୁଞ୍ଚେଇ ପାରେ ଇତ୍ୟାଦି ତା’ର ଦୁଃଖିତ ହେବାର କୌଣସି କାରଣନାହିଁ । ସେ ଗାଁକୁ ଯାଇ ଅତିଶୀଘ୍ର ବିବାହର ଆୟୋଜନ କରିବେ । ବସାରୁ ରେଲଷ୍ଟେସନ ଯାଏ ସେ ଦେବବ୍ରତକୁ ବାରମ୍ୱାର ଉପଦେଶ ଦେଇ କହିବାକୁ ଲାଗିଲେ, ସେ ଯେପରି ନିର୍ମଳାଙ୍କ ଘରକୁ ଆଉ ନଯାଏ । ଯେତେ ହେଲେ ସୁଭଦ୍ରା ନାରୀ । ସେ ବୁଝିଥିଲେ, ଚୁମ୍ୱକର ତୀବ୍ର ଆକର୍ଷଣରେ ଲୁହା ଥରେ ଚୁମ୍ୱକରେ ଲାଗିଲେ, ତାକୁ ଚୁମ୍ୱକରୁ ଛଡ଼ାଇବା ମୁସ୍କିଲ ହେବ । ଏ ଘଟନା ବେଶି ଦିନର ନୁହେଁ । ଦେବବ୍ରତ ମାତାଙ୍କର ମତ ପରିବର୍ତ୍ତନ କରାଇବା ସକାଶେ କେତେ ଚେଷ୍ଟା କରିଛି; କିନ୍ତୁ ସୁଭଦ୍ରାଙ୍କର ସେହି ଏକଜିଦ୍‌, ବାସନ୍ତୀ ଭଳି କିରସ୍ତାନ କନ୍ୟାକୁ ସେ ନିଜର କୁଳବଧୂ କରିବେନାହିଁ । ଏପରି ଅବସ୍ଥାରେ ମା’ଙ୍କ ବିନାନୁମତିରେ ବାସନ୍ତୀକୁ ବିବାହ କରିବା ତାଙ୍କର ବିରୁଦ୍ଧାଚରଣ ହେବ । ବାସନ୍ତୀ ପରି ଦେବବ୍ରତ ମଧ୍ୟ ଅଳ୍ପ ବୟସରେ ପିତାଙ୍କୁ ହରାଇ ମାତାଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତ ହୋଇପଡ଼ିଥିଲା । ସେ ମାତାଙ୍କ ସହିତ ବିଦ୍ରୋହାଚରଣ କରିବାକୁ ସହସା ସାହସୀ ହେଲାନାହିଁ ।

 

ତାହାର ବିବାହ ପଥରେ ଦ୍ୱିତୀୟ ବାଧା–ସମାଜ ।

 

ସଂସାରରେ ମନ୍ଦଲୋକର ଅଭାବନାହିଁ । ପରର ନିନ୍ଦା ଓ ଅପବାଦରେ ଯେତେ ଲୋକ ସନ୍ତୁଷ୍ଟ ହୁଅନ୍ତି, ସେମାନଙ୍କ ସଂଖ୍ୟା କମ୍‌ ନୁହେଁ । କୌଣସି ରକମର ହୀନକାର୍ଯ୍ୟ ଏ ନିନ୍ଦୁକମାନଙ୍କର ସାଧ୍ୟାତୀତ ନୁହେଁ । ନିର୍ମଳା ଦେବୀ ନିଷ୍କଳଙ୍କ ଚରିତ୍ରା; କିନ୍ତୁ ସ୍ୱାମୀଙ୍କ ମୃତ୍ୟୁ ପରେ ଭଦ୍ରନାମଧାରୀ କେତେକ ପାଷାଣ୍ଡ ନିନ୍ଦୁକଙ୍କ କୃପାରୁ ତାଙ୍କ ନାମରେ ମଧ୍ୟ କୁତ୍ସିତ ଧରଣର ଅପବାଦ ରଟନା କରାହୋଇଥିଲା । ନିର୍ମଳା ଏ ସବୁ ଶୁଣିଥିଲେ କିନ୍ତୁ ବିଧବା ଏକାକିନୀ ଓ ଅସହାୟା । ଏପରି ଅବସ୍ଥାରେ ସେ ବା କ’ଣ କରିବେ ? ଦେଶର ଗଣ୍ୟମାନ୍ୟ ଲୋକେ ମଧ୍ୟ ଏହି ସବୁ ଅପବାଦକୁ ବିନା ବିଚାରରେ ସତ୍ୟ ବୋଲି ଗ୍ରହଣ କରି ନେଇଥିଲେ । ସେହି ହେତୁରୁ ନିର୍ମଳାଙ୍କ ଜୀବିତାବସ୍ଥାରୁ ବଳରାମବାବୁଙ୍କ ଘର ଅଜାତି ।

 

କୌଣସି ସାମାଜିକ ଅନୁଷ୍ଠାନରେ ସେମାନଙ୍କର ନିମନ୍ତ୍ରଣ ହେଉ ନଥିଲା । ଥରେ ନିର୍ମଳା ସ୍ୱତଃପ୍ରବୃତ୍ତ ହୋଇ କୌଣସି ଉଚ୍ଚଶିକ୍ଷିତ ଭଦ୍ରଲୋକଙ୍କ କନ୍ୟାର ବିବାହରେ ଯୋଗ ଦେଇଥିଲେ; କିନ୍ତୁ କନ୍ୟାପିତାଙ୍କର ଅମନୋଯୋଗ ଦେଖି ଓ କନ୍ୟାମାତାଙ୍କର ବକ୍ରୋକ୍ତି ଶୁଣି ସେ ପ୍ରତିଜ୍ଞା କରିଥିଲେ ଯେ ବିନା ନିମନ୍ତ୍ରଣରେ ଆଉ କୌଣସି ସାମାଜିକ ଅନୁଷ୍ଠାନରେ ଯୋଗ ଦେବେନାହିଁ । ନିମନ୍ତ୍ରଣ ତ କେହି କରୁ ନଥିଲେ । ଫଳରେ ନିର୍ମଳା ସେହିଦିନୁ ସମାଜର ବାହାରେ-। ଆମ ଦେଶର ବିଚିତ୍ର ସମାଜରେ ପିତାମାତାଙ୍କ ଅପରାଧ ସତ୍ୟ ହେଉ, ମିଥ୍ୟା ହେଉ; ତାହାର ଫଳ ସନ୍ତାନକୁ ଭୋଗ କରିବାକୁ ପଡ଼େ । ଫଳତଃ ସମାଜର କୋପଦୃଷ୍ଟି ବର୍ତ୍ତମାନ ବାସନ୍ତୀ ଉପରେ । ନିର୍ମଳାଙ୍କ ଶବ ଉଠାଇବାକୁ ଯେ କଟକର କରଣ ନେତାମାନଙ୍କର କଲେଜପାଠୁଆ ପୁଅମାନେ ରାଜି ହେଲେନାହିଁ, ଏହାହିଁ ତାହାର ପ୍ରଧାନ କାରଣ । ଅତଏବ ବାସନ୍ତୀକୁ ବିବାହ କଲେ ଦେବବ୍ରତକୁ ମଧ୍ୟ ସମାଜର କୋପଦୃଷ୍ଟିରେ ପଡ଼ିବାକୁ ହେବ । ଦେବବ୍ରତ କଦାପି ସମାଜର ଖାମଖେୟାଲିକୁ ଭୟ କରେନାହିଁ; କିନ୍ତୁ ଏଣେ ମାତା ବିପକ୍ଷରେ । ମାତାଙ୍କ ଇଚ୍ଛା ବିରୁଦ୍ଧରେ ବାସନ୍ତୀକୁ ବିବାହ କଲେ ସୁଦ୍ଧା କେତେଜଣ ସାମାଜିକମାନଙ୍କର ତ ସାହାଯ୍ୟ ଲୋଡ଼ା !

 

ଦେବବ୍ରତର ସବୁଠାରୁ ବେଶି ଦୁର୍ଭାବନାର ବିଷୟ ହେଲା–ବାସନ୍ତୀ ବର୍ତ୍ତମାନ ରହିବ କେଉଁଠାରେ ? ନିଜ ଘରେ ଏକା ରହିବା ତାହା ପକ୍ଷରେ ନିରାପଦ ନୁହେଁ । ସେ କଲ୍ୟାଣୀଙ୍କ ଘରେ ରହିପାରେ; ତଦ୍ଦ୍ୱାରା ସମାଜର ବିରୋଧ ବରଂ ବଢ଼ିଯିବ ।

 

ଏହିପରି ନାନାସମସ୍ୟାରେ ପଡ଼ି ଦେବବ୍ରତ ନିତାନ୍ତ ବିବ୍ରତ ହୋଇ ପଡ଼ିଥିଲା । କିନ୍ତୁ ସମସ୍ୟାର କୌଣସି ସମାଧାନ କରିପାରି ନଥିଲା । ରାତ୍ରି ଶେଷରେ ଶୀତଳ ବାୟୁରେ ତାହାର ନିଦ୍ରାକାତର ଚକ୍ଷୁ ଦିଓଟି ବୁଜି ହୋଇ ଆସିଥିଲା । ସେ ଚିନ୍ତା କରୁ କରୁ କେତେବେଳେ ଶୋଇ ପଡ଼ୁଥିଲା । ଏହି ହେତୁ ଶଯ୍ୟାତ୍ୟାଗ କରିବାକୁ ଆଜି ତାହାର ଏତେ ବିଳମ୍ୱ ଓ ଧନିଆର ଏତେ କଣ୍ଠନାଦ ।

 

ଧନିଆ ଚାଲିଗଲା ପରେ ଦେବବ୍ରତ ଖଟରେ ଶୋଇପଡ଼ି ପୁଣି ନିଦ୍ରାଭିଭୂତ ହେଲା; କିନ୍ତୁ ଅଳ୍ପକ୍ଷଣ ପରେ କାହାର ହସ୍ତର ସୁଖସ୍ପର୍ଶରେ ଜାଗି ଉଠି ଦେଖିଲା, ତାହାର ଅନ୍ତରଙ୍ଗ ବନ୍ଧୁ ଓ ସହକର୍ମୀ ରମେଶ ମହାପାତ୍ର ତାହା ପାଖରେ ଛିଡ଼ା ହୋଇ ତାହା ଦେହରେ ଆସ୍ତେ ଆସ୍ତେ କରାଘାତ କରୁଛି । ଦେବବ୍ରତ ଚକ୍ଷୁ ଖୋଲିଲା ମାତ୍ରକେ ରମେଶ କହିଲା, ‘‘ଦେବବ୍ରତ, କ’ଣ ହୋଇଛି ଶୁଣିଲଣି ?’’

 

ରମେଶ ପ୍ରଶ୍ନଟା ଏପରିଭାବରେ କଲା ଯେ ତଦ୍ଦ୍ୱାରା ଦେବବ୍ରତ ବାସ୍ତବିକ ଚମକି ପଡ଼ିଲା । ଏତେ ଦୁଶ୍ଚିନ୍ତା, ଦୁର୍ଭାବନା–ତାହା ଉପରେ ପୁଣି ଆହୁରି କ’ଣ ହୋଇଛି । ସେ ହଠାତ୍‌ ଉଠି ବସି ପଚାରିଲା, ‘‘କ’ଣ ହୋଇଛି ?’’

 

‘‘ବିଡ଼ାନାସୀର କୁମ୍ଭାରସାହି ପୋଡ଼ି ଛାରଖାର ହୋଇଯାଇଛି ।’’

 

‘‘କେବେ ଏମିତି ହେଲା ?’’

 

‘‘କାଲି ରାତିରେ ।’’

 

ଦେବବ୍ରତ ନିରୁପାୟ ଭାବରେ ବସି ଭାବିବାକୁ ଲାଗିଲା । ବିଧାତାଙ୍କର ଏ ନିଷ୍ଠୁରତା କାହିଁକି ? ନିର୍ଦ୍ଧନ ନିରନ୍ନ ଲୋକଗୁଡ଼ିକର କୁଡ଼ିଆଖଣ୍ଡିମାନ ଧ୍ୱଂସ କରି ନଥିଲେ ସୃଷ୍ଟିକର୍ତ୍ତାଙ୍କର ସୃଷ୍ଟି କ’ଣ ଚଳନ୍ତାନାହିଁ ?

 

ରମେଶ କହିଲା, ‘‘ବସି ବସି ଭାବିଲେ କ’ଣ ହେବ ? ଲୋକଗୁଡ଼ିକ ଏକାବେଳକେ ନିରାଶ୍ରୟ ହୋଇ ପଡ଼ିଅଛନ୍ତି । କିଛି ଉପାୟ ନ କଲେ ସେମାନଙ୍କର କଷ୍ଟର ସୀମା ରହିବନାହିଁ ।’’

 

ଅନ୍ୟ ଦିନ ହୋଇଥିଲେ ଦେବବ୍ରତର ମସ୍ତିଷ୍କରୁ ପ୍ରଥମ ଉପାୟ ବାହାରିଥାନ୍ତା; କିନ୍ତୁ ଆଜି ସେ କିଂକର୍ତ୍ତବ୍ୟବିମୂଢ଼ ଭାବରେ ପଚାରିଲା, ‘‘କି ଉପାୟ କରିବା ?’’

 

“ଚାଲ ଆଗେ ଘଟନା କ’ଣ ଦେଖିଆସିବା । ତାହା ପରେ ଯାହା ହେବ ଉପାୟ କରିବା-।”

 

ଏ ପ୍ରସ୍ତାବରେ ଦେବବ୍ରତର ମନଃପୂତ ହେଲା । ସେ ଶୀଘ୍ର ସମସ୍ତ କାର୍ଯ୍ୟ ଶେଷକରି ରମେଶ ସହିତ ସାଇକେଲରେ ବାହାରି ପଡ଼ିଲା । ଯିବା ପୂର୍ବରୁ ଧନିଆ କଥା ତାହାର ମନେପଡ଼ିଲା । ସେ ପରା କ୍ରନ୍ଦନରତା ବାସନ୍ତୀକୁ ସାନ୍ତ୍ଵନା ଦେବାକୁ ଯିବ ? ଦେବବ୍ରତ ଟିକିଏ ଇତସ୍ତତଃ ହେଲା । ସେ ମନେ ମନେ କହିଲା, ସେ ତ ସାଇକେଲରେ ଯାଉଛି, ଖୁବ୍‌ଅଳ୍ପ ସମୟ ମଧ୍ୟରେ ଫେରିଆସିପାରିବ । ବିଡ଼ାନାସୀରୁ ସେ ଫେରିଆସିଲେ ବାସନ୍ତୀ ନିକଟକୁ ଯିବ । ଏହି ଅଳ୍ପ ସମୟ ମଧ୍ୟରେ କ’ଣ ବା କ୍ଷତି ହେବ ?

 

ଦ୍ୱାରର ତାଲା ବନ୍ଦ କରି ଦେବବ୍ରତ ରମେଶ ସହିତ ବିଡ଼ାନାସୀ ଗଲା । ଦ୍ୱାର ବନ୍ଦ କରିବା ପୂର୍ବରୁ ସେ ହାତଯୋଡ଼ି ପ୍ରାଚୀର ଗାତ୍ରରେ ଲମ୍ୱମାନ ଖଣ୍ଡିଏ ପ୍ରତିକୃତିକୁ ଭକ୍ତିଭରେ ପ୍ରଣାମ କଲା । କାଠଯୋଡ଼ୀ ସଞ୍ଚାରୀ ମୃଦୁବାୟୁରେ ପ୍ରତିକୃତିର ମସ୍ତକ ଭାଗରେ ସ୍ଥାପିତ ପୁଷ୍ପଗୁଚ୍ଛଟି ଧୀରେ ଧୀରେ କମ୍ପିତ ହେବାକୁ ଲାଗିଲା ।

 

ଏ ପ୍ରତିକୃତି ଦେବବ୍ରତର ଆଦର୍ଶ ପିତା ନିମାଇଁବାବୁଙ୍କର ଯେ ବୁଢ଼ାବଳଙ୍ଗର ଖରସ୍ରୋତରେ ମଜ୍ଜମାନା ଗୋଟିଏ ଚଣ୍ଡାଳୁଣୀ ବାଳିକାର ପ୍ରାଣ ରକ୍ଷା କରିବାକୁ ଯାଇ ଆପଣାର ଅମୂଲ୍ୟ ପ୍ରାଣ ଅକାତରରେ ବିସର୍ଜ୍ଜନ କରିଥିଲେ ।

 

–ପାଞ୍ଚ–

 

‘‘ଆମର ବୋଧହୁଏ ବିଳମ୍ୱ ହେଲା । ଘରେ ତ ଆଉ ତିଳେ ଥାନ ଥିଲା ପରି ଦିଶୁନାହିଁ-। କାର୍ଯ୍ୟ କ’ଣ ଆରମ୍ଭ ହେଲାଣି କି ?’’

 

‘‘ମୁଁ କ’ଣ କରିବି ? ଅବଶ୍ୟ ମୋ ଯୋଗୁଁ ବିଳମ୍ୱ ହୋଇଛି; କିନ୍ତୁ ପେଟିନ୍‌ସାହି ବାଟେ ନ ଆସିଲେ ତ ନ ଚଳେ । କାଲି ସେଆଡ଼େ ଆଦୌ ଯାଇ ପାରି ନଥିଲି ।’’

 

ଏହିପରି କଥାବାର୍ତ୍ତା ହେଉ ହେଉ ଦେବବ୍ରତ ଓ ରମେଶ କଟକ ଟାଉନହଲ ଆଗରେ ଆସି ସାଇକେଲରୁ ଓହ୍ଲାଇଲେ । ଗାଡ଼ି ଦିଓଟିରେ ତାଲା ବନ୍ଦ କରି ପାଦ ଚିପି ଆସ୍ତେ ଆସ୍ତେ ପଛଦ୍ୱାର ବାଟେ ହଲ ମଧ୍ୟରେ ପ୍ରବେଶ କଲେ । ସେତେବେଳକୁ ଟାଉନହଲ ଲୋକାରଣ୍ୟ । ଚୌକି ଖାଲିଥିବା ଦୂରେଥାଉ, କେତେ ଲୋକ ଦୁଇ ଦୁଇଟା ଚୌକି ଯୋଡ଼ି ଦେଇ ତିନି ଜଣ ଲେଖାଏଁ ବସିଛନ୍ତି । ବେଞ୍ଚ ସବୁ ପୂର୍ଣ୍ଣ । ବାହାର ବାରଣ୍ଡାରେ ସ୍କୁଲଛାତ୍ର ପ୍ରଭୃତି ପ୍ରାୟ ଚାଳିଶ ପଚାଶ ଜଣ ଠିଆ । ରମେଶ ଦେଖିଲା ଘର ମଧ୍ୟରେ ସ୍ଥାନ ପାଇବାକୁ ଆଶା କରିବା ବୃଥା । ଠିକ୍‌ ଏହି ସମୟରେ ତାହାର ଜଣେ ସହପାଠୀ ସଙ୍କେତଦ୍ୱାରା ଡାକିବାରୁ ରମେଶ ଦେବବ୍ରତର ହାତ ଧରି ଟାଣି ନେଲେ । ଦୁହେଁ ଗୋଟିଏ ବେଞ୍ଚରେ ବହୁ କଷ୍ଟରେ ବସିଲେ । ସେତେବେଳକୁ ସଭାପତି ତାଙ୍କର ଗୁରୁଗମ୍ଭୀର ଭାବରେ ବକ୍ତୃତାର ଢେଉ ମେଲି ଦେଇଅଛନ୍ତି । ସେ ସାହିତ୍ୟ ସଙ୍ଗେ ଜାତୀୟଜୀବନର ସମ୍ୱନ୍ଧ ନେଇ ଆଲୋଚନା କରୁଥାନ୍ତି । ପିଲାଦିନୁ ଦେବବ୍ରତର ସାହିତ୍ୟ ଦିଗରେ ମନ । ଉତ୍କଳ ସାହିତ୍ୟର ସେବା କରିବାପାଇଁ ତାହାର ପ୍ରାଣରେ ବଡ଼ ଅଭିଳାଷ । ତେଣୁ ସେ ତନ୍ମୟ ହୋଇ ବକ୍ତୃତା ଶୁଣୁଥାଏ ।

 

ଆଜି ଉତ୍କଳ ସାହିତ୍ୟ ସମାଜର ବାର୍ଷିକ ଅଧିବେଶନ, ସଭାପତି ଶ୍ରୀଯୁକ୍ତ ବିଶ୍ୱନାଥ ଦାସ–ଯେପରି ପଣ୍ଡିତ, ସେହିପରି ସୁଲେଖକ । ଦାସଙ୍କ ନାମ ଓଡ଼ିଶାର ଶିକ୍ଷିତ ମହଲରେ ବିଶେଷଭାବରେ ଜଣା । ତାଙ୍କ ରଚନା ଯୁବକମାନଙ୍କୁ, ବିଶେଷତଃ ଭାବପ୍ରବଣ ଯୁବକମାନଙ୍କୁ ଭଲଲାଗେ । ବିଶ୍ୱନାଥବାବୁଙ୍କ ଲେଖନୀ ପ୍ରସୂତ ମୌଳିକ ପ୍ରବନ୍ଧ ଯେ କୌଣସି ସାହିତ୍ୟ ପକ୍ଷରେ ଗୌରବର କଥା । ଦାସଙ୍କର ବୟସ ସମ୍ଭବତଃ ବେଶି ନୁହେଁ, ଅନୁମାନ ଏଠାରେ କିନ୍ତୁ ପରାସ୍ତ ହୋଇଅଛି; କାରଣ ଚେହେରା ଦେଖିଲେ ମନେହୁଏ ତିରିଶ ଚାଳିଶ ମଧ୍ୟରେ; କିନ୍ତୁ ଆମ୍ଭେମାନେ ବିଶ୍ୱସ୍ତସୂତ୍ରରେ ଦାସଙ୍କ ଆତ୍ମୀୟ ଗୋବିନ୍ଦଠାରୁ ବୁଝିଅଛୁଁ ଯେ, ବାବୁଙ୍କୁ ପଚାଶ ପୂରି ଏକାବନ ଚାଲୁଅଛି । ମୁଣ୍ଡବାଳ ସେତେ ଧଳା ହୋଇନାହିଁ କିମ୍ୱା ଦାନ୍ତ ପଡ଼ିଯାଇ କଣ୍ଠସ୍ୱର କୌଣସି ପ୍ରକାର ବିକୃତ ହୋଇନାହିଁ । ସେ ବେଶ୍‌ ଓଜସ୍ୱିନୀ ଭାଷାରେ କହିପାରୁଛନ୍ତି ।

 

ପ୍ରାୟ ଦୁଇଘଣ୍ଟା ବ୍ୟାପୀ ଦୀର୍ଘ ଓ ସୁଚିନ୍ତିତ ବକ୍ତୃତା ପରେ ସଭାପତି ଘନଘନ କରତାଳି ମଧ୍ୟରେ ଆସନ ଗ୍ରହଣ କଲେ । ସେତେବେଳକୁ ଟାଉନ୍‌ହଲ ଘଣ୍ଟାରେ ସାଢ଼େ ଚାରିଟା । ଚିରନ୍ତନ ପ୍ରଥାନୁଯାୟୀ ସଭାସମିତି ସାଧାରଣତଃ ଛଅଟା ସାଢ଼େ ଛଅଟା ସମୟରେ ଆରମ୍ଭ ହୋଇଥାଏ । ମାତ୍ର ଏହି କେତେଦିନ ହେଲା କଟକରେ ପ୍ରାୟ ସବୁଦିନ ସନ୍ଧ୍ୟାବେଳେ ବର୍ଷା ହେଉଅଛି । ତେଣୁ ସାହିତ୍ୟ ସମାଜର ଉଦ୍ୟୋକ୍ତାମାନେ ରବିବାର ଦିବା ଦୁଇଘଟିକା ସମୟରେ ବାର୍ଷିକ ଅଧିବେଶନ କରିବାକୁ ସ୍ଥିର କରି ଆଗରୁ ବିଜ୍ଞାପନ ଦେଇଥିଲେ ।

 

ସଭାପତିଙ୍କ ଅଭିଭାଷଣ ପରେ ପୁରସ୍କାର ପ୍ରଦାନ । ପ୍ରତିବର୍ଷ ସାହିତ୍ୟ ସମାଜ ପକ୍ଷରୁ କେତେଗୁଡ଼ିଏ ପ୍ରବନ୍ଧର ବିଷୟ ଓ ତନ୍ମିମନ୍ତେ ଉତ୍କୃଷ୍ଟ ପୁରସ୍କାରର ମୂଲ୍ୟ ସମ୍ୱାଦପତ୍ର ସାହାଯ୍ୟରେ ପ୍ରକାଶ କରାଯାଏ । ଏ ବର୍ଷ ମଧ୍ୟ ସେହିପରି ହୋଇଥିଲା । ତାହାରି ଫଳରେ ସମ୍ପାଦକ କେତେ ଆଡ଼ୁ କେତେ ଲେଖା ପାଇଥିଲେ । ନିର୍ଦ୍ଦିଷ୍ଟ ପ୍ରବନ୍ଧ ମଧ୍ୟରୁ ‘‘ପ୍ରେମ ଓ ସାହିତ୍ୟ’’ ବିଷୟରେ ଆମ୍ଭମାନଙ୍କ ଦେବବ୍ରତ ଗୋଟିଏ ରଚନା ଲେଖିଥିଲା । ସେ ଅବଶ୍ୟ ତିନି ଚାରି ମାସ ତଳର କଥା-। ସେତେବେଳକୁ ନିର୍ମଳା ଦେବୀ ଜୀବିତା । ଦେବବ୍ରତ ତାଙ୍କ ଘରକୁ ନିଃସଙ୍କୋଚ ଭାବରେ ଯିବା ଆସିବା କରୁଥାଏ । କଲେଜ ଘଣ୍ଟା ଶେଷହେବା ମାତ୍ରକେ ସେ ନିଜ କୋଠରୀରେ ବହି ଦି’ଖଣ୍ଡ ଫୋପାଡ଼ି ଦେଇ ସାଇକେଲ ଧରି ବୋର୍ଡିଂରୁ ବାହାରି ପଡ଼େ ଏକାବେଳକେ ପେଟିନ୍‌ସାହି । ନିର୍ମଳାଙ୍କ ଘରେ ଜଳଯୋଗ, ବାସନ୍ତୀ ସଙ୍ଗେ ହାସ୍ୟକୌତୁକ ଓ ମିଷ୍ଟାଳାପ, କ୍ରୀଡ଼ାଗାରରେ କିଞ୍ଚିତ୍‌ ବ୍ୟାୟାମ ଓ ନଦୀତୀରରେ ଭ୍ରମଣ ପରେ ସେ ହଷ୍ଟେଲକୁ ଫେରିଆସେ । ଦେବବ୍ରତର ଗୋଟାଏ ଝୁଙ୍କ ସେ ସନ୍ଧ୍ୟାବେଳେ କିଛି ସମୟ କବିତା ପଢ଼ିବ, ତା’ପରେ ଅନ୍ୟ କାମ । ଶେଲି, କିଟ୍‌ସ୍‌ ବାଇରନ୍‌ ତାହାର ଅଦରର ବସ୍ତୁ; ବ୍ରାଉନିଂ, ଉଆର୍ଡ଼ସ୍‌ଆର୍ଥ କାଳିଦାସ ତାହାର ନମସ୍ୟ । ବାସନ୍ତୀ ପ୍ରତି ହୃଦୟ ଅଧିକ ଆକୃଷ୍ଟ ହେବା ସଙ୍ଗେ ସଙ୍ଗେ କବିତାର ଉନ୍ମାଦନା ଆସ୍ତେ ଆସ୍ତେ ବଢ଼ୁଥାଏ । ଏହିପରି ଏକଦିଗରେ ସାହିତ୍ୟ ଓ ଅପର ଦିଗରେ ବାସନ୍ତୀ ସଙ୍ଗେ ପ୍ରେମ ସହିତ ଦେବବ୍ରତର ସମ୍ପର୍କ ଦିନକୁଦିନ ଘନିଷ୍ଠତର ହେବାକୁ ଲାଗିଲା । ଏହି ସମୟରେ ‘‘ଉତ୍କଳ ଦୀପିକା’’ ବଡ଼ ବଡ଼ ଅକ୍ଷରରେ କ୍ରମାଗତ ଦୁଇ ଥର ସାହିତ୍ୟ ସମାଜର ପୁରସ୍କାର ଓ ପ୍ରବନ୍ଧ ଘୋଷଣା କଲା । ଦେବବ୍ରତର ପ୍ରେମ ଓ ସାହିତ୍ୟରେ ଉଦ୍‌ବୁଦ୍ଧ ପ୍ରାଣ ‘‘ପ୍ରେମ ଓ ସାହିତ୍ୟ’’ ବିଷୟ ମନୋନୀତ କଲା । ସେ କୌଣସିଠାରେ ଢକ୍‌କା ନ ବଜାଇ ପ୍ରବନ୍ଧଟିଏ ଲେଖି ସମ୍ପାଦକଙ୍କ ନିକଟକୁ ପ୍ରେରଣ କରିଥିଲା-। ଅର୍ଥ ବା ପୁରସ୍କାର ପାଇଁ ନୁହେଁ,–ସ୍ୱତଃ ଇଚ୍ଛା ଓ ଆନନ୍ଦ ହେତୁରୁ ଦେବବ୍ରତର ଏ ପ୍ରୟାସ; କିନ୍ତୁ ମନୁଷ୍ୟର ମନ ବଡ଼ ଅଥୟ । ନିଜ ଚେଷ୍ଟା ଓ କର୍ମର ଫଳାଫଳ ପ୍ରତି ନିଜର ଅଜ୍ଞାତସାରରେ ଦୃଷ୍ଟି ରହିଥାଏ । ଅଥଚ ପ୍ରବନ୍ଧ ପଠାଇବା ପରେ ଦେବବ୍ରତ ପ୍ରାୟ ଏକପ୍ରକାର ସେ କଥା ଭୁଲିଯାଇଥିଲା-। ନିର୍ମଳାଙ୍କ ମୃତ୍ୟୁ ପରେ ଦେବବ୍ରତ ନାନାଦିଗରେ ବିବ୍ରତ ହୋଇ ଚିନ୍ତା ଓ ଉତ୍କଣ୍ଠାରେ ଦିନାତିପାତ କରୁଥିବା କଥା ପାଠକମାନଙ୍କୁ ଅବିଦିତନାହିଁ । ତା’ ହୃଦୟରେ ସ୍ୱାଭାବିକ ସରସତା ମ୍ଳାନ ହୋଇଯାଇଛି । ଗ୍ରୀଷ୍ମଋତୁରେ ଖରସ୍ରୋତା କାଠଯୋଡ଼ୀର କ୍ଷୀଣଧାରସଦୃଶ ପ୍ରେମ ମନ୍ଦାକିନୀ ତାହାର ଚିନ୍ତାରଶ୍ମିରେ ପ୍ରାୟ ଶୁଷ୍କ; କିନ୍ତୁ ତାହା ଗ୍ରୀଷ୍ମାନ୍ତେ ଘନପ୍ରାବୃଟର ବାରିଧାରାରେ ଅସମ୍ଭାଳ ରୂପ ସ୍ଫୀତ ହେବାର ଏ ଯେ ପୂର୍ବ ଲକ୍ଷଣ ! ନିର୍ମଳା ଦେବୀଙ୍କ ମୃତ୍ୟୁର ତୃତୀୟ ଦିବସରେ ବିଡ଼ାନାସୀରେ ଯେଉଁ ଆକସ୍ମିକ ଅଗ୍ନିକାଣ୍ଡ ଘଟିଯାଇଛି, ସେଥିରେ ଦେବବ୍ରତ ଅଧିକ ବିବ୍ରତ ହୋଇ ପଡ଼ିଛି । ସତେ ଯେପରି ମାତୃବିୟୋଗ ସଙ୍ଗେ ସଙ୍ଗେ ସେ ଗୃହଶୂନ୍ୟ ହୋଇଯାଇଛି । ଏସବୁ ସତ୍ତ୍ୱେ ଆଜି ସକାଳେ ବିଡ଼ାନାସୀରୁ ଫେରିବାବେଳେ ରମେଶ ସାହିତ୍ୟ ସମାଜର ବାର୍ଷିକୋତ୍ସବ ପ୍ରସଙ୍ଗ ଉଠାଇବାରୁ ଦେବବ୍ରତ କହିଲା, ‘‘ଗଲେ ମନ୍ଦ ହୁଅନ୍ତାନାହିଁ–କିନ୍ତୁ ଚାରିଆଡ଼େ ଯେ ବିପଦ ଘେରି ରହିଛି, ସେଥିରେ ଆଉ ଉତ୍ସବ ଭଲଲାଗୁନାହିଁ । ତୁମେ ଯାଅ, ମୁଁ ଯିବିନାହିଁ ।’’ ରମେଶ କୌଶଳକ୍ରମେ ବିଶ୍ୱନାଥବାବୁଙ୍କ ପରି ପଣ୍ଡିତ ସଭାପତି, ସାହିତ୍ୟ ପ୍ରତି କର୍ତ୍ତବ୍ୟ ଇତ୍ୟାଦି କଥା କହି ଦେବବ୍ରତକୁ ଯିବାପାଇଁ ମଙ୍ଗାଇ ନେଲା । ଚଉଧୁରୀ ବଜାର ଛକରୁ ଦୁଇଜଣ ଦୁଇ ଦିଗରେ ଗଲେ-। ରମେଶ ବସାରେ ସ୍ନାନହାର ଶେଷକରି ପ୍ରାୟ ଗୋଟାଏ ବେଳକୁ କଲେଜ ହଷ୍ଟେଲରେ ଉପସ୍ଥିତ । ଦେବବ୍ରତର ‘‘ରୁମ୍‌’’ କିନ୍ତୁ ତଥାପି ବନ୍ଦ ଥାଏ । ସେ ଆଉ ଗୋଟାଏ ଘରେ ବସି ଦେବବ୍ରତର ବିପକ୍ଷବାଦୀ କେତେଜଣଙ୍କ ସଙ୍ଗେ କଥାବାର୍ତ୍ତା ହେଉଥାଏ । ନିଜ ସଙ୍ଗୀର ମହତ୍ତ୍ୱ ସେମାନଙ୍କୁ ଦେଖାଇବାକୁ ସେ ପ୍ରୟାସ କରୁଥିଲା । ଏହି ସମୟରେ ଦେବବ୍ରତର ଘର ଖୋଲିବାର ଶବ୍ଦ ଶୁଣି ହଠାତ୍‌ ଉଠି ଆସିଲା । ସେତେବେଳକୁ ଦୁଇଟା ।

 

ଧନିଆକୁ ଦେଇଥିବା କଥା ରଖିବା ଉଦ୍ଦେଶ୍ୟରେ ଓ ନିଜ ମନର ଶାନ୍ତିପାଇଁ ଦେବବ୍ରତ ରମେଶଠାରୁ ବିଦାୟ ନେଇ ବାସନ୍ତୀ ନିକଟକୁ ଯାଇଥିଲା । ଦୁଇ ତିନି ଘଣ୍ଟା ପରେ ବର୍ତ୍ତମାନ ଫେରୁଛି । ପାଠକ ବେଶ୍‌ ବୁଝିପାରୁଛନ୍ତି, ଦେବବ୍ରତ ଏ ପର୍ଯ୍ୟନ୍ତ ସ୍ନାନାହାର କରିନାହିଁ । ସାଇକେଲ ରଖିଦେବା ପରେ ଦୁଇ ବାଲ୍‌ଟି ପାଣି ମୁଣ୍ଡରେ ଢାଳି ଦେଇ ସେ ଲମ୍ୱେ ଲମ୍ୱେ ରୋଷାଇ ଘରକୁ ଗଲା । ଦୁଇମିନିଟ୍‌ରେ ଖିଆପିଆ ଶେଷ ହେଲା । ରମେଶ ଓ ତାହାର ସଙ୍ଗୀ ଟାଉନହଲ ଉଦ୍ଦେଶ୍ୟରେ ବାହାରିଲେ । ଦେବବ୍ରତ ଯେ ସାହିତ୍ୟ ସମାଜକୁ ପ୍ରବନ୍ଧ ଦେଇଛି, ସେ କଥା ରମେଶ ଘୂଣାକ୍ଷରରେ ସୁଦ୍ଧା ଜାଣି ନଥିଲା । ହଠାତ୍‌ ନିଜ ଅଭିଭାଷଣ ପରେ ସଭାପତି ପୁରସ୍କାରପ୍ରାପ୍ତ ଲେଖକମାନଙ୍କ ମଧ୍ୟରେ ‘‘ଦେବବ୍ରତ ମହାନ୍ତି, ରେଭେନ୍‌ସା କଲେଜ’’ ନାମ ପଢ଼ିବାର ଶୁଣି ରମେଶ ଏକାବେଳକେ ଚମକି ପଡ଼ିଲା । ତତ୍‌କ୍ଷଣାତ୍‌ କହୁଣିରେ ଦେବବ୍ରତକୁ ଠେଲିବା ସଙ୍ଗେ ସଙ୍ଗେ ତା’ ମୁହଁରୁ ହାରିପଡ଼ିଲା ‘‘ତୁମେ ! ଏଁ–’’ ଦେବବ୍ରତ ମଧ୍ୟ ଅବାକ୍‌ । ସେ କେବଳ ସ୍ମିତହାସ୍ୟଦ୍ୱାରା ରମେଶକୁ ଉତ୍ତର ପ୍ରଦାନ କରି ଆସ୍ତେ ଆସ୍ତେ ସଭାପତିଙ୍କ ମଞ୍ଚ ନିକଟକୁ ଗଲା । ଦାସ ମହାଶୟ ଅର୍ଦ୍ଧଶତ ମୁଦ୍ରାପୂର୍ଣ୍ଣ ଗୋଟିଏ ଧଳା ରେଶମୀ ଥଳି ବଢ଼ାଇ ଦେବାପରେ ଦେବବ୍ରତ ଫେରିଆସୁଥିଲା; କିନ୍ତୁ ସଭାପତିଙ୍କ ଇଙ୍ଗିତରେ ଆଉ କିଛିକ୍ଷଣ ସେଠାରେ ତା’ର ଠିଆ ହେବା ଆବଶ୍ୟକ ହେଲା ।

 

ସଭାପତି କହିଲେ, ‘‘ଦେବବ୍ରତବାବୁ ‘ପ୍ରେମ ଓ ସାହିତ୍ୟ’ ସମ୍ୱନ୍ଧରେ ଗୋଟିଏ ଅତି ଉତ୍କୃଷ୍ଟ ପ୍ରବନ୍ଧ ଲେଖି ଅଛନ୍ତି । ପ୍ରବନ୍ଧଟିରେ ଯଥେଷ୍ଟ ମୌଳିକତା ରହିଅଛି । ସାହିତ୍ୟ ସମାଜର ଜନୈକ ସଭ୍ୟ ସେହି ପ୍ରବନ୍ଧ ପାଠ କରି ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ଷାଠିଏ ଟଙ୍କାର ଏହି ଥଳିଟି ଦେବବ୍ରତବାବୁଙ୍କୁ ଅଧିକା ପୁରସ୍କାର ସ୍ୱରୂପ ଦେବାକୁ ମୋତେ ଅନୁରୋଧ କରିଅଛନ୍ତି । ଦେବବ୍ରତବାବୁ, ମୁଁ ଗଭୀର ଆନନ୍ଦର ସହ ଏହା ଆପଣକୁ ଅର୍ପଣ କରୁଅଛି ।’’ ଏହା କହି ସଭାପତି ଆଉ ଗୋଟିଏ ନାଲିଆ ଥଳି ଦେବବ୍ରତ ହାତକୁ ବଢ଼ାଇଦେଲେ ।

 

ସେ ତାହା ଗ୍ରହଣ କରି ନିଜ ସ୍ଥାନକୁ ଫେରିଆସିଲା । ସଙ୍ଗେ ସଙ୍ଗେ ଘନ ଘନ କରତାଳି । ସେ ଆଓ୍ୟାଜରେ ଦେବବ୍ରତର ମୁଖନିସୃତ ‘‘କଦାପି ଆଶା କରି ନଥିଲି ।’’ କଥାଟି ରମେଶର କର୍ଣ୍ଣରେ ପ୍ରବେଶ କରିବାର ସୁଯୋଗ ପାଇପାରିଲାନାହିଁ ।

 

କୌଣସି କୌଣସି ସଭ୍ୟଙ୍କ ମନ୍ତବ୍ୟ ଓ ଅବଶେଷରେ ସଭାପତିଙ୍କୁ ଧନ୍ୟବାଦ ଅର୍ପଣ ପରେ ଅଧିବେଶନ କାର୍ଯ୍ୟ ପ୍ରାୟ ସାଢ଼େ ପାଞ୍ଚଟାବେଳକୁ ସମାପ୍ତ ହେଲା । ବାରନ୍ଦାକୁ ଆସିବା ସଙ୍ଗେ ସଙ୍ଗେ ଦେବବ୍ରତର ସହପାଠୀ, ପରିଚିତ ବନ୍ଧୁ କେତେ ଜଣ ତାକୁ ଘେରିଯାଇ କେହି ଭୋଜିପାଇଁ ଦାବି, କେହି ଆନନ୍ଦରେ କରମର୍ଦ୍ଦନ, କେହି ସ୍ନେହାଧିକ୍ୟବଶତଃ ମୁଷ୍ଟାଘାତଦ୍ୱାରା ତାହା ପ୍ରତି ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କଲେ । ଏ ସୋହାଗ ସମ୍ଭାଷଣ ଭିତରେ ଦେବବ୍ରତ ରମେଶଠାରୁ ବିଦାୟ ନେଇ ଆସ୍ତେ ଆସ୍ତେ ପୁଣି ପେଟିନ୍‌ସାହି ଆଡ଼େ ଯାତ୍ରା କଲା । ଗଲାପୂର୍ବରୁ ରମେଶ ହାତକୁ ଟଙ୍କା ଥଳି ଦୁଇଟା ବଢ଼େଇ ଦେଇ କହିଲା, ୟାକୁ ବିଡ଼ାନାସୀର ଲୋକଙ୍କ ସେବାରେ ଲଗାଅ । ଭଗବାନ ତାଙ୍କରିପାଇଁ ଅକସ୍ମାତ୍‌ ଏହା ଦାନ କରିଅଛନ୍ତି ।

 

ସେତେବେଳେ ଦେବବ୍ରତ ମନରେ ନାନାପ୍ରକାର ଭାବ ଖେଳୁଛି । ଆଶାତୀତ ସମ୍ମାନ ଓ ପୁରସ୍କାର ଲାଭ କଲେ ହୃଦୟରେ ଗର୍ବମିଶ୍ରିତ ଆନନ୍ଦ ଜାତ ହେବାର କଥା; ମାତ୍ର ଦେବବ୍ରତର କ’ଣ ହୋଇଥିଲା, ଆମ୍ଭେମାନେ କହିପାରିବୁନାହିଁ । ମନୋବିଜ୍ଞାନବିତ୍‌ ନିକଟରେ ଥିଲେ ସେ ଅବା ମୀମାଂସା କରିଥାଆନ୍ତେ । ଆଜିକାଲି ସେ ସବୁବେଳେ ଅନ୍ୟମନସ୍କ । ଗୋଟାଏ ବଡ଼ ଭାବନାରେ ତାହାର ମୁଣ୍ଡ ଘୁରୁଛି । ବାସନ୍ତୀ ପ୍ରତି ତାହାର କର୍ତ୍ତବ୍ୟ କ’ଣ ? ସେ ବାସନ୍ତୀ ବିଷୟରେ ଯାହାକୁ ଲୋକଚକ୍ଷୁର ଅନ୍ତରାଳରେ ନିଜର କରିସାରିଛି କ’ଣ କରିବ ସ୍ଥିର କରିପାରୁନାହିଁ । ସମସ୍ତ ଦୁଶ୍ଚିନ୍ତା ପଛକୁ ପକାଇ ନିର୍ମଳାଙ୍କ ମୃତ୍ୟୁ ପରେ ପ୍ରତିଦିନ ପ୍ରାୟ ଦୁଇ ତିନିଥର ବାସନ୍ତୀ ନିକଟକୁ ଯାଇ ଧନିଆ ଓ ସୁନୀତିଠାରୁ ସୁବିଧା ଅସୁବିଧା କଥା ବୁଝି ଆସୁଥାଏ–ଘରେ କ’ଣ ଅଛି, କ’ଣ ନାହିଁ ଖବର ନେଉଥାଏ; କିନ୍ତୁ କଲ୍ୟାଣୀଙ୍କ ଅକୃତ୍ରିମ ସ୍ନେହ ଓ ଚେଷ୍ଟା ଯୋଗୁଁ ଦେବବ୍ରତକୁ ସେ ସମ୍ୱନ୍ଧରେ ସେପରି ଜଞ୍ଜାଳ ଭୋଗ କରିବାକୁ ପଡ଼ୁ ନଥିଲା । କଲ୍ୟାଣୀଙ୍କ ସଙ୍ଗେ ତା’ର ସାକ୍ଷାତ ହୁଏ–ଦୁହେଁ ଦୁହିଁଙ୍କି ଉଦ୍ଦେଶ୍ୟ ପୂର୍ଣ୍ଣ ଦୃଷ୍ଟିରେ ଅନାଇ କେତେଟା କଥାବାର୍ତ୍ତା ହୋଇ ବିଦାୟ ନିଅନ୍ତି । କଲ୍ୟାଣୀଙ୍କର ମଧ୍ୟ ଚିନ୍ତା, ବାସନ୍ତୀର କ’ଣ ହେବ । ପୂର୍ବ ଘଟଣାବଳୀ ଯେପରି ହୋଇଯାଇଛି, ସେଥିରେ ବାସନ୍ତୀ ଏକପ୍ରକାର ଅଜାତି; କିନ୍ତୁ କଲ୍ୟାଣୀଙ୍କର ଗୋଟାଏ ଭରସା ଅଛି । ନ ହେଲା ବେଳକୁ ଖ୍ରୀଷ୍ଟାନ ବା ବ୍ରାହ୍ମସମାଜ ତ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିଛି । ବାସନ୍ତୀ ରୂପ–ଗୁଣ–ସମ୍ପନ୍ନା-। ଯେ କୌଣସି ଗୃହ ପକ୍ଷରେ ସେ କଲ୍ୟାଣମୟୀ ଲକ୍ଷ୍ମୀ ହେବ । ସ୍ୱଜାତି ଘୃଣା କଲେ ବାସନ୍ତୀ ଅନାଥା ହେବାର ସେତେ ଆଶଙ୍କାନାହିଁ । ଏହା କଲ୍ୟାଣୀଙ୍କର ବଡ଼ ଭରସା । ସେ ଦମ୍ଭ ଧରିଥାନ୍ତି ।

 

ଦେବବ୍ରତ କଲ୍ୟାଣୀଙ୍କ ନିକଟରେ ଏକ ପ୍ରହେଳିକା । ସେ ତାକୁ ବୁଝିପାରନ୍ତିନାହିଁ । ଅନେକ ଥର କଥାଛଳରେ ଦେବବ୍ରତର ମନୋଭାବ ବୁଝିବାପାଇଁ ପ୍ରୟାସ କରି ବିଫଳ ହୋଇଅଛନ୍ତି । ଭାବନ୍ତି, ତାହାର ଇଚ୍ଛା ଥିଲେ ସେ ପ୍ରତ୍ୟକ୍ଷ ନ ହେଲେ ପରୋକ୍ଷ ଭାବରେ ତ ଇଙ୍ଗିତ ଦେଇ ସାରନ୍ତାଣି; କିନ୍ତୁ ସେ ବିଷୟ ନେଇ ଏଇ କେତେଦିନ ହେଲା ଦେବବ୍ରତର ମନରେ ଯେ କି ଆନ୍ଦୋଳନ ଚାଲିଛି, ତାହାର ଇସାରା କଲ୍ୟାଣୀ କାହୁଁ ପାଇବେ ? ଦେବବ୍ରତ ଭାବି ଦେଖିଲାଣି ଯେ ବାସନ୍ତୀକୁ ଗ୍ରହଣ ବା ତ୍ୟାଗ କରିବା ଛଡ଼ା ମଧ୍ୟମ ଉପାୟନାହିଁ । ଗ୍ରହଣ କରିବାରେ ଢେର ବାଧା–ସମାଜର ନିର୍ଯ୍ୟାତନା ଅବଶ୍ୟମ୍ଭାବୀ । ତ୍ୟାଗ କରିବା କାପୁରୁଷତା । ସେ ଯାହାହେଉ, ଆପାତତଃ ବାସନ୍ତୀ ସମ୍ୱନ୍ଧରେ କି ବ୍ୟବସ୍ଥା କରିବା ଉଚିତ, ତାହାହିଁ ବର୍ତ୍ତମାନ ତାହାର ପ୍ରଧାନ ଚିନ୍ତାର ବିଷୟ ହୋଇଉଠିଛି । ବାସନ୍ତୀ ରହିବ କେଉଁଠାରେ ? ନିଜ ଘର ନିରାପଦ ନୁହେଁ–କଲ୍ୟାଣୀଙ୍କ ଘର ସୁବିଧାଜନକ ନୁହେଁ । ଏହିପରି ନାନାଚିନ୍ତା କରୁ କରୁ ସାଇକେଲ ପେଟିନ୍‌ ସାହିର ଗୋଟିଏ ଫାଟକ ପାଖରେ ଆସି ଉପସ୍ଥିତ ହେଲା । ଦେବବ୍ରତ ଅଗଣା ଭିତରକୁ ଯାଇ ଦେଖିଲା ଚମ୍ପା ଖମ୍ୱକୁ ହାତଦେଇ ଠିଆ ହୋଇଛି ।

 

‘‘ତୁମେ କେତେବେଳେ ?’’

 

‘‘ମା’ଙ୍କ କଥା ଶୁଣି ଅଭିକା ଆସୁଛି । କାଲି ଦିପହରେ ଜାଣିଲି । ଆହା ! ବାସ ଅପାଙ୍କୁ ଯାହା ଏ ଯୋଗ ଥିଲା ! ଧନ୍ୟରେ ଦଇବ !’’

 

‘‘ତୁମକୁ ଗୋଟାଏ କଥା କହେ । ଆଜିକାଲି କେଉଁଠି ଅଛ ! ମନ୍ମଥବାବୁଙ୍କ ଘରେ ? ତାଙ୍କର ତ ଆଉ ଚାକରବାକର ଥିବେ । ଏଠା ଅବସ୍ଥା ତ ଦେଖୁଛ । କେହି ନାହାନ୍ତି । ତୁମେ ଏ ଘରେ ଚଳିଛ । ଯଦି ରହନ୍ତ, ତେବେ ତୁମ ବାସ ଅପାଙ୍କର ଟିକିଏ ସୁବିଧା ହୁଅନ୍ତା । କ’ଣ କହୁଛ-?’’

 

କହିବି ଆଉ କ’ଣ ? ‘‘ମା’ ସାନ୍ତାଣୀ ଥିଲାବେଳେ....’’ ଚମ୍ପା କାନ୍ଦିବାକୁ ଆରମ୍ଭ କଲା ।

 

‘‘ଛାଡ଼ ସେ କଥା ! ଯାହା ତ ହେବାର ହେଲାଣି । ଏବ କଥା ପଡ଼ିଛି । ତୁମେ ରହ ।’’

 

‘‘ମୁଁ କାଲିଠୁଁ ଆସି ରହିବି–ପିଲାଦିନୁ ବାସ ଅପାକୁ ବଢ଼ାଇ ଆଣିଛି.... ।’’ ପୁଣି ଚମ୍ପା କାନ୍ଦିବାକୁ ଲାଗିଲା । ନିର୍ମଳାଙ୍କ ନାରୀହୃଦୟ ସମସ୍ତଙ୍କୁ ବଶ କରିଥିଲା । ତାଙ୍କ ସ୍ନେହ ଦୟାରେ ବନ୍ଧୁବାନ୍ଧବ, ଚାକର ପୂଝାରୀ ସମସ୍ତେ କିଣା ହୋଇଥିଲେ । ଆଜି ଚମ୍ପାର ପୂର୍ବସ୍ମୃତି ସବୁ ମନେପଡ଼ିଯାଉଛି । ବାସନ୍ତୀକୁ ଚାହିଁଲେ ମା’ ସାନ୍ତାଣୀଙ୍କ ମୁହଁ ଦିଶିଯାଏ । ସ୍ନେହର କ’ଣ ମୂଲ୍ୟ ନାହିଁ ? ମମତାର ବନ୍ଧନ କ’ଣ ଏତେ ଶିଥିଳ ? ନିର୍ମଳାଙ୍କ ଅସ୍ୱଚ୍ଛଳ ଅବସ୍ଥା ଯୋଗୁଁ ଚମ୍ପା ସେଠାରୁ ବିଦାୟ ନେଇ ମନ୍ମଥବାବୁ ସବ୍‌ଜଜଙ୍କ ଘରେ ଥିଲା । ସେଠା କାମଦାମ ସାରି ଖରାବେଳେ ମଝିରେ ମଝିରେ ନିର୍ମଳାଙ୍କ ଘରଆଡ଼େ ଆସୁଥାଏ । ପୂର୍ବର ପରିଚିତ ଘରଦ୍ୱାର, ଗଛଲତା ପୁଣି ନିମନ୍ତ୍ରଣ କରୁଛି । ଚମ୍ପା ଗଉଡ଼ଣୀ ହେଉପଛେ, ସେ ନାରୀ । ଯୌବନାବସ୍ଥାରୁ ବିଧବା । ଘରନାହିଁ କି ପିଲାପିଲି ନାହାନ୍ତି । ନିଜ ପେଟ ଚାଖଣ୍ଡକ ପୂରିଲେ ହେଲା । ସବ୍‌ଜଜଙ୍କ ଘର ଧନସମ୍ପତ୍ତି, ସାଜସଜ୍ଜା ତାହାର ଲୋଡ଼ା କ’ଣ ? ପୁଣି ଆସି ବାସ ଅପାଙ୍କ ପାଖରେ ରହିବାପାଇଁ ତାହାର ଆପତ୍ତି କାହିଁକି ହେବ ? ବରଂ ନିର୍ମଳା ଦେବୀଙ୍କ ସ୍ନେହ ବନ୍ଧନ ଟାଣୁଛି ।

 

ଚମ୍ପାଠାରୁ ସମ୍ମତି ପାଇ ଦେବବ୍ରତ ଘର ଭିତରକୁ ଯାଇ ଦେଖିଲା, ବାସନ୍ତୀ ନିର୍ମଳା ଦେବୀଙ୍କ ପ୍ରତିକୃତି ନିକଟରେ ଦୀପଟିଏ ରଖି ହାତଯୋଡ଼ି ଠିଆ ହୋଇ ରହିଛି । ଅଶ୍ରୁଧାରାରେ ଛାତି ଉପର ଲୁଗା ତିନ୍ତି ଗଲାଣି । କିଛିକ୍ଷଣ ପରେ ଗୋଟିଏ ଦୀର୍ଘନିଃଶ୍ୱାସ ଦ୍ୱାରଦେଶରେ ଦଣ୍ଡାୟମାନ ଦେବବ୍ରତର ହୃଦୟର ଅନ୍ତରତମ ପ୍ରଦେଶରେ ଆଘାତ କରି ବହିର୍ଦ୍ଦେଶର ବାୟୁ ସଙ୍ଗେ ଲୀନ ହୋଇଗଲା ।

 

ଠିକ୍‌ ଏହି ସମୟରେ ‘‘କିଲୋ ଚମ୍ପା, କେତେବେଳେ ? ବଉଳ କାହିଁ ?’’ କହି ସୁନୀତି ଘରଭିତରକୁ କ୍ଷିପ୍ରଗତିରେ ଆସିଲାବେଳକୁ ଦ୍ୱାରପାର୍ଶ୍ୱରେ ‘‘ଦେବବାବୁ, ବସୁନାହ’’ କହି ଠିଆ ହୋଇଗଲା । ବାସନ୍ତୀର ଧ୍ୟାନଭଙ୍ଗ କରିବାକୁ ଏହି ଗୋଳମାଳ ଯଥେଷ୍ଟ । କ୍ଷୀଣସ୍ୱରରେ ମା’ଙ୍କ ଉଦ୍ଦେଶ୍ୟରେ କ’ଣ କହି ସେ ଆଖି ପୋଛି ପୋଛି ବାରନ୍ଦାକୁ ବାହାରି ପଡ଼ିଲା । ସୁନୀତି ଧନିଆଠାରୁ ଲଣ୍ଠନଟା ଆଣିବା ଅବସର ମଧ୍ୟରେ ଦେବବ୍ରତ ଓ ବାସନ୍ତୀ ଅଗଣାରେ ଯୁଇ ବୁଦା ପଥରପିଣ୍ଡି ଉପରେ ଯାଇ ବସିଲେ । ଆକାଶ ନିର୍ମଳ-ଶାରଦୀୟ ଚନ୍ଦ୍ରର ଶୀତଳ କୋମଳ ଅସ୍ତ୍ର ପ୍ରୟୋଗଦ୍ୱାରା ବାଦଲ ସୈନ୍ୟ ପରାଜିତ ହୋଇ ପୃଷ୍ଠଭଙ୍ଗ ଦେଇଅଛନ୍ତି–କମନୀୟ ଶୁଭ୍ର ଆଲୋକରେ ଧରାବକ୍ଷର ମଳିନତା ଘୁଞ୍ଚିଯାଇଛି; କିନ୍ତୁ ଏ ସମସ୍ତ ଆକର୍ଷଣୀୟ ଶକ୍ତି ଦିଓଟି ନବୀନ ହୃଦୟ ପକ୍ଷରେ ପ୍ରଭାବଶୂନ୍ୟ । ଆକାଶରୁ ମେଘ ଭୟରେ ଆସି ଦେବବ୍ରତ ଓ ବାସନ୍ତୀର ମୁଖମଣ୍ଡଳରେ ଶରଣ ପଶିଛି–ଚନ୍ଦ୍ର ସେଠାରେ ପରାସ୍ତ ତାହାର ସାଧ୍ୟନାହିଁ ସେ ବାଦଲ ଫଟାଇବାକୁ । ଦୁହେଁ ନୀରବ ହୋଇ ବସିଛନ୍ତି । ମନ ଚିନ୍ତାମଗ୍ନ । ବାସନ୍ତୀ ଦେବବ୍ରତ ପ୍ରତି ଦୃଷ୍ଟି ନିକ୍ଷେପ କରି ବସିଥିଲେ ସୁଦ୍ଧା ତା’ର ମନ ଅନ୍ୟତ୍ର । କୌଣସି ଗୋଟାଏ ମୀମାଂସା ପାଇବ ବୋଲି ଆଶାକରି ଦେବବ୍ରତ ଛାତ ଆଡ଼କୁ ଅନାଇ ରହିଥାଏ । ବାସନ୍ତୀ ଏକାବେଳକେ ଦୁଃଖରେ ଅଭିଭୂତା-। କୌଣସି ଗୋଟାଏ ନିର୍ଦ୍ଦିଷ୍ଟ ବିଷୟରେ ଚିନ୍ତା କରିବା ଅବସ୍ଥାଠାରୁ ସେ ବହୁ ଦୂରରେ । ବର୍ତ୍ତମାନ ଘଟଣାଚକ୍ରରେ ସେ କେଉଁଠାରେ, ତାହା ଭାବି ସ୍ଥିର କରିବାପାଇଁ ସେ ଅକ୍ଷମ । ଦେବବ୍ରତ ମଧ୍ୟ ସେହି ଘୂର୍ଣ୍ଣିବାୟୁରେ ପଡ଼ିଛି । ସେ ଅବସ୍ଥା ବୁଝି ବାସନ୍ତୀକୁ ରକ୍ଷା କରିବାର ଉପାୟ ଖୋଜିବାରେ ବ୍ୟସ୍ତ । ହାୟ, ଇଚ୍ଛାମାତ୍ରକେ ଯଦି ମନୁଷ୍ୟର ଫଳ ଲାଭ ହେଉଥାନ୍ତା !

 

ସୁନୀତିର ଉପସ୍ଥିତିରେ ଦୁହିଁଙ୍କର ଚିନ୍ତାଭଗ୍ନ ହେଲା । ଅଳ୍ପ ସମୟରେ କଲ୍ୟାଣୀ ଗୋଟିଏ ଥାଳି ହାତରେ ଧରି ଆସି ପହଞ୍ଚିଲେ । ବାସନ୍ତୀପାଇଁ କିଛି ଜଳଖିଆ ଆଣିଥାନ୍ତି । ଅନ୍ୟ ଦୁଇଜଣ ମଧ୍ୟ ସେଥିରେ ଅଂଶୀଦାର ହେଲେ । ଅନେକ ସମୟରେ ଇଚ୍ଛା ବା ସ୍ପୃହା ନଥିଲେ ସୁଦ୍ଧା ଘଟଣାଚକ୍ରରେ ପଡ଼ି ମନୁଷ୍ୟକୁ କେତେ କଥା କହିବାକୁ ହୁଏ । ‘‘ସାହିତ୍ୟ ସମାଜ’’ ‘ପୁରୀ ଜିଲ୍ଲାରେ ଫସଲହାନି ଯୋଗୁଁ ଦୁର୍ଭିକ୍ଷର ଆଶଙ୍କା,’ ବିଡ଼ାନାସୀର ଘରପୋଡ଼ି’ ଇତ୍ୟାଦି କଥା ଗୋଟିକ ପରେ ଗୋଟିଏ ହୋଇଉଠିଲା । ବାସନ୍ତୀ ନିମନ୍ତେ ସମସ୍ତେ ଦୁଃଖଭାର ହୃଦୟକନ୍ଦରରେ ଲୁଚାଇ ରଖି ହାଲୁକା କଥା କହୁଥାନ୍ତି । ଦେବବ୍ରତର ଐନ୍ଦ୍ରଜାଲିକ ପ୍ରଭାବରୁ ବାସନ୍ତୀ ସାଂସାରିକ କଠୋର ବାସ୍ତବତାର ଉପରକୁ ଉଠିଯାଏ; କିନ୍ତୁ ବେଳେବେଳେ ତାହାର ଆଶ୍ୱାସନା କୋମଳ ବ୍ୟବହାର, ସ୍ନେହମୟ କଥାରେ ଦୁଃଖର ଉଜାଣି ସ୍ରୋତ ଅଭିମାନିନୀ ବାସନ୍ତୀର ହୃଦୟକୁ କ୍ଷୁବ୍‌ଧ କରି ପକାଏ-। ଅଶ୍ରୁପାତଦ୍ୱାରା ସେ ଅସମ୍ଭାଳ ଶୋକ କିଞ୍ଚିତ୍‌ ଶାନ୍ତ କରେ ମାତ୍ର ।

 

ନିଜର ତୁଚ୍ଛ ପୁରସ୍କାର ଲାଭର କଥା କହି ଚତୁଃପାର୍ଶ୍ୱର କରୁଣତା ଭଙ୍ଗ କରିବାକୁ ଦେବବ୍ରତର ଇଚ୍ଛା ହେଲାନାହିଁ । ସେ କିଛିକ୍ଷଣ ପରେ ସମସ୍ତଙ୍କଠୁଁ ବିଦାୟ ନେଇ ହଷ୍ଟେଲକୁ ଫେରିଲା ।

 

–ଛଅ–

 

ପରଦିନ କଲେଜରୁ ଆସି ଦେବବ୍ରତ ପେସ୍କାର ନବଘନବାବୁଙ୍କ ନିକଟକୁ ଗଲା । ଉଦ୍ଦେଶ୍ୟ ଦଶାହ ଶ୍ରାଦ୍ଧର ଆୟୋଜନ ବିଷୟରେ ପରାମର୍ଶ କରିବା । ଆଡ଼ମ୍ୱରବିହୀନ ସାମାନ୍ୟ ଆୟୋଜନ ନିମନ୍ତେ ତାଲିକା ପ୍ରସ୍ତୁତ କରିବାକୁ ବେଶି ସମୟ ଲାଗିଲାନାହିଁ । ବଳରାମବାବୁ ଡେପୁଟି ଥିବା ସମୟରେ ନବଘନ ଦାସ ତାଙ୍କର ପେସ୍କାର ଥିଲେ । ବାବୁଙ୍କ ବ୍ୟବହାରରେ ମୁଗ୍ଧ ଥାଇ ସେ ଦକ୍ଷତାର କାର୍ଯ୍ୟ ଚଳାଇଥିଲେ । ସେଥିପାଇଁ ବଳରାମବାବୁ ମଧ୍ୟ ତାଙ୍କ ଉପରେ ଖୁବ୍‌ ପ୍ରୀତ ଥିଲେ । କେତେ ଥର ଦାସଙ୍କର ଡେପୁଟିବାବୁଙ୍କ ଘରେ ଆହାରର ବ୍ୟବସ୍ଥା ହୋଇଅଛି । ସେ ଯୋଗୁଁ ବଳରାମବାବୁଙ୍କ ପରିବାରରେ ଦାସେ ଅପରିଚିତ ନୁହନ୍ତି । ପ୍ରତିବର୍ଷ ମହରମ ଓ ବାଲିଯାତ୍ରା ଦିନ କେତେ ସୁନ୍ଦର ସୁନ୍ଦର ମାଟିଜିନିଷ ଆଣି ବାସନ୍ତୀକୁ ଦାସେ ଉପହାର ଦେବାର ଆମ୍ଭେମାନେ ଜାଣୁ । ଡେପୁଟିବାବୁଙ୍କ ମୃତ୍ୟୁ ପରେ ନବଘନବାବୁ ନିର୍ମଳାଙ୍କ ଘରକୁ ପ୍ରାୟ ଆସୁଥିଲେ । ଭଲମନ୍ଦ ଟିକିଏ ବୁଝାସୁଝା କରିବାକୁ ସେ କୁଣ୍ଠିତ ହେଉ ନଥିଲେ । ବଳରାମବାବୁଙ୍କ ଅନୁଗ୍ରହରେ ଦାସଙ୍କର ଦରମା ବଢ଼ିଥିବା ଯୋଗୁଁ ସେ ତାଙ୍କର ଏକାନ୍ତ ଅନୁରକ୍ତ ଥିଲେ । ନିର୍ମଳାଙ୍କର କୌଣସି ପ୍ରକାର ସାହାଯ୍ୟ କରିବାର ସୁବିଧା ସେ ଖୋଜି ବୁଲୁଥିଲେ । ଆଜି ଏ ଶୋକର ଦିନରେ ବାସନ୍ତୀ ପ୍ରତି ତାଙ୍କର କର୍ତ୍ତବ୍ୟ ସେ ଭୁଲିନାହାନ୍ତି । ଦେବବ୍ରତ ସଙ୍ଗେ ତାଲିକା ପ୍ରସ୍ତୁତ କରିବାରେ ସେ ଲାଗିଗଲେ । ଠିକ୍‌ ହେଲା, ଆଗାମୀ ଶନିବାର ଓ ସୋମବାର ନବଘନବାବୁ ଛୁଟି ନେବେ । ଛୁଟି ମଧ୍ୟ ମିଳିଲା । ଶନିବାରଠାରୁ ଦାସେ ପ୍ରାୟ ବାସନ୍ତୀଙ୍କ ଘରେ । କଲ୍ୟାଣୀଙ୍କ ପରାମର୍ଶରେ କାର୍ଯ୍ୟ କରୁଥାନ୍ତି । ବାସନ୍ତୀକୁ ସାନ୍ତ୍ୱନା ଦେବାପାଇଁ ତାଙ୍କର ଯତ୍ପରୋନାସ୍ତି ଚେଷ୍ଟା । ଦେବବ୍ରତ ରବିବାର ଦିନ ଆଠଟାବେଳେ ବଜାରରୁ ଜିନିଷପତ୍ର ସମସ୍ତ ଗାଡ଼ିରେ ନେଇ ଉପସ୍ଥିତ ହେଲା । କଲ୍ୟାଣୀ ବିସ୍ମିତ ହେଲେ । ଦାସେ ମଧ୍ୟ ତଦ୍ରୁପ । ବାସନ୍ତୀ ତାହାର ଦେବଭାଇକୁ ଅନାଇ ମୂକ ହୋଇ ଠିଆ ହୋଇ ରହିଛି । ଧନିଆ ଗାଡ଼ିବାଲାକୁ ସାହାଯ୍ୟ କଲା ଓ ଚମ୍ପା ଜିନିଷପତ୍ର ଯଥାସ୍ଥାନରେ ରଖିବାରେ ଲାଗିପଡ଼ିଲା । କଲ୍ୟାଣୀ ବିଚାରୁଥାନ୍ତି ଦେବବ୍ରତ ଟଙ୍କା ପାଇଲେ କେଉଁଠୁ ? ଜମିଦାର ପିଲା ଘରୁ ଅବା ଆଣିଥିବେ; କିନ୍ତୁ ତାଙ୍କ ମାଆ ଯେ ୟାଙ୍କ ଘର ଉପରେ ଚିଡ଼ନ୍ତି । ବାସନ୍ତୀ ଅବା ଦେଇଥିବ । ତାହେଲେ ସେ କ’ଣ ଜାଣିପାରି ନଥାନ୍ତେ ? ଏହିପରି ପ୍ରଶ୍ନୋତ୍ତର ତାଙ୍କ ମନରେ ଉଦିତ ହେଉଥାଏ । ନବଘନବାବୁଙ୍କୁ ପାଖରେ ଦେଖି ପଚାରିଲେ, ‘‘ଆପଣ ଦେବବ୍ରତଙ୍କୁ ଟଙ୍କା ଦେଇଥିଲେ କି ?’’

 

‘‘ନା ତ, ମତେ ସେ ବିଷୟ କିଛି କହିଲେନାହିଁ !’’ ଏଥିରେ ଉଭୟଙ୍କର କୌତୁହଳ ବଢ଼ିଗଲା; କିନ୍ତୁ ବାସନ୍ତୀ ଦେବଭାଇଙ୍କୁ ଏତେ ନିକଟକୁ ନେଇଅଛି ଯେ ଶୁଷ୍କ ଲୋକଚାର ବା ତୁମର ମୋର ପାର୍ଥକ୍ୟ ସେଠାରୁ ବିଦାୟ ଘେନିଅଛି । ସେଥିପାଇଁ ଗୋଟାଏ ସାମାନ୍ୟ ଲିମନ୍‌ଜୁସ ବାସନ୍ତୀକୁ ଦେବାପାଇଁ ଦେବବ୍ରତ ଅପ୍ରତିଭ ବୋଧକରେ ନାହିଁ କିମ୍ୱା ପାଚିଲା ପିଜୁଳି ବାସନ୍ତୀ ଯାଚିଲେ ସେ କୁଣ୍ଠିତ ନ ହୋଇ କ୍ଷିପ୍ରଗତିରେ ସେ ଖଣ୍ଡ ଗଳାଧଃକରଣ କରେ । ଆଜି ଦେବଭାଇଙ୍କୁ ଏତେ ଜିନିଷ ଆଣିବାର ଦେଖି ବାସନ୍ତୀ ମନରେ ଟଙ୍କାର ପ୍ରଶ୍ନ ଆଦୌ ଉଠି ନଥିଲା-

 

ଦଶାହକ୍ରିୟା ଯଥାବିଧି ସମ୍ପନ୍ନ ହେବାରେ କେହି ତ୍ରୁଟି କରିନାହାନ୍ତି । ଶ୍ରାଦ୍ଧରେ କେତେକ ଭିନ୍ନ ଜାତୀୟଭଦ୍ରବ୍ୟକ୍ତି ଓ ମହିଳା ଆମନ୍ତ୍ରିତ ହୋଇ ଯୋଗ ଦେଇଥିଲେ । ଆମ୍ଭମାନଙ୍କର ପରିଚିତ କିରାନୀବାବୁ ନିର୍ମଳା ଶବ ସତ୍କାର ଦିନର ପ୍ରତିଶ୍ରୁତି ମନେରଖି ତେଲେଙ୍ଗାବଜାରର କରଣ ଭଦ୍ରଲୋକ ଦୁହିଁଙ୍କପାଇଁ ଭୂରିଭୋଜନର ବ୍ୟବସ୍ଥା କରିବାକୁ ଭୁଲି ନଥିଲେ ।

 

ବର୍ତ୍ତମାନ ଗୋଳମାଳ କମି ଆସିଲାଣି । ମା’ ଯିବାର ପନ୍ଦର ଷୋଳ ଦିନ ହେଲାଣି । ନିଜ ଅବସ୍ଥାର ପ୍ରକୃତ ଚିତ୍ର ବର୍ତ୍ତମାନ ବାସନ୍ତୀ ଦେଖିପାରିଛି । ସୁନୀତି ପ୍ରାୟ ସବୁବେଳେ ବଉଳ ପାଖରେ ଥାଏ, କଲ୍ୟାଣୀ ବାରମ୍ୱାର ଆସୁଥାନ୍ତି, ଦେବବ୍ରତ ଆଜିକାଲି ନିୟମ କଲାପରି ପ୍ରତିଦିନ ଅନ୍ତତଃ ଥରେ ଲେଖାଏଁ ଆସେ । ଏ ସବୁ ସତ୍ତ୍ୱେ ବାସନ୍ତୀକୁ ସମୟ ଖାଇ ଗୋଡ଼ାଉଛି, ଗୋଟାଏ ଅଭାବ ସେ ସବୁବେଳେ ଅନୁଭବ କରୁଛି । ସୁନ୍ଦର ଆବରଣ ମଧ୍ୟରେ କୌଣସି କଠୋରତାର ତୀବ୍ର ଗନ୍ଧ ପାଇ ସେ ଅଶାନ୍ତି ବୋଧ କରୁଥାଏ, ଭାବେ, ଦେବଭାଇଙ୍କୁ ଗୋଟାଏ ଦୁଇଟା କଥା ସାଫ ସାଫ ପଚାରିବ; କିନ୍ତୁ ତାହା ଘଟି ଉଠେନାହିଁ । କ’ଣ କରିବ, ସେ ବିଷୟରେ ପରାମର୍ଶ ସ୍ପଷ୍ଟଭାବରେ ଲୋଡ଼ିବାପାଇଁ ମଧ୍ୟ ସେ ସଙ୍କୋଚ ବୋଧ କରେ । ଦେବବ୍ରତ ଏ ସମସ୍ତ ବୁଝିପାରିଲାଣି । କୌଣସି ପ୍ରକାର ବାସନ୍ତୀକୁ ସ୍ଥାନାନ୍ତରିତ କରିବା ଆବଶ୍ୟକ ବୋଲି ସେ ଠିକ୍‌ କରିଛି । ବାସନ୍ତୀ ମଧ୍ୟ ପିଲା ନୁହେଁ । ଶିକ୍ଷା ଓ ଅନୁଶୀଳନରେ ତାହାର ବୁଦ୍ଧି ପରିମାର୍ଜିତ । ଆଜି ଯୌବନର ଦୋଳାରେ ଦୋଦୁଲ୍ୟମାନା ବାସନ୍ତୀ ମାତୃବିୟୋଗରେ ବ୍ୟଥିତ ହେବା ସଙ୍ଗେ ସଙ୍ଗେ ଅନ୍ୟ ଏକ ଆକାଙ୍‌କ୍ଷା ହୃଦୟ ମଧ୍ୟରେ ଲୁଚାଇ ରଖିଅଛି । ଦେବବ୍ରତର ମାତାଙ୍କ କଥା ସେ ଜାଣେ ଓ ଅନ୍ୟାନ୍ୟ ଅନେକ କଥା ତାକୁ ଅବିଦିତନାହିଁ । ଯାହାହେଉ, ଏ ସବୁରେ ସେ ଏକାବେଳକେ ହତାଶ ନୁହେଁ । ମାତୃଦୁଃଖରେ କାତରା ବାସନ୍ତୀ ଆସ୍ତେ ଆସ୍ତେ ଅବସ୍ଥାର ଉପଯୋଗୀ ହେବା ନିମନ୍ତେ ପ୍ରୟାସ କରୁଅଛି । ପିଲାଟିଦିନୁ ନାରୀ ସ୍ୱାତନ୍ତ୍ର୍ୟପାଇଁ ତାହାର ଚେଷ୍ଟା, ନିଜକୁ ଆଧୁନିକ ଯୁଗ ସକାଶେ ପ୍ରସ୍ତୁତ କରିବାର ବାସନା ତାହାର ରହିଅଛି । ସେହି ହେତୁରୁ ମା’ ଓ କଲ୍ୟାଣୀ ସାହାଯ୍ୟରେ ସେ ମନଦେଇ ପଢ଼ାଶୁଣା କରୁଥିଲା । ଦେବ ଭାଇ କଥାବାର୍ତ୍ତାରେ, ଚିଠିପତ୍ରଦ୍ୱାରା ତାକୁ ଦିନକୁ ଦିନ ନୂତନ ଆଲୋକ ପଥରେ ଅଗ୍ରସର କରାଉଥିଲେ । କେତେଥର ସାଇକେଲ ଆଗରେ ନୂଆ ନୂଆ ବହି ବାନ୍ଧି ଚାରି ପାଞ୍ଚଟାବେଳେ ବଜାର ମଧ୍ୟରେ ଯାଉଥିବାର ଆମ୍ଭେମାନେ ଦେବବ୍ରତକୁ ଦେଖିଅଛୁଁ । ଭାବିଥିଲୁଁ, ପାଠ୍ୟ ପୁସ୍ତକ ହେବ; ମାତ୍ର ଠିକ୍‌ ସେହି ରଙ୍ଗଢ଼ଙ୍ଗର ବହି ବାସନ୍ତୀର ଆଲମାରୀ ଦେଖି ଆମର କୌତୁହଳ ଉଦ୍ଦୀପ୍ତ ହୋଇଥିଲା । ଗୁପ୍ତଭାବରେ ଅନୁସନ୍ଧାନ କରି ବୁଝିଲୁଁ ଯେ ସେ ସମସ୍ତ ଦେବଭାଇଙ୍କର ‘ବାସ’କୁ ଉପହାର ଦିଆହୋଇଅଛି । ଆଜି ବାସନ୍ତୀ ଖରାବେଳେ ସେଥିରୁ ଖଣ୍ଡେ ବହି କାଢ଼ି ଶୋଇ ଶୋଇ ଓଲଟାଉ ଥିଲା । ଏହି ସମୟରେ ସାଇକେଲ ଶବ୍ଦ ଶୁଣି କାନ ଡେରିଲାବେଳକୁ ଦେବବ୍ରତ ଦୁଆର ମୁହଁରେ । ବାସନ୍ତୀ ବହି ପକାଇ ଦେଇ ଉଠି ଠିଆ ହେଲା । ଦୁହେଁ ଦୁଇଟି ଚୌକିରେ ବସିଲେ । ଏଆଡ଼ୁ ସେଆଡ଼ୁ କେତେ କଥା ପଡ଼ିଲା । ପରେ ପ୍ରସଙ୍ଗକ୍ରମେ ଦେବବ୍ରତ କହିଲା, ‘‘ସେତ ଠିକ୍‌ କଥା । ତୁମକୁ କ’ଣ କିଏ ମନାକଲା କି ? ଘରେ ବସି ରହିବା ଅପେକ୍ଷା ସ୍କୁଲକୁ ଗଲେ ତ ଆହୁରି ସୁବିଧା । ତୁମେ ଯିବ ?’’

 

‘‘ସ୍କୁଲକୁ ? ଭଲ ହୁଅନ୍ତା ସତ; କିନ୍ତୁ ଦେବଭାଇ, ତୁମେ କ’ଣ ବୁଝିପାରୁ ନାହଁ ଅସୁବିଧା କେତେ ?’’

 

ବନ୍‌ସିରେ ଲାଗିଲେ ଯେଡ଼େ ମାଛ ହେଉପଛକେ କେଉଟ ତାକୁ କୂଳକୁ ବଙ୍କାଇ ବଙ୍କାଇ ଆଣିବାର ଚେଷ୍ଟା କରେ । ସେ ଚେଷ୍ଟା ଅନେକ ସମୟରେ ସଫଳ ହୁଏ ମଧ୍ୟ । ଦେବବ୍ରତ ସୁବିଧା ପାଇ ବାସନ୍ତୀକୁ କୌଶଳରେ ବୁଝାଇବାକୁ ଲାଗିଲା । ସରଳ ଭାବରେ ପାରିପାର୍ଶ୍ୱିକ ଅବସ୍ଥାର କିଞ୍ଚିତ୍‌ ଆଭାସ ତାକୁ ଦେବାର ଏହା ଉପଯୁକ୍ତ ଅବସର । ଦେବବ୍ରତର ଚେଷ୍ଟା ବିଫଳ ହେଲାନାହିଁ । ଶିକ୍ଷାଭିଳାଷିଣୀ ବାସନ୍ତୀ ତାହାର ପୂର୍ବ ପରିଚିତ ସ୍କୁଲକୁ ପୁଣି ଯିବାପାଇଁ ଅବଶେଷରେ ସ୍ୱୀକୃତି ଦେଲା । ଦେବବ୍ରତର ଇଚ୍ଛାପୂର୍ଣ୍ଣ, ଆନନ୍ଦ ଉଲ୍ଲାସ ତାହାର ମୁଖମଣ୍ଡଳରେ ଖେଳିଯିବା ସ୍ୱାଭାବିକ । କଲ୍ୟାଣୀ ଏ ପ୍ରସ୍ତାବରେ ଖୁବ୍‌ ଖୁସି ହୋଇ ସୁନୀତି ସଙ୍ଗେ ବାସନ୍ତୀର ସ୍କୁଲକୁ ଯିବାର ସ୍ଥିର କଲେ ।

 

ସୁନୀତି ବାଳିକା ସ୍କୁଲକୁ ଯାଉଥାଏ; କିନ୍ତୁ ବାସନ୍ତୀ ପ୍ରାୟ ଦୁଇବର୍ଷ ହେଲା ସ୍କୁଲ ଛାଡ଼ିଥିଲା । କାରଣ ଅନୁମାନ କରିବା କଷ୍ଟକର ହେବନାହିଁ । ନିଜର ସ୍ୱାଧୀନ ମତିରେ ଚଳିବାକୁ ବଳରାମବାବୁ ଖୁବ୍‌ ପସନ୍ଦ କରିଥିଲେ । ପତି ଅନୁରକ୍ତା ନିର୍ମଳା ମଧ୍ୟ ସେହିପରି ଭାବରେ ନିଜକୁ ଗଢ଼ିଥିଲେ; ମାତ୍ର ସମାଜକୁ ଏକାବେଳକେ ଉପେକ୍ଷା କରିବା ସହଜ କଥା ନୁହେଁ । ବିଶେଷତଃ ବାସନ୍ତୀର ବିବାହ ବ୍ୟବସ୍ଥା କରିବାକୁ ହେବ । ଯେତେହେଲେ କରଣ ଝିଅ କରଣ ଘରକୁ ତ ଯିବା ଦରକାର । ସେତେବେଳେ ସମାଜରେ ସ୍ତ୍ରୀଶିକ୍ଷାର ଆରମ୍ଭ ମାତ୍ର । ଅନେକ ଲୋକ ଏହାର ବିରୋଧୀ । ଏହିପରି ନାନାଚିନ୍ତାରେ ପ୍ରାପ୍ତବୟସ୍କା ବାସନ୍ତୀକୁ ବଳରାମବାବୁ ଘରେ ଶିକ୍ଷା ଦେବାକୁ ଆରମ୍ଭ କଲେ । ସେହିଦିନୁ ସେ ଆଉ ସ୍କୁଲକୁ ଯାଇନାହିଁ । ଦେବବ୍ରତର ନୈତିକ ସାହସ ଯଥେଷ୍ଟ ଅଛି । ନ୍ୟାୟପଥରେ ଯିବା ତାହାର ଧର୍ମ । ସମାଜ ନିନ୍ଦା ଭୟରେ କୌଣସି ସାଧୁ ଉଦ୍ଦେଶ୍ୟ ତ୍ୟାଗ କରିବା ତାହାର ସ୍ୱଭାବବିରୁଦ୍ଧ । ତେଣୁ ବାସନ୍ତୀକୁ ସ୍କୁଲକୁ ପଠାଇବା ପାଇଁ ଆଜି ସେ ଆଗଭର । ତାହାର ଅଟଳ ମନ ନିକଟରେ ବାସନ୍ତୀର ଇତସ୍ତତଃ ଭାବ ପରାଜିତ ହେଲା ।

 

ସ୍କୁଲ ଯିବା ସ୍ଥିର ହେଲା; କିନ୍ତୁ ଦେବବ୍ରତ ସେଥିରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ନୁହେଁ । ବହୁ ଚିନ୍ତା ପରେ ସେ ସ୍ଥିର କରି ରଖିଛି ଯେ, ବାସନ୍ତୀ ସ୍କୁଲ ବୋର୍ଡିଂରେ ରହିବାର ବ୍ୟବସ୍ଥା ହୋଇପାରିଲେ ସବୁଆଡ଼ୁ ଭଲ ହେବ । ସେଥିରେ ଅବଶ୍ୟ ରକ୍ଷଣଶୀଳ ହିନ୍ଦୁ ନେତାମାନେ ଚମକି ପଡ଼ି ପାରନ୍ତି; କିନ୍ତୁ ବର୍ତ୍ତମାନ ଅବସ୍ଥାରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବାର ଆଶା ବିଡ଼ମ୍ୱନା । ସ୍କୁଲ ହଷ୍ଟେଲରେ ରହିବା ବାସନ୍ତୀ ପକ୍ଷରେ ସୁବିଧାଜନକ ଓ ନିରାପଦ । ସେଥିରେ ଦେବବ୍ରତ ମଧ୍ୟ ଆଂଶିକଭାବରେ ନିଶ୍ଚିତ ହୋଇପାରିବା ସମ୍ଭବ । ତେଣୁ ଆପାତତଃ ଏହି ଆୟୋଜନ କରିବା ତାହାର ଇଚ୍ଛା । ଆଜି ଏ କଥା ଉତ୍ଥାପନ ଉଦ୍ଦେଶ୍ୟରେ ଦେବବ୍ରତ ବାସନ୍ତୀ ସଙ୍ଗେ କଥାବାର୍ତ୍ତା ଆରମ୍ଭ କରିଥିଲା । ଫଳରେ ଯାହା ହେଲା, ପାଠକେ ଜାଣନ୍ତି । ହଷ୍ଟେଲରେ ରହିବା କଥାଛଳରେ କହି ଦେବବ୍ରତ ବୁଝିପାରିଲା ଯେ ବାସନ୍ତୀ ତହିଁରେ ସେତେ ଅସ୍ୱୀକୃତା ହେବନାହିଁ । କିନ୍ତୁ କଲ୍ୟାଣୀଙ୍କର ସେଭଳି ଇଚ୍ଛା ନଥିବା ସେ ଅନୁମାନ କଲା । ତେଣୁ ଆଂଶିକଭାବରେ ସଫଳ–ମନୋରଥ ହୋଇଥିଲେ ମଧ୍ୟ କ୍ଷୁଣ୍ଣମନରେ ଦେବବ୍ରତ ସେଦିନ ସନ୍ଧ୍ୟାରେ ପେଟିନ୍‌ ସାହିରୁ ଫେରିଲା ।

 

ସେ ବାଟରେ ସ୍ଥିର କଲା ଯେ ତାହାର ମାସିକ ଖର୍ଚ୍ଚ ପଚାଶ ଟଙ୍କାରୁ ଅନ୍ତତଃ କୋଡ଼ିଏ ଟଙ୍କା କମାଇ ବାସନ୍ତୀର ପଢ଼ାଖର୍ଚ୍ଚ ପାଇଁ ଦେବ । ନାନାପ୍ରକାର ଚାନ୍ଦା ଓ ମାସିକ ପତ୍ରର ଦେୟପାଇଁ ମିତବ୍ୟୟୀ ଦେବବ୍ରତ ପ୍ରତି ମାସରେ ଖର୍ଚ୍ଚ ଟଙ୍କାରୁ କିଛି କିଛି ପୋଷ୍ଟଅଫିସ୍‌ ସେଭିଂସ୍‌ ବ୍ୟାଙ୍କରେ ଗଚ୍ଛିତ ରଖୁଥାଏ । କୋଡ଼ିଏ ଟଙ୍କା ସରିକି ବାସନ୍ତୀକୁ ଦେଇ ଅଣ୍ଟନିଅଣ୍ଟ ବେଳକୁ ଗଚ୍ଛିତ ଅର୍ଥର ସାହାଯ୍ୟ ନେବା ତାହାକୁ ଯୁକ୍ତିଯୁକ୍ତ ବୋଧ ଦେଲା; କିନ୍ତୁ ଏହା ବାସନ୍ତୀ ନିକଟରେ ଲୁଚାଇ ରଖିବା ତାହାର ଉଦ୍ଦେଶ୍ୟ । ସେଥିପାଇଁ ପଢ଼ାପଢ଼ିରେ ଅସୁବିଧା କଥା ଉଠିଲାବେଳେ ବାସନ୍ତୀକୁ ସେ ଅନିଚ୍ଛା ସତ୍ତ୍ୱେ ଗୋଟିଏ ଖାଣ୍ଟି ମିଛ କଥା କହିଲା । ଯେତେବେଳେ ବଳରାମବାବୁଙ୍କ ପ୍ରଭିଡେଣ୍ଟ ଫଣ୍ଡରୁ ସମସ୍ତ ପ୍ରାପ୍ୟ ମିଳିଲା, ସେତେବେଳେ ନିର୍ମଳା ଦେବୀ ବାସନ୍ତୀର ଭବିଷ୍ୟତ ପାଇଁ ବ୍ୟାଙ୍କରେ ଏକ ହଜାର ଟଙ୍କା ଦେବବ୍ରତ ନାମରେ ରଖି ଅଛନ୍ତି ବୋଲି ଦେବବ୍ରତ ନିକଟରୁ ଶୁଣି ବାସନ୍ତୀ ଅବିଶ୍ୱାସ କଲାନାହିଁ । ଅବିଶ୍ୱାସ କରିବ ବା କାହିଁକି ? ମା’ ଦେବଭାଇ ନାମରେ ଟଙ୍କା ରଖିବା ଆଶ୍ଚର୍ଯ୍ୟ ନୁହେଁ । ଘରପାଖ ଜମିବାଡ଼ିର ଆୟ ଯଥେଷ୍ଟ ନଥିବାରୁ ନିର୍ମଳା ସ୍ୱାମୀଙ୍କ ମୃତ୍ୟୁ ପରେ ଟିକିଏ ବିଶେଷଭାବରେ ମିତବ୍ୟୟୀ ହୋଇ ଚଳୁଥିଲେ । ଏପରି କି ନିଅଣ୍ଟ ହେବାରୁ ଚାକରାଣୀକୁ ମଧ୍ୟ ବିଦାୟ ଦେଇ ଘରକାମ ନିଜେ ଆରମ୍ଭ କରିଥିଲେ । ଏତେ ଅସୁବିଧା ସ୍ଥଳରେ କନ୍ୟାପାଇଁ ଟଙ୍କା ଅଲଗା ରଖିଥିବାର ଶୁଣି ବାସନ୍ତୀ ଆଉ ସମ୍ଭାଳି ପାରିଲାନାହିଁ, ଗଦ୍‌ଗଦ ହୋଇ କାନ୍ଦି ଉଠିଲା ! ଏ ଅମୂଲ୍ୟ ମାତୃସ୍ନେହରୁ ବଞ୍ଚିତ ହୋଇ କିଏ ବା ସ୍ଥିର ହେବ ? ବାସନ୍ତୀ ତ ପିଲା ମାତ୍ର ।

 

ଦେବବ୍ରତ ହଷ୍ଟେଲରେ ପହଞ୍ଚିଲାରୁ ରମେଶ ସଙ୍ଗରେ ସାକ୍ଷାତ ହେଲା । ଦୁଇ ସଙ୍ଗୀ ଘରପୋଡ଼ି ବିଷୟରେ ଆଲୋଚନାରେ ବ୍ୟାପୃତ ହେଲେ । ଦେବବ୍ରତର ବିଶେଷତ୍ୱ ସେ ସହଜରେ କ୍ଳାନ୍ତିବୋଧ କରେନାହିଁ । ମନର ଜୋର ଯେପରି, ଶରୀରର ଶକ୍ତି ମଧ୍ୟ ସେହିପରି ।

 

ବିଡ଼ାନାସୀ ଘରପୋଡ଼ି ଯୋଗୁଁ କଟକରେ ଚହଳ ପଡ଼ିଛି । ସାହାଯ୍ୟପାଇଁ ଆବେଦନ ନିବେଦନ ସମ୍ୱାଦପତ୍ର ମହଲରେ ବାହାରିଲାଣି । କାରଣ ଅନୁସନ୍ଧିତ୍ସୁମାନେ କହନ୍ତି ଯେ ଦାମା କୁମ୍ଭାରଭାଟି ନିଆଁ ଚାଳରୁ ଓହଳିଥିବା ଦଉଡ଼ି ଖଣ୍ଡକରେ ଲାଗି ଏ କାଣ୍ଡ ଘଟିଅଛି । ପ୍ରାୟ ପଚାଶ ବଖରା ହେବ ଘର ଏକାବେଳକେ ଭସ୍ମୀଭୂତ । ରାତିଅଧରେ ନିଆଁ ଲାଗିବାରୁ ଲୋକେ ଜୀବନବିକଳରେ ପଦାକୁ ବାହାରି ଆସିଥିଲେ । ଜିନିଷ ବାହାର କରିବାର ସମୟ ନଥିଲା । କେତେ ମିନିଟ୍‌ ମଧ୍ୟରେ ସମସ୍ତ କୁମ୍ଭାର ସାହିଟି ଅଗ୍ନିସାତ୍‌ । ଦୁଇ ଜଣ ସ୍ତ୍ରୀଲୋକ ଓ କୋଡ଼ିଏ ବାଇଶଟି ଗାଈ ବଳଦଙ୍କ ଆହୁତିରେ ସେ ଯଜ୍ଞ ସମାପ୍ତ ହୋଇଛି । ପ୍ରାୟ ତିନିଶତ ପ୍ରାଣୀ ଆଜି ଗଛମୂଳରେ ଆଶ୍ରୟ ନେଇଅଛନ୍ତି । ଖାଇବାକୁ ଅନ୍ନନାହିଁ କିମ୍ୱା ପିନ୍ଧିବାକୁ ବସ୍ତ୍ରନାହିଁ । କେତେ ଶିଶୁ କ୍ଷୁଧାରେ ମ୍ରିୟମାଣ ହୋଇଗଲେଣି । ଏହା ଉପରେ ପୁଣି ଅସରାଏ ଅସରାଏ ବୃଷ୍ଟି ।

 

ଦୟାପ୍ରବଣ ଦେବବ୍ରତର ହୃଦୟ ଏଥିରେ ନିଶ୍ଚଳ ରହିବା ଅସମ୍ଭବ । ବାସନ୍ତୀର ଭାର ତାକୁ ପୀଡ଼ିତ କଲେ ମଧ୍ୟ ଏ ଦିଗରେ ଯେ କର୍ତ୍ତବ୍ୟ ରହିଅଛି, ସେଥିପ୍ରତି ସେ ଏକାବେଳକେ ଉଦାସୀନ ନୁହେଁ ।

 

ରମେଶ ତାହା ସାଥି–ବି. ଏ. ପ୍ରଥମ ବାର୍ଷିକ ଶ୍ରେଣୀରେ ପଢ଼େ । ଜନସେବା ତାହାର ବ୍ରତ । ଅନେକ ଦୁଃଖ ଲାଞ୍ଛନା ପାଇଥିଲେ ମଧ୍ୟ ସେ ଏହା ଛାଡ଼ିନାହିଁ । ତାହାର ବଡ଼ ଝୁଙ୍କ; ପତିତ ଜାତିର ଲୋକଙ୍କୁ ଉଦ୍‌ବୁଦ୍ଧ କରିବ । କଲେଜକୁ ଆସି ପ୍ରଥମରୁ ହଷ୍ଟେଲରେ ରହିଥିଲା; ମାତ୍ର ସେବାକାର୍ଯ୍ୟ ଯୋଗୁଁ ଅନେକ ସମୟରେ ହଷ୍ଟେଲ ବାହାରେ ରହିବାରୁ କର୍ତ୍ତାମାନେ ସର୍ବଦା ବିରକ୍ତ ହେଲେ । ଡାକ୍ତରଖାନାରେ ଉତ୍କଟ ରୋଗୀ ପଡ଼ିଛି, ପାଣସାହିରେ କଲେରା ଲାଗିଛି, ହାଡ଼ିସାହିରେ ବସନ୍ତ–ସେବାର ପ୍ରୟୋଜନ–ରମେଶ ଯିବ । ଏସବୁ ହଷ୍ଟେଲର କର୍ତ୍ତାମାନେ କାହୁଁ ସହ୍ୟ କରିପାରିବେ ? ରମେଶ ଉପରେ ଧମକ ଚମକର ସୀମା ରହିଲାନାହିଁ । ସେ ଏ ସବୁରେ ବିରକ୍ତ ହୋଇ ହଷ୍ଟେଲ ତ୍ୟାଗ କଲା । ଗଡ଼ଜାତର ଆଉ କେତେ ଜଣ ଛାତ୍ରଙ୍କ ସହିତ ନିମଚଉଡ଼ିରେ ଗୋଟିଏ ମେସ୍‌ ଖୋଲିଅଛି । ଦେବବ୍ରତର ଶକ୍ତି ବହୁମୁଖୀ । ତାହାର ଚରିତ୍ରର ବିକାଶ ସବୁ ଦିଗରେ–ସାହିତ୍ୟ ସେବାଠାରୁ ପଶୁସେବା ପର୍ଯ୍ୟନ୍ତ ତାହାର ସୀମା । ଗୁଣର ଆଦର ସେ କରି ଜାଣେ । ଦେବବ୍ରତର ଚକ୍ଷୁରୁ ରମେଶର ମହତ୍ତ୍ୱ ବେଶିଦିନ ଛପି ରହିପାରିଲାନାହିଁ । ଏକ ପଥର ପଥିକ ଦୁଇଜଣ; କେତେକଳା ବା ଅପରିଚିତ ରହିବେ ? ଆଇ. ଏ. ପରୀକ୍ଷା ପରେ ପୁରୀ ଦୁର୍ଭିକ୍ଷ ସାହାଯ୍ୟ କାର୍ଯ୍ୟକୁ ରମେଶ ସ୍ୱେଚ୍ଛାସେବକ ହୋଇଯାଇଥାଏ । ଦେବବ୍ରତ ସ୍ୱାସ୍ଥ୍ୟଭଙ୍ଗ ଯୋଗୁଁ ଦାର୍ଜିଲିଙ୍ଗରେ ଏକ ମାସ ଅବସ୍ଥାନ କରି ଘରକୁ ଫେରିବା ସଙ୍ଗେ ସଙ୍ଗେ ପୁରୀ ଜିଲ୍ଲାକୁ ସ୍ୱେଚ୍ଛାସେବକ ହୋଇଗଲା । କର୍ମୋପଲକ୍ଷରେ ଦେବବ୍ରତକୁ ରମେଶ ସଙ୍ଗରେ କୋଣାର୍କ ନିକଟରେ ରହିବାକୁ ହେଲା । ସେହିଦିନୁ ଦୁଇଜଣ ଘନିଷ୍ଠ ବନ୍ଧୁତ୍ୱ ସୂତ୍ରରେ ଆବଦ୍ଧ । ସେହିଦିନୁ ଭବିଷ୍ୟତ ପାଇଁ କଳ୍ପନା କରି ଦୁହେଁ ପରସ୍ପର ସହିତ ପରାମର୍ଶ କରି ଚଳୁଥାନ୍ତି । ପ୍ରୟୋଜନବେଳେ ଦୁଇବନ୍ଧୁ ଅଣ୍ଟାଭିଡ଼ି ବାହାରି ପଡ଼ନ୍ତି । ପରସ୍ପର ସାହାଯ୍ୟରେ ଉତ୍ସାହ ଦ୍ୱିଗୁଣିତ ହୁଏ । ନିର୍ମଳା ଦେବୀଙ୍କ ଶବସତ୍କାର ଦିନ ସମସ୍ତ ରାତ୍ରି ସେ ଝଡ଼ିବର୍ଷାରେ ଦେବବ୍ରତ କେତେଥର ଭାବିଛି, ରମେଶ ସଙ୍ଗରେ ଥାଆନ୍ତା କି ! ରମେଶ ସେତେବେଳେ ଯାଜପୁରରେ ବୈତରଣୀ ସ୍ନାନାର୍ଥୀ ଯାତ୍ରୀଙ୍କ ସେବାରେ ନିଯୁକ୍ତ । ବ୍ରାହ୍ମଣ ଘରେ ଜନ୍ମ ହୋଇ ମଧ୍ୟ ସେ ଜାତିପ୍ରଥାର ନିଗଡ଼ ବନ୍ଧନମାନେନାହିଁ । ଆବ୍ରାହ୍ମଣ ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତେ ତାହାର ଆପଣାର । ଦେବବ୍ରତକୁ ସେ ସ୍ନେହ କରେ, ଭକ୍ତି ମଧ୍ୟ କରେ । ବିଡ଼ାନାସୀରେ ଘର ପୋଡ଼ିଯିବା ଶୁଣି ସେ ଦେବବ୍ରତକୁ ଡାକି ନେଇଥିବା ପାଠକେ ଜାଣନ୍ତି । ସେଠାର ଶତାଧିକ ବାସହୀନ ଦୁଃଖୀଲୋକଙ୍କ ଦୁଃଖ ଦୂର କରିବା ଉଦ୍ଦେଶ୍ୟରେ ଦୁଇବନ୍ଧୁ ଆଜି ଗଭୀର ଆଲୋଚନାରେ ବସିଛନ୍ତି । ଆଲୋଚନା ପରେ ଉତ୍ସାହୀ ଅଧ୍ୟାପକଙ୍କ ସଭାପତିତ୍ୱରେ ଗୋଟିଏ କମିଟି ଗଢ଼ି ଚାନ୍ଦା ଉଠାଇବା ସ୍ଥିର ହେଲା । ସେଥିରୁ ଗୃହଶୂନ୍ୟ ଦୁଃଖୀ ଲୋକଙ୍କୁ ସାହାଯ୍ୟ ଦିଆଯିବ । ଅନ୍ୟ ଦିଗରେ କେତେକ ଅସୁବିଧାଥିବାରୁ ଦେବବ୍ରତ ରମେଶକୁ ସମ୍ପାଦକର ଭାର ନେବାକୁ କହିଲା ।

 

ଏସବୁ ଠିକ୍‌ କରି ରମେଶ ଫେରିଯିବା ପରେ ଦେବବ୍ରତ ଖଣ୍ଡିଏ ଚିଠି ଲେଖିବାକୁ ଯାଇ ନିଜ ଟେବୁଲ ପାଖରେ ବସିଲା । ତାହାର ମୁହଁ ଦେଖିଲେ ଜଣାପଡ଼ୁଥାଏ ଯେପରି ଗୋଟାଏ ଗୁରୁଚିନ୍ତାରେ ତାହାର ଚିତ୍ତ ପୂର୍ଣ୍ଣ । ମସ୍ତକରେ ହାତ ଦେଇ ବାହାରକୁ କିଛି ସମୟ ଜଳଜଳ କରି ଅନାଇବା ପରେ ଗୋଟାଏ ଦୀର୍ଘ ନିଃଶ୍ୱାସରେ ତାହାର ଚୈତନ୍ୟର ପୁନରୁଦୟ ହେଲା । କାହା ନିକଟକୁ ବା କି ବିଷୟ ଦେବବ୍ରତ ଲେଖୁଛି, ତାହା ଜାଣିବାର ଉପାୟନାହିଁ । ଦରଜା ବନ୍ଦ । ଆଲୁଅଟି ଟେବୁଲ ଉପରେ । ଦେବବ୍ରତ ଚୌକି ଉପରେ ଆସୀନ । ମନ୍ଥରଗତିରେ ଫାଉଣ୍ଟେନ୍‌ ପେନ୍‌ କାଗଜ କର୍ଷଣ କରି ଚାଲିଛି । କେତେ ସମୟ ପରେ କବାଟ ଫିଟାଇ ଦେଖେ ଯେ ଅଧିକାଂଶ ଛାତ୍ର ଆହାର ସମାପନ କରି ଶାରଦୀୟ ରଜନୀ ବିହାର ସୁଖରେ ମୁଗ୍ଧ । ଦେବବ୍ରତ ଭୋଜନଶାଳାରୁ ଫେରି ନିଦ୍ରା ଦେବୀଙ୍କ ଅନୁଗ୍ରହପ୍ରାର୍ଥୀ ହେଲା; ମାତ୍ର ଦେବୀ ଯେ ସହଜରେ ପ୍ରସନ୍ନା ହୁଅନ୍ତି ନାହିଁ । କେତେ ମନ୍ତ୍ରତନ୍ତ୍ର, ଜପତପ, ପୂଜାପୂଜି ପରେ ବଳିପାତ ହେଲେ ଦେବୀଙ୍କର ପ୍ରସାଦ ମିଳେ । ଦେବବ୍ରତ ଏପରି ଦୁର୍ଲ୍ଲଭ ବସ୍ତୁକୁ ଅକ୍ଳେଶରେ ଲାଭ କରିବାକୁ ଆଶା କରିବା ବାତୁଳତା ମାତ୍ର । ସେ କୃପାଲାଭ ନିମନ୍ତେ ମନର ଦୁଶ୍ଚିନ୍ତା ସମସ୍ତ ବଳିଦେବା ଆବଶ୍ୟକ । ତାହା ନ ହେବା ପର୍ଯ୍ୟନ୍ତ ଏହିପରି ଅନିଦ୍ରା ଭାବରେ ବା ତନ୍ଦ୍ରାବସ୍ଥାରେ ରାତ୍ରିଯାପନ କରିବା ଦେବବ୍ରତର ଭାଗ୍ୟରେ ଅଛି । ଦିନ ଆସୁଛି, ନିଦ୍ରା ଦେବୀଙ୍କର ଶାନ୍ତିମୟ ବାହୁଲତାର ସୁକୋମଳ ଆଲିଙ୍ଗନରେ ଦେବବ୍ରତର ବିକ୍ଷୁବ୍ଧ ପ୍ରାଣ ଶୀତଳ ହେବ; କିନ୍ତୁ ଏହା ପୂର୍ବରୁ ସାଧକର ପୂର୍ଣ୍ଣ ହେବା ଆବଶ୍ୟକ–ବିପଦ କୁଜ୍‌ଝଟିକା ମଧ୍ୟରେ ବାସନ୍ତୀକୁ ନିରାପଦ ସ୍ଥାନରେ ପହଞ୍ଚାଇ ଦେବା ଆବଶ୍ୟକ ।

 

ଗୁପ୍ତ ପତ୍ର ଗୋପନୀୟ ଭାବରେ କଲ୍ୟାଣୀଙ୍କର ହସ୍ତଗତ ହେଲା । କଲ୍ୟାଣୀ ଲଫାପା ଖୋଲି ଦେଖନ୍ତି, ଦେବବ୍ରତର ଚିଠି ! ବିସ୍ମୟ ଜାତ ହେବା ସ୍ୱାଭାବିକ । ଦେବବ୍ରତ ସଙ୍ଗେ ତ ଏଓଳି ସେଓଳି ଦେଖା–ଏଥିରେ ପୁଣି ଚିଠିର କି ପ୍ରୟୋଜନ ଥାଇପାରେ ? ଗୋଟିଏ କିଛି ବିଶେଷ କାରଣ ଅବଶ୍ୟ ଥିବ । ସତେ କ’ଣ ଦେବବ୍ରତ ବାସନ୍ତୀ ସମ୍ୱନ୍ଧରେ କିଛି ଲେଖିଛି ! ତାକୁ କି ବାହା... ? ନା ବିପରୀତ ? ଆଶା ଓ ଆଶଙ୍କା ଦୁଇ ଭଗିନୀ । ପରସ୍ପର ମଧ୍ୟରେ ଅଖଣ୍ଡ ପ୍ରୀତି । ସେଥିରେ ବିଚ୍ଛେଦନାହିଁ କି ବିରହନାହିଁ । ଯେଉଁଠାରେ ଆଶା, ସେହିଠାରେ ଆଶଙ୍କା । ସେଥିପାଇଁ ଆଜି କଲ୍ୟାଣୀଙ୍କ ମନରେ ଯୁଗପତ୍‌ ଆଶା ଓ ଆଶଙ୍କା ଜାଗ୍ରତ ହେଉଅଛି ।

 

ସେ ପତ୍ର ପାଠ କଲେ । ଦେବବ୍ରତ ଲେଖିଛି–

 

ସବିନୟ ନିବେଦନ,

 

ଆପଣଙ୍କ ନିକଟକୁ ଏହା ମୋର ପ୍ରଥମ ପତ୍ର । ଭକ୍ତି ଓ ଶ୍ରଦ୍ଧାରେ ମୁଁ ଆପଣଙ୍କୁ ମା’ ପରି ଜ୍ଞାନ କରେ । ସେହି ସାହସରେ ଆଜି ଏ ପତ୍ର ଲେଖୁଛି । ସରଳ ଭାବରେ କତୋଟି କଥା ଲେଖିବି । ସାକ୍ଷାତରେ କହିବାକୁ ମନସ୍ଥ କରି ଅନେକ ଥର ଯାଇଛି; ମାତ୍ର ସଙ୍କୋଚ ବୋଧକରି କହିପାରିନାହିଁ । ମନକଥା ମନରେ ରହେ । ଏ ପତ୍ର ପାଇ ଆପଣ ବିରକ୍ତ ହେବେନାହିଁ । ମୋର ବକ୍ତବ୍ୟ ସରଳ ଭାବରେ ଗ୍ରହଣ କରିବେ ଆଶା କରେ ।

ମୃତ୍ୟୁର ଅବ୍ୟବହିତ ପୂର୍ବରୁ ଶ୍ରୀଯୁକ୍ତା ନିର୍ମଳା ଦେବୀ ବାସନ୍ତୀର ତତ୍ତ୍ୱାବଧାନରେ ମୋତେ ରଖି ଯାଇଅଛନ୍ତି । ସେ ଆଦେଶ ପାଳନ କରିବାକୁ ମୁଁ ଧର୍ମତଃ ବାଧ୍ୟ । ଅତି କୋମଳ ବୟସରେ ମାତୃବିୟୋଗ ଦୁଃଖ ବାସନ୍ତୀକୁ ଅଭିଭୂତ କରି ପକାଇଅଛି । ଆପଣଙ୍କ ପରି ସ୍ନେହଶୀଳ କଲ୍ୟାଣମୟ ମାତୃହୃଦୟ ତାକୁ ଏ ବିପଦ ମଧ୍ୟରେ ବେଷ୍ଟନ କରି ରହିଥିବାରୁ ସେ ନିଶ୍ଚିନ୍ତ ବୋଧ କରିପାରେ; ମାତ୍ର ମୋର ଆଶଙ୍କା ହୁଏ ଆପଣ ଏକାବେଳକେ ସ୍ନେହାନ୍ଧ ହୋଇ ପଡ଼ିଅଛନ୍ତି ! ଅବସ୍ଥାଟା ଯଥାର୍ଥ ଉପଲବ୍ଧି କରିବାର ଅବସର ଆପଣଙ୍କରନାହିଁ । ଏହା ମଧ୍ୟ ସ୍ୱାଭାବିକ । ଆପଣଙ୍କର ଉଦ୍ଦେଶ୍ୟ ଯେ ସାଧୁ, ସେଥିରେ ଅଣୁମାତ୍ର ସନ୍ଦେହନାହିଁ; କିନ୍ତୁ ସମାଜର ଏ ଦୁରବସ୍ଥାରେ ତାହା ଭୁଲ ବୁଝିବାକୁ ଲୋକ ବିରଳ ହେବେନାହିଁ । ଶ୍ରୀଯୁକ୍ତା ନିର୍ମଳାଦେବୀଙ୍କ ପରେ ଆପଣ ବାସନ୍ତୀର ମା’ । ନିର୍ମମ ସମାଜ ତାହା ସହ୍ୟ କରିବ କାହୁଁ ?

କାଲି ବାସନ୍ତୀ ସ୍କୁଲକୁ ପୁନର୍ବାର ଯିବା କଥା ଆପଣ ସ୍ଥିର କରି ଅଛନ୍ତି । ସୁଖର କଥା; କିନ୍ତୁ ସେ ରହିବ କେଉଁଠାରେ ? ଘରେ ରହିବା ତାହା ପକ୍ଷରେ ନିରାପଦ ନୁହେଁ । ମାତୃବିୟୋଗରେ କିଏ ବା କାତର ନ ହେବ–ବିଶେଷତଃ ଶ୍ରୀଯୁକ୍ତା ନିର୍ମଳା ଦେବୀଙ୍କ ପରି ସନ୍ତାନପ୍ରାଣା ମାତାଙ୍କୁ ହରାଇ ? ବାସନ୍ତୀ ତ ପିଲା । ସଂସାରର କଠୋର ବାସ୍ତବତାଠାରୁ ସେ ଆଜିଯାଏ ସ୍ନେହମୟୀ ଜନନୀଙ୍କ ଅଞ୍ଚଳରେ ଲୁକ୍‌କାୟିତ ଥିଲା । ଅତୀତ ବା ଭବିଷ୍ୟତ ଭାବିବାର ଅବସର ସେ ପାଇନାହିଁ । ସେ ଆରାମରେ ଦିନ କାଟୁ ଅଛି । ଆଜି ଏକାକୀ ଗୋଟିଏ ଘରେ ରହିବା ତା’ ପକ୍ଷରେ ଉଚିତ ନୁହେଁ । ବିପଦର ଆଶଙ୍କା ନ ଥାଇପାରେ; କାରଣ ଆପଣ ନିକଟରେ ଅଛନ୍ତି; କିନ୍ତୁ ସେ ଘରେ ଯେ ଶ୍ରୀଯୁକ୍ତା ନିର୍ମଳା ଦେବୀଙ୍କର ସ୍ମୃତି ପ୍ରତ୍ୟେକ ସ୍ଥାନରେ ଜଡ଼ିତ ରହିଅଛି-। ସବୁବେଳେ ବାସନ୍ତୀ ଆଖିରେ ମା’ ଦିଶି ଯାଉଥିବେ । ତାଙ୍କର ବ୍ୟବହୃତ ପଦାର୍ଥକୁ ଲକ୍ଷ୍ୟକରି ସେ କିପରି ଶୋକାତୁରା ହୋଇ ଉଠେ, ଆପଣ ଦେଖିଥିବେ । ଏପରି ହେବା ସ୍ୱାଭାବିକ । ଅସହାୟା ବାଳିକାର କୋମଳ ପ୍ରାଣ ପକ୍ଷରେ ଏ ସବୁ ଅସହ୍ୟ । ସେ ଦିନ ତ ଆପଣ ଥିଲେ, ବାସନ୍ତୀ ଯେତେବେଳେ କହିଲା, ‘‘ମା’ଙ୍କ ଆରଶିଟା ଦେଖିଲେ ସେଥିରେ ମା’ ଦିଶନ୍ତି ।’’ ଏ ସବୁ କାରଣରୁ ମୋର ମନେହୁଏ, ତାହାର ସ୍ଥାନାନ୍ତରିତ ହେବା ବାଞ୍ଛନୀୟ । ମାତ୍ର ତାକୁ ଏଥିରେ ସମ୍ମତ କରାଇବା କଷ୍ଟକର । ଆପଣଙ୍କ ଘରେ ରହିଲେ ତାହାର ସୁବିଧା ହୋଇପାରେ; ମାତ୍ର ସେ ମଙ୍ଗିବନାହିଁ । ଯଦି ବା ମଙ୍ଗେ, ତଦ୍ଦ୍ୱାରା ଯୁକ୍ତିସଙ୍ଗତ କାରଣ ନଥିଲେ ସୁଦ୍ଧା ତାହାର ଭବିଷ୍ୟତ ପାଇଁ ବାଧାବିଘ୍ନ ବୃଦ୍ଧିପ୍ରାପ୍ତ ହେବାର ଆଶଙ୍କା ରହିଅଛି । ଆପଣଙ୍କ ଘରେ ରହିଲେ ଶ୍ରୀଯୁକ୍ତ ନିର୍ମଳା ଦେବୀଙ୍କ ସ୍ମୃତିପୂର୍ଣ୍ଣ ଗୃହ ବାସନ୍ତୀଠାରୁ ଦୂରରେ ରହିବନାହିଁ । ବାସନ୍ତୀ ମାତୃପ୍ରାଣା । ଯେ ଏକାବେଳକେ କାତର ହୋଇ ପଡ଼ୁଛି । ନିକଟରେ ରହିଲେ ତାହାର ପ୍ରାଣରେ କୋହ ଉପୁଜିବ; କିନ୍ତୁ ଦୂରରେ ଟିକିଏ ରହିଲେ ବେଷ୍ଟନୀର ପ୍ରଭାବରୁ ସେ ଶୋକାନଳ କିଞ୍ଚିତ୍‌ ଶାନ୍ତ ହେବାର ଆଶା-। ବାଳିକା ସ୍କୁଲ ହଷ୍ଟେଲରେ ରହିଲେ ବୋଧହୁଏ ଭଲ ହୁଅନ୍ତା । ମନ ଭୁଲାଇବା ପାଇଁ ସେଠାରେ ସୁବିଧା ଯଥେଷ୍ଟ ଅଛି । ସେଥିରେ ତାହାର ବିଶେଷ ଆପତ୍ତି ମଧ୍ୟ ହୋଇ ନ ପାରେ । ଆପଣ ବୁଝାଇ କହିଲେ ସେ ମଙ୍ଗିଯିବ । ଆପତତଃ ହଷ୍ଟେଲରେ ରହିବା ତାହା ପକ୍ଷରେ ନିରାପଦ ବୋଲି ମୋର ଧାରଣା । ଧନିଆ ଓ ଚମ୍ପା ଘର ଜଗି ପାରନ୍ତି । ବାସନ୍ତୀର ହଷ୍ଟେଲ ଖର୍ଚ୍ଚ ନିମନ୍ତେ ଅର୍ଥାଭାବର ଆଶଙ୍କାନାହିଁ ଜାଣିବେ । ଆପଣଙ୍କ ମତାମତ ଅପେକ୍ଷାରେ ରହିଲି । ଇତି ।

ସ୍ନେହର

ଦେବବ୍ରତ

କଲ୍ୟାଣୀ ଆଦ୍ୟପ୍ରାନ୍ତ ପତ୍ରଖଣ୍ଡ ଦୁଇ ତିନି ଥର ପଢ଼ିଲେ । ଭାବିଲେ, ‘‘ଦେବବ୍ରତ ବାସନ୍ତୀପାଇଁ ଏଡ଼େ ଚିନ୍ତିତ; କିନ୍ତୁ ମୁଁ ଯାହା ଭାବିଥିଲି ସେ କଥା ତ କିଛି ଲେଖିଲେନାହିଁ । ଏପରି ହୃଦୟର ସହିତ ପରପିଲାର ଯତ୍ନ ନେବା ମଧ୍ୟ ବିରଳ ।’’ ହାୟ କଲ୍ୟାଣୀ, ତୁମର ନାରୀ ହୃଦୟ କ’ଣ ଏପର୍ଯ୍ୟନ୍ତ ବୁଝିପାରିଲାନାହିଁ ଯେ ବାସନ୍ତୀ ଦେବବ୍ରତର ‘ପର‘ ନୁହେଁ, ନିକଟତମ ! ସ୍ୱର୍ଗୀୟ ଆକର୍ଷଣରେ ବଂଶଗତ ପାର୍ଥକ୍ୟ ଦୂରୀଭୂତ ହୋଇଅଛି । ବାସନ୍ତୀ ନିରାପଦ ହୋଇ ନ ରହିବାଯାଏ ଦେବବ୍ରତର ଆକୁଳ ପ୍ରାଣ ନିଶ୍ଚିନ୍ତ ହୋଇପାରିବନାହିଁ । ସେଥିପାଇଁ ତୁମ ନିକଟକୁ ଏ ପତ୍ର ।

ଦେବବ୍ରତ ଚତୁର୍ଦ୍ଦିଗରୁ ଭାବି ସ୍ଥିର କରିଛି ବାସନ୍ତୀର ହଷ୍ଟେଲରେ ରହିବା । ସବୁଠୁ ସୁବିଧାଜନକ । କଲ୍ୟାଣୀଙ୍କୁ ଏ ପ୍ରସ୍ତାବ ଭଲଲାଗୁ ନଥିଲା । ମାତ୍ର ଦେବବ୍ରତର ପତ୍ର ପାଠକରି ସବୁ ବୁଝିପାରିଲେ । ତାଙ୍କର ଆଉ କିଛି ଆପତ୍ତି ରହିଲାନାହିଁ । ନୀରବରେ ଚକ୍ଷୁକୋଣରୁ ଦିଓଟି କ୍ଷୀଣ ଲୋତକଧାର ବକ୍ଷସ୍ଥଳକୁ ଗଡ଼ି ଆସିଲା । ବାସନ୍ତୀକୁ ଦୂରରେ ରଖି ସେ ରହିବେ । ନିର୍ମଳା ଏ କଥା ଜାଣିପାରିଲେ କ’ଣ ଭାବିବେ ? ସେ ହେଲେ ଖ୍ରୀଷ୍ଟାନ ନ ହୋଇ ହିନ୍ଦୁ ହୋଇଥାନ୍ତେ; କିନ୍ତୁ ଚାରା କ’ଣ ? ନିଷ୍ଠୁର ସମାଜ ! ଶତ ଶତ ନିର୍ଦ୍ଦୋଷ ପ୍ରାଣର ଦରୁଣ ଅଭିଶାପରେ ଆଉ କେତେଦିନ ତିଷ୍ଠି ପାରିବୁ ? ତୋର କଠୋର ବନ୍ଧନରେ କେତେ କଳୁଷହୀନ କୋମଳ ପ୍ରାଣ ନଷ୍ଟ ହୋଇଯାଇଛି । ଏ ନିର୍ଯ୍ୟାତନାର ଫଳ ଅତି ବିଷମୟ । ସେଥିରେ ତୋର ଧ୍ୱଂସ ଅବଶ୍ୟାମ୍ଭାବୀ । ବର୍ତ୍ତମାନ ସମୟ ଅତୀତ ହୋଇନାହିଁ । ନିଜକୁ ବଞ୍ଚାଇ ରଖିବାର ବାସନା ଥିଲେ ଚକ୍ଷୁ ଉନ୍ମିଳିତ କରି ଦେଖ । ସଂକୀର୍ଣ୍ଣତା ଦୂରକର । ପୁରାତନରେ ନୂତନତ୍ୱ ସଂଯୁକ୍ତ କର ।

ବର୍ତ୍ତମାନ ଅବସ୍ଥା ବିବେଚନାରେ ବାସନ୍ତୀ ହଷ୍ଟେଲରେ ରହିବା କଲ୍ୟାଣୀଙ୍କ ମନକୁ ପାଇଲା । ତାକୁ ବହୁତ ବୁଝାଇବା ପରେ ମଧ୍ୟ ଆଉ ଆପତ୍ତି କଲାନାହିଁ । ସନ୍ଧ୍ୟାବେଳେ ଦେବବ୍ରତ ଆସି ଶୁଣେ ଯେ ବାସନ୍ତୀ କାଲି ସ୍କୁଲରେ ନାମ ଲେଖାଇ ହଷ୍ଟେଲରେ ରହିବ ।

 

–ସାତ–

 

ଦୁଇବର୍ଷ ପରେ–ଦୀର୍ଘ ଦୁଇବର୍ଷ ପରେ–ବାସନ୍ତୀ ବସିଥିଲା, ତା’ରି ନିଭୃତ କକ୍ଷଟିରେ ଛାତ୍ରୀ ନିବାସର ଏକପ୍ରାନ୍ତରେ, ବତାୟନ ପଥରେ ସାନ୍ଧ୍ୟ ଆକାଶକୁ ଚାହିଁ । ସେହି ସନ୍ଧ୍ୟାତାରାଟି ପରି ଶୁଭ୍ର ସେ, ସେହି ବିକଚ ଶେଫାଳିର ନିର୍ଯ୍ୟାସରେ ଗଠିତ ତା’ର ସୁକୁମାର ଅଙ୍ଗଟି ।

 

ଗତଦୁଇବର୍ଷର ସ୍ମୃତି ଆଲୋଡ଼ନ କରି ବାସନ୍ତୀ ଭାବୁଥାଏ, ଏହି ଦିଓଟି ବର୍ଷ ଜଗତ ଉପରେ ସାମାନ୍ୟ ପ୍ରଭାବ ରଖିଯାଇନାହିଁ । କେତେ ଲୋକଙ୍କୁ ଦୁଃଖ ଦେଇଛି, କେତେ ଲୋକଙ୍କୁ ସୁଖ; କିନ୍ତୁ ବାସନ୍ତୀକୁ ଦେଇ ଯାଇଛି ସ୍ୱପ୍ନ ।... ତା’ର ଏହି କ୍ଷୁଦ୍ର ଜୀବନଟି ଉପରେ କେତେ ବାତ୍ୟା ବହିଗଲା ! ଆଜି ତ ସେ ସବୁ ମନେହେଉଛି ସ୍ୱପ୍ନ ! ତା’ର ଏହି କ୍ଷୁଦ୍ର ହୃଦୟଟିକୁ ଅଧିକାର କରି ରହିଛି ତା’ର ‘‘ଦେବଭାଇ’’ର ଅସୀମ ପ୍ରେମ ଓ ଅକପଟ ଦୟା–ସେ ବି ତ ସ୍ୱପ୍ନ । କେତେ ବାନ୍ଧବୀ ତାକୁ ପ୍ରୀତି ଦେଇ ଧନ୍ୟ କରିଅଛନ୍ତି, କେତେ ଶିକ୍ଷୟିତ୍ରୀ ଦେଇଛନ୍ତି ଆଦର ଓ ସ୍ନେହ । କଲ୍ୟାଣୀ ଦେବୀ ତାକୁ ମାତୃଶୋକ ଭୁଲାଇ ଦେଇଛନ୍ତି । ବାସନ୍ତୀ ଭାବିଲା, ତା’ର କ୍ଷୁଦ୍ର ଜଗତଟିର ବାସ୍ତବତା ନିଷ୍ଠୁର ସ୍ପର୍ଶ ରଖିଯାଇନାହିଁ, ତା’ର ସ୍ୱପ୍ନ ଅନ୍ତର ବାହାର ଆବେଗମୟ କରି ଦେଇଛି ।

 

ସହସା ପଛଆଡ଼ୁ କିଏ ତା’ ଆଖି ଚିପି ଧରିଲା, କାହାର କୋମଳ କରପଲ୍ଲବ ଦିଓଟି ତା’ର ସ୍କନ୍ଧଲଗ୍ନ ହୋଇ ରହିଲା, କାହାର ମୁକ୍ତକୁନ୍ତଳ ତା’ର ବକ୍ଷରେ ଆସି ପଡ଼ିଲା । ବାସନ୍ତୀ ଅନୁମାନ କରି କହିଲା, ‘‘ସୁଷମା !’’ ଅଜ୍ଞତା ତରୁଣୀଟି ହସିଦେଇ ଉତ୍ତର ଦେଲା, ‘‘ନା’’ । ତା’ର କଣ୍ଠସ୍ୱର ଈଷତ୍‌ ବିକୃତ ।

 

‘‘ଅସିତା !’’

‘‘ନା ।’’

‘‘ଛାୟା !’’

‘‘ନା ।’’

ବାସନ୍ତୀ ଟିକିଏ ଅସହିଷ୍ଣୁ ହୋଇ କହିଲା–‘‘ଛିଃ, ଛାଡ଼ିଦେ ନା, ଭାଇ, ଲୀଳା ।’’

ହାସ୍ୟମୟୀ ତରୁଣୀଟିର ହାସ୍ୟ କେବଳ ଉଚ୍ଚରୁ ଉଚ୍ଚତର ହେବାକୁ ଲାଗିଲା । ବାସନ୍ତୀ ଟିକିଏ ବିରକ୍ତ ହୋଇ କହିଲା–‘‘ମୁଁ ପାରିବିନାହିଁ କହି ?’’

ଅଜ୍ଞାତା ହାତ ଛାଡ଼ିଦେଲା । ବାସନ୍ତୀର ଗାଲ ଦିଓଟିକୁ ଟିପିଦେଇ କାନେ କାନେ କହିଲା, ‘‘ବଉଳ ମୋର, ସାନ୍ଧ୍ୟ ଆକାଶକୁ ଚାହିଁ ଉଦାସ ହୋଇ ଏତେ ଭାବୁଛି କ’ଣ ? ଦେବଭାଇଙ୍କ କଥା ?’’

ସୁନୀତିକୁ କୋଳକୁ ଟାଣି ଆଣି ଲଜ୍ଜା ବିନମ୍ର ସ୍ୱରରେ ବାସନ୍ତୀ କହିଲା–‘‘ଆଚ୍ଛା, ବଉଳ, ତୁ ଏପରି ସମୟରେ ଆସିବୁ ବୋଲି କିଏ ଜାଣିଥିଲା ?’’

ଝରକା ପାଖରେ ଆଉ ଖଣ୍ଡିଏ ଚଉକି ପକାଇ ସୁନୀତି ଦୁଇ ମିନିଟ୍‌ ବାହାରକୁ ଅନାଇ ନୀରବ ହୋଇ ବସିଲା । ତା’ପରେ ଗମ୍ଭୀର ହୋଇ କହିଲା, ‘‘ଦେବଭାଇ ଆଜି ଆସିଥିଲେ ?’’

ଚିରହାସ୍ୟମୟୀ ସୁନୀତିର ମୁଖରେ ଏହି ଗାମ୍ଭୀର୍ଯ୍ୟଟିକ ବଡ଼ ଅସ୍ୱାଭାବିକ ଦିଶୁଥାଏ । ବାସନ୍ତୀ ଟିକିଏ ତ୍ରସ୍ତ ହୋଇ ପଚାରିଲା–‘‘ତା’ପରେ !’’

‘‘ତାଙ୍କ ମା’ ତାଙ୍କୁ ଚିଠି ଲେଖିଛନ୍ତି, ଆସନ୍ତା ବୈଶାଖରେ ଧରଧରାପୁର ଚୌଧୁରୀଙ୍କ ଘରେ ବାହା ନ ହେଲେ ତାଙ୍କ ମୁହଁ ଚାହିଁବେନାହିଁ ।’’

‘‘ଦେବଭାଇ କ’ଣ ଠିକ୍‌ କରିଛନ୍ତି ?’’

‘‘ସେଇ କଥା ତ ସେ ପଚାରୁଥିଲେ । ମୋ ମା’ କହିଲେ–‘‘ମା’ ମନଟି ସବୁବେଳେ ପୁଅର ହିତ ଚିନ୍ତେ । ସେ ଜାଣିଶୁଣି ଯଦି ମା’ ବାସନ୍ତୀକୁ ନ ନେବେ, ତେବେ ମୁଁ ଆଉ କହିବି କ’ଣ-? ମୋର କହିବାର ଅବା କେଉଁ ଅଧିକାର ଅଛି ?’’

‘‘ସେଇଠୁଁ !’’

ସେଇଠୁଁ ଦେବଭାଇ କହିଲେ–ମାଆଙ୍କ ମନରେ ସୁଖ ଦେବାକୁ ଯାଇ ମୁଁ ନିଜେ ଦୁଃଖ ସହିବାକୁ ରାଜି ଅଛି; କିନ୍ତୁ ଗୋଟିଏ ପ୍ରାଣୀ ଲାଗି ଦିଓଟି ପ୍ରାଣୀଙ୍କ ସୁଖ ନାଶ କରିବାକୁ ମା’ ବିବେକ ମୋତେ କହୁନାହିଁ । ମୋ ଜୀବନ ବ୍ୟର୍ଥ ହୋଇଯାଉ, ଦୁଃଖନାହିଁ; କିନ୍ତୁ ତା’ ସଙ୍ଗେ ଆଉ ଗୋଟିଏ ଜୀବନ ଯେ ବ୍ୟର୍ଥ ହୋଇଯିବ, ଏ ଚିନ୍ତା ମୋତେ ବିବ୍ରତ କରି ପକାଉଛି । ମୁହୂର୍ତ୍ତେ ତୁନୀ ହୋଇ ଦେବଭାଇ ପୁଣି କହିଲେ–ତା’ ଛଡ଼ା ଆଉ ଗୋଟିଏ କଥା । ନିର୍ମଳା ଦେବୀଙ୍କୁ ମୁଁ ପ୍ରତିଶ୍ରୁତି ଦେଇଛି, ଏ ପ୍ରତିଶ୍ରୁତି ପାଇ ନଥିଲେ ତାଙ୍କ ମୃତ୍ୟୁ ଶାନ୍ତିମୟ ହୋଇ ନଥାନ୍ତା । ତାଙ୍କର ସ୍ୱର୍ଗତ ଆତ୍ମାକୁ ପ୍ରତାରଣା କରିବି କିପରି ?

ବାସନ୍ତୀ ତା’ର ଦେବଭାଇର ଏ ନିର୍ବନ୍ଧ ଶୁଣି ମୁଗ୍ଧ ଓ ଚକିତ ହୋଇଗଲା । ଲୋତକ ଅସରାଟିଏ ତା’ର ଶୁଭ୍ର କପୋଳଟିକୁ ଶିଶିରସାତ କୁନ୍ଦ କୁସୁମ ପରି ମନୋରମ କରିଦେଲା । ବାସନ୍ତୀ କହିଲା, ‘‘ତୁ ଏ ସବୁ ପ୍ରହେଳିକା ରଖ, ବଉଳ ! ମୋତେ ଖାଲି ସମାଧାନଟା କହିଦେ ! କ’ଣ ଠିକ ହେଲା ଶେଷରେ ?’’

‘‘ଠିକ୍‌ କିଛି ହୋଇନାହିଁ । ଦେବଭାଇ ଚିନ୍ତିତ ହୋଇ ପଡ଼ିଛନ୍ତି । ତାଙ୍କ ମୁହଁରେ ଆଉ ସେ ହସଟିକ ଲାଗି ରହିନାହିଁ । ତାଙ୍କ ପରୀକ୍ଷା ରହିଲା ଆଉ ମାସେ; କିନ୍ତୁ ପଢ଼ାଶୁଣା ଛାଡ଼ି ସେ ଖାଲି ଏଇ ଚିନ୍ତାରେ ବିବ୍ରତ ।’’

ବାସନ୍ତୀ ହାତ ଉପରେ ମୁଣ୍ଡ ରଖି ଅନେକକ୍ଷଣ ଭାବିଲା । ଶେଷରେ ଅଶ୍ରୁ–ଭାରାକ୍ରାନ୍ତ ନେତ୍ରରେ ସୁନୀତି ଆଡ଼କୁ ଅନାଇ କହିଲା, ‘‘ତାଙ୍କୁ କହ, ବଉଳ, ସେ ତାଙ୍କ ମାଆଙ୍କ କଥା ହେଳା କରନ୍ତୁନାହିଁ ।’’

ଏହି ଅଳ୍ପ କେତୋଟି କଥାରେ ଯେ କେତେ ବେଦନା, କେତେ କ୍ରନ୍ଦନ ନିହିତ ଥିଲା, ସୁନୀତି ତାହା ବୁଝିଲା ।

ବାସନ୍ତୀର ହୃଦୟ ଭିତରୁ ଗୋଟିଏ କୋହ ଉଠୁଥାଏ । ଚିନ୍ତାକୀଟହୀନ ଫୁଲ କୁସୁମଟିଏ ସେ–କେତେ ଭାବୀ ସୁଖକଳ୍ପନା ତା’ର ମନଟାକୁ ଘେରି ରହିଥିଲା, ସଜଫୁଲଟିକୁ ଘେରି ଉଦୟାରୁଣର ସ୍ନିଗ୍ଧ ରଙ୍ଗୀନ କିରଣଗୁଡ଼ିକ ପରି । ଗୋଟାଏ ମହତ୍‌ ଆତ୍ମତ୍ୟାଗର ପରିକଳ୍ପନାଦ୍ୱାରା ନିଜକୁ ଯେତେ ସାନ୍ତ୍ୱନା ଦେବାକୁ ସେ ଚେଷ୍ଟା କରୁଥାଏ, ସେତେ ତା’ର ଅଶ୍ରୁ ଅସମ୍ଭାଳ ହେଉଥାଏ, ଗୋଟାଏ ଅଜଣା ଦୁଃଖର ନିଗୂଢ଼ତା ମଥିତ କରି ଦେଉଥାଏ ତା’ର ସୁକୁମାର ଅନ୍ତଃକରଣଟିକୁ । ହଠାତ୍‌ ହସି ଉଠି ବାସନ୍ତୀ କହିଲା, ‘‘ମୁଁ ଏଇକ୍ଷଣି କ’ଣ ଭାବୁଥିଲି ବୁଝିଲୁ, ବଉଳ ? ଭାବୁଥିଲି, ଏ ଜୀବନଟାଯାକ ଗୋଟାଏ ସୁଦୀର୍ଘ ସ୍ୱପ୍ନ । ଦୁଃଖବି ନୁହେଁ, ସୁଖବି ନୁହେଁ, କେବଳ ଗୋଟାଏ ଅନୁପମ ଅନୁଭୂତି ।

 

ତା’ର ସ୍ନିଗ୍ଧ ସୁଧୀର ଚାହାଣୀଟିରେ ଗଭୀର ବ୍ୟଥା ଭରିଦେଇ ବାସନ୍ତୀ କହିଲା–‘‘ଏ ସ୍ୱପ୍ନ ରାଇଜରୁ ତ ମୋଠାରୁ ତାଙ୍କୁ କେହି କାଢ଼ି ନେବନାହିଁ । ତେବେ ଆଉ ଦୁଃଖ କ’ଣ ?’’

 

ସୁନୀତି ଦୀର୍ଘ ନିଃଶ୍ୱାସଟିଏ ପକାଇ କହିଲା, ‘‘ମାନବ ହୃଦୟ ତ ତୁ ପାଇନାହୁଁ ବଉଳ ! ତୋ ହୃଦୟଟି ସିନା ଫୁଲର ହୃଦୟ-ସୌରଭର ସ୍ୱପ୍ନରେ ପୂରି ରହିଛି ! ତୁ ଯଦି ସ୍ୱର୍ଗରୁ ଓହ୍ଲାଇ ଆସି ମର୍ତ୍ତରେ ମୋ’ରି ପରି ନାରୀ ହୃଦୟଟିଏ ପାଇଥାନ୍ତୁ, ତେବେ କି ତୁ ଏତେ ବଡ଼ ତ୍ୟାଗ କରିବାକୁ ମନ ବଳାନ୍ତୁ ଭଉଣୀ ।

 

ପୁଣି ତିନି ମାସ ପରେ ଦେବବ୍ରତ ଓ ବାସନ୍ତୀର ପରୀକ୍ଷା ଫଳ ବାହାରିଲା । ଉଭୟେ ପାସ୍‌ କରିଛନ୍ତି ବେଶ କୃତିତ୍ୱ ସହକାରେ–ଦେବବ୍ରତ ବି.ଏ. ଏବଂ ବାସନ୍ତୀ ମ୍ୟାଟ୍ରିକ୍ୟୁଲେଶନ୍‌ । ଦେବବ୍ରତର ଇଚ୍ଛା ଥିଲା ବିଲାତ ଯାଇ ଆଇ.ସି.ଏସ୍‌. ହୋଇ ଆସିବ କିମ୍ୱା ନିତାନ୍ତ ପକ୍ଷରେ କଲିକତା ଯାଇ ଏମ୍‌. ଏ. ପଢ଼ିବ; କିନ୍ତୁ ତା’ର ଅନୁପସ୍ଥିତିରେ ବାସନ୍ତୀ କ’ଣ କରିବ, ତାହା ଭାବି ଭାବି ଦେବବ୍ରତ କୌଣସି କୂଳକିନାରା ପାଇଲାନାହିଁ । ଦିନକୁ ଦିନ ମାଆଙ୍କ ମନ ନ ରଖିବା ଅସମ୍ଭବ ହୋଇ ପଡ଼ୁଛି–ଚିଠି ଉତ୍ତାରେ ଚିଠି ଆସୁଛି, ତାଙ୍କର ଅନୁରୋଧ ଉପରୋଧ କ୍ରମେ ଆତ୍ମହତ୍ୟାର ଭୟ ପ୍ରଦର୍ଶନରେ ପରିଣତ ହେଲାଣି ।

 

ଅନେକ ଭାବିଚିନ୍ତି, ଦେବବ୍ରତ ସ୍ଥିର କଲା, ଧରଧରାପୁରରେ ଧରା ହେବନାହିଁ, ମାଆଙ୍କ ମନରେ କଷ୍ଟ ଦେଇ ବାସନ୍ତୀକୁହିଁ ବିବାହ କରିବ । ତା’ର ପଢ଼ାଶୁଣା ପଛକେ ନ ହେଲା, ଉଚ୍ଚଅଭିଳାଷ ଗାଧୋଇ ଗଲା, ମାଆଙ୍କ କଥା ରଖି ସେ ବାସନ୍ତୀକୁ ଅକୂଳ ଦରିଆରେ ଭସାଇ ଦେବନାହିଁ । ଦେବବ୍ରତ ଭୀଷ୍ମଙ୍କ ପରି ଅଟଳ ପ୍ରତିଜ୍ଞା । ଯାହା ସ୍ଥିର କଲା, ତାହା କାର୍ଯ୍ୟରେ ପରିଣତ କରିବାକୁ ବିଳମ୍ୱ କଲାନାହିଁ । ଏହି ଦୁଇବର୍ଷ ସେ ବଡ଼ ଅଶାନ୍ତିରେ କଟାଇଛି । ମନ ଭିତରେ ବାସନ୍ତୀପାଇଁ ଚିନ୍ତା ବାହାରେ ସହପାଠିମାନଙ୍କର ଈର୍ଷା, ବିଦ୍ରୁପ ଓ ଇତରୋଚିତ ବ୍ୟବହାର ଘରୁ ବାରମ୍ୱାର ବିବାହବିଷୟକ ତାଗିଦ । ନାନାଦିଗରୁ ବିବ୍ରତ ହୋଇ ଦେବବ୍ରତ ସ୍ଥିର କଲା–ଭଲ ହେଉ, ମନ୍ଦ ହେଉ ଗୋଟିଏ କିଛି କରି ପକାଇବ ।

 

କିନ୍ତୁ ଆଶ୍ଚର୍ଯ୍ୟ କଥା, ଏ ସବୁ ବିଷୟରେ ସେ ବାସନ୍ତୀର ପରାମର୍ଶ ଲୋଡ଼ିଲାନାହିଁ । ସେ ଧରି ନେଲା ଯେ, ବାସନ୍ତୀର ଏ ବିବାହରେ କୌଣସି ଆପତ୍ତି ଥାଇ ନ ପାରେ, ତା’ ମନରେ କୌଣସି ପରିବର୍ତ୍ତନ ହୋଇନାହିଁ । ବାସ୍ତବିକ ବାସନ୍ତୀ ଠିକ୍‌ ସେହି ବାସନ୍ତୀଟିହିଁ ଥିଲା; ହୃଦୟରେ ତା’ ଦେବଭାଇ ପ୍ରତି ଅପାର ପ୍ରେମ; ବିବାହରେ ତା’ର ସୁଖର ମାତ୍ରା ପୂର୍ଣ୍ଣ ହେବାର କଥା । ତଥାପି ତା’ର ନିଜସ୍ୱ ମତଟାଏ ତ ଅଛି, ଏ ମତକୁ ଅବହେଳା କରିବା ଦେବବ୍ରତର କ’ଣ ଉଚିତ ହେଉଛି ? ଦେବବ୍ରତ ଅଧିକାଂଶ ପୁରୁଷଙ୍କ ପରି ଏକଦେଶଦର୍ଶୀ, ବଡ଼ ସାଧୁ ଉଦ୍ଦେଶ୍ୟ ତା’ର; କିନ୍ତୁ ଏହି ସାଧୁ ଉଦ୍ଦେଶ୍ୟ ସଙ୍ଗେ କଳ୍ପନାପ୍ରବଣତା ସଂଯୁକ୍ତ ହୋଇନାହିଁ, ନାରୀର ଦିଗଟିକୁ ସହାନୁଭୂତି ଦେଇ ଅନୁଭବ କରିବାର କଳ୍ପନା କେବେହେଁ ତା’ ମନରେ ଉଦିତ ହୋଇନାହିଁ । ଏହିଟି ତା’ର ଚରିତ୍ରରେ ଗୋଟାଏ ଅକ୍ଷମଣୀୟ ତ୍ରୁଟି । ଏହି ତ୍ରୁଟି ଯୋଗୁଁ ଭବିଷ୍ୟତରେ ସେ ପୂର୍ଣ୍ଣ ଦାମ୍ପତ୍ୟପ୍ରେମରୁ ବଞ୍ଚିତ ହୋଇପାରେ ।

 

ହଠାତ୍‌ ଦିନେ କଲ୍ୟାଣୀ ଦେବୀଙ୍କ ଘରକୁ ଯାଇ ଦେବବ୍ରତ କହିଲା । ‘‘ମାଉସି ମୋ ବାହାଘର ଏଇମାସ ପଚିଶ ତାରିଖରେ ହେଉଛି । ତୁମ୍ଭମାନଙ୍କୁ ନିମନ୍ତ୍ରଣ ରହିଲା ।’’ କଲ୍ୟାଣୀ ଦେବୀ ବିସ୍ମିତ ହୋଇ କହିଲେ, ‘‘ସେ କ’ଣରେ ଦେବ ! ସେଇ ଧରଧରାପୁର ସମ୍ୱନ୍ଧ କ’ଣ ତେବେ ପକ୍‌କା ହେଲା ?’’

 

‘‘ନାହିଁ ମାଉସି, ଧରଧରାପୁର ଯାଏ ତୁମକୁ ଯିବାକୁ ପଡ଼ିବନାହିଁ–ଏଇ ପେଟିନ୍‌ ସାହିରେ ବସି ବସି ତୁମେ ଖିରୀପିଠା ଖାଇବ ।’’

 

କଲ୍ୟାଣୀ ଦେବୀ ସବୁ କଥା ବୁଝିପାରି ଚମତ୍କୃତ ହୋଇଗଲେ । ମନେ ମନେ ଦେବବ୍ରତର ଭୂୟସୀ ପ୍ରଶଂସା କରି ପଚାରିଲେ, ‘‘ବାହାଘରକୁ ତେବେ କିଏ କିଏ ଆସୁଛନ୍ତି ?’’

 

‘‘ମା’ ଆସିବେନାହିଁ । ସେ ତ ସ୍ୱତଃସିଦ୍ଧ । ଆଉ କିଏ ଆସନ୍ତେ ? ବାସନ୍ତୀ ପକ୍ଷରୁ ତୁମେ ଆଉ ସୁନୀତି–ମୋ ପକ୍ଷରୁ ରମେଶ ଆଉ ସର୍ବେଶ୍ୱରବାବୁ ।

 

‘‘ସର୍ବେଶ୍ୱରବାବୁଟି କିଏ ?’’

 

‘‘ଚମତ୍କାର ଲୋକ । ମୟୂରଭଞ୍ଜରେ ଚାକିରୀ କରନ୍ତି । ମୋର ସମ୍ପର୍କୀୟ ଦାଦା ଅର୍ଥାତ୍‌ ଖୁଡ଼ୁତା । ଆମ ପରିବାର ମଧ୍ୟରେ ଏ ବିବାହରେ ଏକା ତାଙ୍କରି ସମ୍ମତି ଅଛି ଏବଂ ସେ ସମ୍ମତିଟାକୁ କାର୍ଯ୍ୟରେ ସମର୍ଥନ କରିବାର ସାହସ ମଧ୍ୟ ଅଛି ।’’

 

‘‘କିନ୍ତୁ ତୁମ ମା’ ଆସୁନାହାନ୍ତି, ଏଇଟା ମୋ ମନରେ ବଡ଼ କଷ୍ଟ ଦେଉଛି ଦେବ ! ତାଙ୍କୁ ନେଇ ବାସନ୍ତୀ ଘର କରିବ କେମିତି, ଯଦି ମୂଳରୁ ଗୋଟାଏ ମନୋବିବାଦ ଲାଗିଥାଏ ?’’

 

ଦେବବ୍ରତ ପଛକୁ ମୁହଁ କରି ଅଶ୍ରୁଗୋପନ କରିବାକୁ ଚେଷ୍ଟା କଲା । କ୍ରନ୍ଦନ ଜଡ଼ିତ କଣ୍ଠରେ କହିଲା–‘‘ଆଉ ସେ କଥା ପକାଅ ନା ମାଉସି ! ଯାହା ହେବାର ଥିବ ତା’ ହେବ । ଆମ ଦୁହିଁଙ୍କ ଅଦୃଷ୍ଟ–ଆଉ ମାଆଙ୍କ ଅଭିରୁଚି !’’

 

ଦେବବ୍ରତ ବିଦାୟ ନେବା ପୂର୍ବରୁ କହିଗଲା–‘‘ସବୁ ତୁମକୁ ଲାଗିଲା ମାଉସି, ମା’ ତ ମୋତେ ଛାଡ଼ିଲେ, ତମେ ଛାଡ଼ିବନାହିଁ, ଏଇ ପ୍ରାର୍ଥନା ।’’ କଲ୍ୟାଣୀ ଦେବୀ ତା’ ମସ୍ତକରେ କରଚାଳନ କରୁ କରୁ କହିଲେ, ସେ କି କଥାରେ ଦେବ ! ମୁଁ କ’ଣ ତୋର ପର ?’’

 

ଏହି ପ୍ରିୟଦର୍ଶନ, ସୁଚରିତ୍ର ହିନ୍ଦୁ ଯୁବକଟିକୁ ସେ ଏକାନ୍ତ ଆପଣାର କରି ପକାଇଥିଲେ ତାଙ୍କର ଉଦାର ହୃଦୟର ଉଚ୍ଛ୍ୱସିତ ସ୍ନେହ ମମତାଦ୍ୱାରା ।

 

ବାହାଘର ନିକଟ ହୋଇ ଆସିଲା । ବାସନ୍ତୀର ମନଭିତରେ ଗୋଟାଏ ବିପ୍ଳବ ଚାଲିଥାଏ । ଆଉ କେତୋଟି ଦିନରେ ତା’ ଜୀବନରେ ଏକ ମହାପରିବର୍ତ୍ତନ ଘଟିଯିବ । ଯାହାକୁ ସେ ସ୍ୱପ୍ନରେ କେବଳ ପାଇ ଆସିଛି, ତାକୁ ସେ ବାସ୍ତବରେ ପାଇବ–କିନ୍ତୁ ନିଦାରୁଣ ଏ ବାସ୍ତବତା ! ଏହି ମିଳନଟି ଯୋଗୁଁ ଗୋଟାଏ ପରିବାରର ଅଶାନ୍ତିର ଅଗ୍ନି ଜଳି ଉଠିବ–ସେହି ଅଗ୍ନିରେ ପୋଡ଼ି ଭସ୍ମୀଭୂତ ହୋଇଯିବ ବାସନ୍ତୀ ଜୀବନର କେତେ ସୁକୁମାର ଆଶା, ଦେବବ୍ରତ ଜୀବନର କେତେ ସମୁଚ୍ଚ ଅଭିଳାଷ । ସେ ବ୍ୟାକୁଳ ହୋଇ ତା’ର ଭଗବାନଙ୍କୁ ପଚାରିଲା–ଦିଓଟି ହୃଦୟ ଯେତେବେଳେ ଏକାନ୍ତ ନିକଟ ହୋଇ ଆସି ମିଳନ ମଧ୍ୟରେ ପ୍ରେମର ପରିପୂର୍ଣ୍ଣତା ଲୋଡ଼େ, ଜଗତ ସେମାନଙ୍କୁ ନିର୍ମମ ଆଘାତ ଦେଇ ନିଷ୍ଠୁର ବାଧା ବେଦନା ବ୍ୟାହତ କରେ କାହିଁକି ?

 

ବିବାହ ଦିନ ଯେତେ ନିକଟବର୍ତ୍ତୀ ହେଉଥାଏ, ମିଳନର ଆନନ୍ଦ ସଙ୍ଗେ ସଙ୍ଗେ ଆନୁସଙ୍ଗିକ ମର୍ମପୀଡ଼ା ବାସନ୍ତୀର ଚିତ୍ତକୁ ସେତେ ବିକ୍ଷୁବ୍ଧ କରି ଦେଉଥାଏ ।

 

ବାହାରକୁ ଆସିଲେ ସର୍ବେଶ୍ୱରବାବୁ–ବରକର୍ତ୍ତା; ଆଉ ରମେଶ ଚନ୍ଦ୍ର ମହାପାତ୍ର–ପୁରୋହିତ । ରମେଶର ପରିଚୟ ପାଠକେ ପାଇ ଅଛନ୍ତି । ସେ ଦେବବ୍ରତର–‘‘ସଚିବଃ ସଖା ମିଥଃ ପ୍ରିୟଶିଷ୍ୟଃ ଲଳିତେ କଳାବିଧୌ ।’’ ରମେଶ ଜାଣିଥିଲା, ଏହି ହତଭାଗ୍ୟ ସମାଜରେ ଦେବବ୍ରତ ବାସନ୍ତୀକୁ ବିବାହ ଦେବାକୁ କୌଣସି ପେଶାଦାର ପୁରୋହିତ ମଙ୍ଗିବେନାହିଁ–ମଙ୍ଗିଲେ ଅର୍ଥଲୋଭରେ ମଙ୍ଗିବେ । ବିବାହ ଭଳି ପବିତ୍ର ଅନୁଷ୍ଠାନରେ ଏହି ନୀଚ ଲୋକଗୁଡ଼ାଙ୍କ ସାହାଯ୍ୟ ନେବା ଯେ କୌଣସି ଶିକ୍ଷିତ ଲୋକ ପକ୍ଷରେ ଗ୍ଳାନିକର । ଏହି ହେତୁରୁ ସେ ସ୍ୱତଃ ପ୍ରବୃତ୍ତ ହୋଇ ତା’ର ପ୍ରାଣର ବନ୍ଧୁର ବିପଦଟିକୁ ଆପଣା ଉପରକୁ ଟାଣି ନେଇଥିଲା ।

 

ସର୍ବେଶ୍ୱରବାବୁ ବଡ଼ ଖିଆଲୀ ଲୋକ । ଯାହା ଠିକ୍‌ ମଣିବେ, ବେପରୁଆ ହୋଇ ତାହା କରିବେ । ଝୁଙ୍କ ଉପରେ ସେ କାମ କରନ୍ତି; କିନ୍ତୁ ସୁଖର ବିଷୟ, ତାଙ୍କର ଝୁଙ୍କଗୁଡ଼ାକ ମନ୍ଦ ଆଡ଼କୁ ଯାଏନାହିଁ । ତାଙ୍କର ଆଧୁନିକତମ ଖିଆଲ ହେଲା, ଦେବବ୍ରତର ବାହାଘରଟିକୁ ନୂତନ ଧରଣରେ ସମ୍ପନ୍ନ କରିବା । ବାହାଘର ଦିନ ସକାଳୁ ଉଠି ସର୍ବେଶ୍ୱରବାବୁ କହିଲେ–‘‘ବୁଝିଲୁ, ବାପ ଦେବ, ଗୋଟାଏ ନୂତନ କିଛି କର । ଆମ ମରହଟିମାନଙ୍କର ଦିହକ ଗଲା ସେହି ସବାରୀ ପାଲିଙ୍କିରେ ଚଢ଼ି । ତୁ ବାପା ମୋଟରରେ ବାହା ହେବାକୁ ଚାଲ ।’’

 

କଥାଟା କହିଦେଇ କେଜାଣି କାହିଁକି ଠୋ ଠୋ କରି ଖୁବ୍‌ ଗୁଡ଼ାଏ ହସିଲେ–ବୋଧହୁଏ ନିଜ କଥାଟା ନିଜ ମନକୁ ପାଇଲା । କ୍ଷଣକ ପରେ ପୁଣି କହିଲେ, ‘‘ହଁ ବାପା ଦେବ, ତୋ ବାହାଘର ପାଇଁ ରୋସନୀ କ’ଣ ହେବ ? ବାଜାର ଅବା ଦରକାର କ’ଣ ? ଆମ ମୋଟରଲାମ୍ପ ତ ଆତସବାଜି, ଆମ ମୋଟର ହର୍ଣ୍ଣ ତ ମହୁରୀ ପେକାଁଳି ! ହୋଃ ହୋଃ ହୋଃ ହୋଃ....’’

 

ଲୋକଟି ଖିଆଲବାଜ–ବଡ଼ ସରଳ । ଆପଣା ମନକୁ ହସି ହସି ଗଡ଼ିଯାଇ ଅନେକ କଷ୍ଟରେ ଥୟ ହେଲେ ।

 

ଶେଷରେ ସେଇଆ ହେଲା । ଦେବବ୍ରତ ସାହିତ୍ୟିକ ବନ୍ଧୁ ବିଶ୍ୱନାଥ ଦାସଙ୍କ ମୋଟର ଗାଡ଼ିରେ ଚଢ଼ି କନ୍ୟା ଘରକୁ ଗଲା । କନ୍ୟାକର୍ତ୍ତା ହୋଇଥିଲେ ସ୍ୱୟଂ ବିଶ୍ୱନାଥ ଦାସେ । ଲୋକଟି କେବଳ ସାହିତ୍ୟରସିକ ନୁହନ୍ତି, ସମାଜ ସଂସ୍କାରକ ଏବଂ ଦୈବକ୍ରମେ ବଳରାମବାବୁଙ୍କର ପରମବନ୍ଧୁ ଓ ସଂସ୍କାରକ, କରଣଦଳରେ ଜଣେ ନେତା । ମୋର ଯେଉଁ ପାଠକପାଠିକାମାନେ ବାହାଘରର ଗୋଟାଏ କୌତୁହଳପ୍ରଦ ବିବରଣ ଶୁଣିବେ ବୋଲି ଆଶାବାନ୍ଧିଛନ୍ତି, ସେମାନେ ହୁଏତ ଶୁଣି ଦୁଃଖିତ ହେବେ ଯେ, ଏହି ବାହାଘରଟିରେ ବରଯାତ୍ରୀମାନେ ଖିରୀପିଠା ଅଥବା ଲୁଚି ପାନ୍ତୁଆର ସଦ୍‌ବ୍ୟବହାର କରିପାରି ନଥିଲେ । କାରଣ ରମେଶଚନ୍ଦ୍ରଙ୍କର ଅଜୀର୍ଣ୍ଣ ରୋଗ ଆଉ ସର୍ବେଶ୍ୱରବାବୁ ପରା ବରକର୍ତ୍ତା । ଆମ୍ଭେମାନେ ବିଶ୍ୱସ୍ତସୂତ୍ରରେ ଅବଗତ ହେଲୁଁ ଯେ, ଧନିଆ ଚାକର ଏକାକୀ ଏହି ବିରାଟ ଆୟୋଜନଟାକୁ ଉଦରସ୍ଥ କରି କିଛିଦିନ ଯାଏ ଡାକ୍ତରଖାନାକୁ ଦଉଡ଼ାଦଉଡ଼ି କରିଥିଲା ।

 

ବାହାଘରଟା ‘‘ଯେନ ତେନ ପ୍ରକାରେଣ’’ ଖେଚେଡ଼ି ପଦ୍ଧତି ଅନୁସାରେ ହୋଇଗଲା । ବାସନ୍ତୀକୁ ବିଦାୟ ଦେଲାବେଳେ ସୁନୀତି ଓ କଲ୍ୟାଣୀ ସତକୁ ସତ କାନ୍ଦି ପକାଇଲେ ଏବଂ ବାସନ୍ତୀ କଲ୍ୟାଣୀଙ୍କ ଅଞ୍ଚଳରେ ମୁହଁ ଘୋଡ଼ାଇ ଲୋତକ ବର୍ଷଣ କଲା । ବାହୁନୀ ଭାକୁନି ନ କାନ୍ଦି ଜାତୀୟଭାବକୁ ଅବହେଳା କରି ବାସନ୍ତୀ ଏହି ଯେ ଅନାର୍ଯ୍ୟୋଚିତ କାର୍ଯ୍ୟଟି କଲା, ଏହାକୁ ସମର୍ଥନ କରି ନ ପାରି ଚମ୍ପା ଚାକରାଣୀ ପୂରା ଘଣ୍ଟାଏକାଳ ତାଟକା ହୋଇ ଠିଆ ହୋଇଥିଲା ଏବଂ ତିନିଦିନ ଯାଏ ସାଇପଡ଼ିଶାଙ୍କ ଆଗରେ ଏକାଳ ଟୋକୀଗୁଡ଼ାଙ୍କ ମତିଗତି ସମ୍ୱନ୍ଧରେ ଦଣ୍ଡୀ–ଫୁଲଗୁଣା ହଲାଇ ପ୍ରବଳ ଆପତ୍ତି ଜଣାଇଥିଲା ।

 

ବିବାହ ପରେ ଦେବବ୍ରତ ଭାବିଲା, ଥରେ ଘରକୁ ଯାଇ ମାଆଙ୍କ ମନ ବିଡ଼ିବ । ମାତୃସ୍ନେହ ବୋଲି ବାସ୍ତବିକ ଯଦି କିଛି ଥାଏ, ତେବେ ମା’ ତା’ର ଏକମାତ୍ର ପୁତ୍ରକୁ ପର କରିଦେବେନାହିଁ । ଯଦି ପର କରି ଦିଅନ୍ତି, ତେବେ ମାତୃସ୍ନେହ ସମ୍ୱନ୍ଧରେ ତା’ର ସବୁ ଭ୍ରାନ୍ତବିଶ୍ୱାସ ଦୂର ହୋଇଯିବ; ସେ ଜାଣିବ ଯେ ମା’ ସାଙ୍ଗରେ ତା’ର କେବଳ ଦେଣାପାଉଣାର ସମ୍ପର୍କ । ସେ ଭକ୍ତି ଦେଲେ, ବାଧ୍ୟତା ଦେଲେ, ମୋ ସ୍ନେହ ଦେବେ, ଆଦାର ଦେବେ; ନ ଦେଲେ ଦେବେନାହିଁ । ଏ କଥା ଭାବି ଭାବି ତା’ ମନଟା ବିଦ୍ରୋହ ହୋଇ ଉଠିଲା । ଅବଶେଷରେ ସେ ଦିନେ ମା’ଙ୍କ ନିକଟକୁ ତାର କରିଦେଲା–‘‘ବାସନ୍ତୀକୁ ନେଇ କାଲି ଘରକୁ ଯାଉଛି ।’’

 

–ଆଠ–

 

ନିର୍ଦ୍ଦିଷ୍ଟ ସମୟରେ ବାଲେଶ୍ୱର ଷ୍ଟେସନରେ ଦେବବ୍ରତ ଓ ବାସନ୍ତୀ ଓହ୍ଲାଇଲେ । ସେମାନଙ୍କୁ ପାଛୋଟି ନେବାକୁ ଗାଁରୁ ଆସିଛନ୍ତି–ବେବର୍ତ୍ତା, ସନିଆମା ଚାକରାଣୀ ଆଉ ଗାଡ଼ିବାଲା ଓ ସୁଆରୀ ବେହେରାମାନେ । ଶିମିଳିପୁର ଗାଁ ବାଲେଶ୍ୱର ସହରଠାରୁ ଅଢ଼େଇ ମାଇଲ । ଟ୍ରେନରୁ ଉତୁରିଲେ ସରାସରି ଚାଲିବାକୁ ପକ୍‌କା ସଡ଼କ ପଡ଼ିଛି । ଧନିଆକୁ ବେବର୍ତ୍ତା ଜିମା ଦେଇ, ଜିନିସପତ୍ର ଗାଡ଼ିରେ ବୋଝେଇ କରି ବାସନ୍ତୀକୁ ସୁଆରୀରେ ଚଢ଼େଇ ଦେବବ୍ରତ ବାଇସାଇକେଲ ଯୋଗେ ଗ୍ରାମ ଅଭିମୁଖରେ ଯାତ୍ରା କରିବା ସ୍ଥିର କଲା ।

 

ସନିଆମା ବୋହୂ ସାନ୍ତାଣୀଙ୍କୁ ନେଇଯିବା ପାଇଁ ସୁଆରୀ ସାଙ୍ଗରେ ଆସିଥିଲା, ଦେବବ୍ରତଙ୍କୁ ଦେଖି କହିଲା, ‘‘ବାବୁ, ତୁମେ ତ କଟକରେ ବାହାହେଲ–ଆମ ଭୋଜି ବୁଡ଼ାଇଲ; ସେ କଥା ଗଲାଣି ତ ଗଲାଣି–ଆଉ ଆମକୁ ବରାବରି ନିରାଶ କରିବନାହିଁ ।’’

 

ଦେବବ୍ରତ ହସି ହସି କହିଲା, ‘‘ଆଲୋ ! ପାଉଣାଟା ତୁମର ମୁଲତୁବୀ ରଖନା ଟିକିଏ–ମୁହଁରୁ କଥା ବାହାରୁ ବାହାରୁ କ’ଣ ତୁମ ପାଉଣା ମେଣ୍ଟିବ ?’’

 

ବାସନ୍ତୀକୁ ଦେବବ୍ରତ କହିଲା, ‘‘ମୁଁ ଜିନିଷପତ୍ର ବେବର୍ତ୍ତାଙ୍କ ଜିମାଦେଇ ପଛରେ ସାଇକେଲରେ ଯାଉଛି । ଶଗଡ଼ରେ ଧନିଆ ଯିବ ଜିନିଷପତ୍ର ନେଇ ।’’ ବାସନ୍ତୀ କହିଲା–‘‘ହଉ ।’’

 

ସନିଆମାର ମୁରବ୍‌ବିୟାନା ହାଙ୍କ ପୁଣି ବେହେରାମାନେ ସୁଆରୀ ଘେନି ଦଉଡ଼ିଲେ । ସନିଆମା ସାଙ୍ଗେ ସାଙ୍ଗେ ଚାଲିଲା ।

 

ସନିଆମା ତାଙ୍କ ସାଆନ୍ତାଣୀଙ୍କଠୁଁ ଯେପରି ଶୁଣିଥିଲା, ମିଳେଇ ଦେଖିଲା, ସତକୁ ସତ ଠିକ୍‌ ତ । ସଂସାରର ବୋହୂପଣିଆ ପରି ଏ ନୂଆବୋହୂର ଢଙ୍ଗ ତ ଜମା କାହିଁ ଦିଶୁନାହିଁ । ରେଳଟାରୁ ଛିଡ଼ା ଛିଡ଼ା ଆସିଲା, ପୁଣି ସମସ୍ତେ ଥାଇ ଦେବବାବୁଙ୍କ ସଙ୍ଗରେ କଥା କହୁଛି ! ଦେବବାବୁ ତ ମରଦ ପୁଅ–ତାଙ୍କର ଗୋଟାଏ ନାଜସରମ କ’ଣ ? ସ୍ତ୍ରୀଲୋକଙ୍କର ସିନା ନାଜ ସୁନ୍ଦର । ଏ ବୋହୂଠେଇଁ ତ ତା’ର ତିଳେ ଚିହ୍ନନାହିଁ ! ପୁଣି ନାକରେ ନୋଥ, ନାଟ ମୟୂର, ଦଣ୍ଡୀ, କପାଳରେ ଅଳକାପନ୍ତି, ଗୋଡ଼ରେ ପାହୁଡ଼, ପଞ୍ଚମ କିଛିନାହିଁ; ଉପରେ ଅନୁକୂଳ ଖଣ୍ଡୁଆ ଖଣ୍ଡେବି ପଡ଼ିନାହିଁ–ଖାଲି କ’ଣ ନା, ଗୋଡ଼ରେ ମଲ ଚାରିପଟ, ନାକରେ ମୋତି ନୋଲକଟାଏ, ନାକଛବି ଦି’ଟା, ବେକରେ ଚିକଟାଏ ଲମ୍ୱା ହୋଇ ଧଣ୍ଡା ପରି ହାରଟାଏ ! ଯେମିତି ବଙ୍ଗାଳୀ ଲଳିତବାବୁ ସ୍ତ୍ରୀ ନଗାଇଥାଏ; ତା’ରି ପରି ମୁଣ୍ଡରେ ସୁଁଥା ନ ପାରି ବାଳଗୁଡ଼ାକ କପାଳ ଉପର ଘୋଡ଼େଇ ହୋଇ ବଣ ପରି ଦିଶୁଛି; ଆଉ ତା’ ଉପରେ ପ୍ରଜାପତି ଫୁଲମରା ହାର ପରି ଗୋଟାଏ କ’ଣ ବନ୍ଧା ହୋଇଛି, ଆଉ ମୁକୁତା ଝୁମ୍ପା ଝୁଲୁଛି; ଅଣ୍ଟାରେ ଚନ୍ଦ୍ରହାରନାହିଁ । ସୁନାର ଗୋଟାଏ ଆଙ୍ଗୁଳିଏ ସରୁ ଗୋଠ; ହାତରେ ଚୁଡ଼ି ଖଡ଼ୁନାହିଁ ହାତରେ ଦଶଟା ମୁଦିନାହିଁ, ଦି’ଟା ଜମାରୁ ! ମାଲୋ, ଏଇଥିପାଇଁ ଦେବବାବୁ ଏମିତି ମନ ମନେଇ ବାହାହେଉଥିଲେ । ଇଏ କ’ଣଲୋ ! ଏତେଏତେ ମାହାନ୍ତି ଘରବୋହୂ ଦେଖିଲିଣି । ଏଭଳି ଉପରମୁହୀଁ ବୋହୂ ଦେଖି ନଥିଲି ! ସତେ ଯେମିତି କେଉଁଦିନୁ ଆସିଥିଲା ପରି ଟଙ୍ଗ ଟଙ୍ଗ ହୋଇ ସୁଆରୀରେ ଯାଇ ବସିଗଲା । ମା’ ଏତେ ସାର କରି ପୁଅ କରିଥିଲା ବନ୍ଧୁ ଘରଟିଏ କରିଥାନ୍ତା, ନେଇଥାନ୍ତା, ଦେଇଥାନ୍ତା–କେତେ ଧନ ଆଣିଥାନ୍ତା, ଆଶା କରିଥିଲା–ଏଇନାଗେ ଏ ରୂପ ଦେଖି କରି ମନବୋଧ ହବନାହିଁ ଯେ ! ଗୁଣବନ୍ତ ପୁଅ ନ ହେଲେ କିରେ ! ବାପ ମା’ଙ୍କ ନାଁ ରଖିଲା । ମନେ ମନେ ଏଇସବୁ ପ୍ରସଙ୍ଗ ଆଲୋଚନା କରି ଯାଉ ଯାଉ ଦେବବ୍ରତଙ୍କ ଘର ଦିଶିଲା ।

 

କେତେ ସ୍ତ୍ରୀଲୋକ ଦଉଡ଼ି ଆସିଲେ ସୁଆରୀ ପାଖକୁ । ସନିଆମାକୁ ତା’ର ସଙ୍ଗିନୀମାନେ ମହାକୌତୁହଳରେ ଘେରିଯାଇ ପଚାରିଲେ, ‘‘କେମିତି ମ ସବୁ–କେମିତି କିଲୋ ?’’ ‘‘ମଲା ମୋର, ତୁଣ୍ଡରେ ବେଙ୍ଗ ପଶିଚି ନା କ’ଣ ମ–ପାଟି ଫିଟଉନୁ କିଆଁ ମ ?’’ ଉପୁରି ଉପୁରି ପ୍ରଶ୍ନରେ ସେ ବିରକ୍ତ ହୋଇ କହିଲା, ‘‘ଏଗୁରା ଏମିତି କାଉ ପରି ଖାଇଯାଉଛ କାହିଁକି ମ ! ବଳେ ତ ଏଇନାଗେ ଦେଖିବ । ଏବେ ହାତ ଶଙ୍ଖାକୁ ଦରପଣ ଲୋଡ଼ା–ମତେ କାହିଁକି ପଚାରୁଚ ? ସଂସାରରେ ଯେମିତି ଏ ସେମିତି–ଆଉ ସଂସାରରୁ କ’ଣ ବାହାର ? ମୁଁ ଏତେ ବଜର ବଜର ହୋଇପାରିବି ନାଇଁ ଲୋ !’’ କହି ସମସ୍ତଙ୍କୁ ଠେଲିଦେଇ ସନିଆମା ଆଗ ପଳାଇଲା ।

 

ସନିଆମା ସୁଆରୀ ଦରଜା ବନ୍ଦ କରି ଦେଇଥିଲା । କୌତୁହଳୀ ସ୍ତ୍ରୀମାନେ ସୁଆରୀ ଆସ୍ତେ ଆସ୍ତେ ଖୋଲି ମୁହଁ ଗଳେଇ ଦେଖୁଁ ଦେଖୁଁ ବୈଠକଖାନାର ସଦର ଦରଜାରେ ଆସି ସୁଆରୀ ପହଞ୍ଚିଲା ।

 

ଦେବବ୍ରତ ସାଇକେଲରେ ଆସି ଆଗରୁ ଘରେ ପହଞ୍ଚିଲା; ଘର ଭିତରକୁ ବୋଉଙ୍କ ପାଖକୁ ଯିବାପାଇଁ ତା’ ଗୋଡ଼ ଉଠି ଉଠୁ ନଥାଏ, ପଡ଼ି ପଡ଼ୁ ନଥାଏ । କୁଣ୍ଠିତ ପାଦ ଯୋଡ଼ାକୁ ଟାଣି ନେଇ ଯେତେବେଳେ ସେ ଅପରାଧୀ ପରି ତା’ ବୋଉ ପାଖରେ ଠିଆ ହେଲା, ସେତେବେଳକୁ ବୋଉ ବିଛଣାରୁ ଉଠି ଆସି ବାରଣ୍ଡାରେ ବସିଛନ୍ତି । ଦେବବ୍ରତ ପ୍ରଣାମ କଲା, ବୋଉ କିଛି କହିଲେନାହିଁ । ବର୍ଷଣୋନ୍ମୁଖ ଆଷାଢ଼ର ଘନଘଟା ସହସା ସେ ମୁହଁକୁ ଢାଙ୍କି ପକାଇଲା, ଆଖି ଦିଓଟି ସଜଳ ହୋଇ ଉଠିଲା । ଅବସ୍ଥା ଦେଖି ଦେବବ୍ରତ ବିଚଳିତ ହେଲା । ମୂକ ହୋଇଯାଇଥିବା ତା’ର ତୁଣ୍ଡକୁ ଗୋଟିଏ ଅଜ୍ଞାତ ଶକ୍ତି ଧକ୍‌କା ଦେଇ ଫିଟାଇ ଦେଲା । ସେ କହିଲା, ‘‘ବୋଉ, ତୋ ବିଚାରରେ ଅବଶ୍ୟ ମୋର ଦୋଷ ହୋଇଛି, ତା’ ମୁଁ ବୁଝିଛି; କିନ୍ତୁ ହେଲେ ସୁଦ୍ଧା ମୁଁ ଯେତେବେଳେ କର୍ତ୍ତବ୍ୟ ବୋଲି ଭାବିଲି, ସେଇଟା ନ କରନ୍ତି କିମିତି ? ବୋଉ, ତୁ ଯେବେ ସେ ଅନାଥା ବାଳିକାକୁ ଗ୍ରହଣ ନ କରିବୁ, ତା’ର ଅବସ୍ଥା କ’ଣ ହେବ–ଭାବିଲୁ ?’’

 

ସୁଭଦ୍ରା ଦେଈ କହିଲେ, ‘‘ପୁଅ ଯେତେବେଳେ ବୋହୂ ବୋଲି ଘରକୁ ଆଣିଲାଣି, ତେତେବେଳେ ମୋର ଘରକୁ ନ ନେବାର ବେସାଦ କାହିଁ ଯେ ମୁଁ ଘରକୁ ନ ନେବି ? ମୁଁ କିଏ କି-?’’ ଏମିତି କହି ସୁଭଦ୍ରା ଦେଈ ଭୋ ଭୋ ହୋଇ କାନ୍ଦି ଉଠିଲେ । ଦେବବ୍ରତ ଅତି କଷ୍ଟରେ ବୋଉଙ୍କୁ ତୁନୀ କରାଇଲା । ବୋଉଙ୍କ କାନ୍ଦଣାର ବେଗ କମିଗଲା । ସେ କହିଲେ, ‘‘ଦେବ ! ଯା ତୁ ଗାଧେଇ ଯା...କ’ଣ ଖାଇବୁ କରିବୁ ।’’ ଦେବବ୍ରତ କହିଲା, ‘‘ହଁ ବୋଉ ଯାଉଛି ।’’

 

ଦେବବ୍ରତ ଆସି ଦାଣ୍ଡଘର ଚଉକିରେ ବସିଛି–ମନ ତା’ର ବିଷଣ୍ଣ । ତା’ ଭିତରେ ଦିଓଟି ଭାବ ପରସ୍ପର ସହିତ ଯୁଦ୍ଧ କରୁଥିଲେ । ଗୋଟିଏ ତା’ର ଶିକ୍ଷାଦୀକ୍ଷା ମାର୍ଜିତ ବିବେକ; ଆଉ ଗୋଟିଏ ତା’ର ସାମାଜିକ ଆଜନ୍ମ ସଂସାର । ପ୍ରଥମ ପକ୍ଷ କହୁଥାଏ–ମୁଁ ଯାହା କରିଛି, ଖୁବ୍‌ ଠିକ୍‌ କରି କରିଛି । ଦ୍ୱିତୀୟ ପକ୍ଷ କହୁଥାଏ–ଠିକ୍‌ କ’ଣ କରିଛୁ, ଯେଉଁ ମା’ର ଶୁଭ ଇଚ୍ଛା–ଯାହାର କଲ୍ୟାଣ ହସ୍ତର ସେବା ତୋର ପ୍ରତିରକ୍ତ ବିନ୍ଦୁକୁ ବଢ଼ାଇ ଆଣିଛି, ତାକୁ କନ୍ଦାଇ, ଲୋକହସା ହୋଇ, ଠିକ୍‌ କରିନୁ ତ ଆଉ ଠିକ୍‌ କରନ୍ତୁ କେମିତି ! ଦେଖିଲୁ, ତୋର ଠିକ୍‌ କରାଟାରେ କେତେ ପ୍ରାଣୀ ଆହତ ହେଲେ ! ପ୍ରଥମ ପକ୍ଷ କହିଲା–ମୁଁ ଏ ଯୁକ୍ତିର ପ୍ରତିବାଦ କରୁଛି । ମୁଁ ଯେଉଁଟା ମୋ କର୍ତ୍ତବ୍ୟ ବୋଲି ଜାଣିଲି–କଲି । ସେଥିପାଇଁ ମୁଁ ତ କୌଣସି କ୍ଷତି ସହିବାକୁ କୁଣ୍ଠିତ ନୁହେଁ । ଯୁଗପତ୍‌ ଏହି ସଂଗ୍ରାମରେ ଲିପ୍ତ ହୋଇ ଦେବବ୍ରତ ଶୂନ୍ୟ ଭାବରେ ବସିଥିଲା–ମୁହଁ ତା’ର ଅତି ବିଷଣ୍ଣ । ଏ ବିଷଣ୍ଣତା ତା’ର ଚପଳ ଚାରୁ ଭଙ୍ଗିମାମୟ ମୁହଁଟିରେ ବଡ଼ ବେଖାପ ଦିଶୁଥିଲା–ଅସ୍ୱାଭାବିକ ରକମର ! ତା’ ମୁଣ୍ଡ ଯେମିତି ସ୍ୱତଃ ନଇଁ ଯାଉଥିଲା–ଘରର, ବାହାରର ଏତେଗୁଡ଼ାକ ସ୍ତ୍ରୀ ପୁରୁଷଙ୍କୁ ଦେଖି ସେ ଚାହିଁ ପାରୁ ନଥିଲା ତା’ର ସ୍ୱାଭାବିକ ସରଳ ଚାହାଣୀରେ । ସମସ୍ତଙ୍କର ସକୌତୁକ ଦୃଷ୍ଟି ତା’ ଉପରେ କେନ୍ଦ୍ରୀଭୂତ ହୋଇଥିଲା । ସେ ଅପରାଧୀ ପରି ଅତି ନିଃସହାୟ ହୋଇ ନଇଁ ଯାଉଥିଲା ସେମାନଙ୍କ ଦୃଷ୍ଟିକୁ ତା’ ଉପରେ ବଜ୍ରମୟ ଭ୍ରୁକୁଟି ମଣି । ତା’ ଦେହଟା ସଙ୍କୋଚରେ କଣ୍ଠା ମାରି ଉଠୁଥିଲା, କିନ୍ତୁ ବାହାରେ ସେ ନିଜକୁ ସହଜ, ଖୁବ ସ୍ୱାଭାବିକ ଓ ପ୍ରଫୁଲ୍ଲ ବୋଲି ଦେଖାଇବାକୁ ଚେଷ୍ଟା କରୁଥିଲା । ମାତ୍ର ସେ ଅନୁମାନ କରିପାରୁଥିଲା ତା’ର ଏପରି ଅସ୍ୱଭାବିକ ଭଙ୍ଗୀଟା ଯେମିତି ବାହାରର ଲୋକେ ସଫା ବୁଝିପାରୁଛନ୍ତି–ଆଉ ସେମାନଙ୍କର ଘୃଣାଜନିତ କଟାକ୍ଷଯାକ ତାକୁ କେନ୍ଦ୍ର କରି ହାଣୁଛନ୍ତି । ସେଥିପାଇଁ ସେ ଏତେ ଚେଷ୍ଟା କରୁଥିଲା–ଯେପରି ତା’ ଭିତରେ ଏହି ପ୍ରତିକ୍ରିୟାଟିକୁ କେହି ଲକ୍ଷ୍ୟ କରି ନ ପାରନ୍ତି । ସେଥିପାଇଁ ତା’ର ଆକୁଳ ସନ୍ତର୍ପଣତା-

Unknown

 

ସୁଆରୀ ରହିଲା । ବାସନ୍ତୀର ଛାତି ଥରି ଉଠିଲା । ସେ ତୀକ୍ଷ୍ଣ ବୁଦ୍ଧିମତୀ, ପଲ୍ଲୀର କରଣ ସମାଜରେ ତା’ର ସ୍ଥାନ କେଉଁଠି–ସେ ସମସ୍ତଙ୍କଠୁଁ ଭଲକରି ଅନୁମାନ କରିପାରିଥିଲା । ଦେବବ୍ରତଙ୍କ ବୋଉଙ୍କର ଉପେକ୍ଷାଜନିତ ବ୍ୟବହାର ଥରେ ଯେତେବେଳେ ପୂର୍ବେ ସେ ଜୀବନରେ ଭୋଗିଥିଲା, ସେତେବେଳେ ସେ ସ୍ପଷ୍ଟରୂପେ ବୁଝିପାରିଥିଲା–ଏ ସଂସାରକୁ ତା’ର ଆକସ୍ମିକ ଆଗମନ ଫଳରେ ତା’ କପାଳରେ ଯାହା ଲେଖା ଅଛି । ଅତୀତରେ ଦିନେ ସୁଭଦ୍ରାଙ୍କୁ ବାହାରୁ ସେ ଯାହା ଚିହ୍ନିଥିଲା, ସେଇ ଚିହ୍ନିବାର ଅଭିଜ୍ଞତାଟା ବର୍ତ୍ତମାନ ତାକୁ ସ୍ପଷ୍ଟ ଭାବରେ ବୁଝାଇ ଦେଲା, ସେ ତା’ ଶାଶୁଙ୍କର କିପରି ନୟନାନନ୍ଦବର୍ଦ୍ଧିନୀ ହେବ । ଗୋଟାଏ ତୀବ୍ର ସଙ୍କୋଚ ତା’ ପାଦ ଯୋଡ଼ିକୁ ପଥର କରିଦେଲା, ସେତେବେଳେ ତା’ର ଖୁଡ଼ୀଶାଶୁ ଜଣେ ଆସି ସୁଆରୀ ଖୋଲିଦେଲେ । ଖୁଡ଼ୀଶାଶୁ ହାତଧରି ‘‘ଆଲୋ ମା’’ କହି ଧୀରଭାବରେ ଉଠାଇ ଆଣିଲେ । ବାସନ୍ତୀ ମୁହୂର୍ତ୍ତକ ପାଇଁ ତାଙ୍କ ସଙ୍କୋଚଟାକୁ ସମ୍ୱରଣ କରି ତା’ର ରେଶମୀ ଜରିଦିଆ ଓଢ଼ଣାଟି ବେଶିକରି ମୁହଁ ଉପରେ ଟାଣି ଦେଇ ମୁହଁ ତଳକୁ ପୋତି ମୃଦୁପାଦରେ ଚାଲି ଆସିଲା ।

 

ତା’ପାଇଁ ଯେଉଁ ଘରଟା ସଜିଲ ହୋଇଥିଲା, ବାସନ୍ତୀ ସେ ଘରକୁ ଯାଇ କବାଟ ଉଢ଼ାଳରେ ଠିଆହେଲା । ଉପସ୍ଥିତ ବୁଦ୍ଧିମତେ ଶାଶୁଙ୍କୁ ଓ ଖୁଡ଼ୀ ଶାଶୁ ପ୍ରଭୃତି ସମାଗତା ମାନ୍ୟାମାନଙ୍କୁ ପ୍ରଣାମ କରି ଟିକିଏ ଘୁଞ୍ଚି ବସିଲା ।

 

ଏ ଯେ ଖୁଡ଼ୀଶାଶୁ, ସେ ବାସନ୍ତୀର କୁଟୁମ୍ୱ ସମ୍ପର୍କୀୟା, ସର୍ବେଶ୍ୱରବାବୁଙ୍କ ସ୍ତ୍ରୀ । ତାଙ୍କ ଝିଅ ନିଶାମଣିକୁ ଡାକି ସୁଭଦ୍ରା କହିଲେ, ‘‘ଆଲୋ ନିଶା, ସମସ୍ତଙ୍କୁ ବୋହୂ ମୁହଁ ଦେଖାଇ ଦବୁଟି ।’’

 

କଥା ଅନୁସାରେ ନିଶା ବାସନ୍ତୀର ଓଢ଼ଣା ଟେକି ମୁହଁଟି ଦେଖାଇ ଦେଲା । ବାସନ୍ତୀର ସୌନ୍ଦର୍ଯ୍ୟ ଏ ଅନୁପମ ମାଧୁରୀ ଦେଖି ସମାଗତାଗଣ ଆଶ୍ଚର୍ଯ୍ୟ ହୋଇଗଲେ–ଏଡ଼େ ସୁନ୍ଦର ରୂପ ତ କାହିଁ ସେମାନେ ସଚରାଚର ଦେଖିନାହାନ୍ତି ! ଏଡ଼େ ସୁନ୍ଦର ଯିଏ, ତାକୁ ଦେବବ୍ରତ ପକ୍ଷରେ ବିଭା ହେବାରେ ବିଚିତ୍ର କ’ଣ ? ସମସ୍ତଙ୍କ ମନରେ ଗୋଟିଏ ଭାବ ବିଦ୍ୟୁତ୍‌ପରି ଖେଳି ଯାଇଥିଲା ।

 

ସମସ୍ତଙ୍କର ବିସ୍ମୟବ୍ୟଞ୍ଜନ ଦୃଷ୍ଟି ଦେଖି ଓ ଅସ୍ଫୁଟ ସ୍ୱରରେ ପ୍ରଶଂସାବାଦ ଶୁଣି ସୁଭଦ୍ରା ଦେଈଙ୍କ ବଙ୍କେଇଥିବା ମନ ଅତିରିକ୍ତ ମାତ୍ରାରେ ବଙ୍କେଇ ଉଠିଲା । ଷ୍ଟେସନଟାରେ ଛିଡ଼ା ହୋଇ ସୁଆରୀକୁ ଯିବାର, ଶାଶୁଘର ଲୋକଙ୍କ ଆଗରେ ଦେବବ୍ରତ ସଙ୍ଗେ କଥା କହିବାର, ପୁଣି ଗହଣାପତ୍ରର ଏତେ ବିରଳତା କଥା, ସେ ସନିଆମାଠୁ ସବୁ ଶୁଣିଥିଲେ । ଘରେ କେହି ନ କହୁଣୁ ବୋହୂ ଠିଆ ଠିଆ ହୋଇ ଚାଲିଯିବାର ଦେଖି ମନ ଚିଡ଼ି ଉଠିଥିଲା; କିନ୍ତୁ ଏତେ ସାଇଭାଇର ଲୋକରେ ସେ ଯଦି ଖୁଣି ଦେବେ, ତେବେ ଓଲଟି ତାଙ୍କୁ ନିନ୍ଦା । ତେଣୁ ସେ ସଂଯତ ଥିଲେ; କିନ୍ତୁ ସମସ୍ତଙ୍କର ଏ ସାଗ୍ରହ ଦୃଷ୍ଟି ଓ ସୌନ୍ଦର୍ଯ୍ୟର ଅଜସ୍ର ଯଶୋଗାନ ଶୁଣି ଅସହିଷ୍ଣୁ ହୋଇ କହିଲେ, ‘‘ଆଗୋ ! ରୂପ ଥିଲେ କ’ଣ ହେବ, ଗୁଣ ଥିଲେ ସବୁ–ରୂପ ମଶାଣିକି, ଗୁଣ ସଂସାରକୁ । ଭଲ ହେଲେ ଭଲ ଶୁଣିବେ–ମନ୍ଦ ହେଲେ ମନ୍ଦ ଶୁଣିବେ । କଥାରେ ନାହିଁ–ଗୁଣକୁ ପୂଜା, ଅବିଗୁଣ ଥିଲେ କତିକି ନ ଯା ।’’ ତାଙ୍କର କୁଟୁମ୍ୱ ଜାଆ ଜଣେ କହିଲେ, ‘‘ହଁ ଦେବବୋଉ ! ଏ କଥାଠୁଁ ବଳି କଥା ଅଛି ? ଭଲଗୁଣ କାଢ଼ିଲେ ଶାଶୁଘର ନାଁ, ବାପ ଘର ନାଁ ପଡ଼ିବ, କହିଲା, ‘ଦୁହିତା–ଦୁଇ କୁଳକୁ ହିତା;–ଦୁଇ କୁଳକୁ ପିତା ।’’ ନିଶାବୋଉ କହିଲେ, ‘‘ଅପା ତମ କଥା ସରିବ ନା, ବୋହୂ ଖବର ବୁଝିବମ ?’’ ସମାଗତ ମହିଳାମାନଙ୍କ ଆଡ଼କୁ ଚାହିଁ କହିଲେ, ‘‘ତମେମାନେ ତ ଦେଖିସାରିଲ, ବୋହୂ ଘରକୁ ତ ଆସିଲା, ତମ ଜୀବନକୁ ତା’ ଜୀବନ ଏଇଠି କଟିବ, ବେଳ ଉଛୁର ହେଲାଣି–ଘରକୁ ସବୁ ଯାଉନା କାହିଁକି ? ବୋହୂ ଗାଧୋଇପାଧୋଇ ଖାଇପିଇ ସୁସ୍ଥ ହୋଇ ବସୁ, ପଛକୁ ଆସିବ ପୁଣି, କିଏ ଗାଁ ଭୂଇଁ ଛାଡ଼ି ଯାଉଛି କି ?

 

ସମସ୍ତେ କ୍ରମେ ଘରକୁ ଗଲେ ।

 

ନିଶାବୋଉ କହିଲେ,–ଅପା ! ମୁଁ ତେବେ ଯାଉଛି, ପଛକୁ ଆସିବି ।’’

 

ସୁଭଦ୍ରା କହିଲେ, ‘‘ନାହିଁ ସାନ ବୋଉ, ତୁ ଗଲେ ଚଳିବ କେମିତି ? ବୋହୂଟାକୁ ଖୋଇପେଇ ଯିବୁନା !

 

ନିଶାବୋଉ କହିଲେ, ‘‘ନିଶା ତାହେଲେ ଥାଉ । ଘରେ କେତେ କାମଅଛି, ନାହିଁ ତ ମୁଁ ରହନ୍ତିନାହିଁ ? ବୋହୂ କ’ଣ ତମର, ମୋର ନୁହେଁ ଯେ ମତେ ଏତେ ବଳଉଛ ? ମୁଁ ପଛକୁ ଆସିବି-।’’

 

ସୁଭଦ୍ରା ନିଶାକୁ କହିଲେ, ‘‘ଆଲୋ ନିଶା ! ତୁ ତୋର ଭାଉଜବୋହୂ ପାଖରେ ଥା, ନୂଆ ଲୋକ, ତୁ ନଥିଲେ ତାକୁ ଖୋଇବ ପେଇବ କିଏ ? ସେ ତ ନୂଆ ଭୂଆ, ମଣ ହେବାକୁ ଏଇନାଗେ କେତେଦିନ ଯିବ । ତୁ ଏଠି ଦଶ ପନ୍ଦର ଦିନ ରହ; ନିତି ବୋଉ କତିକି ତୋର ଯାଉଥିବୁ ।’’

 

ନିଶା କହିଲା, ‘‘ଏତେଦିନ? ଉଁ–ହୁଁ !’’

 

ସୁଭଦ୍ରା ଦେଈ କହିଲେ, ‘‘କିଲୋ ଝିଅ, ଦିନ କେଇଟାପାଇଁ ଏମିତି ହଉଚୁ, କ’ଣ ତୋ ବୋଉକୁ କିଏ ନେଇ ଯାଉଚି କି ? ପୁଣି ଶାଶୁଘରେ ରହିବୁ କେମିତି ?

 

ନିଶା ଲଜ୍ଜାରେ ତଳକୁ ମୁହଁକରି ସେଠୁ ପଳାଇଲା ବାସନ୍ତୀ ପାଖକୁ । ସେଠି ବସି ପାଟି କରି କହିଲା, ‘‘ବଡ଼ମା, ମୁଁ ରହିବି, ରହିବି ।’’ ସୁଭଦ୍ରା କହିଲେ, ‘‘ହଉ ।’’ ନିଶାବୋଉ କହିଲେ, ‘‘ ସେ ତ ସାଇ ବୁଲିଯାଇ ଫେରି ମତେ ଯେବେ ଘରେ ନ ଦେଖିବ, ତେବେ ବଣା ହୋଇଯିବ । କେମିତି କ’ଣ ମନ ହୋଇଗଲା କେଜାଣି !’’ ସୁଭଦ୍ରା କହିଲେ, ‘‘ପିଲାଲୋକ; ସଂସାରରେ ଝିଅ ବୋହୂମାନେ ତ ସାଙ୍ଗ ହୁଅନ୍ତି । ସାଙ୍ଗ ମେଳରେ ରହିବ ବୋଲି ମନ ମାନିଗଲା ।’’

 

ନିଶାବୋଉ ଚାଲିଗଲେ ।

 

ସୁଭଦ୍ରା କହିଲେ, ‘‘ନିଶା ସନିଆମା ଗାଧୁଆଘରେ ପାଣି ଅଜାଡ଼ି ବସିଛି–ଭାଉଜବୋହୂକୁ ନେଇଯା ।’’

 

ବାସନ୍ତୀ ହାତଧରି ନିଶା ତାକୁ ଗାଧୁଆ ଘରକୁ ନେଇଗଲା । ବାସନ୍ତୀ ଶାଶୁ ହଳଦୀ ବାଟି ବୋହୂକୁ ଲଗେଇ ଗାଧୋଇ ଦେବାକୁ ସନିଆମାକୁ କହିଥିଲେ । ସନିଆମା କହିଲା, ‘‘ବୋହୂ ସାନ୍ତାଣିଏ ! ହଳଦୀ ନଗେଇ ଗାଧୋଇବାକୁ ତମ ଶାଶୁ କହିଛନ୍ତି–ଦିହଟା ଧୋବ ସରସର ହୋଇ ନୁଖୁରା ଦିଶୁଛି । ଦିହକୁ ତେଲ ହଳଦୀ ସିନା ସୁନ୍ଦର ।’’

 

ବାସନ୍ତୀ ଜୀବନରେ ଏ ନୂଆ କଥା ! କଟକରେ ରଜ, କୁଆଁର ପୁନେଇଁ, ଖୁଦୁରୁକୁଣୀ ଓଷାରେ ବୋଉ ହଳଦୀ ଲଗାଇବାକୁ କହେ ବୋଲି କେତେ ଝାଙ୍କ ଛିଣ୍ଡେଇ ସେ ଯାଇ ଲଗାଏ, ନ ହେଲେ ଖାଲି ଦିନେ ଲଗାଇବାର କେବେ ତା’ ମନେପଡ଼ୁନାହିଁ । ସେଠାରେ ସହରିଆ ସମାଜରେ ପିଲାଦିନୁ ସେ ବଢ଼ି ଆସିଛି । ତେଣୁ ମଫସଲରେ ବୋହୂପଣିଆ କିମିତି ସବୁ କରନ୍ତି, ଏ ବିଷୟରେ ଗପ ଶୁଣିବା ଛଡ଼ା ନିଜେ କେବେ ଦେଖି ନଥିଲା । ସେଥିପାଇଁ ଆସିବାବେଳୁ ଅଚିହ୍ନାମାନଙ୍କର ନାନାରକମ ଇଙ୍ଗିତ ଦେଖି, ମନ୍ତବ୍ୟ ଓ ଆନୁସଙ୍ଗିକ ଟୁପ୍‌ଟାପ୍‌ କଥା ଶୁଣି ସେ କାଠ ପାଲଟି ଯାଇଥିଲା । ହଳଦୀ ଦେଖି ଓ ସନିଆମା କଥା ଶୁଣି ସେ ଭାବୁଥିଲା, ଯେତେବେଳେ ଏପରି ଜୀବନରେ ସହସା ଅଭ୍ୟସ୍ତ ହେବା ତା’ ପକ୍ଷରେ ଏକାନ୍ତ ଅସମ୍ଭବ, ସେତେବେଳେ ପ୍ରତି ପଦରେ ସେ ତା’ ବୋହୂପଣିଆ ନାମକ ରୀତିର ଅପରିହାର୍ଯ୍ୟ ତ୍ରୁଟିହିଁ ଦେଖାଇବ । ତା’ ଛଡ଼ା ଏ ତ୍ରୁଟିକୁ ଘୋଡ଼ାଇ ନେବାର ଆଉ ଗତିନାହିଁ । ତା’ର ବର୍ତ୍ତମାନ ଅବସ୍ଥାରେ ସ ସବୁ କଥାରେ ‘ହଁ’ ମାରି ସବୁ କଥା ବିନା ପ୍ରତିବାଦରେ ମାନି ନେବାକୁ ମନସ୍ଥ କଲା । ତେଣୁ ସେ ଉପସ୍ଥିତ କର୍ତ୍ତବ୍ୟମତେ ଧୀର ଭାବରେ କହିଲା, ‘‘ହଉ !’’ ସାବୁନ ଛଡ଼ା ତେଲ ଲଗାଇବାର ଅଭ୍ୟାସ ସୁଦ୍ଧା ଯାହାର ନଥିଲା, ତା’ ପକ୍ଷରେ ଏ ଯୋଡ଼ିକ ଅକ୍ଷର ‘ହଉ’ କହିବା ଭିତରେ ଯେ କେତେ ଦୁଃଖ, କେତେ ବିରକ୍ତି ଆତ୍ମଗୋପନ କରିଥିଲା, ସେ କଥା ତା’ ଛଡ଼ା ଆଉ କାହାରି ଜାଣିବାର ବାଟ ନଥିଲା । ଏ ସଂସାରରେ ଜାଣିବାର ଆଉ ଗୋଟିଏ ଯେଉଁ ବ୍ୟକ୍ତି ଥିଲା, ସେ ହେଉଛି ତା’ର ସ୍ୱାମୀ; କିନ୍ତୁ ସେ ତା’ର ଅବସ୍ଥା ସହିତ ତୁଳନା କରି ସ୍ୱାମୀର ମାନସିକ ଅବସ୍ଥାର ମୋଟାମୋଟି ଗୋଟିଏ ଧାରଣା କରିପାରିଥିଲା ଯେ ଉପସ୍ଥିତ କ୍ଷେତ୍ରରେ ତା’ ଅପେକ୍ଷା ତା’ ସ୍ୱାମୀ ମନର ଅବସ୍ଥା, ଆଉ ଘର ସଙ୍ଗେ ତା’ର ସମ୍ୱନ୍ଧ ତାଠୁଁ କୌଣସିମତେ ଭଲ ନୁହେଁ । ହଠାତ୍‌ ଏହି ସବୁ କଥା ଭାବି ଦେବବ୍ରତ ପ୍ରତି ତା’ ମନଟା ସହାନୁଭୂତିରେ ପୂରିଗଲା ।

 

ଗାଧୋଇ ସାରିଲାରୁ ନିଶା ତା’ ଭାଉଜବୋହୂର ହାତ ଧରି ଉପରକୁ ତା’ପାଇଁ ନିର୍ଦ୍ଦିଷ୍ଟ ଘରକୁ ନେଇଗଲା ।

 

କିଛିକ୍ଷଣ ପରେ କୋଠା ଉପରୁ ନିଶା ଡାକିଲା, ‘‘ବଡ଼ ମା’, ଭାଉଜବୋହୂ ଗାଧୋଇ ସାରିଲେଣି, ତୋ ଗୋଡ଼ ଧୋଇ ଦେବେ ବୋଲି ଠିଆ ହୋଇଛନ୍ତି । ଜଳଖିଆ ତୁ ରଖି ଯାଇଥିଲୁ କହୁଚନ୍ତି, ତୁ ଗୋଡ଼ ଧୋଇବାକୁ ଆସିଲେ ଯାଇ ସେ ଖାଇବେ ।’’

 

ସୁଭଦ୍ରା କହିଲେ, ‘‘ଗୋଡ଼ଧୁଆ ଦିନ କ’ଣ କୁଆଡ଼େ ଯାଉଚି ! ତୋ ଭାଉଜବୋହୂକୁ ଖୁଆ । ମୁଁ ତ ଗାଧୋଇନାହିଁ, କାଲି ଧୋଇ ଦବ ।’’

 

ନିଶା କହିଲା, ‘‘ଭାଉଜବୋହୂ ତମେ ଆସ, ଖାଇ ବସ । କାଲି ଗୋଡ଼ ଧୋଇ ଦବ, ଆଉ ଗାଁ ଆଡ଼େ ଯାହାକୁ ଯେପରି ଦେଇ ପଠାଇବାର ପାନ ଭାଙ୍ଗି ଚନ୍ଦନ କମ କରି ଆଉ ଲୁଗା କୁଞ୍ଚ କରି ପଠାଇବ । କାଲି ଏ ସବୁ ମୁଁ କରିଦେବି, ସନିଆମା ହାତରେ ସମସ୍ତଙ୍କ ଘରକୁ ପଠାଇଦବା । ଆଜି ଚନ୍ଦନପେଡ଼ି ଆଉ ଲୁଗା ମଗେଇ ଆଣି ରଖିଥିବା । ରାତିରେ ପେଡ଼ି କମ କରି ଦେଲେ କି ଲୁଗା କୁଞ୍ଚାଇଦେଲେ ସକାଳକୁ ଖାଲି ପାନଭଙ୍ଗାଟା ବାକିଥିବ । ତମକୁ ଭିଡ଼ ପଡ଼ିବନାହିଁ-

 

ଏସବୁ ଅଶ୍ରୁତପୂର୍ବ କଥା ବାସନ୍ତୀ କାନରେ ନୂଆନୂଆ ଲାଗୁଥିଲା । ସେ କେବେ ଭାବି ନଥିଲା ଯେ ତାକୁ ଏ ଅଟେଇ ଭିତରେ ମୁହଁବୁଜି ହୋଇ ରହି ଏସବୁ କଥା ଶୁଣିବାକୁ ହେବ, ପୁଣି କରିବାକୁ ହେବ । ଏ ସବୁ କେବଳ ସେ ଅପରଠୁଁ ଗଳ୍ପ ଛଳରେ କଟକରେ କେବେ ଶୁଣିଥିବ ମାତ୍ର-। ବାସନ୍ତୀ ବୋହୂପଣିଆ ଶିଖି ନଥିଲା; ମୂଳରୁ ନିଶା ସାଙ୍ଗରେ ପଦେ ଦି’ପଦ କଥା ହେଲା ପରେ ସେ କହିଲା, ‘‘ନିଶାମଣି ! ମୁଁ ତ ସହରରେ ଏକା ଏକା ବଢ଼ିଛି, ମଫସଲ ଦେଖିନାହିଁ, ନା ବୋହୂ କାମ ସବୁ ଶିଖିବା ଯୋଗପଡ଼ିନାହିଁ । କ’ଣ କରିବାକୁ ହୁଏ ମତେ ଟିକିଏ ବତେଇ ଦବଟି ?

 

ନିଶା ଆଗରୁ ସବୁ ଶୁଣିଥିଲା । ସେଥିପାଇଁ ସେ ଅତି ସହଜଭାବରେ କହିଲା, ‘‘ହଁ, ବଡ଼ ଭାଉଜବୋହୂ ହେରିକା ଯେମିତି କରୁଥିଲେ, ସେମିତି ତ କରିବ, ଆଉ କ’ଣ ? ଏହି ପାନଭଙ୍ଗା, ଗୋଡ଼ଧୁଆ, ଠା ଭଙ୍ଗା, ଘଷିଦେବା, ଚନ୍ନକାମ, ଲୁଗାକୁଞ୍ଚା, ରନ୍ଧା, ଏଇତ–ଏମିତି ସବୁ କରିବାକୁ ହୁଏ । ଏଇକ୍ଷଣି ଗାଧୋଇ ସାରିଲେ ବଡ଼ମା ଗୋଡ଼ ଧୋଇଦବା ପାଇଁ ପାଣି ଢାଳେ ଧରି ଠିଆହବ, ନିତି ପାଣି ନ ପାଇଲେ ଖାଇବନାହିଁ ।’’

 

ବାସନ୍ତୀ କହିଲା, ‘‘କେବଳ ରାନ୍ଧିବା, ଲୁଗାକୁଞ୍ଚା ଓ ପାନଭଙ୍ଗା ଛଡ଼ା ମତେ ଆଉ କିଛି ଆସିବନାହିଁ । ମୋର ତ ତମେ ଅଛ, ଚିନ୍ତା କାହିଁକି କରିବି ! ସବୁ କଥାର ଭାର ତମରି ଉପରେ ।’’

 

ନିଶା କହିଲା, ‘‘କାହିଁକି, ତମକୁ କ’ଣ ମୁଁ କହିଲି କି ଯେ ତମେ କରିବ ବୋଲି । ? ସହଜେ ତମକୁ ଆସେନାହିଁ, ଯେବେ ବା ଆସିଥାନ୍ତା, ତେବେବି କ’ଣ ଏସବୁ ମୁଁ ତମ ହାତରେ କରେଇ ଦେଇଥାଆନ୍ତି ନା ? ତେବେ ତମକୁ ଗୋଟାଏ କଥା କହୁଛି, ତମେ ନିଜେ ସିନା କାହାକୁ ଘଷି ଦେଇ ନଥିବ, ଦେଖିଥିବ ତ ଘଷା ? ତମେ ଚେଷ୍ଟା କଲେ ଏବେବି ଶିଖିପାରିବ, ଆଉ ନିତି ଥରେ ଲେଖାଏ ବଡ଼ମାକୁ ଯାଇ ଘଷି ଦେଇ ଆସୁଥିବ ।’’

 

ବାସନ୍ତୀ ଉଚ୍ଛ୍ୱସିତ ସ୍ନେହ ଓ କୃତଜ୍ଞତାଭରେ ନିଶାର କିଶୋର ଗଣ୍ଡ ଦିଓଟିକୁ ତା’ର ଶୋଭନ ଅଙ୍ଗୁଳିଗୁଡ଼ିକରେ ପୀଡ଼ନ କଲା ।

 

ସୁଭଦ୍ରାଙ୍କୁ ବାସନ୍ତୀ ଯେ ଗୋଡ଼ ଧୋଇ ଦବାକୁ ଡାକି ପଠାଇଲା, ସେ ନିଶାଠୁ ଏହି ଉପଦେଶ ସବୁ ଲାଭ କରି । ନଚେତ୍‌ ଏ ସବୁ କଳ୍ପନା ସୁଦ୍ଧା ତା’ ମଗଜରେ ପଶିବାର ସମ୍ଭାବନା ନଥିଲା ।

 

ନିଶାମଣି ଦେବବ୍ରତର ବିବାହରେ ଉତ୍ସାହଦାତା ସର୍ବେଶ୍ୱରବାବୁଙ୍କ ଝିଅ । ସର୍ବେଶ୍ୱରବାବୁ ମୟୂରଭଞ୍ଜରେ ଚାକିରୀ କରିବା କଥା ପାଠକେ ଜାଣନ୍ତି । ଛୁଟି ଛଡ଼ା କେବେ ସେ ଘରକୁ ଆସନ୍ତିନାହିଁ । ଘରକୁ ଟଙ୍କା ପଠାଇବା ଛଡ଼ା ବିଶେଷ କିଛି ଘର ସାଙ୍ଗରେ ସମ୍ପର୍କ ନଥାଏ । ସ୍ତ୍ରୀଙ୍କ ନାଁ ହାରାମଣି । ସଂସାରରେ ତାଙ୍କର ଝିଅ ନିଶାମଣି ଓ ସ୍ତ୍ରୀଙ୍କ ଛଡ଼ା ଆଉ କେହି ନଥିଲେ । ଘର ସଂସାର ପ୍ରତି ତାଙ୍କର ବିଶେଷ ଆସ୍ଥା ନଥିଲେହେଁ ଜୀବନରେ ସ୍ନେହର ଗ୍ରନ୍ଥିସ୍ୱରୂପ ଏହି ଝିଅଟିଠାରେ ତାଙ୍କର ଆସ୍ଥା ବଡ଼ କମ୍‌ ନଥିଲା । ସେ ସ୍ତ୍ରୀଶିକ୍ଷାର ଅତୀବ ପକ୍ଷପାତୀଥିବାରୁ ଝିଅକୁ ଗ୍ରାମ୍ୟ ସ୍କୁଲରେ ପଢ଼ିବାକୁ ଦେଇଥିଲେ ମଧ୍ୟ ଘରେ ମାଷ୍ଟର ରଖି ଶିକ୍ଷା ଦେଇଥିଲେ । ପୁଣି ବାଲେଶ୍ୱରର ସ୍ଥାନୀୟ ମିଶନାରୀ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତ କରି ନିଶାକୁ ମୋଜା, କାର୍ପେଟ୍‌ ପ୍ରଭୃତି ବୁଣି ଶିଖାଇବାର ବ୍ୟବସ୍ଥା କରିଥିଲେ । ନିଶା ଖୁବ୍‌ ଚାଲାଖ ପିଲା, ତେଣୁ ଦଶବର୍ଷ ବୟସବେଳକୁ ସେ ଅପର ପ୍ରାଇମେରୀ ଯାଏ ଶିକ୍ଷା ଶେଷ କରି ବୁଣାବୁଣି ମଧ୍ୟ ଶିଖିଥିଲା ।

 

ବର୍ତ୍ତମାନ ସର୍ବେଶ୍ୱରବାବୁ ହାରାମଣି ଦେଈଙ୍କର ଏକ ଚିନ୍ତା–କିପରି ତାଙ୍କର ଆଦରର ଝିଅଟି ସତ୍‌ପାତ୍ରସ୍ଥ ହେବ ।

 

ନିଶାମଣି ସୁନ୍ଦରୀ କିଶୋରୀ । ବାସନ୍ତୀକୁ ପ୍ରଥମେ ଯେତେବେଳେ ସେ ଦେଖିଲା, ଅନ୍ୟମାନଙ୍କ ପରି ଜମାରୁ ଆଶ୍ଚର୍ଯ୍ୟ ବୋଧକରି ନଥିଲା ! ଦେବବ୍ରତ ତା’ ମନ ମୁତାବକ୍‌ ବିଭା ହୋଇଛି, ଆଉ ସେ ବିବାହିତା ପ୍ରାଣୀଟିକୁ ଭବିଷ୍ୟତରେ କେବେ ସେମାନେ ତାଙ୍କର ଚର୍ମଚକ୍ଷୁରେ ଦେଖିବେ, ଏଭଳି ଆଶଙ୍କାଟାଏ ଅନେକ ଗାଉଁଲି ପ୍ରବୀଣାମାନଙ୍କ ମନରେ ପ୍ରବେଶ କରି ନଥିଲା । କାରଣ ସେମାନେ ମନେକରିଥିଲେ, ଦେବବ୍ରତ ଏ ଗ୍ରାମ୍ୟସମାଜକୁ ଓ ତା’ର ବୋଉକୁ ଡରି ଅକୌଳିକ ରୀତିରେ ବିବାହିତା ସ୍ତ୍ରୀକୁ ଗ୍ରାମକୁ ଆଣିବାକୁ ସାହସ ହେବନାହିଁ; କିନ୍ତୁ ସତକୁ ସତ ବାସନ୍ତୀ ସୁଆରୀରେ ବସି ଆସିବାଟା ଯେତେବେଳେ ସେମାନଙ୍କ ଚର୍ମଚକ୍ଷୁର ଗୋଚର ହେଲା, ସେତେବେଳେ ଦେବବ୍ରତର ଏ ଅସାମାନ୍ୟ ସାହସୀ ଦେଖି ସେମାନେ ଖୁବ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ସାଧାରଣ ଝିଅ, ବୋହୂ ଓ ପ୍ରବୀଣାମାନଙ୍କଠାରୁ ନିଶା ଥିଲା ମାର୍ଜିତା–ଶିକ୍ଷିତା । ସାଧାରଣ ମନୁଷ୍ୟ ପ୍ରକୃତି ବିଷୟରେ ତା’ର ଜ୍ଞାନ ମୋଟାମୋଟି ଥିଲା । ସେଥିଲାଗି ଦେବଭାଇର ସ୍ତ୍ରୀ ତାଙ୍କ ଗାଁକୁ ଆସିବ, ଏଥିରେ ସେ ତିଳେ ଆଶ୍ଚର୍ଯ୍ୟବୋଧ କରି ନଥିଲା । ବରଂ ଅତି ସ୍ୱାଭାବିକ ଓ ଦେବଭାଇ ପରି ସ୍ୱାଧୀନଚେତା ଲୋକ ପକ୍ଷରେ ଏହା ଖୁବ୍‌ ସହଜ ବୋଲି ସେ ଭାବି ନେଇଥିଲା ।

 

ସମସ୍ତଙ୍କ ଆଗରୁ ସେ ଏ ବୋହୂଟିର ମୁହଁରୁ ଓଢ଼ଣା କାଢ଼ି ଯେତେବେଳେ ଦେଖିଲା, ମନେକଲା, ‘‘ସତେ ତ, ଏ ଭାଉଜବୋହୂଟି ମୋର ରୂପର ଅନୁପମା ।’’ ସେ ତା’ ଭାଉଜବୋହୂ ମୁହଁର ଛବିଟି ଦେଖି ତା’ ଅନ୍ତଃସ୍ଥଳଟା ଯେମିତି ଖୁବ୍‌ ସହଜରେ ଧରିନେଲା । ଭାବିଲା, ‘‘ଏ ଭାଉଜବୋହୂଟି ରୂପରେ ଯେମିତି, ସ୍ୱଭାବ ପ୍ରକୃତିରେ ସେମିତି ହେବ ।’’

 

ଅନେକ ବେଳଯାଏ ଏ ଅଚିହ୍ନା ନଣନ୍ଦ ଭାଉଜ ଦୁହିଁଙ୍କର ଆଳାପ ହେଲା । ନିଶା ଦେଖିଲା, ତା’ ମନରେ ସେ ଆଗରୁ ତା’ ଭାଉଜବୋହୂ ପ୍ରତି ଯେଉଁ ଧାରଣା ପୋଷିଥିଲା, ଭାଉଜବୋହୂ ପ୍ରକୃତରେ ତା’ର ସେମିତି ଭାରି ସ୍ନେହଶୀଳା ଆଉ ଉଦାର ସ୍ୱଭାବର । ନିଜର ଟିକିଏ ଆତ୍ମଚାରିତାନାହିଁ, କି ଗର୍ବନାହିଁ–କି ସେ ନିଜେ ଉଚ୍ଚଶିକ୍ଷିତା ବୋଲି ତା’ର କାହା ପ୍ରତି ଗୋଟାଏ ତାଚ୍ଛଲ୍ୟମିଶା ଉପେକ୍ଷାଭାବନାହିଁ, ଯେଉଁ ଭାବ ମଣିଷଠୁଁ ମଣିଷକୁ ଦୂରକୁ ନେଇଯାଏ; ଆପଣାକୁ ପର କରିଦିଏ ।

 

ନିଶାମଣି ତା’ ବର୍ତ୍ତମାନର ନିଃସଙ୍ଗ ଜୀବନରେ ଏପରି ସର୍ବଗୁଣାଳଙ୍କୃତା ଏବଂ ରୂପବତୀ ଭାଉଜବୋହୂଟିକୁ ପାଇ ବଡ଼ ଆନନ୍ଦିତ ହେଲା ।

 

ନିଶାର ଏପରି ମନୋଭାବଟା ବାସନ୍ତୀର ଅଗୋଚର ରହିଲାନାହିଁ । ବାସନ୍ତୀ ଯେତେବେଳେ ତା’ର ସ୍ନେହମୟୀ ନଣନ୍ଦଟିକୁ ଭଲ କରି ଜାଣିଲା, ସେତେବେଳେ ସେ ଯେ ନିଃସଙ୍ଗତା ଜନିତ ଗୋଟାଏ ଅଶ୍ୱସ୍ତିବୋଧ କରୁଥିଲା, ତାହା ମୁହୂର୍ତ୍ତକେ ତା’ ମନରୁ ଦୂରୀଭୂତ ହୋଇଗଲା, ତେର ଚଉଦବର୍ଷର ଏ କିଶୋରୀଟି ଉପରେ ସେ ଯେମିତି ଶିଶୁପରି ଏକାନ୍ତ ନିର୍ଭରଶୀଳା ହୋଇପଡ଼ିଲା । ନିଜ ମନର ଏପରି ଗୋଟାଏ ନିଃସହାୟ ଅବସ୍ଥା ଦେଖି ସେ ଆପେବି ଟିକିଏ ଆଶ୍ଚର୍ଯ୍ୟ ହୋଇଗଲା । ନିଜ ମନକୁ ପରଖି ବୁଝିବାକୁ ଚେଷ୍ଟାକଲା–ଦେଖିଲା, ସ୍ନେହର ପ୍ରୀତିର ମମତାଭରା ବ୍ୟବହାର ସେ ଯେଉଁଦିନୁ ତା’ର ଏଠାରେ ପ୍ରଥମ ଚରଣପାତ କାଳରୁ ଏ କିଶୋରୀଠୁଁ ପାଇବାକୁ ଲାଗିଲା, ତା’ର କ୍ଷୁବ୍ଧ, ତ୍ରସ୍ତ, ସଙ୍କୁଚିତ ଅନ୍ତର ତାହାକୁହିଁ ଅତି ଆଗ୍ରହରେ ବେଢ଼ି ଧରିଲା । ଭୀତ ଶିଶୁ ଯେପରି ଜନନୀର ଆଶ୍ରୟରେ ନିଜକୁ ନିଃଶଙ୍କ ମଣେ, ଆଉ ଭିତରେ ଗୋଟାଏ ଶକ୍ତି ଅନୁଭବ କରେ, ବାସନ୍ତୀ ନିଶାମଣି ପରି ପିଲା ଉପରେ ନିର୍ଭର କରି ସେହିପରି ଗୋଟାଏ ଶକ୍ତି ଅନୁଭବ କଲା ତା’ର ଜୀବନରେ ଏହି ଅପରିଚିତ, ଅନଭ୍ୟସ୍ତ, ସଙ୍କଟମୟ କ୍ଷେତ୍ରରେ ।

 

ସବୁ କଥାରେ ସେ ଯେଉଁଠି ବାଧା ପାଉଛି, ଆଉ ତହିଁରେ ଆହତ ହେଉଛି, ସେ ସ୍ଥାନରେ ନିଶା ପରି ଅଳ୍ପବୟସ୍କାକୁ ସେ ହେୟଜ୍ଞାନ କରିପାରିଲାନାହିଁ । ଅଧିକନ୍ତୁ ତା’ର ସଖୀତ୍ୱ ଉପରେ, ତା’ର ପ୍ରୀତି ଉପରେ ନିର୍ଭର କରି ସେ ମନରେ ବଳ ପାଇଲା,–ଦୂର ବିଦେଶରେ ବିପଦରେ ପଡ଼ି ଅକସ୍ମାତ୍‌ ନିଜ ଦେଶର ମଣିଷଟିକୁ ଦେଖିଲେ ବିପଦଗ୍ରସ୍ତ ମଣିଷଟି ଯେମିତି ବିଚାରଶୂନ୍ୟ ହୋଇ ତାହା ଉପରେ ଗୋଟାଏ ଅନ୍ଧ ଆସ୍ଥା ସ୍ଥାପନ କରି ମନରେ ବଳ ପାଏ; ଠିକ୍‌ ସେମିତି ।

 

–ନଅ–

 

ଦେବବ୍ରତ ନାନାରକମ କାର୍ଯ୍ୟରେ, ନାନାରକମର ସଂଗ୍ରାମରେ ପଡ଼ି ବାସନ୍ତୀ ପ୍ରତି ତା’ର ଯେ କର୍ତ୍ତବ୍ୟ–ବାସନ୍ତୀକୁ ସୁଖୀ କରିବା, ତା’ର ଯତ୍ନ ନେବାର କର୍ତ୍ତବ୍ୟ, ତାହା ଭୁଲି ନଥିଲା । ଯେଉଁ ବାସନ୍ତୀ ତା’ ହୃଦୟର ଜୋତ୍ସ୍ନାରୂପିଣୀ, ଯେଉଁ ବାସନ୍ତୀପାଇଁ ସେ ତା’ ଜୀବନର ଯଥାସର୍ବସ୍ୱ ତ୍ୟାଗ କରିବାକୁ ତା’ର ଭବିଷ୍ୟତର ଉଜ୍ଜ୍ୱଳ ଆଶାର ସୌଧ ଧୂଳିସାତ୍‌ କରିବାକୁ କୁଣ୍ଠିତ ହୋଇନାହିଁ, ଅଧିକନ୍ତୁ ଯାହାପାଇଁ ତ୍ୟାଗ କରି ସେ ଆତ୍ମପ୍ରସାଦ ପାଉଛି, ସେହି ବାସନ୍ତୀ ପ୍ରତି ସେ କି ତିଳେ ହେଲେ ତା’ର କର୍ତ୍ତବ୍ୟ ପାଶୋରି ପାରେ ? ତରୁଣ ପ୍ରାଣ ତା’ର ଯାହାର ମିଳନ ଆଶାରେ କେତେ ବିଚିତ୍ର ଚିତ୍ର କଳ୍ପନା ରାଜ୍ୟରେ ଆଙ୍କିଥିଲା, ସ୍ୱପ୍ନର କୁହୁକ ଜାଲରେ ଘୋଡ଼ାଇ ଥିଲା, ସେହି ତା’ର ହୃଦୟପ୍ରତିମାକୁ ସେ ଆଜି ବାସ୍ତବରେ ପାଇଛି । ସେ ତା’ର ତପସ୍ୟାର ଫଳକୁ ଏଡ଼େ ଅନାୟାସଲଭ୍ୟ ବୋଲି ତ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲା ? ସେଇଥିପାଇଁ ଏଡ଼େ ସହଜରେ, ଏଡ଼େ ଅନାୟାସରେ ସେ ଯେତେବେଳେ ତା’ର ପ୍ରିୟତମାକୁ ବାସ୍ତବ ଜୀବନରେ ଲାଭ କଲା, ସେ ପ୍ରଥମତଃ ଅପ୍ରତିଭ ହୋଇ ପଡ଼ିଥିଲା–ତା’ ପରି ସଂସାରାନଭିଜ୍ଞ ଯୁବକ ଏ ରତ୍ନର ବ୍ୟବସ୍ଥା କିପରି କ’ଣ କରିବ ଭାବି । ଏଡ଼େ ବେଗି ସେ ବିଧାତାଙ୍କ କୃପା ଲାଭ କରିବ ବୋଲି କେବେ ଆଶା କରି ନଥିଲା । ସେହି ହେତୁରୁ ଏ ଅକସ୍ମାତ୍‌ ଲାଭରେ ସେ ବିଚଳିତ ହୋଇ ପଡ଼ିଲା–ଭୟରେ, ଚିନ୍ତାରେ, କାହିଁକା ନା, ସେ ତା’ର ବ୍ୟକ୍ତିତ୍ୱ ଉପରେ ସମ୍ପୂର୍ଣ୍ଣ ଆସ୍ଥା, ସମ୍ପୂର୍ଣ୍ଣ ନିର୍ଭର କରିପାରି ନଥିଲା, ନିଜର ଶକ୍ତି ପ୍ରତି ସନ୍ଦିହାନ ଥିଲା । ସତେ କ’ଣ ତା’ର ଏତେ ଶକ୍ତି ଅଛି, ଯଦ୍ଦ୍ୱାରା ସେ ଏ ମଧୁର ‘ଦାୟିତ୍ୱ’ଟିର ସଦ୍‌ବ୍ୟବହାର କରିପାରିବ ? ସତେ କ’ଣ ତା’ର ପ୍ରାଣାଧିକାକୁ ସେ ତା’ର ହୃଦୟରେ ଚିରକାଳ ବହନ କରିବାକୁ–ତା’ ପ୍ରତି ସମସ୍ତ କର୍ତ୍ତବ୍ୟ ବିଷୟରେ ଚେତି ରହିବାକୁ ସେ ସମର୍ଥ ? ନିଜ ଉପରେ ଏ ବିଶ୍ୱାସଟାରେ ସେ ପୂରା ଆସ୍ଥା ରଖିପାରୁ ନଥିଲା, କାରଣ ମୂଳରୁ ବାସନ୍ତୀ ପରି ବହୁ ଆୟାସଲଭ୍ୟାକୁ ଏଡ଼େ ଅନାୟାସରେ ପାଇ ସେ ଭାରି ସନ୍ଦିଗ୍‌ଧ ଚିତ୍ତ ହୋଇଯାଇଥିଲା ।

 

କାଳେ ବାସନ୍ତୀ ତା’ ବୋଉ କଥା ଭାବିବ, କାଳେ ତା’ ମନରେ ହେବ ଯେ ସେ ପିତୃମାତୃହୀନା ବୋଲି ତା’ ପ୍ରତି କେହି ନିଜ ନିଜ କର୍ତ୍ତବ୍ୟ କରନ୍ତିନାହିଁ, ସମସ୍ତଙ୍କର ଅବହେଳା ତା’ର ଜୀବନର ଚିରପ୍ରାପ୍ୟ ବୋଲି ବିଧାତୃ ନିର୍ଦ୍ଦିଷ୍ଟ, ସେଥିପାଇଁ ଦେବବ୍ରତ ଏଠିକି ଆସିବାର ଏ କେତେଦିନ ତା’ର ପାରୁପର୍ଯ୍ୟନ୍ତ ଯତ୍ନ କରିବାରେ ଲାଗିଥିଲା । ଏ ଚେଷ୍ଟାରେ ସେ କେତେଦୂର କୃତକାର୍ଯ୍ୟ ହୋଇଥିଲା, ତାହା ସେ ନିଜେ ବୁଝିପାରି ନଥିଲା ।

 

ଶିମିଳିପୁରକୁ ଆସିବାର ଆଜିକି ହେଲାଣି ପନ୍ଦର ଦିନ । ଦେବବ୍ରତ ତା’ ଛାତ ଉପରେ ଖଣ୍ଡେ ବହି ଧରି ବସିଥିଲା । ବେଳେ ବେଳେ ସେ ବହିରୁ ମୁହଁ କାଢ଼ି ନେଇ ଆକାଶକୁ ଚାହିଁ ରହିଛି, ତା’ର ଖିଆଲନାହିଁ । ନିର୍ମଳା ଦେବୀଙ୍କ ମୃତ୍ୟୁ ସମୟର ଘଟଣା ଦିନଠାରୁ ଆଜିଯାଏ ଏ ମଧ୍ୟର କେତେଟା ଦିନର ଘଟଣା ସେ ଭାବୁଥିଲା । ସତେ ଯେପରି ଗୋଟାଏ ଜୀବନ୍ତ ନାଟକର ଘଟଣାବଳୀ ପରି ଚାହୁଁ ଚାହୁଁ ତା’ ଜୀବନ ଉପରେ ଅଭାବନୀୟ ପରିବର୍ତ୍ତନ । ଆଚ୍ଛା, ସେ କ’ଣ ଆଗର ଛାତ୍ର ଦେବବ୍ରତ ଅଛି ? କାହିଁ, ତା’ ପ୍ରାଣରେ ସେପରି ଉତ୍ସାହର ଗୋଟାଏ ସ୍ରୋତ ତ ଉଜାଣି ବହୁନାହିଁ ? ତା’ ପ୍ରାଣ ତ ଆନନ୍ଦରେ ଢଳ ଢଳ ହେଉନାହିଁ ? ତା’ ହୃଦୟରେ ଭାବର ଲହରୀ, କଳ୍ପନାର ଲହରୀ କାହିଁ ଆଗପରି ଖେଳୁନାହିଁ ? କିନ୍ତୁ ସେହି ତ ସେ ! ତା’ର କବିପ୍ରାଣ ଏପରି ମୂକ କାହିଁକି–କାହିଁକି ତା’ର ଏ ଅବସାଦ ? ନିଶ୍ଚୟ ତା’ର କିଛି ପରିବର୍ତ୍ତନ ହୋଇଛି । ବାହାରର ଘାତପ୍ରତିଘାତରୁ ତା’ର ପ୍ରାଣ ଏପରି ଶୁଷ୍କ ହୋଇଯାଇଛି, ଏଇଟା ସେ ନିଜେ ବୁଝିପାରିଲା । ଖେଦରେ ଗୋଟାଏ ଦୀର୍ଘଶ୍ୱାସ ପକାଇ ସେ ଭାବିଲା, ସେ ବାସନ୍ତୀ ପ୍ରତି କ’ଣ ଠିକ୍‌ ବ୍ୟବହାର କରୁଛି ? ଏଇ ଗୋଟିଏ ପ୍ରଶ୍ନରେ ନିଜ ପ୍ରତି ଗୋଟାଏ ତୀବ୍ର ଘୃଣା ଆସିଲା–ନିଜକୁ ସେ କ୍ଷମା କରିପାରିଲାନାହିଁ ।

 

ସେ ପୁଣି ଭାବିଲା, ତା’ର ହୃଦୟରେ ବାସନ୍ତୀ ପ୍ରତି ଅତୁଳ ସ୍ନେହରାଶି ସଞ୍ଚିତ ଅଛି, ମମତା ଅଛି, ପ୍ରୀତି ଅଛି, ସହାନୁଭୂତି ଅଛି; ସବୁ ଅଛି; କିନ୍ତୁ ସେ ଠିକ୍‌ କରୁନାହିଁ ବା କ’ଣ ? ତା’ ମନରେ ଗୋଟାଏ କିଛି ଅଭାବ ସେ ବୋଧ କରୁଛି, ଯେଉଁଟାକୁ ସେ ଭାବୁଛି, ବାସନ୍ତୀ ଏଥିରେ ଅସୁଖୀ ହେଉଥିବ; ଦୁଃଖିତା ହେଉଥିବ । ସେ ନିଜ ଭିତରେ ୟାର କିଛି ହେତୁ ଖୋଜି ପାଇଲାନାହିଁ-। ସେ ବୁଝିଲା, ବସ୍ତୁତଃ ତା’ର ମନର ଅଶାନ୍ତିର କାରଣ ତ କିଛିନାହିଁ; କେବଳ ବୋଉର ଗୋଟାଏ ପରଙ୍କ ପରି ବ୍ୟବହାର, ସାଇପଡ଼ିଶା, ଭାଇଭଗାରୀଙ୍କଠାରୁ ଆରମ୍ଭ କରି ନିଜର ବନ୍ଧୁବାନ୍ଧବମାନଙ୍କର ଗୋଟାଏ ତାଚ୍ଛଲ୍ୟଭାବ ତା’ ମନର ଚିରଦିନର ସହଜ ଭାବଟାକୁ ନଷ୍ଟ କରି ଦେଇଛି । ସେ ସମସ୍ତଙ୍କଠାରୁ ଯେପରି ଅତି ଦୂରରେ, ଅତି ପରଙ୍କ ପରି ହୋଇ; ଅତି ବାହାରର ଲୋକ ପରି କ’ଣ–ଆଡ଼ିଆ ଜନ୍ତୁଟି ପରି ପଡ଼ିଛି । ପୁରୁଷ ସେ, ଶିକ୍ଷିତ ଧନୀଯୁବା ସେ; ସାମାଜିକ ସମସ୍ୟା ଛାଡ଼ି ଦେଲେ ଏ ପାରିବାରିକ ସୂକ୍ଷ୍ମ ଉପେକ୍ଷାଭାବଟା ତା’ ପକ୍ଷରେ କ’ଣ ମର୍ମନ୍ତୁଦ ନୁହେଁ ?

 

ଶୁକ୍ଳ ଏକାଦଶୀ ଚାନ୍ଦର ରୂପେଲୀ କିରଣରେ ଛାତଟି ଗାଧୋଇଛି । ଚାରି–ପାଖରେ ଧାଡ଼ି ଧାଡ଼ି ହୋଇ ଥୁଆ ହୋଇଥିବା ଫୁଲକୁଣ୍ଡଗୁଡ଼ିକରେ କାକର ବିନ୍ଦୁ ସବୁ ପଡ଼ି ଫୁଲଗୁଡ଼ିକ ତାଜା ରୂପ ଧରି ହସୁଛନ୍ତି । ତାରାଗୁଡ଼ିକ ଚାନ୍ଦ ଆଲୁଅରେ ନିଷ୍ପ୍ରଭ ଦିଶୁଥିଲେ । ଶାନ୍ତ ସୁନୀଳ ଆକାଶଟି ଗୋଟିଏ ବିରାଟ ଚିତ୍ରୈଶ୍ୱର୍ଯ୍ୟର ସ୍ନିଗ୍ଧ ମହିମା ଘେନି ଦେବବ୍ରତର ହୃଦୟର ପୀଡ଼ାରେ ସହାନୁଭୂତି ଜଣାଉଥିଲା । ସୁଦୂରର ଉନ୍ମାଦ ପବନ ଆସି ଦେବବ୍ରତର କୁଞ୍ଚିତ କେଶଗୁଡ଼ିକର ପାରିପାଟ୍ୟ ଭାଙ୍ଗି ଗୋଳମାଳ କରି ଦେଇଗଲା । ମୁହଁ ଉପର ବାଳଗୁଡ଼ାକ ସଜାଡ଼ୁ ସଜାଡ଼ୁ ନଜର ପଡ଼ିଲା, ତା’ର ସିଡ଼ି ବାଟଘର ଝରକା ଉଢ଼ାଳରେ ଥିବା ଗୋଟିଏ ଅସ୍ପଷ୍ଟ ମୂର୍ତ୍ତି ଉପରେ । ସେ ମୂର୍ତ୍ତି କିଏ ?

 

ଜାଣି–ଚତୁର ହୋଇ ବୁଲୁ ବୁଲୁ ଖଞ୍ଜାରେ ଯାଇ ସେ ଅସ୍ପଷ୍ଟ ମୂର୍ତ୍ତିର ପଣତ କାନିର ଚାବିଗୋଛାକୁ ଦୃଢ଼ମୁଷ୍ଟିରେ ଧରି ପକାଇଲା । ସିଡ଼ି ଉପରେ ଠିଆ ହୋଇଥିବା ଆଉ ଗୋଟିଏ ତରୁଣୀ କଣ୍ଠର ସକୌତୁକ ହାସ୍ୟର ଲହରୀ ଦୂର ପବନରେ ଭାସି ମିଳେଇ ଯିବା ସାଙ୍ଗେ ସାଙ୍ଗେ ସିଡ଼ିରେ ତରୁଣୀଟିର ଦ୍ରୁତ ପଦଧ୍ୱନି ଉଭେଇଗଲା ।

 

‘‘ଓଃ, ଇଏ କ’ଣ ମ ?’’ ପଦଟି ସାଙ୍ଗରେ ଏକାନ୍ତ ପରିଚିତ ପ୍ରାଣୀଟିର ମିନତିପୂର୍ଣ୍ଣ ଅନୁରୋଧ–‘‘ଛାଡ଼ିଦିଅ, ମୁଁ ତଳେ ମା’ଙ୍କୁ ଘଷିବାକୁ ଯିବି ଯେ !’’

 

ଦେବବ୍ରତ କହିଲା, ‘‘ଚଲାଖି ମୋ ସାଙ୍ଗରେ । ଏଠି କାହିଁକି ଲୁଚା ହୋଇଥିଲା ? କାହିଁକି, ପାଖକୁ ଯିବାକୁ କ’ଣ ଡର ମାଡ଼ିଲା ।’’

 

ବାସନ୍ତୀ ଅପ୍ରତିଭ ହୋଇ କହିଲା, ‘‘ନାହିଁ, ନାହିଁ, ଶରଣ ପଶୁଛି, ଆଉ ଦିନେ ଏମିତି ଲୁଚିବାକୁ ଯାଇ ଧରାପଡ଼ିବ ନାହିଁ ।’’

 

ଦେବବ୍ରତ–‘‘ବେଶ ଭଲ । ଯଦି ନିଜ ମୁହଁରେ ଦୋଷ ମାନିଲଣି, ତେବେ ଦଣ୍ଡ ପାଇବାକୁ ପ୍ରସ୍ତୁତ ହୁଅ ।’’

 

ବାସନ୍ତୀ–‘‘ଯେ ଆଜ୍ଞା, ଯାହା ଦଣ୍ଡ ଦେବ, ତାହା ଶିରୋଧାର୍ଯ୍ୟ ।’’

 

ଦେବବ୍ରତ–‘‘ଭଲ କଥା, ଆସ ବସିବ, ଗଳ୍ପ କରିବା ।’’

 

ବାସନ୍ତୀ ସ୍ମିତହାସ୍ୟର ଆଭା ଟିକିଏ ତା’ ମନ୍ଦାର ଅଧରରେ ପ୍ରକଟାଇ ସପରେ ଯାଇ ବସିଲା ।

 

ଦେବବ୍ରତ–‘‘ତମେ ଧରାପଡ଼ିଲାବେଳେ କିଏ ହସି ହସି ପଳାଇଲା କି ?’’

 

ବାସନ୍ତୀ–‘‘ନିଶାମଣି ଓ ମୁଁ ସାଙ୍ଗ ହୋଇ ଛାତ ଉପରକୁ ବୁଲି ଆସିଥିଲୁ । ଧନିଆକୁ ତୁମ କଥା ପଚାରିବାରୁ ସେ କହିଲା ତୁମେ ସାଇକେଲରେ କୁଆଡ଼େ ଯାଇଛ । ଆମେ ଉପରକୁ ଆସି ଯେଉଁଠୁ ଦେଖିଲୁ, ତୁମେ ଏଥି, ମୁଁ ନିଶାମଣିଙ୍କୁ କହିଲି, ଚୁପ୍‌ କରି ଲୁଚି ଠିଆ ହେବା, ତୁମେ କାଚ ଝଣଝଣ କରନାହିଁ । ମୁଁ ଆଉ ସେ ଠିଆ ହୋଇଥିଲୁ, ତୁମ୍ଭେ ବୁଲିଲାବେଳୁଁ ସେ ବୁଝିପାରିଥିଲା ତୁମେ ଏମିତି କାଣ୍ଡଟି କରିବ ବୋଲି; କିନ୍ତୁ ସେ ଦୁଷ୍ଟ ମତେ ଜଣାଇଲାନାହିଁ । ମୁଁ ଧରାପଡ଼ିଲାରୁ ସେ ହସି ହସି ପଳାଇଲା । ମତେ ଆଉ ସେ ରଖିଦେବ ନା ? ଚିଡ଼େଇ ଚିଡ଼େଇ ମାରିବ ।’’

 

ଦେବବ୍ରତ–‘‘ବେଶ୍‌ ହୋଇଛି, ଏଣେ ମୁଁ ତେଣେ ମୋ ଭଉଣୀ, ଦିହେଁ ତୁମକୁ ଅପଦସ୍ଥ କରିବୁଁ, ଯେମିତି ହେଲ ସେମିତି ପାଇଲ । ମୁଁ ଅନେକବେଳୁଁ ବୁଲି ଆସି ଏଠି ଶୋଇଛି । ଗରମ ଲାଗିଲା ତଳେ । ଆଚ୍ଛା, ତୁମେ ଏଠିକି କାହିଁକି ଆସନା ? ଦେଖିଲ, କି ଚମତ୍କାର ଜ୍ୟୋତ୍ସ୍ନା, ଆଉ ତା’ ସାଙ୍ଗରେ କି ଥଣ୍ଡା ପବନ । ତମେ ଭାରି ସଂସାରୀ ହୋଇଗଲଣି ପରା !’’

 

ବାସନ୍ତୀ–‘‘ହଁ, ସଂସାରରେ ପଶିଲି ଯେତେବେଳେ ସଂସାରୀ ନ ହୋଇ ଆଉ ଗତି କ’ଣ-? କିନ୍ତୁ ଆସେନାହିଁ ବୋଲି ମୁଁ ଗରମରେ ତେଣେ ପଡ଼ିଥାଏ ବୋଲି ତୁମେ ଭାବୁଛ ପରା ! ମନେ ମନେ ତୁମେ ଏଠି ମଉଜ କରୁଛ, ଆଉ ଆମେ ଯାଇ ଗରମରେ ଧସି ହଉଛୁନା ? ନାହିଁ, ମୋ ଘରକୁବି ଖୁବ୍‌ ପବନ ଦିଏ; ଆମେ ଦିହେଁ ଗପ କରୁଁ, ପଢ଼ୁ ! ତୁମର ସିନା କିଛି କାମଦାମନାହିଁ ଯେ ତୁମେ ଏଠି ଭୋଳାନାଥଙ୍କ ପରି ପଡ଼ିଥାଅ । ମୋର ତ କେତେ କାମ, ଘର କାମଠୁଁ ଗଲା ନିଜ କାମ ଯାଏ ।’’

 

ଦେବବ୍ରତ–‘‘ତୁମର ପୁଣି ଏମିତି କି କାମ ? ଘର କାମରେ ତ ଦିନରାତି ଖଟୁଥିବ ! କହିଲେ ଟିକିଏ କଥା ଶୁଣିବନାହିଁ । ତୁମ ଘରେ ନିତି ନିତି ବୁଲି ଯାଉଥିଲ, ଏଠି ତୁମର ସେତକ ସୁବିଧା ହେଲାନାହିଁ । ତୁମର ପୁଣି ନିଜ କାମ କ’ଣ ?’’

 

ବାସନ୍ତୀ–‘‘କାଗଜକୁ ଲେଖିବା, ପଢ଼ାଶୁଣା କରିବା, ଏ ସବୁ ପରା କାମ ନୁହେଁ ତମ ମତରେ ? ବାଃ, ବୁଲିଯିବାର ସୁବିଧା ହଉଥିଲା, ଯାଉଥିଲି, ସୁବିଧା ହେଲାନାହିଁ; ଯାଏନାହିଁ, ସେଥିପାଇଁ ମୋର ଦୁଃଖନାହିଁ ।’’

 

ବାସନ୍ତୀ ବିଷାଦବୋଳା ହସ ଟିକିଏ ହସି ଚୁପ୍‌ ହେଲା । ଦେବବ୍ରତ ସ୍ତ୍ରୀର ଗୁପ୍ତ ମନୋଭାବଟି ବୁଝି ହୃଦୟରେ ଗୁରୁଆଘାତ ପାଇଲା । ମର୍ମଭେଦୀ ଦୀର୍ଘ ନିଃଶ୍ୱାସଟିଏ ରହି ରହି ତା’ ଅନ୍ତରର ଆହତ ସ୍ଥଳରୁ ବାହାରି ନୈଶ ପବନରେ ଉଭେଇଗଲା । ସେ ବାସନ୍ତୀର ମସ୍ତକକୁ ନିଜର ବାହୁ ଉପରେ ରଖି କହିଲା–‘‘ବାସ, ତୁମେ କ’ଣ ଭାବ, ତୁମ ଜୀବନ ପ୍ରତି ଆଖି ବୁଜି ଦେଇ ମୁଁ ନିଶ୍ଚିନ୍ତ ରହିଛି ? ମୁଁ କ’ଣ ବୁଝେନା, କଟକ ଛାଡ଼ି ମୋ ଘରକୁ ଆସିଲା ଦିନଠୁ ତୁମକୁ ପଦେ ପଦେ ନିଜର ଜୀବନର ମୂଳନୀତି ସଙ୍ଗରେ, ନିଜର ମନୋବୃତ୍ତି ସଙ୍ଗରେ, ପୁଣି ନିଜର ସୁଖସ୍ୱାଚ୍ଛନ୍ଦ୍ୟ ସଙ୍ଗରେ ଅବିରାମ ଯୁଦ୍ଧ କରିବାକୁ ପଡ଼ୁଛି,–ସେ କେବଳ ମୋ’ରି ପାଇଁ ?’’ ଏ କଥା କ’ଣ ଏଇ ତମର ‘ଦେବଭାଇ’ ଦେଖିନାହିଁ ଯେ ବୋଉ ତମର ଥିଲାବେଳେ ଦିନେ ନଈକୂଳକୁ ବୁଲିଯିବାକୁ ମନାକରୁଥିଲେ ତମେ ବୋଉଙ୍କ ପ୍ରତି କେତେ ବିରକ୍ତ ହେଉଥିଲ; କାମ ଭିତରେ କରୁଥିଲ ନିଜ କାମ; ତମର ବହିପଢ଼ା ଆଉ ଉଲ୍‌ କାର୍ପେଟ ବୁଣା; ଆଉ ତମର ଅବସର ମୁହୂର୍ତ୍ତ ପୂରାଉଥିଲା ତମର ବଉଳ ! ଏ କଥା ସେଇ ମୁଁ ଆଜି ଏଇ ମୁଁ ତ ପୁଣି ଆଖିରେ ଦେଖିଛି ?

 

ବାସନ୍ତୀ ସ୍ୱାମୀର ବ୍ୟଥିତ ଭାବ ବୁଝି ଆଶ୍ୱାସ ଛଳରେ କୃତ୍ରିମ କୋପ ପ୍ରକାଶପୂର୍ବକ କହିଲା, ‘‘ଛେନା ଗୁଡ଼ କଥାଗୁଡ଼ାଏ କାଢ଼ି ବସିଲ, ଏଥର ଆଉ ତ କିଛିନାହିଁ, ଟାଣିଓଟାରି ସତମିଛ କେଉଁଯୁଗର ଇତିହାସ ରଚନା ହେଉଛି ବସି ! କାହିଁକି; ମୁଁ ତ ବେଶ ମନ ଖୁସିରେ ଅଛି, ସୁଖରେ ଅଛି, ମୋର ପୁଣି ଗୋଟାଏ ଦୁଃଖ କ’ଣ ? ମୁଁ ତ ମୋ ଦୁଃଖ କଥା ଜାଣେନାହିଁ, ଆଉ ତୁମେ ସେ ସବୁ ମୋପାଇଁ ଆବିଷ୍କାର କର, ମୋର ତ ବାବୁ କାହିଁକି ଏ ଅପାର ଯୁଗକାଳ କଥା ମନେପଡ଼େ ନାହିଁ, ତୁମେ କେବଳ ଭଲ ସୂତାକୁ ଅଡ଼ୁଆ କରି ଖିଅ କାଢ଼ିବାରେ ଥାଅ ।’’

 

ଦେବବ୍ରତ ବାସନ୍ତୀର ଏ ପ୍ରୟାସର ଅର୍ଥ ବୁଝିପାରି କହିଲା–‘‘ନା, ନା, ବାସ, ତୁମେ କ’ଣ ମତେ ଏଡ଼େ ହୃଦୟହୀନ, ଅପଦାର୍ଥ ବୋଲି ଭାବିଛ ? ମୁଁ କ’ଣ ଏତକ ଅନୁମାନ କରିପାରେନାହିଁ, ଏଠିକାର ବେଷ୍ଟନୀ ଭିତରେ ରହିବାରେ ତୁମକୁ କେତେ ତ୍ୟାଗ ସ୍ୱୀକାର କରିବାକୁ ହେଉଛି ? ପୁଣି ସେ କେବଳ ଜଣକ ଶାନ୍ତିପାଇଁ ?

 

ବାସନ୍ତୀ–‘‘ଯେତେ କହିଲେ ତମର ଏ ବାଜେ କଥାଗୁଡ଼ାକ ଯିବନାହିଁ !’’

 

ଦେବବ୍ରତ ବାସନ୍ତୀକୁ ଆହୁରି ପାଖକୁ ଟାଣି ଆଣି କହିଲା, ‘‘ବାସ, ମୋପାଇଁ ମୋର ତିଳେ ଭାବନାନାହିଁ; କିନ୍ତୁ ଜୀବନରେ ଏହି ଖେଦ ରହିଗଲା ଯେ, ମୁଁ ତମକୁ ଯେତେ ସୁଖୀ କରିବି ବୋଲି ଆଗରୁ ଭାବିଥିଲି ତାହା କରିପାରିଲିନାହିଁ । ଭବିଷ୍ୟତ ଜୀବନର କେଉଁ ମାହେନ୍ଦ୍ର କ୍ଷଣରେ ମୋର ଦରଫୁଟା ଆକାଙ୍‌କ୍ଷାଟି ଫୁଟି ସାର୍ଥକ ହେବ, ତାହା ମଧ୍ୟ ବିଶ୍ୱାସ କରିପାରୁନାହିଁ ।’’

 

ବାସନ୍ତୀର କପାଳ ଉପରେ ଉଷ୍ଣ ଲୁହ ଟୋପାଏ ପଡ଼ିଗଲା । ବାସନ୍ତୀ ହଠାତ୍‌ ଚାହିଁ ଦେଖିଲା ଦେବବ୍ରତର ବିଶାଳ ବକ୍ଷ ଲୋତକର ଅଜସ୍ର ଧାରାରେ ଭାସି ଯାଉଛି । ବାସନ୍ତୀ ଅତି ଆଦରରେ ତା’ ପଣତରେ ଲୁହ ପୋଛିଦେଇ କହିଲା ‘‘ଏ କ’ଣ ! କି ପାଗଳ ତୁମେ ହୋଇଛ, ବସି ବସି କାନ୍ଦିବାକୁ ପୁଣି ତୁମର ସଉକ କେବୁଠୁଁ ହେଲା ମ ?’’ ବାସନ୍ତୀ ଖୁବ୍‌ ହସିବାକୁ ଚେଷ୍ଟା କଲା, କିନ୍ତୁ ପାରିଲାନାହିଁ । ଅନ୍ତରରେ ତା’ର ଯେଉଁ ବ୍ୟଥାର ଝଡ଼ ଗର୍ଜନ କରୁଥିଲା, ତାକୁ ଚପେଇ ଦେବାକୁ ଲୁହ ତା’ର ଚପଳ ହରିଣ–ଲୋଚନ–ଯୁଗଳରୁ ଧାର ଧାର ହୋଇ ହିମାଦ୍ରିର ପ୍ରପାତ ପରି ବହିଗଲା ।

 

ବାସନ୍ତୀ ଭାବିଲା, ତା’ର ସୁଖସ୍ୱାଚ୍ଛନ୍ଦ୍ୟ ପାଇଁ ଦେବବ୍ରତର କି ଆନ୍ତରିକ ପ୍ରୟାସ–ପ୍ରାଣର କେଡ଼େ ଗଭୀର ଆକୁଳତା ଏ କଥାଟାର ଜୀବନ୍ତ ପ୍ରମାଣ ଦେଖି ବାସନ୍ତୀର ନାରୀପ୍ରାଣ ଗୌରବରେ, ଆତ୍ମପ୍ରସାଦରେ ପୁଲକରେ, ପ୍ରୀତିର ଅପରିସୀମ ଆନନ୍ଦରେ ପୂରିଗଲା । ସେ ନିଜର ହୃଦୟାବେଗରେ ଉଚ୍ଛ୍ୱସିତ ହୋଇ ଦେବବ୍ରତର କଣ୍ଠବେଷ୍ଟନ କରି ପ୍ରୀତିବୋଳା କଣ୍ଠରେ କହିଲା, ‘‘ଶୁଣ ତୁମ୍ଭେ ତ ଆଗକାର ସେହି ଦେବଭାଇଟି ଭଳି ଅଛ; କିନ୍ତୁ ମୁଁ ଯେ ତୁମ ସମ୍ୱନ୍ଧରେ ହୁଡ଼ିଥିଲି । ମୋ’ର ଯୋଗୁଁ ତ ସମାଜ ସାଥିରେ ତୁମ ବୋଉଙ୍କ ସାଥିରେ ଏତେ ଦ୍ୱନ୍ଦ୍ୱ ଲାଗିଛି । ସେଇଟା ତୁମେ ସହ୍ୟ କରିପାର କି ନା, ବିବାହ ପୂର୍ବରୁ ସେ ବିଷୟରେ ନିଜର ମନଟା ପରଖି ନଥିଲ ସେଇଯୋଗେ ବାସ୍ତବ ଜଗତରେ ତୁମେ ଯେତେବେଳେ ଏ ବିରୋଧଜନକ ଅବସ୍ଥାରେ ପଡ଼ିଲ, ସେତେବେଳେ ବୋଧହୁଏ ମୋ ପ୍ରତି ତୁମର ଗୋଟାଏ ବିତୃଷ୍ଣା ଜନ୍ମିଥିବ । ବରାବର ତୁମର ମାନସିକ ବିଷର୍ଣ୍ଣତାକୁ ଦେଖି ଏହିପରି ଭାବୁଥିଲି, କିନ୍ତୁ ମୁଁ ଦେଖୁଛି, ଏପରି ଭାବିବାଦ୍ୱାରା ମୁଁ–ତୁମକୁ ଭୁଲ ବୁଝି ତୁମ ପ୍ରତି ଅବିଚାର କରିଛି...... । ମୋ ଭଳି ଦୁଃଖିନୀ ପ୍ରତି ତୁମର ଏତେ ଆଦର, ଏତେ ମମତା ଦେଖି ମନେହୁଏ ବିଧାତା କ’ଣ ମୋ ପରି ଅଭାଗୀର ଏତେ ସୌଭାଗ୍ୟ ସହିବେନାହିଁ । ଜୀବନର ପ୍ରଥମ ସୋପାନରୁ ଶ୍ରେଷ୍ଠ ସ୍ନେହନୀଡ଼ ହରାଇ ତୁମକୁ ଅବଲମ୍ୱନ କରିଛି-। ମୋର ବେଳେ ବେଳେ ଆଶଙ୍କା ହୁଏ, ହୁଏତ ବର୍ତ୍ତମାନ ଜୀବନର ଅବଲମ୍ୱନ ମଧ୍ୟ ମୋ ପକ୍ଷରେ ଚିରନିର୍ଦ୍ଦିଷ୍ଟ ନୁହେଁ, ହୁଏତ ବା ମୋ ଅଭିଶପ୍ତ ଜୀବନ ତୁମର ପ୍ରାଣଦିଆ ସ୍ନେହରୁ ଦିନେ ବଞ୍ଚିତ ହେବ-। ନା, ନା, ମୁଁ ତୁମ ସ୍ନେହରୁ ବଞ୍ଚିତ ହୋଇ ବଞ୍ଚି ପାରିବିନାହିଁ । ମୋର ଯେ ଶକ୍ତିନାହିଁ-।’’

 

ଦେବବ୍ରତ ଆବିଷ୍ଟ ହୋଇ ତା’ ହୃଦୟରାଣୀର ଏ ଉଚ୍ଛ୍ୱସିତ ପ୍ରାଣର କଥାଗୁଡ଼ିକରେ ତନ୍ମୟ ହୋଇଯାଇଥିଲା; ଭାବୁଥିଲା ସତେ ଯେମିତି ସ୍ୱର୍ଗରାଜ୍ୟର ପରୀ ଆସି ତା’ କାନରେ ଅମୃତ ଢାଳି ଦେଇଗଲା ତା’ ବିକ୍ଷିପ୍ତ ଦୁର୍ବଳ ଉତ୍ପୀଡ଼ିତ ମନ ପ୍ରତି ସଦୟ ହୋଇ, ଆଉ ତା’ ପ୍ରାଣରେ ଯେପରି କାହୁଁ ଶକ୍ତିର ମନ୍ଦାକିନୀ ଆସି ତା’ର ସବୁ ରିକ୍ତତା, ସବୁ ଦୁର୍ବଳତାକୁ ଧୋଇ ଦେଇଗଲା । ସେହି ଅମୃତ ପରଶରେ ପୁଣି ତା’ର ତରୁଣତା ଫେରିଆସିଲା–ଯେମିତି ସେ ବର୍ତ୍ତମାନର ଜରା ଛାଡ଼ି ତା’ର ଛାତ୍ରକାଳର ସେହି ହରାଇ ବସିଥିବା ତରୁଣ ରାଜ୍ୟରେ ପୁଣି ନବଜନ୍ମ ଗ୍ରହଣ କଲା । ପରମ ଆବେଗରେ ପ୍ରିୟତମାକୁ ଆଲିଙ୍ଗନ କରି ଦେବବ୍ରତ କହିଲା, ‘‘ତୁମକୁ ପାଇ ପ୍ରକୃତରେ ମୁଁ ଭାଗ୍ୟବାନ୍‌–ମୁଁ ଧନ୍ୟ–ମୋ ଜୀବନ ସଫଳ । ଯଦି ମୋ ଭଳି ଅଭାଗାକୁ ପାଇ ବସ୍ତୁତଃ ତୁମେ ନିଜକୁ ଭାଗ୍ୟବତୀ ମନେକରୁଥାଅ ତଥାପି ମୁଁ କହେ, ଏ କ୍ଷେତ୍ରରେ ଆମ ଭିତରୁ ମୋ’ରି ଭାଗ୍ୟଟା ଭଲ, କାରଣ ମୋର ତରୁଣ ଜୀବନରେ ସ୍ୱପ୍ନ ସଫଳ ହୋଇଛି, ମୋର ସମସ୍ତ ବାଧାବିଘ୍ନ ଧନ୍ୟ ହୋଇଛି । ଏ କଥାଟି ତୁମରି ପରି ମୁଁ ଆଜି ବେଶି ଅନୁଭବ କରୁଛି । ମୁଁ ଜାଣେ, ବିବାହର ଅବ୍ୟବହିତ ପରେ ଆମ ଭିତରେ ଦାମ୍ପତ୍ୟ ବ୍ୟବଧାନର ସତ୍ତା ଟିକିଏ ଥିଲା, ଯାହା ଆଜିଯାଏ ଆମର ବାଧାହୀନ ମିଳନ ପଥରେ ବଡ଼ ରକମର ଗୋଟିଏ ଅନ୍ତରାୟସ୍ୱରୂପ ଥିଲା । ବର୍ତ୍ତମାନ ମୁଁ ସଫା ବୁଝିପାରୁଛି ଯେ, କେବଳ ସେହି ହେତୁରୁ ମୁଁ ହୃଦୟରେ ଗୋଟାଏ ଶୁଷ୍କତା, ଗୋଟାଏ ଦୁର୍ବଳତା ବରାବର ଅନୁଭବ କରି ଆସୁଥିଲି । ଭଲ କାମ କରି ମନୁଷ୍ୟ ପ୍ରାଣରେ ଯେ ଗୋଟାଏ ଅଦମ୍ୟ ତେଜ ଓ ଶକ୍ତି ଆସେ, ମୋର ତାହା ଆସୁ ନଥିଲା । ମୁଁ ମୋ ହୃଦୟରେ ଏ ବିଷୟକୁ ଜୋର କରି ଜାଗ୍ରତ ରଖିବାକୁ ଚାହୁଁଥିଲି । ସେଥିପାଇଁ ନିଜ ସଙ୍ଗରେ ବଡ଼ ସଂଗ୍ରାମ କରିଛି, ମାତ୍ର ଏ ମନୋଭାବ ଦୂର କରିପାରିନାହିଁ । ତାହା ଦେଖି ତୁମେ କେତେ ରକମର ଆଶଙ୍କା କରିଛ । ମୋର ଉଦାସୀନତା ଓ ଅନ୍ୟମନସ୍କତାରେ କେତେ ଦୁଃଖ ପାଇଛ ।’’

 

ବାସନ୍ତୀର ବିମ୍ୱୋଷ୍ଠରେ ମଧୁର ହାସ୍ୟରେଖାର ଆଭାସ ଉଠି ମିଳେଇଗଲା । ଦେବବ୍ରତ କହିଲା, ‘‘ତୁମେ, ମୁଁ କେହି କାହାକୁ ଭଲକରି ବୁଝିବାକୁ ଚେଷ୍ଟା କରି ନଥିଲୁ । ଏଇ ଅବୁଝା ଯୋଗୁଁ ଆମ ଭିତରେ ମିଳନର ଯଥାର୍ଥ ବ୍ୟବଧାନ ନଥିଲେ ସୁଦ୍ଧା ବାଧାର ଗୋଟାଏ କଙ୍କାଳ ଥିଲା । ସେଥିପାଇଁ ମୁଁ ନିଜ ଭିତରେ ବଳ ପାଉ ନଥିଲି–ନିଜ ପ୍ରତି ବିଶ୍ୱାସ ହରାଇ ବସିଥିଲି, ନିଜ ପ୍ରତି ବିତୃଷ୍ଣ ହୋଇଥିଲି । ସମାଜ ଚକ୍ଷୁରେ, ବୋଉ, ନିକଟରେ ନିଜକୁ କୌଣସି ମାରାତ୍ମକ ଅଜଣା ଅପରାଧୀ ବୋଲି ମୋର ମନେହେଉଥିଲା । ମୋର ଏତେ ନିଶ୍ଚେଷ୍ଟ ଭାବ, ଏତେ ଅବସନ୍ନ ଭାବଟା ଯେ ତୁମରିପାଇଁ–ତୁମକୁ ସତ୍ୟଭାବରେ, ପୂର୍ଣ୍ଣଭାବରେ ନିଜର କରିପାରି ନଥିବା ହେତୁରୁ, ଏଇଟା ସଫା ମୁଁ ବୁଝିପାରୁଛି । ମୋତେ କ୍ଷମା କର, ବାସନ୍ତୀ ।’’

 

ଗଭୀର ଅନୁତପ୍ତ ଆବେଗରେ ବାସନ୍ତୀର କୋମଳ କରପଲ୍ଲବ ଦିଓଟି ନିପୀଡ଼ିତ କରି ଦେବବ୍ରତ କହିଲା–ମୋର ଏ ଅମାର୍ଜନୀୟ ଅପରାଧ କ୍ଷମା କରିବ କି ? ନିଜ ପ୍ରତି ଯେ ଅବିଚାର ଅର୍ଜିଛି, ନିଜ ମନକୁ ନ ବୁଝିପାରିଥିଲେ ମଧ୍ୟ ଶାସନ’ନ କରି, ଆଉ ବିଶେଷରେ ତମ ପ୍ରତି ମୁଁ ପାର୍ଥିବତଃ ମୋର ଯଥେଷ୍ଟ କର୍ତ୍ତବ୍ୟରେ ତ୍ରୁଟି କରୁ ନଥିଲେହେଁ ମୋ ଭିତରେ ତମ ସମ୍ୱନ୍ଧରେ ଯେ ଗୋଟିଏ ବୁଝାମଣାରେ ନ ପହଞ୍ଚି ପାରି ଏତେ ଖେଦ ପାଇଲି–ଆଉ ହୁଏତ ମୋର ଏଇ ମନୋବିପ୍ଳବରେ ତୁମକୁ ଯେ ଆଘାତ ହୋଇଥିବ, ଏଥିପାଇଁ ମତେ କ୍ଷମା କରିବ କି ନାହିଁ ?

 

ବାସନ୍ତୀ ହସି ଉଠି କହିଲା, ‘‘ତୁମେ ଆଜି ଯେ ଏତେ କଥା ଆବିଷ୍କାର କଲ, ଏ କଥା ଯଦି ଟିକିଏ ମୁଁ ବୁଝିପାରିଥାନ୍ତି ତ ଆଜି ତୁମକୁ ଧରା ଦେଇ ନଥାନ୍ତି । ମୋ ମନରେ କାହିଁ ମୁଁ ତ ତୁମଦ୍ୱାରା ଆହତ ହେଲାପରି ଲାଗୁନାହିଁ ? କିନ୍ତୁ ତୁମେ ମନେ ମନେ ମୋ ଯୋଗୁଁ ଏତେ ସନ୍ତେଇ ହୋଇ ଯେ କ୍ଷମା ଚାହୁଁଛ, ସେଥିକି ମୁଁ କ’ଣ କରିବି ? ମୋ ପାଖରେ ତୁମେ ନିଜେ ସିନା ଅପରାଧୀ ବୋଲି ଅନୁତାପ କରୁଛ; ମାତ୍ର ମୁଁ ତ କାହିଁ ତୁମ ସମ୍ୱନ୍ଧରେ ଏପରି ଭାବି ନଥିଲି । ଆଉ କ୍ଷମା କରିବି ମୁଁ କାହାକୁ ? ତୁମେ ସବୁ ଅବସ୍ଥାରେ ମୋର କ୍ଷମଣୀୟ, ଏତିକି ବୁଝିଥାଅ ।’’

 

ଦେବବ୍ରତ କହିଲା, ‘‘ତୁମେ ସ୍ପଷ୍ଟ କରି କହ ଯେ ମୋତେ କ୍ଷମା କଲ ।’’

 

ବାସନ୍ତୀ ପୁଣି ହସି କହିଲା, ‘‘ହଁ ତୁମେ ତ ଗୋରୁ ମାରିଛ । କ୍ଷମା ନ କଲେ ଚଳୁଛି ? ଦେବବ୍ରତ ଗୋଟାଏ ଅନାବିଳ ସୁଖରେ ବିଭୋଳ ହୋଇ ବାସନ୍ତୀକୁ ଚୁମ୍ୱନ କଲା । ଲଜ୍ଜାନତା ହୋଇ ବାସନ୍ତୀ ଚଟ୍‌କରି ତଳମହଲାକୁ ପଳାଇଲା । ଯେତେବେଳେ ଦେବବ୍ରତ, ‘ଶୁଣିଯାଅ’ ବୋଲି ଡାକିଲା, ସେତେବେଳକୁ ବାସନ୍ତୀ ଯାଇ ତା’ ଶାଶୁଙ୍କୁ ଘଷିଦେବାକୁ ଆରମ୍ଭ କଲାଣି ।

 

ଦେବବ୍ରତ ଓ ବାସନ୍ତୀର ସମ୍ୱନ୍ଧ ଆଜି ଏ ମାହେନ୍ଦ୍ର କ୍ଷଣରେ ମୁକ୍ତ ଆକାଶତଳେ ମୁକ୍ତି ଲଭିଲା । ଉଭୟେ ଉଭୟଙ୍କୁ ନିକଟତର, ନିକଟତମ ବୋଲି ବୁଝିପାରିଲେ । ଦୁହିଁଙ୍କ ମନରେ ବିଶ୍ୱାସ ହେଲା, ସେମାନଙ୍କ ନବସ୍ଥାପିତ ମୁକ୍ତ ସମ୍ୱନ୍ଧକୁ ବାହାରର କୌଣସି ବ୍ୟବଧାନ କ୍ଷୁଣ୍ଣ କରିବାର ସମ୍ଭାବନାନାହିଁ । ସେମାନେ ପରସ୍ପର ପ୍ରତି ଆହୁରି ଆକୃଷ୍ଟ ହେଲେ–ଆଉ ପରସ୍ପର ପ୍ରତି ପରସ୍ପରର ଆଶ୍ୱାସପୂର୍ଣ୍ଣ ନିର୍ଭରତା ଦୃଢ଼ତର ଭିତ୍ତିରେ ପ୍ରତିଷ୍ଠିତ ହେଲା–ସେମାନଙ୍କ ପ୍ରାଣରେ ତିଳେମାତ୍ର ଦ୍ୱନ୍ଦ୍ୱ ରହିଲାନାହିଁ ।

 

ବାସନ୍ତୀର ପ୍ରକୃତି ଉଦ୍ଦାମ ନଦୀସ୍ରୋତ ପରି ତୀବ୍ର, ମଧୁର, ପ୍ରଖର ଥିଲା । ଜୀବନର ଯେ କୌଣସି କ୍ଷେତ୍ରରେ କୌଣସି ରିକ୍ତତା, କୌଣସି ଖଣ୍ଡତା ତା’ର ସହ୍ୟ ହୁଏନାହିଁ । ସେ ଥିଲା ପ୍ରକୃତିର କନ୍ୟା–ସ୍ୱାଧୀନତାରେ ତା’ର ଚିତ୍ତର ଜନ୍ମ–ଆଉ ତା’ର ଜୀବନର ବିକାଶ ହୋଇଥିଲା ମୂଳରୁ ଏହି ସ୍ୱାଧୀନତାର ପାରିପାର୍ଶ୍ୱିକତାରେ । ତା’ର ପ୍ରାଣର ଆକାଙ୍‍କ୍ଷା ଅତି ଗଭୀର ଥିଲା, ତା’ର କାମନା ବାସନାର ଅନ୍ତଃ ନଥିଲା; ଏଥିପାଇଁ ସେ ଯେ ଉଚ୍ଛୃଙ୍ଖଳ ଥିଲା, ତାହା ନୁହେଁ; ସଞ୍ଜମ ତା’ର ସ୍ୱଭାବର ଗୋଟିଏ ଅଙ୍ଗ ଥିଲା–ଚେଷ୍ଟା କରି ଆତ୍ମସଂଯମ କରିବାରେ ସେ ଜୋର୍‌ ଦେଉ ନଥିଲା–ସ୍ୱଭାବତଃ ସେ ସୁସଂଯତ । ଅନ୍ତରର ଗୋପନତମ କକ୍ଷର ବୀଣାଟିରେ ବିଚିତ୍ର ଅଭିନବ ରାଗିଣୀ ତା’ର ନିତି ନୂଆ ନୂଆ ଛନ୍ଦରେ ଧ୍ୱନିତ ହେଉଥିଲା, ତହିଁରେ ତା’ର ବାସ୍ତବ ଜୀବନ ବିଶେଷ ଭାବରେ ମୁଖରିତ ହୋଇ ଉଠୁଥିଲା । ଘରକାମରେ, ଲେଖିବା, ପଢ଼ିବା, ରାନ୍ଧିବା, ଶାଶୁଙ୍କ ସେବା କରିବାଠାରୁ ସାଧାସିଧା ଛୋଟ ବଡ଼ କାମରେ ସୁଦ୍ଧା ସେ କ୍ଳାନ୍ତବୋଧ କରୁ ନଥିଲା–ଶରତର ହାସ୍ୟଝରା ଶେଫାଳିକା ପରି ସେ ସଦାହାସ୍ୟମୁଖୀ–ନିଜ ଚହଟରେ ନିଜେ ଆକୁଳ ଥିଲା ପ୍ରାଣର ସରସତାରେ ।

 

ବିଭା ହୋଇ ଦେବବ୍ରତର ଘରକୁ ଆସିବା ଦିନଠାରୁ ବାସନ୍ତୀକୁ ନୀରବରେ ବିରୋଧ ସଙ୍ଗରେ, ବାଧା ସଙ୍ଗରେ ଯୁଦ୍ଧ କରିବାକୁ ହୋଇଛି । ସେ ଯେ ସବୁ ରକମର ପୁରାତନ ପ୍ରଥା ନୀରବରେ ସହ୍ୟ କରୁଥିଲା, ଆଉ ବାହାରେ ଯଥେଷ୍ଟ ପ୍ରସନ୍ନତାର ଭାବ ଦେଖାଇ ସବୁ ଆଦେଶ ପାଳନ କରୁଥିଲା, ସେଥିରେ ଯେ ତା’ର କଷ୍ଟ ହେଉ ନଥିଲା, ତାହା ନୁହେଁ । ନିଜ ସାଥିରେ, ନିଜର ରୁଚି ସାଥିରେ, ନିଜର ଭାବ ଓ ଇଚ୍ଛା ସାଥିରେ ସେ ଯୁଦ୍ଧ କରି ଶ୍ରାନ୍ତ ହୋଇପଡ଼େ; ତଥାପି ସେ ଶାଶୁଙ୍କ ମନ ଯୋଗାଇ ଚଳେ କାହିଁକି ? ଶାଶୁଙ୍କ ଭୟରେ ସେ ଯେ ଏପରି ମଥାପାତି ଦିଏ, ତାହା ନୁହେଁ । କାଳେ ଦେବବ୍ରତ ଦେଖି କଷ୍ଟ ପାଇବ, କାଳେ ସେ ଅସୁଖୀ ହେବ ସେଥିପାଇଁ । ଦେବବ୍ରତ ଅଶାନ୍ତିପାଇଁ ବାସନ୍ତୀର ଭାବନାନାହିଁ, ଯଦି ସେମାନଙ୍କର ସମ୍ୱନ୍ଧ ଆବିଳ ଓ ମିଥ୍ୟା କୌଶଳ ବନ୍ଧନର ସମ୍ୱନ୍ଧ ହୋଇଥାନ୍ତା; କିନ୍ତୁ ସେ ଯେ ତା’ର ପ୍ରିୟତମକୁ ପ୍ରାଣରୁ ଅଧିକ ଭଲପାଏ, ତାଙ୍କ ଦେହରେ କୁଶାଙ୍କୁର ବିନ୍ଧିଲେ ଯେ ବାସନ୍ତୀ ଦେହରେ ଶେଳ ବାଜେ । ସେ ଅବିରତ ଚେଷ୍ଟା କରୁଥିଲା, ନିଜ ଜୀବନର ଉଚ୍ଚଆଦର୍ଶକୁ ଅତିକ୍ରମ କରି ସୁଦ୍ଧା ଦେବବ୍ରତକୁ ସୁଖୀ କରିବ–ତା’ ପ୍ରାଣକୁ ଶାନ୍ତିର ଜୋତ୍ସ୍ନାରେ ଭରି ଦେବ । ସେ ଭାବିଲା, ଦେବବ୍ରତ ତା’ପାଇଁ କ’ଣ ନ କରିଛି, କ’ଣ ନ ସହିଛି ? ଶିମିଳିପୁରକୁ ଆସିଲା ପରେ ଯେତେବେଳେ ବିଭାଘର ଭୋଜି ଦିଆହେବାର ପ୍ରସ୍ତାବ ହୋଇ ତାଙ୍କର ଆତ୍ମୀୟ ବନ୍ଧୁ କୁଟୁମ୍ୱମାନଙ୍କୁ ନିମନ୍ତ୍ରଣ କରାଗଲା, ସେତେବେଳେ ସେମାନେ ଅଜାତି ଘର ଝିଅକୁ ଦେବବ୍ରତ ଅକୌଳିକ ରୀତିରେ ବିଭାହୋଇ ଘରକୁ ଆଣିଛି, ଏହି ଆପତ୍ତି ଉଠାଇ ଆସିଲେନାହିଁ ଓ ଏହି ଛିଦ୍ରର ସୁବିଧାପାଇଁ ଯେତେବେଳେ ଦେବବ୍ରତଙ୍କ ଘରକୁ ଏକଘରକିଆ କରି ରଖିଲେ ସେତେବେଳେ ଏହି ଦେବବ୍ରତ ତ ବୀରବିକ୍ରମରେ କହିପାରିଥିଲା–‘‘କେହି ନ ଆସିଲେ ମୋ ଘର ଭାସିଯିବନାହିଁ କି ମୁଁ କାହାରି ଅନୁଗ୍ରହପ୍ରାର୍ଥୀ ନୁହେଁ ଯେ ଖୋସାମତ୍‌ କରିବାକୁ ଯିବି । ଭଲ କଥା, ଦେଖାଯାଉ, କିଏ କାହାକୁ ଏକଘରିଆ କରି ରଖେ-।’’ ଏଇ ସ୍ୱାମୀ ତ ତା’ରିପାଇଁ କେବଳ ଏ ଦଣ୍ଡକୁ ମଥାପାତି ନେଲେ ? ତାଙ୍କ ବୋଉଙ୍କର ବାର ରକମର କଡ଼ା କଥାକୁ ହଜମ କରି ନୀରବ ଭାବରେ ସେ ତ କେବଳ ତା’ରିପାଇଁ ଏଡ଼େ ବଡ଼ ତ୍ୟାଗଟାକୁ ସ୍ୱୀକାର କରି ନେଲେ ? ଯାହାର ବିବେକର ପ୍ରେରଣା ଏଡ଼େ, ଯେ କର୍ତ୍ତବ୍ୟର ପ୍ରିୟଭକ୍ତ, ତାଙ୍କ ପ୍ରତି ସମ୍ମାନ ଦେଖାଇବାରେ, କର୍ତ୍ତବ୍ୟ କରିବାରେ ୟା’ଠାରୁ ଗୁରୁତର ସମସ୍ୟା ସବୁ ତ ସମାଧାନ କରିବାକୁ ଅଛି ? ସେ ତ କଦାପି ଚାହୁଁନାହିଁ–ଏ କ୍ଷେତ୍ରରେ ତା’ର ସ୍ୱାର୍ଥ ଉପରେ ଆଘାତ ପଡ଼ୁଛି ବୋଲି ସେ ତା’ ସ୍ୱାମୀର ସହିଷ୍ଣୁତାଠୁଁ ତା’ର ସହିଷ୍ଣୁତାଟାକୁ କ୍ଷୁଦ୍ର ଓ ନଗନ୍ୟ କରିବ-। ସେ ନାରୀ, ସେ ପୁରୁଷଠୁ ଏ କ୍ଷେତ୍ରରେ ବେଶି ଉଦାରତା ବେଶି ସହିଷ୍ଣୁତା ଦେଖାଇବ ଏହି କଥା ଭାବି ସେ ନୀରବରେ–ଆନନ୍ଦରେ ତା’ର କର୍ତ୍ତବ୍ୟ କରିଯାଉଥିଲା ।

 

ସୁଭଦ୍ରା କେବଳ ବାସନ୍ତୀ ଉପରେ ବିରକ୍ତ ହୋଇଥିଲେ ତାଙ୍କ ଦେବବ୍ରତକୁ ବାସନ୍ତୀ କି ମୋହୀନୀ ମାୟାରେ ଭୁଲାଇ ଆୟର୍ତ୍ତ କରିଥିଲା, ପୁଣି ଅବଶେଷରେ ଦାଉ ସାଧିବାକୁ ବିଭା ସୁଦ୍ଧା ହୋଇଛି, ଏ ବିରକ୍ତିଟା ପୁଅ ଉପରେ ପଡ଼ିଲାନାହିଁ–କେବଳ ନିରୀହା ବୋହୂ ବିଚାରାଟି ଉପରେ ବର୍ଷିତ ହେବାକୁ ଲାଗିଲା ।

 

ବାସନ୍ତୀ ଅମିତ ମନ ବଳରେ ଶାଶୁଙ୍କର ଏହି ଭାବଟିକୁ ଓ ତା’ ସଙ୍ଗରେ ଆନୁସଙ୍ଗିକ ଉପସର୍ଗମାନ କଥାରେ ବ୍ୟବହାରରେ ସହ୍ୟ କରିବାକୁ ଲାଗିଲା–ନୀରବରେ ତା’ର ସମସ୍ତ କର୍ତ୍ତବ୍ୟ କର୍ମ ସମ୍ପାଦନ କରି । ସେ ଏଥିପାଇଁ ନିଜକୁ ଛୋଟ ବା ଦୁର୍ବଳ ଭାବିଲାନାହିଁ, ବରଂ ଶକ୍ତିମୟୀ ଭାବିଲା–ତା’ ସ୍ୱାମୀର ଯୋଗ୍ୟ ହୋଇପାରିଛି–ତାହାଙ୍କ ପାଇଁ ସବୁ ରକମର ଅତ୍ୟାଚାର ସହୁଛି ବୋଲି ନିଜ ମନରେ ସେ ଏଥିଯୋଗୁଁ ଅପରିସୀମ ଆନନ୍ଦ ଅନୁଭବ କରିବାକୁ ଲାଗିଲା ।

 

ଠିକ୍‌ ଏଥିପାଇଁ ଆଉ ଗୋଟିଏ ମନୁଷ୍ୟଠାରେ ଏହି ଭାବର ବିପରୀତ କ୍ରିୟା ଚଳିବାକୁ ଲାଗିଲା । କେବଳ ଏଇଯୋଗୁଁ ଦେବବ୍ରତ ତା’ ବୋଉର ବାସନ୍ତୀ ପ୍ରତି ମନ୍ଦ ବ୍ୟବହାରରେ ଆହତ ହେବାକୁ ଲାଗିଲା–ତାହାର ବୁଝିବାକୁ ବାକି ନ ଥିଲା ଯେ ବାସନ୍ତୀ କେବଳ ସହୁଛି ତା’ରି ସୁଖ ଓ ଶାନ୍ତିପାଇଁ ।

 

ଏ ନୀରବ ଘଟଣାବଳୀର ପଛପଟରେ ବାସନ୍ତୀ ହୃଦୟରେ ସାମୟିକ ଯେ ତାଣ୍ଡବଲୀଳା ଚଳୁଥିଲା–ନିଜକୁ ତ୍ୟାଗ କରିବାର–ନିର୍ମମ ଭାବରେ ନିଜର ସମସ୍ତ ପ୍ରବୃତ୍ତିକୁ ଶାସନ କରିବାର ଯେ ତାଣ୍ଡବ ଲୀଳା ଚଳୁଥିଲା, ସେଇଟା ଯେ ଦେବବ୍ରତ ସ୍ପଷ୍ଟ ବୁଝିପାରୁଥିଲା ତା’ ନୁହେଁ କେତେକ ଅନୁମାନ କେତେକ କଳ୍ପନାରେ ସେ ବାସନ୍ତୀ ଅନ୍ତରର ଲୁକ୍‌କାୟିତ ଭାବଟିକୁ ଧରି ମୋଟାମୋଟି ଧରି ପାରୁଥିଲା–ମାତ୍ର ବାସନ୍ତୀର କଷ୍ଟ ତା’ର ଅସହ୍ୟ ହେଇଥିଲା, ତେଣୁ ବାସନ୍ତୀ ତ୍ୟାଗର ସହନଶୀଳତାର ମାତ୍ରା ଯେତେ ବଢ଼ୁଥିଲା, ଏଣେ ଦେବବ୍ରତର ଅଧୀରତାର, ଅସହିଷ୍ଣୁତାର–ନିଜପ୍ରତି ଗୋଟିଏ ଅକ୍ଷମତାର ଗ୍ଳାନିଜନିତ ଅଶ୍ରଦ୍ଧା ତେତେ ବଢ଼ୁଥିଲା ।

 

–ଦଶ–

 

ଦିଓଟି ସଖୀ ମୁହାଁମୁହିଁ ହୋଇ ବସିଥିଲେ । ସ୍ତବ୍ଧ ଗୃହ କୋଣ ଉପରେ ସନ୍ଧ୍ୟାର ଅନ୍ଧକାର ଘନାଇ ଆସୁଥାଏ । ସ୍ତବ୍ଧ ହୃଦୟ ଉପରେ ବେଦନାର ଅନ୍ଧକାର ନିବିଡ଼ ହୋଇ ଜମୁଥାଏ-। ସେ ସନ୍ଧ୍ୟା ସ୍ୱପ୍ନ–ସଧୀର ସନ୍ଧ୍ୟା । ସେ ବେଦନା ଆନନ୍ଦମଧୁର ବେଦନା ।

 

ବାସନ୍ତୀ ତା’ର ସୁକୁମାର ବାହୁରେ ନିଶାର କଣ୍ଠ ବେଷ୍ଟନ କରି କହିଲା, ‘‘ନିଶାମଣୀ, ମୋ ମନରେ ଆଜି ବଡ଼ ଆନନ୍ଦ, ମୋ ବଉଳ ଆଜି ମତେ ଚିଠି ଦେଇଛି, କିନ୍ତୁ ସେ ବଡ଼ ଅଭିମାନ କରିଚି ମୁଁ ତା’କୁ ଏତେଦିନ ଯାଏ ଚିଠି ଦେଇନାହିଁ ବୋଲି । ସେ ଲେଖିଚି, ମୁଁ ତାକୁ ଭୁଲିଗଲିଣି । ଆଚ୍ଛା, ମୁଁ କ’ଣ ମୋ ବଉଳକୁ ଭୁଲିପାରେ ?’ କଣ୍ଠ ତା’ର ବେଦନାରୁଦ୍ଧ–ଚକ୍ଷୁ ପ୍ରାନ୍ତ ଅଶ୍ରୁଭରା ।

 

‘‘ତୁମେ ତାଙ୍କୁ କାହିଁକି ଚିଠି ଦେଲନାହିଁ, ସେ ଏକଥା ଭାବିଲାରୁ ତାଙ୍କର ବଡ଼ ଦୋଷ ହେଲା, ନା ?’’

 

ବାସନ୍ତୀ କିଛି ଉତ୍ତର ଦେଇପାରିଲାନାହିଁ । ତାହାର ଆଜି ବହୁଦିନ ପରେ ମନେପଡ଼ିଗଲା ଅତୀତର ବହୁ ପୁରାତନ କରୁଣ; କିନ୍ତୁ ମଧୁର କାହାଣୀ–ମନେପଡ଼ିଗଲା ତାହାର ସେହି ସ୍ନେହମୟୀ ମାତାଙ୍କର ମୃତ୍ୟୁଶଯ୍ୟା–କଲ୍ୟାଣୀ ଦେବୀଙ୍କର ସେହି ମାତୃହୀନା ନିରାଶ୍ରୟା ବାସନ୍ତୀକୁ କଲ୍ୟାଣ ହସ୍ତରେ ସସ୍ନେହରେ ବକ୍ଷକୁ ଟାଣିନେବା–ସ୍ନେହମୟ ମାତୃ ହୃଦୟର କି ଅସୀମ ପରିଚୟ ପାଇଛି ସେ ଏମାନଙ୍କ ନିକଟରୁ । ତା’ପରେ ବଉଳର ଓ ତା’ର ସେହି ସଖୀତ୍ୱ–ପରସ୍ପରର କ୍ଷଣିକ ଅଦର୍ଶନରେ ସେହି ଗଭୀର ବ୍ୟାକୁଳତା । କେତେଦିନ ଲୁଚିକରି ସକାଳେ ବଉଳ ସାଙ୍ଗରେ ଫୁଲ ତୋଳି ଯାଇଛି ବୋଲି ମାତାଙ୍କର ସସ୍ନେହ ତିରସ୍କାର ସେ ଲାଭ କରିଛି । ପୁଣି ବିବାହ ପରେ ସ୍ୱାମୀ ସଙ୍ଗରେ ସେହି ତା’ର ଭବିଷ୍ୟତର ଅଜଣା ପଥରେ ଯାତ୍ରା କି ଭୟ ଓ ଆଶଙ୍କା ହୃଦୟରେ ଘେନି ସେ ମାତୃସମା କଲ୍ୟାଣୀ ଦେବୀ ଓ ବାଲ୍ୟସଖୀ ସୁନୀତିଠାରୁ ବିଦାୟ ନେଇ ଆସିଛି ! କି କରୁଣ ସେ ବିଦାୟ ମୁହୂର୍ତ୍ତ ! ବଉଳ କ’ଣ ଜାଣେନାହିଁ, ମନେନାହିଁ କି ତା’ର ଏ ସବୁ କଥା ? ତେବେ କାହିଁକି ସେ ଭାବିଲା ବାସନ୍ତୀ ତାକୁ ଭୁଲିଛି ? ବଉଳ ଭାବିପାରିଲାନାହିଁ ଯେ, ବଉଳ ତା’ର ଆଉ ସ୍ୱାଧୀନ ବିହଙ୍ଗଟିପରି ନାହିଁ–ପକ୍ଷ ବିସ୍ତାର କରି ଉଡ଼ିଯିବାକୁ ଚାହେଁ ସେ ମୁକ୍ତ ଗଗନକୁ, କିନ୍ତୁ ପିଞ୍ଜର ଦ୍ୱାରରେ ମୁକ୍ତିର ବ୍ୟର୍ଥ ପ୍ରାୟାସ କରି ନୀରବ ରହେ, ହସ୍ତ ପଦ ତା’ର ଶୃଙ୍ଖଳିତ ଯେ ! ସେ ଏବେ କନ୍ୟା ନୁହେଁ, ବଧୂ । ବଉଳ ଏତେ ଭୁଲ ବୁଝିଲା ବୋଲି ଆଜି ବାସନ୍ତୀର କୁସୁମ-କୋମଳ ମନରେ ବଡ଼ ଆଘାତ ଲାଗିଲା ଏବଂ ବିଦ୍ୟୁତ୍‌ ପରି ଆଉ ଗୋଟିଏ ଚିନ୍ତା ମଧ୍ୟ ତା’ ହୃଦୟରେ ଖେଳିଗଲା । ତା’ର ସ୍ୱାମୀ ? ସେ ଯଦି ତାକୁ କେବେ ଏପରି ଭୁଲ ବୁଝନ୍ତି ? ଏ ବିଶାଳ ସଂସାରରେ ତେବେ କ୍ଷୁଦ୍ର ବାସନ୍ତୀ ଠିଆ ହେବ କେଉଁଠାରେ ? କିନ୍ତୁ ଏ ଚିନ୍ତାକୁ ସେ ମନରେ ପ୍ରଶ୍ରୟ ଦେଇପାରିଲାନାହିଁ । ଘନାୟମାନ ସନ୍ଧ୍ୟାର ପୁଞ୍ଜୀଭୂତ କ୍ଷୁଦ୍ର ଗୃହକୋଣରେ ପଲ୍ଲୀବଧୂ ବାସନ୍ତୀର ମାସସପଟରେ ଅତୀତର ଏହି ଛବିଗୁଡ଼ିକ ଅନ୍ଧକାରରେ ପଲ୍ଲୀର ଛାୟାଚିତ୍ର ପରି ଭାସିଯିବାକୁ ଲାଗିଲା ।

 

‘‘ବାପରେ ବାପ୍‌ ! ତୁମ ବଉଳ ତୁମକୁ କ’ଣ ଲେଖିଲେ, ତା’ପାଇଁ ମୁଁ ତୁମର କ’ଣ କଲିଟି ? ମତେ କଥା କହୁନାହିଁ । ହଁ, କାହିଁକି କହିବ, ମୁଁ ପରା କାଲି ଚାଲିଯିବି, ଭଲ ହେବ !’’ ନିଶାମଣି କୃତ୍ରିମ ରୋଷରେ ବାସନ୍ତୀର କୋମଳ ଗଣ୍ଡରେ ମୃଦୁ ଆଘାତ କଲା ।

 

ବାସନ୍ତୀ ନୂଆ କରି ଏ କଥା ଶୁଣିଲା ପରି କହିଲା, ‘‘କାହିଁକି ଏଠି କ’ଣ ଭଲଲାଗୁନାହିଁ-? ମୁଁ ତୁମକୁ ଯିବାକୁ ଦେଲେ ତ ଯିବ ତୁମେ ଗଲେ ମୋ ଦିନ ଚଳିବ କେମିତି, ନିଶା ?’’

 

‘‘ହଁ, କାହିଁକି ସେ ଖୋସାମତିଆ କଥାଗୁଡ଼ାକ କହୁଚ ମ ? ଏଠିକି ଆଣିଲାବେଳେ ଜାଣିକରି ଏକା ଆସିଥିଲ, ନିଶାମଣି ଏଠି ଥିବ ତୁମରି ଦିନ ଚଳେଇବା ଲାଗି ।’’

 

ବାସନ୍ତୀ ହସିଲା–ସେ ହସଟି ତରୁଣ ଅରୁଣାଲୋକ ପରି ମଧୁର ଏବଂ ବିଦାୟୋନ୍ମୁଖ ରବି ପରି ମ୍ଳାନ । କହିଲା, ‘‘ଆଉ କ’ଣ ଆସିବନାହିଁ ?’’

 

‘‘କାହିଁକି ଆସିବନାହିଁ ? ମୋ ମନଟି ତ ତୁମରି ପାଖରେ ପଡ଼ିଥିବ–ମୋ ନୂଆବହୂଟି କ’ଣ କରୁଚି ଜାଣିବାଲାଗି । ଗୋଟାଏ କଥା ଏକାମନେ ରଖିଥିବ–ବଡ଼ମାଙ୍କ କାମ ଭଲ କରି ସବୁ କରିବ । ସେ ତ ଏକେ ଆମ ମଫସଲି ଲୋକ, ତୁମେ ପୁଣି ସହରର ପାଠୁଆ ବୋହୂ । କେତେ ଦୋଷ ଧରିବେ । ତାଙ୍କ କଥାଗୁଡ଼ାକ ଧରିବନାହିଁ ।’’

 

ବାସନ୍ତୀ ଗମ୍ଭୀର ଭାବରେ ତା’ର ଗୁରୁ ଏହି କ୍ଷୁଦ୍ର ନଣନ୍ଦଟିର ସବୁ ଉପଦେଶ ଗ୍ରହଣ କଲା । କ୍ଷୁଦ୍ର ବାଳିକା ହୃଦୟରେ ଏହି ସହାନୁଭୂତି ବାସନ୍ତୀର ଅନ୍ତରକୁ ସ୍ପର୍ଶକଲା । ଗୋଟିଏ ଅନନୁଭୂତ ଆନନ୍ଦରେ ଅନ୍ତର ତା’ର ଉଚ୍ଛ୍ୱସିତ ହୋଇଉଠିଲା–ଏ ପରିବାରରେ ତା’ର ସ୍ୱାମୀ ବ୍ୟତୀତ ତା’ ଲାଗି ଭାବିବାକୁ ଆହୁରି ମଧ୍ୟ ଅଛି ।

 

ଏହି ସ୍ନେହମୟୀର ଆସନ୍ନ ବିରହର ଆଶଙ୍କାରେ ପ୍ରାଣ ତା’ର କାନ୍ଦି ଉଠିଲା । ଶ୍ୱଶୁରାଳୟକୁ ଆସିବା ପରେ ଏହି ଦ୍ୱିତୀୟ ଥର ବାସନ୍ତୀ ନିଜକୁ ସହାୟହୀନ ବୋଲି ମନେକଲା । ସ୍ୱାମୀ ତା’ର ଅଛନ୍ତି; କିନ୍ତୁ ବୋଉ ତାକୁ ‘ପାଠୁଆ ବୋହୂ’ ପ୍ରଭୃତି କହି ତା’ ମନରେ ଯେଉଁ ଆଘାତ ଦିଅନ୍ତି, ସେ କିପରି ତା’ର ମନର ସେ ବେଦନା ସ୍ୱାମୀକୁ ଜଣାଇବ ? ସେ କ’ଣ ମନେକରିବେ ? ବାସନ୍ତୀ ସ୍ଥିର କଲା, ସବୁ ନୀରବରେ ସହ୍ୟ କରିଯିବ ।

 

ବାସନ୍ତୀ ନିଶାର ହାତ ଦିଓଟି ଧରି କହିଲା, ‘‘ଆଚ୍ଛା, ନିଶା.....’’

 

ଏପରି ସମୟରେ ନିଶାମଣି ଓ ବାସନ୍ତୀକୁ ଚମକିତ କରି ସୁଭଦ୍ରା ଦେଈଙ୍କ କଣ୍ଠସ୍ୱର ଘର ବାହାରୁ ବାଜି ଉଠିଲା–‘‘ଆଲୋ, ନିଶା, ଆଜି କ’ଣ ଘରକଣରେ ଫୁସୁରୁଫୁସୁରୁ ହେଉଥିବ ? ଆଉ କ’ଣ କିଛି କାମନାହିଁ ?’’

 

ନିଶା କହିଲା, ‘‘କାହିଁକି, ବଡ଼ମା, ଆମେ ତ ସବୁ ପାଇଟି ସାରି ଦେଇଚୁ । ରନ୍ଧା ତ ସରିଲାଣି, ଆଉ ତ କିଛି ବାକିନାହିଁ ?’’

 

‘‘ହଁ, ମୋରି ଆହୁରି ବଳ ଆସୁଚି ଯେ କହି ଆସିଲାରୁ ମୁଁ ପାନ ଭାଙ୍ଗିଦେବି, ମୁଁ ସବୁ କରିବି, ଆଉ ମୋ ଘରେ ବଡ଼ ଲୋକର ଝିଅ ଘରକଣରେ ବସି ଚିଠି ପଢ଼ୁଥିବ ।’’

 

ବାସନ୍ତୀ ଓ ନିଶା ଘରୁ ବାହାରି ଆସି ଦେଖିଲେ, ପିଣ୍ଡାରେ ମଶିଣାଟିଏ ପାରିଦେଇ ସୁଭଦ୍ରା ଦେଈ ବସିଛନ୍ତି; ଆଉ ତାଙ୍କୁ ଘେରି ବସିଛନ୍ତି ସନିଆମା ଚାକରାଣୀ ହେମବୋଉ, ମଦନାମା ପ୍ରଭୃତି ଅତି ବିଶିଷ୍ଟ କେତୋଟି ସାଇର ସ୍ତ୍ରୀ ଲୋକ । କାହାର ଘରକୁ ନୂଆ ବୋହୂଟିଏ ଆସିଲେ ମଦନାମା ପ୍ରଭୃତି ଦିନ ମଧ୍ୟରେ ଦଶ ଥର ଆସନ୍ତି ଖବର ବୁଝିବାକୁ । ଘରକାମ ସାରି ପିଲାଙ୍କୁ ଦାଣ୍ଡକୁ ଖେଳିବାକୁ ଛାଡ଼ିଦେଇ କିମ୍ୱା ଧମକ୍‌ ଦେଇ ଘରେ ବହି ଧରେଇ ବସେଇ ଦେଇ ବାହାରି ପଡ଼ନ୍ତି ନୂଆ ବୋହୂଟିର ଛିଦ୍ରାନ୍ୱେଷଣରେ । ଏମାନଙ୍କ ସଙ୍ଗରେ ବାସନ୍ତୀର ବିଶେଷ ପରିଚୟ ନଥିଲେ ମଧ୍ୟ ନିଶାମଣି ଠାରୁ ଏମାନଙ୍କର ସ୍ୱଭାବ ସମ୍ୱନ୍ଧରେ କିଛି କିଛି ଅଭିଜ୍ଞତା ସେ ଲାଭ କରିଥିଲା; ସେଥିପାଇଁ ଏହି ସନ୍ଧ୍ୟାରେ ସୁଭଦ୍ରା ଦେଈଙ୍କ ଡାକରେ ବାହାରକୁ ଆସି ଯେତେବେଳେ ସେ ଏମାନଙ୍କୁ ଦେଖିଲା, ବୁଝିଲା, ଆକାଶ ମେଘାଚ୍ଛନ୍ନ–କିଛି ବର୍ଷଣ ଆଜି ହେବ ଏବଂ ପୂର୍ବରୁ ଏଇଟା ତାହାର ସୂଚନା ମାତ୍ର । ନିଶା ପିତାମାତାଙ୍କର ଏକମାତ୍ର କନ୍ୟା, ବଡ଼, ଆଦରିଣୀ, ସେଇଥିପାଇଁ କିଛି ଉଦ୍ଧତା । ମଦନାମା ପ୍ରଭୃତିଙ୍କ ସମ୍ମୁଖରେ ତା’ର ଭାଉଜବୋହୂକୁ ସୁଭଦ୍ରା ଦେଈ ଅକାରଣରେ ଏପରି କହିବାକୁ ସେ ଟିକିଏ ବିରକ୍ତ ହୋଇଥିଲା ଏବଂ ଉତ୍ତର ମଧ୍ୟ କିଛି ଦେବାର ତା’ର ଇଚ୍ଛା ଥିଲା; କିନ୍ତୁ ବାସନ୍ତୀ ତାହାର ରୋଷରକ୍ତିମ ମୂଖରୁ ତା’ର ମନୋଭାବ ବୁଝିପାରି ତାକୁ ଟାଣି ନେଇ ଗଲା ଗୃହାଭ୍ୟନ୍ତରକୁ ପାନ ଭାଙ୍ଗିବା ଲାଗି । ପ୍ରତିବାଦ କରି ଲାଭ କ’ଣ ? ଆଜି ସିନା ନିଶା ଅଛି, ରାତି ପାହିଲେ ସେ ତ ଚାଲିଯିବ–ସେତେବେଳେ ?

 

ସୁଭଦ୍ରା ଦେଈଙ୍କୁ ଏ ନୀରବତା ବଡ଼ ବେଶି ପ୍ରସନ୍ନ କରିପାରିଲାନାହିଁ । ଏକ ଶ୍ରେଣୀର ଲୋକ ଅଛନ୍ତି, ସବୁବେଳେ ବକ୍‌ ବକ୍‌ ହୁଅନ୍ତି । କେହି କିଛି ଉତ୍ତର ଦେଲେ ସହ୍ୟ କରିପାରନ୍ତିନାହିଁ-। କିନ୍ତୁ ଉତ୍ତର ନ ଦେବାଟା ସେମାନଙ୍କର ଆହୁରି ଅସହ୍ୟ ହୋଇଉଠେ । ସୁଭଦ୍ରା ଦେଈ ସେହି ଶ୍ରେଣୀର ଲୋକ । ବାସନ୍ତୀ ଓ ନିଶାର ନୀରବତା ତାଙ୍କୁ ଆନନ୍ଦ ଦେଲାନାହିଁ–ସନିଆ ମା’ ପ୍ରଭୃତିଙ୍କ କୌତୁହଳାବିଷ୍ଟ ଚିତ୍ତ ମଧ୍ୟ ବଡ଼ ଅଶାନ୍ତି ବୋଧ କଲା ।

 

ସନିଆମା ସୁଭଦ୍ରା ଦେଈଙ୍କର ମନୋଭାବ ବୁଝିପାରି କହିଲେ, ‘‘ଆଜିକାଲିକାର ଝିଅ ବୋହୂଙ୍କୁ ଦଣ୍ଡବତ । କଥା ତାଙ୍କୁ ଖାତିର ପଡ଼େନାହିଁ । ଇଏ କ’ଣ ଲୋ ! ଦେବବାବୁ ଏକା ଆମର ଆଚ୍ଛା ସୁନ୍ଦର ବିଭା ହେଲେ ।’’

 

ମଦନାମା ଉତ୍ସାହିତ ହୋଇ ପ୍ରସଙ୍ଗଟିକୁ ସମର୍ଥନ କରି କହିଲା, ‘‘ଶାଶୁଟା ଡାକିଲା, ଟିକିଏ ଆ ପଚାର, ତା’ ନାହିଁ । ମାଲୋ, ଅଇଲା, ଉଣ୍ଡି ଦେଇ ଚାଲିଗଲା । ଛି ! ଛି !’’

 

ହେମ ବୋଉ ସହାନୁଭୂତି ଦେଖାଇ କହିଲା, ‘‘ଆଚ୍ଛା, ଦେବବୋଉ, ବୋହୂ ବୋଲି ତ ତୁମର ଗୋଟିଏ, ସେ ଯେବେ ତୁମକୁ ଖାତିର ନ କରିବ, ତୁମ କଥା ନ ମାନିବ, ତୁମ ସେବା ଧର୍ମ ନ କରିବ, ତେବେ ଚଳିବ କେମିତି ?’’

 

‘‘ଆହା, ମୋ ସେବା ଧର୍ମ । ସେ କଥା କହନା ମ, ସେ କଥା କହନା । ଦେବର ବୋହୂ ଇସ୍କୁଲରେ ପାଠପଢ଼ିଚି, ବୋହୂ ତା’ର ବଜେଇ ଶିଖିଚି, ଗୀତ ଗାଇ ଶିଖିଚି, ସେଭଳି ବୋହୂ ପଶି ରହିବ ହାଣ୍ଡିଶାଳରେ, ସେ ମାନିବ ମୋ କଥା ?’’

 

ସନିଆମା ଘୁଞ୍ଚି ଆସି ଈଷତ୍‌ ନିମ୍ନ ଅଥଚ ଯେପରି ଗୃହାନ୍ତରସ୍ଥିତା ବାସନ୍ତୀର କର୍ଣ୍ଣଗୋଚର ହେବ, ଏପରି ସ୍ୱରରେ କହିଲା, ‘‘ବୋହୂ ସାନ୍ତାଣୀଙ୍କୁ ଆମର ଭାଷା ଦେଇଚନ୍ତି କିଏ କି ? ଆଜି ନିଶା ଦେଈଙ୍କୁ ପଢ଼ି ଶୁଣାଉଥିଲେ, ମୁଁ ତ ମୂରୁଖ ମଣିଷ, ମୁଁ କିସ ବୁଝିମି ? ମତେ ଦେଖିଲାକ୍ଷିଣି ବୋହୂ ଆମର ସେ ଖଣ୍ଡିକ ଝଟ୍‌କିନି ନୁଚେଇ ଦେଲେ । କିଏ ଦେଇଚି ସେ କଥା ମହାପ୍ରଭୁଙ୍କୁ ଜଣା ।’’ କହି ଅତି ସନ୍ତର୍ପଣରେ ଏଣେତେଣେ ଚାହିଁ ମହାପ୍ରଭୁଙ୍କୁ ସନିଆମା ଦଣ୍ଡବତଟି କଲା ।

 

ମଦନାମା କହିଲା, ‘‘ମାଇକିନିଆ ଝିଅର ଇଏ କ’ଣ ମ ? ଗୀତରେ ବାଜାରେ, ଭାଷା ଦେରେ ଇଏ ସବୁ କ’ଣ ? ଏ ନିଶା ସେଦିନର ପିଲାଟା, ସେ ବି ଏମିତି ! ଇଏ କି କାଳ ଲୋ ।’’

 

‘‘ନିଶା ? ତା’ କଥା କହନା, ସବୁବେଳେ ଭୁଟୁରୁ ଭୁଟୁରୁ ହବାର ଗୁଣ । ନାହିଁ ବାପ, ମୁଁ ତାକୁ ପାରିବିନାହିଁ, ସେ ଯାଉ କାଲି ତା’ ବୋଉ ପାଖକୁ । କ’ଣ ଶିଖିବ, କ’ଣ କରିବ, ତା’ ବୋଉ ପୁଣି ମତେ ଗାଳିଦେବ ।’’

 

‘‘ହଁ ପର ଝୁଅ ନା, ତୁମେ କାହିଁକି ସାନ୍ତାଣୀ ସେ ବଲେଇ ମୁଣ୍ଡେଇବ ?’’ କହି ସନିଆମା କଥାଟା ନିଷ୍ପତ୍ତି କରିଦେଲା ।

 

‘‘ବୋଉ ବଡ଼ ଭୋକ ହେଲାଣି, ଆଜି କ’ଣ ମୋତେ ଖାଇବାକୁ ଦବୁନାହିଁ ?’’ ବୋଲି କହି ଦେବବ୍ରତ ଆସି ପାଖରେ ଠିଆ ହୋଇଗଲେ । ବଜ୍ରପାତ ହୋଇଥିଲେ ମଧ୍ୟ ମଦନାମା ପ୍ରଭୃତି ସହୃଦୟା ଅଭ୍ୟାଗତମାନେ ସେପରି ଚମକି ଉଠି ନଥାନ୍ତେ ।

 

ସୁଭଦ୍ରାଦେଈ ପୁଅକୁ ଚାହିଁ କହିଲେ, ‘‘ତୋର ତ ବାପା ଦେଖାନାହିଁ, ଖାଇବାକୁ ଦେବି କାହାକୁ ? କ’ଣ ଦି’ଟା ଖାଇଦେଇ ସେଇ ଖରାଟାରେ ବାହାରିଗଲୁ ଫେରୁଚୁ ଏତେ ରାତିରେ । ଚାଲ, ଖାଇବୁ ଚାଲ ।’’

 

ଏପରି ସମୟରେ ବାସନ୍ତୀ ପାନ ନେଇ ଆସି ରଖି ଦେଇଗଲା । ମସ୍ତକରେ ତା’ର ଅନାବଶ୍ୟକ ଅବଗୁଣ୍ଠନ ଆଡ଼ମ୍ୱରନାହିଁ–ଅବଗୁଣ୍ଠନ ତା’ର ବଧୂସୁଲଭ ସ୍ୱାଭାବିକ ଲଜ୍ଜାରୁଣ ମୁଖ ଏବଂ ଈଷତ୍‌ ନତମସ୍ତକ । ଯେଉଁମାନେ ମୁହୂର୍ତ୍ତ ପୂର୍ବରୁ ତାହାର ଆଚରଣ ସମ୍ୱନ୍ଧରେ ନାନାମିଥ୍ୟା ଆଲୋଚନାରେ ପ୍ରବୃତ୍ତ ଥିଲେ, ସେମାନେ ମଧ୍ୟ ଏହି ଦେବୀମୂର୍ତ୍ତିର ଦର୍ଶନରେ ମନେ ମନେ ପ୍ରଶଂସା ନ କରି ରହିପାରିଲେନାହିଁ । ସେମାନଙ୍କ ସପ୍ରଶଂସା ଦୃଷ୍ଟିକୁ ଅନୁସରଣ କରି ଦେବବ୍ରତ ମୁଗ୍ଧ ଦୃଷ୍ଟିରେ ଚାହିଁରହିଲା ଏବଂ ଅନ୍ତରରେ କିଛି ଗର୍ବ ମଧ୍ୟ ଅନୁଭବ କଲା ।

 

ହେମବୋଉର ହଠାତ୍‌ କନ୍ୟାର ଅସୁସ୍ଥତା କଥା ମନେପଡ଼ିଗଲା । କହିଲା, ‘‘ଯାଉଚି, ଦେବବୋଉ, ଥାଆ ତୁମର ଆଉ ଦୁଃଖ କ’ଣ ? ଏତେଦିନ ଚାହିଁ ଚାହିଁ ଲକ୍ଷ୍ମୀ ଠାକୁରାଣୀଟି ପାଇଲ ଏକା । ଏ ଗାଁଟାଯାକରେ ଏମିତି ବୋହୂ ପାଇବନା ?’’ ଏହିପରି ବୋହୂର ନାନାସ୍ତୁତିବାଦ କରି ଏମାନେ ବିଦାୟ ଗ୍ରହଣ କଲେ ।

 

–ଏଗାର–

 

ତରୁଣ ଅରୁଣାଲୋକ କକ୍ଷରେ ପ୍ରବେଶ କରି କକ୍ଷଟିକୁ ତା’ର ଉଜ୍ଜ୍ୱଳ ଧାରାରେ ବିଧୌତ କରୁଥିଲା । ପ୍ରଭାତ ସମୀରଣ ଧୀରେ ଧୀରେ ଆସି ଦେବବ୍ରତର ଶୁଭ୍ର ଲଲାଟ ସ୍ପର୍ଶ କରିଗଲା, ସେ ସ୍ନିଗ୍ଧ ସ୍ପର୍ଶରେ ଦେବବ୍ରତର ସୁଷୁପ୍ତି ଦୂର ହୋଇଗଲା । ସେ ଉଠି ବସିଲା–ସ୍ୱପ୍ନ ତାହାର ଅନ୍ତରରେ ମୋହନ ତୁଳିକା ଧରି ଗୋଟିଏ ରଙ୍ଗୀନ ଛବି ଆଙ୍କୁଥିଲା, ଏହି ସମୟରେ ସୁଷୁପ୍ତି ତା’ର ଭାଙ୍ଗିଗଲା ଫେରିଆସିଲା ସେ ବାସ୍ତବ ଜଗତରୁ । ଯେତେବେଳେ ଦେବବ୍ରତ ବୁଝିଲା, ଏ ସ୍ୱପ୍ନ ନୁହେଁ, କଠୋର ସତ୍ୟ ଜାଗରଣ, ସେ ଅଳସ ଭାବରେ ଆସି ଠିଆହେଲା ସେହି କକ୍ଷଲଗ୍ନ ଛାତ ଉପରେ ।

 

ଆଜିକି ପ୍ରାୟ ଚାରି ମାସ ହେଲା ଦେବବ୍ରତର ବିବାହ ହୋଇଛି । ଯେଉଁ ଦିନଟି ଲାଗି ତାହାର ଛାତ୍ରାବାସରୁ ଆଶା ଓ ଉତ୍କଣ୍ଠାଘେନି ସେ ଅପେକ୍ଷା କରି ବସିଥିଲା, ସେ ଦିନଟି ଜୀବନରେ ତା’ର ସଫଳ ହେଲା; କିନ୍ତୁ ଦେବ ତ କାହିଁ ଅନ୍ତରରେ ତା’ର ସେ ଶାନ୍ତି, ସେ ତୃପ୍ତି ଲାଭ କଲାନାହିଁ, ଯେଉଁ ଶାନ୍ତି, ଯେଉଁ ତୃପ୍ତି ଲାଭ କରିବା ଆଶାରେ ତାହାର ବୃଦ୍ଧା ମାତାର ଅନ୍ତରରେ ଦାରୁଣ ଦୁଃଖ ଦେଇ, ନିଜର ଅନ୍ତରରେ ବିଦ୍ରୋହର ଅଗ୍ନି ପ୍ରଜ୍ଜ୍ୱଳିତ କରି, ସମାଜର ଭ୍ରୁକୁଟି ପ୍ରତି ଅନାସ୍ଥା ପ୍ରଦର୍ଶନ କରି ସେ ଏହି ବିବାହ କରିଥିଲା ? ଜୀବନ–ତରୁଣୀ ତାହାର ସଂସାର ତରଙ୍ଗରେ କୂଳର ଆଶାର ଭାସି ଆସୁଥିଲା, କିନ୍ତୁ ହଠାତ୍‌ ଯେପରି ଗୋଟିଏ ପ୍ରବଳ ପ୍ରତିକୂଳ ବାୟୁ ଆସି ତାକୁ କେଉଁ ଅତଳସ୍ପର୍ଶ ସାଗରଗର୍ଭ ଆଡ଼କୁ ଭସାଇ ନେଇଗଲା । ସେ ଦେଖିଲା, ସେଠି କୂଳନାହିଁ–ଅଛି କେବଳ ଅଗାଧ ଜଳ, ତରଙ୍ଗ ଉପରେ ତରଙ୍ଗ–ଯେପରି ଗୋଟିଏ କି ଅବ୍ୟକ୍ତ ଭାଷାରେ ତାକୁ କ’ଣ କହୁଛି–‘ବ୍ୟର୍ଥ, ବ୍ୟର୍ଥ ତୋର ସମସ୍ତ ପ୍ରୟାସ ।’ ଅଶାନ୍ତ ଅଧୀର ହୃଦୟ ତାହାର କେବେ କେବେ ଉଚ୍ଛ୍ୱସିତ ହୋଇ କ୍ରନ୍ଦନ କରି ଉଠେ । ସେ ତାହାର ଭବିଷ୍ୟତରେ ଯେଉଁ ଛବିଟି ମନେ ମନେ ଆଙ୍କିଥିଲା, ତାହା ସଙ୍ଗରେ ତାହାର ବର୍ତ୍ତମାନର ସ୍ୱର୍ଗମର୍ତ୍ତ୍ୟ ପ୍ରଭେଦ । ସେ ଭାବିଥିଲା, ସୁନ୍ଦର ପଲ୍ଲୀଗ୍ରାମରେ ଯେଉଁଠାରେ ଦିଗନ୍ତ ରେଖା ଶସ୍ୟ କ୍ଷେତ୍ରର ଶ୍ୟାମଳ ବକ୍ଷରେ ମସ୍ତକ ନତ କରିଅଛି–କର୍ମୀ କୃଷକ ଯେଉଁଠାରେ ଜଗତ ଲାଗି ଅନ୍ନର ସଂସ୍ଥାନରେ ବ୍ୟାପୃତ, ସେହି ପଲ୍ଲୀଗ୍ରାମର ଗୋଟିଏ ଘରେ ଶାନ୍ତିମୟ ଗୋଟିଏ ବସା ବାନ୍ଧିବ, ମାତାଙ୍କ ସ୍ନେହରେ, ପତ୍ନୀର ପ୍ରାଣଢ଼ଳା ପ୍ରେମରେ, ବନ୍ଧୁର ପ୍ରୀତିରେ, କର୍ମମୟ ଜୀବନର କୋଳାହଳରେ ଦିନଗୁଡ଼ିକ ତାହାର ସ୍ୱପ୍ନପରି ଭାସିଯିବ । ବାସନ୍ତୀକୁ ସେ ବରଣ କରି ନେଇଥିଲା ଗୁରୁଜନ ଓ ବାନ୍ଧୁବାନ୍ଧବଙ୍କ ବିଚ୍ଛେଦ ମଧ୍ୟରେ–ଭାବିଥିଲା, ବାସନ୍ତୀର ନିର୍ମଳ ହାସ୍ୟରେ ଗୃହ ତା’ର ହସି ଉଠିବ–ତାହାର ସ୍ୱଭାବର ମାଧୁରୀରେ ଏ ଦୁଃଖ, ଏ ବିଚ୍ଛେଦ ସାର୍ଥକତା ଲାଭ କରିବ; କିନ୍ତୁ ଘଟିଲା ତାହାର ବିପରୀତ । ମାତା ବଧୂର ତ୍ରୁଟି ଅନ୍ନେଷଣରେ ବ୍ୟସ୍ତ, ପଲ୍ଲୀଗୃହ ବଧୂର ସମାଲୋଚନାରେ ମୁଖରିତ ! ଦେବବ୍ରତ ସବୁ ଦେଖେ, ସବୁ ଶୁଣେ କେବେ ତୀବ୍ର ପ୍ରତିବାଦ କରି ବଧୂର ପକ୍ଷ ସମର୍ଥନ କରି ମାତାଙ୍କର ବିରକ୍ତି ବର୍ଦ୍ଧନ କରେ, କେବେ ଅବା ଅଶାନ୍ତି ଭୟରେ ନୀରବରେ ଅନ୍ତରରେ ବଡ଼ ବେଦନା ଅନୁଭବ କରେ ବାସନ୍ତୀ ଲାଗି । ଫୁଲଟିଏ ଫୁଟିଥିଲା, ତାହାର ନିଷ୍ଠୁର ସ୍ପର୍ଶରେ ସେ ତାକୁ ବୃନ୍ତଚ୍ୟୁତ କରି ଆଣିଲା; କିନ୍ତୁ ତାହାର ସତେଜତା ସେ ରକ୍ଷା କରିପାରିଲାନାହିଁ ତ । ବିଶ୍ୱାସଘାତକ ସେ–ମୁମୂର୍ଷୁର ସୁଯତ୍ନରକ୍ଷିତ ରତ୍ନଟି ସେ ବିଶ୍ୱାସର ସହିତ ଗ୍ରହଣକରି ମୁମୂର୍ଷୂକୁ ଶାନ୍ତି ଦେଲା ସତ୍ୟ, କିନ୍ତୁ, ଠିକ୍‌ ସେହିପରି ବିଶ୍ୱାସରେ ରକ୍ଷା କରିପାରିଛି ତ ! ଏହିପରି କେତେକଥା ଆଜି ସେ ଭାବୁଥିଲା, ଏପରି ସମୟରେ ଦୃଷ୍ଟି ତାହାର ପଡ଼ିଲା ସଦ୍ୟସ୍ନାତ କର୍ମରତା ବାସନ୍ତୀ ଉପରେ । ଏହି ସେବାର ମୂର୍ତ୍ତିଟିକୁ ଦେଖି ସେ ଆନନ୍ଦ ବୋଧକଲା, କିନ୍ତୁ ସଙ୍ଗେ ସଙ୍ଗେ ତାହାଲାଗି ଗଭୀର ସହାନୁଭୂତିରେ ଅନ୍ତର ତା’ର ପୂର୍ଣ୍ଣ ହୋଇ ଉଠିଲା ।

 

ଦେବବ୍ରତ ତଳକୁ ଓହ୍ଲାଇ ଆସି ବାସନ୍ତୀ ଯେଉଁ ରନ୍ଧାଘରେ ପ୍ରାତଭୋଜନର ବ୍ୟବସ୍ଥା କରୁଥିଲା, ସେଠିଯାଇ ଠିଆ ହେଲା । ସେ ଏତେ ନିଃଶବ୍ଦରେ ଆସିଥିଲା ଯେ, ବାସନ୍ତୀ ତା’ ଉପସ୍ଥିତ ସମ୍ୱନ୍ଧରେ କିଛି ଜାଣିପାରିଲାନାହିଁ । ଦେବବ୍ରତ ଅସହିଷ୍ଣୁ ହୋଇ କହି ଉଠିଲା, ‘‘ଓଃ ! କି ବ୍ୟସ୍ତତା, ମଣିଷକୁ ଟିକିଏ ଚାହିଁ ଦେଖିବାକୁବି ବେଳ ହେଉନାହିଁ ।’’

 

ବାସନ୍ତୀ ଯେ ଏତେବେଳଯାଏ ସ୍ୱାମୀକୁ ଦେଖିପାରିନାହିଁ, ସେଥିଲାଗି ଟିକିଏ ଅପ୍ରସ୍ତୁତ ଭାବରେ ହସ ହସି କହିଲା, ‘‘ହଁ, ବେଳ କାହୁଁ ହେବ ? ମଣିଷକୁ ଚାହିଁ ଦେଖିବାକୁ ହେବ ପୁଣି ମଣିଷ ମୁହଁ ଧୋଇ ଆସି ହାଜର ହେଲାକ୍ଷଣି ଚା’ ଜଳଖିଆ ନେଇ ତାଙ୍କ ଗୋଡ଼ତଳେ ଥୋଇଦବାକୁ ହବ ।’’

 

‘‘ତା’ ପରା ଆଉ ଦିଅନ୍ତନାହିଁ ? ହଉ, ତେବେ ଯାଉଚି ।’’

 

‘‘ଆଚ୍ଛା, ତୁମେ ଭାରି ଦୁଷ୍ଟ । ମତେ ଭାରି ଚିଡ଼ାଅ ମୁଁ କ’ଣ ଦେବିନାହିଁ କହିଲି ?’’

 

ଦେବବ୍ରତ ବାସନ୍ତୀର କଣ୍ଠସ୍ଵର ଅବିକଳ ନକଲ କରି କହିଲା ‘‘ତେବେ କ’ଣ କହିଲ ?’’

 

‘‘କିଛିନାହିଁ । ବୋଉ ଗାଧୋଇ ଯାଇଛନ୍ତି, ଏଇକ୍ଷଣି ଆସିବେ, ତାଙ୍କର ତ ପୁଣି ବୁଝିବାକୁ ହବ । ସେଥିପାଇଁ ତରତର ହୋଇ ସବୁ ସାରି ନଉଚି ପରା ? ସବୁ ଜାଣିଚ, ତେବେବି ମିଛରେ ମୋ ସାଙ୍ଗରେ ଲାଗ ।’’

 

‘‘ବାସ, ମୋ ଘରକୁ ଆସି ବଡ଼ ପରିଶ୍ରମ କରିବାକୁ ପଡ଼ିଲା, ନା ? କୁଆ ନ ରାବୁଣୁ ଉଠି ଗାଧୋଇବା, ପୁଣି ଏଇ ସ୍ୱାମୀରତ୍ନଟିକୁ ରାନ୍ଧିବାଢ଼ି ଖାଇବାକୁ ଦବା, ତା’ପରେ ପୁଣି ବୋଉର ସେବା, ସେ ତ ଲାଗିଛି । ଆଉ ସ୍ୱାମୀ ଯଦି ଅତିଥି ଅଭ୍ୟାଗତ ଆଣି ବସେଇ ଦେଲେ ଦାଣ୍ଡଘରେ, ତେବେ ଆଉଥରେ ନୂଆ କରି ରାନ୍ଧ ତାଙ୍କଲାଗି । ମନେ ମନେ ମତେ ଖୁବ୍ ଗାଳି ଦଉଚ ?’’

 

‘‘ତୁମେ ପରା ଏମିତି ହେଲେ ଗାଳିଦିଅ ମନେ ମନେ ? ବେଶ୍‌ ତ, ନିଜର ଦୋଷଟି ମୋ ମୁଣ୍ଡରେ ଅଜାଡ଼ି ଦଉଚ ! ଆଚ୍ଛା ତୁମେ ମତେ ଏମିତି କଥା କାହିଁକି କହ ? ‘‘ମୋ ଘରକୁ ଆସି’,–ଘର କ’ଣ ତୁମର, ମୋର ନୁହେଁ ? ମୁଁ କୁଆ ନ ରାବୁଣୁ ଉଠିଲି, ତୁମର କ’ଣ ଗଲା ? ମତେ ଭୋରରୁ ଉଠିବାକୁ ବାସ୍ତବିକ୍‌ ବଡ଼ ଭଲଲାଗେ ।’’

 

‘‘ଭଲଲାଗେ ? ତୁମର ତ ଏତେ ସକାଳୁ ଉଠିବା ଅଭ୍ୟାସ ନଥିଲା, ମୁଁ କ’ଣ ଜାଣେନାହିଁ ?’’

 

ବାସନ୍ତୀ ଦେବବ୍ରତକୁ ଚା’ ଓ ଜଳଖିଆ ଦେଇ କହିଲା, ‘‘ଘରେ ସିନା ଉଠୁ ନଥିଲି । ହଷ୍ଟେଲରେ ତ ଆଉ ଆଠଟା ପର୍ଯ୍ୟନ୍ତ ବିଛଣାରେ ପଡ଼ି ରହିବା ଚଳୁ ନଥିଲା । ସେଠି ଛଅଟାରେ ଘଣ୍ଟା ପଡ଼ିଲାକ୍ଷଣି ବିଛଣା ଛାଡ଼ି ଉଠି ଖାଇବାଘରକୁ ଯିବାକୁ ହବ, ନ ହେଲେ ବଡ଼ ଚାଟ ବେଶି କାମ ଦେବ । ମଣିଷ କ’ଣ ସବୁ ଅଭ୍ୟାସ କରି ସଂସାରକୁ ଆସିଥାଏ ? ଅଭିଜ୍ଞତା ମଣିଷକୁ ସବୁ ଶିଖାଏ ସିନା । ବୋଉକୁ ଛାଡ଼ି କେବେ ରହିବି ଏକଥା କ’ଣ ମୁଁ କେବେ ଭାବିଥିଲି, ନା ଅଭ୍ୟାସ କରିଥିଲି ?

 

ଦେବବ୍ରତ ବିସ୍ମିତ ହୋଇ ବାସନ୍ତୀର କର୍ମୋତଫୁଲ୍ଲ ମୁହଁକୁ ଚାହିଁ ଭାବିଲା, ସଂସାରାନଭିଜ୍ଞାକୁ ଏ ସଂସାର ଜ୍ଞାନ ଦେଲା କିଏ ? ‘ମା’ କଥା କହିବାକୁ ବାସନ୍ତୀର ମୁହଁ ଖଣ୍ଡକ ବଡ଼ ମଳିନ ହୋଇଗଲା, କ୍ରନ୍ଦନ ତା’ କଣ୍ଠରେ ଜମା ହୋଇ ଆସୁଥିଲା । ଦେବବ୍ରତ ଅନ୍ୟ ପ୍ରସଙ୍ଗ ଉତ୍ଥାପନ ଅଭିପ୍ରାୟରେ କହିଲା, ‘‘ଆଚ୍ଛା, ବାସ, ଗୀତ ବାଜା କ’ଣ କୁଆଡ଼େ ଗାଧୋଇଗଲା ?’’

 

‘‘କାହିଁକି, ମୁଁ ତ ମଝିରେ ମଝିରେ ବଜାଏ ?’’

 

‘‘ମୁଁ ତ ଶୁଣେନା ? .... ମୁଁ ଜାଣେ, ଲୋକେ ନିନ୍ଦିବେ; କିନ୍ତୁ ଯେଉଁଥିରେ କୌଣସି ଦୋଷନାହିଁ, ସେ କାମ କଲେ ଲୋକନିନ୍ଦାକୁ ଭୟ କ’ଣ ?

 

ନିନ୍ଦା ଅପବାଦକୁ ବାସନ୍ତୀ କେବେ ଭୟ କରିବାକୁ ଶିଖିନାହିଁ ଜୀବନରେ । କଟକ ଆସି ସ୍ୱାଧୀନ ଭାବରେ ରହିବାରୁ ଏବଂ କନ୍ୟାକୁ ଆଧୁନିକ ରୀତିରେ ଶିକ୍ଷା ଦେବାରୁ ତାହାର ଜନକଜନନୀକୁ କି ନିର୍ଯ୍ୟାତନା ସହ୍ୟ କରିବାକୁ ହୋଇଛି, ତାହା ତ ସେ ଜାଣେ । ମାତାଙ୍କ ମୃତ୍ୟୁ ପରେ ଦେବବ୍ରତ ତାହାର ସମସ୍ତ ଭାର ଗ୍ରହଣ କଲାରୁ ବାସନ୍ତୀର କ୍ଷୁଦ୍ର ମସ୍ତକରେ କେତେ ନିନ୍ଦା ଓ ତୀବ୍ର ଆଲୋଚନାର ଝଡ଼ ଯେ ବହିଯାଇଛି, ତା’ର ନିର୍ମମ ସ୍ମୃତିତ ବାସନ୍ତୀ ମନରେ ଆଜି ମଧ୍ୟ ଅଛି-। ଲୋକଙ୍କ ମତରେ ପରିଚାଳିତ ହେବା ବାସନ୍ତୀର ପ୍ରକୃତିବିରୁଦ୍ଧ । ଅନ୍ୟାୟ ଓ ଅଧର୍ମର ଚରଣରେ ମସ୍ତକ ନତ କରିବା ଯେ ହୀନତାର ପରିଚାୟକ, ଏହି ଶିକ୍ଷା ସେ ତାହାର ସ୍ୱର୍ଗଗତ ଜନକଜନନୀଙ୍କ ଜୀବନରୁ ଲାଭ କରିଅଛି । ସେହି ବାସନ୍ତୀ ତ ସେ । ସେ କ’ଣ ଆଜି ଲୋକନିନ୍ଦା ଭୟରେ ତା’ର ପ୍ରିୟ ସଂଗୀତଚର୍ଚ୍ଚା ଛାଡ଼ିଦେବ ? ବାସନ୍ତୀ ସ୍ୱାମୀଙ୍କ କଥାର ଟିକିଏ ଉତ୍ତେଜିତ ହୋଇ କହି ଉଠିଲା, ‘‘ନା, ନା, ଲୋକନିନ୍ଦାକୁ ମୁଁ ଭୟକରେ ନାହିଁ, ଅନ୍ତତଃ ଭୟ କରିବାକୁ ଶିଖିନାହିଁ । ସେ ଭୟ ଥିଲେ ତ ଜୀବନରେ ମୋର ଅନେକ କିଛି ବାଦ୍ ଦବାକୁ ପଡ଼ିଥାନ୍ତା ।’’

 

ଏହି ଅନେକ କିଛି, ଯେ କ’ଣ, ତାହା ଦେବବ୍ରତ ପତ୍ନୀର ଲଜ୍ଜାରୁଣ ମୁଖରୁ ବୁଝିଲା । ତା’ର ଉତ୍ତେଜିତ କଣ୍ଠସ୍ୱରରୁ ଅନ୍ୟାୟ ପ୍ରତି ତା’ର ଯେ ଗଭୀର ଘୃଣା, ତାହା ମଧ୍ୟ ବୁଝିଲା । ଦିନକୁ ଦିନ ପତ୍ନୀର ଅନ୍ତରର ପରିଚୟ ଦେବବ୍ରତ ଯେତେ ବେଶି ପାଉଥିଲା, ତେତେ ପତ୍ନୀ ପ୍ରତି ଶ୍ରଦ୍ଧାରେ ମନ ତା’ର ପୂରି ଉଠୁଥିଲା, ପୁଣି ସ୍ୱାମୀଙ୍କର ସ୍ନେହମୟ ହୃଦୟର ମହତ୍ତ୍ୱ ବାସନ୍ତୀ ମନରେ ଗର୍ବ ଆଣିଦେଉଥିଲା ।

 

ଦେବବ୍ରତ ଶ୍ରଦ୍ଧାନତ ଚକ୍ଷୁରେ ବାସନ୍ତୀକୁ ଚାହିଁ କହିଲା, ‘ବାସ, ତେବେ ଆଉ କ’ଣ ?

 

ଏ ପ୍ରଶ୍ନ କରିବା ପୂର୍ବରୁ ସେ ବୁଝିଥିଲା, ବାସନ୍ତୀ ପକ୍ଷରେ ଏ ‘ଆଉ କ’ଣର’ ଉତ୍ତର ଦେବା ସହଜ ନୁହେଁ–ଶାଶୁ ବିରକ୍ତ ହୁଅନ୍ତି, ଏହି ଯେ ସତ୍ୟଟି ଏଥିରେ ନିହିତ ଅଛି, ଏହି ସତ୍ୟଟି ବାସନ୍ତୀର କଣ୍ଠରୋଧ କରିବ । ତେବେ କ’ଣ ବାସନ୍ତୀ ସତ୍ୟ କହିବାକୁ ଡରେ ? ତାହା ନୁହେଁ–ସ୍ୱାମୀଙ୍କ ମନରେ ଯଦି ଆଘାତଲାଗେ, ଏହି ଚିନ୍ତାଟି ବାସନ୍ତୀକୁ ଅଧୀର କରିଦିଏ ।

 

‘‘ବାସ, ବୁଝେ ମୁଁ ସବୁ, କିନ୍ତୁ ମୁଁ ବଡ଼ ଦୁର୍ବଳ । କିଛି କରିବାର ଶକ୍ତି ମୋରନାହିଁ । ମୋର ଅକ୍ଷମତା ମତେ ବଡ଼ ବ୍ୟଥା ଦିଏ । ମୁଁ ତୁମ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ । ତୁମେ ଏ ବାଧାବିଘ୍ନ ସବୁ ଅତିକ୍ରମ କରି ଚାଲ ଆଗେ ଆଗେ ତୁମର ଏ ଅକ୍ଷମ ସ୍ୱାମୀକୁ ନେଇ ।’’

 

ତାହାର ସ୍ୱଭାବ ସୁନ୍ଦର ହାସ୍ୟରେ ସ୍ୱାମୀଙ୍କର ବ୍ୟଥା ଦୂରକରି ଦେଇ ବାସନ୍ତୀ କହିଲା, ‘‘ଅକ୍ଷମ ତୁମେ, ଏ କଥା ତ ମତେ ଜଣା ନଥିଲା ? ହଉ ତେବେ, ତୁମର ଅକ୍ଷମତା ମାଫ୍‌ କରାଯିବ-। ସାମାନ୍ୟ ଗୀତବାଦ୍ୟ ଲାଗି ଏତେ କଥା ?’’

 

ଦେବ ଚା’ ପାନ ଶେଷକରି ସାଇକେଲ୍‌ ଧରି ବାହାରିଲା ତା’ର ଜଣେ ବନ୍ଧୁ ସାଙ୍ଗରେ ଦେଖା କରିବାକୁ । ଯାଉ ଯାଉ ବାସନ୍ତୀର ଶେଷ କଥାଟିର ଉତ୍ତର ଦେଇ ଗଲା–‘‘ସାମାନ୍ୟ ମୋ ପାଖରେ ନୁହେଁ ।’’

 

ଦେବବ୍ରତ ଚାଲିଗଲା–ବାସନ୍ତୀ–ଯେଉଁଠାରେ ଥିଲା ସେଠାରେ ସେହିପରି ଠିଆହୋଇ ଭାବିବାକୁ ଲାଗିଲା ସ୍ୱାମୀଙ୍କର କଥାଗୁଡ଼ିକ, ସ୍ୱାମୀର କରୁଣ ଚାହାଣୀ, ତାହାରି ଆନନ୍ଦ ଲାଗି ତାଙ୍କର ଅସୀମ ବ୍ୟସ୍ତତା ଏବଂ ମାତାଙ୍କ ଉଦାସୀନତା ଲାଗି ତାଙ୍କର ଗଭୀର ବ୍ୟଥା । ବାସନ୍ତୀର ଅନେକ ଆଶା ଅପୂର୍ଣ୍ଣ ରହିଥିଲା ସତ୍ୟ; ଅନେକ ସ୍ଥଳରେ ଜୀବନର ଅନେକ ଆଦର୍ଶ କ୍ଷୁଣ୍ଣ ହୋଇଛି ସତ୍ୟ, କିନ୍ତୁ ଜୀବନ ତା’ର ସମ୍ପୂର୍ଣ୍ଣ ବ୍ୟର୍ଥ ଯେ ନୁହେଁ, ଏହା ସେ ଆଜି ବଡ଼ ବେଶି କରି ଅନୁଭବ କଲା । ଅନୁଭବ କରି ଖୁସି ହେଲା, କିନ୍ତୁ ଦୁଃଖ ମଧ୍ୟ ବୋଧକଲା, ‘‘ସେ କାହିଁକି ମୋ ଲାଗି ଏତେ ଭାବନ୍ତି, ଏତେ ଦୁଃଖ ପାଆନ୍ତି ? ଜୀବନସାରା ଏମିତି କ’ଣ ତାଙ୍କୁ ବ୍ୟସ୍ତ କରୁଥିବି ଖାଲି !’’

 

ବାସନ୍ତୀ ରୋଷେଇଘରୁ ବାହାରି ଆସି ଦେଖିଲା, ସନିଆମା ବଡ଼ ମନୋଯୋଗ ସହିତ ଢେଙ୍କିଶାଳ ଚାଳରୁ କଖାରୁ ଡଙ୍କ ତୋଳୁଛି । ପଚାରିଲା, ‘‘ସନିଆମା, ବୋଉ ଆସିଲେଣି ।’’ ସନିଆମା ବଡ଼ ବ୍ୟସ୍ତ । ସେ ବାସନ୍ତୀ କଥାର କୌଣସି ଉତ୍ତର ନ ଦେବାରୁ କଥା ତା’ର ଶ୍ରୁତିଗୋଚର ହୋଇ ନଥିବା ଭାବି ବାସନ୍ତୀ ଚାଲିଗଲା ଦେବବ୍ରତ ବସିବା ଘରକୁ । ଏହି ଘରଟିକୁ ସଜାଡ଼ିବା ତା’ର ନିତ୍ୟକର୍ମ ମଧ୍ୟରେ ଗୋଟିଏ । ସେ ସ୍ୱାମୀର ବହିଗୁଡ଼ିକ ସବୁ ଝାଡ଼ିଝୁଡ଼ି ମେଜଖଣ୍ଡିକ ପରିଷ୍କାର କରି ଦିଓଟି ରୂପାର ଫୁଲଦାନୀରେ ବଗିଚାରୁ କେତୋଟି ଫୁଲ ପତ୍ର ଆଣି ସଜେଇ ରଖିଲା । ଫୁଲଦାନୀ ଦିଓଟି ତାହାର ବଉଳ ସୁନୀତିର ତାହାର ବିବାହରେ ଉପହାର ।

 

ବାସନ୍ତୀ ଫେରିଆସି ଦେଖିଲା, ସୁଭଦ୍ରାଦେଈ ପିଣ୍ଡାରେ ବସି କମ୍ପୁଛନ୍ତି । ‘‘ବୋଉ, ଏ କ’ଣ ଏଠି କାହିଁକି ବସିଚ’’ କହି ସେ ତାଙ୍କ ପାଖକୁ ଯାଇ କପାଳରେ ହାତ ଦେଇ ଦେଖିଲା ସାମାନ୍ୟ ଗରମ । ‘‘ବୋଉ, ତୁମର ତ ଜ୍ୱର ହେଲା । ଗାଧୋଇଲ, ପୁଣି ଏଠି ଏ ଖରାଠାରେ ରହିଚ ! ଚାଲ ଘରକୁ ।’’

 

ବାସନ୍ତୀ ଏକରକମ ବଳପୂର୍ବକ ତାକୁ ନେଇ ବିଛଣାରେ ଶୁଆଇ ଦେଲା । କାଗଜିଲେମ୍ୱୁ ଓ ଚିନି ଦେଇ ଟିକିଏ ସରବତ୍‌ କରି ଆଣି ଖୁଆଇ ଶଯ୍ୟାପାର୍ଶ୍ୱରେ ବସି ତାଙ୍କ ଦେହରେ ହାତ ବୁଲାଇ ଦେବାକୁ ଲାଗିଲା । ବାସନ୍ତୀ ନିକଟରେ ଗୋଟିଏ ହୋମିଓପ୍ୟାଥିକ ଔଷଧର ବାକ୍ସ ସବୁବେଳେ ଥାଏ । ଜ୍ୱରର ପ୍ରାରମ୍ଭରେ ସୁଭଦ୍ରାଦେଈଙ୍କୁ କିଛି ଔଷଧ ଦେବା ତାହାର ଇଚ୍ଛା ହେଲା, କିନ୍ତୁ ଏ ଅନୁରୋଧ କରିବା ଭଳି ସାହସ ତାହାର ନଥିଲା । ସେ ନୀରବରେ ବସି ଦେହରେ ହାତ ବୁଲାଇବାକୁ ଲାଗିଲା ।

 

ଏପରି ସମୟରେ ସନିଆମାର ସେଠାରେ ଶୁଭାଗମନ ହେଲା । ‘‘ସାନ୍ତାଣି ଆଜି ଶୋଇଲ କିଆଁ ! ଓ ହୋ ! ଦେହଟା ତ ଖଇ ଫୁଟୁଚି ।’’ ସେ ଏହିପରି ନାନାମନ୍ତବ୍ୟ ପ୍ରକାଶ କଲା-

 

ସୁଭଦ୍ରା ଦେଇ କଣ୍ଠସ୍ୱର ଯଥାସମ୍ଭବ କୋମଳକରି ବାସନ୍ତୀକୁ କହିଲେ, ‘‘ଦେବବ୍ରତ କାହିଁ ? ସେ ଖାଇଲାଣି ? କିଛି ଖାଇଲୁଣି....’’

 

ବାସନ୍ତୀ ଉତ୍ତର ଦେବା ପୂର୍ବରୁ ସନିଆମା ‘ବୋହୂ ସାନ୍ତାଣୀ ଯେ କେତେ ସକାଳୁ ତାଙ୍କୁ ଚାହା ଦେଲେଣି ଓ ସେ ଚାହା ପିଇ ସାଇକେଲ ଖଣ୍ଡେ ଧରି ବାହାରି ଗଲେଣି’ ସେ କଥା ଜଣାଇଦେଲା ।

 

‘‘ସନିଆମା ତ ଅଛି, ମୋ ଦେହରେ ହାତ ବୁଲାଉଥିବ, ତୁ ଯା ବୋହୂ ଖାଇବୁ ।

 

ବାସନ୍ତୀ ଏହି ପ୍ରଥମ ସ୍ନେହ ସ୍ପର୍ଶରେ ଅତ୍ୟନ୍ତ ଖୁସି ହୋଇ ଉଠି କହିଲା, ‘‘ନାହିଁ, ବୋଉ, ମୁଁ ଏଇକ୍ଷଣି କିଛି ଖାଇବିନାହିଁ । ମୁଁ ଏଇଠି ଖାଲି ବସିଥାଏଁ, ମତେ ମନାକରନାହିଁ ।’’

 

‘‘ଖାଇବୁନାହିଁ କାହିଁକି ମା’, ଯା ତୁ ଖାଇକରି ଆସିବୁ ପୁଣି ।’’

 

ସୁଭଦ୍ରାଦେଈଙ୍କ ମୁହଁରୁ ଏହି ‘ମା’ ଡାକଟି ପୁଣି ସ୍ନେହବୁଭୁକ୍ଷୁ ବାସନ୍ତୀର ଅନ୍ତର ବାହାର ଆଜି ପୁଲକିତ ହୋଇ ଉଠିଲା । ଆଜିକି ଚାରିମାସ ହେଲା ସେ ସଂସାରକୁ ବୋହୂ ହୋଇ ଆସିଛି, କିନ୍ତୁ ସୁଭଦ୍ରାଦେଈଙ୍କ ମୁହଁରୁ ଗୋଟିଏ ହେଲେ ସ୍ନେହସମ୍ଭାଷଣ ଲାଭ କରିନାହିଁ । ଏ ଘରକୁ ଆସିଲା ପରେ ଏହି ପ୍ରଥମ ତାଙ୍କ ନିକଟରୁ ସ୍ନେହର ଆଭାସ ସେ ପାଇଲା । ସୁଭଦ୍ରାଦେଈ ଯେ ତାକୁ ସ୍ନେହ କରନ୍ତି, ନାହିଁ ତାହା ନୁହେଁ । ବରଂ ଏହି ଚାରିମାସରେ ବାସନ୍ତୀର କର୍ମକୁଶଳତା, ତାହାର ନିପୁଣ ହସ୍ତର ସେବା, ତାହାର ସହିଷ୍ଣୁତା ଏବଂ ସର୍ବାପେକ୍ଷା ତାହାର ମଧୁର ସ୍ୱଭାବ ଦେଖି ସେ ବାସ୍ତବିକ ମୁଗ୍ଧ ହୋଇଥିଲେ । ପ୍ରକାଶ୍ୟରେ ସ୍ୱୀକାର ନ କଲେ ମଧ୍ୟ ମର୍ମେ ମର୍ମେ ଅନୁଭବ କରୁଥିବେ ଯେ, ବଧୂ ନିଜ ହସ୍ତରେ ଏ ଘରର ସମସ୍ତ ଭାର ଗ୍ରହଣ କଲା ଦିନରୁ ଏ ସଂସାରରେ ତାଙ୍କର ସର୍ବତ୍ର ଶ୍ରୀ ଓ ଶାନ୍ତି ବିରାଜୁଛି । ସୁଭଦ୍ରାଦେଈ ଦିନକୁ ଦିନ ବୋହୂପ୍ରତି ଗୋଟିଏ ମମତା ଅନୁଭବ କରୁଥିଲେ ଅନନ୍ତରେ, କିନ୍ତୁ ଦେବବ୍ରତ ତାଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କରିଛି ସେ କଥା ସେ କୌଣସିମତେ ଭୁଲିପାରୁ ନଥିଲେ । ଦେବବ୍ରତର ଅପରାଧ ତାଙ୍କ ନିକଟରେ ଯେତେ ବେଶି ଅକ୍ଷମଣୀୟ ବୋଲି ମନେହେଉଥିଲା, ବୋହୂପ୍ରତି ବିରାଗ ମଧ୍ୟ ତାଙ୍କର ତେତେ ବଢ଼ୁଥିଲା । କେବେ ଅବା ସେ ଯଦି ବୋହୂ ପ୍ରତି ତାଙ୍କର ସ୍ନେହମମତା ଦେଖାଇବାକୁ ଯାଆନ୍ତି, ସନିଆମା ସେହି ସମୟରେ ବୋହୂର ଦେବବ୍ରତ ସହିତ ପ୍ରକାଶ୍ୟରେ କଥା କହିବା, ଦେବବ୍ରତର ବନ୍ଧୁମାନଙ୍କ ସଙ୍ଗରେ ଅବାଧରେ ଆଳାପ କରିବା, ତା’ର ଚିଠିଲେଖିବାକୁ ପ୍ରଭୃତି ନାନାକଥା କହି ତାଙ୍କ ମନଟିକୁ ପୁଣି ସେହି ପୁରାତନ ଅବସ୍ଥାକୁ ଫେରାଇ ନେଇ ଆସେ । ତା’ ଉପରେ ପୁଣି ସାହି ସ୍ତ୍ରୀଲୋକ କେତୋଟି ଆସି ବୋହୂର ବାଜା ବଜାଇ ଗୀତଗାଇବା କେଉଁ ପାଣ ବୋହୂର ପିଲାର ଶରଦ, ତାକୁ ପାନେ ଔଷଧ ଦେବା, କେଉଁ ହାଡ଼ି ବୋହୂର ଛୋଟ ପିଲାଟି ଥଣ୍ଡାରେ କଷ୍ଟ ପାଉଚି, ତାକୁ ନିଜ ହାତରେ କୁର୍ତ୍ତା ସିଲେଇ କରି ଦେବା ପ୍ରଭୃତି ନାନାଅମାର୍ଜନୀୟ ଦୋଷର ଉଲ୍ଲେଖ ଓ ଆଲୋଚନା କରି ତାଙ୍କ ବିରକ୍ତିରେ ଆହୂତି ପ୍ରଦାନ କରିଯାଆନ୍ତି । ଏହିପରି ନାନାକାରଣରୁ ବାସନ୍ତୀ ପ୍ରତି ସ୍ନେହ ପ୍ରଦର୍ଶନ, ଏପରି କି, ଅନେକ ସମୟରେ ସ୍ନେହ ଅନୁଭବ ମଧ୍ୟ ତାଙ୍କ ପକ୍ଷରେ କଠିନ ହୋଇ ଉଠେ, କିନ୍ତୁ ସ୍ୱଭାବଟି ତାଙ୍କର ସେପରି ନୁହେଁ ।

 

ଅସୁସ୍ଥତା ସମୟରେ ପ୍ରାୟ ଲୋକଙ୍କ ମନ ବଡ଼ ଉଦାସ ଥାଏ, ସେଥିରେ ପୁଣି ବାସନ୍ତୀର ଏହି ସେବା ଓ ଯତ୍ନ ! ସୁଭଦ୍ରାଦେଈ ସବୁ ଭୁଲିଲେ, ସମ୍ମୁଖରେ ଦେଖିଲେ, ଶଯ୍ୟାପାର୍ଶ୍ୱରେ ଗୋଟିଏ ସେବାପରାୟଣା ନାରୀ–କନ୍ୟା । ସେ ସ୍ନେହରେ ତାକୁ କୋଳକୁ ଟାଣି ନେଲେ ।

 

ବାସନ୍ତୀ ପୁଲକିତ ହୋଇ କହିଲା, ‘‘ହଉ ବୋଉ, ମୁଁ ଖାଇବାକୁ ଯିବି ଯଦି ତୁମେ କଥା ଶୁଣିବ । ତୁମେ ଯେବେ ଏଇ ଔଷଧଟିକୁ ଖାଇ ଦବ, ତେବେ ମୁଁ ଯିବି ।’’

 

‘‘ହଉ ତୋ ଇଚ୍ଛା, ବୁଢ଼ୀଟାକୁ ନେଇ ଯାହା କରିବୁ କର’’ କହି ସୁଭଦ୍ରାଦେଈ ଔଷଧ ପାତ୍ର ନେବା ଲାଗି ହାତ ବଢ଼ାଇଲେ, କିନ୍ତୁ କୃତାର୍ଥ ବାସନ୍ତୀ ଶିଶୁ ପରି ସୁଭଦ୍ରାଦେଈ ମୁହଁଟି ଟେକି ଧରି ଔଷଧ ଖୁଆଇ ତାଙ୍କ ମୁହଁ ପୋଛି ଦେଲେ ।

 

ସେହିଦିନ ପରେ ଆହୁରି କେତେ ଦିନ ଅତୀତ ହୋଇଗଲାଣି । ବାସନ୍ତୀ ସତର୍କତା ଯୋଗୁଁ ସୁଭଦ୍ରାଦେଈ ସାମାନ୍ୟ ଜ୍ୱର ଭୋଗକରି ଆରୋଗ୍ୟ ଲାଭ କଲେ । ସଂସାର ସେହିପରି ଚଳିବାକୁ ଲାଗିଲା, କିନ୍ତୁ ବାସନ୍ତୀ ଯେଉଁ ତିମିରରେ ସେହି ତିମିରେ ରହିଲା । ବରଂ ତାହାର ଚାରିଆଡ଼େ ଅନ୍ଧକାର ଘନୀଭୂତ ହୋଇ ଆସିଲା । ଶାଶୁଙ୍କର ସ୍ନେହମୟ ହୃଦୟର ପରିଚୟ ପାଇ ତାହାର ପ୍ରଥମ ସ୍ପର୍ଶ ଲାଭ କରି ମଧ୍ୟ କାହିଁକି ଯେ ସେ ଏପରି ଭାବରେ ତାଙ୍କର ବିରକ୍ତି ଉତ୍ପାଦନ କଲା ଏବଂ ତାହାର କେଉଁ ଅନ୍ୟାୟ ଆଚରଣରେ ସେ ଯେ ବିମୁଖ ହେଲେ, ତାହା ବାସନ୍ତୀ ଅନେକ ଭାବି ମଧ୍ୟ କୌଣସି ମୀମାଂସାରେ ଉପନୀତ ହୋଇପାରିଲାନାହିଁ । କିନ୍ତୁ ପରେ ସେ ବୁଝିଲା, ସ୍ୱାମୀ ସଙ୍ଗରେ ସେଦିନ ସକାଳେ ତାହାର ଯେଉଁ କଥା ହୋଇଥିଲା, ସେହିଗୁଡ଼ିକ ସନିଆମାଦ୍ୱାରା ଅତିରଞ୍ଜିତ ହୋଇ ତାଙ୍କର କର୍ଣ୍ଣଗୋଚର ହୋଇଥିବାରୁ ଶାଶୁ ଏପରି ବିରକ୍ତ ହୋଇଅଛନ୍ତି । ବାସନ୍ତୀ ସବୁ ଶୁଣିଲା–ମିଥ୍ୟା ପ୍ରତି ତାହାର ଯେଉଁ ଆଜନ୍ମ ଘୃଣା, ସେହି ଘୃଣାମସ୍ତକ ଉନ୍ନତ କରି ଏ ମିଥ୍ୟାର ବିରୁଦ୍ଧରେ ଦଣ୍ଡାୟମାନ ହେଲା । ତେଜସ୍ୱୀ ସ୍ୱଭାବ ତାହାର ଏ ମିଥ୍ୟାକୁ କୌଣସିମତେ ସହ୍ୟ କରିପାରିଲାନାହିଁ । ମନେକଲା, ଏଭଳି ନୀଚ ବ୍ୟବହାରର ତୀବ୍ର ପ୍ରତିବାଦ କରିବ, କିନ୍ତୁ ପରମୁହୂର୍ତ୍ତରେ ତାହାର ଶିକ୍ଷାଦୀକ୍ଷା ସବୁ ତାକୁ ଏହି ତୁଚ୍ଛ ବିଷୟରେ ଉପେକ୍ଷା ପ୍ରଦର୍ଶନ କରିବାକୁ ପ୍ରବର୍ତ୍ତିତ କଲା । ଆହୁରି ମଧ୍ୟ ତାହାର ମନେପଡ଼ିଲା ନିଶାର ବିଦାୟକାଳୀନ ସେହି ଉପଦେଶ ବାଣୀ ଏବଂ ନିଶା ବୋଉଙ୍କ ଜୀବନର କେତେଗୁଡ଼ିଏ ଅନୁଭୂତି । ସେ ତାହାର ଏହି ସ୍ନେହମୟୀ ଖୁଡ଼ୀଶାଶୁଙ୍କଠାରୁ ଶୁଣିଛି ତାଙ୍କର ବଧୂଜୀବନର କେତେଗୁଡ଼ିଏ କାହାଣୀ । କେତେ ବିପ୍ଳବ ମଧ୍ୟରେ ତାଙ୍କୁ ଆସିବାକୁ ହୋଇଛି ଏହି ବର୍ତ୍ତମାନ ଜୀବନକୁ । ବାସନ୍ତୀ ଏ ସମସ୍ତ ମନରେ ଆଲୋଚନା କରିବାକୁ ଲାଗିଲା । ମନ ତାହାର ବିଷାଦରେ ପୂର୍ଣ୍ଣ ହୋଇଗଲା । ଏହି କ’ଣ ତେବେ ବିବାହିତ ଜୀବନ–ସମସ୍ତଙ୍କ ଜୀବନରେ କ’ଣ ଏହିପରି ଘଟେ ନା ତାହାରି ଏକା ? ନିରାଶ୍ରୟ ଜୀବନ ତା’ର ଆଶ୍ରୟ ପାଇଛି ସତ୍ୟ, କିନ୍ତୁ ଜୀବନ ତା’ର ସେପରି ସୁଖର ହୋଇଛି କି ଯାହା ସେ ସ୍ୱପ୍ନରାଜ୍ୟରେ କଳ୍ପନା କରୁଥିଲା ? କେଉଁଆଡ଼େ ଭାସିଗଲା ତାହାର ଜୀବନର କେତେ ଉଚ୍ଚ ଆଦର୍ଶ, କେତେ ନବୀନ ଆଶା ? ଏହି ଅନ୍ଧକାରରେ କ’ଣ ତାକୁ ଚିରଦିନ ରହିବାକୁ ହେବ ? ଏହିପରି କେତେ ଖଣ୍ଡ ଖଣ୍ଡ କଥା ତାହାର ମନରେ ଭାସିଯିବାକୁ ଲାଗିଲା । ପ୍ରାଣ ଅବସାଦରେ ପୂର୍ଣ୍ଣ ହୋଇ ଆସିଲା । ବର୍ତ୍ତମାନଠାରୁ ସୁଦୂର ଅତୀତ ଆଜି ବାସନ୍ତୀ ନିକଟରେ ସୁନ୍ଦର, ମଧୁର ଓ ଲୋଭନୀୟରୂପେ ଉପସ୍ଥିତ । ସେ ମଧୁର ଅତୀତକୁ ଫେରିଯିବାର ଆଶା ଯେ ଆଜି ଅସାର କଳ୍ପନା-। ଅନ୍ତରର ଏ ଅମାନିଶାର ଅନ୍ଧକାର ଭେଦ କରି ମଧ୍ୟ ଦିଓଟି ଆଖି ରତ୍ନପରି ଉଜ୍ଜ୍ୱଳ ହୋଇ ଉଠିଲା । ସେ ଆଖି ଦିଓଟି ବାସନ୍ତୀ ସ୍ୱାମୀର । ହୃଦୟ ତାହାର କୃତଜ୍ଞତାରେ ପୂରି ଉଠିଲା–ମନର ଗ୍ଳାନି ଦୂର ହୋଇଗଲା ।

 

ସୁଭଦ୍ରାଦେଈଙ୍କର ବିରକ୍ତିର ଆହୁରି ମଧ୍ୟ ଗୋଟିଏ କାରଣ ଘଟିଥିଲା । ତାହା ଦେବବ୍ରତର ଅନ୍ତରଙ୍ଗ ବନ୍ଧୁ, ତାହାର କର୍ମଜୀବନର ସଖା, ଛାୟା ପରି ଯେ ସର୍ବତ୍ର ତାହାର ଅନୁସରଣ କରୁଥିଲା ସେହି ରମେଶ ସହିତ ବାସନ୍ତୀର ବାକ୍ୟାଳାପ । ପଲ୍ଲୀ ଗ୍ରାମରେ ଏହା ଗୋଟିଏ ଅଭିନବ ବ୍ୟାପାର । ନିଃସମ୍ପର୍କୀୟ ପୁରୁଷ ସହିତ ଯେ କୌଣସି ରମଣୀର ସ୍ନେହର ଆଦାନପ୍ରଦାନ ହୋଇପାରେ, ବନ୍ଧୁତ୍ୱ ହୋଇପାରେ, ଏହା ପଲ୍ଲୀଗ୍ରାମରେ କାହିଁକି, ବଡ଼ ବଡ଼ ସହରର ଲୋକଙ୍କୁ ମଧ୍ୟ ବିଚଳିତ କରିଦିଏ ।

 

ରମେଶ ଉତ୍କଳ ସମ୍ମିଳନୀର ସ୍ୱେଚ୍ଛାସେବକ ହୋଇ ବାଲେଶ୍ୱରକୁ ଆସିଥିଲା । ଦେବବ୍ରତ ତାକୁ ଧରି ଆଣିଲା ତାଙ୍କ ଘରକୁ । ରମେଶର ଶିଶୁତୁଲ୍ୟ ସରଳ ବ୍ୟବହାର, ତାହାର ଉଦାର ଉନ୍ନତ ଭାବ, ତାହାର ତେଜୋବ୍ୟଞ୍ଜକ ଗମ୍ଭୀରବାଣୀ ବାସ୍ତବିକ ଲୋକଙ୍କ ମନରେ ଶ୍ରଦ୍ଧା ପୀତିର ସଞ୍ଚାର କରେ । ସେଥିପାଇଁ ଯେତେବେଳେ ରମେଶ ନତ ହୋଇ ସୁଭଦ୍ରାଦେଈଙ୍କ ପଦଧୂଳି ଗ୍ରହଣ କଲା, ଏହି ପ୍ରିୟଦର୍ଶନ ଯୁବକଟିର ବିନୟ ତାଙ୍କ ଅନ୍ତରକୁ ମଧ୍ୟ ସ୍ପର୍ଶ କରିଥିଲା ।

 

ଏହି ରମେଶ ପୁରୋହିତ ହୋଇ ମନ୍ତ୍ରୋକାରଣ ପୂର୍ବକ ଏ ଦିଓଟି ଜୀବନରୁ ମିଳିତ କରି ଦେଇ ନଥିଲେ ଆଜି କେଉଁଠାରେ ଥାନ୍ତା ଦେବବ୍ରତ, କେଉଁଠାରେ ବା ଥାନ୍ତା ବାସନ୍ତୀ ! ଏହି ଋଣ ଅପରିଶୋଧ । ବାସନ୍ତୀ ଗ୍ରାମରେ ଅଛି ବୋଲି ଏପରି ବନ୍ଧୁ ସଙ୍ଗରେ ଦେବବ୍ରତ ବାସନ୍ତୀର ଆଳାପ କରାଇ ଦେବନାହିଁ, ସେ କ’ଣ ଏଡ଼େ ଅକୃତଜ୍ଞ–ଏପରି ସଂକୀର୍ଣ୍ଣ ହେବ ମନ ତା’ର ?

 

ରମେଶକୁ ଘର ଭିତରକୁ ଆଣି ବାସନ୍ତୀ ସଙ୍ଗରେ ରମେଶର ପରିଚୟ କରାଇଦେଲା । ‘‘ବାସ, ଏଇ ରମେଶ, ରମେଶ ନଥିଲେ ତୁମେ ଆଜି ଏଠି ଥାନ୍ତନା ?’’ କହି ଦେବବ୍ରତ ରମେଶ ଆଡ଼କୁ ଚାହିଁ ହସିଲା–ଆଖି ଦିଓଟି ତା’ର କୃତଜ୍ଞତାରେ ପୂର୍ଣ୍ଣ । ବାସନ୍ତୀ ମଧ୍ୟ ତାହାର ସୁନ୍ଦର ଆଖି ଦିଓଟିରେ ପ୍ରାଣର ଗଭୀର ଶ୍ରଦ୍ଧା ଓ ପ୍ରୀତି ଭରିଦେଇ ରମେଶକୁ ଛୋଟ ଗୋଟିଏ ନମସ୍କାର କଲା । ସେମାନଙ୍କର ଏହି କୃତଜ୍ଞଭାବ ଦେଖି ରମେଶ ବଡ଼ ସଙ୍କୋଚ ବୋଧ କଲା ଏବଂ ତାହା ଦୂର କରିବାଲାଗି ଶିଶୁ ପରି ଅନର୍ଗଳ ବକିଯିବାକୁ ଲାଗିଲା ।

 

‘‘ଆଚ୍ଛା, ଦେବବ୍ରତ । ମତେ ଖାଲି ଖାଲି ଟାଣି ଆଣିଲ ? ମୁଁ ଭାବିଲି ଅବା କ’ଣ ଖାଇବାକୁ ଦବ । ମୁଁ ଯେ ବ୍ରାହ୍ମଣ ଘର ପୁଅ, ସେ କଥା ପରା ଭୁଲିଗଲ ?’’

 

ଦେବବ୍ରତ ଓ ବାସନ୍ତୀ ତା’ କଥା ଶୁଣି ଖୁବ୍‌ ହସିଲେ । ଦେବବ୍ରତ କହିଲା, ‘‘ବାସ, ଆଜି ରମେଶ ପାଖରେ ତୁମର ପରୀକ୍ଷା । ରାନ୍ଧିବାପାଇଁ ପୁରସ୍କାର ପାଇଲେ ତ ହେଲାନାହିଁ; ତା’ର ନିଦର୍ଶନ ଦେଖାଇବାକୁ ହେବ ।’’

 

ବାସନ୍ତୀ ରମେଶର ଏହି ସରଳ ଅମାୟିକ ବ୍ୟବହାରରେ ମୁଗ୍ଧ ହୋଇ ରମେଶ ଲାଗି ସ୍ୱହସ୍ତରେ ଜଳଖିଆ ପ୍ରସ୍ତୁତ କରିବାକୁ ଚାଲିଗଲା । ବାସନ୍ତୀ କଟକ ବାଳିକା ହାଇସ୍କୁଲରେ ପଢ଼ିବା ସମୟରେ ପ୍ରତିବର୍ଷ କୁକିଂ ପ୍ରାଇଜ୍‌ ପାଇଛି । ରନ୍ଧନରେ ସେ ବଡ଼ ପଟୁ ଏବଂ ନିଜ ହାତରେ ରାନ୍ଧି ଲୋକଙ୍କୁ ଖୁଆଇବାରେ ସେ ଆନନ୍ଦ ମଧ୍ୟ ପାଏ । ସନିଆମା ବୋହୂ ସାଆନ୍ତାଣୀଙ୍କୁ ଅନେକ ବାରିଲେ ମଧ୍ୟ ତାଙ୍କ ରନ୍ଧାଟିକୁ ତାରିଫ ନ କରି ରହିପାରେନାହିଁ । ନିଶାବୋଉର ତ ବୋହୂ ହାତର ରନ୍ଧା ଗୋଟିଏ ହେଲେ ତରକାରୀ ନଥିଲେ ଭାତଖିଆ ହୁଏନାହିଁ; କିନ୍ତୁ ସୁଭଦ୍ରାଦେଈ ତା’ ହାତରନ୍ଧା ଆଜି ପର୍ଯ୍ୟନ୍ତ କିଛି ସ୍ପର୍ଶ କରିନାହାନ୍ତି । କହନ୍ତି, ‘‘ସେ ସହରରେ ବାରଜାତିଙ୍କ ଘରକୁ ଯାଉଥିଲା । ଏଠି ତ ନିଶାକୁ ସିଲେଇ ଶିଖେଇବାକୁ ଆସେ ଯେଉଁ ମେମ୍‌, ତା’ ସାଙ୍ଗରେ ବସେ, ଉଠେ, ଖାଏ, ପିଏ । ମୁଁ ଖାଇବି ତା’ ହାତରେ ? ଛି ଛି ।’’

 

ବାସନ୍ତୀ ଚାଲିଯାଇ ଦୁଇ ବନ୍ଧୁଙ୍କୁ ବହୁଦିନ ପରେ ମନଖୋଲି କଥା କହିବାର ସୁଯୋଗ ଦେଇଗଲା । ଦେବବ୍ରତ ଗପୁ ଗପୁ କେତେବେଳେ ଯେ ହୃଦୟ ଉଦ୍‌ଘାଟିତ କରି ବହୁଦିନ ସଞ୍ଚିତ ବ୍ୟଥାର କାହାଣୀ ତାହାର ବନ୍ଧୁ ନିକଟରେ ପ୍ରକାଶ କରିଦେଲା, ତାହା ସେ ନିଜେ ବୁଝିପାରି ନଥିଲା-। ରମେଶ କୌଣସି ସାନ୍ତ୍ୱନାବାଣୀ ଖୋଜି ନ ପାଇବାରୁ ନୀରବ ରହିଲା । କେବଳ ବେଦନା ତାହାର ଅନ୍ତରର ସ୍ତରେ ସ୍ତରେ ପୁଞ୍ଜୀଭୂତ ହୋଇ ଉଠୁଥାଏ ।

 

ବହୁକ୍ଷଣ ଦୁଇବନ୍ଧୁ ନୀରବ ରହିଲେ । ହଠାତ୍‌ କାହାର ମୃଦୁହାସ୍ୟଧ୍ୱନିରେ ଦୁହେଁ ଟିକିଏ ଚମକି ଉଠି ଦେଖିଲେ ଧନିଆ ଗୋଟିଏ ଥାଳୀ ଧରି ଦଣ୍ଡାୟମାନ ଏବଂ ତା’ର ଅଦୂରରେ ଦ୍ୱାର ସନ୍ନିକଟରେ ବାସନ୍ତୀ–ମୁହଁ ଖଣ୍ଡିକ ହସ ହସ । ଦୁଇବନ୍ଧୁ ଅପ୍ରତିଭ ହୋଇ ସମ୍ମୁଖସ୍ଥ ଟୁଲ୍‌ଟିକୁ ନିକଟକୁ ଆଣିଲାରୁ ଧନିଆ ଥାଳୀ ରଖି ଚାଲିଗଲା । ରମେଶ ଉଚ୍ଛ୍ୱସିତ ହୋଇ ବାସନ୍ତୀର ରନ୍ଧନର ପ୍ରଶଂସା କରି ତାକୁ ବଡ଼ ଅପ୍ରସ୍ତୁତ କଲା । ବହୁକ୍ଷଣ ଗଳ୍ପ କରି ରମେଶ ସେହି ରାତି ଗାଡ଼ିରେ କଟକ ଯାତ୍ରା କଲା ।

 

ଆଉ ବାସନ୍ତୀ ଓ ଦେବବ୍ରତ ? ତାଙ୍କ ଉପରେ କେତେ ଯେ କୁତ୍ସାର ବାଣ ବର୍ଷିଗଲା ତାହାର ହିସାବ ରଖୁଛି କିଏ ? ସୁଭଦ୍ରାଦେଈ କିନ୍ତୁ ଏଥିରେ ବଧୂ ଅପେକ୍ଷା ପୁତ୍ରର ଦୋଷ ଦେଲେ ବେଶି । ବୋହୂ ତ ମାଇକିନିଆ ଝିଅ–ତା’ର ବା ବୁଦ୍ଧି କେତେ ? ସେଥିରେ ପୁଣି ଇସ୍କୁଲରେ ପାଠପଢ଼ି ଖ୍ରୀଷ୍ଟାନମାନଙ୍କ ସାଙ୍ଗରେ ମିଶି ସହରରେ ବଢ଼ିଛି ସିନା ଗାଁ ଢଙ୍ଗ କିଛି ଜାଣିନାହିଁ; କିନ୍ତୁ ଦେବ ତା ଏହି ଗାଁରେ ମା’ କୋଳରେ ବଢ଼ିଛି, ସେ ତ ଜାଣେ ତା’ର ମା’ର ଆଜନ୍ମ ସଂସ୍କାର ସବୁ । ତା’ର ଏପରି ବ୍ୟବହାର ଯେ ଅମାର୍ଜନୀୟ ।

 

ଦେବବ୍ରତ ବାସନ୍ତୀର ସୁଖସ୍ୱାଚ୍ଛନ୍ଦ୍ୟ ପ୍ରତି ଯେତେ ବେଶି ମନୋଯୋଗୀ ହେଉଥିଲା, ନିଜର ଅଜ୍ଞାତସାରରେ ସେ ତେତେ ବେଶି ମାତା ଓ ବଧୂ ମଧ୍ୟରେ ଗୋଟିଏ ଦୁର୍ଭେଦ୍ୟ ପ୍ରାଚୀର ଗଠନ କରୁଥିଲା । ଏହି ଦୁର୍ଭେଦ୍ୟ ପ୍ରାଚୀର ଯେ ଦିନେ ତାହାରି ମସ୍ତକରେ ଭାଙ୍ଗି ପଡ଼ିପାରେ ଏବଂ ଏହାଠାରୁ ଉଚ୍ଚତର ଏବଂ ଦୁର୍ଭେଦ୍ୟତର ଗୋଟିଏ ପ୍ରାଚୀର ଯେ ବାସନ୍ତୀର ଚତୁର୍ଦ୍ଦିଗରେ ଗଠିତ ହୋଇ ତାକୁ ତାହାର ସ୍ୱାମୀଠାରୁ ମଧ୍ୟ ବିଚ୍ଛିନ୍ନ କରିପାରେ, ବାସନ୍ତୀ ପ୍ରତି ଅଗାଧ ସ୍ନେହରେ ଦେବବ୍ରତ ତାହା ହୃଦୟଙ୍ଗମ କରିପାରିଲାନାହିଁ ।

 

ଆଶ୍ୱିନର ଦ୍ୱିପ୍ରହର । ସୁଭଦ୍ରାଦେଈ ତାଙ୍କ କକ୍ଷରେ ଦିବାନିଦ୍ରା ଉପଭୋଗ କରୁଛନ୍ତି । ଦେବବ୍ରତ ଘରେନାହିଁ । ବାସନ୍ତୀ ଏ ଘର ସେ ଘର ଅନେକକ୍ଷଣ ବୁଲିଲା । ଏହି ଅଳସ ଦ୍ୱିପ୍ରହର ସେ କି ଭାବରେ ଅତିବାହିତ କରିବ ଭାବି ସ୍ଥିର କରିପାରୁନାହିଁ । ‘ସମୟ କିପରି କଟେଇବି’ ଏପରି ଚିନ୍ତା ବାସନ୍ତୀ ମନକୁ ଏଥିପୂର୍ବେ କେବେ ଆସି ନଥିଲା । ନାନାକାର୍ଯ୍ୟ, ନାନାରକମର ହାସ୍ୟ ପରିହାସ ମଧ୍ୟରେ ଦିନ ତା’ର କଟିଯାଇଛି, କିନ୍ତୁ ଏଠି ସକାଳ ସନ୍ଧ୍ୟା କଟିଲେ ମଧ୍ୟ ଦ୍ୱିପ୍ରହର ତା’ର କଟେନାହିଁ ବଡ଼ ଦୀର୍ଘ ଏ ଦ୍ୱିପ୍ରହର । ବାସନ୍ତୀ ଦେବବ୍ରତ ଟେବୁଲ ଉପରୁ ରବିନ୍ଦ୍ରନାଥଙ୍କର ‘ଗୋରା’ ବହି ଖଣ୍ଡିକ ଟାଣି ନେଇ ଶେଷଆଡ଼ୁ ପଢ଼ିବାକୁ ଆରମ୍ଭ କଲା । ଏ ବହି ଖଣ୍ଡିକ ତା’ର ଏତେ ପ୍ରିୟ ଯେ ଅନେକଥର ପଢ଼ିଲେ ମଧ୍ୟ ପୁଣି ପଢ଼ି ବସିଲା । କିଏ ପଛଆଡ଼ୁ ଆସି ତା’ ହାତରୁ ବହି କାଢ଼ିନେଲା ।

 

‘‘କିଏ ?’’

 

ନିଶା ହସି ଉଠିଲା ?

 

‘‘ଏମିତି ବହି ପଢ଼ନ୍ତି, ଏକା ! ମୁଁ କେତେକବେଳୁଁ ଆସି ତୁମ ପଛରେ ଠିଆ ହୋଇ ତୁମ ସାଙ୍ଗେ ସାଙ୍ଗେ କେତେଗୁଡ଼ାଏ ପଢ଼ି ସାରିଲିଣି । ତୁମେ ଏତେ ତନ୍ମୟ ହୋଇ ପଢ଼ ?’’ କହୁ କହୁ ନିଶା ବାସନ୍ତୀ ନିକଟରେ ବସି ପଡ଼ିଲା ।

‘‘ଏତେ ଡେରି କରି ଆସିଲ ?’’

 

‘‘ଏବେ ଖାଇଲି ପରା ! ମୁଁ ଖାଇ ସାରି ଦୌଡ଼ି ପଳେଇ ଆସିଲି । ବୋଉ ମତେ ଡାକ ପକେଇଚି, ମୁଁ ଚାଲି ଆସିଲି । ଫେରିଥିଲେ ତ ପୁଣି ଘଣ୍ଟାଏ ଅବିକା ବସେଇ ଦେଇଥାନ୍ତା । ତୁମେ କ’ଣ ଗୋଟାଏ ଭାବୁଚ ଏକା, ଭାଉଜବୋହୂ, ମୋ କଥା, ଜମା ଶୁଣିଲନାହିଁ ।

 

‘‘ତୁମ କଥା, ମୁଁ ଗୋଟି ଗୋଟି କରି ସବୁ ଶୁଣିଚି, ନିଶା ମତେ ପରୀକ୍ଷା କଲେ ବୁଝିପାରିବ, ସବୁ କହିପାରିବ ।’’

‘‘କ’ଣ ଭାବୁଥିଲ କହିଲ ?’’

‘‘ଗୋଟିଏ କଥା !’’

‘‘କ’ଣ ଶୁଣେ ?’’

‘‘ବହିଟା ପଢ଼ୁ ପଢ଼ୁ ମୋର ମନେହେଲା, ଏମାନଙ୍କ ପରି ଆମେବି ତ କିଛି କାମ କରିପାରୁଁ । ଚାଲ, ନିଶା, ଗୋଟାଏ କିଛି କରିବା । ତୁମେ ଯେବେ ମତେ ସାହାଯ୍ୟ କରନ୍ତ, ମୁଁ ଥରେ ଚେଷ୍ଟା କରନ୍ତି ।’’

‘‘ମୋଦ୍ୱାରା ଯଦି କିଛି କାମ ହୁଏ ତୁମର, ତେବେ ମୁଁ କ’ଣ ନକରି ରହିବି ?’’

‘‘ନିଶା, ଆମର ଗୋଟିଏ ସ୍କୁଲ ଖୋଲିବା । ଦି’ପହରେ ତୁମର କିଛି କାମନାହିଁ, ମୋରବି କିଛିନାହିଁ । ଛୋଟପିଲାଙ୍କୁ ନେଇ ଗୋଟିଏ ସ୍କୁଲ ଖୋଲିଲେ ତ ହେବ । ତୁମେ ମୁଁ ଦୁହେଁ ପଢ଼େଇବା, କିନ୍ତୁ ପିଲାଙ୍କୁ ଆଣିବା କେମିତି ?’’

 

‘‘ମୁଁ ଟାଣି ଘୋଷାରି ନେଇ ଆସିବି ।’’ ବାସନ୍ତୀ ତା’ର ପିଲାଳିଆ କଥା ଶୁଣି ହସି ଉଠିଲା । ନିଶା ନିଜେ ମଧ୍ୟ ହସିଲା ।

 

‘‘ମତେ ତୁମ୍ଭମାନଙ୍କ ହସର ଟିକିଏ ଭାଗ ଦବ ?’’ କହି ଦେବବ୍ରତ ଆସି ଘରେ ପଶିଲା-

 

ଦେବବ୍ରତ ଉତ୍ସାହରେ ବାସନ୍ତୀ ଓ ନିଶା ଉତ୍ସାହିତ ହୋଇ ଉଠିଲେ । ଦେବବ୍ରତ ଉତ୍ସାହ ଦେଲା ସତ୍ୟ, କିନ୍ତୁ ପୂର୍ଣ୍ଣ ଅନ୍ତରରେ ଏ ପ୍ରସ୍ତାବରେ ସେ ଅନୁମୋଦନ କରିପାରିଲାନାହିଁ । ସେ ବୁଝିଲା, ଏ ସାଧୁ ଇଚ୍ଛା ବାସନ୍ତୀର ସଫଳ ହେବନାହିଁ, ମାତାଙ୍କର ବିରକ୍ତିବର୍ଦ୍ଧନ କରିବ ମାତ୍ର । ଏହା ବୁଝିଲେ ମଧ୍ୟ ବାସନ୍ତୀକୁ ନିରାଶ କରିବାର ଇଚ୍ଛା ତାହାର ହେଲାନାହିଁ–ସେ ତାକୁ ଉତ୍ସାହିତ କଲେ–ଯଦି ସଫଳ ହୁଏ, ଏହି ଆଶାରେ, କିନ୍ତୁ ସ୍କୁଲ ବସିବ କେଉଁଠାରେ ? ଏ ଘରେ ସ୍ଥାନ ଅଛି ଅନେକ; କିନ୍ତୁ ବାଧା ଯେ ପର୍ବତ ପ୍ରମାଣ । ଏ ବାଧାବିଘ୍ନ ସାଙ୍ଗରେ କେତେ ଯୁଦ୍ଧ କରିବ ସେ ? ଆଉ ତାହାର ଶକ୍ତିନାହିଁ । ଏ ଯେ ଜୀବନବ୍ୟାପୀ ସଂଗ୍ରାମ ।

 

ଦେବବ୍ରତ କହିଲା; ‘‘ସ୍କୁଲ ତୁମର ହେବ କେଉଁଠି ?’’ ନିଶା ତାକୁ ଉଦ୍ଧାର କଲା–କାହିଁକି ଭାଇ, ଆମ ଘରେ ହେବ । ମୁଁ ବୋଉକୁ କହିବି, ସେ ରାଜି ହବ ମୋ କଥାରେ ନିଶ୍ଚୟ । କାଲି ପୁଣି ବାପା ଛୁଟିରେ ଘରକୁ ଆସୁଚନ୍ତି । ତାଙ୍କୁ କହିବା, ସେ ସବୁ କରିଦେବେ । ସେଇ ଏକା ବେଶ୍‌ ଭଲ ହେବନା ?’’

 

ବାସନ୍ତୀ ଓ ଦେବବ୍ରତ ଖୁସି ହୋଇ କହିଲେ, ‘‘ତେବେ ଆଉ ଭାବନା କ’ଣ ?’’

 

ବାସନ୍ତୀ ସର୍ବେଶ୍ୱରବାବୁଙ୍କୁ କେବଳ ବିବାହ ସମୟରେ ଦେଖିଥିଲା, କିନ୍ତୁ ସେ ଅଳ୍ପ ସମୟ ମଧ୍ୟରେ ବାସନ୍ତୀ ସ୍ନେହମୟ ପିତୃହୃଦୟର ଯେଉଁ ପରିଚୟ ଲାଭ କରିଥିଲା, ତାହା ଭୁଲିବାର ନୁହେଁ । ଦେବବ୍ରତ ପ୍ରତି ଯେ ତାଙ୍କର କି ଅଗାଧ ସ୍ନେହ, ତାହା ବାସନ୍ତୀ ତାଙ୍କ ପତ୍ରରୁ ବୁଝିପାରିଥିଲା । ସେଥିପାଇଁ ତାଙ୍କର ଆଗମନ ସମ୍ବାଦରେ ବାସନ୍ତୀ ଏବେ ପୁଲକିତ ହୋଇ ଉଠିଲା । ଶୈଶବରୁ ପିତୃହୀନା ସେ କୈଶୋରରେ ମାତାଙ୍କୁ ହରାଇ ଆଉ ଗୋଟିଏ ମାତା ଲାଭ କରିଥିଲା ସତ୍ୟ କିନ୍ତୁ ଆଜିକି କେତେ ଦିନ ହେଲା ସେ ସେହି ସ୍ନେହମୟୀଙ୍କୁ ଛାଡ଼ି ଆସିଛି । ବାସନ୍ତୀ ହୃଦୟରେ ଗଭୀର ସ୍ନେହ ପିପାସା ଘେନି ସର୍ବେଶ୍ୱରବାବୁଙ୍କ ଆସିବାବେଳକୁ ଚାହିଁ ରହିଲା-
 

ସର୍ବେଶ୍ୱରବାବୁ ବହୁଦିନ ପରେ ପୂଜା ଛୁଟିରେ ଘରକୁ ଆସିଛନ୍ତି । ତାଙ୍କୁ ଦେଖି ଦେବବ୍ରତ ତାହାର ଅନିର୍ଦ୍ଦେଶ୍ୟ ଜୀବନରେ ଗୋଟିଏ ଉଦ୍ଦେଶ୍ୟ ଖୋଜି ପାଇଲା ପରି ମନେକଲା । ସେହି ଦୁର୍ବଳ ବେଦନାହତ ପ୍ରାଣରେ ଅସୀମ ଶକ୍ତି ଓ ଆନନ୍ଦ ଲାଭ କଲା ପରି ମନେହେଲା ତାହାର ।

 

ନିଶାଠାରୁ ସର୍ବେଶ୍ୱରବାବୁ ବାସନ୍ତୀ ଓ ଦେବବ୍ରତ ପ୍ରତି ସୁଭଦ୍ରାଦେଈ ଏବଂ ଗ୍ରାମବାସୀମାନଙ୍କର ବ୍ୟବହାର କଥା ଶୁଣି ଅତ୍ୟନ୍ତ ଦୁଃଖ ପାଇଲେ । ଆହୁରି ଦୁଃଖ ପାଇଲେ ଦେବବ୍ରତକୁ ଦେଖି । କାହିଁ ତା’ର ସେହି ସଦାପ୍ରଫୁଲ୍ଲ ମୁଖ ! ସ୍ନେହପ୍ରାଣ ସରଳ ବୃଦ୍ଧ ପ୍ରାଣରେ ବଡ଼ ବ୍ୟଥା ଅନୁଭବ କଲେ । ଦେବବ୍ରତକୁ ଯେ ସେ ପୁତ୍ରାଧିକ ସ୍ନେହ କରନ୍ତି । କେବଳ ଭଗବାନଙ୍କ ଉପରେ ଅସୀମ ବିଶ୍ୱାସ ରଖି ଭବିଷ୍ୟତକୁ ତାଙ୍କରି ହାତରେ ସମର୍ପଣ କରିଦେବାକୁ ସେ ଦେବବ୍ରତକୁ କହିଲେ । ଏହା ବ୍ୟତୀତ ଅନ୍ୟ ଉପାୟ ଯେ ନାହିଁ । ଅନ୍ତରରେ ଭୀତ ହେଲେ ମଧ୍ୟ ବୃଦ୍ଧ ତାଙ୍କର ସରଳ ବିଶ୍ୱାସୀ ପ୍ରାଣର ହସ ହସି କହିଲେ–‘‘ଭାବନା କ’ଣରେ ଦେବ ! ଆରେ, ତୋ ବୟସରେ ମୁଁ ପାହାଡ଼ଗୁଡ଼ାଏ ଭାଙ୍ଗି ପକେଇ ସାରନ୍ତିଣି । ...ତୁ କ’ଣ କହୁଚୁ, ମା’ ବାସ ? ଦେବ, ଡରନାହିଁ, ଏଇ ମା’ ମୋର ଯେତେଦିନ ତୋ ପାଖରେ ଅଛି, ତୋର ଭାବନା କ’ଣ ? ଏବେ ହସୁଚୁ ଦେଖିବୁ ଏ ବୁଢ଼ା ଦାଦା କଥା ତୋର ସତ ହବ କି ନାହିଁ ’’ କହି ବଡ଼ ସ୍ନେହରେ ଆଦରରେ ବାସନ୍ତୀ ମୁଣ୍ଡରେ ହାତ ବୁଲାଇ ଦେଲେ ।

 

ଯେଉଁ କେତେଟା ଦିନ ଘରେ ରହିଲେ ବାସନ୍ତୀ ନ ହେଲେ ସର୍ବେଶ୍ୱରବାବୁଙ୍କର କୌଣସି କାର୍ଯ୍ୟ ମନପୂରା ହୁଏନାହିଁ । ଏହି କ୍ଷୁଦ୍ର ମା’ଟିର ସୁକୁମାର ହସ୍ତ ସ୍ପର୍ଶରେ ସବୁ ନବୀନ ହୋଇ ଉଠିଲା ପରି ମନେହୁଏ ତାଙ୍କର । ନିଶା କେତେ ଅଭିମାନ କରେ–ବାପା ତା’ଠାରୁ ତା’ର ଭାଉଜବୋହୂକୁ ଅଧିକ ସ୍ନେହ କରୁଛନ୍ତି । ଏ ଅପବାଦ ଶୁଣି ପିତା ଏକମାତ୍ର କନ୍ୟାକୁ ବକ୍ଷକୁ ଟାଣି ନେଇ କହନ୍ତି, ‘‘ମା’, ଦୁଇଦିନ ପରେ ତୁ ତ ଚାଲି ଯିବୁ ଏମିତି ଗୋଟାଏ ଅଜଣା ଘରକୁ–ସେହି ଘରକୁ ଆପଣାର କରି ତୋ ସଂସାର ତୁ କରିଯିବୁ ଯିବା ଆଗରୁ ଏଇ ମା’ଟିକୁ ତୁ ମତେ ଦେଇଯିବୁନାହିଁ ?’’ କଥାଟା କହିଦେଇ କନ୍ୟା..ବିଚ୍ଛେଦ–ବ୍ୟଥାକୁ ଲଘୁ କରିବାଲାଗି ଭାରି ହସି ଦିଅନ୍ତି ସେ ହସଟିର ଅନ୍ତରାଳରେ କେତେ ବ୍ୟଥା ଯେ ନିହିତ ଥାଏ, ତାହା ଜାଣିପାରେ କେବଳ ସେହି ପିତୃହୃଦୟା ।

 

–ବାର–

 

‘‘ଦେବବୋଉ, କୁଆଡ଼େ ଗଲ କି ହେ ।’’ ବୋଲି ଡାକ ପକାଇ ସର୍ବେଶ୍ୱରବାବୁ ତାଙ୍କର ସଦାପ୍ରସନ୍ନ ମୁଖ ମଧୁର ହାସ୍ୟରେ ଉଜ୍ଜ୍ୱଳତର କରି ପ୍ରବେଶ କଲେ ।

 

‘‘ଆଗୋ ଆଜି ଏ ଅପୂର୍ବ ଏତେବେଳେ କୁଆଡ଼େ ! ଆସ, ଆସ, । ଆଲୋ ସନିଆମା, ଆସିନି ଖଣ୍ଡେ ଆଣ ଲୋ, ଆଉ ବୋହୂଠଉଁ ପାନ ମାଗି ଆଣ’’ ବୋଲି କହି ସୁଭଦ୍ରାଦେଈ ମାଳିଝୂଲି ଧରି ସେବାଘରୁ ବାହାରି ଆସିଲେ । ସନିଆମା ଆସନ ଖଣ୍ଡେ ଆଣି ପିଣ୍ଡା ଉପରେ ପାରି ଦେଲା ଓ ଗୋଟାଏ ଥାଳିଆରେ ପାନ ଦେଇଗଲା । ସର୍ବେଶ୍ୱରବାବୁ ବସିଲେ । ସୁଭଦ୍ରା ପିଣ୍ଡା ଉପରେ ବସି କହିଲେ, ‘‘ଆଗୋ, ତମେ ଏଇଠି ଅଛ, ଏ ସାଇ ସେ ସାଇ, ଦିନକୁ ଛ ନେଉଟ ହେଉଥାନ୍ତ, କେଇଦିନ ହେଲା ଟିକିଏ ବୋଲି ଛାଇ ଦିଶିବାକୁନାହିଁ । ମୁଁ ମନେକଲି ଚାଲିଗଲେଣି–ଟିକିଏ ଦେଖାବି ଦେଇଗଲେନାହିଁ ।’’

 

ନାହିଁ ନାହିଁ, ଫୁରସତ ନଥିଲା ବୋଲି ଆସୁ ନଥିଲି । କେତେଦିନ ଗାଁକୁ ଆସିନାହିଁ ନା ଜମିବାଡ଼ି ଅଡ଼ୁଆ, ନାନାରକମ କାମ, ବୁଝିଲନା, ସେସବୁ ଛିଣ୍ଡେଇବା କ’ଣ ସହଜ କଥା ? ଆଜି ଟିକିଏ ଫୁରସତ ମିଳିଲା, କହିଲି ଯାଏଁ ଦେବବୋଉ କେମିତି ଅଛି, କ’ଣ କରୁଛି, ଟିକିଏ ଦେଖି ଆସେ ।’’ ସୁଭଦ୍ରା ଦୀର୍ଘ ନିଶ୍ୱାସଟାଏ ମାରି କହିଲେ, ‘‘ହଁ, ମୋର ଏବେ ସଂସାରରେ ଆଉ କ’ଣ ଅଛି ! ଏଣିକି ବଳ ବଅସ ସଇଲା, ପାକଲା ଆମ୍ବ, ଏକାବାଆକେ ଝଡ଼ିବି, କି ଏକାପାଣିକେ ସଢ଼ିବି-। ମୋର ଭଲ କ’ଣ, ମନ୍ଦ କ’ଣ ?’’

 

‘‘ଛି, ଛି, ଏ ଅମଙ୍ଗଳ କଥାଗୁଡ଼ାକ କାହିଁକି ମୁହଁରେ ଧରୁଚ ? ତୁମର କ’ଣ ଏଇକ୍ଷଣି ଯିବାବେଳେ ହେଲାଣି ଯେ ତୁମେ ସେ କଥା ଭାବୁଛ ? ପୁଅବୋହୂ ନେଇ ଦିନାକେତେ ଆଗେ ଘର ଦୁଆର କର, ନାତି ନାତୁଣୀ ଦେଖ, ତେବେ ଯିବନା । ଏତେବେଳୁ କାହିଁକି ଏପରି ହଉଚ ?

 

ସୁଭଦ୍ରା ଉଦାସୀଭାବରେ କହିଲେ, ‘‘ହେଁ, ସେ ପୁଅରୁ ମତେ କ’ଣ ମିଳିବ ବା ସେ ବୋହୂରୁ ମତେ କ’ଣ ମିଳିବ । ଆପଣା କଥାକୁ ସମସ୍ତେ ସାଥୀ ନା ଆଉ କାହା କଥାକୁ କିଏ ସାଥୀ ହେବ ?’’

 

ସର୍ବେଶ୍ୱରବାବୁ ବ୍ୟସ୍ତ ହୋଇ ପଚାରିଲେ, ‘‘କାହିଁକି, କାହିଁକି, ନୂଆବୋଉ, ଏମିତି କଥାଗୁଡ଼ାକ କାହିଁକି କହୁଚ ? ତୁମ ପୁଅ ବୋହୂଙ୍କ ପରି ଛଅଖଣ୍ଡ ଗାଁରେ କାହାରି ପୁଅ ବୋହୂ ନଥିବେ, ତୁମେ ଫେର୍‌ ଏପରି କହୁଚ ? କାହିଁକି ବୋହୂର କେଉଁ ଗୁଣ ମନ୍ଦ ଯେ ତୁମ ମନକୁ ପାଉନାହିଁ ?’’

 

ସୁଭଦ୍ରା ଉତ୍ତର କଲେ, ‘‘ମୁଁ କ’ଣ କହିଲି ମୋ ମନକୁ ପାଉନାହିଁ ? ଆଉ ମୋ ମନ ସାଙ୍ଗରେ ବା କ’ଣ ଅଛି ? ମତେ କିଏ କୋଉ କଥା ପଚାରିଲା ନା ବିଚାରିଲା ? ମୁଁ କେଉଁଆଡ଼ର କିଏ ଯେ ଗୋଟାଏ ଭଲମନ୍ଦ ବାଛି ବସିବି ?

 

ସର୍ବେଶ୍ୱରବାବୁ ବୁଝିପାରିଲେ, ବୋହୂ ପସନ୍ଦ ହୋଇନାହିଁ ଏପରି ନୁହେଁ, କିନ୍ତୁ ଦେବବ୍ରତ ଯେ ତାଙ୍କର ବିନାନୁମତିରେ ବିବାହ କଲା, ସେହି ଆଘାତଟା ସୁଭଦ୍ରାଦେଈ ଆଜି ସୁଦ୍ଧା ଭୁଲିପାରିନାହାନ୍ତି । ଆଜି ସୁଦ୍ଧା ସେହି ଅଭିମାନରେ ତାଙ୍କର ମନଟା ଘାରି ହେଉଛି । ଏହି ସାମାନ୍ୟ କଥାଟ ଆଜିଯାଏ ଛିଣ୍ଡି ନଥିବାର ଦେଖି ସେ ଅତିଶୟ ଦୁଃଖିତ ହେଲେ । ତାଙ୍କୁ ଯେପରି ବୋଧ ହେଲା, ନିଆଁଟା ବାହାରେ ଭସ୍ମାବୃତ ହେଲେ ମଧ୍ୟ ଭିତରେ କୁହୁଳୁଛି । ସେ ସ୍ପଷ୍ଟ ଦେଖିପାରିଲେ, ଦେବବ୍ରତ ଓ ବାସନ୍ତୀର ଭାଗ୍ୟାକାଶ ମେଘାଚ୍ଛନ୍ନ ।

 

ସେ ପୁଣି ଆସିଥିଲେ ଆଉ ଗୋଟାଏ ଉଦ୍ଦେଶ୍ୟ ନେଇ । ନିଶାମଣି ତାଙ୍କ ସାଙ୍ଗରେ ଲଗେଇ ଲଗେଇ ତାଙ୍କୁ ପଠେଇ ଥିଲା । ବାସନ୍ତୀର ଇସ୍କୁଲରେ ପଢ଼ାଇବା ସମ୍ବନ୍ଧରେ ସୁଭଦ୍ରାଙ୍କ ମତାମତ ନେବାକୁ । ଏପରି ଅବସ୍ଥାରେ ସେ ଯେ କିପରି ସେ କଥା ପକାଇବେ ଭାବି ସ୍ଥିର କରିପାରିଲେନାହିଁ । ତାଙ୍କ ମନଟା ଟିକିଏ ନରମ କରିବା ଉଦ୍ଦେଶ୍ୟରେ କହିଲେ, ‘‘ନୂଆବୋଉ, ତୁମେ କାହା ଉପରେ ରାଗୁଛ ? ତୁମର କ’ଣ ନ ଟା ଛ’ଟା ଅଛନ୍ତି ଯେ ତୁମେ ଏମିତି କଥାଗୁଡ଼ାକ ମନରେ ପୂରାଉଛ ? ଛି, ଛି, ଏଗୁଡ଼ାକ ଭଲ ନୁହେଁ । ଗୋଟାଏ ବୋଲି ପୁଅ, ଆଉ ସେ ଏମିତି କାର୍ଯ୍ୟଟାଏ ବା କ’ଣ କରିଚି ଆଜିକାଲି ପିଲାଏ ତ ଆହୁରି କ’ଣ ବୋଲି କ’ଣ କରୁଚନ୍ତି । ସେ ଏବେ ତା’ ମନଲାଖି କନିଆଟିଏ ବିଭା ହେଲା । ହେଲା ତ ହେଲା । ଯେଉଁଥିରେ ତାଙ୍କର ସୁଖ, ସେଇଥିରେ ଆମର ସୁଖ ନା ? ଆଉ ଆମର କ’ଣ ତାଙ୍କ ଛଡ଼ା ଆଉ କିଛି ଅଛି ? ବୋହୂ କିଛି ମନ୍ଦ ହୋଇଥାନ୍ତା, କି ପୁଅବୋହୂ କିଛି ଅନାଦାର କରୁଥାନ୍ତେ, ହଁ, ତେବେ ରାଗ କରନ୍ତ । କାହିଁ ଦେବ ବାସ ତ ସେପରି କରନ୍ତିନାହିଁ । ନାହିଁ ନାହିଁ, ନୂଆବୋଉ, ତୁମେ ଏଗୁଡ଼ା ଭୁଲିଯାଅ ସବୁ, ତୁମକୁ ମୋ ରାଣଟି ।’’

 

ସୁଭଦ୍ରା ଦେଖିଲେ, ସର୍ବେଶ୍ୱରଙ୍କ ଆଖିରେ ଦୋଷଟା ତାଙ୍କରି ଆଡ଼େ ବେଶି ଦିଶୁଛି । ସେ ତରତର କରି କଥାଟା ବାଆଁରେଇ ଦେଇ କହିଲେ ‘‘ନାହିଁ ନାହିଁ ହେ, ତୁମେ କ’ଣ ବାଇଆ ହେଲ, ମୁଁ ଏଇ କଥାକୁ ମନରେ ଧରିଚି ? କଥାକୁ ସେମିତି କହିଲି ନାଁ ।’’

 

ଏହା କହି ଅନ୍ୟ କଥା ପକାଇଲେ । ବହୁତ ବେଳଯାଏ ଗପ ହେଲା, ସାଇପଡ଼ିଶା ନାନାକଥା ପଡ଼ିଲା । ସର୍ବେଶ୍ୱରବାବୁଙ୍କର ଆଦୌ ଗପରେ ମନ ନଥାଏ । ସେ ଖାଲି ବାଧ୍ୟ ହୋଇ ଗପ କରୁଥାନ୍ତି; କିନ୍ତୁ ତାଙ୍କ ମନରେ ନାନାଚିନ୍ତା ନାନାଭାବନା ଆସି ପଡ଼ୁଥାଏ । ଆଉ ଥାଇ ଥାଇ ନିଶାର ଅନୁରୋଧଟା ମଧ୍ୟ ମନେପଡ଼ି ଯାଉଥାଏ । କଥାଟା ବୁଝି ନ ଗଲେ ତେଣେ ନିଶା ରାଗିବ । ଏଣେ କିପରି ଯେ କଥା ପକାଇବେ ଓ ପକାଇଲେ ଯେ କି ଫଳ ହେବ, ସେ ବିଷୟ ଭାବି ତାଙ୍କୁ ବଡ଼ ଅଡ଼ୁଆ ଲାଗୁଥାଏ । ଶେଷକୁ ଭାବିଲେ ଗୋଟାଏ ସଫାସଫି ହୋଇଯିବା ଭଲ । ନିଶା ବାସନ୍ତୀଙ୍କର ଯେପରି ଉତ୍ସାହ, ସେମାନେ ଯେ ସ୍କୁଲ ନ କରିବେ, ଏହା ନୁହେଁ । ତେବେ ସେ ଗାଁରେ ଥାଉଁ ଥାଉଁ ଗୋଟାଏ ଠିକ୍‌ଠାକ୍‌ ହୋଇଯିବା ଭଲ । କାରଣ ଅବସ୍ଥା ସବୁ ଯେପରି ସେମାନଙ୍କର, ସାମାନ୍ୟ ଭୁଲ୍‌ରେ କ’ଣ ବୋଲି କ’ଣ ହୋଇଯାଇପାରେ । କଥାଟା ଯେତେବେଳେ ଯେବେହେଲେ ସୁଭଦ୍ରାଙ୍କ କାନକୁ ଆସିବ ସେତେବେଳେ ଏତିକିବେଳୁଁ, ଆଉ ତାଙ୍କରିଦ୍ୱାରା କଥାଟା ପଡ଼ିବା ଭଲ । ଏହିପରି ସାତ ପାଞ୍ଚ ଭାବି ଶେଷକୁ କଥାଟା ପକାଇଲେ, ‘‘ନୂଆବୋଉ ! ନିଶା ଏକା ତୁମ ପାଖକୁ ଗୋଟିଏ ଖବର ଦେଇଛି ।’’ ସୁଭଦ୍ରା, ପଚାରିଲେ କ’ଣ କହିଛି କି ? ସର୍ବେଶ୍ୱରବାବୁ ଥଙ୍ଗ ଥଙ୍ଗ ହୋଇ କହିଲେ, ‘‘ନା, ଏମିତି କିଛି ନୁହେଁ, ତା’ର ବାସ ସାଙ୍ଗରେ କେମିତି ଭାବ, ତା’ ଜାଣ । ମତେ ଆଜି କହୁଥିଲା, ‘‘ବାପା, ବଡ଼ମାଆକୁ ଟିକିଏ କୁହନ୍ତ, ନୂଆବୋହୂ ତ ଦିପହରେ କିଛି କାମ କରେନାହିଁ, ନିତି ଟିକିଏ ଆମ ଘରକୁ ଆସନ୍ତା, ମୁଁ ଯାଇ ଡାକି ଆଣନ୍ତି ପଛକେ ।’’

 

ସୁଭଦ୍ରାଦେଈ ଟିକିଏ ଭାବି କହିଲେ, ‘‘ତୁମ ଘର କିଏ, ମୋ ଘର କିଏ, ମୁଁ କାହିଁକି ମନାକରନ୍ତି, ହେଲେ ନୂଆବୋହୂଟା ଏଡ଼େ ଚଞ୍ଚଳ ଗାଁଟାରେ ବାହାରି ବୁଲିବ, ଲୋକେ ବାରିବେ । ତୁଚ୍ଛାକୁ ତ ଲାଜସରମ କରି ଆସେନାହିଁ ବୋଲି ଗାଁଯାକ ଯେତେ ବାଛନ୍ଦ । ଆହୁରି ପୁଣି କ’ଣ ଚିଠି ଲେଖୁଛି, ବହି ପଢ଼ୁଛି, ବାଜା ବଜାଉଛି ବୋଲି ମୋତେ ଲୋକ ଛି ଛାକର କଲେଣି । ନାହିଁ, ନାହିଁ, ନିଶାକୁ କହିବ, ସେ ଯେମିତି ଯାଆସ କରୁଛି କରୁଥାଉ । ଏହିକ୍ଷଣି କେତେଦିନ ବୋହୂକୁ ମୁଁ ବାହାରକୁ ଛାଡ଼ି ପାରିବିନାହିଁ ।’’ ସର୍ବେଶ୍ୱରବାବୁ କହିଲେ, ‘‘ହଁ, ନିଶା ଆସୁଚି ଯେ, ବାସର ସେଠିକି ଟିକିଏ ଯିବା ଦରକାର । କ’ଣ ହୋଇଛି ବୁଝିଲନା, ନୂଆବୋହୂ, ପିଲା ବୁଦ୍ଧିତ–ନିଶା ହେରିକା କ’ଣ କରୁଛନ୍ତି ବୁଝିଲ ନା, କହୁଛନ୍ତି ଯେ ଏ ଗାଁ ଝିଅଗୁଡ଼ାକ ମୂର୍ଖ ହୋଇ ରହିଛନ୍ତି । ଆମେତ ଦିପହର ଗୋଟାକ ଖାଲି ବସି ବସି କଟାଉଛୁଁ । ଆମେ ତାଙ୍କୁ ବସି ଅକ୍ଷର ଚିହ୍ନାନ୍ତୁ; ପୋଥିବୋଲି ଶିଖାନ୍ତୁ ।’’ ସୁଭଦ୍ରାଦେଈ ଚମକି ପଡ଼ି କହିଲେ, ‘‘ଆଗୋ ଏ କ’ଣ ଏଗୁଡ଼ାକ କି ନାସନା କଥା, କରଣ ଘର ଝିଅ ବୋହୂ, କାମ ପାଇଟିନାହିଁ, ବସି ଚାଙ୍ଗୁଡ଼ି ବୁଣି କି ଚିତା ଲେଖି, କି ପାଲି ପଶା ଖେଳ । ଇଲୋ ଇଏ କ’ଣ ଲୋ ? ଆଗୋ ସେ କ’ଣ ଇସ୍କୁଲ କରି ମେମ୍‌ ହେବେ କି ?’’

 

ସୁଭଦ୍ରାଦେଈଙ୍କ ପାଟି କ୍ରମେ ଉଚ୍ଚତର ହେବାର ଦେଖି, କାଳେ ରୋଷେଇ ଘରୁ ବାସନ୍ତୀ ଏ ସବୁ ଶୁଣିପାରିବ ବୋଲି ଶଙ୍କିତ ହୋଇ ସର୍ବେଶ୍ୱର କହି ଉଠିଲେ, ‘‘ତୁନି ହୁଅ, ତୁନି ହୁଅ ନୂଆବୋହୂ ସେଗୁଡ଼ାକ କ’ଣ ? ମୁଁ କ’ଣ ସେ କଥା କହୁଛି ? ସେ ସେହି କାମ ସବୁ କରିବେ ଯେ ଟିକିଏ ନୂଆ ରକମ । ନିଜେ କରନ୍ତେ ଯାହା ସେୟା ସାନ ସାନ ଝିଅଙ୍କୁ ଶିଖେଇବେ । ଆଉ ତୁମେ ଏମିତି ଡରୁଛ କାହିଁକି ? ଏଇ ଟିମା, ଚୁଣ୍ଟିଆ, କୁନି ଏହି ସବୁ ପିଲାତ ଯାଇ ପଢ଼ିବେ । ସେ କ’ଣ ଆମର ପର ? କିଏ ନାତି, କିଏ ନାତୁଣୀ ହିସାବ, କିଏବା ପୁତୁରା, ଝିଆରୀ । ଖୁଡ଼ୀ ଜେଠେଇ ଅପାଙ୍କଠଉଁ ସେମାନେ କ’ଣ ଶିଖନ୍ତେନାହିଁ ଯେ ତୁମେ ଏଗୁଡ଼ା କହୁଛ ? ଆଉ ସେଠିତ ନିଶା ବୋଉବି ରହିବ ।’’

 

ସୁଭଦ୍ରାଦେଈ ଟିକିଏ ଶାନ୍ତ ହୋଇଗଲେ । ତାଙ୍କର ମନେପଡ଼ିଗଲା ଯାହା ହେବ ତାଙ୍କ ଜାଆଙ୍କ ଆଖିଆଗରେ, ଆଉ ତାଙ୍କରି ଘର ଭିତରେ । ସାନବୋହୂର ସୁଗୃହିଣୀତ୍ୱ ସମ୍ବନ୍ଧରେ ତାଙ୍କର ଧାରଣା ଅତି ଉଚ୍ଚ ଥିଲା । କହିଲେ, ‘‘ହଉ ତେବେ ଯିବ ତ ଯିବ । ଏକା ଦାଣ୍ଡ ଗୋହିରିରେ ସମସ୍ତଙ୍କ ଆଗରେ ନୁହେଁ । ବାଡ଼ି ବାଟେ ଏଇ ଓଳି ତଳ ଦେଇ ଚାଲିଯିବ । ଆହୁରିବି କେତେ କଥା ଅଛି, ସେ ସବୁ ମୁଁ ସାନ ବୋହୂକୁ ଆକଟ କରି କହିବି ।’’

 

ଏଡ଼େ ଚଞ୍ଚଳ ଓ ଏଡ଼େ ସହଜରେ ସେ ସୁଭଦ୍ରାଙ୍କର ସମ୍ମତି ମିଳିବ, ଏ କଥା ସର୍ବେଶ୍ୱରବାବୁଙ୍କର ଅପ୍ରତ୍ୟାଶିତ ଥିଲା । ସେ ଆନନ୍ଦରେ ବିଭୋଳ ହୋଇ ପଡ଼ିଲେ, ଛିଡ଼ାହୋଇ ପଡ଼ି କହିଲେ, ‘‘ହଉ ତେବେ ନୂଆବୋହୂ, ମୁଁ ଆସୁଛି, ଆଉ ଫେର୍‌ କାଲିଆଡ଼କୁ ଆସିବି ଯେ । ବାସ କାହିଁ ତା’ ସାଙ୍ଗରେ ତ ଟିକିଏ ଦେଖା ହୋଇପାରିଲାନାହିଁ ?’’ ‘‘ରୋଷେଇ ଘରେ ଅଛି’’ ବୋଲି କହି ସୁଭଦ୍ରାଦେଈ ମୁହଁଟା ବୁଲେଇ ଦେଲେ । ସର୍ବେଶ୍ୱର ଓ ବାସନ୍ତୀ ଯେ ଲଜ୍ଜାସରମ ଛାଡ଼ି ବେହିଆ ପରି ପରସ୍ପର ମୁହଁକୁ ଚାହିଁ ହସାହସି ହୋଇ କଥାବାର୍ତ୍ତା ହେବେ, ସୁଭଦ୍ରାଦେଈଙ୍କ ଆଦର୍ଶର ବିରୁଦ୍ଧ ଏହି ଚିତ୍ରଟା ତାଙ୍କ ମନେପଡ଼ିଯାଇ ତାଙ୍କ ମନଟାକୁ ପୁଣି ବିଗାଡ଼ି ଦେଲା, କିନ୍ତୁ ସରଳ ଶିଶୁ ପ୍ରାଣ ବୁଢ଼ା ସର୍ବେଶ୍ୱର ଆନନ୍ଦର ଅତିଶଯ୍ୟରେ ଏଇଟା ଲକ୍ଷ୍ୟ ନ କରି କ୍ଷୁଦ୍ର ଶିଶୁଟି ପରି ରୋଷେଇ ଘରକୁ ଗଲେ ।

 

ରୋଷେଇ ଘର ଭିତରକୁ ଗୋଟାଏ ଗୋଡ଼ ଦେଇ ସର୍ବେଶ୍ୱର ଡାକ ଛାଡ଼ିଲେ, ‘‘ମୋ ମା’ କୁଆଡ଼େ ଗଲାରେ ।’’ ରନ୍ଧନ ନିରତା ବାସନ୍ତୀ ହସି ହସି ବାହାରି ଆସିଲା । ପଣତ କାନିଟା ଅଣ୍ଟାରେ ଦୃଢ଼ରୂପେ ବନ୍ଧା ହୋଇଛି, କପାଳରେ ବିନ୍ଦୁ ବିନ୍ଦୁ ଝାଳ ମୁକ୍ତା ବିନ୍ଦୁପରି ଶୋଭା ପାଉଛି, ନିଆଁ ତାତିରେ ମୁହଁ ଗୋଟାଯାକ ଲାଲ ପଡ଼ି ଯାଇଛି, ହାତରେ ଗୋଟାଏ ପିଠା ଖଡ଼ିକା, ଲୁଗାରେ ଦୁଇ ଚାରି ଜାଗା ମସଲା ଦାଗ–ବାସ୍ତବିକ୍‌ ବାସନ୍ତୀକୁ ଏ ବେଶ ବଡ଼ ସୁନ୍ଦର ମାନୁଥିଲା । ବୃଦ୍ଧ ମୁହୂର୍ତ୍ତେ ଚାହିଁ, ‘‘ଏହି ଯେ ମୋ ମା’ ଅନ୍ନପୂର୍ଣ୍ଣା । ବୋଲି କହି ହସି ଉଠିଲେ । ବାସନ୍ତୀ ପ୍ରଶଂସା ଶୁଣି ଟିକିଏ ଲଜ୍ଜିତ ହୋଇ ପଚାରିଲା, ‘‘ଦାଦା କୁଆଡ଼େ ଆସିଲ ?’’ ‘‘ମୁଁ କ’ଣ ଏହିକ୍ଷଣି ଆସିଲି ? କେତେବେଳୁଁ ଆସିଲିଣି । ତୋ ଶାଶୁ ପାଖରେ ଥିଲି । ଶୁଣିଲୁଣି ନା ବାସ, ନୂଆବୋହୂ ତତେ ଇସ୍କୁଲ କରିବାକୁ ଅନୁମତି ଦେଇଛନ୍ତି ।’’ ବାସନ୍ତୀ ନିଜ କାନକୁ ବିଶ୍ୱାସ କରିପାରିଲାନାହିଁ, ଭାବିଲା, ବୁଢ଼ା ଥଟ୍ଟା କରୁଛନ୍ତି । କହିଲା, ‘‘ଇସ, ମିଛ କଥା ।’’ ‘‘ଆଲୋ ନା ନା, ଏ ବୁଢ଼ା କ’ଣ କେବେ ମିଛ କହେ ଯେ ଆଜି କହିବ ? ତୋର ବିଶ୍ୱାସ ହେଉନାହିଁ ପରା । ହଁ, ନ ହେବାର ତ କଥା । ନାହିଁ ନାହିଁ, ମୁଁ ଥଟ୍ଟା କରୁନାହିଁ, ସତ କଥା । ମତେ ପରା ନିଶା ଆଜି ଜିଦ୍‌କରି ପଠାଇଥିଲା । ନୂଆବୋହୂ ଯେ ଏ କଥାରେ ମଙ୍ଗିବେ, ଏହା ମୋର ମଧ୍ୟ ବିଶ୍ୱାସ ନଥିଲା । କେମିତି କ’ଣ ମନକୁ ଆସିଲା କେଜାଣି, ମଙ୍ଗିଗଲେ ତ ।’’

 

ବାସନ୍ତୀର ମନ ଅପୂର୍ବ ପୁଲକରେ ପୂର୍ଣ୍ଣ ହୋଇଗଲା । ପଲ୍ଲୀ ସମାଜର କ୍ଷୁଦ୍ର ପିଞ୍ଜର ମଧ୍ୟରେ ବନ୍ଦିନୀ ହେଲା ଦିନଠାରୁ ସ୍ୱାଧୀନତାର ଆସ୍ୱାଦ ସେ ଆଦୌ ଅନୁଭବ କରି ନଥିଲା । ଏହି ସାମାନ୍ୟ ଅନୁମତିର ସ୍ୱଳ୍ପ ଅନୁଗ୍ରହ ମଧ୍ୟ ତା’ ନିକଟରେ ଖୁବ୍‌ବଡ଼ ହୋଇ ଦେଖାଦେଲା । ସେ ମନେ ମନେ ଶାଶୁଙ୍କ କୁସଂସ୍କାର–ପ୍ରିୟତାରୁ ଯେଉଁ ସବୁ ଧାରଣା ତାଙ୍କ ପ୍ରତି ପୋଷଣ କରିଥିଲା, ସେ ସବୁ ଆପାତତଃ ଏକାବେଳକେ ଭୁଲି ଗଲା । ଆନନ୍ଦରେ ବିହ୍ୱଳ ପ୍ରାୟ ହୋଇ କହି ଉଠିଲା, ‘‘ତେବେ ତ ଭଲ ହେଲା, କାଲିଠଉଁ ଇସ୍କୁଲ ଆରମ୍ଭ କରାଯାଉ ।’’ ସର୍ବେଶ୍ୱରବାବୁ ହସି ହସି କହିଲେ ‘‘ନାହିଁ; ନାହିଁ ଲୋ ବାଇଆଣି, ଏଡ଼େ ଅସ୍ଥିର ହୋ ନାଇଁ । ଏ ସବୁ କ’ଣ ଏଇପରି ତରତରିଆ କାମ । ଭାବି ଚିନ୍ତି କେତେ ବିଷୟ ସ୍ଥିର କରିବାର ଅଛି ନା, ମୁଁ ଯାଉଛି, କାଲି ଫେରିଆସିବି, ନିଶାକୁବି ଆଣିବି, ସମସ୍ତେ ବସି ବିଚାର କରିବା ।’’ ବାସନ୍ତୀ ଏଡ଼େ ଚଞ୍ଚଳ ତାଙ୍କୁ ଛାଡ଼ି ଦେବାକୁ ସମ୍ମତ ହେଲାନାହିଁ, ଖାଇକରି ଯିବାକୁ ଅନେକ ଅନୁରୋଧ କଲା । କିନ୍ତୁ ସେ ନାନାପ୍ରକାର କଥାରେ ଭୁଲେଇ ଦେଇ ଖସି ପଳେଇ ଗଲେ । ଶୁଭ ସମ୍ବାଦଟା ନିଶାମଣିକୁ ଦେବାକୁ ତାଙ୍କର ଆଉ ତର ସହୁ ନଥାଏ ।

 

–ତେର–

 

କିଛିଦିନ ହେଲା ଦେବବ୍ରତ ବଡ଼ ଚିନ୍ତାମଗ୍ନ । ବାସନ୍ତୀ ଓ ନିଶାମଣିର ସ୍କୁଲ କରିବାର ପ୍ରସ୍ତାବ ଶୁଣିଲା ଦିନରୁ ତା’ ମନରେ ଗୋଟିଏ ଅଦ୍ଭୁତ ପରିବର୍ତ୍ତନ ଘଟିଛି । ଏହି ଚାରି ପାଞ୍ଚ ମାସ ହେଲା ସେ ସ୍ୱପ୍ନ–ରାଜ୍ୟରେ ଭାସୁଥିଲା । ଜୀବନରେ ଯେ ତା’ର କିଛି କରିବାକୁ ଅଛି, ଏ କଥା ସେ ଭୁଲିଯାଇଥିଲା । ହଠାତ୍‌ ସେଦିନ ବାସନ୍ତୀର ସ୍କୁଲ କରିବା କଥା ଶୁଣି ଚମକ ଭାଙ୍ଗିଲା । ପର୍ବତ ପ୍ରମାଣ ବାଧା ଅତିକ୍ରମ କରି ବାସନ୍ତୀର ଏପରି ଗୋଟାଏ ଦୂରୁହ କାର୍ଯ୍ୟରେ ଉତ୍ସାହ ଦେଖି ସେ ମନେ ମନେ ସହସ୍ରବାର ପ୍ରଶଂସା ନ କରି ରହିପାରିଲାନାହିଁ । ସଙ୍ଗେ ସଙ୍ଗେ ନିଜ ଉପରେ ଗୋଟାଏ ବିରକ୍ତି ମଧ୍ୟ ଆସିଲା । ବିବାହର ପୂର୍ବଜୀବନର ଘଟଣାଗୁଡ଼ିକ ତା’ର ଚକ୍ଷୁ ସମକ୍ଷରେ ଗୋଟି ଗୋଟି ହୋଇ ଭାସି ଉଠିଲା । କଲେଜରେ ପଢ଼ିବା ସମୟରେ ତା’ର କର୍ମୋତ୍ସାହ, ଦେଶର, ସମାଜର ପ୍ରତ୍ୟେକ କାର୍ଯ୍ୟରେ ଯୁବକ ଦଳ ମଧ୍ୟରେ ତା’ର ନେତୃତ୍ୱ ଗ୍ରହଣ, ସଭାସମିତି କରି ବକ୍ତୃତା ପ୍ରଦାନ ଇତ୍ୟାଦି ଗୋଟି ଗୋଟି ହୋଇ ତା’ର ମନେପଡ଼ିଲା । କି ଅସୀମ ଆନନ୍ଦ ପାଇଛି ସେ । ପୁଣି ମନେପଡ଼ିଗଲା ତା’ର ପଢ଼ିବା ସମୟର ଭବିଷ୍ୟତ କଳ୍ପନାଗୁଡ଼ିକ । ଶିକ୍ଷା ଶେଷରେ କେତେ କ’ଣ କରିବ କଳ୍ପନା କରିଥିଲା ଏବଂ ସେହି କଳ୍ପନାରେ କେତେ ଗୌରବ ଅନୁଭବ କରୁଥିଲା । କୁଆଡ଼େ ଗଲା ତା’ର ସେ କଳ୍ପନା, କୁଆଡ଼େ ବା ଗଲା ତା’ର ସେ ଅଦମ୍ୟ ଉତ୍ସାହ । ଏ କେତେଦିନର କର୍ମହୀନ ଜୀବନ କଥା ଭାବି ସେ ନିଜେ ଅବାକ୍‌ ହୋଇଗଲା । ତା’ର ବାନ୍ଧୁବାନ୍ଧବମାନେ ତା’ଠାରୁ ଅନେକ ଆଶା କରିଥିଲେ । ବର୍ତ୍ତମାନ ସୁଯୋଗ ପାଇ ମଧ୍ୟ ସେ କିଛି କରୁନାହିଁ । ତା’ର ବନ୍ଧୁମାନେ ବା ତାକୁ କ’ଣ କହିବେ ?

 

ଏହି ସମସ୍ତ ଚିନ୍ତାରେ ତା’ର ହୃଦୟ ବ୍ୟାକୁଳ ହୋଇ ଉଠିଲା । ଆଉ ଆମୋଦପ୍ରମୋଦ, ହସ ଖେଳ ତାକୁ ଭଲଲାଗିଲାନାହିଁ । ଭଗବାନ୍‌ ଯେ ତାକୁ ଶକ୍ତି ସାମର୍ଥ୍ୟ ଦେଇଛନ୍ତି, ସୁଯୋଗ ସୁବିଧା ଦେଇଛନ୍ତି, ଏ ସବୁ କ’ଣ ବୃଥା ହେବ ? ନା, ନା, ତା’ର ଜୀବନଟାକୁ ସେ ଏପରି ବ୍ୟର୍ଥ ହେବାକୁ ଦେବନାହିଁ ।

 

ସର୍ବେଶ୍ୱରବାବୁଙ୍କର ଛୁଟି ପ୍ରାୟ ଶେଷ ହୋଇ ଆସିଲାଣି । ବାସନ୍ତୀର ସ୍କୁଲ ଖୋଲିବାର ପ୍ରସ୍ତାବ ଶୁଣି ପ୍ରଥମରୁ ସେ ତ ଭାରି ଖୁସି ହୋଇଥିଲେ ଏବଂ ବାସନ୍ତୀ ଓ ନିଶାକୁ ଖୁବ୍‌ଉତ୍ସାହ ଦେଇଥିଲେ । ଏବେ ପୁଣି ସୁଭଦ୍ରାଦେଈଙ୍କର ଅନୁମୋଦନଟା ପାଇଗଲାରୁ ତାଙ୍କର ଆନନ୍ଦର ସୀମା ରହିଲାନାହିଁ । ତାଙ୍କ ଘର ବାହାର ବଖରାଟିରେ ଆପାତତଃ ସ୍କୁଲ ବସିବାର ସ୍ଥିର ହେଲା । ବାସନ୍ତୀ ଓ ନିଶା ସର୍ବେଶ୍ୱରବାବୁଙ୍କ ସହାନୁଭୂତି ଓ ସାହାଯ୍ୟ ପାଇ ପୂର୍ଣ୍ଣ ଉତ୍ସାହରେ ମାତି ଉଠିଲେ-। ଭବିଷ୍ୟତ୍‌ରେ ଏହାର ପରିଣାମ କ’ଣ ହେବ, ତାହା ଥରେ ଭାବିବାପାଇଁ ବାସନ୍ତୀର ଅବସର ମଧ୍ୟ ହେଲାନାହିଁ ।

 

ସର୍ବେଶ୍ୱରବାବୁ ଯିବା ପୂର୍ବରୁ ନିଶାକୁ ସଙ୍ଗରେ ନେଇ ଘର ଘର ବୁଲି କେତୋଟି ବାଳିକା ସଂଗ୍ରହ କରିଥିଲେ । ପନ୍ଦର ଷୋଳବର୍ଷର ବାଳିକାମାନଙ୍କୁ ପାଠପଢ଼ାଇବାରେ ଗ୍ରାମର କେତେକ ଲୋକ ପ୍ରଥମେ ଘୋର ଆପତ୍ତି କରିଥିଲେ । ଏଡ଼େ ବଡ଼ ଝିଅଗୁଡ଼ାକ ରୋଜ ରୋଜ ସଫା ଦାଣ୍ଡଟାରେ ଚାଲି ସ୍କୁଲକୁ ଯିବେ ପଢ଼ିବାକୁ, ଏ କଥାଟା ଅନେକ ଲୋକଙ୍କୁ ବଡ଼ ଅଡ଼ୁଆ ଲାଗିଲା । ପୁଣି ଦୁଇ ଅକ୍ଷର ବେଶି ଲେଖିପଢ଼ି ଶିଖିଲେ କାଳେ ସମସ୍ତେ ବାସନ୍ତୀ ଭଳି ‘କିରସ୍ତାନ’’ ହୋଇଯିବେ, ଏହି ଭୟରେ ମଧ୍ୟ ଅନେକ ଆପତ୍ତି କରିଥିଲେ । କିନ୍ତୁ ସର୍ବେଶ୍ୱରବାବୁ ଗ୍ରାମରେ ଜଣେ ମୁଖିଆ ଲୋକ, ତାଙ୍କୁ ସମସ୍ତେ ଶ୍ରଦ୍ଧା କରନ୍ତି । ତାହାଛଡ଼ା ମିଷ୍ଟକଥାରେ ଲୋକଙ୍କୁ ବଶ କରିବା ତାଙ୍କର ଗୋଟିଏ ପ୍ରଧାନ ଗୁଣ । ତେଣୁ ପ୍ରଥମେ ଯେଉଁମାନେ ଆପତ୍ତି କରିଥିଲେ, ପଛକୁ ଏକପ୍ରକାର ରାଜି ହୋଇଗଲେ ।

 

ନିଶା ଓ ବାସନ୍ତୀର ଇଚ୍ଛା ଥିଲା ସର୍ବେଶ୍ୱରବାବୁ ନିଜେ ଥାଇଁ ସ୍କୁଲଟି ବସାଇ ଦେଇଯିବେ, କିନ୍ତୁ କାର୍ଯ୍ୟତଃ ତାହା ହୋଇପାରିଲାନାହିଁ । ବାଳିକା ସଂଗ୍ରହ ଏବଂ ଅନ୍ୟାନ୍ୟ କେତେକ ବନ୍ଦୋବସ୍ତ କରୁ କରୁ କିଛି ବିଳମ୍ବ ହୋଇଗଲା । ଏଣେ ସର୍ବେଶ୍ୱରବାବୁଙ୍କର ଛୁଟି ମଧ୍ୟ ଶେଷ ହୋଇଯିବାରୁ ତାଙ୍କୁ ବାଧ୍ୟହୋଇ ଚାଲିଯିବାକୁ ହେଲା ।

 

ଆଜି ସ୍କୁଲ ଖୋଲିବାର ଦିନ । ନିଶାର ଉତ୍ସାହ ଦେଖେ କିଏ ? ସକାଳୁ କୁଆ କୋଇଲି ନ ରାବୁଣୁ ସେ ଉଠି ଘରର କେତେ କାମ ସାରି ଦେଲାଣି । ତା’ପରେ ଯେଉଁ ବଖରାରେ ସ୍କୁଲ ହେବ ସେହି ବଖରାଟିକୁ ନିଜେ ଝାଡ଼ିଝୁଡ଼ି ସଫା କରି ଏ ଖବରଟା ବାସନ୍ତୀକୁ ଦେବାକୁ ଦୌଡ଼ିଆସିଲା ।

 

ବାସନ୍ତୀର ମଧ୍ୟ ଉତ୍ସାହର ଅନ୍ତନାହିଁ । ସେ ମଧ୍ୟ ଭୋରରୁ ଉଠି ଚଞ୍ଚଳ କାମସାରୁଛି । ଏଗାରଟା ମଧ୍ୟରେ ସମସ୍ତ କାମ ଶେଷ କରି ତାକୁ ସ୍କୁଲକୁ ଯିବାକୁ ହେବ । ତା’ ଜୀବନ ତ ନିଶା ପରି ନୁହେଁ । ଗୃହସ୍ଥଳୀର ସମସ୍ତ କାର୍ଯ୍ୟ ତାକୁ କରିବାକୁ ହୁଏ । ସେଥିରେ ପୁଣି ପାନରୁ ଚୂନ ଖସିଗଲେ ଦୁନିଆ ଓଲଟି ଯିବ । ସୁତରାଂ ତାକୁ ପଦେ ପଦେ ସାବଧାନ ହୋଇ ଚଳିବାକୁ ହୁଏ । ଆଜି ଏହି ଆନନ୍ଦାତିଶଯ୍ୟରେ କେଉଁ କାମରେ କ’ଣ ତ୍ରୁଟି ହୋଇଯିବ, ଆଉ ସୁଭଦ୍ରାଦେଈଙ୍କ ବନ୍ଧୁ ମହଲରେ ତାହାର ସମାଲୋଚନା ଚାଲିବ, ଏହି କଥା ଭାବି ମଧ୍ୟେ ମଧ୍ୟେ ତା’ର ଛାତି ଥରି ଉଠୁଛି-

 

ନିଶା ଆସି ବାସନ୍ତୀକୁ କୁଣ୍ଢାଇ ଧରି କହିଲା, ‘‘ନୂଆବୋହୂ, ମୁଁ କେତେ ସକାଳୁ ଉଠି ସବୁ କାମ ସାରିଲିଣି, ତମେ କ’ଣ କରୁଛ ମ ? ଏ ପର୍ଯ୍ୟନ୍ତ ରୋଷେଇ ସରିନାହିଁ ? ବେଳ ତ ହୋଇ ଆସିଲାଣି ।’’

 

ବାସନ୍ତୀ ବ୍ୟାକୁଳ ହୋଇ କହିଲା, ‘‘ନିଶା, ଜାଣତ ମୋର କେତେ କାମ । ମୋ ସାଙ୍ଗରେ ଟିକିଏ ମିଶି ଯା’ମ ଜଲ୍‌ଦି ସରିଯିବ ।’’

 

ନିଶା ସେହିକ୍ଷଣି ଅଣ୍ଟାରେ ଲୁଗାଭିଡ଼ି ଲାଗି ଗଲା । ଦୁହେଁ ମିଶି ସବୁ କାମ ସାରି ସ୍କୁଲକୁ ବାହାରିଲେ ।

 

ଦଶୋଟି ପିଲା ନେଇ ସ୍କୁଲ ଆରମ୍ଭ ହେଲା । ବାସନ୍ତୀ ଓ ନିଶା ଦବିବାର ପାତ୍ରୀ ନୁହଁନ୍ତି-। ସେହି ଦଶୋଟି ବାଳିକାଙ୍କୁ ଘେନି ସେମାନେ ପୂର୍ଣ୍ଣ ଉତ୍ସାହରେ କାର୍ଯ୍ୟ ଆରମ୍ଭ କରିଦେଲେ-। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା, ଯଦି ସେମାନେ ଏହି ବିଦ୍ୟାଳୟଟି ଉତ୍ତମରୂପେ ଚଳାଇ ସେହି ଦଶୋଟି ବାଳିକାଙ୍କର କୌଣସି ଉପକାର କରିପାରନ୍ତି, ତେବେ ସମୟରେ ଛାତ୍ରୀସଂଖ୍ୟା ଅବଶ୍ୟ ବଢ଼ିବ ।

 

ଛାତ୍ରୀମାନଙ୍କ ଉତ୍ସାହ ବଢ଼ିବା ଅଭିପ୍ରାୟରେ ଏବଂ ଅନ୍ୟ ପିଲାମାନଙ୍କର ଦୃଷ୍ଟି ଆକର୍ଷଣ କରିବା ଆଶାରେ ବାସନ୍ତୀ ଓ ନିଶା ନିଜେ ପିଲାଗୁଡ଼ାଙ୍କୁ ସଙ୍ଗରେ ନେଇଆସନ୍ତି ଏବଂ ସ୍କୁଲ ଶେଷରେ ଘରେ ଛାଡ଼ିଦେଇ ଆସନ୍ତି । ନିଜ ହାତରୁ ଖରଚକରି ସମସ୍ତଙ୍କୁ ସ୍ଲେଟ୍‌ ମଧ୍ୟ କିଣି ଦେଲେ-। ସର୍ବେଶ୍ୱରବାବୁଙ୍କ ପରାମର୍ଶ ଅନୁସାରେ କିଛିକ୍ଷଣ ବହିପଢ଼ା ଓ ହସ୍ତାକ୍ଷର ଲେଖା, ତା’ପରେ ସିଲାଇ ଏବଂ ଶେଷରେ ନୈତିକ ଉପଦେଶପୂର୍ଣ୍ଣ ଗଳ୍ପ, ଉପାଖ୍ୟାନ କହିବା, ଏହିପରି ଭାବରେ କାର୍ଯ୍ୟ ଆରମ୍ଭ ହେଲା ।

 

ବାସନ୍ତୀ ଓ ନିଶାର ପରିଶ୍ରମ ଓ ଉତ୍ସାହ ଫଳରେ ଦିନକୁଦିନ ଛାତ୍ରୀସଂଖ୍ୟା ବଢ଼ିବାକୁ ଲାଗିଲା । ଯେଉଁମାନଙ୍କର ବା ଅଳ୍ପ ଆପତ୍ତି ଥିଲା, ନିଶାମଣି ସେମାନଙ୍କ ଘରକୁ ଯାଇ ଜୋର୍‌କରି ସେମାନଙ୍କ କନ୍ୟାମାନଙ୍କୁ ଟାଣି ଆଣିଲା ।

 

ବାସନ୍ତୀର ଏହି ସ୍କୁଲ ଖୋଲିବା ଘଟଣାରେ ଗ୍ରାମର ପ୍ରାଚୀନ ପ୍ରାଚୀନା ଦଳ ମଧ୍ୟରେ ଗୋଟାଏ ଚହଳ ପଡ଼ିଗଲା । କିଛିଦିନ ତାଙ୍କ ନିକଟରେ ରହିଲେ ବାସନ୍ତୀର ସହରିଆ କୁଅଭ୍ୟାସଗୁଡ଼ିକ ଚାଲିଯାଇପାରେ ବୋଲି ସୁଭଦ୍ରାଦେଈଙ୍କର ଯାହା ଟିକିଏ କ୍ଷୀଣ ଆଶା ଥିଲା, ତାହା ମଧ୍ୟ ଲୋପ ପାଇଲା । ଗୃହସ୍ଥ ବଧୂ ହୋଇ ଦିନବେଳେ ଦାଣ୍ଡରେ ଚାଲିବା, ଏହା ଅପେକ୍ଷା ଆଉ ଲଜ୍ଜାଜନକ ବ୍ୟାପାର କ’ଣ ଅଛି ? ସେ କିପରି ତାଙ୍କର ପ୍ରତିବେଶିନିମାନଙ୍କୁ ମୁହଁ ଦେଖେଇବେ ? ହାୟ ! କି କୁକ୍ଷଣରେ ସେ ସର୍ବେଶ୍ୱରବାବୁଙ୍କ କଥାରେ ଭୁଲି ବାସନ୍ତୀକୁ ସ୍କୁଲ କରିବାପାଇଁ ଅନୁମତି ଦେଇ ପକାଇଥିଲେ । ସେ କ’ଣ ଏଇଆ କରିବାକୁ କହିଥିଲେ ? ଏ ଯେ ଅଙ୍ଗୁଳି ପ୍ରବେଶରୁ ବାହୁ ପ୍ରବେଶ ଭଳି ହେଲା ! ଅନୁତାପରେ ତାଙ୍କର ଅନ୍ତର ଦଗ୍ଧ ହେବାକୁ ଲାଗିଲା ।

 

ମଦନାମା, ସନିଆମା, ହେମବୋଉ, ପାରବୋଉ ପ୍ରଭୃତି କେତେଗୁଡ଼ିଏ ସ୍ତ୍ରୀଲୋକଙ୍କୁ ମଧ୍ୟ ଗୋଟିଏ ଖୋରାକ୍‌ ମିଳିଗଲା । ଏପରି ଗୋଟାଏ ସୁଯୋଗ ସେମାନେ ଛାଡ଼ିଦେବେ କିପରି ? ବାସନ୍ତୀ ସମ୍ବନ୍ଧରେ ନାନାକଥା ନାନାବର୍ଣ୍ଣରେ ରଞ୍ଜିତ ହୋଇ ଗାଁଯାକ ରଟି ଗଲା । ପୋଖରୀତୁଠରେ, ଖରାବେଳର ମଜଲିସ୍‌ରେ, ସାନ୍ଧ୍ୟ ବୈଠକରେ, ସବୁ ଜାଗାରେ ସମସ୍ତଙ୍କ ମୁହଁରେ ବାସନ୍ତୀ କଥା । ଏ ସବୁ ଦେଖି ଶୁଣି ସୁଭଦ୍ରାଦେଈଙ୍କ ମନ ବାସନ୍ତୀ ପ୍ରତି ଏକାବେଳକେ ତିକ୍ତ ହୋଇ ଉଠିଲା । ବାସନ୍ତୀ ସଙ୍ଗରେ କଥା କହିବା ସେ ଏକ ରକମ ବନ୍ଦ କରିଦେଲେ ଏବଂ ମଧ୍ୟେ ମଧ୍ୟେ ଦେବବ୍ରତକୁ ଦୁଇ ଚାରିଟା କଟୁକ୍ତି କରିବାକୁ ମଧ୍ୟ ଛାଡ଼ିଲେନାହିଁ ।

 

ଦେବବ୍ରତ ଯେ ଏ ସବୁ କିଛି ଜାଣି ନଥିଲା, ତାହା ନୁହେଁ । ପ୍ରଥମରେ ସେ ବାସନ୍ତୀ ସ୍କୁଲ କରିବାର ପ୍ରସ୍ତାବରେ ଉତ୍ସାହ ଦେଖାଇଥିଲେ ମଧ୍ୟ ତାହା ଅନ୍ତରର ସହିତ ଅନୁମୋଦନ କରିପାରି ନଥିଲା । ବାସନ୍ତୀ ଯେ ଗୋଟାଏ କିଛି ପାପ କିମ୍ବା ଅନ୍ୟାୟ କରୁଛି, ସେଥିପାଇଁ ନୁହେଁ । ଏତେ ଶୀଘ୍ର ବାସନ୍ତୀର ଏପରି ଗୁରୁତର କାର୍ଯ୍ୟରେ ଅଗ୍ରସର ହେବାଟା ତାକୁ ଭଲଲାଗି ନଥିଲା । ବର୍ତ୍ତମାନ ଚାରିଆଡ଼ୁ ବାସନ୍ତୀର ନିନ୍ଦା ଶୁଣି ଏବଂ ସୁଭଦ୍ରାଦେଈଙ୍କ ବ୍ୟବହାର ଦେଖି ବାସନ୍ତୀ ପ୍ରତି ଗୋଟାଏ ତୀବ୍ର ଅଭିମାନ ଆସିଲା । ମନେ ମନେ ସେ କ୍ଷୁବ୍ଧ ହେଲା ଏଇଥିପାଇଁ–ବାସନ୍ତୀ ତ ସବୁ ଜାଣେ, ତେବେ ଜାଣିଶୁଣି କାହିଁକି ଏପରି କଲା ? ଏହାର ପରିଣାମରେ ଯେ ସଂସାରରେ କି ଘୋର ଅଶାନ୍ତି ଘଟିବ, ତାକୁ ଯେ କେତେ ଲାଞ୍ଛନା, କେତେ ଅପମାନ ସହ୍ୟ କରିବାକୁ ହେବ, ତାହା ତ ସେ ଭାବିଲାନାହିଁ । ଆଉଥରେ ସୁଦ୍ଧା ଭାବିଲାନାହିଁ ଯେ, ଏହି ସମସ୍ତ ଝଡ଼ତୋଫାନ୍‌ର ଧକ୍‌କା ଆସି ବାଜିବ ଦେବବ୍ରତ ଉପରେ । କେତେ ଝଡ଼ତୋଫାନ ତ ତା’ ଉପର ଦେଇ ବହି ଯାଇଛି । ମେଘ ଯେତେବେଳେ କଟି ଯିବାକୁ ବସିଛି, ଆକାଶ ଯେତେବେଳେ ନିର୍ମଳ ହୋଇ ଆସୁଛି, ପ୍ରକୃତି ଯେତେବେଳେ ଶାନ୍ତଭାବ ଧାରଣ କରି ଆସିଲାଣି, ଠିକ ସେହି ସମୟରେ ବାସନ୍ତୀ ଏ କି ଗୋଟାଏ ନୂତନ ମେଘର ସୃଷ୍ଟି କଲା ? ଏ ମେଘ ଯେ କେତେଦୂର ବ୍ୟାପିବ, ଆଉ ତା’ର ଫଳ ଯେ କ’ଣ ହେବ ତାହା ଦେବବ୍ରତ ସ୍ଥିର କରିପାରିଲାନାହିଁ । କିନ୍ତୁ ମୁହଁ ଫିଟାଇ ବାସନ୍ତୀକୁ କିଛି କହିପାରୁନାହିଁ । କହିବାର ବାଟ ବା କାହିଁ ? ସେ ଯାହା କରୁଛି ତାହା ତ ମନ୍ଦ କାମ ନୁହେଁ ।

 

ଏହିସବୁ ଚିନ୍ତା ଦେବବ୍ରତକୁ ବଡ଼ ଅଶାନ୍ତ କରି ପକାଇଲା । ଏହି ଘୋର ମାନସିକ ଅଶାନ୍ତି ହାତରୁ ରକ୍ଷା ପାଇବା ଲାଗି ଏବଂ ସାଂସାରିକ ନାନାଦୁଶ୍ଚିନ୍ତାରୁ ମନକୁ ଫେରାଇ ନେବା ଲାଗି ସେ କର୍ମସ୍ରୋତରେ ଜୀବନକୁ ଢାଳିଦେବ ବୋଲି ସ୍ଥିର କଲା ।

 

ଗାଁରେ ଗୋଟାଏ ପୁସ୍ତକାଗାର କରିବା ଦେବବ୍ରତର ବହୁ ଦିନରୁ ଇଚ୍ଛା ଥିଲା । ସେଥିପାଇଁ ଛାତ୍ରାବସ୍ଥାରୁ ସେ କେତେକ ପୁସ୍ତକ ମଧ୍ୟ ସଂଗ୍ରହ କରି ରଖିଥିଲା । ବର୍ତ୍ତମାନ ସେ ଭାବିଲା, ଲାଇବ୍ରେରୀ ହେବ କେଉଁଠାରେ ? ସେଥିପାଇଁ ତ ଗୋଟିଏ ସ୍ୱତନ୍ତ୍ର ଗୃହ ଆବଶ୍ୟକ ? ତାହା ହେବ କିପରି ? ସେହିକ୍ଷଣି ସେ ଭାବିଲା–କାହିଁକି ହୋଇପାରିବନାହିଁ ? ସେ ଧନୀର ସନ୍ତାନ, ତା’ର ଅଭାବ ବା କ’ଣ ? ଇଚ୍ଛା କଲେ ତ ଅନାୟାସରେ ଗୋଟିଏ ଘର ତିଆରି କରିପାରେ ? ତାଙ୍କର ଘର ନିକଟରେ ଖଣ୍ଡେ ଜମି ବହୁ ଦିନରୁ ଖାଲି ପଡ଼ିଥିଲା । ସେହିଠାରେ ଖଣ୍ଡେ ଘର ତୋଳାଇ ଲାଇବ୍ରେରୀ କଲେ ସମସ୍ତଙ୍କ ପକ୍ଷରେ ସୁବିଧା ହେବ ବୋଲି ତା’ର ମନେହେଲା । ଗ୍ରାମର କେତେଗୁଡ଼ିଏ ଉତ୍ସାହୀ ଯୁବକଙ୍କୁ ଦେବବ୍ରତ ତା’ର ଏ ପ୍ରସ୍ତାବ ଜଣାଇଲା । ସମସ୍ତେ ଖୁସି ହୋଇ ଏ କାର୍ଯ୍ୟରେ ତା’ ସଙ୍ଗରେ ଯୋଗ ଦେବେ ବୋଲି ସ୍ୱୀକାର କଲେ ।

 

ସମସ୍ତଙ୍କର ଏପରି ଉତ୍ସାହ ଦେଖି ଦେବବ୍ରତର ଟିକିଏ ଉତ୍ସାହ ବଢ଼ିଗଲା । ଘର ତୋଳା ହେଲେ ପୁସ୍ତକାଗାର ହେବ–ଏତେ ବିଳମ୍ବ ତା’ର ଆଉ ସହ୍ୟ ହେଲାନାହିଁ । ଏତେଦିନ ନିଶ୍ଚେଷ୍ଟ ହୋଇ ବସିଥିଲା–ଆଉ କେତେ ଦିନ ବା ସେହିପରି ରହିବ ? ପୁଣି ତା’ର ଦିନଗୁଡ଼ିକ କଟିବ କିପରି ?ଯେତେଦିନ ଘର ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ଦେବବ୍ରତ ଘରର ବାହାର ଖଞ୍ଜାର ଗୋଟିଏ ଘରେ ପୁସ୍ତକଗୁଡ଼ିକ ରଖା ହେବ ଏବଂ ସେହିଠାରେ ସନ୍ଧ୍ୟା ସମୟରେ ସମସ୍ତେ ଏକତ୍ରିତ ହେବେ ବୋଲି ସ୍ଥିର ହେଲା । ସମ୍ବାଦଟା ଗ୍ରାମରେ ପ୍ରଚାର କରିବାଲାଗି ହାତଲେଖା ବିଜ୍ଞାପନ ଦିଆଗଲା ।

 

ଦେବବ୍ରତର ଘରେ ସନ୍ଧ୍ୟା ସମୟରେ ବୈଠକଟି ଦେଖୁ ଦେଖୁ ବେଶ୍‌ ଜମି ଉଠିଲା । ପୁସ୍ତକ ଆଲୋଚନା ପ୍ରବନ୍ଧପାଠ, ନାନାବିଷୟକ ଯୁକ୍ତିତର୍କ ଇତ୍ୟାଦିରେ ଘରଟି ମୁଖରିତ ହୋଇଉଠେ ।

 

ଦେବବ୍ରତର ମନ ଏତିକିରେ ତୃପ୍ତ ହେଲାନାହିଁ । କେତେ ଜଣ ଶିକ୍ଷିତ ଯୁବକଙ୍କୁ ଘେନି ଗୋଟିଏ କ୍ଷୁଦ୍ର ମାସିକ ପତ୍ରିକା ପ୍ରକାଶ କରିବାର ଚେଷ୍ଟା କଲା । ସମସ୍ତଙ୍କର ମତ ନେଇ ସ୍ଥିର ହେଲା, ପତ୍ରିକା ଖଣ୍ଡିକ ହାତରେ ଲେଖା ହୋଇ ବାହାରିବ । ଯେ ଯାହାର ପ୍ରବନ୍ଧ ନିଜେ ଲେଖିଦେବେ । ଦେବବ୍ରତକୁ ସମ୍ପାଦକ କରାଗଲା । ମହାଉତ୍ସାହରେ ଯୁବକଦଳ ପତ୍ରିକା ଚଳାଇବାରେ ମାତି ଉଠିଲେ । ନାନାବିଷୟରେ ଗଦ୍ୟ ପଦ୍ୟ ରଚନାମାନ ଲେଖା ହୋଇ ପତ୍ରିକା ଖଣ୍ଡିକ ବାହାରିଲା । ସମସ୍ତଙ୍କ ଆଶା, ଏ ଉତ୍ସାହ ଅକ୍ଷୁଣ୍ଣ ରଖିପାରିଲେ ଅଳ୍ପଦିନ ମଧ୍ୟରେ ପତ୍ରିକା ଖଣ୍ଡିକ ଛାପା ଆକାରରେ ବାହାର କରାଯାଇପାରେ ।

 

ପୁଣି ଗ୍ରାମରେ ଅପର ପ୍ରାଇମେରୀ ସ୍କୁଲର ବାଳକମାନଙ୍କୁ ନେଇ ବ୍ୟାୟମ ଓ କ୍ରୀଡ଼ା ପ୍ରଭୃତିପାଇଁ ମଧ୍ୟ ଦେବବ୍ରତ ଗୋଟିଏ ଦଳ ଗଠନ କଲା । ସ୍କୁଲ ପରେ ନିଜେ ଯାଇଁ ସେ ସେମାନଙ୍କୁ ନାନାପ୍ରକାର କୁସ୍ତି ଓ ଖେଳ ଶିଖାଇବାକୁ ଆରମ୍ଭ କଲା । ବାଳକମାନଙ୍କ ଭିତରେ ବେଶ ଗୋଟାଏ ଉତ୍ସାହର ସଞ୍ଚାର ହେଲା । ସେମାନେ ଅଚିରେ ଦେବବ୍ରତ ପ୍ରତି ଖୁବ୍‌ଅନୁରକ୍ତ ହୋଇ ପଡ଼ିଲେ ।

 

ଏହିପରି ଦେବବ୍ରତ ବାହାରର କର୍ମସ୍ରୋତରେ ମନପ୍ରାଣ ଢାଳିଦେଇ ଆତ୍ମବିସୃତ ହେବାକୁ ପ୍ରାଣପଣ ଚେଷ୍ଟା କରିବାକୁ ଲାଗିଲା । କିନ୍ତୁ ଭିତରର ଅଗ୍ନି ନିର୍ବାପିତ ନ ହୋଇ କ୍ରମେ କ୍ରମେ କୁହୁଳି ଉଠୁଥାଏ । ଘରେ ମାତାଙ୍କର ବିଷର୍ଣ୍ଣ ମୁଖ ଏବଂ ସାମାୟିକ କଟୁକ୍ତି, ବାହାରେ ନାନାଆଡ଼ୁ ନାନାପ୍ରକାର କୁତ୍ସା ଓ ବ୍ୟଙ୍ଗୋକ୍ତି ସେଥିରେ ଜୁଆ ଦେଉଥାଏ । ଯେଉଁମାନେ ଦେବବ୍ରତର ଆରବ୍‍ଧ କର୍ମରେ ମହାଉତ୍ସାହରେ ଯୋଗ ଦେଇ ଅଛନ୍ତି, ସେମାନଙ୍କ ଭିତରେ ତାହାର ନିନ୍ଦକର ଅଭାବନାହିଁ । ପରସ୍ପର ବାସନ୍ତୀ କଥା ଆଲୋଚନା କରି ସେମାନେ କେତେ ଆମୋଦ ଉପଭୋଗ କରନ୍ତି ।

 

ସୁଭଦ୍ରାଦେଈ ପୁଅ ବୋହୂଙ୍କର ମତିଗତି ଦେଖି ମ୍ରିୟମାଣ ହୋଇ ରହିଛନ୍ତି । ବୋହୂ ତ ବୋହୂ, ପୁଣି ପୁଅର ଏ କି ବୁଦ୍ଧି ହେଲା ? ଯୋଗ୍ୟ ହୋଇ ଘରକୁ ଫେରିଲା, ନିଜର ବିଷୟ କର୍ମ ବୁଝିବ କ’ଣ, ଦିନରାତି ଟୋକା ପଞ୍ଝାଙ୍କୁ ନେଇ କୁଆଡ଼େ କ’ଣ କରି ବୁଲୁଛି ! ସେ ଆଉ ବୋହୂକୁ ଦାବିବେ କ’ଣ ? ତାଙ୍କର ସଂସାରଟି ଆଜି ଯେପରି ଅକୂଳ ସମୁଦ୍ରରେ ଭାସମାନ ।

 

ବୁଦ୍ଧିମତୀ ବାସନ୍ତୀ ସବୁ ଦେଖୁଛି, ସବୁ ବୁଝୁଛି । ଦେବବ୍ରତର ମନର ଭାବ ମଧ୍ୟ ତା’ର ଅଗୋଚର ରହିଲା ନାହିଁ । ଚେଷ୍ଟା କଲେ ମଧ୍ୟ ଦେବବ୍ରତ ଆଉ ପୂର୍ବପରି ସେତେ ମୁକ୍ତଭାବରେ ବାସନ୍ତୀ ସଙ୍ଗରେ ମିଶିପାରୁନାହିଁ ବା କଥା କହିପାରୁନାହିଁ । ବରଂ ଯେତେଦୂର ସମ୍ଭବ, ବାହାରେ ସମୟ କଟାଇବାକୁ ସେ ଚେଷ୍ଟା କରୁଛି । ତଥାପି ବାସନ୍ତୀ ଧୀର ସ୍ଥିର ଅଟଳ । ମୁହୂର୍ତ୍ତକ ପାଇଁ ମନରେ ତା’ର କେତେବେଳେ କ୍ଷୋଭ ଜନ୍ମିଲେ ସେହିକ୍ଷଣି ଝାଡ଼ି ପକାଇ ଦିଏ । ତା’ର ବିଶ୍ୱାସ, ଏ ଅଦିନ ମେଘଖଣ୍ଡ ତା’ର ସ୍ୱାମୀଙ୍କ ମନରୁ ଶୀଘ୍ର ଉଭେଇ ଯିବ, ନିଜର ଭ୍ରମ ସେ ନିଜେ ବୁଝିପାରିବେ । ପୁଣି ସ୍ୱାମୀଙ୍କ କର୍ମ ଜୀବନର ଆରମ୍ଭ ଦେଖି ସେ ଆହୁରି ଆଶାନ୍ୱିତା । ଏହି କର୍ମ ଜୀବନର ଭିତରେ ଉଭୟଙ୍କର ପୂର୍ଣ୍ଣତର ମିଳନ ଦିନେ ଘଟିବ, ଏହି ଆଶାରେ ହୃଦୟକୁ ବାନ୍ଧି ସେ ଦୃଢ଼ଚିତ୍ତରେ ନିଜର ଛୋଟ ବଡ଼ ସମସ୍ତ କର୍ମ ସମ୍ପାଦନ କରି ଚାଲିଯିବାକୁ ଲାଗିଲା ।

 

–ଚଉଦ–

 

ଦିନେ ଦିପହରେ ବାସନ୍ତୀ ସବୁ କାମଦାମ ସାରି ଖଟ ଉପରେ ଶୋଇ ଗୋଟାଏ ବଙ୍ଗଳା ମାସିକ ପତ୍ର ଓଲଟାଉଛି, ଏହି ସମୟରେ ଦେବବ୍ରତ ‘‘ନବବାଣୀ’’ର ଖଣ୍ଡିଏ ନୂଆ ସଂଖ୍ୟାପଢ଼ି ପଢ଼ିକା ଆସି ପହଞ୍ଚିଲା । ମୁଖ ବେଶ୍‌ ପ୍ରସନ୍ନ, କିନ୍ତୁ ଯେପରି ଟିକିଏ ଗମ୍ଭୀର ଦେଖାଯାଉଥିଲା । ଗାମ୍ଭୀର୍ଯ୍ୟଟା ବାସନ୍ତୀ ଲକ୍ଷ୍ୟ କଲା, କିନ୍ତୁ କାରଣ ବୁଝିପାରିଲାନାହିଁ ।

 

ଦେବବ୍ରତ ବାସନ୍ତୀ ନିକଟରେ ବସି କହିଲା, ‘‘ବାସ, ‘‘ନବବାଣୀ’’ରେ ତୁମର ଗୋଟିଏ ପ୍ରବନ୍ଧ ବାହାରିଛି ।’’ ବାସନ୍ତୀ କହିଲା, ‘‘ହଁ, ଗଲା ମାସରେ ମୁଁ ଗୋଟାଏ ପ୍ରବନ୍ଧ ପଠାଇଥିଲି ।’’

 

ପ୍ରବନ୍ଧର ଶେଷାଂଶଟା ପଢ଼ୁ ପଢ଼ୁ ଦେବବ୍ରତ କହିଲା, ‘‘ପ୍ରବନ୍ଧଟି ଯେ ଉଚ୍ଚଦରର, ଏହା ସମସ୍ତେ କହିବେ କିନ୍ତୁ ମୋର ନିଜର କେତେଗୁଡ଼ିଏ ପ୍ରଶ୍ନ ଅଛି । କେତୋଟି ଆପତ୍ତି ମଧ୍ୟ ଅଛି ।’’ ଦେବବ୍ରତ ଚୁପ୍‌ ହେଲେ ମଧ୍ୟ ତା’ର କଥା ଶେଷ ହେଲାପରି ଜଣାଗଲାନାହିଁ । ବାସନ୍ତୀ ନୀରବ ରହିଲା ।

 

ଦେବବ୍ରତ ପୁଣି କହିବାକୁ ଲାଗିଲା, ‘ବିଶ୍ୱରେ ନାରୀର ସ୍ଥାନ’ ନାମକରଣଟି ବେଶ୍‌ ହୋଇଛି । ବାସ୍ତବିକ ବର୍ତ୍ତମାନ ବିଶ୍ୱରେ ନାରୀର ସ୍ଥାନ କେଉଁଠି, ଏ କଥା ଭାବିବାର ସମୟ ଆସିଅଛି । ଅବଶ୍ୟ ଏ ସମ୍ବନ୍ଧରେ ମତଦ୍ୱୈଧ ରହିବା ସ୍ୱାଭାବିକ । କିନ୍ତୁ ବାସ, ତୁମର ମତଗୁଡ଼ାକ ଯେ ଏତେ ଦୂର ଅଗ୍ରସର, ଏଇଟା ତ ମୁଁ ଆଗରୁ ଜାଣି ନଥିଲି !’’ କଥାଟା ଶ୍ରେଷ୍ଠ ଅଭିମାନ, ବିସ୍ମୟ ନା ଆଉ କିଛି ବୁଝି ନପାରିବାରୁ ବାସନ୍ତୀ ପୂର୍ବପରି ନୀରବ ରହିଲା । ଦେବବ୍ରତ ପୁଣି କହିବାକୁ ଲାଗିଲା, ‘ଆଚ୍ଛା, ଏହି ଅଂଶଟା ଦେଖ, ଏଇଟା ମତେ ବଡ଼ ବିପ୍ଳବାତ୍ମକ ବୋଲି ଜଣାଯାଉଛି । ‘ମାନବ ସଭ୍ୟତାର ଆଦିକାଳରୁ ୠଷିମାନେ ଓ ତାଙ୍କ ପଛେ ପଛେ ଯାବତୀୟ ଦର୍ଶନ, ଇତିହାସ ଓ ସାହିତ୍ୟର ପ୍ରଣେତାମାନେ ବାରମ୍ବାର ଜଗତକୁ ଶୁଣାଇ ଆସୁଅଛନ୍ତି ଏପରି କେତେଗୁଡ଼ିଏ ତଥାକଥିତ ସତ୍ୟୋକ୍ତି; ଯାହା କେବଳ ପୁରୁଷର ସ୍ୱାର୍ଥପରତା ଓ ଅବିଚାରହିଁ ତାକୁ ଯୋଗାଇଅଛି । ଆମ୍ଭେମାନେ କେତେ ପ୍ରବନ୍ଧରେ ଯେ ‘ନାରୀ ପୁରୁଷର ଅର୍ଦ୍ଧାଙ୍ଗ’, ‘ସମାଜର ଅର୍ଦ୍ଧାଙ୍ଗ ନାରୀ ଓ ଅର୍ଦ୍ଧାଙ୍ଗ ପୁରୁଷ’ ଜଗତରେ ପୁରୁଷ ଜାତିର ସକଳ କଲ୍ୟାଣପାଇଁ ନାରୀ ଦାୟୀ ଓ ନାରୀର ରକ୍ଷଣାବେକ୍ଷଣା ପାଇଁ ପୁରୁଷ ଦାୟୀ ଇତ୍ୟାଦି କଥା ପାଠ କରୁଁ, ତାହାର ଇୟତ୍ତାନାହିଁ । ଯେଉଁଠାରେ ଯେଉଁ ଲେଖକ ବା କବି, ଦୟାକରି ହେଉ ବା ଶ୍ରଦ୍ଧାକରି ହେଉ ବା ଘୃଣା କରି ନାରୀ ସମ୍ବନ୍ଧରେ କୌଣସି ବିଷୟ ଲେଖିଅଛନ୍ତି, ସେଠାରେହିଁ ସେ ତାକୁ ବିଚାର କରି ଅଛନ୍ତି ପୁରୁଷର କନ୍ୟା ଭଗିନୀ ବା ପତ୍ନୀରୂପେ । ଏପରି ଗୋଟାଏ ଅଧୀନତାର ଚିରସ୍ଥାୟୀତ୍ୱ କ’ଣ ପାଇଁ ? ପୁରୁଷର ସମ୍ବନ୍ଧବହିର୍ଭୁତ ନାରୀର ଗୋଟାଏ ସ୍ୱତନ୍ତ୍ର ରୂପ ତ କାହିଁ କେହି କଳ୍ପନା କରିନାହାନ୍ତି ? ଅଥଚ ନାରୀସମ୍ବନ୍ଧରହିତ ପୁରୁଷର ସ୍ୱତନ୍ତ୍ର ଚିତ୍ର ଭୂରି ଭୂରି ଦେଖିବାକୁ ମିଳେ । ନାରୀ କ’ଣ ଆଜନ୍ମ ପୁରୁଷର ଦାସୀ, ତାହାର ସେବିକା ? ପୁରୁଷର ସମ୍ପତ୍ତିସୀମାର ବହିର୍ଭାଗରେ ତାହାର କ’ଣ କୌଣସି ଅସ୍ତିତ୍ୱ ନାହିଁ ? ସେ କ’ଣ ପୁରୁଷର ଛାୟା, କେବଳ ଜନନୀ, କନ୍ୟା, ଭଗିନୀ ଓ ପତ୍ନୀ ହେବାପାଇଁ ସୃଷ୍ଟି ? ତାହାର କ’ଣ ସ୍ୱତନ୍ତ୍ର ଜୀବନଯାପନ କରିବାର ଉପାୟ–’ ଆଚ୍ଛା ବାସ, ପୁରୁଷଠାରୁ ସ୍ୱତନ୍ତ୍ର ଗୋଟାଏ କି ଜୀବନ ତୁମେ ଯାପନ କରିବ, ମତେ ଟିକିଏ ବୁଝେଇ କହିଲ ଭଲା, ଶୁଣେ ?’’

 

ବାସନ୍ତୀ ଧୀର ସ୍ୱରରେ ଉତ୍ତର କଲା, ‘‘ଠିକ୍‌ ମୁଁ ଯେ କରିବି ତାହା ନୁହେଁ, ତେବେ ପୁରୁଷ ଜଗତର ବାହାରେ ମଧ୍ୟ ନାରୀର ସ୍ଥାନ ରହିବା ଉଚିତ । ସେପରି ନ ହେଲେ ନାରୀର ଜୀବନରେ ପୂର୍ଣ୍ଣତା ଆସିବନାହିଁ । ବର୍ତ୍ତମାନ ନାରୀର ଜୀବନ ପୁରୁଷର ଜୀବନର ଗୋଟିଏ ଅଂଶ ମାତ୍ର, ତାହାର ଜୀବନ ନାଟ୍ୟର ସାମାନ୍ୟ କେତୋଟି ଗର୍ଭାଙ୍କ । ନାରୀର ସ୍ୱତନ୍ତ୍ର ସତ୍ତାନାହିଁ ବୋଲି ସାଧାରଣଙ୍କର ବିଶ୍ୱାସ । ଏ ବିଶ୍ୱାସଟାହିଁ ପ୍ରଥମେ ନାରୀକୁ ଭାଙ୍ଗିବାକୁ ହେବ, ତେବେ ଯାଇଁ ସେ ଆପଣାକୁ ପୂର୍ଣ୍ଣ ଗୌରବ ଉପରେ ପ୍ରତିଷ୍ଠିତ କରିପାରିବ ।

 

ଦେବବ୍ରତକୁ କଥାଗୁଡ଼ାକ ଭଲ ନ ଲାଗିଲା ପରି ଜଣାଗଲା । ସେ ଉତ୍ତର ଦେଲା, ‘‘ଦେଖ ବାସ, କଥାଗୁଡ଼ାକ ଶୁଣିବାକୁ ଯେଡ଼େ ସୁନ୍ଦର ଓ ଲେଖିବାକୁ ଯେଡ଼େ ସହଜ, ବାସ୍ତବ ଦୃଷ୍ଟିରେ ତେଡ଼େ ସତ୍ୟ ବୋଧହୁଏ, ନୁହେଁ । ପ୍ରଥମତଃ ଦେଖ, ପୁରୁଷର ବିନା ସାହାଯ୍ୟରେ ନାରୀର ଆତ୍ମରକ୍ଷା କରିବା ଓ ସଂସାର ସଂଗ୍ରାମରେ ଜୟ ଲାଭ କରିବା, କଥାଟା ମୋ ବିଶ୍ୱାସରେ କେବଳ କାଳ୍ପନିକ କଥା । କାରଣ ପୁରୁଷ ଓ ନାରୀ ଉଭୟଙ୍କର ଶରୀରିକ ଗଠନ ଦେଖିଲେ ମନେହୁଏ ଯେ, ଜଣେ ଶ୍ରମ ଓ ଯୁଦ୍ଧପାଇଁ ଓ ଅନ୍ୟ ଜଣେ ଶାନ୍ତି, ଶୃଙ୍ଖଳା ଓ ପ୍ରେମପାଇଁ ସୃଷ୍ଟି ହୋଇଅଛି । ଏହି ଶାରୀରିକ ପାର୍ଥକ୍ୟକୁ ସାମାନ୍ୟ ମନେକରି ଅବହେଳା କରିବା ଉଚିତ ନୁହେଁ । ଆହୁରି ମଧ୍ୟ ଏହା ଛଡ଼ା ଅନେକ ପ୍ରମାଣ ଦିଆଯାଇପାରେ, କିନ୍ତୁ ସେଗୁଡ଼ାକ ବର୍ତ୍ତମାନ ଆବଶ୍ୟକନାହିଁ । ଆଉ ଗୋଟିଏ କଥା ଭାବି ଦେଖ । ତୁମର ଏହି ସ୍ୱତନ୍ତ୍ରତା ନୀତିର ଯଦି ପ୍ରବର୍ତ୍ତନ ହୁଏ, ତାହେଲେ ସମାଜରେ କି ଗୋଳମାଳ ଉପସ୍ଥିତ ହୋଇଯିବ ! ପୁରୁଷ ଓ ନାରୀର ପରସ୍ପର ପ୍ରେମ ଓ ସହାନୁଭୂତି ଯେଉଁ ସମାଜକୁ ଦୃଢ଼ କରି ରଖିଅଛି, ଏ ସବୁର ଅଭାବରେ ସେ ସମାଜ ଯେ ଏକାବେଳକେ ବିଚ୍ଛିନ୍ନ, ବିଭିନ୍ନ, ଲଣ୍ଡଭଣ୍ଡ ହୋଇଯିବ ।’’

 

ବାସନ୍ତୀ ଇତିମଧ୍ୟରେ ଆତ୍ମବିସ୍ତୃତ ହୋଇ ପଡ଼ିଥିଲା । ଉତ୍ତେଜିତ ସ୍ୱରରେ କହିଲା, ହେଲା ବା ସମାଜ ଲଣ୍ଡଭଣ୍ଡ, ସେଥିରେ ଯାଏ ଆସେ ବା କ’ଣ ? ଏପରି ଗୋଟାଏ ସ୍ୱାର୍ଥପର ସମାଜରେ ପ୍ରୟୋଜନନାହିଁ ଆମର । ପୁରୁଷହିଁ ରାଜା, ସେହି ନାୟକ, ସେହି ନିୟନ୍ତୀ, ହର୍ତ୍ତା କର୍ତ୍ତା ସବୁ ସେହି, ଆଉ ନାରୀ କେହି ନୁହେଁ ! ସେ ଗୋଟାଏ ଛାୟା, ସେ ପୁରୁଷର ଦାସୀ, ସେବିକା, ଅଧୀନା ଆଉ ଦୟାର ପାତ୍ରୀ । ଲୋଡ଼ାନାହିଁ ଆମର ଏପରି ସମାଜରେ ।’’ ଦେବବ୍ରତ ମଧ୍ୟ ଉତ୍ତେଜିତ ହୋଇ ଉଠିଥିଲା, ସେ ମଧ୍ୟ ଉତ୍ତେଜିତ ଭାବରେ କହି ଉଠିଲା, ‘‘ଦେଖ ବାସନ୍ତୀ, ମୋ ନିଜ ମତ ଏ ବିଷୟରେ କ’ଣ ଏ କଥା ଶୁଣିବାକୁ ତୁମର କୌତୁହଳ ଥାଇପାରେ । ମୋ ମତ ଏହି ଯେ, ପୁରୁଷ ନାରୀ ଉଭୟଙ୍କର ସ୍ଥାନ ସମାନ, ଦୁହେଁ ଦୁହିଁଙ୍କର ସହାୟ ଓ ପ୍ରୀତିପାତ୍ର । ଦୁହିଁଙ୍କର ଉନ୍ନତି ସମାନରୂପେ ହେବା ଉଚିତ । ଆଉ ତହିଁରେହିଁ ଜନସମାଜର ସମୂହ ମଙ୍ଗଳ ସାଧିତ ହୋଇପାରିବ । କିନ୍ତୁ ତୁମର ଏଇ ଯେଉଁ ଗୋଟାଏ କିମ୍ଭୁତକିମାକାର ସ୍ୱତନ୍ତ୍ରତାର ଆଦର୍ଶ, ଏଇଟା କେବଳ ଯେ ସମାଜର ଅନିଷ୍ଟକର ଓ ଗାର୍ହସ୍ଥ୍ୟ ସୁଖଶାନ୍ତିର ପ୍ରତିକୂଳ, ତାହା ନୁହେଁ । ଏହା ଭଗବାନଙ୍କର ମଙ୍ଗଳ ଉଦ୍ଦେଶ୍ୟ ବିରୁଦ୍ଧରେ ଗୋଟାଏ ଘୃଣାଜନକ ବିଦ୍ରୋହ । ଆଉ ଏପରି ମତ ପ୍ରଚାର କରିବା ଯେ କେବଳ ମିଥ୍ୟାପ୍ରଚାର ଦିଗରୁ ଅନ୍ୟାୟ, ତାହା ନୁହେଁ; ଏହା ଗୋଟିଏ ନିତାନ୍ତ ନିର୍ଲ–’’ ହଠାତ୍‌ ବାସନ୍ତୀର ମଳିନ ମୁଖକୁ ଚାହିଁ ଦେବବ୍ରତ ତୁନି ହୋଇଗଲା । ସେ ବୁଝିପାରିଲା, ତର୍କର ଉତ୍ତେଜନାରେ ନିଷ୍ଠୁର ହୋଇ ସେ ବାସନ୍ତୀକୁ କିପରି ନିର୍ମମ ଭାବରେ ଆଘାତ କରିଅଛି । ଅନୁତପ୍ତ ଓ ଲଜ୍ଜିତ ହୋଇ ବାସନ୍ତୀର ଦୁଇ ହାତ ଧରିପକାଇ କହିଲା, ‘‘ମତେ କ୍ଷମା କର ବାସ, ମୁଁ ମୂର୍ଖ ପରି କଥାଭୋଳରେ ତୁମକୁ ଦାରୁଣ ଆଘାତ ଦେଇଅଛି ।’’ ବାସନ୍ତୀ ମଳିନମୁଖରେ ଜୋର କରି ହସ ଟାଣି ଆଣି କହିଲା, ‘‘ନା ନା, ମତେ ତ ଆଦୌ ଆଘାତ ହୋଇନାହିଁ । ଏଥିରେ ଆଘାତର କଥା କ’ଣ ଅଛି ?’’ ତା’ପରେ ଅନ୍ୟ ବିଷୟ ପକାଇ ପରସ୍ପର ପରସ୍ପରର ମନୋଭାବ ପରସ୍ପରଠାରୁ ଲୁଚାଇ ରଖିବାକୁ ଚେଷ୍ଟା କଲେ, କିନ୍ତୁ ସରଳ ସସ୍ନେହ, ସପ୍ରତିଭ ଆଳାପ ଆଉ ଚଳିଲାନାହିଁ । ଗୋଟାଏ କି ଅଲଙ୍ଘ୍ୟ ବାଧା ଆସି ସେମାନଙ୍କ ସମ୍ମୁଖରେ ଛିଡ଼ା ହେଲା, ଆଉ ପରସ୍ପରର ମନରେ ଦିଓଟି ବିଭିନ୍ନ ଭାବ ମୁଦ୍ରିତ ହୋଇଗଲା, ଯାହା ସେମାନେ ଅନ୍ତତଃ ସାଂସାରିକ ଶାନ୍ତିରକ୍ଷା କରିବା ଉଦ୍ଦେଶ୍ୟରେ ପରସ୍ପରଠାରୁ ଗୋପନୀୟ ବୋଲି ମନେକଲେ । ଦେବବ୍ରତ ଆଜି ସ୍ପଷ୍ଟକରି ଜାଣିଗଲା ଯେ ସ୍ତ୍ରୀ ସ୍ୱାଧୀନତା ସମ୍ବନ୍ଧରେ ବାସନ୍ତୀର ମତ ତା’ ମତ ସହିତ ମିଳେନାହିଁ ଆଉ ବାସନ୍ତୀ ମଧ୍ୟ ଭୁଲି ପାରିଲାନାହିଁ ଯେ ନାରୀ ସ୍ୱାଧୀନତା ସମ୍ବନ୍ଧରେ ତାହାର ସ୍ୱାମୀର ମନୋଭାବ, ସେ ଯେଡ଼େ ଉଦାର ବୋଲି ଭାବିଥିଲା, ତାହା ତେଡ଼େ ଉଦାର ନୁହେଁ, ବରଂ ସାଧାରଣଙ୍କ ପରି ନାରୀ ଉପରେ ପୁରୁଷ ଯେ ଅଳ୍ପାଧିକ ପ୍ରଭାବ ବିସ୍ତାର କରିବାର ଅଧିକାରୀ, ଏପରି ଧାରଣାର ଗୋଟାଏ ଆଭାସ ମଧ୍ୟ ତାଙ୍କ କଥାରୁ ମିଳିଗଲା । ଏ ଦୁଇଟା ଧାରଣା ପରସ୍ପର ପ୍ରୀତିକର ହେଲାନାହିଁ ।

 

–ପନ୍ଦର–

 

ବାସନ୍ତୀର ଡାଇରୀର ଏକ ଅଂଶ

 

‘‘ସେଦିନ ସେହି ତୁଚ୍ଛ କାରଣରୁ ଏଡ଼େ ବଡ଼ ଘଟନାଟା ଘଟିଗଲା କିପରି, ସେହି କଥା ଭାବୁଛି । ସେ ତ ଏପରି ନଥିଲେ । ବରାବର ଦେଖିଆସିଛି ତାଙ୍କୁ–ସ୍ନେହର ସୌଜନ୍ୟର ଅବତାର, ଶାନ୍ତ, ସୁକୁମାର, ଅମାୟିକ, ପଦେ ହେଲେ କଡ଼ା କଥା ତାଙ୍କ ତୁଣ୍ଡରୁ ଶୁଣି ନଥିଲି । କାହିଁକି ତେବେ ସେ ରାଗିଲେ ? ମାସିକ ପତ୍ରରେ ପ୍ରବନ୍ଧଟାଏ ଲେଖିବା କ’ଣ ଭାରି ଅନ୍ୟାୟ ? କେଭେ ତ ଏହା ଜାଣି ନଥିଲି ।

 

ମନେପଡ଼ୁଛି କୈଶୋରର ଦିନକର ସ୍ମୃତି । ଦେବଭାଇ ଭାରି ଉତ୍ତେଜିତ ହୋଇ ଆମ ଘରକୁ ଆସି କହିଲେ–‘‘ଶୁଣିଛ ବାସନ୍ତୀ’’ (ସେତେବେଳେ ଆମର ଅଳ୍ପ ଦିନର ଚିହ୍ନା, ‘ବାସ’ ନ କହି ‘ବାସନ୍ତୀ’ କହୁଥାନ୍ତି), ‘‘ସ୍ନେହଲତାଙ୍କ ଆତ୍ମହତ୍ୟାର ଖବର ଶୁଣିଛ ?’’ ମୁଁ କହିଲି, ‘‘ନାହିଁ ତ ! କ’ଣ ହେଇଛି କି ?’’ ଶାଢ଼ୀରେ କିରୋସିନ୍‌ ଢାଳି ସେଥିରେ ଦିଆସିଲି ଜାଳି ସ୍ନେହଲତା କାହିଁକି ଓ କିପରି ଆତ୍ମହତ୍ୟା କଲେ, ସେହି କଥା ବର୍ଣ୍ଣନା କଲାବେଳେ ଦେବଭାଇଙ୍କ ଆଖିରୁ ନିଆଁ ବାହାରୁଥାଏ; ଶୁଭମୁଖ କ୍ରୋଧ ଓ ଘୃଣାରେ ଲାଲ ହୋଇ ଯାଉଥାଏ ।

 

‘‘ଏହି ତ ତୁମର ସମାଜ !’’ ସେ ଉତ୍ତେଜିତ ହୋଇ କହିବାକୁ ଲାଗିଲେ–‘‘ବରଘର ମାଗିଲେ, ହାତୀ ଦିଅ, ଘୋଡ଼ା ଦିଅ, ସୁନା ଦିଅ, ହୀରା ଦିଅ, ତେବେ ଯାଇ ଆମେ ତୁମ ଝୁଅକୁ ଆଣି ତୁମ ଚଉଦ ପୁରୁଷକୁ ଉଦ୍ଧାର କରିଦେବୁଁ । ସମାଜର ସବୁଆଡ଼େ ବରପକ୍ଷର ଏହିପରି ଦାବି । କନ୍ୟାକର୍ତ୍ତା ମୁଣ୍ଡରେ ହାତ ଦେଇ ବସିଲେ–ନିର୍ଦ୍ଦିଷ୍ଟ ବୟସରେ କନ୍ୟାକୁ ପାତ୍ରସ୍ଥ ନକଲେ ଛପନ ପୁରୁଷ ନରକସ୍ଥ ! କନ୍ୟାପିତାର ଏ ଦୁର୍ଦ୍ଦଶା ଆଉ ନାରୀତ୍ୱର ଏହି ଅପମାନ ସହି ପାରିଲାନାହିଁ; ସମାଜ ଅପଦେବତାଙ୍କ ବିଧାନ ନିକଟରେ ନିଜକୁ ବଳି ଦେଇ ନିସ୍ତାର ପାଇଲା । ବଙ୍ଗଦେଶରେ ଆଜି ଏ ଘଟନା ଘଟିଲା, କାଲି ଓଡ଼ିଶାରେ ଘଟିବ । ଆଚ୍ଛା, ଏ ପାପ କିଏ ମୁଣ୍ଡେଇବ ? ସମାଜର ପୁରୁଷ ନା ସମାଜର ନାରୀ ?’’

 

ମୁଁ କହିଲି, ‘‘ଆତ୍ମହତ୍ୟାର ପାପ ଯେ କରିଛି, ସେ ।’’

 

ସେ କହିଲେ, ‘‘କଦାପି ନୁହେଁ, ଯେ କରେଇଛି, ସେ । ସମସ୍ତ ସମାଜ ଏଥିପାଇଁ ଦାୟୀ-। ଆଉ ସମାଜ ବୋଇଲେ ପୁରୁଷ ସମାଜ ।’’

 

ସେଦିନ ସେ ମତେ ବୁଝେଇବାକୁ ଲାଗିଲେ, ‘‘ସ୍ନେହଲତା ଯଦି ଚିରକୁମାରୀ ରହିବାର ଉପଯୋଗୀ ଶିକ୍ଷା ପାଇଥାନ୍ତେ ଆଉ ସେ ଚିରକୁମାରୀ ରହିଲେ ସମାଜ ଆପତ୍ତି ନ କରନ୍ତା, ତେବେ କାହିଁକି ବରପକ୍ଷର ଅର୍ଥଲୋଭ ସମ୍ମୁଖରେ ସେ ଅମୂଲ୍ୟ ଜୀବନ ବଳି ଦେଇଥାନ୍ତେ ? ନାରୀକୁ ଏପରି ଶିକ୍ଷା ଦେବାକୁ ହେବ, ଯାହାଦ୍ୱାରା ଆର୍ଥିକ ସୁବିଧା ନ ହେବାଯାଏ, ସେ ବିବାହ ନ କରି ସ୍ୱଚ୍ଛନ୍ଦରେ ଚଳିପାରେ ।’’

 

ତା’ପରେ ସେ କେତେ ଥର ମତେ ବୁଝାଇଛନ୍ତି, ‘‘ସମାଜରେ ନାରୀର ସ୍ଥାନ ଉଚ୍ଚ କରିବାର ଏକମାତ୍ର ଉପାୟ ସ୍ତ୍ରୀ ଶିକ୍ଷା, ତାଦ୍ୱାରା ପୁରୁଷର ଲାଭ ଛଡ଼ା କ୍ଷତିନାହିଁ । ମା’ ଶିକ୍ଷିତା ହେଲେ ସନ୍ତାନ ହେବ ଶିକ୍ଷିତ, ସ୍ତ୍ରୀ ଶିକ୍ଷିତା ହେଲେ ସ୍ୱାମୀ ପାଇବ ସାଥୀ । ସେହି ପୁରୁଣା ଶ୍ଳୋକଟି ମନେଅଛି ତ ? ‘‘ଗୃହିଣୀ ସଚିବଃ ସଖୀ ମିଥଃ ପ୍ରିୟଶିଷ୍ୟା ଲଳିତେ କଳାଚିଧୌ ।’’ କାଳିଦାସଙ୍କର ଏହି ଆଦର୍ଶରେ ଯଦି ନାରୀ ଗଢ଼ା ହୋଇପାରନ୍ତା, ପୁରୁଷ କେତେ ସୁଖୀ, କେତେ ସାର୍ଥକ ହୋଇପାରନ୍ତା ।’’ କହୁ କହୁ ତାଙ୍କ ଚକ୍ଷୁ ଆନନ୍ଦରେ ବିସ୍ଫାରିତ ହୋଇ ଉଠେ ।

 

ସେହି ଦେବବ୍ରତ ତ ସେ, ଆଜି ତାଙ୍କର ମତ ବଦଳିଛି କି ନାହିଁ, ଜାଣେନାହିଁ । କିନ୍ତୁ ତାଙ୍କରି ପ୍ରବର୍ତ୍ତନାରେ, ତାଙ୍କରି ସାହାଯ୍ୟ ପାଇବା ଆଶାରେ ମୁଁ ଯେଉଁ କାମଟି ଆରମ୍ଭ କରିଦେଇଛି, କାହିଁ ସେଥିରେ ତ ତାଙ୍କର ସହାନୁଭୂତି ମୂଳରୁ ଦେଖୁନାହିଁ । ଇସ୍କୁଲ କଲାଦିନୁ ସମସ୍ତଙ୍କ ନିନ୍ଦା ସହୁଛି; ଯାହାଙ୍କର ଟିକିଏ ଉତ୍ସାହରେ ଏତେ ଦୁଃଖ, ସୁଖ ପରି ଲାଗନ୍ତା, ସେ ତ ଏ ବିଷୟରେ ନିର୍ଲିପ୍ତ ରହିଛନ୍ତି !

 

ଆଉ ସେହି ପ୍ରବନ୍ଧ ! ମାସିକ ପତ୍ରରେ ପ୍ରବନ୍ଧ ଲେଖି ନାରୀର ଦୁଃଖ ଜଣାଇଥିଲି । ଏଥିରେ ମଧ୍ୟ ଦିନେ ତାଙ୍କର କେତେ ଆଗ୍ରହ, କେତେ ଉଦ୍‌ଯୋଗ ଦେଖିଛି । ବିବାହ କ’ଣ ସବୁ ବଦଳାଇ ଦେଲା ? ଓହୋ ! ବୁଝିଛି, ଏବେ ତ ମୁଁ ଆଉ ଅତି ସାଧାରଣ, ଅପରିଚିତା ବାସନ୍ତୀ ଦେବୀ ନୁହେଁ; ଏବେ ମୁଁ ଅମୁକ ଗାଁ ଜମିଦାର ଦେବବ୍ରତବାବୁଙ୍କ ସ୍ତ୍ରୀ; ମୋ ନାଁ ପଡ଼ିଲେ ତାଙ୍କରି କଳଙ୍କ ! ଆଚ୍ଛା–ଏଇଆ ସେ ଭାବନ୍ତି ନା, ସତରେ ? ଟିକିଏ ସାହସନାହିଁ ଲୋକନିନ୍ଦାକୁ ଉପେକ୍ଷା କରିବାକୁ ।

 

ନାହିଁ, ନାହିଁ । ମତେ ବିବାହ କରି ସେ ଖୁବ ସହିଛନ୍ତି । ଲୋକନିନ୍ଦା କ’ଣ କମ ଶୁଣୁଛନ୍ତି-! ତାଙ୍କୁ ଦୋଷ ଦେବି କେମିତି ? ମୋହରି କିଛି ଦୋଷ ହୋଇଥିବ ଯାହା ଯୋଗୁଁ ସେ ବିରକ୍ତ ହୋଇଛନ୍ତି । ଅଜ୍ଞାତରେ କେଉଁ ଦୋଷ ମୁଁ କଲି ? ତାଙ୍କୁ ପଚାରିବି ?

 

ମତେ ଲାଗୁଛି, ତାଙ୍କୁ ମୁଁ ଯଥେଷ୍ଟ ସୁଖୀ କରିବାକୁ ଯତ୍ନ କରିନାହିଁ । ଘର କାମ ଆଉ ବାହାର ହିତରେ ମାତି ମୋ ପ୍ରାଣର ପ୍ରିୟଙ୍କୁ ହେଳା କରିଛି । ଆଚ୍ଛା, ଏହି ଯେ ସ୍କୁଲ, ପ୍ରବନ୍ଧ ଆଦି ଏସବୁ ତ ତାଙ୍କରି ତୃପ୍ତିଲାଗି ? ମୁଁ ଯଦି ଆଉ ଦଶଜଣ ନାରୀଙ୍କ ଭଳି କେବଳ ଘରକରଣାତକ କରି ବାକି ସମୟ କଉଡ଼ି ଖେଳି, ଗପ କରି ତାଙ୍କ ମୁହଁକୁ ଅନେଇ କରି ସୁସଜ୍ଜିତା କୁଣ୍ଢେଇଟି ପରି ବସି କଟାନ୍ତି, ତେବେ କ’ଣ ସେ ଯଥାର୍ଥ ସୁଖୀ ହୋଇପାରନ୍ତେ ?

 

କିଛି ବୁଝିପାରୁନାହିଁ । ମଣିଷର ମନ ତ ! କେତେବେଳେ କ’ଣ ତାଙ୍କ ମନରେ ଥାଏ ସେହି ଜାଣନ୍ତି–ମୁଁ ଅନୁମାନ କରି କରି ଥକି ଗଲିଣି ।

 

ଶାଶୁ ଡାକୁଛନ୍ତି ‘‘ବୋହୂ–ଏ ବୋହୂ–’’

 

ଯାଏଁ, ଲେଖିବାକୁବି ଦଣ୍ଡେ ଫୁରସତ୍‌ନାହିଁ ।

 

କାଲି ରାତିରେ ସେ ବହୁତ ଉଛୁରରେ ଆସିଲେ । ସେତେବେଳକୁ ସାଢ଼େ ଏଗାରଟା କି ବାରଟା ବାଜି ସାରିଲାଣି । ଆମେ ଶାଶୁ ବୋହୂ ତାଙ୍କୁ ଚାହିଁ ଚାହିଁ ଅଖିଆ ରହିଥିଲୁ ।

 

କାଲି ତାଙ୍କ ମୁଖର ଭାବ, ଆଖିର ରଙ୍ଗ ଦେଖି ମତେ ଭାରି ଡର ମାଡ଼ୁଥାଏ । ଗୋଟାଏ ଅଜଣା ଆଶଙ୍କା ଏତେବେଳଯାଏ ମତେ ବ୍ୟାକୁଳ କରି ଦେଉଛି । ଆଖି ଜବା ଫୁଲ ପରି ଲାଲ, କଣ୍ଠ ବେଜାୟ ଗମ୍ଭୀର ଓ ଭାରୀ । କଥା କହୁ ନଥାନ୍ତି । କିଛି ପ୍ରଶ୍ନ କରିବାକୁ ସାହସ କଲିନାହିଁ, କିନ୍ତୁ କରିଥିଲେ, ବୋଧହୁଏ, ଭଲ ହୋଇଥାନ୍ତା । ଜୀବନରେ ଗୋଟାଏ ଗୋଟାଏ ଦୁର୍ବଳ ମୁହୂର୍ତ୍ତ ଆସେ, ଯେତେବେଳେ କେତେ କଥା କହିବାକୁ ମନ ହୁଏ, କିନ୍ତୁ ପାଟି ବୁଜିଯାଏ, କୌଣସିମତେ କଥା ବାହାରେନାହିଁ । ମୋର ସେହି ଦଶା କାଲି ହୋଇଥିଲା ।

 

ଶାଶୁ କହୁ ଅଛନ୍ତି, ତାଙ୍କ ପୁଅଙ୍କୁ ତ ଆଗରୁ ମନ୍ତର କରି ନାକରେ ଦଉଡ଼ି ଦେଇ ବୁଲାଉଥିଲି, ଏବେ ପୁଣି ତାଙ୍କୁ କ’ଣ କଲିଣି ଯେ ସେ ଦିନକୁ ଦିନ ଝଡ଼ି ଯାଉଛନ୍ତି, ଉଦାସ ହୋଇ ଘରକୁ ଆସୁନାହାନ୍ତି, କାହାରି କୌଣସି କଥାରେ ପାଟି ଫିଟାଉ ନାହାନ୍ତି । ଡାଆଣୀ ବୋହୂ ତାଙ୍କ ପୁଅକୁ ନ ଖାଇଲେ ପରା ଥୟ ହେବନାହିଁ !

 

ମୋ କପାଳକୁ ଏତେ ଦଶା ଥିଲା ! ଯାହାଙ୍କ ପ୍ରେମ ଥିଲା ମୋର ଏକମାତ୍ର ସମ୍ବଳ, ଯାହାଙ୍କ ନିର୍ଭରରେ ମୁଁ ଶାଶୁଙ୍କ ଅବହେଳା, ସମାଜର ଧିକ୍‌କାର, ପୋଇଲୀ–ପରିବାରୀଙ୍କ ଇତର ଇଙ୍ଗିତ, ସବୁ ସହ୍ୟ କରି ଆସିଛି, ସେ ମୋ ମାନ ସମ୍ଭ୍ରମ ରଖିଲେ କେଉଁଠି ନିଶାମଣି ! ନିଶାମଣି ! ତୁମେ ଯଦି ଏ ଦୁଃଖ ଜାଣନ୍ତ, ସହି, ତେବେ ମତେ ଭରସା ଦେଇ ଇସ୍କୁଲ କରାନ୍ତନାହିଁ ।

 

ନିଶା କାଲି ନାଚି ନାଚି ମହାଫୁର୍ତ୍ତିରେ ଆସି ପହଞ୍ଚିଲା । ସବୁଦିନେ ତା’ର ସେହି ଚଞ୍ଚଳ ସ୍ୱଭାବ । ତରତର ହୋଇ ଏଣୁତେଣୁ କେତେ କ’ଣ ବକି ଗଲା । ‘‘ଭାଉଜବୋହୂ ଗୋ, ଭାଉଜବୋହୂ, ନୁଚି ନୁଚି କେତେ କାନ୍ଦୁ ତୁ ଥାଉ ! ଏ ଭାଉଜବୋହୂ, ତମ ଆଖିରେ କାହିଁକି ଲୁହ ? ଭାଇ କ’ଣ କହିଛନ୍ତି କି ? ମ–ମ–ବାସ କ’ଣ ବାସି ହେଲାଣି କି ?’’

 

କଥାଟା ଯାଇ ଠିକ୍‌ ମୋ ଅନ୍ତଃସ୍ଥଳରେ ବିନ୍ଧିଲା । ଚମକି ପଡ଼ି ଭିତରେ ଭିତରେ ଥରିଉଠିଲି । ନିଶା କାହୁଁ ଜାଣିବ, କେଡ଼େ ଆଘାତ ସେ ନ ଜାଣି କରି ମତେ ଦେଲା !

 

ବକ୍ଷର ଅଧୀନ ସ୍ପନ୍ଦନ ଗୋପନ କରି ମୁଖରେ ହାସ୍ୟର ରେଖା ଟାଣି ଯଥାସାଧ୍ୟ ସପ୍ରତିଭ କଣ୍ଠରେ ତାକୁ ଜବାବ ଦେଲି । ‘‘ନାହିଁ ମ, ଏଇକ୍ଷଣି ଶୋଇ କରି ଉଠୁଛି ବୋଲି ଆଖି ସେମିତି ଦିଶୁଛି । ଆସ–ବସ–ନାହିଁ ନାହିଁ, ସେଠି ନୁହେଁ–ମତେ ଆଉଜି କରି ବସ; ତୁମକୁ ଖାଲି କୋଳକୁ ଟାଣିନେବାକୁ ମନ ହଉଛି, ସାନ ନଣନ୍ଦଟି ମୋର !’’

 

ସେ ପିଲାଟା; କାହୁଁ ବୁଝିବ ମୋ ଦୁଃଖ ? ତାକୁ କାହିଁକି କହିବାକୁ ଯିବି ଯେ, ବାସ ସତକୁ ସତ ବାସି ହେଲାଣି ?

 

ମତେ ବଳ ଦିଅ, ଭଗବାନ ! ସମସ୍ତଙ୍କ ଉପେକ୍ଷା ଅନାଦର ସହିବାକୁ ଜନ୍ମ ହୋଇଥିଲା ମୋର । ଅବାଧ୍ୟ ଆଖିରୁ ଲୁହ ଗଡ଼ି ପଡ଼ୁଛି । ଡାଏରୀର ପୃଷ୍ଠାଗୁଡ଼ିକ ତିନ୍ତି ଗଲାଣି । ମୋ କାନ୍ଦଣାର ସଜଳ ସାକ୍ଷୀ, ମୌନ ସାକ୍ଷୀ ମୋର !

Unknown

 

ଦିନକୁ ଦିନ ଅସହ୍ୟ ହୋଉ ଉଠୁଛି । କେଉଁ ଶାନ୍ତିରେ ଘର କରିବି ? ଚାରିଆଡ଼େ ମୂକ ବଧିର ଅଭିନୟ ପରି ସମସ୍ତେ ଚୁପ୍ ଚାପ୍‌ । ଶାଶୁ ଧାରଣା ଦେଇ ଠାକୁରଘରେ ପଡ଼ିଛନ୍ତି । କେହି କିଛି ପଚାରିଲେ କହୁଛନ୍ତି, ‘‘ମତେ କିଛି କହନାହିଁ । ଯା ବୋହୂକୁ ପଚାର ।’’ କହୁଛନ୍ତି, ‘‘ଏତେ ସୁଆଙ୍ଗ ମୁଁ ଦେଖିପାରିବିନାହିଁ । ମରିବି କେବେ ସେଇଆ କହ । ପ୍ରଭୁ ହେ, କେବେ ମତେ ଉଦ୍ଧାର କରିବ....!’’

 

ବେଳେବେଳେ ମୋ ଉପରେ ଟିକିଏ ପ୍ରସନ୍ନ ହୋଇଗଲେ ତୁନି ତୁନି ଡାକନ୍ତି, ‘‘ଆଲୋ ବୋହୂ–ମୁଁ ତ ବୁଢ଼ୀ ମଣିଷ, ମତେ ଛାଡ଼ିଦେ, ମୁଁ ଦେବଦ୍ୱିଜ ପୂଜା ଆରଚା ନେଇ ପଡ଼ିଥାଏଁ । ତମ ଘର ତମେ ବୁଝିସୁଝି ନିଅ ।’’ ମୁଁ କାନ୍ଦି ପକେଇଲେ କହନ୍ତି ‘‘ଛିଃ, ମାଆଟି ପରା ! ତୁ କ’ଣ ମତେ ଅପସନ୍ଦ ? ଦୁନିଆଯାକ ନିନ୍ଦନ୍ତି ବୋଲି ସିନା ମୁଁ ଚିଡ଼େ ।’’ ମୁଁ ତୁନି ହୋଇ ରହିଲେ କହନ୍ତି, ‘‘ହଁ, ମୁଁ ବୁଝିଲିଣି ଯେ । ତମ ଦିହିଁଙ୍କ ଭିତରେ ଗୋଟାଏ କ’ଣ ହେଇଛି, ନା ? ଘର କରିବାକୁ ଗଲେ ସେମିତି କେତେ ହେଇଥାଏ । ଶୁଣିବୁ ଦେବ ବାପାଙ୍କ କଥା ? ଦେବକୁ ଯେତେବେଳେ ତିନିବର୍ଷ ପୂରି ଚାରି ଚାଲିବ–ହଁ, ଏଇ ମଗୁଶିର ମାସରେ ତ । ସେଦିନ କି ତିଥି ଥିଲା, ନବମୀ କି ଦଶମୀ ମନେପଡ଼ୁନାହିଁ । ହଁ, କ’ଣ ହେଲାକି, ଦେବ ବାପା କହିଲେ ହଇହେ...’’

 

ଗପଟା ବେଶ ଲମ୍ବା ଚଉଡ଼ା ହେଲା । ସାର ମର୍ମ–ତାଙ୍କ ‘‘ଗେରସ୍ତ’’ଙ୍କ ସାଙ୍ଗରେ ଅପଡ଼ ହୋଇ ସେ ଦିମାସକାଳ କଥା କହି ନଥିଲେ । ଶେଷକୁ ଯେତେବେଳେ ରାଗ ଚାଲିଗଲା ଅଥଚ ଅଭିମାନ ଗଲାନାହିଁ, ଦିହେଁଯାକ ହାତ ଠରାଠରି ହୋଇ କେତେକ ଦିନ କଟାଇ ଦେଲେ । ହଠାତ୍‌ ଦିନେ ଦେବବାପା ଅତର୍କିତ ଭାବରେ ତାଙ୍କୁ ‘ଦେବବୋଉ’ ବୋଲି ଡାକି ଦେଲେ, ଆଉ ଅତର୍କିତ ଭାବରେ ୟାଙ୍କ ମୁହଁରୁ ବାହାରି ଗଲା, ‘ଓ !’ ସବୁ ମେଣ୍ଟିମାଣ୍ଟି ଗଲା ଦିହିଁଙ୍କର ଦୁଇ ମାସ ସଞ୍ଚିତ ହୃଦୟଭରା ହସରେ ।

 

ଗପଟା କହିସାରି ଶାଶୁ ଦୀର୍ଘନିଶ୍ୱାସ ମାରି କହିଲେ, ‘‘ହେଲେ ମୁଁ ଜାଣିଥିଲି, ତମେ ପାଠୋଇ ବୋହୂଯାକ ସ୍ୱାମୀମାନଙ୍କୁ ହାତ କରି ରଖିପାର, ତାଙ୍କୁ ମାଙ୍କଡ଼ନାଚ ନଚେଇ ପାର । ଦେଖିଛି ପାଠୋଇ–ଅପାଠୋଇ ସବୁ ବୋହୂଯାକ ଏକାମିତି ଦୁଃଖୀ ।’’

 

ଯାହାହେଉ, ସାନ୍ତ୍ୱନା ଏତିକି ଯେ ମାନବହୃଦୟର ସରଳ ସତ୍ୟଟା ତାଙ୍କୁ ଅଛପା ରହିନାହିଁ । ମୋ ଶାଶୁଙ୍କ ସହାନୁଭୂତି ପାରଦ ପରି ତରଳ । କାଲି ହୁଏତ ସେହି ଶାଶୁ ଓଳଟା ଗାଇବେ, ଏମିତି କେତେ ଗାଇଛନ୍ତି । କିନ୍ତୁ ଆଜିକାର ଏହି ଅନୁକମ୍ପାଟିକୁ ମୋ ଶୂନ୍ୟ ହୃଦୟର ଅସଂଖ୍ୟ ଧନ୍ୟବାଦ ।

 

X X X

 

ଆଚ୍ଛା, ତାଙ୍କୁ ମୁଁ ପଚାରେ, ସେ ମତେ ଯେତେ ଉପେକ୍ଷା କଲେ, ତାଙ୍କ ବୋଉ ମତେ କେତେବେଳେ ‘ଲକ୍ଷ୍ମୀ’, କେତେବେଳେ ‘ଡାଆଣୀ’ କହିଲେ ସବୁ ତାଙ୍କୁ ସାଜେ । କିନ୍ତୁ ତାଙ୍କର ଦାସୀ ଚାକର ପର୍ଯ୍ୟନ୍ତ ମତେ ଅପମାନ କରିବାକୁ କିଏ ? ଏ ଅପମାନ ତ ମୁଁ କ୍ଷମା କରିବିନାହିଁ ! ନା–ମୁଁ କଠିନ ହେବି, ନିଷ୍ଠୁର ହେବି, ଅପମାନ ନିକଟରେ, ଅନ୍ୟାୟ ସମ୍ମୁଖରେ । ମୋ ଅଧିକାର ମୁଁ ଷୋଳଅଣା ବୁଝିନେବି । ଦୁର୍ବଳ ହେବିନାହିଁ–ଦୁର୍ବଳ ହେବିନାହିଁ ।

 

ସାଆନ୍ତ ସାଆନ୍ତାଣୀ ଭିତରେ ମନୋମାଳିନ୍ୟ ହେଲେ ଚାକର ଚାକରାଣୀମାନେ ମଧ୍ୟ ଯୋଡ଼ାଏ ଦଳରେ ବିଭକ୍ତ ହୋଇ ପଡ଼ନ୍ତି । କେଜାଣି କେମିତି ସେମାନେ ସ୍ୱତଃ ବୁଝିପାରିଲେଣି, ଆମ ଭିତରେ ଗୋଟାଏ ମନାନ୍ତରର ଆଭାସ ଦେଖାଦେଉଛି, ଆଉ ସାଙ୍ଗେ ସାଙ୍ଗେ ସେମାନଙ୍କ ଭିତରେ ଆଖି ଟିପାଟିପି ଆରମ୍ଭ ହେଇଗଲାଣି । ‘‘ଦେଖିଲ ? ସେଇ ଦେବବାବୁ, ସେଇ ବାସ ଦେଈ ! ପରାଯୋଡ଼ି ପରି ଯେଉଁମାନେ ଦଣ୍ଡେ କେହି କାହାରିକି ଛାଡ଼ିପାରୁ ନଥିଲା.....ସେଇମାନେ-! ସେଇମାନେ !’’

 

ଭାରି ଗୋଟାଏ ଖୋରାକ ଜୁଟି ଗଲାଣି ସେମାନଙ୍କୁ । ଫୁସୁର୍‌ଫାସୁର୍‌ ହୋଇ କଥାଟା ଚାରିଆଡ଼େ ରାଷ୍ଟ୍ର କରିଦେବେ ଯେତେବେଳେ, ସେତେବେଳେ ମୁଁ କେଉଁ ଗୌରବରେ ମୁଣ୍ଡ ଟେକି ବାଟ ଚାଲିବି ? ମୋ ସୌଭାଗ୍ୟରେ କେତେ ଗାଁ–ଝୁଅ, ଗାଁ–ବୋହୂ ହିଂସାରେ ଜଳି ଯାଉଥିଲେ ! ଖୁବ୍‌ ଶୀଘ୍ର ଦିନେ ଦେଖିବି, କୌତୁକରେ ସେମାନେ ହାତ ଠରାଠରି ହେଉଛନ୍ତି, ମୁରୁକି ମୁରୁକି ହସୁଛନ୍ତି, ପାଠୋଇ ବୋହୂ ନାଁରେ ଢଗ ମେଲୁଛନ୍ତି ! ହାୟରେ !

 

କେତେକାଳ ଉଣ୍ଡି ଶନିଆମାଟା ସୁଦ୍ଧା କହିଦେଲା, ‘‘ବୋହୂସାଆନ୍ତାଣୀ କିଏ, ମୋ କଥାଟି ଶୁଣ । ଭଲରେ ଭଲରେ ଏ ଘର ଛାଡ଼ି ଯୋଉ ମୁଲକରୁ ଆସିଥିଲେ ସେଇ ମୁଲକକୁ ଲେଉଟି ଯାଅ ! ଆମ ବାବୁଙ୍କୁ ଭୁଲେଇ ଭାଲେଇ ଆଶ୍ରା କରି ଏତେ ବଡ଼ ନାଁଆକୁ ଏତେ ଟିକିଏ କରି ତ ରଖି ସାରିଲଣି, ଏବେ ଭଲରେ ଭଲରେ ବିଦା ହୋଇଯା, ମା’ ମଙ୍ଗଳା ।’’

 

ମୁଁ କ୍ରୋଧରେ ଲାଲ ହୋଇଗଲି । କିନ୍ତୁ ପରେ ମନେ ହେଲା, ଏହାର କି ଦୋଷ ? ଯାହାଙ୍କ ସାହସରେ ଏ କଥା କହିଦେଲା, ସେ ବି ତ ସେଇଆ କାମନା କରୁଥିବେ ! ଜୋର କରି ହସି ହସି କହିଲା ‘‘ଆଚ୍ଛା, ଶନିଆମା, ତମ ବାବୁ ଆଉ ଗୋଟିଏ ବାହା ହେଲେ ନୂଆବୋହୂଟି ତମ ମନକୁ ପାଇବ ନା ?’’

 

ଶନିଆମା ଟିକିଏ କ’ଣ ଭାବିଲା ।

 

ମୁଁ ଉପରି ଉପରି କହିଯିବାକୁ ଲାଗିଲି; ହୃଦୟାବେଗ ଦବେଇ ପାରୁ ନଥାଏ । ‘‘ଶନିଆମା ଗୋ, ମୁଁ ତ ଯେତେ ଅଶାନ୍ତି, ଯେତେ ଅକଲ୍ୟାଣ ନେଇ ଏ ଘରକୁ ଆସିଲି, ତମ ସୁନା ସଂସାର ଚୂନା କରିଦେଲି, ମୋ ଉପରେ ରାଗିବ, ରାଗ । କିନ୍ତୁ ଯୋଉଁ ନୂଆ ବୋହୂଟି ଆସିବ, ତାକୁ ତମେ ସବୁ ବାହୁନିବନାହିଁ ତ ? ମୋର ସିନା ସବୁ ଦୋଷ; ତା’ର ସବୁ ଗୁଣ ହେବ ତ ? ନା, ତାକୁବି ଦିନେ କହିବ, ଯା, ଯା, ଯୋଉଁ ବାଟେ ବାଟେ ଆସିଥିଲ, ସେଇ ବାଟେ ବାଟେ ଚାଲିଯା, ମା’ ଚଣ୍ଡି !’’

 

କଥାଟା ଶନିଆମାର ହୃଦୟ ସ୍ପର୍ଶ କଲା ପରି ଲଗିଲା । ସେ ଟିକିଏ ନରମ ହୋଇ କହିଲା, ‘‘କ’ଣ କହିବି, ମା’, ତମ ନାଁରେ କେତେ ଲୋକ କେତେ କହୁଛନ୍ତି, ମୁଁ ମୂରୁଖ ମଣିଷ, ଜାଣିଛି, ନା ବୁଝିଛି ? ସମସ୍ତେ ଯା କହନ୍ତି, ମୁଁ ସେଇଆ କହିଲି, ନୋହିଲେ ତମକୁ କି ମୋର ଅଶରଧା ! ତମେ ତ ମତେ କେତେ ଖିରିପିଠା ଖୋଇଛ, ମୋ ପିଲାଟିକୁ କୁଣ୍ଢେଇ ଦେଇ ଇସୁକୁଲରେ ବସେଇଛ । ଆହା, ତମ ପରି ମଣିଷକୁ କ’ଣ କହି ପକେଇଲି ! କେତେ ପାତକ ଲାଗିଲା ! କିଛି ମନରେ ବିଚାରିବନାହିଁ, ମା’ । ବୁଢ଼ୀଟା ! ମୁଣ୍ଡ ଠିକ୍‌ ନାହିଁ, ତୁଣ୍ଡରୁ କ’ଣ ବୋଲି କ’ଣ ବାହାରି ଯାଏ ।’’

 

ଏହିସବୁ ମଣିଷକୁ ନେଇ କେମିତି କାରବାର କରିବି ? ମୋ ଆଗରେ ଗୋଟାଏ କଥା, ପଛରେ ଗୋଟାଏ କଥା । ହପ୍‌ପାରେ ମାତି ନିନ୍ଦିବେ । ମିଠା କଥା ଶୁଣିଲେ ନରମ ହୋଇଯିବେ । ଫେରିଯାଇ ହପ୍‌ପାରେ ମାତି ସାଇଯାକ ଦୋଷ ଗାଇ ବୁଲିବେ । ଟିକିଏ ଭାବନ୍ତିନାହିଁ, ବୁଝନ୍ତିନାହିଁ-। ଅଥଚ ଏମାନଙ୍କୁ ଶିଖେଇ ବୁଝେଇ ମଣିଷ କରିବାକୁ ଗଲେ ଦୋଷ, ନ କଲେବି ଦୋଷ ।

 

ହଉ– ।’’

 

–ଷୋହଳ–

 

ଦେବବ୍ରତର ଡାଏରୀର ଏକାଂଶ ।

‘‘ଦିନକୁ ଦିନ ମୋର ପ୍ରତ୍ୟୟ ହେଉଛି, ବାସନ୍ତୀ ମୋତେ ଭଲପାଏନାହିଁ । କାହିଁକି କେଜାଣି ସବୁବେଳେ ମୋର ମନେହେଉଛି, ମୁଁ ବିବାହ କରି ଭୁଲ କରିଛି, ଠକି ଯାଇଛି । ସମାଜକୁ ଯେ ତୁଚ୍ଛ କରି ସ୍ୱାଧୀନ ଇଚ୍ଛାରେ ବିବାହ କରେ, ସେ କାହିଁକି ତାହା କରେ । ସୁଖପାଇଁ ତ ? ପ୍ରେମପାଇଁ ତ ? ଯଦି ହଠାତ୍‌ ଦିନେ ସେ ଦେଖେ, ସମାଜ ସପ୍ତରଥୀ ପରି ତାକୁ ବେଢ଼ି ଯାଇଛି, ନିନ୍ଦା ବିଦ୍ରୂପର ବାଣ ବରଷି ତାକୁ କ୍ଷତବିକ୍ଷତ କରି ଦେଉଛି, ଅଥଚ ଯେଉଁ ପ୍ରେମ ତାକୁ ବଳ ଦିଅନ୍ତା, ତେଜ ଦିଅନ୍ତା, ଦୁଃଖ ସହିବାକୁ ସାହସ ଦିଅନ୍ତା, ସେହି ପ୍ରେମ ବାଷ୍ପ ହୋଇ ଉଡ଼ି ଯାଇଛି, ତେବେ କେଉଁ ସୁଖର ଆଶାରେ ସେ ଯୁଦ୍ଧ କରିବ, କେଉଁ ଆନନ୍ଦ ତାକୁ ବଞ୍ଚେଇ ରଖିବ ? ମୂଳରୁ ପ୍ରେମ ନଥାଇ ବିବାହ ଗୋଟାଏ କଥା । ସମାଜର ଆଉ ସମସ୍ତଙ୍କ ଭଳି ନିଜ ଭାଗ୍ୟକୁ ଆଦରି ରହିଯିବା ଲୋକଙ୍କ ପକ୍ଷରେ ସହଜ; କିନ୍ତୁ ମୁଁ ତ ସମସ୍ତଙ୍କ ପରି ହେବାକୁ ଯାଇନାହିଁ । ଏଇଥିଲାଗି ଯେଉଁ ଦୁଃଖ ସମସ୍ତେ ସହି ଯାଆନ୍ତି, ସେ ଦୁଃଖ ମତେ ଅସହ୍ୟ ଲାଗୁଛି ।

ତାକୁ ଯଦି ମୁଁ ଭଲପାଉଥାନ୍ତି ତାହେଲେବି ସବୁ ଦୁଃଖ ପାସୋରି, ତା’ ଅନାଦର ସହି କୌଣସିମତେ କାଳ କାଟନ୍ତି । ସ୍ୱାର୍ଥତ୍ୟାଗର ସମସ୍ତ କ୍ଷତିଠାରୁ ଓଜନରେ ବଳି ପଡ଼ନ୍ତା ମୋର ପ୍ରେମର ଆନନ୍ଦ; କିନ୍ତୁ ତାକୁ ତ ଭଲପାଇନାହିଁ କେଭେଁ ।

ଭଲପାଇନାହିଁ ? ନା, ଭଲପାଇନାହିଁ । ଦିନେ ମନେହେଉଥିଲା, ଭଲପାଉଛି, ବିବାହ ପୂର୍ବେ । କିନ୍ତୁ କାହିଁ ? ବିବାହବେଳେ ତ ତା’ ପ୍ରତି ଖୁବ୍‌ ବେଶି ଅନୁରାଗ ନଥିଲା । ଥିଲା ଖାଲି ଗୋଟାଏ କର୍ତ୍ତବ୍ୟ ବୋଧ, ଗୋଟାଏ ପ୍ରତିଶ୍ରୁତି ମୋଚନ କରିବାର ଇଚ୍ଛା । ସେଦିନ ସେହି କର୍ତ୍ତବ୍ୟବୋଧର କୁହୁଡ଼ିରେ ମୁଁ ବାଟବଣା ହୋଇ ଭାବୁଥିଲି, ପ୍ରେମପାଇଁ ଜୀବନର ଯୁଦ୍ଧ ବରି ନେଉଛି, ସମାଜକୁ ଧକ୍‌କା ଦେବାକୁ ଯାଉଛି । ଆଜି ନାହିଁ ପ୍ରେମର ସେ ନିଶା । ରହିଯାଇଛି କର୍ତ୍ତବ୍ୟବୋଧର ନୀରସ ଶୁଷ୍କତା । ଏହି ଶୁଷ୍କ ହୃଦୟ ଘେନି ମୁଁ ସମାଜ ଭାଙ୍ଗିବି, ଗଢ଼ିବି ? ଏତେ ଶକ୍ତି ତ ମୋରନାହିଁ !

ମୁଁ ଠକି ଯାଇଛି, ଠକି ଯାଇଛି, ଗୋଟାଏ ବିରାଟ ଭ୍ରାନ୍ତିର ଶୁଷ୍କ, ଶାନ୍ତ ଶୂନ୍ୟତା ମୋ ହୃଦୟ ମନକୁ ଅବସନ୍ନ କରି ରଖିଛି । ମନକୁ କହୁଛି, ଦେବବ୍ରତ, ଭୀଷ୍ମ ପରି ପ୍ରତିଜ୍ଞା ତୁମେ ପାଳିଛ ସତ, କିନ୍ତୁ ତୁମ ଜୀବନ ଯେ ଭୀଷ୍ମଙ୍କଠାରୁ ବଳି ନୀରସ, ବ୍ୟର୍ଥ ହେଲା ।

 

ବ୍ୟର୍ଥ ହେଲା ? ହୋଇଥିବ । ବାହାରେ ସମାଜ କରି ଦେଇଛି ଏକଘରକିଆ, ଭିତରେ ମା’ କରି ଦେଇଛନ୍ତି କୋଳରୁ ଦୂର, ସ୍ତ୍ରୀ କରି ଦେଇଛି ମନରୁ ଦୂର । କାମ କରିବାକୁ ଇଚ୍ଛା । କ’ଣ ନେଇ କାମ କରିବି ? ଏହି ଅବସନ୍ନ ମନ ?

 

କାନ୍ଦିବାକୁ ମନହେଉଛି । କାନ୍ଦିବି ? କାନ୍ଦେଁ । ହୃଦୟର ସବୁ ବ୍ୟଥା ଲୁହ ହୋଇ ଝରିପଡ଼ୁ, ବାଷ୍ପ ହୋଇ ଉଡ଼ିଯାଉ ଏଇ ନଈକୂଳଟିରେ, ଏଇ ଜହ୍ନରାତିଟିରେ ବସି କାନ୍ଦିବି । ଥରେ ଥରେ ମନେହେଉଛି, ମୁଁ ତେଜସ୍ୱୀ ଦେବବ୍ରତ, ବଳିଷ୍ଠ ପୁରୁଷ ମୁଁ । କାନ୍ଦିବି ମୁଁ କେଉଁ ଦୁଃଖରେ ? ନା–ଦେବବ୍ରତ, ଅହଙ୍କାରର ସ୍ଥାନ ଏ ନୁହେଁ । ନଈ କାନ୍ଦୁଛି କଳକଳ ହୋଇ, ଅନନ୍ତ ଶୋକାଶ୍ରୁ ଅନ୍ତରରେ ବହି । ଜହ୍ନ କାନ୍ଦୁଛି ମୁକ୍ତ କିରଣଧାରାରେ, ଏକାକୀ ହୃଦୟର ବିରହବେଦନାରେ । ତୁମେବି କାନ୍ଦ–ତୁମେବି କାନ୍ଦ ।

 

ଆଚ୍ଛା, ମୁଁ ସବୁ ଦୁଃଖ ଆଖିପାଣିରେ ଧୋଇ ଦେବି ।

 

X X X

 

କାଲି ରାତିରେ କେଜାଣି କେତେବେଳେ ଘରକୁ ଫେରିଲି । ଟଳି ଟଳି ମଦୁଆଙ୍କ ଭଳି ଘରେ ପହଁଞ୍ଚିଲି । ବାସନ୍ତୀ ଶୋଇ ନଥିଲା । ପ୍ରବଳ ଇଚ୍ଛା ହେଉଥାଏ, ଜୋର୍‌ସେ ତା’ର ନରମ ହାତ ଦିଓଟିକୁ ଚାପି ଧରି ଜ୍ୱଳନ୍ତଦୃଷ୍ଟିରେ ତା’ ଆଖି ଆଡ଼କୁ ଚାହିଁ–ଥରେ, ଥରଟିଏ, ତାକୁ ପଚାରେଁ, ‘‘ବାସନ୍ତୀ, ସତ କହ, ତୁମେ ମତେ ଭଲପାଅ ?’’ ଭୀତ ସନ୍ତ୍ରସ୍ତ ହୋଇ ସେ ଉତ୍ତର ଦିଅନ୍ତା, ‘‘ହଁ ।’’ ଆଉ, ମୁଁ ତାକୁ ଦୂରକୁ ଫିଙ୍ଗି ଦେଇ ପ୍ରଚଣ୍ଡ ଆବେଗରେ କହନ୍ତି, ‘‘ନା, ମିଥ୍ୟାବାଦିନୀ ନାରୀ !’’

 

ପାଗଳ ପରି କ’ଣ ଲେଖି ଯାଉଛି । ଛିଃ ଛିଃ–ବାସନ୍ତୀ ତ କେଭେଁ ମତେ କହିନାହିଁ, ସେ ମତେ ଭଲପାଏନାହିଁ । କାହିଁ ସେ ତ କେଭେଁ ମତେ କଷ୍ଟ ଦେଇନାହିଁ ଜାଣିଶୁଣି !–ନା, ନିଶ୍ଚୟ ଦେଇଛି । ମୁଁ ମନକୁ ବିଶ୍ୱାସ କରେଇବି ଯେ, ବାସନ୍ତୀ ମତେ କଷ୍ଟ ଦେଇଛି, ଦିନରାତି କଷ୍ଟ ଦେଇଛି । ସତ ହେଉ, ମିଛ ହେଉ, ମୁଁ ଆଜି ବିଶ୍ୱାସ କରିବି, ସେ ମତେ କେଭେଁ ଭଲପାଇନାହିଁ, ଖାଲି ସୁଖରେ ରହିବ ବୋଲି ବାହା ହେଇଛି । ଠିକ୍‌–ଠିକ୍‌–ମତେ ସେମାନେ ଜାଲରେ ପକେଇଛନ୍ତି, ମା’ ଝୁଅ ଦିହେଁ ମିଶି । ଏତେ ଲୋକ ଥାଉ ଥାଉ ସେମାନେ ମତେହିଁ ଶୀକାର କରିଛନ୍ତି । ଆସ୍ତେ ଆସ୍ତେ ସ୍ନେହର ଛଳନା କରି ମତେ ଦେଇ ସବୁ ସୁବିଧା କରେଇ ନେଇଛନ୍ତି । ହୁଁ–ହୁଁ, ମୁଁ ଯେ କେଡ଼େ ଚାଲାଖ ସେମାନେ ଜାଣିନାହାନ୍ତି ନା ? ହୁଁ–ଆଜିଯାଏ ଏ କଥା ଖିଆଲ୍‌ ହେଇନାହିଁ, ମୁଁ ବଡ଼ ସରଳ ବୋଲି ।

 

ବାସନ୍ତୀ ମତେ କଦାପି, କସ୍ମିନ୍‌ କାଳେ ଭଲପାଇନାହିଁ । କେବଳ ସ୍ୱାର୍ଥସିଦ୍ଧିର ଉପାୟ କରିଛି । କେବଳ ନିଜ ସୁଖ ଆଡ଼ୁ ଦରକାରୀ ମନେକରିଛି । ଏହି ସହଜ କଥାଟା ଏତେ ଦିନ ମୁଁ ବୁଝି ନଥିଲି କିପରି ମ !

 

ସେ ଯେ ପୁରୁଷ ଜାତି ବିରୁଦ୍ଧରେ ପ୍ରବନ୍ଧ ଲେଖିଛି, ସେ ତ ପ୍ରକାରାନ୍ତରେ ମୋହରି ନିନ୍ଦା ନୁହେଁ ? ବାସନ୍ତୀ ଆଜି ଯେଉଁ ପୁରୁଷକୁ ଚିହ୍ନିଛି, କାହା ସଂସ୍ପର୍ଶରେ ଆସିଛି ଯେ, ସେ ପୁରୁଷ ଜାତି ଉପରେ ଏଡ଼େ ଖପ୍‌ପା ହେବ ? ନିଶ୍ଚୟ, ମତେହିଁ ସେ ଲକ୍ଷ୍ୟ କରିଛି, ମତେ ନୁହେଁ ? ଆଉ କାହାକୁ ? ପିଲାଟିଦିନୁ ବାପା ନାହାନ୍ତି, ମୂଳରୁ ଭାଇ ନାହାନ୍ତି, ପୁରୁଷ ଆତ୍ମୀୟ ନାହାନ୍ତି କହିଲେ ଚଳେ । ତେବେ ଆଉ କାହାକୁ ସେ ନିନ୍ଦିପାରେ ? ମତେ ନ ହେଲେ ଆଉ କାହାରିକି ସେ ଭଲପାଇଥିବ, ପାଇ ରୁଷିଥିବ, ତାହାରି ଉପରେ ଏ ଆକ୍ରୋଶ ! କଥାଟା ତ ଭଲ କଥା ନୁହେଁ ? ସେ ଆଉ କାହାକୁ ଭଲପାଏ ? ନିଶ୍ଚୟ, ନିଶ୍ଚୟ ଭଲପାଏ । ହଁ, ଭଲପାଏ, ଅଲବତ୍‌ ଭଲପାଏ, ହଜାର ଥର କହିବି, ଭଲପାଏ । ମୁଁ ନିଜେ ଦେଖିଛି, ରମେଶକୁ ସେ ଚିଠି ଦିଏ । ଦେଲେ ଦୋଷ କ’ଣ ? ମୁଁ ନିଜେ ତ ତାକୁ ଏଥିପାଇଁ ଅନୁରୋଧ କରିଥିଲି; କିନ୍ତୁ ୟା ବୋଲି ସେ ଏପରି ଅନୁରୋଧ ରଖିଲା କାହିଁକି ? ନିଶ୍ଚୟ ତା’ର ଆଗ୍ରହ ଥିଲା । ଚିଠି ଲେଖିବାଟା କ’ଣ ଦୋଷ ? ଖୁବ୍‌ ଦୋଷ । କାହିଁକି ସେ ଚିଠି ଦେବନା ? ତା’ର କ’ଣ ଅଭାବ ? ନିଶ୍ଚୟ ମୋ ବିରୁଦ୍ଧରେ ଅଭିଯୋଗ କରୁଥିବ-। ଲେଖୁଥିବ, ‘‘ମୁଁ ଏ ବିବାହରେ ସୁଖୀ ହୋଇନାହିଁ ।’’ ଲେଖୁଥିବ, ‘‘ଏ ପରିବାରରେ ମୁଁ ପୋଡ଼ିଜଳି ମରୁଛି । ଏତକ ଦେବବାବୁଙ୍କ ଯୋଗୁଁ ହେଲା ।’’ ଲେଖୁଥିବ...କ’ଣ ଲେଖୁଥିବ ଆଉ ଭାବିପାରୁନାହିଁ-! ବଡ଼ ବିରକ୍ତ ଲାଗୁଛି । ମୁଁ ବଡ଼ ସନ୍ଦେହ–ପ୍ରବଣ ହୋଇ ପଡ଼ୁଛି । ଧିକ୍‌ ମତେ, ଏପରି ତ ନଥିଲି !

 

କାଲି ବାସନ୍ତୀର ମୁହଁ ଦେଖି ମନେହେଉଥିଲା, ସେ ଯେପରି କ’ଣ କହିବାକୁ ଚେଷ୍ଟା କରୁଛି, କହିପାରୁନାହିଁ । କେହି ଯେପରି ତା’ର କଣ୍ଠରୋଧ କରି ଦେଇଛି । ଆହା, ବାସନ୍ତୀ ! ବଡ଼ ନିଃସଙ୍ଗ ସେ; କେହି ତା’ର ଯତ୍ନ କରନ୍ତିନାହିଁ, ଶାଶୁ କ୍ରୁଦ୍ଧ; ସ୍ୱାମୀ ଉଦାସୀନ, ଗ୍ରାମର ସମସ୍ତେ ବିମୁଖ । ମତେ ବାହା ହେବାର ଅପରାଧ ଯେପରି ତା’ରି ! ନିର୍ଦ୍ଦୋଷ ବାଳିକା ! ତୁମକୁ ମୁଁ କେତେ ସନ୍ଦେହ କରି ନିଜକୁ କଷ୍ଟ ଦେଉଛି । କାହିଁକି ତୁମେ ସେ ପ୍ରବନ୍ଧ ଲେଖିଲ ? ସେଇଥିରୁ ସିନା ମୋର ଏତେ ରାଗ । ଆହା, କାହିଁକି ତୁମେ ଇସ୍କୁଲ କଲ ଏତେ ତରତର ହେଇ ! ମୁଁ ତ ଖାଲି ଚାହୁଁଥିଲି, ଆମେ ଦିହେଁ ସ୍ୱାମୀ ସ୍ତ୍ରୀ କେବଳ ପରସ୍ପରକୁ ପାଉଥିବା, କେହି ଆମକୁ ପରସ୍ପରଠାରୁ ଛିନ୍ନ କରି ଦେବେନାହିଁ, କି ଦେଶ, କି ସମାଜ । ମୁଁ ତୁମକୁ ଷୋଳଅଣା ଚାହୁଁଥିଲି । ତୁମେ ମତେ ବଞ୍ଚିତ କରି ଦେଶକାମକୁ ଆଦରି ନେଲ କାହିଁକି ?

 

ମନ ଭିତରଟା ବେଶ୍‌ ନରମ ହୋଇଗଲା । କିନ୍ତୁ ଜଣେଇ ପାରିଲିନାହିଁ କୌଣସିମତେ ଯେ, ‘‘ବାସନ୍ତୀ, ତୁମକୁ ମୁଁ ଭଲପାଏ, ତୁମେ ମତେ ଭଲପାଅ ।’’ ନିର୍ଦ୍ଦୋଷ, ନିରୀହ ପ୍ରିୟାଟି ମୋର-! ତା’ର କି ଦୋଷ ? ସେ ଯାହା ଠିକ୍‌ ବୁଝିଛି ତାହାହିଁ ତ କରୁଛି ? ସେ କ’ଣ ଜାଣେ ଯେ ତାକୁ ମୁଁ ଅକାରଣ ସନ୍ଦେହ କରୁଛି ?

 

ଥରେ ତା’ ସହିତ କଥାବାର୍ତ୍ତା ହେଲେ ସବୁ ପରିଷ୍କାର ହୋଇଯାନ୍ତାନାହିଁ କି ? କିନ୍ତୁ କିଏ ଆଗ କଥା କହିବ ? ସେ, ନା, ମୁଁ ? କିନ୍ତୁ ଏସବୁ କଥା ପକେଇବାକୁ ତ ସାହସ ହେଉନାହିଁ, ସଙ୍କୋଚ ବୋଧ ହେଉଛି । ତାକୁବି ସଙ୍କୋଚ ହେଉଥିବ ଯେ ! ସେ ଯେ ନାରୀ !

 

ଥରେ ଯଦି ତାକୁ ବୁଝେଇ ଦେଇପାରନ୍ତି ଯେ, ‘‘ବାସନ୍ତୀ, ତୁମ ବିରୁଦ୍ଧରେ ମୋର ଅଭିଯୋଗ ଆଉ କିଛି ନୁହେଁ, କେବଳ ଏତିକି–ତୁମେ କାହିଁକି ମତେ ବଞ୍ଚିତ କରି ସଂସାର ସେବାରେ ଆପଣାକୁ ଢାଳି ଦେଉଛ । ହେଇପାରେ ଏଇଟା ମୋର ସ୍ୱାର୍ଥପର ଇଚ୍ଛା, କିନ୍ତୁ ଏହି ସ୍ୱାର୍ଥପରତାରେ ଯେ ମୋର ସୁଖ । ତୁମକୁ ମୁଁ ଚାହେଁ ବାସନ୍ତୀ, ସମ୍ପୂର୍ଣ୍ଣରୂପେ ଚାହେଁ । ସଂସାର ଦାବି ପଛେ, ମୋ ଦାବି ଆଗ । ମୁଁ ତୁମକୁ ଯେତେ ଭଲପାଏ; ସଂସାର ତ ସେତେ ଭଲପାଏନାହିଁ-।’’

 

+ + +

 

ଫେର ମୋର ମସ୍ତିଷ୍କ ବିକୃତ ହୋଇଯାଇଛି । ବେଳେ ବେଳେ ବେଶ୍‌ ବୁଝିପାରୁଛି ଯେ, ମୁଁ ପ୍ରକୃତିସ୍ଥ ନୁହେଁ । ବେଳେ ବେଳେ ମନେହେଉଛି, ମୁଁ ଉତ୍ପୀଡ଼ିତ । ଚାରିଆଡ଼ୁ ମୋ ଉପରେ ଅତ୍ୟାଚାର ହେଉଛି, ସଂସାର, ସମାଜ, ପରିବାର ସମସ୍ତେ ଛିଡ଼ା ହୋଇ ମଜା ଦେଖୁଛନ୍ତି, ଆଉ ମୁଁ ଅଗାଧ ପାଣିରେ ପହଁରି ପହଁରି ଆକୁପାକୁ ହେଉଛି । ବେଳେ ବେଳେ ଜ୍ଞାନ ଫେରିଆସେ । ସବୁ ମନେ ହୁଏ ମୋ ନିଜର କଳ୍ପନା । ସମସ୍ତେ ମତେ ଭଲପାଆନ୍ତି, ଖାତିର କରନ୍ତି, ଗାଁରେ ମୋର ପ୍ରତିପତ୍ତି ଅଛି, ସମାଜପତିମାନେ ମତେ ଡରନ୍ତି, ପ୍ରଜାଏ ମତେ ଶ୍ରଦ୍ଧା କରନ୍ତି, ମ୍ୟାଜିଷ୍ଟ୍ରେଟ୍‌ ମୋହ ସହ ହ୍ୟାଣ୍ଡଶେକ୍‌ କରନ୍ତି । ମା’ ମୋତେ ସ୍ନେହ କରନ୍ତି ବୋଲି ମୋ ଉପରେ ରୁଷିଛନ୍ତି । ବାସନ୍ତୀ ମତେ ଅନ୍ତରରେ ପ୍ରେମ କରେ ବୋଲି ମୁହଁରେ ପ୍ରେମ ପ୍ରଚାର କରେ ନାଇଁ, ମୂର୍ଖ ! ତା’ର ପ୍ରେମପୂର୍ଣ୍ଣ ଚାହାଣୀରୁ ସବୁ ବୁଝିପାରିବା ମୋର ଉଚିତ୍‌ । ମୁହଁରେ କି କେହି କେବେ କହିପାରେ ଯେ, ‘‘ମୁଁ ତୁମକୁ ଭଲପାଏ ।’’ ତେବେ କାହିଁକି ମୁଁ ବାସନ୍ତୀ ଉପରେ ଚିଡ଼ୁଛି ? ତା’ ନୀରବ ପ୍ରେମକୁ ସନ୍ଦେହ କରୁଛି ? ପେଶାଦାର ପ୍ରେମିକ ପ୍ରେମିକାମାନେହିଁ ପ୍ରେମ କଥାର ସରବ ଆତିଶଯ୍ୟରେ ଅନ୍ତରର ରିକ୍ତତା ଗୋପନ କରନ୍ତି । ଶୂନ୍ୟ କଳସର ସିନା ଶବ୍ଦ ବେଶି । ପୂର୍ଣ୍ଣ କଳସ ତ ନୀରବ ।

 

+ + +

 

ନାଃ–ପଟିବନାହିଁ । ଏସବୁ ଫନ୍ଦ ଫିକର ପଟିବନାହିଁ । ତୁମେ ମତେ କେତେକାଳ ଠକି ଆସୁଥିବ ବାସନ୍ତୀ ? ମୁଁ ଜାଣେ ତୁମେ ମତେ ଭଲପାଉନାହଁ । ମୁଁ ମଲେ ତୁମେ ଖୁସି ହେବ, ନା ?

 

ମତେ ଏଡ଼ିବାପାଇଁ କେତେ ଚେଷ୍ଟା ! ମୁଁ ଯଦି ଚଲାଖ ହୋଇ ନଥାନ୍ତି; ତାହେଲେ ତୁମେ ମତେ ଭାରି ଠକାଉଥାନ୍ତ !

 

ଦେଖ ଥରେ ! କେମିତି ମତେ ଧରାଛୁଆଁ ନ ଦେଇ ଏଣେତେଣେ ବ୍ୟସ୍ତହୋଇ ରହିଛ-। ଦିନ ଓଳି ମୋ ସାଙ୍ଗରେ ତାଙ୍କର ଦେଖା କରିବାକୁ ତରନାହିଁ । ସକାଳୁ ଘରକରଣାରେ ଲାଗିଲେ ଯେ ଖୋଜି ଖୋଜି ଥକି ଗଲେବି ଭେଟ ମିଳିବା ଦୁର୍ଘଟା । କ’ଣ କରୁଥିଲ ? ନା, ‘‘ବାସୀ ପାଇଟି ସରିନାହିଁ, ଦେଖାଶୁଣା କରୁଥିଲି ।’’ କ’ଣ କରୁଛ ? ନା, ‘‘ଦିଅଙ୍କ ଫୁଲ ତୋଳୁଛି ।’’ କ’ଣ କରିବାକୁ ଯାଉଛ ? ନା, ‘ଆଲ୍‌ମାରୀରେ ଉଇ ଲାଗି ଗଲେଣି, ଝଡ଼ାଝଡ଼ି କରିବାକୁ ହେବ ।’’ ଅସଂଖ୍ୟ କାମ, ମୁହୂର୍ତ୍ତେ ବିଶ୍ରାମନାହିଁ । ଆଚ୍ଛା, କାମତକ କ’ଣ ଦାସୀ ଚାକରମାନେ କରିପାରନ୍ତେନାହିଁ ? ସବୁ ନିଜେ ନ କଲେ ନ ଚଳେ ? ପଚାରିଲେ କହିବ, ‘‘ଦାସୀ ଚାକର କ’ଣ ମନ ପ୍ରାଣ ଦେଇ ଖଟି ପାରନ୍ତି ? ସେମାନେ କ’ଣ ଆପଣା ଲୋକ ପରି ଯତ୍ନ ନେବେ ? କ’ଣ କରିବାକୁ କହିଲେ କ’ଣ କରି ଥୋଇଦେବେ ।’’ ଦିପହରେ ତ ଫୁରୁସତ୍‌ନାହିଁ ସହଜେ । ଇସ୍କୁଲ ବାହାନା କରି ମତେ ଛାଡ଼ି ପଳେଇଲେ ଯାଇ ତା’ର ଆନନ୍ଦ । ବହି ପଢ଼ାଇ, କାପେର୍ଟ ବୁଣାଇ, ସିଲାଇ ଶିଖାଇ, କେତେଗୁଡ଼ାଏ ଅସଭ୍ୟ, ବଣୁଆ, ମଫସଲିଆଣୀଙ୍କୁ ନେଇ ସଞ୍ଜଯାଏ ସେଇଠି ପଡ଼ିଥିବ ଯେ ମଣିଷ ଅପେକ୍ଷା କରି କରି ନିତାନ୍ତ ବିରକ୍ତ ହେଇ ସାଇକେଲ ଧରି ଏକୁଟିଆ ବୁଲିବାକୁ ବାହାରିବା ପୂର୍ବରୁ ସେ ଘରକୁ ଫେରିବନାହିଁ । କେଉଁ ରସ ସେ ପାଏ ସେଥିରେ । ମୁଁ ତ ଭାବୁଛି, ମତେ ହଇରାଣ କରିବା ତା’ର ଉଦ୍ଦେଶ୍ୟ ।

 

ସନ୍ଧ୍ୟାରେବି ସାଆନ୍ତାଣୀଙ୍କୁ ଦର୍ଶନନାହିଁ । ଭଲା ଟିକିଏ ଛାତ ଉପରକୁ ଆସ, ଗୀତଟିଏ ଗାଅ, କି ହାରମୋନିଅମ୍‌ ବଜାଅ, ଗପ୍‌ସପ୍‌ କର କି ବହି ପଢ଼େ, ଶୁଣ ! ତା’ ନାହିଁ–ଚାକରାଣୀଙ୍କ ହାତରୁ କାମ କାଢ଼ି ନେଇ ଲାଗିଲେ ଶାଶୁଙ୍କ ପଦସେବାରେ । ରୋଷେୟା ବ୍ରାହ୍ମଣର କାମ କମେଇ ଦେଇ ଲାଗିଗଲେ ତରକାରୀ ରାନ୍ଧିବାରେ; କିଛି ନ ମିଳିଲେ ଚାକରାଣୀମାନଙ୍କ ସଭା କରି ରାମାୟଣ ଶୁଣାଇବାକୁ ହେବ । କିଏ ୟାଙ୍କୁ ରାଣ ଦେଇ କହୁଥିଲା ଏସବୁ କରିବାକୁ ! ନିଜ ସ୍ୱାମୀକୁ ଟିକିଏ ସଙ୍ଗଦାନ କରି ତା’ର ଏକାକୀ ଜୀବନଟାକୁ ଟିକିଏ ସରସ କରୁଥିଲେ କେଉଁ ପାତକ ଲାଗିଯାନ୍ତା କେଜାଣି ! ସେ ବିଚରା ବାରଟାଯାଏ ବାଟ ଚାହିଁ ବିଛଣାରେ ଛଟପଟ ହେଇ ହେଇ ନିଦରେ ଅଚେତନ ନ ହେବାଯାଏ ସାଆନ୍ତାଣୀଙ୍କର ସାକ୍ଷାତ୍‌ନାହିଁ । ଦାସ ଦାସୀ, ଆତ୍ମୀୟ ସ୍ୱଜନ ସମସ୍ତଙ୍କ ଖିଆ ନିଜେ ତଦାରଖ ନ କଲେ ପରା କର୍ତ୍ତବ୍ୟ ଶେଷ ହୁଏନାହିଁ ! ଏ ଗୋଟାଏ ବାହାନା ଛଡ଼ା ଆଉ କ’ଣ ? ଅସଲରେ ମୋ ସହିତ କଥା କହିବାକୁ ତାଙ୍କର ତରନାହିଁ । ମୋ ଦାବିଟା ଯେପରି କିଛି ନୁହେଁ–ସଂସାର ଦାବିଟାହିଁ ସବୁ ।

 

‘‘କାହା ଆଖିରେ ଧୂଳି ଦେବ ତୁମେ ? ଦେବବ୍ରତ ଯେପରି ସରଳ, ସେହିପରି ଧୂର୍ତ୍ତ । ସବୁ ଦେଖୁଛି ମୁଁ–ସବୁ ବୁଝୁଛି । ଯେଉଁଦିନ ନିହାତି ଅହସ୍ୟ ହେବ, ସେହିଦିନ ଦେଖିବି ଯେ !’’

 

–ସତର–

 

ବାସନ୍ତୀ ଉପରଘର ବସିବାଘରେ ଚଉକିଟି ଉପରେ ବସିଚି, ଲ୍ୟାମ୍ପଟା ନିଷ୍କ୍ରଭ, ମିଞ୍ଜି ମିଞ୍ଜି ହୋଇ ଜଳୁଚି–ସାମ୍ନାରେ ଝରକାଟି ଖୋଲା ରହିଚି । ରାତି ସେତେବେଳକୁ ବାରଟା ହବ, ଗୃହସ୍ଥଳୀ ନୀବର ନିସ୍ତବ୍‌ଧ । ଦେବବ୍ରତ ତା’ର ସମ୍ପର୍କୀୟ କୌଣସି ଆତ୍ମୀୟର ନିମନ୍ତ୍ରଣ ରକ୍ଷା କରିବାକୁ ଯାଇଁ ଏତେବେଳଯାଏ ଫେରିନାହିଁ ।
 

ଆଷାଢ଼ ମାସ ରାତି । ଗାଁ କୋଳାହଳ କେତେବେଳୁ ଥମ୍ୱି ଗଲାଣି, ଝିପିଝିପି ହୋଇ ବର୍ଷା ହେଉଚି, ବେଳେ ବେଳେ ଝଲକାଏ ବିଦ୍ୟୁତ୍‌ ଝରକାର କାଚକୁ ଝଳେଇ ଦେଇ ନିଭି ଯାଉଥିଲା । ଆକାଶରେ ନିବିଡ଼ କଳା ବଉଦମାଳା ଗୁନ୍ଥା ହୋଇ ରହିଚନ୍ତି । ହତା ଭିତରେ ଆମ୍ବ ଗଛଗୁଡ଼ିକରେ ଜୁଳୁଜୁଳିଆ ପୋକଙ୍କ ଲୀଳା–ଗାଁ ଉପକଣ୍ଠରୁ ଶୃଗାଳଙ୍କର ବିକଟ ରବ, ଏସବୁର ଏକତ୍ର ସମାବେଶ ସେ ଦିନ ବସ୍ତୁରମୁତାବକ ଗୋଟିଏ ଦୁର୍ଦ୍ଦିନର ଦୃଶ୍ୟ ସୃଷ୍ଟି କରିଥିଲା ।

 

ଘରଭିତରର କ୍ଷୀଣ ଆଲୁଅଟି ବାସନ୍ତୀ ମୁହଁ ଉପରେ ପଡ଼ିଥିଲା । ସେ କେତେ କ’ଣ ଭାବୁଥିଲା, ଝଟ୍‌କା ପବନରେ ତା’ ଅଳକପଂକ୍ତି ଇତସ୍ତତଃ; କିନ୍ତୁ ତେବେ ସୁଦ୍ଧା ପଣନ୍ତରେ କପାଳକୁ ବାରମ୍ବାର ପୋଛିବାରେ ଲାଗିଥିଲା । ......‘ଆରେ ! ବଉଳ କତିକି ତ ଖୁବ୍‌ ଚିଠି ଲେଖୁଚି !’ କହି ସାମ୍ନାର ଝରକାଟି ମୁଦି ଦେଇ ଲ୍ୟାମ୍ପଟିକୁ ତେଜି ଚୌକିଟିକୁ ଟେବୁଲ ପାଖକୁ ଟାଣି ନେଇ ବସିଲା-। ଚିଠି କାଗଜ ଆଣି ଚିଠି ଲେଖି ବସିଲା–ଚାରି ମାସ ପରେ !

 

‘‘ବଉଳ ଲୋ ! କୋଉଁ ଯୁଗରୁ ତୋ ଚିଠି ପାଇଲିଣି, ମୋ’ ଚିଠିକୁ ଚାହିଁ ଚାହିଁ ତୋ ଆଖିରୁ ପାଣି ମରିବଣି; ନା ? ଭାରୀ ଅଭିମାନ କରିଥିବୁ–ହୁଏତ ଏ ସଂସାରରେ ସବୁଠୁଁ ଯୋଉଁଟା ଶସ୍ତା ସେଇ ‘‘ଭୁଲବୁଝା’’ ରୀତିରେ ମତେ କେତେ କ’ଣ ଠଉରେଇ ସାରିବୁଣି । କିନ୍ତୁ ବଉଳ, ମୁଁ କ’ଣ କରିବି କହିଲୁ ? ଚାରିମାସ ଭିତରେ ମତେ ଯେ ଚିଠି ଲେଖିବାକୁ ତିଳେ ଅବସର ମିଳିନାହିଁ, ଏଡ଼େ ବଡ଼ ମିଛ କଥାଟା କହିବାକୁ ମୋର ସାହସନାହିଁ; କିନ୍ତୁ ଅସଲ କଥା ହେଉଚି ଏଇ ଯେ, ବନ୍ଧୁକୁ ଚିଠି ଲେଖିବାକୁ ହେଲେ ଯେଉଁ ପ୍ରବୃତ୍ତିଟି ବନ୍ଧୁକୁ ଉତ୍ସାହିତ କରିଦିଏ, ସେଇ ପ୍ରବୃତ୍ତିର ଆଦେଶ ମୋ ମନକୁ ତୋଠିକି ଚିଠି ଲେଖିବାକୁ ବଳେଇ ଦେଇନାହିଁ–ଚକ୍ଷୁ ଲଜ୍ଜାରେ ଖାତିରରେ ତୋ ଭଳି ବନ୍ଧୁକୁ ଚିଠି ଦେବାଟା ଯେ ମୋତେ ଭଲଲାଗେନାହିଁ, ତୁ ଜାଣୁ । ମୋ ମନ କଥା କ’ଣ ତତେ ଆଉ ଜଣେଇବି ? ଓଃ ! ଏ ଜୀବନର ବୋଝ ବେଗାରି ପରି ବୋହିବାଠୁଁ ଝକ୍‌ମାରି ବୋଧହୁଏ ସଂସାରରେ କିଛିନାହିଁ ! ଏଠି ଏଇ ରାତି ଦିପହରରେ ତତେ ବସି ଚିଠି ଲେଖୁଚି, ମନେହେଉଛି, ମୁଣ୍ଡ ଉପରେ ଯେମିତି ଗୋଟାଏ ମୁନିଆ ବର୍ଚ୍ଛା ଝୁଲୁଚି, ଅନାଗତ ବିଭୀଷିକାର ଏ ତୀକ୍ଷ୍ଣ ମୁନଟି ଯେ କୌଣସି ମୁହୂର୍ତ୍ତରେ ମୁଣ୍ଡ ଉପରେ ଭୁଷି ହୋଇଯାଇପାରେ । ବୋଧହୁଏ ଆସନ୍ନ ଭବିଷ୍ୟତ୍‌ ପାଇଁ କେବେ ଏଡ଼େ ଉଦ୍ଦିଗ୍ନ ହୋଇନାହିଁ । ଭଗବାନଙ୍କର ଯାହା ବରାଦ, ତାଙ୍କରି ଉପରେ ସବୁ ନିର୍ଭର । ବଡ଼ ଅଦୃଷ୍ଟବାଦିନୀ ହେଇ ପଡ଼ିଲା ପରି ଲାଗୁଚିନା ? ମୋର ପରିବର୍ତ୍ତନ କଥା ଲେଖିଛୁ, ମଣିଷ ଜୀବନରେ ପରିବର୍ତ୍ତନ ପ୍ରତିଦିନ ଲାଗିଛି, ଯେଉଁ ଦିନଟି, ଯେଉଁ ଘଣ୍ଟାଟି ଗଲା ସେ ଆଉ ଫେରୁନାହିଁ–ଆସୁଚି ପୁଣି ଆଉ ଗୋଟିଏ ଦିନ, ପୁଣି ଆଉ ଗୋଟିଏ ଘଣ୍ଟା । ବିଶେଷତଃ ଦୁର୍ବଳ ଲୋକ ପକ୍ଷରେ ଭଉଣୀ, ପରିବର୍ତ୍ତନଟା । ଅବଶ୍ୟମ୍ଭାବୀ–ତା’ର ଶକ୍ତିନାହିଁ ପ୍ରାକୃତିକ ହଉ ଅବା ଅପ୍ରାକୃତିକ ହଉ, ଅପରିହାର୍ଯ୍ୟ ପରିବର୍ତ୍ତନର ଗତି ରୋଧିବାକୁ । ତେବେ ପରିବର୍ତ୍ତନ ଯେ ଖାଲି ଭଲ ଆଡ଼କୁ ହବ ୟା ନୁହେଁ, ମନ୍ଦ ଆଡ଼କୁବି ହୋଇପାରେ । ଛାଡ଼ ସେ କଥା-

 

‘‘ହଁ, ବଉଳ ଫୁଲ ! ଅନେକ ଝଡ଼ ବତାସ ଏ ଭାଗ୍ୟ ଉପର ଦେଇ ବହିଗଲାଣି ଓ ବହୁତ ଆଶାଭରସା ଭାଙ୍ଗିତୁଟି ଧୂଳିସାତ୍‌ ହୋଇ ଲୋଟି ଗଲାଣି । ଅଛି–ରହିଛି କେବଳ ଗୋଟାଏ ଅନନ୍ତ କ୍ଷୁଧାର୍ତ୍ତ ଅତି ଶକ୍ତିଶୂନ୍ୟ ଆକାଙ୍‍କ୍ଷା–ରାତିଦିନ–ଦିନରାତି ସେ ଖାଲି ଧାଇଁଚି ତା’ର କାମ୍ୟଲାଭ କରିବାର ବ୍ୟର୍ଥ ଆଶାରେ । କିନ୍ତୁ ହାୟ, ଉପାୟନାହିଁ ତ ଆଉ ସେ ସିନ୍ଦୂରିତ ଦିଗନ୍ତରେଖାରେ ପହଞ୍ଚିବାକୁ ? ଲେଖିଚୁ ମୋର ପରିବର୍ତ୍ତନ କଥା । ପରିବର୍ତ୍ତନ ନିଶ୍ଚୟ ହବ, ବଉଳ, ତା’ର ଗତି କିଏ ରୋଧି ପାରିବ ? ହେଇ ତୁ ତୋର ନିଜ କଥାକୁ ଲକ୍ଷ୍ୟ କରି ଦେଖିଲୁ, ବଉଳ, ତୋର କ’ଣ ପରିବର୍ତ୍ତନ ହେଉନାହିଁ ? ଅବଶ୍ୟ ମୁଁ ସ୍ୱୀକାର କରେଁ, ତୁ ଅଦ୍ୟପି ଅନେକାଂଶରେ ବାଳିକା ମାତ୍ର, ସେଥିପାଇଁ ତୋ’ ଦେହମନରେ କାଳର ଅପରିହାର୍ଯ୍ୟ ପରିବର୍ତ୍ତନଟା ତା’ର ସ୍ପଷ୍ଟ ଛପା ଲଗାଇ ଦେଇପାରିନାହିଁ । ମଦିର ଯୌବନର ଆଶା-ଭରସା, ହସ–କୌତୁକ ତୋର ବାସ୍ତବ ଜଗତକୁ ଏକ ଅବାସ୍ତବ ବାଜୀକରର କୁହୁକମାୟାରେ ସୁରଭିତ କରି ରଖିଚି । ଏ ବାସ୍ତବ ଜଗତ୍‌ କ’ଣ ଜାଣୁ ? ଖରାଦିନିଆ ଦିପହରର ରଡ଼ ଖରା-ତତଲା ଟାଙ୍ଗର ଭୂଇଁ–ମୁଁ ଆସିଛି କେବଳ ତୋର ଅତି ଦାଢ଼କୁ ମାତ୍ର । ଚାରିଆଡ଼େ ମତେ ଆଶାମୟ ଯୌବନର ଶୀତଳ ଛାୟା ଘେରି ରହିଚି ସତ, ତଥାପି ଏଇ ଟିକିଏ ତା’ ଦାଢ଼କୁ ଆସି ସେ ଧାସ ସିଝିଗଲା ଭଳି ଲାଗୁଚି–ଜୀବନର ସବୁ ସରସତା ଚାଲିଯାଉଚି । ତୁ କହିବୁ, ତୋ ବଉଳଟା ଭାରୀ ସ୍ୱାର୍ଥପର । ହଁ, ତା’ ସେ ସ୍ୱୀକାର କରୁଚି–ଶହେଥର କରିବ । ଆଗେ ନିଜର ସ୍ୱାର୍ଥସିଦ୍ଧି ହେଲେ ଯାଇ ପରେ ସେଇ ସିଦ୍ଧିକୁ ଘେନି ଅନ୍ୟମାନଙ୍କ ସଙ୍ଗରେ ତାକୁ ସଂସାର, ପରିବାର, ସମାଜ, ଦେଶ, ଯାହା କହ ଭାଗ କରି ସୁଖ କରିବା, ନା ?’’

 

ସିଡ଼ି ପାହାଚରେ ଦେବବ୍ରତର ଜୋତା ଶବ୍ଦ ଶୁଭିଲା । ବାସନ୍ତୀ ସଙ୍କୁଚିତ ହୋଇ ଉଠିଲା–ଏଭଳି ସହଜ ଭାବରେ ଚିଠିଟା ଲେଖିବାକୁ । ‘‘ପରେ ଅନେକ କଥା ରହିଲା ଲେଖିବାର–ଚିଠି ଦବୁ, ମୋର ସ୍ନେହ ଓ ପ୍ରୀତି ଜାଣିବୁ । ଇତି ।’’ କରିଦେଇ କ୍ରସ୍ତ ହାତରେ ଲଫାଫା ମୁଦି ରାଇଟିଙ୍ଗ କେସ୍‌ ଭିତରେ ବନ୍ଦ କରିଦେବାବେଳକୁ ଚିଠିଟା ଠକ୍‌କିନି ତଳେ ପଡ଼ିଗଲା । ସେତେବେଳକୁ ଦେବବ୍ରତ ଚୌକାଠ ମୁହଁରେ ଆସି ପଡ଼ିଥିଲା, ବାସନ୍ତୀ ତାକୁ ଦେଖି ଚିଠିଟା ଚଞ୍ଚଳ ତଳୁଆଣି ‘କେସ୍‌’ ଭିତରେ ରଖି ଚାବି ପକାଇ ଦେଲା । ଏ ଚାବି ପକାଇବାଟା ନିତାନ୍ତ ଅକାରଣ ବୋଲି ବାସନ୍ତୀ ଆପଣା ମନକୁ ଆପେ ଟିକିଏ ମଉଳି ଗଲା ।

 

ଘରକୁ ଆସି ଦେବବ୍ରତ ଲକ୍ଷ୍ୟ କଲା ବାସନ୍ତୀର ଗୋଟିଏ ଅନାବଶ୍ୟକ କୁଣ୍ଠିତ ଚଞ୍ଚଳଭାବ, ତା’ ଉପରେ ରାଇଟିଙ୍ଗ କେସ୍‌ରେ କ୍ରସ୍ତଭାବରେ ଚିଠିଟି ରଖି ଚାବି ଦେବା ! ସେ ଭାବିଲା, କାହିଁ, ଏତେକାଳ ହେଲାଣି, ହେଳାରେ ଦିନେ ହେଲେ ତ ବାସନ୍ତୀ ତା’ କେସ୍‌ରେ ଚାବି ବନ୍ଦ କରିଦିଏନାହିଁ–ଆଜି ତା’ର ଚାବି ଦବାର କି ଆବଶ୍ୟତକା ଥିଲା ? ମତେ ଦେଖି ତା’ର ଏ ଭାବରେ ଚାବି ଦବା ! ୟା ମୂଳରେ ତା’ ମନରେ କି ଭାବ ? କାହିଁ, ଦିନେ କେବେହେଲେ ତ ତା’ ଚିଠିପତ୍ର ସମ୍ପର୍କରେ କୌଣସି ରକମର କୌତୁହଳ ମୁଁ ଦେଖେଇ ନାହିଁ–ଏ ସମ୍ବନ୍ଧରେ ସେ କେବେ ମୋର କି ନୀଚତା ଲକ୍ଷ୍ୟ କରିଚି, ଯାହାଯୋଗେ ତା’ ମନରେ ଏଭଳି ଆକସ୍ମିକ କୁଣ୍ଠା ଜାଗିଲା ? ଏ ଭାବ ଜନ୍ମିବାରେତ କିଛି କାରଣନାହିଁ ? ଯାହାକୁ ମୋର ସବୁଠୁଁ ବିଶ୍ୱସ୍ତତାର ପାତ୍ରୀ ବୋଲି ଅକପଟଭାବରେ ବିଶ୍ୱାସ କରି ଆସିଚି–ପ୍ରୀତି ଅର୍ପଣ କରିଚି–ହେତୁ ଅହେତୁରେ କେବେହେଲେ କେଉଁଥିରେ ତା’ର ପ୍ରତିବନ୍ଧକତା କରିନାହିଁ, ଯାହା ମନ ଉପରେ ଛାଇ ପଡ଼ିଲେ ମୋ ମନର ଅନ୍ଧାର ଘୋଟିଯାଏ, ସେ ପୁଣି ମତେ ଏଡ଼େ ଇତରଭାବେ ? କ’ଣପାଇଁ ସେ ମତେ ଏଡ଼େ ହୀନଦୃଷ୍ଟିରେ ଦେଖେ ? ଯେମିତି ମୁଁ ତା’ ପକ୍ଷରେ ଗୋଟାଏ ଦସ୍ୟୁ–ତା’ର ସୁଖଶାନ୍ତି ଜୁର କରିବାକୁ ମୋର ଜନ୍ମ । କେବଳ ଏଇୟା ଯେମିତି ମୋର ଅଭିଳାଷ !

 

ପୀଡ଼ିତ ଅନ୍ତରର ଗୋଟିଏ ଦୀର୍ଘଶ୍ୱାସ ତା’ର ବିଶାଳ ବକ୍ଷ କମ୍ପିତ କରି ଅନନ୍ତ ପବନରେ ମିଳେଇଗଲା । କିଛି କଥା କହିବାଭଳି ପ୍ରବୃତ୍ତି ତା’ର ନଥିଲା । ବାସନ୍ତୀର କୁଣ୍ଠିତ ମ୍ଳାନଭାବ ଲକ୍ଷ୍ୟ କରି ସୁଦ୍ଧା ହଠାତ୍‌ ଘର ଭିତରକୁ ପଶି ଆସିଥିଲି ବୋଲି ମନ ତା’ର ଗୋଟାଏ ଅଶ୍ୱସ୍ତିରେ ପୂରିଗଲା ।

 

କାମିଜ୍‌ ଚଦର ଜୋତା ଯଥାସ୍ଥାନରେ ରଖିଦେଇ ସେ ଶୋଇବା ଘରକୁ ଚାଲିଗଲା–ଲୁଗାଟା ବଦଳି କରି ଯିବାକୁ ତା’ର ଖିଆଲ ନଥିଲା–କ୍ଷୁଦ୍ର ଘଟଣାଟିରେ ସେ କେମିତି ବିମୂଢ଼ ହୋଇ ପଡ଼ିଥିଲା ।

 

ବିଛଣାରେ ପୁଣି ତା’ର ଭାବନା । ଜୀବନର ଘଟଣାବଳୀ–ବାସନ୍ତୀ ସହିତ ତା’ର ସମ୍ପର୍କ, ସାନବଡ଼ ଅନେକ କଥା ତା’ ମନରେ ପଡ଼ିବାକୁ ଲାଗିଲା । ସେ ମନେକଲା, ତାଙ୍କ ଦୁହିଁଙ୍କ ଭିତରେ ସେଇ ବେଶି ଆତ୍ମତ୍ୟାଗ କରିଚି–ପତ୍ନୀପାଇଁ ଲାଞ୍ଛନାର ଦୁଃଖତକ ଏକାଧାରରେ ତା’ରି ଭାଗରେ ପଡ଼ିଚି; କିନ୍ତୁ ଯାହାପାଇଁ ସେ ଏତେ ସ୍ୱାର୍ଥ ବିସର୍ଜି ଦେଇଛି–ଛାତି ପଥର କରିଚି–ପ୍ରତିଦାନରେ ସେ ତାଠଉଁ କି ମୂଲ୍ୟ ପାଇଚି ? ସେ ତ ଦେବତା ନୁହେଁ ଯେ ତାକୁ ନିଃସ୍ୱାର୍ଥ ପୂଜା ଦବ ବୋଲି ଏତେ କଷ୍ଟ ବରଣକରି ତାକୁ ବିବାହ କଲା ? ସଂସାରର ସାଧାରଣ ସମସ୍ତଙ୍କ ପରି ସେ ବି ଦେଣା–ପାଉଣାର ଆକାଙ୍‌କ୍ଷା ନେଇ ସୃଷ୍ଟି ହେଇଚି, ପାଉଣାର ଲିପ୍‌ସା ତା’ର ମଧ୍ୟ ଅଛି, କିନ୍ତୁ ଏ ଲିପ୍‌ସାକୁ ବାସନ୍ତୀ କି ପରିମାଣରେ ଚରିତାର୍ଥ କରିଚି ? ସେ କହି ଉଠିଲା, ‘‘ଅସହ୍ୟ–ମୋର ସହିବାକୁ ଆଉ ବଳନାହିଁ ।’’ ଆଖି ଦୁଇଟା ତା’ର ପୋଡ଼ିବାକୁ ଲାଗିଲା–ଛଟ୍‌ପଟ୍‌ ହୋଇ କେତେବେଳେ ସେ ଘୁମେଇ ପଡ଼ିଲା । ବାସନ୍ତୀକୁ ଶୋଇବା ଘରକୁ ଯିବାକୁ ସେ କହିଲାନାହିଁ–ଜାଣିକରି କହିନାହିଁ, କି ଭୁଲିଯାଇଥିଲା, କିଏ ଜାଣେ ? ଏଇ କ୍ଷୁଦ୍ର ଘଟଣାଟିରେ ବାସନ୍ତୀ ତା’ ପକ୍ଷରେ ନିହାତି ଯେମିତି ଅବାନ୍ତର ହୋଇପଡ଼ିଲା ।

 

ନୈଶ ପ୍ରକୃତି ତା’ର ନିତ୍ୟ ଆୟୋଜନର ଉପଚାର ଦେଇ ପ୍ରତ୍ୟୁଷକୁ ଅଭ୍ୟର୍ଥନା କରି ଜଗତକୁ ଆଣିଲା । ସ୍ଥାବରଜଙ୍ଗମ ଉଷାସ୍ପର୍ଶର ନବଚେତନାରେ ପ୍ରାଣର ଆବେଗରେ ସ୍ପନ୍ଦିତ ହୋଇ ଉଠିଲା । ଚିରଦିନିଆ ପୁରୁଣା ପ୍ରଭାତଟି ନିତି ପୁଣି ନୂଆ ନୂଆ ରହସ୍ୟ ବୋଳି ହୋଇ ଆସେ କୁଆଡ଼ୁ ?

 

ସୁଭଦ୍ରା ଉଠିବା ପୂର୍ବରୁ ବାସନ୍ତୀ ତା’ର ପ୍ରାତଃକୃତ୍ୟ ସମାପ୍ତ କରିସାରିଥାଏ । କିନ୍ତୁ ଆଜି ଏତେ ଉଛୁର ହେଲାଣି, ତା’ର ଦେଖାନାହିଁ କାହିଁକି ? ସନିଆମା ଦୁଆର ଖରକୁ ଖରକୁ ପଚାରିଲା ‘‘ସାଆନ୍ତାଣୀଏ, ବୋହୂ ସାଆନ୍ତାଣୀ କାହିଁକି ଉଠି ନାହାନ୍ତି ? ଏତେବେଳକୁ ତାଙ୍କର ଗାଧୁଆ ସରନ୍ତାଣି ।’’ ଦେବବୋଉ କହିଲେ,–‘‘ଗଲୁ ତାକୁ ଉଠେଇ ଦବୁ, ବେଳ ହୋଇଗଲାଣି, କାହିଁକି ଏତେବେଳଯାଏ ଶୋଇପଡ଼ିଚି ।’’ ସନିଆମା ସିଡ଼ିରୁ ଡାକି ଡାକି ଗଲା–‘‘ବୋହୂ ସାନ୍ତାଣି, ତମ ଶାଶୁ ଉଠି କାମଧନ୍ଧାରେ ନାଗିଲେଣି–ତମେ ଶୋଇଚ ଏତେବେଳେଯାକେ । ଶାଶୁ ଡାକୁଚନ୍ତି ଉଠି ଆସ ।’’ ଡାକି ଡାକି ବାସନ୍ତୀ ଶୋଇବା ଘରକୁ ଯାଇ ଦେଖିଲା, ଘରେ କେହିନାହିଁ–ଚାକର ବିଛଣା ଟେକି ଘର ଓଳେଇ ଦେଇ ଗଲାଣି । ଏ ରହସ୍ୟର ଅର୍ଥଭେଦ କରି ନ ପାରି ସେ ଟିକିଏ ଥକ୍‌କା ମାରି ଯାଇ ଅନ୍ୟ ଘର ଉଦ୍ଦେଶ୍ୟରେ ଖୋଜିବାକୁ ଗଲା ।

 

ବସିବାଘର କବାଟ ଆଉଜା ହୋଇଥିଲା । ସନିଆମା ଠେଲି ଦେଇ ଦେଖିଲା–ବୋହୂ କଣରେ ପଡ଼ିଥିବା ଗୋଟିଏ ଆରାମ ଚଉକିରେ ଶୋଇ ପଡ଼ିଚନ୍ତି–ମୁଣ୍ଡଟି ଚୌକି ପ୍ରାନ୍ତ ଆଡ଼କୁ ଢଳିପଡ଼ିଚି–କେଶବାସ ବିଶୃଙ୍ଖଳ । ସନିଆମା ବିସ୍ମିତ ଭାବରେ ଚାହିଁ କହିଲା, ‘‘ବୋହୂ ସାଆନ୍ତାଣି–ଆଗୋ ବୋହୂ ସାଆନ୍ତାଣିଏ ।’’ ଡାକରେ ଧଡ଼ପଡ଼ ହୋଇ ଉଠି ଲୁଗା ସଜାଡ଼ୁ ସଜାଡ଼ୁ ବାସନ୍ତୀ କହିଲା, ‘‘କିଲୋ ସନିଆମା, ଦିନ ଦି’ ଘଡ଼ିଯାଏ ତ ମୁଁ କ’ଣ ଆଜି ଶୋଇପଡ଼ିଲି; ବୋଉ କ’ଣ କରୁଚନ୍ତି ?’’ ସନିଆମାର ବିସ୍ମିତ ଚାହାଣୀରେ ତା’ର ଅନେକ କଥା ଯେ ଧରାପଡ଼ିଗଲା, ଏଇଟା ମର୍ମେ ମର୍ମେ ବୁଝି ନିଜର ଅସାବଧାନତା ଯୋଗୁଁ ତା’ର ଅନୁତାପର ସୀମା ରହିଲାନାହିଁ । ଈଷତ୍‌ ଲଜ୍ଜିତ ଭାବରେ ଦ୍ରୁତ ପଦରେ ତଳକୁ ଯାଇ ଦେଖିଲା ଶାଶୁ ପରିବା କାଟୁଚନ୍ତି । ତାଙ୍କ ଆଗ ଦେଇ ଗାଧୁଆ ଘରକୁ ଗଲାବେଳେ ତା’ ଗୋଡ଼ ବିମୂଢ଼ ହୋଇ ଏଣେ ବୋଲି ତେଣେ ପଡ଼ି ଯାଉଥିଲା । ଏଠିକି ଆସିବା ଦିନୁ ସେ କେବେ ଏଡ଼େ ଅପ୍ରସ୍ତୁତ ହୋଇନାହିଁ–ଏଇଯୋଗୁଁ ନିଜ ଉପରେ ତା’ର ଭାରୀ ରାଗ ହେଉଥିଲା । ପୁଣି ସନିଆମା ତାକୁ ଯୋଉଁ ଅବସ୍ଥାରେ ଦେଖିଚି, ସେ ଯଦି ତା’ର ସ୍ୱାଭାବିକ ରଚନାଭଙ୍ଗୀରେ ପଲ୍ଲବାଇ ବର୍ଣ୍ଣନା କରି କହିବ, ତେବେ ଶାଶୁ ତା’ ସମ୍ବନ୍ଧରେ ଯାହା ଭାବିବେ, ସେଇଟା ସ୍ପଷ୍ଟ ଅନୁମାନ କରି ତା’ର ମାଟିରେ ମିଶିଯିବାକୁ ଇଚ୍ଛା ହେଉଥିଲା ।

 

‘‘ସାଆନ୍ତାଣି, ତମ ବୋହୂଙ୍କ ଢଙ୍ଗ ଦେଖିଲଣି ନା ?’’ ‘‘କ’ଣ, ମୁଁ ତ ସେମାନଙ୍କର କିଛି ଅନ୍ତ ପାଉନାହିଁ, କଥା କ’ଣ ?’’ ‘‘କଥା ଗୋଟାଏ କ’ଣ, ଛେନାଗୁଡ଼ ! ତମ ବୋହୂତ କାଲି କ’ଣ ବୈଠକଘର ଆରାମଚୌକିରେ ଶୋଇଥିଲେ, ଦିହ ନୁଖୁରା–ମୁଣ୍ଡ ଝାମ୍ଫୁରା ହେଇଚି, ଡାକିଲାରୁ ମତେ ଦେଖି କ’ଣ ଏଣୁତେଣୁ ଗୁଣୁଗୁଣୁ କରି କହିଲେ, ମୁଁ ସମ୍ମଜି ପାରିଲିନାହିଁ । ଦେବବାବୁ ତାଙ୍କ ଘରେ ନଥିଲେ–ଘର ଝଡ଼ାଝଡ଼ି ସରିଲାଣି ।’’ ‘‘ମୁଁ ତ କିଛି ବୁଝିପାରୁନାହିଁ–ପୁଣି ଅବା ତାଙ୍କର କଳି ଲାଗିଥିବ–କିଏ ସେ ମାୟାରେ ପଶିଚି ଯେ ଜାଣିବ ? ମୋ’ କପାଳଟା ସବୁରି ହାଳିକି ସେରନ୍ତା ବୋଲି ମୁଁ ଏଗୁଡ଼ାକ ଶୁଣୁଚି, ଜାଣୁଚି । ଏମିତି ଗୁଣସାଗରୀ ବୋହୂ ସଂସାରରେ କିଏ କରିଚି ? ନା ଲୋ ମା’ ! ସାଇରେ ଭାଇରେ କାହା ଆଗରେ କୋଉଁଠି କିଛି ଫିଟେଇବୁ ନାହିଁ–ଘର କଥା ଘରେ ନ ଦାବି ପଦାରେ ପକାଇଲେ ଭଗାରୀ ହସା କଥା–ଆମ ମୁଣ୍ଡତଳେ ପଡ଼ିବ ।’’ ସନିଆମା ସହାନୁଭୂତିରେ କହିଲା, ‘‘ସାନ୍ତାଣି, ତମର ଆଉ କୋଉଁ ଟାଣଟା ଭାଙ୍ଗିନାହିଁ ଯେ ଏ କଥାରେ ମୁଣ୍ଡ ତଳକୁ ହଉଚି ?’’ ‘‘ହଲୋ, ଯାହା କହିଲୁ ଲୋ ମା’ ! ‘ଚୋର ମା’ ଲାଜେ ନ କାନ୍ଦେ–ଯେବେ କାନ୍ଦେ ଦୁଆର କିଳି କାନ୍ଦେ ।’ ସେଇମିତି ମୋ କପାଳ ଦଶା, ଦୈବକୁ ନ କହି କାହାକୁ କହିବି ?’’ ‘‘ରାତି ପାହାନ୍ତାରେ ନିଦ ଭାଙ୍ଗିଲାରୁ ପାନ ଖାଇବି ବୋଲି ବଟୁଆ ଖୋଜିବାରେ ମୋ ଘରକୁ ଗଲାବେଳକୁ ଉପରେ ତାଙ୍କ ଶୋଇବାଘର ଅନ୍ଧାର ହେଇଚି, ବୋହୂଙ୍କ ଘରେ ଆଲୁଅ ଜଳୁଥିଲା, କ’ଣ ଗୋଟାଏ ବହି ଧରି ପଢ଼ୁଥିଲା ପରି ଦୁଶିଲା । ମୁଁ ଭଲ କରି ଅନେଇଲିନାହିଁ–ମୋ ମନେ ସିନା କ’ଣ ନବାକୁ କରିବାକୁ ସେ ଘରୁ ଆସିଛନ୍ତି । ତେଇଁକି ହୁଁ......’’

 

ବାସନ୍ତୀ ଗାଧୁଆପାଧୁଆ ସାରି ଆସୁ ଆସୁ ସନିଆମାର ଶେଷ କଥାପଦକ ତା’ କାନରେ ପଡ଼ିଗଲା । ଅପମାନରେ ତା’ର ତାଳୁଠୁଁ ତଳିପାଯାଏ ଜଳିଗଲା । ମୂଳରୁ ଶାଶୁଙ୍କର ଓ ସନିଆମାର ମୁହାଁମୁହିଁ ହୋଇ ବସିବାର ଢାଁଚ ଦେଖି ସେ ମନେ ମନେ ଠଉରାଇ ନେଇଥିଲା ସେମାନଙ୍କ ଆଲୋଚ୍ୟ ବିଷୟ ଉପାଦାନ ।

 

ଶାଶୁଙ୍କ ପ୍ରକୃତି ତା’ର ଆଜଣା ନଥିଲା, କିନ୍ତୁ ହେଲେ ସୁଦ୍ଧା ଜଣେ ଇତରଜାତୀୟା ସାଙ୍ଗରେ ତା’ ସମ୍ବନ୍ଧରେ ଏପରି ଆଳାପ କରିବା ଭଳି ନୀଚତା ଯେ ଆଶା କରି ନଥିଲା । ଶାଶୁଙ୍କ ମୁହଁରେ ତାଙ୍କର ଜଣେ ଦାସୀ ତା’ ସମ୍ବନ୍ଧରେ କୌଣସି ସମ୍ମାନହାନିକର କଥା କହିବ, ଏଇଟା ଶାଶୁଙ୍କ ପକ୍ଷରେ ଉପାଦେୟ ବୋଧ ହେଲେ ସୁଦ୍ଧା ତା’ ପକ୍ଷରେ ଉପାଦେୟ ବୋଲି ସେ ଭାବିପାରିଲାନାହିଁ–ବିରକ୍ତିରେ ତା’ର ରକ୍ତ ଉତ୍ତପ୍ତ ହୋଇ ଉଠିଲା ।

 

ଭଲଦିନ ହୋଇଥିଲେ ହୁଏତ ସେ ତା’ ସମ୍ବନ୍ଧରେ ଏଇରକମ ସମାଲୋଚନାକୁ ସହି ନେଇପାରିଥାନ୍ତା–ନିଜର ଅବସ୍ଥା ବୁଝିବାର ବିଚାର ବୁଦ୍ଧି ଓ ସହ୍ୟଶକ୍ତିଦ୍ୱାରା । କିନ୍ତୁ କାଲି ରାତିଯାକ କାନ୍ଦି ଉନ୍ନିଦ୍ର ରହି ତା’ ମୁଣ୍ଡ ବୁଲାଉଥିଲା । ଆଖି ଅସହ୍ୟ ଯନ୍ତ୍ରଣାରେ ସିଝି କଳା ପଡ଼ିଯାଇଥିଲା । ନିଜ ଦେହର ଭାର ବହି ସହଜ ଭାବରେ ଚଳିବାକୁ ଯେମିତି ସେ ବଳ ପାଉ ନଥିଲା । ୟା ଛଡ଼ା ଆହୁରି ଗୋଟିଏ ଗୌଣ କାରଣ ମଧ୍ୟ ଥିଲା । କେତେଦିନ ହେଲା ଏଇରକମ ବିରୁଦ୍ଧ ଅବସ୍ଥାକୁ ଦିହସହା କରିନବାକୁ ଅନବରତ ଚେଷ୍ଟା କରୁଥିଲେ ସୁଦ୍ଧା ତା’ର ମନ ଯେମିତି ଦିନକୁ ଦିନ ନିଜର ଶାସନ ମାନିପାରୁ ନଥିଲା । ଦେବବ୍ରତର କିମିତି ଏକ ଖାପଛଡ଼ା ଭାବର ଏ ଯେ ପ୍ରତିକ୍ରିୟା, ଏଇଟା ତାକୁ ଅଗୋଚର ଥିଲା । ଏଇଯୋଗୁଁ ଏ ଇଙ୍ଗିତଟିକ ସହି ଚାଲିଯିବା ଭଳି ବଳ ସେ ପାଇଲାନାହିଁ–ଗୋଟାଏ ନିଷ୍ଫଳ ଆକ୍ରୋଶ ତା’ ମନରେ ରୁଦ୍ଧ ହୋଇ ଆଲୋଡ଼ନ କରିବାକୁ ଲାଗିଲା-। ସେ ମନେ ମନେ କହି ଉଠିଲା–‘‘କାହିଁକି, କୋଉଁଯୋଗୁଁ ମୋର ଏ ପ୍ରାୟଶ୍ଚିତ୍ତ–ମୁଁ ତ କିଛି ପାପ କରିନାହିଁ !’’ ପ୍ରକାଶ୍ୟରେ ଯଥା ସମ୍ଭବ ଶାନ୍ତ ସ୍ୱରରେ ସେ ଶାଶୁଙ୍କ ଉଦ୍ଦେଶ୍ୟରେ କେବଳ ଏତିକି କହିଲା, ‘‘ବୋଉ ! ଆପଣଙ୍କର ମୋ ଉପରେ ପୂରା ଅଧିକାର ରହିଚି–ଏ ଦାବିର ମର୍ଯ୍ୟାଦା ରଖିବାକୁ ମୁଁ ଦିନେ ହେଲେ ମୁହଁ ବଙ୍କେଇନାହିଁ–ତେଣୁ ଆପଣଙ୍କର ଇଚ୍ଛା ମୁତାବକ ମତେ ନିଜେ ସବୁ କଥା କହିପାରନ୍ତି, ମୁଁ ଗ୍ରହଣ କରିବାକୁ ଅମଙ୍ଗ ନୁହେଁ–କିନ୍ତୁ ଆପଣଙ୍କ ମୁହଁ ଉପରେ ଜଣେ ଛୋଟଲୋକ ଆପଣା ବୋହୂକୁ ଦେଖେଇ ଏମିତି ଅଭଦ୍ର ଭାବରେ କଥାବାର୍ତ୍ତା କରିବ–ମୋର ନିଜର ମାନଅପମାନନାହିଁ–ମୋର ନଥାଉ, ଆପଣଙ୍କର ତ ଅଛି ? ଏ କ’ଣ ଆପଣଙ୍କ ସମ୍ମାନ ଊଣା କରୁନାହିଁ ? ମୁଁ କ’ଣ ଆପଣଙ୍କର ଏତେ ପର ?’’ ଏତକ କହି ଉତ୍ତରକୁ ଅପେକ୍ଷା ନ ରଖି ଲୁଗା ବଦଳିବାକୁ ସେ ସିଡ଼ି ବାହି ଉପରକୁ ଚାଲିଗଲା ।

 

ମୁଖରା ବୋହୂଟିର ସଙ୍ଗତ କଥାଗୁଡ଼ିକ ଶୁଣି ଦେବବୋଉ ଲଜ୍ଜାରେ, ରାଗରେ ଭାରି ଅପ୍ରସ୍ତୁତ ହୋଇଗଲେ । ସନିଆମା ଆଗରେ ତାଙ୍କରି ବୋହୂ ତାଙ୍କୁ ଏପରି ଅପମାନ କରିଗଲା–ଏଇ ଆଘାତଟାକୁ ସେ ସମ୍ଭାଳି ନେଇପାରୁ ନଥିଲେ । ସନିଆମା ଓ ସେ ଦିହେଁଯାକ ଯେମିତି ଏ କଥାଗୁଡ଼ିକରେ ମାଟିରେ ମିଶି ଯାଉଥିଲେ । ଦୋଷରେ ନିର୍ଦ୍ଦୋଷରେ ଏତେ ଗାଳି ଖାଇ, ଖୁଞ୍ଚା ଖାଇ ଦିନେ ହେଲେ ମୁଣ୍ଡଟେକି ଯୋଉଁ ବୋହୂ ତାଙ୍କୁ ପଦେ ଜବାବ ହେଲେ ଦିଏନାହିଁ, ସେ କ’ଣ କଲା, ନା, ଗୋଟାଏ ଚାକରାଣୀ ଆଗରେ ମୁହଁକୁ ଅନଉ ଅନଉ ବକିଦେଇ ଗଲା ! କିଛି ନ ହେଲେ ସାତ ପର ଯିଏ, ତାକୁ ତ ହେଲେ ମଣିଷର ମୋହବତ୍‌ ଚକ୍ଷୁଲଜ୍ଜା ଟିକିଏ କରିବାର ଅଛି ?

 

‘‘ସାନ୍ତାଣି, ତମେ କାନ୍ଦୁଛ ଏଇ ଛାର କଥାକୁ ? କ’ଣପାଇଁ ତୁଚ୍ଛାଟାକୁ ଏତେ ନୁହ ଗାଳି ପକାଉଚ ବସିକରି’’–କହି ନିଜ କାନିରେ ସନିଆମା ସାଆନ୍ତାଣୀଙ୍କର ଲୁହ ପୋଛିବାକୁ ଲାଗିଲା । ଏଣେ ସହାନୁଭୂତିରେ ତରିଳି ତା’ ଆଖିରୁବି ଲୁହ ଗଡ଼ିବାକୁ ଆରମ୍ଭ କଲା । ‘‘ସେ ମୋ କପାଳ ଲୋ ବାୟାଣି ! କ’ଣ ଏ ଛାତି ବରଦାସ୍ତ ନ କରିଚି ଯେ, ଏଇ କଥାକୁ ମୁଁ ଧରି ବସିବି ? ‘କେତେ କେତେ କଥା ନ କଲେ କାହ୍ନୁ, ଜୀବ ଯିବାଯାଏ ନ ଯିବ ମନୁ’–ସେଇଭଳି କଥା ହେଲା ଇଏ ।’’ ପରିବା ବାଉଁଶିଆଟା ଘରେ ରଖି ବାରଣ୍ଡାଟା ଓଳେଇ ସାରି ସନିଆମା ଉଦାସୀନ ଭାବରେ କହିଲା ‘‘ମୁଣ୍ଡଟାରେ ତ ତେଲ ଟିକିଏ ବାଜେନାହିଁ, କି ନ ମାସେ ଛ ମାସେ ପାନିଆ ପଶେନାହିଁ–କ’ଣ ହେଲାଣି ଦିହ ମୁଣ୍ଡ ଅବସ୍ଥା !’’ ତେଲଗିନାଟାକୁ ଆଣି ତେଲ ଲଗାଇ ଦବାକୁ ବସିଲାରୁ–‘ନାହିଁ, ନାହିଁ’ ବେଳ କେତେ ହେଲାଣି, କୁଆଡ଼ୁ କିଛି ହେଇନାହିଁ କହି ତେଲ ଟିକିଏ ନାଁକୁ ମାରି ଦେଇ ନିର୍ଲିପ୍ତ ଭାବରେ ଦେବବୋଉ ଆଜି ହଠାତ୍‌ କାହିଁକି ପୋଖରୀକୁ ଗାଧୋଇ ଗଲେ !

 

ଆଠଟା ସାଢ଼େ ଆଠଟା ବାଜିଯିବଣି । ନିତି ପୋଖରୀ ତୁଠରେ ଏଇ ସମୟରେ ଗ୍ରାମର ମୁଖରା ସମିତିର ଦୈନିକ ଅଧିବେଶନ ବେଶ୍‌ ଜମି ଉଠି ସୁରୁଖୁରୁରେ ଶେଷ ହୁଏ । ବଡ଼ି ଅନ୍ଧାରରୁ ଝିଅ ବୋହୂଏ ଗାଧୋଇ ସାରି ପଳାଇ ଯାଇଥାନ୍ତି । ସେମାନଙ୍କ ପଛକୁ ଯେଉଁମାନେ ଗୋଟି ଗୋଟି ହୋଇ ଉଦୟ ହୁଅନ୍ତି, ସେମାନେ ଆଡ଼୍‌ଡାର ମୁଖିଆ ମେମ୍ବର ।

 

ମୁକୁତା ମାଉସୀକୁ ସମସ୍ତେ ‘ମାଉସୀ’ ବୋଲି ଡାକନ୍ତି । ବକ୍ତୃତାର ପାଳି ଆଜି ତାଙ୍କର । ମୁଖ୍ୟ ବିଷୟ ନିଶାମଣି । ‘‘ବାପାମାଆଙ୍କ ମୁହଁ ବଢ଼ାରେ ଝୁଅଟା ଆଗରୁ ଯାହା ଉପରମୁହାଁ ହୋଇଥିଲା, ପୁଣି କଟକିଆଣୀ ବୋହୂ ଯୋଉଁଦିନୁ ଏ ଗାଆଁକୁ ଅଇଲାଣି, ସେଇଦିନୁ ଝୁଅଟା ବୋରାବରି ଅଣ୍ଡିରାଚଣ୍ଡୀ ହୋଇଗଲାଣି । ମାନ୍‌ତି ମଣିଷଙ୍କୁ ଦେଖିଲେ ମାନ ମହତ କରିବା–ସଂସାର ଝିଅଙ୍କ ଢଙ୍ଗରେ ଚଳିବା, ୟା ତ ନାହିଁ; ସଣ୍ଠଣା ଅସଣ୍ଠଣାରେ ପଦେ ଯେବେ ଆକଟି କରି କହିବ, ତେବେ ସେ ମୁହଁମାରି ରହିବ, ନା ଠିଆ ନାଙ୍ଗୁଡ଼ରେ ନାଚିବ ! ଯିଏ ପାଟି ଫିଟେଇଥିବ ସେ ଆଗ କାଇଲି ମାକୁଲି ହେଇ ଲାଜରେ ଜଳିଯିବ !’’ ଦାମବୋଉ କହିଲେ, ‘‘ଏବେ ତ କି ଓଲଟା ଯୁଗ ଆଇଚି–କେହି କାହା ମୁହଁକୁ ଅନଉ ନାହାନ୍ତି, ଚୁଙ୍ଗୁଡ଼ିଛୁଆ ଇଜତ୍‌ ଦି’କଡ଼ା କରୁଛନ୍ତି ଝୁଅଦିନୁ ବୋହୂଦିନୁ ଆସି ଏତେକାଳ ବିତିଗଲାଣି–ନାତି ନାତୁଣୀ ହେଲେଣି, କିଏ ଗୋଟାଏ କୋଉଁଥେରେ ପଦେ ଆମକୁ ଖୁଣି ଦେଇନାହିଁ । ଆମ କାଳରେ ଲାଜ ସରମ, ଡର ଭୟ ଥେଲା, ଏବେ ତା’ ମୂଳପୋଛ ।’’ ରମିବୋଉ କହିଲେ, ‘‘ନିଶିକି ଯିଏ ବୋହୂକରି ଘରକୁ ନବ, ତା’ କପାଳ ସଳଖ ଏକା ।’’ ଦାମବୋଉ କହିଲେ, ‘‘କାହିଁକି, ଯିଏ ତା’ ହାତ ଧରି ବାହାହବ, ତା’ ମନକୁ ପାଇଲେ ପାଠ ସଇଲା, ଗାଁଲୋକଙ୍କ ପ୍ରଶଂସାକୁ କିଏ ଏବେ ଅନେଇଚି ?’’ ମୁକୁତା ମାଉସୀ କହିଲେ, ‘‘ହଁ ଲୋ ମା’–ଝୁଅକୁ କିଏ ପ୍ରଶଂସା କଲା–ନା ଜ୍ୱାଇଁ । ଏବକାଳରେ ଶାଶୁ ଶଶୁର, ଯାଆ ନଣନ୍ଦ ନଥିଲେ ତ ଭଲ–ଥିଲେବି କାହାର ଗରଜ ପଡ଼ିଚି, ପରଙ୍କ ମରଜି ଜଗି ଚଳିବାକୁ ? ଯେଝା କଥାରେ ଯେଝା । ଆମରି ଗାଁ ବୋହୂ ଏ ଥିଲେ କ’ଣ, ଏଣିକି ଏଣିକି ହଉଚନ୍ତି କ’ଣ ଦେଖୁନା–ଆପଣାସାର୍ଥିକୀଗୁରାକ-!’’ ରମିବୋଉ କହିଲା, ‘‘ଆମ ଦିନେ ସିନା ପାଞ୍ଚ ସାତବର୍ଷ ନେଖାଏଁ କବାଟକଣରେ ପଡ଼ି ସଢ଼ୁଥିଲୁ–ମରିବାଯାଏଁ ଶାଶୁମାନେ ପାଟି ଶୁଣି ନାହାନ୍ତି । ପୁଣି ବାପଘରୁ ଯେବେ ବାହାନିଉଣା ପୁନିଅ ପରବ ଦିନେ ଗଉଡ଼ ଭଣ୍ଡାରୀଟିଏ ଆସୁଥିଲେ, ଚିଠି ଖଣ୍ଡିଏ ଆଣି ନୁଚେଇ କିରି ହାଣ୍ଡିଶାଳେ ରଖୁଁ । ଡାକଚିଠି ଏତେ କୋଉଁଠୁ ଆସୁଥିଲା, କିଏ ଦଉଥିଲା ? ବାପା ଭାଇ, କି ହେଇ ହେଇ ଗାଁନୋକଙ୍କୁ ଚିହ୍ନିଥିଲୁଁ । ବହି ଖଣ୍ଡିଏ ବୋଲିବୁ ଯେବେ, କାଳେ କିଏ ଶୁଣିବ ବୋଲି କୋଉଁ ଛଟକରେ କବାଟ କିଳି ବୋଲିବୁଁ । ଏବେ ତ ସବୁ ଦେଖୁଚି ଆମରି ଆଖି !’’ ମୁକୁତା ମାଉସୀ କହିଲେ, ‘‘ଗୋଟାଏ ଝୁଅ କି ବୋହୂ ମନ୍ଦ ହେଲା ବୋଲି କ’ଣ ରାଇଜଯାକ ସେମିତି ହେବେ ? କାହିଁକି, ଏବେ ତମ ଝୁଅଗୁରାଙ୍କୁ ନେଇ ଇସ୍କୁଲରେ ବସେଇଚ ତ, ପାଇବ ଯେ ପଛକୁ । ମାଆଲୋ, ସେ ଟୋକୀଗୁରାଙ୍କୁ ଆଖି ତରାଟିଲେ ବଚନ ବାହାରୁ ନଥିଲା, ଏବେ ଯେବେ ଗୋଟାଏ ବୋଲହାକ ବତେଇବ, ସେ କାନକୁ ନେବେ ?...’’ ବାଧା ଦେଇ ଦାମବୋଉ କହିଲେ, ‘‘ଯେମିତି ପେଟେ ଗିଳି ସାରିବେ, ତାଙ୍କୁ ଆଉ ଚନ୍ଦ୍ର ସୂର୍ଯ୍ୟ ଦେଖିବ କି ? ‘ଇସିକୁଲ ବେଳା ହେଇଗଲାଣି–ନିଶିଅପା ଗାଳିଦବ–ଭାଉଜବୋଉ ଘୋଷା ହେବେ’ କହି ଯେମିତି ଚିଲ–କାହା ଘରେ ନିଆଁ ନାଗିଲା ପେରି ତ ଦୌଡ଼ିବେ, ଦୌଡ଼ିବେ, ଆଉ କିଏ ତାଙ୍କୁ ଦେଖେ ?’’ ମୁକୁତା ମାଉସୀ କହିଲେ, ‘‘ଗୋଟାକୁ ବାଛୁଥିଲ, ଏବେ ସଭିଏଁ ସେଇମିତିକା ହେଲେଣି । ‘ବୁଦ୍ଧି ନ ଆସଇ ଘରକୁ, ପଦୀନାନୀ ମୋର ଚହଟ ଚିକଣ କହିଦେଉଥାଏ ପରକୁ ।’ ଯେତେ ପାଠ ଝୁଅ ପଢ଼ିଲେ, ସବୁ ତ ଚୁଲିମୁଣ୍ଡକୁ ଯିବ ।’’ ରୁକୁଣାବୋଉ ପୁରୁଣା ହେଲେ ସୁଦ୍ଧା ଟିକିଏ ପଢ଼ାଶୁଣା କରିଚନ୍ତି, ବୁଣାବୁଣି ଅଳ୍ପ ଜାଣନ୍ତି ବୋଲି ଟିକିଏ ଟାଣ ଅଛି । ସେଇଯୋଗୁଁ କଥାଟା ସାଉଁଳେଇ ନେଲା ଭଳି କହିଲେ, ‘‘ତା’ ନୁହେଁ ଆଉ କ’ଣ–ହେଲେ କ’ଣ ହେଲା, ଯୋଉଁ ବୁଣାବୁଣି ନୂଆ ଫେସନରେ ଏବେ କେତେ ଜାତିରେ ବାହାରିଲାଣି, ସେ ସବୁ ଶିଖୁଚନ୍ତି ଯାହା, ଏତକ ଭଲ କଥା ।’’ ରମିବୋଉ କହିଲେ, ‘‘ଆମେ କ’ଣ ହାଉଡ଼ୀ, ଅନ୍ଧୁଣୀ କାଲୁଣୀ ହେଇଚୁ ଯେ ଏତିକି ଭଲମନ୍ଦ ବାରିବା ଜ୍ଞାନ ଶକ୍ତି ଆମର ହେଇନାହିଁ ? ଯୋଉଁଟା ଭଲ କଥା ତାକୁ କିଏ ଭଲ ନ କହିବ ?’’ ଦାମ ବୋଉଙ୍କର ରୁକୁଣା ବୋଉଙ୍କର ଟିକିଏ ମନୋମାଳିନ୍ୟ ଗୋପନ ଭାବରେ ବହୁ ଦିନରୁ ଥିଲା–ଦାମବୋଉ ଦେଖେଇ କରି କହିଲେ, ‘‘ଆପଣା କଥା ଆପେ ଏବେ ଜଗ । ପର କଥାରେ ମୁଣ୍ଡବ୍ୟଥା କିଆଁ ପଡ଼ିଚି !’’

 

ଏଥିମଧ୍ୟରେ ଦେବବୋଉ ପହଞ୍ଚି ଯାଇଥିଲେ । ମୂଳରୁ ଆଲୋଚନାତକ ନ ଶୁଣିଲେହେଁ ପଛକଥା ଶୁଣି ମୂଳଟା କେଉଁଆଡ଼କୁ ଠଉରେଇ ନବାକୁ ତାଙ୍କୁ ବେଶି ବେଗ ପାଇବାକୁ ହୋଇ ନଥିଲା । ତାଙ୍କ ମୁହଁର ଅତିମାତ୍ରାରେ ଗମ୍ଭୀର ଭାବଟି ଲକ୍ଷ୍ୟ କରି ‘ସମିତି’ଟା ପଛକୁ ଭଲ ଜମିଲାନାହିଁ । ନିଠେଇ ହୋଇ ଗୋଡ଼ ହାତ ଘଷିମାଜି ହବାର ଓ ତା’ ସଙ୍ଗରେ ବିଶ୍ରମ୍ଭାଳାପ ଯେମିତି ମୁଖରୋଚକ ହୋଇ ଉଠୁଥିଲା, ସେ ସୂତ୍ରଟିକୁ ହଠାତ୍‌ ଦେବବୋଉ ଆସିପଡ଼ିବାରୁ ଛିଡ଼ିଗଲା ।

 

ସମିତିର ମେମ୍ବରମାନଙ୍କଠାରୁ ଆରମ୍ଭ କରି ଦେଖଣାହାରୀ ପର୍ଯ୍ୟନ୍ତ ଗ୍ରାମବାସିନୀଙ୍କର ଦେବବୋଉଙ୍କ ପ୍ରତି ସମ୍ମାନ ସମ୍ଭ୍ରମ । ଅବଶ୍ୟ ଏତକ ତାଙ୍କର ଉଚ୍ଚ ମାନବିକତା ପାଇଁ ନୁହେଁ–ଏକମାତ୍ର ଜମିଦାରଘରଣୀ ବୋଲି କେତେବେଳେ କ’ଣ ସ୍ୱାର୍ଥସିଦ୍ଧିର ଆଶା ମଧ୍ୟ ରହିଚି, ଏଇଥିଯୋଗରୁ । ଟିକିଏ କଥା ହେଲେ ସମସ୍ତେ ପରାମର୍ଶ ମାଗି ଆସନ୍ତି ଦେବବୋଉଙ୍କୁ । ସହଜରେ ତାଙ୍କ ମୁହଁ ଉପରେ କୌଣସି କଥା କେହି କହିବାକୁ ସାହସ କରନ୍ତିନାହିଁ–ପୁଣି ତାଙ୍କ ସମ୍ପର୍କରେ ଥିଲେ ତ କଥାନାହିଁ । କେଜାଣି କାହିଁକି, ଏକଘରିଆ କରିଥିଲେ ସୁଦ୍ଧା ଦେବବ୍ରତର ବିବାହ ସମୟରୁ ଦେବବୋଉଙ୍କ ପ୍ରତି ସମସ୍ତଙ୍କର ସହାନୁଭୂତି ଶତଗୁଣ ବଢ଼ି ଯାଇଚି । ଗୋଟାଏ ଉପାଦେୟ ଦୃଶ୍ୟ ଦେଖିବେ ବୋଲି ସେମାନେ ମନେ ମନେ ଠିକ୍‌ ଜାଣିଥିଲେ; କିନ୍ତୁ ଶାଶୁ ବୋହୂଙ୍କର ରାମ–ରାବଣ ପାଲାଟାର ଅଭିନୟ ଯଥାଯଥ ନ ହେବାରୁ ଶିକାର ହାତପୈଠ ହେଲାନାହିଁ । ଏଥିର ବିଫଳମନସ୍କାମ ହୋଇ ଶେଷରେ ଅନ୍ୟ ଛିଦ୍ରର ଅନ୍ୱେଷଣରେ ଶୂନ୍ୟଦୃଷ୍ଟିମାନ ସଞ୍ଚାଳିତ ହେଲା । ଯେଉଁଦିନୁ ବାସନ୍ତୀର ସ୍କୁଲ ପ୍ରତିଷ୍ଠା, ସେଇଦିନୁଁ ସେମାନଙ୍କର ସଙ୍କଳ୍ପ ଷୋଳଅଣା ସିଦ୍ଧ ହୋଇଛି । ସେମାନେ ଏଇଟା ବେଶ୍‌ ଜାଣିଥିଲେ ଓ କିଛି ସୁରାକ୍‌ବି ପାଇଥିଲେ ଯେ, ବୋହୂଙ୍କ ତାଳ ସାଙ୍ଗରେ ଶାଶୁଙ୍କ ତାଳ ଆଉ ଠିକ୍‌ ମିଳୁନାହିଁ ।

 

ଦେବବୋଉଙ୍କ ମୁହଁ ଅତି ଗମ୍ଭୀର ଦେଖି ଗ୍ରାମ୍ୟସୀମନ୍ତିନୀଙ୍କ ଭିତରେ ସେହିକ୍ଷଣି ଚକ୍ଷୁର ଗୂଢ଼ ଖେଳାଖେଳି ଚାଲିଲା । ଆଉ ବେଶି ପଟିବନାହିଁ ଜାଣି ଯିଏ ଯାହାର ଘରକୁ ତରତର ହୋଇ ଚାଲିଗଲେ ।

 

ସାତ ଆଠ ମିନିଟରେ ଦେବବୋଉଙ୍କ ଗାଧୁଆ ସରେ–ଆଜି ଉଛୁର ହେଲାଣି ଦେଖି ସନିଆମା ବଦଳା ମଠାଟିକୁ ପୋଖରୀ ବନ୍ଧରେ ରଖି ବସିଯାଇ କହିଲା, ‘‘ସାଆନ୍ତାଣି, ଆଜି କେଇଘଣ୍ଟା ଗାଧୋଇବ କି ? ନୂଆ ପାଣିଗୁଡ଼ାକ, ସର୍ଦ୍ଦି ଜର କରିବ, ଉଠି ଆସୁନା ?’’ ‘‘ଏ ଜୀବନରେ ତ କେତେ ଭୋଗ ଅଛି–ଏ କ’ଣ ଛୁଞ୍ଚି ମୁନ ଜୀବନ ହେଇଚି କି ସହଜରେ ଯିବ !’’ ସନିଆମା ଏୟା ଶୁଣିବ ବୋଲି ଭରସା କରୁଥିଲା କହିଲା, ‘‘ଦେଖିଲ ତ ସାଆନ୍ତାଣିଏ–କେତେ କେତେ କଥା ଆମ କାନ ନ ଶୁଣୁଚି–ଛାତି ନ ସହୁଚି !’’

 

‘‘ମୋ କପାଳ ତ ନିଆଁ ଲାଗିଯାଇଚି, କ’ଣ ଶୁଣିଲି କି ? ବଞ୍ଚିଥିବାଯାଏ ତ ଆଉରି ଏ କାନ ଶୁଣିବ–ଏ ଛାତି ସମ୍ଭାଳିବ । ଦଶପଦରେ ଯେଉଁମାନଙ୍କ ପାଟି ଫିଟୁ ନଥିଲା, ସେ ମତେ ସେମିତି ଦେଖିଲେ ବୋଲି ସିନା ଏତେ ଛାଡ଼ିଗଲେ । ବୋହୂ ଭଲ ହଉ ମନ୍ଦ ହଉ, ମୋରି ତ ? ତା’ ଶଶୁର ବଞ୍ଚିଥିବାବେଳେ ବାଘ ମିରିଗକୁ ଏକା ତୁଠକେ ପାଣି ପେଉଥିଲା–ସେ ଗଲାଦିନୁଁ ଘର ଶିରୀଗଲା–ଗାଁବାଲା ମୁଣ୍ଡରେ ଚଢ଼ିଲେ ।’’ ‘‘ସେ କଥା କାହିଁକି ପଡ଼ିଛି ସାଆନ୍ତାଣୀ ? ମଣିଷ ଯାହା ପାଞ୍ଚିଲେ, ଦଇବ ବିଧାତା ସେଇଆ ପାଞ୍ଚିବସିଲା । ତମ କଥାରେ ଚଳିଥିଲେ ବୋହୂଙ୍କୁ ଦେଖେଇ ଶିଖେଇ ଏମିତି ସବୁ କହିଯାଆନ୍ତେ–ଆମେ ପଥର ହେଇ ଶୁଣୁଥାଆନ୍ତେ–କାହାର ଏଡ଼େ ଛାତି ପଦେ କହିବାକୁ ! ତମ କଥା କିଏ ଗୋଡ଼ଧୂଳିରେ ଖାତିର ତଳକୁ ଆଣେ ଯେ, ତମେ କାହାକୁ କହିବ ?’’ ‘‘ପୁଅ ଯେମିତି ବୋହୂ ସେମିତି । କିଏ ମୋ କଥାରେ ରହିଲେ ଯେ, କାହାକୁ ବତେଇବି-? କାଳ ତ ବେହିଆ ହେଲାଣି । ପୁଅମାନେ ବୋହୂମାନଙ୍କ କଥାରେ ନ ରହି କ’ଣ ଆମରି ଭଳି ମରହଟ୍ଟିଆଣୀ ବୁଢ଼ୀମାନଙ୍କ କଥାକୁ ଟାକି ବସିଚନ୍ତି ? ଆମେ ବା ଆଉ କେଇଦିନ–ଦିନ ସରିଗଲେ ଗଲା–ତାଙ୍କ ଭଲକୁ କହୁଚୁ–ସବୁ ଦିନକୁ ତ ସେଇମାନେ ଶୁଣିବେ । ଆମେ ଥୁଣ୍ଟା ଗଛପରି ବଞ୍ଚିଚୁ ବୋଲି ତାଙ୍କ ନିନ୍ଦାରେ ଆମ ଦିହ ସହୁନାହିଁ–ଆମେ ଯାହା ନ ମରୁଚୁଁ ! ହଟହଟା ଭୋଗ କ’ଣ ସରିଲାଣି, ମା’ !’’ ସନିଆମା ଅନୁପସ୍ଥିତା ବାସନ୍ତୀକୁ ଉଦ୍ଦେଶ୍ୟ କରି କହିଲା, ‘‘ତମେ ଆଉରି ନେଖାପଢ଼ି କଲ ତ କଲ–ମିଛରେ ପର ଝୁଅଗୁଡ଼ାଙ୍କୁ ଗୋଟେଇ ଗୋଟେଇ ଆଣି ଭଗାରୁଣୀଙ୍କ ମୁହଁରେ ତୁଚ୍ଛାକୁ ବାରନିନ୍ଦା ଶୁଣିବାରେ ଆମର ଦରକାର କ’ଣ ଭଲା ?’’ ‘‘ମୁଁ ତ କହିଲି–ବୁଝେଇଲି–ଚଡ଼ିଲି, ସେ କୋଉଁଥିରେ କାନକୁ ନେଲାନାହିଁ, ମୁଁ ଆଉ କ’ଣ କରିବି, ସନିଆମା ? ଯେତେ ମୂରୁଖ ହେଲେ ସଂସାରରେ ଆମେ ଯେତେ ବିତିଲୁଣି, ସେମାନେ କ’ଣ ସେତେ ଅଙ୍ଗେ ନିଭେଇଲେଣି ?’’

 

କଥା ଭିତରେ ଧନିଆ ଆସିପଡ଼ି କହିଲା, ‘‘ସାଆନ୍ତାଣିଏ ! ବେଳ ଉଛୁର ହେଲାଣି ବୋଲି ବୋଉସାଆନ୍ତାଣୀ ଭାରି ବ୍ୟସ୍ତ ହୋଇ ଆପଣଙ୍କୁ ଡାକିବାକୁ ମତେ ପଠେଇଲେ, ଆସନ୍ତୁ ଚଞ୍ଚଳ ।’’ ଦେବବୋଉ ବ୍ୟସ୍ତ ଭାବରେ ପଚାରିଲେ, ‘‘ଦେବ ଖାଇଲାଣି !’’ ଧନିଆ କହିଲା, ‘‘ରନ୍ଧାବଢ଼ା ସାରି ପୂଝାରୀ ବସିଚି, ଦେବବାବୁ ଆପଣଙ୍କୁ ଖୋଜୁଥିଲେ, ଘଣ୍ଟାଏ ହବ ଖାଇସାରି ବ୍ରଜବାବୁଙ୍କ ଘରକୁ ତାସ ଖେଳିବାକୁ ଗଲେଣି ।’’ ‘‘ବୋହୂ ?’’ ‘‘ବୋହୂ ସାଆନ୍ତାଣୀ, ନିଶାଦେଇ ବସିଥିଲେ ।’’ ସନିଆମା ସାଆନ୍ତାଣୀଙ୍କର ଟିକିଏ ଥଣ୍ଡାଭାବ ଲକ୍ଷ୍ୟକରି ଟିହାଇ ଦବାକୁ କହିଲା, ‘‘ତତେ ପଠାଇ ଥିଲେ ! ଶାଶୁଙ୍କୁ ନ ଦେଖିଲେ ତାଙ୍କୁ ଅନ୍ନ ଜଳ ରୁଚେନାହିଁ କି ନା, ସେଇଯୋଗୁରୁ ତତେ ବ୍ୟସ୍ତ ହୋଇ ତଡ଼ି ପକେଇଲେ ! ମୁହଁରେ ଲୋକଦେଖାଣିଆ ବ୍ୟସ୍ତ, ନା ପେଟରେ ?’’ ବୋହୂଙ୍କ କଥା ଶୁଣି ଟିକିଏ ଆତ୍ମପ୍ରସାଦ ସୁଖ ଅନୁଭବ କରି ଦେବବୋଉ କହିଲେ, ‘‘ହେଇଟି ଚାଲ ଉଠିଲି ।’’ ସୂର୍ଯ୍ୟଙ୍କୁ ପାଣି ଆଞ୍ଜୁଳାଏ ଟେକିଦେଇ ଦେବବୋଉ ଚାଲିଆସିଲେ ।

 

ବାସନ୍ତୀ ଶାଶୁଙ୍କ ସେବା କରିବାରେ ଦିନେ ହେଲେ ତ୍ରୁଟି କରିନାହିଁ, ଆଜିବି କରିବା କଥା ନୁହେଁ; କିନ୍ତୁ ସକାଳର ଘଟଣାଟି ତା’ ହସଝରା ମୁହଁଟାକୁ ଟିକିଏ ମଉଳେଇ ଦେଇଥିଲା । ନିଃଶବ୍ଦତା ସାଙ୍ଗରେ ମୁହଁର ମ୍ଳାନତା ମିଶି ତାକୁ ବଡ଼ ଗମ୍ଭୀର ଦେଖାଉଥିଲା । କିଛି ନ ଜାଣିଥିଲେ ନ ବୁଝିଥିଲେ ସୁଦ୍ଧା ନିଶାମଣି ମୁହଁଟି ଅକାରଣ ସେଇଯୋଗୁଁ ଶୁଖିଯାଇଚି । ଶାଶୁଙ୍କ ଗୋଡ଼ ଧୋଇଦେଇ ଅଲୁଗୁଣିରୁ ଲୁଗା ଆଣି ଦେଇ ବାସନ୍ତୀ ନିତିକା ପରି ଆଜି ମଧ୍ୟ ତା’ କର୍ତ୍ତବ୍ୟ କରିଗଲା ।

 

ଦେବବୋଉ ଆଗରୁ ନରମା ଧରିଥିଲେ; ହେଲେ ସୁଦ୍ଧା ତାଙ୍କର ଧାରଣା ଥିଲା ବୋହୂଙ୍କ ବ୍ୟବହାରରେ ଆଜି କିଛି ହେଲେ ଗୋଟାଏ ବ୍ୟତିକ୍ରମ ଘଟିବ; କିନ୍ତୁ କାର୍ଯ୍ୟତଃ ତାହାର ଆଭାସ ସୁଦ୍ଧା ନ ପାଇ ମନଟା ଆହୁରି ପ୍ରସନ୍ନ ହୋଇପଡ଼ିଲା । ଦେବବୋଉ କହିଲେ, ‘‘ଆଲୋ ନିଶା ! ଭାଉଜବୋଉ ସକାଳୁ କ’ଣ ଖାଇଚି କି ନାହିଁ ? ମୁଁ ତ ଏତେ ଉଛୁର କଲି, ତାକୁ କିଏ ବାଢ଼ିଥିବ ଯେ, ସେ ଖାଇଥିବ ? ଏତେ ଦିନର ବୋହୂ ହେଲାଣି, ନିଜେ ନେଇ ଆଣି ଖିଆପିଆ କର, କହି କହି ମୋର ତୁଣ୍ଡ ଘୋରି ହେଇଗଲାଣି–ତେବେ ସେ ଶୁଣିଲାନାହିଁ ।’’ ନିଶା କହିଲା, ‘‘ବଡ଼ମା ! ମୁଁ ତ ଏଇକ୍ଷଣି ଜମାରୁ ଅଇଲି, ମୁଁ କେମିତି ଏବେ ତାଙ୍କ ଖାଇବା ନଖାଇବା କଥା ଜାଣିଲି ?’’ ‘‘ଯାହା ଦିନେନାହିଁ କାଳେନାହିଁ, ତା’ ଆଜି ହଉଥିଲା–ସେ କୋଉଁଦିନ ଯାଚିକରି ନ ଖୋଇଲେ ଖାଉଥିଲା ? ମୁହଁ ତ ଶୁଖିଗଲାଣି–ଖାଇନାହିଁ ।’’ ବାସନ୍ତୀ ଲଜ୍ଜିତ ଓ ବିକୃତ ମୁଖରେ କହିଲା, ‘‘ନାହିଁ, ବୋଉ, ଘଣ୍ଟାଏ ଡେରି ହେଲେ କ’ଣ ମୋ ପେଟ ପୋଡ଼ିଯାଉଚି ? ଆଗେ ଆପଣ ପୂଜାକରି ଆସନ୍ତୁ, ମୁଁ ଖାଇବି ଯେ !’’

 

ସକାଳେ ଶାଶୁଙ୍କୁ ଯେ ଯାହା କହିଥିଲା, ସେ କଥାଗୁଡ଼ିକ ଏତେବେଳେଯାଏ ତା’ ମନରେ ହାଣିକୁଟି ହେଉଥିଲା । ଅନୁତାପରେ ସେ ଭାବୁଥିଲା, ‘‘କାହିଁକି, କେତେ କ’ଣ ତ ସହିଆସିଚି, ଏ ଅବା କୋଉଁ ଭାରି କଥାଟାଏ ଯେ, ସମ୍ଭାଳି ନେଇପାରିଲିନାହିଁ । ସେତ ସେଇପରି ମଣିଷ, ଜଗିରଖି ମୋରିପରି ଚଳିଲେନାହିଁ ବୋଲି କ’ଣ ତାଙ୍କର ଦୋଷ । ପୁଅଙ୍କୁ ଏଡ଼େ ଗେଲବସର କରି ଯେ ଦିନେ ତାଙ୍କର ପଦେ କଥା ସହନ୍ତିନାହିଁ; ତାଙ୍କୁ ସିନା ସେମିତି କାଟିଲା ବୋଲି ସେ ଚୁପ୍‌ ହୋଇ ରହିଲେ । ସେ ଯଦି ମତେ ଦି’ ଗୋଇଠା ମାରିଥାନ୍ତେ, ତେବେ ମୋ ମନ ଏମିତି ହୋଇ ନଥାନ୍ତା । ଛି–ଛି, ମୁଁ ଅଭଦ୍ର–କି ଅସଭ୍ୟ ! ମୁଖରାଙ୍କ ଭଳି କାହିଁକି ତାଙ୍କୁ ଆଘାତ ଦେଲି ? କେଡ଼େ ବାଧିଥିବଟି ! ମୋର ଏତେଦିନର ଶିକ୍ଷାଦୀକ୍ଷା ସଂଯମ ଟିକିଏ ଅସାବଧାନତାରେ ପାଣିରେ ପଡ଼ିଲା । ମୋ ବିବେକ ମତେ ଖାଲି ମିଛରେ ସମର୍ଥନ କଲେ ସିନା !’’ ଶାଶୁଙ୍କର ଆଶାତୀତ ମମତାଭରା ବ୍ୟବହାର ତାକୁ ଆହୁରି ଅନୁତପ୍ତ କରିପକାଇଲା । ଲଜ୍ଜାରେ ଶାଶୁଙ୍କ ମୁହଁକୁ ଚାହିଁବାକୁ ତା’ ପ୍ରକୃତି କୁଣ୍ଠିତ ହୋଇପଡ଼ିଲା । ସେ ଭାବିଲା, ‘ମୁଁ ବୋଉଙ୍କ ପାଦ ଧରି କ୍ଷମାପ୍ରାର୍ଥନା କରିବି । ମୋର କୃତକର୍ମର ୟା ଛଡ଼ା ପ୍ରାୟଶ୍ଚିତନାହିଁ ।’’

 

–ଅଠର–

 

ପାଇଟି ସାରିଦେଇ ବାସନ୍ତୀ ଉପରମହଲାକୁ ଗଲା । ସେ ସୁଚାରୁରୂପେ ତା’ର ନିତ୍ୟ କର୍ତ୍ତବ୍ୟତକ କରିଥିଲେ ସୁଦ୍ଧା ତା’ର କେବଳ ମନେହେଉଥିଲା, ଯେମିତି ସେ ଆଜି ବେଠିଆଙ୍କ ଭଳି ଠିକା ପାଇଟି ସାରି ଆସିଛି । ମେଘୁଆ ରାତିପରି ତା ମନ ଭାରାକ୍ରାନ୍ତ ।

 

ଏ ଦି’ଦିନ ଯେଉଁ ଘଟଣାଗୁଡ଼ିକ ଘଟିଯାଇଛି, ବାସନ୍ତୀ ତହିଁରେ ନିଜକୁ ଖୋଜିବାକୁ ଯାଇ ଯେମିତି ତା’ର ପତ୍ତା ପାଉ ନଥିଲା । ଦେବବ୍ରତ ତା’ ଉପରେ କାହିଁକି ଅଭିମାନ କରି ବସିଛି, ଏଇଟା ସେ ଜାଣିପାରିଥିଲା । ତା’ର ଅପରାଧୀ ଅଥଚ ଅପ୍ରଗଳ୍‌ଭ ମନଟା ଦେବବ୍ରତ ସାମ୍ନାକୁ ଯିବାକୁ ଭାରୀ କୁଣ୍ଠିତ ହୋଇ ପଡ଼ୁଥିଲା, ପାଦ ଚଳି ଚଳୁ ନଥିଲା, ମନ ଉଠି ଉଠୁ ନଥିଲା ।

 

ସିଡ଼ିରେ ଚଟୀର ଶବ୍ଦ ଶୁଣି ବାସନ୍ତୀ ତ୍ରସ୍ତ ଭାବରେ ଗୋଟାଏ ବାଜେ ବହି ଖୋଲି ସେଥିରେ ଦୃଷ୍ଟି ସଂଲଗ୍ନ କରିଦେଲା । କାଳେ ଦେବବ୍ରତ ହଠାତ୍‌ ଏ ଘରକୁ ଚାଲିଆସେ, ଏଇଯୋଗୁଁ ତା’ ଛାତି ଭିତରେ ଆଶଙ୍କାରେ ଦମ୍‌ଦମ୍‌ ହୋଇଉଠିଲା । ଦି’ଦିନ ହେଲା ସେ ଲୁଚି ଲୁଚି ଏଡ଼େଇ ଏଡ଼େଇ ନିଜକୁ ଗୋପନ କରି ରଖିଛି, ଆଜି ଯଦି ଧରାପଡ଼େ, ତେବେ ତା’ର କି ଶାସ୍ତିଟା ହବ, ନିର୍ଦ୍ଦିଷ୍ଟ–ଅନିର୍ଦ୍ଦିଷ୍ଟ ମିଶା ଏଇ ଆଶଙ୍କାଟିକୁ ଗୋଟାଏ ଆଶ୍ରୟ ଦବାକୁ ସେ ବହି ବାହାନା ଧରି ବସିଲା ।

 

ଦେବବ୍ରତ ମଧ୍ୟ ବାସନ୍ତୀ ପରି ଏ ଦି’ଦିନ ତାକୁ ଏଡ଼େଇ ଏଡ଼େଇ ପଦାରେ ପଦାରେ ରହିଛି । ସେ ବାସନ୍ତୀ ପ୍ରତି ଗୂଢ଼ ଅଭିମାନଟିକ ପୋଷି ତାଠୁଁ ବେଶି ଦୋଷୀ ହୋଇପଡ଼ିଚି, ଏଇ ଭାବଟା ତା’ ମନରେ ଉଠି ତାକୁ ଅସ୍ଥିର କରିପକାଇଲା । ବାସନ୍ତୀ ପାଖକୁ ଯାଇ ସେ ଆଗ କିମିତି କଥା ଆରମ୍ଭ କରିବ, କ’ଣ କହିବ, କେମିତି ସହଜ ଭାବରେ ଚାହିଁବ, ଏଗୁଡ଼ିକ ମନେହେଲାରୁ ସେ ବାସନ୍ତୀ ଘରର ଚୌକାଠ ଡେଇଁପାରିଲାନାହିଁ ।

 

ପାଞ୍ଚ ସାତ ମିନିଟ୍‌ ଯାଏ ବାସନ୍ତୀ ଘର ଦରଜା ପାଖ ଦେଇ ସେ ପା’ଚାରି କରିବାକୁ ଲାଗିଲା । ବାସନ୍ତୀ ଯେ ତା’ର ଏ ରୀତିର ଅର୍ଥ ବୁଝିପାରିନାହିଁ, ମନକୁ ଏଇ ଆଶ୍ୱାସର ଆଖିଠାର ମାରି ସେ ଶ୍ୱସ୍ତିର ନିଶ୍ୱାସ ମାରିଲା, କିନ୍ତୁ ତୀକ୍ଷ୍ଣ ଦୃଷ୍ଟିଶାଳିନୀ ବାସନ୍ତୀ ସମ୍ବନ୍ଧରେ ମନକୁ ଏମିତି ଥାପଡ଼େଇ ଦେବାଦ୍ୱାରା ସେ ଆପେ ଠକିଗଲା । ଶେଷରେ କହିଲା–‘‘ମୋ ଘରେ ସୋରେଇ ଖାଲି ପଡ଼ିଛି, ଏ ଘର ସୋରେଇରେ ପାଣି ଅଛି କି ?’’ ଖାଇସାରି ପନ୍ଦର ମିନିଟରେ ଯେ ଦେବବ୍ରତ ଶୋଷରେ ଏପରି କଣ୍ଠାଗ୍ରତପ୍ରାଣ ହୋଇ ବିଛଣା ଛାଡ଼ି ଉଠିଆସିଲା, ନିଜର ଏ ଖାପଛଡ଼ା ଆଚରଣଟି ନିମିଷକେ ବୁଝି ବାସନ୍ତୀ ସାମ୍ନାରେ ସେ ସଙ୍କୋଚ ବୋଧକଲା ।

 

ବାସନ୍ତୀ କହିଲା–‘‘ହଁ, ଏ ଘରେ ସନ୍ଧ୍ୟାବେଳେ ପାଣି ରଖିଦେଇ ଯାଇଚି ।’’ ବ୍ରାକେଟ ଉପରେ ରହିଥିବା ତା’ର ଛୋଟ ରୂପା ଗିଲାସଟି ନେଇ ପାଣି ଗିଲାସେ ଦେବବ୍ରତ ହାତକୁ ବଢ଼େଇ ଦେଲା ।

 

ଶୋଷର ଦାବି ଦେବବ୍ରତର ଲେଶମାତ୍ର ଯେ ନଥିଲା, ଏଇଟା କହିବା ବାହୁଲ୍ୟ ମାତ୍ର । ତଥାପି ଅବସ୍ଥାସଙ୍କଟରେ ପଡ଼ି ଲାଗିପଡ଼ି ଅଧ ଗିଲାସଯାଏ ପାଣି ପିଇବାର ଶୋଚନୀୟ ଦଶା ଦେଖି ବାସନ୍ତୀ ଚାରିଆଡ଼େ ସମ୍ଭାଳିନବାକୁ ସ୍ନିଗ୍ଧ ସ୍ୱରରେ କହିଲା–‘‘ଥାଉ, ଏତେ ପାଣି ପିଉଚ କାହିଁକି, ଦିହ ଖରାପ ହବ ଯେ ।’’ ଦେବବ୍ରତ ଦେଖିଲା, ତା’ର ସମସ୍ତ କୌଶଳ ବ୍ୟର୍ଥ । ସେ ଅପଦସ୍ଥ ଭାବରେ ଗିଲାସଟା ଟେବୁଲ ଉପରେ ରଖିଦେଲା ।

 

ବାସନ୍ତୀ ଡିବାଟି ଫିଟେଇ ପାନ ଦି’ଖଣ୍ଡ ସ୍ୱାମୀ ହାତକୁ ବଢ଼ାଇ ଦେଲା । ତୃପ୍ତଭାବରେ ଦେବବ୍ରତ ଖଣ୍ଡେ ପାନ ଖାଇ ଆଉ ଖଣ୍ଡେ ବାସନ୍ତୀ ହାତକୁ ବଢ଼ାଇ ଦେଇ କହିଲା, ‘‘ଦି’ ଖଣ୍ଡ କ’ଣ ହେବ ? ତମେ ନିଅ ଏ ଖଣ୍ଡକ ।’’ ନତମୁଖରେ ବାସନ୍ତୀ ପାନଖଣ୍ଡ ନେଲା ।

 

ଏପଟ ସେପଟ ଟିକିଏ ବୁଲାଚଲା କରି ବାସନ୍ତୀର ବସିବା ଚଉକିଟି ପାଖରେ ଅନ୍ୟ ଚୌକି ଉପରେ ଦେବବ୍ରତ ବସିପଡ଼ିଲା । ଯେମିତି ଏଇ ମୁହୂର୍ତ୍ତରେ ତା’ ଛାତି ଉପରୁ ଗୋଟାଏ ବୋଝ ଉତୁରିଗଲା । ଏଇ ଅଳ୍ପ ଦି’ପଦ କଥାରେ ବାସନ୍ତୀ ସହିତ ନିଜର ସମ୍ପର୍କ ଯେମିତି ତା’ର ଅନାୟାସରେ ସହଜ ବୋଧ ହେଲା ନିଜର ଚୌକିଟି ଉପରେ ହାତଟି ଭରା ଦେଇ ବାସନ୍ତୀ ଛିଡ଼ା ହୋଇଛି । ଦେବବ୍ରତ ଦେଖିଲା, ଘରର ଉଜ୍ଜ୍ୱଳ ଆଲୋକର ସବୁ ଉଜ୍ଜ୍ୱଳତାତକ ଯାଇ ବାସନ୍ତୀକୁ କେନ୍ଦ୍ର କରି ତା’ରି ଉପରେ ପଡ଼ିଛି । ଲୁଗାପିନ୍ଧାର ସହଜ ଭାଙ୍ଗଟିକ, ଲୁଗାରେ କମ ଧଡ଼ିରେ ସମାବେଶଟିକ, ଅଯତ୍ନସନ୍ନିବେଶିତ ଚୂର୍ଣ୍ଣକୁନ୍ତଳର ପାରିପାଟ୍ୟଟିକ, ଓଠରେ ମରିଥିବା ପାନରଙ୍ଗଟିକ, କପାଳ ଉପରେ ଝଳୁଥିବା ଗୁଞ୍ଜରଟିପର ଗାଢ଼ ନୀଳମାଟିକରେ କି ଅପୂର୍ବ ସୌନ୍ଦର୍ଯ୍ୟ ଜୀବନ୍ତ ହୋଇପଡ଼ିଛି ! ଚୌକିର ବାହୁ ଉପରେ ବାସନ୍ତୀର କରତଳଟି ରହିଥିଲା । ଦେବବ୍ରତ ଦେଖିଲା, ବୋଉ ତା’ ବୋହୂ ମୁହଁ ଦେଖି ଯେଉଁ ମାଣିକ୍ୟବସା ମୁଦିଟି ପିନ୍ଧାଇ ଦେଇଥିଲା, ବାସନ୍ତୀର ଅନାମିକା ଆଙ୍ଗୁଳିରେ ସେଇଟି ଆଜିଯାଏ ରହିଛି । କେତେଥର ସେ ତ ଦେଖିଛି, କିନ୍ତୁ ଆଜି ଯେମିତି ବିଶେଷ ହୋଇ ଗୋଟିଏ ନୀଳ ରଶ୍ମି ମୁଦିଟିରେ ଝକ୍‌ମକ୍‌ କଲାପରି ତାକୁ ଲାଗିଲା । ବେଶନାହିଁ, ଭୂଷାନାହିଁ, ସବୁଦିନ ଭଳି ଆଜିବି ବାସନ୍ତୀ ସାଧାସିଧା ଲୁଗାପଟାରେ ରହିଛି–ସେଇ ଗହଣା ପିନ୍ଧିଛି, କିନ୍ତୁ କେତେ କ୍ଷଣଯାଏ ଦେବବ୍ରତର ବିସ୍ଫାରିତ ଚକ୍ଷୁ ଦିଓଟି ଯେମିତି ଏ ରୂପମାଧୁର୍ଯ୍ୟରେ ଧନ୍ଦି ହୋଇଗଲା । ପରମୁହୂର୍ତ୍ତରେ ଅସଂବୃତ ଭାବରେ ତା’ ମୁହଁରୁ ବାହାରି ଗଲା–‘‘ବାସ, ତୁମ ଆଙ୍ଗୁଳିଗୁଡ଼ିକ ଭାରୀ ସୁନ୍ଦର, ରଙ୍ଗ ପଥରବସା ମୁଦିଗୁଡ଼ିକ ଏ ଆଙ୍ଗୁଳିଗୁଡ଼ିକୁ ତୁମର ଗଛେଇ ହେଲା ପରି ଯେମିତି ମାନେ, ମୁଁ ଏମିତି ଆଉ କାହା ହାତରେ ଦେଖିନାହିଁ ।’’ ବାସନ୍ତୀ ରକ୍ତିମ ହୋଇ ଉଠିଲା, ଦେଖିଲା, ତା’ ଆଙ୍ଗୁଳିକୁ ଦେବବ୍ରତର ଆଙ୍ଗୁଳି ନିବିଡ଼ ଭାବରେ ସ୍ପର୍ଶ କରିଛି–ସମସ୍ତ ଆଙ୍ଗୁଳି ଦେଇ ସାରା ଦେହଯାକରେ ତା’ର ଗୋଟାଏ ବିଦ୍ୟୁତ୍‌ର ଉଷ୍ଣ କମ୍ପନ ଖେଳିଗଲା । ଚୌକି ଉପରୁ ହାତଟି ଉଠାଇ ଆଣି କୃତ୍ରିମ ବିରକ୍ତସ୍ୱରରେ ସେ କହିଲା, ‘‘ପରକୁ ସାର୍ଟିଫିକେଟ ଦବାଟା ତୁମର ଆଜିଯାଏ ସଂଯତ ହୋଇପାରିଲାନାହିଁ, ଏ ବଡ଼ ଅନ୍ୟାୟ !’’

 

ନିଜର ବ୍ୟବହାରରେ ଟିକିଏ ଲଜ୍ଜିତ ହୋଇ କଥାଟା ଅନ୍ୟଆଡ଼େ ଫେରାଇ ନେବାକୁ ଦେବବ୍ରତ କହିଲା, ‘‘ତୁମେ ତ କାଠଗଡ଼ା ଭିତରେ ଆସାମୀ ଠିଆ ହୋଇ ଦଣ୍ଡ ପାଇଲା ପରି ଆଚ୍ଛା ଦଣ୍ଡ ଭୋଗ କରୁଛ ! ବସୁ ନାହଁ ?’’–ଚୌକିରେ ବସି ବାସନ୍ତୀ କହିଲା, ‘‘ହଁ, ଆସାମୀ କଥା କହିଲ ଠିକ୍‌ ତ !’’ ଦେବବ୍ରତ ବାସନ୍ତୀର ଗୂଢ଼ ଇଙ୍ଗିତଟିକ ଠଉରାଇ ନେଇ ବ୍ୟଥିତଭାବେ କହିଲା, ‘‘ତୁମ କଥାର ମର୍ମ ବୁଝିଲି, ବାସ, ମତେ ମାଫ୍‌କର । ମୋ ତୃଟିକୁ ତୁମେ କ୍ଷମା ନ କଲେ; କିଏ କରିବ କହିଲ ? ଏ ଦି’ଦିନର ଅଦ୍ଭୁତ ବ୍ୟବହାରରେ ମୁଁ କ’ଣ ନିଜେ ଦୁଃଖିତ ହୋଇନାହିଁ ଭାବୁଛ ? ମୋ ବ୍ୟବହାର ତୁମକୁ ଯାହା ବାଧିଥିବ, ତା’ର ବହୁଗୁଣ ଯେ ମତେ ବାଧିଛି ।’’

 

ବାସନ୍ତୀ ତା’ର ଉତ୍ତରଳ ଅଭିମାନକୁ ରୁଦ୍ଧ କରି ରଖିଥିଲା ଏଇ କଥା ଭାବି ଯେ, ଯେଉଁଠି ସମ୍ପର୍କ କେବଳ ନିୟମପାଳନ ମାତ୍ର–ଯେଉଁଠି ଦରଦନାହିଁ–ଯେଉଁଠି ତା’ ପ୍ରତି ପ୍ରୀତିବ୍ୟବହାର କରିବାଟା ତାକୁ ଅନୁଗୃହୀତ କରିବାର ନାମାନ୍ତର, ସେଠି ଅଭିମାନ କରିବାର ସ୍ଥାନନାହିଁ । ସେଠି ଅଭିମାନ କଲେ କେବଳ ନିଜର ଦାରିଦ୍ର୍ୟ ପ୍ରକାଶ ହୋଇପଡ଼େ । ଦେବବ୍ରତର କଥା ଶୁଣି ତା’ର ନାରୀସୁଲଭ ରୁଦ୍ଧ ଅଭିମାନ ଅଶ୍ରୁ ପ୍ରବାହରେ ଭାସିଯିବାକୁ ଲାଗିଲା । ଏ କେତେଦିନ ଦେବବ୍ରତର ବ୍ୟବହାରରେ ତ୍ରୁଟି ଶାଶୁଙ୍କର ଚାକର ଚାକରାଣୀଠଉଁ ଆରମ୍ଭ କରି ଘର ଗୋଟିକର ସମସ୍ତଙ୍କର ବ୍ୟବହାର ତା’ର ମାସସଚକ୍ଷୁରେ ଛାୟାଚିତ୍ର ପରି ଗୋଟିକ ପରେ ଗୋଟିଏ ଭାସିଉଠିଲା । ଉତ୍ତରଳ ଅଶ୍ରୁର ଅସଂବୃତ ବେଗରେ ଉଚ୍ଛ୍ୱସିତ ହୋଇ ଗଳା ଝାଡ଼ି ସେ କହି ପକାଇଲା, ‘‘ଯେ ଯେଉଁ ଭାଗ୍ୟ ନେଇ ଆସିଛି, ତାହା ତ ତାକୁ ଭୋଗ ହବ, ନା ତା’ର ଆଉ କିଏ ଭାଗ ନବ ? ମୋ କପାଳ ବିଡ଼ମ୍ବିତ ନ ହୋଇଥିଲେ ମୁଁ ତୁମ୍ଭମାନଙ୍କର ଅସନ୍ତୋଷର କାରଣ କାହିଁକି ହୋଇଥାନ୍ତି ?’’

 

ଦେବବ୍ରତକୁ ଏ ଆକସ୍ମିକ ଘଟଣା ବିଚଳିତ କରି ପକାଇଥିଲା । ନିଜ ପ୍ରତି ଅପରିସୀମ ଧିକ୍‌କାରରେ ବାସନ୍ତୀକୁ ସେ କ’ଣ କହିବ ଭାବି ଖୋଜି ପାଇଲାନାହିଁ । ବାସନ୍ତୀକୁ ଆଣିଲା ଦିନୁ ସେ ଯେ ବରାବର ତାକୁ ଅସନ୍ତୁଷ୍ଟ କରିଆସିଛି, ତାଠାରୁ ବାସନ୍ତୀ ପକ୍ଷରେ ଯେଉଁ ସୁଖ ଓ ଶାନ୍ତି ପାଇବା ଉଚିତ୍‌ ଥିଲା, ତାକୁ ତା’ର ସେଇ ନ୍ୟାଯ୍ୟ ସୁଖ ବା ଶାନ୍ତି ଦେଇପାରିନାହିଁ–ସେଥିପାଇଁ ବସ୍ତୁତଃ ଚେଷ୍ଟା କରିବାକୁ ମନରେ ସାଧାରଣତଃ ସେ ଯେ ତାଗଦା ସୁଦ୍ଧା ପାଇନାହିଁ, ଏଇ ଭାବଟି ତାକୁ ମ୍ରିୟମାଣ କରି ପକାଇଲା । ଉପସ୍ଥିତ କିଛି ସାନ୍ତ୍ୱନାର କଥା ନ ଯୋଗାଇବାରୁ ଅତି ବ୍ୟସ୍ତ ହୋଇ ନିଜର କୁଞ୍ଚରେ ବାସନ୍ତୀର ଲୁହ ପୋଛିଦବାକୁ ଲାଗିଲା । କିଛିକ୍ଷଣ ଉତ୍ତାରୁ ଦେବବ୍ରତ ଖେଦଜଡ଼ିତ ସ୍ୱରରେ କହିଲା, ‘‘ବାସ ! ମୁଁ ନିତାନ୍ତ ହତଭାଗ୍ୟ–ମୋର ଶିକ୍ଷାଦୀକ୍ଷାର ମୂଲ୍ୟ କିଛିନାହିଁ । ମୁଁ ପଶୁଠୁ ଅଧମ । ମୋର ପ୍ରକୃତିର ହୀନତା ଏତେ ବେଶି ଯେ, ସେଥିପାଇଁ ଲଜ୍ଜା ବୋଧ କରିବାଟା ଯଥେଷ୍ଟ ନୁହେଁ । ତୁମେ କାହିଁକି ଗୋଟାଏ ଏଭଳି ମହାକାଳଫଳ ପ୍ରତି ଅନୁରକ୍ତ ହୋଇ ଭୁଲ କରିବସିଲ ବାସ ? କ୍ଷମା ମାଗିବାକୁ ମୋର ମୁହଁନାହିଁ । ତୁମକୁ କେବଳ ଦୁଃଖ ଦେଇଆସୁଛି–ନିହାତି ସ୍ୱାର୍ଥପର ପରି ତୁମକୁ ମୋର ସଂସାର ପରିବାରର ଅଙ୍ଗ ପରି ମନେକରିଛି । ମୁଁ ତୁମର ନିତାନ୍ତ ଅଯୋଗ୍ୟ ।’’

 

ବାସନ୍ତୀ ଭାବି ନଥିଲା ଯେ, ସେ ଏଡ଼େ ଦୁର୍ବଳ ହୋଇପଡ଼ିବ । ଦେବବ୍ରତର ଖେଦୋକ୍ତିଗୁଡ଼ିକ ତା’ ମର୍ମରେ କଣ୍ଟା ବିନ୍ଧିଲାପରି ଲାଗୁଥିଲେ ସୁଦ୍ଧା ସହସ୍ର ଚେଷ୍ଟାରେ ଏତେଦିନର ସଞ୍ଚିତ ହୃଦୟାବେଗକୁ ସମ୍ଭାଳିନବା ତା’ ପକ୍ଷରେ ଦୂରୁହ ହୋଇପଡ଼ିଲା । ତା’ର ଇଚ୍ଛା ହେଉଥିଲା ଦେବବ୍ରତକୁ କହନ୍ତା, ‘‘ନା, ନା, ତୁମେ ତୁମର ସର୍ବସ୍ୱ ବିନିମୟରେ ମତେ ସୁଖୀ କରୁଛ, ତୁମର ତ୍ୟାଗର ବାକି ଆଉ କିଛିନାହିଁ, ତୁମେ ମୋର ପ୍ରାଣର ଅଧିଷ୍ଠାତ୍ରୀ ଦେବତା । ତୁମେ ଦୀନ କାହିଁକି ହବ–ହୀନ କାହିଁକି ହବ ? ବରଂ ମୋର ଶକ୍ତିନାହିଁ ତୁମକୁ ସର୍ବତୋଭାବରେ ସୁଖୀ କରିବାକୁ–ମୁଁ ଶକ୍ତିହୀନା । ତୁମେ କ୍ଷମାଭିକ୍ଷା କରି ନିଜକୁ ଧୂଳିରେ ଲୋଟାଉଚ କିଆଁ ? ଏଇ ତ ସବୁଠୁଁ ମୋର ଚରମ ଶାସ୍ତି !’’ ଏତେବେଳଯାଏ ବାସନ୍ତୀ ତା’ର ଆହାତ ଅଭିମାନରେ କାନ୍ଦୁଥିଲା, ତା’ର କାନ୍ଦଣା ଦ୍ୱିଗୁଣ ଉଛୁଳିପଡ଼ିଲା–ନିଜର ଅପୂର୍ଣ୍ଣତା, ଅକ୍ଷମତା ଓ ଦୁର୍ବଳତାର ଅନୁଶୋଚନାରେ । ଦେବବ୍ରତର କାତର ଭାବ ତାକୁ ଗଭୀର ଦୁଃଖର ଅତଳରେ ନେଇ ପକାଇଦେଲା–ନିଜର କ୍ଷଣିକ ଦୁର୍ବଳତା ପାଇଁ ସେ ତା’ର ପ୍ରିୟତମଙ୍କ ମନରେ କେଡ଼େ ଆଘାତ ଦେଇଛି, ଏଇ ଗ୍ଳାନି ତାକୁ ବାଧୁଥିଲା । ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ତୁନି ହୋଇ ଦୃଢ଼ ସ୍ୱରରେ ସେ କହିଲା, ‘‘ତୁମେ ଦୁଃଖ ପାଉଚ ମୁଁ କେତେ ଦୁଃଖ ସହୁଚି ବୋଲି, କିନ୍ତୁ ମୁଁ କ’ଣ ବା ଏମିତି ସହୁଚି, ଯେଉଁଟା ଧରିବା ଯୋଗ୍ୟ ? ସହିଷ୍ଣୁତାର ଗୌରବ ତ ଏକା ନାରୀର । ଜଗତରେ ନାରୀ ଯେତେ ଦୁଃଖ ପାଉଛନ୍ତି, ତା’ ତୁଳନାରେ ତ ମୁଁ ପରମସୁଖୀ । ମୁଁ ଅନ୍ନପୂର୍ଣ୍ଣା ପରି ସମସ୍ତଙ୍କୁ ପରିତୃପ୍ତ କରିବାକୁ ଚାହେଁ । ସେଇଟାର ଅପୂର୍ଣ୍ଣତା ମତେ ସବୁବେଳେ ବାଧେ । ଅସଂବୃତ ମନରେ ତୁମକୁ ଆଜି ଯେ ଦୁଃଖ ଦେଲି, ସେ ମଲେବି ମୋ ମନରୁ ଯିବନାହିଁ । ମୁଁ ଏତେ ନଗନ୍ୟ ହେଲେ ମଧ୍ୟ ମୋ ପ୍ରତି ତୁମର ସେ ପ୍ରୀତିଟିକ ଆଜିଯାଏ ବଞ୍ଚିରହିଚି–ସେଇଟା ସବୁଠୁଁ ମୋର ବଡ଼ ଲାଭ ।’’

 

ଦେବବ୍ରତ ଉତ୍ସୁକ ଦୃଷ୍ଟିରେ ଏକା ନିଶ୍ୱାସକେ ଯେମିତି ବାସନ୍ତୀ କଥାଗୁଡ଼ିକ ପିଇ ଯାଉଥିଲା । ତାକୁ ନିରସ୍ତ ହେବାର ଦେଖି ପ୍ରୀତିରେ, ପରମ ଆଦରରେ ପାଖକୁ ଟାଣିଆଣି ତା’ର ଦୃଷ୍ଟିରେ ନିଜର ମମତାର ସାଣିତ ଦୃଷ୍ଟିକୁ ହରାଇ ଦେଇ କହିଲା, ‘‘ବାସନ୍ତୀ, ରାଣି ମୋର ! ତୁମେ ମୋର ସବୁ ଦଡ଼ମଡ଼ି ପାସୋରି ଦବ । ସହିବା କଥା ତୁମେ କହିଲ, ଈଶ୍ୱରଙ୍କର ବୋଧହୁଏ ଗୂଢ଼ ଉଦ୍ଦେଶ୍ୟ ଯେ ଶକ୍ତିହିଁ ସଂଘାତକୁ ସମ୍ଭାଳିବ–ସଂଘାତ ସହିବାପାଇଁ ଜଗତରେ ଶକ୍ତିର ଆବିର୍ଭାବ । ନାରୀର ଯେ ବେଦନା, ଯାହା ଦେଖି ମନ ଆମର ଘାରି ହୁଏ, ତହିଁରେ ସେ ଅମ୍ଳାନ, ପ୍ରଫୁଲ୍ଲ ରହି ଚିରଦିନ ତା’ର କର୍ତ୍ତବ୍ୟ କରି ଆସୁଚି । ସବୁ ଭେଦ, ସବୁ ଦୁଃଖ, ସବୁ ବିପଦ, ଜୀବନର ସବୁ ତାପ, ଦୁର୍ଦ୍ଦଶାକୁ ଟପି ତା’ର ଜୀବନ ସୁନ୍ଦର ଶାନ୍ତ ଅଖଣ୍ଡ ସାମଞ୍ଜସ୍ୟରେ ସ୍ଥାୟୀ ହୋଇ ରହିଚି–ସ୍ଥିର ସମୁଦ୍ର ପରି ଗଭୀର ଭାବରେ, ଯାହା ଆମ୍ଭମାନଙ୍କୁ ପ୍ରତିନିୟତ ଆଶ୍ରୟ ଦଉଚି ପ୍ରେମରେ, ଯତ୍ନରେ, ସେବାରେ । କିନ୍ତୁ ବାସ, କଥା ଏଇ ଯେ, ନାରୀ ଜଗତରେ ଶକ୍ତିର ପ୍ରତୀକ ହଉ କି ଯାହା ହଉ, ସେ ତ କେବଳ ଆମର ସଂଘାତ ସହିବାକୁ ସୃଷ୍ଟି ହୋଇନାହିଁ । ନାରୀକୁ ଝକ୍‌ମାରୀ ସହିବାକୁ ଯେଉଁ ପୁରୁଷ ବାଧ୍ୟ କରେ ସେ ଅଧମ ସିନା !’’

 

ବାସନ୍ତୀ ଦେବବ୍ରତର ଶେଷ କଥା ପଦକରେ ଈଷିତ୍‌ ହସି ମୌନ ହେଲା । ଦେବବ୍ରତର ସାମଞ୍ଜସ୍ୟହୀନ ଚରିତ୍ରରେ କାଲି ସକାଳେ ଯେ ଏ ଉକ୍ତିର ସମ୍ପୂର୍ଣ୍ଣ ବ୍ୟତିକ୍ରମ ହୋଇପାରେ, ତାହା ତ ବାସନ୍ତୀକୁ ଅଜଣା ନୁହେଁ ।

 

–ଊଣେଇଶ–

 

ଶୀତକାଳର ମଧ୍ୟାହ୍ନ । ବାସନ୍ତୀ ଉପର ମହଲାରେ ବହିପତ୍ରଗୁଡ଼ିକ ଖରାରେ ଦେଇ ନିଜେ ଖରାରେ ବସିଛି ଓ ବେଳେ ବେଳେ ବହିର ପୃଷ୍ଠାସବୁ ଓଲଟାଇ ଦେଉଛି । ବ୍ରଜକୁ ଆସିବାର ଦେଖି ବାସନ୍ତୀ ଠିଆ ହେଲା ଓ ଘର ଭିତରକୁ ଯାଉ ଯାଉ କହିଲା, ‘‘କି ହୋ, ଆଜି ଦି’ ପହରେ କର ନେଉଟାଇନା କି ?’’

ବ୍ରଜ ବାସନ୍ତୀର ଦୂର ସମ୍ପର୍କୀୟ ଦେବର–କିଛିଦିନ ହେଲା ଅସହଯୋଗୀ ହେଇ ଏମ୍‌. ଏ କ୍ଳାସରୁ ବିଦାୟ ଗ୍ରହଣ କରିଛି । ସେ ହସି ହସି କହିଲା, ‘‘ହଁ, ସମ୍ପ୍ରତି ସେ ଚେଷ୍ଟାରେ ଅକୃତକାର୍ଯ୍ୟ ହୋଇ ଆପାତତଃ ତୁମ ପାଖକୁ ଆଇଲି ।’’

କଣ୍ଠରେ ତରଳ ହସର ଲହରୀଟିଏ ତୋଳି ବାସନ୍ତୀ କହିଲା, ‘‘ସମ୍ପ୍ରତି ଆପାତତଃ ପ୍ରଭୃତି ଅବ୍ୟୟ ନୂଆ ଆମଦାନୀ ହୋଇଛି ପରା !’’ ହସୁ ହସୁ ଘରେ ଚେୟାରରେ ବସିଯାଇ ବ୍ରଜ ଟେବୁଲ ଉପରେ ଥିବା ଖାତାପତ୍ରଗୁଡ଼ିକ ଘାଣ୍ଟିବାକୁ ଲାଗିଲା ଓ ବାସନ୍ତୀ ସହିତ କଥାବାର୍ତ୍ତା ପରେ ହଠାତ୍‌ ବ୍ରଜ କହିଲା, ‘‘ଆଚ୍ଛା, ଭାଉଜବୋହୂ, ତୁମ ଜୀବନର ଉଦ୍ଦେଶ୍ୟ କ’ଣ ?’’

ବାସନ୍ତୀ କିଛିକ୍ଷଣ ନୀରବ ରହି ଖଣ୍ଡେ କାଗଜକୁ ଟିକି ଟିକି କରି ଚିରୁ ଚିରୁ କହିଲା, ‘‘ମୋର ଜୀବନର ଗୋଟାଏ କିଛି ବିଶିଷ୍ଟ ଉଦ୍ଦେଶ୍ୟ ନାହିଁ ।’’ ‘‘ଏଇଟା ବିଶ୍ୱାସଯୋଗ୍ୟ ନୁହେଁ । ଯେଉଁମାନେ ଅଶିକ୍ଷିତା, ସେମାନଙ୍କ ମଧ୍ୟରେ କେତେକଙ୍କର କିଛି ଗୋଟାଏ ହେଲେ ଉଦ୍ଦେଶ୍ୟ ରହିଛି । ତୁମେ ସୁଶିକ୍ଷିତା–ତୁମ୍ଭ ଜୀବନର କୌଣସି ଉଦ୍ଦେଶ୍ୟ ନାହିଁ ?’’

‘‘ତୁମେ ହୁଏତ ବିଶ୍ୱାସ କରିବନାହିଁ, କିନ୍ତୁ ସତ କହୁଛି, ଆଜିଯାଏ ନିଜ ଜୀବନର ଲକ୍ଷ୍ୟ ସ୍ଥିର କରିପାରିନାହିଁ । ତେବେ ସାଧାରଣତଃ ନାରୀଜୀବନ ସମ୍ବନ୍ଧରେ ମୋର କେତେଗୁଡ଼ିଏ ଧାରଣା ଅଛି । ତୁମେ କ’ଣ ସେୟା ଶୁଣିବାକୁ ଚାହଁ, ବ୍ରଜ ?’’

‘‘ହଁ ।’’

 

‘‘ତୁମମାନଙ୍କ ମତରେ ତ ନାରୀଜୀବନର କିଛି ଗୋଟାଏ ଉଦ୍ଦେଶ୍ୟ ନାହିଁ । ନୁହେଁ କି-?’’

 

‘‘ମୁଁ ଏ ପ୍ରଶ୍ନ ବୁଝିପାରୁ ନାହିଁ ।’’

 

‘‘ସଫା କଥା ଏଇ ଯେ, ପୁରୁଷମାନଙ୍କ ମନରେ ନାରୀଜୀବନା ଗୋଟାଏ ସ୍ୱତନ୍ତ୍ର ଉଦ୍ଦେଶ୍ୟ ନାହିଁ । ସ୍ୱାମୀର ଲକ୍ଷ୍ୟହିଁ ତାହାର ଲକ୍ଷ୍ୟ ବୋଲି ଧରା ହୋଇଥାଏ । ପୁରୁଷର ଧର୍ମରେ କର୍ମରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ମଜ୍ଜାଇ ଦେବା ତାହାର ଧର୍ମ ବୋଲି କୁହା ହୋଇଥାଏ । ନୁହେଁ କି-?’’

 

ବ୍ରଜ ନୀରବଭାବରେ ବସି ରହିଲା । ବାସନ୍ତୀ ହସି ହସି ଶ୍ଳେଷଦେଇ କହିଲା, ‘‘ଯେଉଁଠି ନାରୀର ବ୍ୟକ୍ତିତ୍ୱକୁ ଉପେକ୍ଷା କରାହୋଇଛି, ଯେଉଁଠି ତାହାର ବ୍ୟକ୍ତିତ୍ୱକୁ ସ୍ୱାମୀର ବ୍ୟକ୍ତିତ୍ୱରେ ବିଲୀନ କରିଦେବାକୁ ଶାସ୍ତ୍ରକାରମାନଙ୍କର ବାରମ୍ବାର ଉପଦେଶ, ସେଠି ପୁଣି ନାରୀଜୀବନର କି ଉଦ୍ଦେଶ୍ୟ ବା ଲକ୍ଷ୍ୟ ଥାଇପାରେ ଯେ, ତୁମେ ତାହା ଜାଣିବାକୁ ଚାହୁଁଛ ?’’

 

ବ୍ରଜ ତଥାପି ନୀରବ ।

 

‘‘ଆଚ୍ଛା, ମୁଁ ପଚାରେ, ଶାସ୍ତ୍ରକାରମାନେ ନାରୀ ପରି ପୁରୁଷଙ୍କ ପାଇଁ ମଧ୍ୟ ଅନେକ ନିୟମ ପ୍ରଣୟନ କରି ଯାଇଛନ୍ତି; କିନ୍ତୁ ତୁମେ କହିବ କି ହିନ୍ଦୁ ଭାରତୀୟମାନେ ପ୍ରତି ପଦରେ ତାହା ପାଳି ଆସୁଛନ୍ତି ? ଆଜିକାଲି ତୁମେମାନେ କ’ଣ ସ୍ୱୀକାର କରୁଛ ଯେ, ଉପରର ତିନି ବର୍ଣ୍ଣର ସେବା କରିବାକୁ ଶୂଦ୍ରର ଜନ୍ମ, ତା’ ଜୀବନର ଉଦ୍ଦେଶ୍ୟ ଏୟା, ବେଦଶାସ୍ତ୍ର ଛୁଇଁବାରେ ତା’ର ଅଧିକାରନାହିଁ, ଇତ୍ୟାଦି ? ମାନ୍ଧାତା ଅମଳର ଏସବୁ ବ୍ୟବସ୍ଥା ଯଦି ଏଡ଼େ ଶାଶ୍ୱତ ଜିନିଷ, ତା’ ଉପରେ ପ୍ରଶ୍ନ ଉଠାଇବାର ଯଦି କାହାରି ଅଧିକାରନାହିଁ, ତେବେ ତୁମେମାନେ ଏସବୁ ବ୍ୟବସ୍ଥା ବିରୁଦ୍ଧରେ ମୁଣ୍ଡ ଟେକି ପ୍ରତିବାଦ କରିପାରୁଛ କେମିତି ? ଏଇଟା କ’ଣ ପ୍ରକାରନ୍ତରେ କହି ଦେଉନାହିଁ ଯେ, ତୁମ ପ୍ରାଚୀନ ବ୍ୟବସ୍ଥାର ଭିତ୍ତି ଦିନକୁ ଦିନ ଧସି ହୋଇ ଆସୁଛି, ତା’ର କଙ୍କାଳକୁ ନେଇ ବସିରହିଲେ ତୁମ ସମାଜ କାଳୋପଯୋଗୀ ହୋଇ ଚଳିପାରିବନାହିଁ ? ...ତୁମେମାନେ ଆମ ଦେଶ ସରକାରଙ୍କ ସହିତ ସମ୍ପର୍କ ତୁଟାଇବାରେ ଲାଗିଛି । ମୁଁ ପଚାରେଁ, ତା’ର ମୂଳରେ କ’ଣ ? ସରକାରଙ୍କ ରାଜନୈତିକ ବ୍ୟବସ୍ଥାକୁ ତୁମେ ଗ୍ରହଣ କରିପାରୁନାହଁ–ଏତିକି ତ ? କାହିଁକି, ପୁରାକାଳର ଆଚାର୍ଯ୍ୟମାନେ ତ ରାଜାଙ୍କୁ ପିତା ଓ ଈଶ୍ୱରଙ୍କ ପ୍ରତିନିଧିସ୍ୱରୂପ ଭକ୍ତି କରିବାକୁ ବ୍ୟବସ୍ଥା ଦେଇଛନ୍ତି । ତୁମେମାନେ ନିର୍ବିଚାରରେ ଧର୍ମର ଏଇ ଅନୁଶାସନଟାକୁ ମାନିନେଉନାହଁ କାହିଁକି ? ଭାରତର ଅନ୍ତରରୁ ଆଜି ଯେ ବିରୋଧର ଅଶ୍ୱସ୍ତିକର ମୃଦୁ ଗୁଞ୍ଜନ ଶୁଣାଯାଉଛି, ସେ ତ ତୁମମାନଙ୍କ ଯୁକ୍ତି ଅନୁସାରେ ଭଲ ଲକ୍ଷଣ ନୁହେଁ, ବ୍ରଜ ? ଏଠି ତୁମେ କ’ଣ କହିବ ? ...ତୁମେ ସୁଶିକ୍ଷିତ, ସେଇ ଯୋଗୁଁରୁ ମୁଁ ଏ ସମ୍ବନ୍ଧରେ ତୁମର ନିରପେକ୍ଷ ବିଚାରବୁଦ୍ଧି ଉଦ୍‌ବୁଧ କରିବାକୁ ଚାହେଁ । ତୁମେ ନିଶ୍ଚୟ ଜାଣ, ଶାସ୍ତ୍ରରଚନା ଓ ସମାଜଗଠନ ସମ୍ପର୍କରେ ନାରୀର ସ୍ୱାଧୀନ କୌଣସି ଇଚ୍ଛା ବା ଶକ୍ତି କେବେ ନଥିଲା । ସମାଜରେ ପ୍ରବଳ ପ୍ରତିପକ୍ଷ ଆଦିମକାଳରୁ ଏ ସବୁ ସମ୍ପର୍କରେ ନାରୀକୁ ଏଡ଼ି ଏଡ଼ି–ଆସୁଛି ସେଇ ଯୋଗୁଁରୁ ତାକୁ କୂପମଣ୍ଡୁକ ହୋଇ ରହିବାକୁ ହୋଇଛି । ତୁମେ ଯାହା କହ, ତୁମେମାନେ ଯେଉଁ ବ୍ୟବସ୍ଥାକୁ ଆଦର୍ଶ ଓ ସନାତନ ବୋଲି କହୁଛ, ମୁଁ କଦାପି ତାକୁ ସମର୍ଥନ କରିପାରିବିନାହିଁ; କାରଣ ମୋ କ୍ଷୁଦ୍ର ବିଚାରବୁଦ୍ଧିରେ ମୁଁ କହେ, ଆଦର୍ଶ ସମାଜ ଗଢ଼ିବାକୁ ହେଲେ ଗଠନମୂଳରେ ପୁରୁଷ ଓ ନାରୀ ଦୁହିଁଙ୍କର ସମାନ ହାତର ସମନ୍ୱୟ ରହିବା ଉଚିତ । ପୁରୁଷ ଓ ନାରୀ କାହାକୁହିଁ ପ୍ରଧାନ ହେବାକୁ ଦିଆଯିବନାହିଁ । ସମାଜରେ ଯମଜ ସନ୍ତାନ ପରି ସେମାନେ ଯେପରି ରହିପାରିବେ, ସେ ଚେଷ୍ଟା କରିବା ଉଚିତ । ଯେ କୌଣସି ବ୍ୟବସ୍ଥା ହେଉ–ସମନ୍ୱୟ ନଥିଲେ ଗୋଳମାଳ ଅସାମଞ୍ଜସ୍ୟରେ ଯେ ବିପଦ ଘଟେ, ଇତିହାସ ତାହାର ପ୍ରଧାନ ସାକ୍ଷୀ ।’’

 

ବାସନ୍ତୀ କିଛିକ୍ଷଣ ନୀରବ ରହି ପୁଣି କହିଲା, ‘‘ହାତରେ ଅତିରିକ୍ତ ଶକ୍ତି ପାଇଲେ ତଦ୍ଦ୍ୱାରା ନିଜର ସ୍ୱାର୍ଥ ରକ୍ଷାକରିବା ମନୁଷ୍ୟର ଆଦିମ ପ୍ରକୃତି । ଆଉ ପୁରୁଷର ଏପରି ସ୍ୱେଚ୍ଛାଚାର ନାରୀ ଚିରକାଳ ମୁହଁ ମାଡ଼ି ସହିଆସୁଛି । ଏ ନିଶ୍ଚେଷ୍ଟତାକୁ ଲୋକେ ଲଜ୍ଜାଶୀଳତା, କୋମଳତା, ନମ୍ରତା, ନାରୀତ୍ୱର ଆଦର୍ଶ ଇତ୍ୟାଦି ନାମ ଦେଇ ପ୍ରଶଂସା କରନ୍ତୁ; କିନ୍ତୁ ମୁଁ ତାହା କରିପାରିବିନାହିଁ-।’’

 

ବ୍ରଜ କୃତ୍ରିମ ସହାନୁଭୂତି ଦେଖାଇ କହିଲା, ‘‘ତୋ ଛଡ଼ା ଆଉ ଉପାୟ କ’ଣ ? ସ୍ୱାଧୀନତା ଭାରତନାରୀର କପାଳରେ ବିଧାତା ଲେଖିନାହାନ୍ତି ବୋଲି ମୋର ମନେହୁଏ ।’’

 

‘‘ତାହେଲେ ଭାରତନାରୀର ଆଉ ପ୍ରତିଷ୍ଠା କେବେ ହେବନାହିଁ ! ଦେଖ, ବ୍ରଜ, ପୃଥିବୀର ଯେ କୌଣସି ବଡ଼ ଓ ସଭ୍ୟ ଦେଶରେ ପୁରୁଷ ନାରୀକୁ ବଳେ ବଳେ ସ୍ୱାଧୀନ କରିଦେଇନାହିଁ । ତୁମେ ତ ଜାଣ, ଇଉରୋପରେ ସାମାଜିକ ସ୍ୱାଧୀନତା ପାଇବାପାଇଁ ସଫ୍ରେଜିଷ୍ଟ୍‌ ମହିଳାମାନେ କେତେ ତ୍ୟାଗ ସ୍ୱୀକାର କରିଥିଲେ ! ସ୍ୱାଧୀନତା କି ମାଗଣା ଜିନିଷ ଯେ ବିନା ମୂଲ୍ୟରେ ମିଳିବ ? ଏଥିପାଇଁ ଅଧୀନକୁ ଆତ୍ମଶକ୍ତିଦ୍ୱାରା ସାଧନା କରିବାକୁ ହେବ ।...ସବୁ ଦେଶ ଭଳି ଏ ଦେଶରେବି କେତେଜଣ ଉଦାରପ୍ରାଣ ପୁରୁଷ ଅଛନ୍ତି ସତ; କିନ୍ତୁ ସେମାନେ କ’ଣ ସମୁଦ୍ର ନିକଟରେ ଗୋସ୍ପଦ ପରି ନୁହନ୍ତି ? ସେମାନଙ୍କ ମୁହଁକୁ ଚାହିଁ ‘ଦିନେ ସମୟ ଆସିବ’ ବୋଲି ଅପେକ୍ଷା କରି ବସି ରହିବାକୁ ଉପଦେଶ ଯେ ଦିଏ, ତା’ର ବିଚାରବୁଦ୍ଧି ଓ ଦୂରଦର୍ଶିତା ସମ୍ବନ୍ଧରେ ମୋର ସନ୍ଦେହ । ନାରୀକୁ ବିଦ୍ରୋହୀ ହେବାକୁ ହେବ–ନିଜର ଯୁଗ ଯୁଗର ଜଡ଼ତା ଭାଙ୍ଗି ଯୋଗ୍ୟତାର ପରିଚୟ ଦେଇ ଅତ୍ୟାଚାରର ପ୍ରତିବାଦ କରିବାକୁ ହେବ ।’’

 

ବ୍ରଜ କହିଲା, ‘‘କିନ୍ତୁ ଏ ସବୁ କରିବାକୁ ହେଲେ ମୂଳରେ ସର୍ବତ୍ର ନାରୀଶିକ୍ଷା ପ୍ରବର୍ତ୍ତନ କରିବା ତ ଦରକାର ?’’

 

‘‘ନିଶ୍ଚୟ । ଶିକ୍ଷା ବିନା ନାରୀ ପୂର୍ଣ୍ଣସ୍ୱାଧୀନତାର ଯୋଗ୍ୟ ଅଧିକାରିଣୀ ହୋଇ ନପାରେ-।’’

 

‘‘ଆଚ୍ଛା, ତୁମେ ଯେତେବେଳେ ନାରୀପାଇଁ ପୂର୍ଣ୍ଣସ୍ୱାଧୀନତା ଖୋଜୁଛ, ସେତେବେଳେ ତୁମେ ତ କହିପାର, ମାତୃତ୍ୱର ଦାୟିତ୍ୱ ମଧ୍ୟ ସ୍ୱୀକାର କରିବା ତାହାର ଉଚିତ ନୁହେଁ; କାରଣ ତାହା ନାରୀର ଈପ୍‌ସିତ ସ୍ୱାଧୀନତାର ପରିପନ୍ଥୀ ।’’

 

ବାସନ୍ତୀ କହିଲା, ‘‘ତୁମେ ଗୋଟିଏ ଜଟିଳ କଥା ପକାଇଲ, ବ୍ରଜ । କିଏ କହେ ମାତୃତ୍ୱ ସ୍ୱାଧୀନତାର ପରିପନ୍ଥୀ ? ମାତୃତ୍ୱର ଦାୟିତ୍ୱଟାକୁ ନାରୀ କେବେହେଁ ଘୃଣା କରିନାହିଁ–ବରଂ ଏଥିରେ ସେ ସର୍ବାପେକ୍ଷା ବଡ଼ ଆନନ୍ଦ ଓ ଚରିତାର୍ଥତା ଅନୁଭବ କରିଆସିଛି । କିନ୍ତୁ ଯେଉଁଠି ମାତୃତ୍ୱ ସ୍ୱତଃସ୍ଫୂର୍ତ୍ତ ନୁହେଁ, ନାରୀ ସେଠି ମାତୃତ୍ୱକୁ ଦାୟିତ୍ୱଭାବେ, ବନ୍ଧନ ମନେକରେ । ସେଠି ସେ ନିହାତି ପରାଧୀନ–ତେଣୁ ତା’ ମନରେ ଏ ପବିତ୍ର ଭାବର ଗୋଟାଏ ବିକୃତି ଦେଖା ଦେଇଥାଏ । ଯଦି ମାତୃତ୍ୱ ନାରୀର ବ୍ୟକ୍ତିତ୍ଵର ବିକାଶ ପକ୍ଷରେ ସହାୟତା କରେ, ତେବେ ମାତୃତ୍ୱରେ ବନ୍ଧନ କାହିଁ ? ବ୍ୟକ୍ତିକୁ ଗୌଣ କରି ସମାଜ ପ୍ରାଣିସୃଷ୍ଟିକୁ ମୁଖ୍ୟ କରି ଦେଇଛି । ସେଇଯୋଗୁଁ ଆଜି ମାତୃତ୍ୱର ମହିମାନାହିଁ । ମାତୃତ୍ୱ ଗୋଟାଏ ଝକ୍‌ମାରୀ ବୋଲି କେତେଜଣଙ୍କର ମନେହେଉଛି । ନାରୀତ୍ୱ ଯେଉଁଠି ସ୍ୱାତନ୍ତ୍ର୍ୟର ସ୍ୱାସ୍ଥ୍ୟକର ଆବହାଉଆରେ ପୂର୍ଣ୍ଣ ବିକାଶ ପାଇ ସଜୀବ ହୋଇ ଉଠିଛି, ସେଇଠି ପ୍ରକୃତ ମାତୃତ୍ୱର ସାର୍ଥକତା, ମାତୃତ୍ୱର ଅନାହତ ଆନନ୍ଦବୋଧ । ଈଦୃଶ ମାତୃତ୍ୱ ପୂର୍ଣ୍ଣ ସ୍ୱାଧୀନତାର କଦାପି ପରିପନ୍ଥୀ ନୁହେଁ ।

 

ବ୍ରଜ କହିଲା, ‘କିନ୍ତୁ ତୁମର ଏସବୁ କଥା କେବଳ ବକ୍ତୃତା ଭଳି ଶୁଣାଉଛ ।’’

 

ବାସନ୍ତୀ ଟିକିଏ ଆହତ ହୋଇ କହିଲା, ‘‘ତୁମେ ମୋ କଥା ଶୁଣିବାକୁ ଆଗ୍ରହ ପ୍ରକାଶ କରୁଥିଲ ବୋଲି କହିଲି–ନଚେତ୍‌ ବଳେ ବଳେ ବକ୍ତୃତା ଦେବା ମୋ ଉଦ୍ଦେଶ୍ୟ ନଥିଲା, ବ୍ରଜ ।’’

 

‘‘ମୋର ତୁମ କଥାରୁ ପୂରା ବିଶ୍ୱାସ ହେଉଛି ଯେ, ନାରୀ ଜାତିର ନାମରେ ତୁମେ ଯାହା ଚଳାଇ ନେବାକୁ ଚାହୁଁଛ, ସେ ସବୁ ତୁମ ନିଜ ମନର ଆଶା, ଆକାଙ୍‌କ୍ଷା ।’’

 

‘‘ହେଲା ଏବେ–ଯାହା ବୁଝିଲ ତୁମେ । ମୁଁ ତୁମର ବିଶ୍ୱାସ ଭାଙ୍ଗିବାକୁ ଚାହେଁନା ।’’

 

‘‘ତେବେ ପୂର୍ଣ୍ଣ ସ୍ୱାଧୀନତା ଲାଭ କରିବା ତୁମ ଜୀବନର ଉଦ୍ଦେଶ୍ୟ ?’’

 

ବାସନ୍ତୀ ନିର୍ବିକାର କଣ୍ଠରେ କହିଲା, ‘‘ହଁ, ସେଇୟା ।’’

 

‘‘ତୁମର ଲକ୍ଷ୍ୟ ତେବେ ଉତ୍କଟ ସ୍ୱାଧୀନତା ପାଇବା, ଯାହା ଦେବଭାଇ ବିଚରାର ସଂସାରକୁ ନିକଟ ଭବିଷ୍ୟତରେ ଉଚ୍ଛନ୍ନ କରିଦେବ ?’’

 

ବାସନ୍ତୀ ଶାନ୍ତ ଭାବରେ ପଚାରିଲା, ‘‘ମୋର ଏ ଉତ୍କଟ ସ୍ୱାଧୀନତାର ଆକାଙ୍‌କ୍ଷାଦ୍ୱାରା ଏତେକାଳ ହେଲା କାହିଁ ତୁମ ଦେବଭାଇଙ୍କ ସଂସାର ତ ଉଚ୍ଛନ୍ନ ଯାଇନାହିଁ ?’’

 

ବ୍ରଜ ଉତ୍ତେଜିତ ଭାବରେ କହିଲା, ‘‘ତୁମେ ଟିକିଏ ତଳକୁ ଚାହିଁ ବାଟ ଚାଲ । ଭାବରାଜ୍ୟରେ ବିଚରଣ ଓ ଆଦର୍ଶ–ସମୁଦ୍ରରେ ସନ୍ତରଣ ସାଂସାରିକ ଜୀବନରେ ବଡ଼ ବିଷମ ।’’

 

ଟିକିଏ ରହିଯାଇ ବ୍ୟଙ୍ଗ ହସ ହସି ପୁଣି ବ୍ରଜ କହିଲା, ‘‘ମୁଁ ଜାଣି ନଥିଲି ଯେ ତୁମେ ଚରମପନ୍ଥୀ ।’’

 

‘‘ଚରମପନ୍ଥୀ ? ହଁ, ମୁଁ ସେଇୟା । ଯେଉଁଟା ଆଦର୍ଶ ବୋଲି ମୋର ବିବେକ ଓ ବୁଦ୍ଧି ଗ୍ରହଣ କରେ, ସମାଜର ତାଡ଼ନା ଭୟରେ ସେଇଟାକୁ ଖର୍ବ କରି ମଝିମଝିକିଆ ହୋଇ ସମାଜ ସହିତ ମୋତେ ରଫା କରିବାକୁ ଆସେନା । ମୁଁ ପୂରା ବ୍ୟକ୍ତିତ୍ୱବାଦୀ ।’’

 

ବ୍ରଜର ଅଧରରେ କୁଟିଳ ହାସ୍ୟର ରେଖା ଖେଳିଗଲା । ଚୌକିରୁ ଉଠି ସେ ବ୍ୟଙ୍ଗ ସ୍ୱରରେ କହିଲା, ‘‘ଆଜି ତେବେ ଯାଉଛି । ଆଉ ଦିନେ ତମ ବକ୍ତୃତା ଶୁଣିବାକୁ ଆସିବି ।’’ ଏହି ଅହେତୁକ ଅପମାନ ବାସନ୍ତୀର ଅସହ୍ୟ ହେଲା । ସେ କୌଣସି ଜବାବ ଦେଲାନାହିଁ । ବ୍ରଜ ଘରୁ ବାହାରିଗଲା ।

 

ବ୍ରଜ ଚାଲିଯିବାର ଅଳ୍ପକ୍ଷଣ ପରେ ଦେବବ୍ରତ ଦ୍ରୁତ ପଦବିକ୍ଷେପରେ ଘରେ ପ୍ରବେଶ କଲା । ତାହାର ମୁଖର ଅସ୍ୱାଭାବିକ ଗାମ୍ଭୀର୍ଯ୍ୟ ଦେଖି ବାସନ୍ତୀ ଶଙ୍କିତ ହେଲା । ହଠାତ୍‌ ଦେବବ୍ରତ କହିଲା, ‘‘ଏହି ବାରଣ୍ଡାରେ ଛିଡ଼ା ହୋଇ ମୁଁ ତୁମର ବକ୍ତୃତା ଶୁଣିଛି । ସ୍ୱାତନ୍ତ୍ର୍ୟ ତୁମର ଆଦର୍ଶ–ପଶୁ ପୁରୁଷ କବଳରୁ ତୁମେ ସ୍ୱତନ୍ତ୍ର ହେବାକୁ ଚାହଁ । ଏଇ ତୁମର ମନର କଥା, ନା ? ଏସବୁ ମୋତେ ଆଗରୁ କହିଥିଲେ ତୁମର ତ କିଛି କ୍ଷତି ହୋଇ ନଥାନ୍ତା ?....ହଉ, ମୋତେ ପ୍ରତାରଣା କରି ମୋର ସାରା ଜୀବନକୁ ନଷ୍ଟ କରିବାକୁ ଆଉ ମୁଁ ତୁମକୁ ଦେବିନାହିଁ ।’’ ଏହା କହି ଦେବବ୍ରତ ହଠାତ୍‌ ଘରୁ ବାହାରି ଯିବାକୁ ବସିଲା । ବାସନ୍ତୀର ଇଚ୍ଛା ହେଲା ଥରେ ବାଟ ଓଗାଳି କହିବ, ‘‘ରାଗିବା ପୂର୍ବରୁ ଥରେ ମୋ କଥା ଶୁଣ–ତୁମେ ମୋତେ ଯେଉଁ ସ୍ୱାତନ୍ତ୍ର୍ୟର ମନ୍ତ୍ରରେ ଦୀକ୍ଷିତ କରିଛ, ମୁଁ କେବଳ ସେତିକି ଚାହେଁ ।’’ କିନ୍ତୁ ସେ କିଛି କହିପାରିଲାନାହିଁ । ଗୋଟାଏ ଗଭୀର କୁଣ୍ଠା ତାହାର କଣ୍ଠରୋଧ କରିଦେଲା । ପରମୁହୂର୍ତ୍ତରେ ସେ ଶୁଣିଲା, ତାହାର ସ୍ୱାମୀ ତଳ ମହଲାରେ ଡାକୁଛନ୍ତି, ‘ଧନିଆ’, ‘ଧନିଆ’ ।

 

–କୋଡ଼ିଏ–

 

ଚାହୁଁ ଚାହୁଁ ଗୋଟାଏ ଦିନ କଟିଗଲାଣି । ନିସ୍ତବ୍ଧ ମଧ୍ୟାହ୍ନର ପ୍ରଖର ସୂର୍ଯ୍ୟରଶ୍ମି ଧୀରେ ଧୀରେ ମଳିନ ହୋଇ ଆସୁଛି, ତଥାପି ଦେବବ୍ରତର ଦେଖାନାହିଁ । କାଲିଠାରୁ ସେ ଅଦୃଶ୍ୟ–ତାହାର ଶେଷ କଥାପଦକ ବାରମ୍ବାର ବାସନ୍ତୀର କର୍ଣ୍ଣକୁହରରେ ବାଜୁଛି, ‘‘ମୋତେ ପ୍ରତାରଣା କରି ମୋର ସାରା ଜୀବନକୁ ନଷ୍ଟ କରିବାକୁ ଆଉ ମୁଁ ତୁମକୁ ଦେବିନାହିଁ ।’’ ଯେତେ ଚେଷ୍ଟା କଲେ ମଧ୍ୟ ସେ ଏହାର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିପାରୁନାହିଁ । ଗୋଟାଏ ଅଜ୍ଞାତ ଆଶଙ୍କାରେ ସେ ନିଜର ଅଜ୍ଞାତରେ ଚମକି ଉଠୁଛି, ଆଉ ମଧ୍ୟେ ମଧ୍ୟେ ଦୀର୍ଘନିଶ୍ୱାସ ତ୍ୟାଗ କରି ନିଜ ଡାଏରୀର ପୃଷ୍ଠା ଓଲଟାଉଛି । ଅଯତ୍ନଭାବରେ ପୃଷ୍ଠାଗୁଡ଼ିକ ଓଲଟାଉ ଓଲଟାଉ ହଠାତ୍‌ ତା’ ଆଖିରେ ଦିନକର ଘଟଣା ପଡ଼ିଗଲା–‘‘ଦେବଭାଇ କେତେଦିନ ହେଲା କଟକରେ ନଥିଲେ । ତାଙ୍କ ‘ଦଳ ବଳ’ ନେଇ ଦୁର୍ଭିକ୍ଷ ସାହାଯ୍ୟ କାର୍ଯ୍ୟରେ କେଉଁଠିକି ଯାଇଥିଲେ । ଆଜି ମୁଁ ଛାତ ଉପରେ ବସିଛି, ସେ ପଛଆଡ଼ୁ ଆସି ମୋ ଆଖି ଚିପି ଧରିଲେ । ହାତ ଧରି ଜାଣିପାରି କହିଲି, ‘ଦେବଭାଇ, ଛାଡ଼ନା ।’ ତାଙ୍କୁ ରୁଷିବି ବୋଲି ବସିଥିଲି, କିନ୍ତୁ ଏଇ ଘଟଣାଟିରେ ପାଗ ବିଗିଡ଼ି ଯାଇଁ ସେଇଟା କାର୍ଯ୍ୟରେ ପରିଣତ ହୋଇପାରିଲାନାହିଁ । କହିଲି, ‘ଦେବଭାଇ ! ଏତେଦିନଯାଏ କୁଆଡ଼େ ଯାଇଥିଲ ? ତୁମ ବୋହେମିୟାନ୍‌ ଫ୍ରେଣ୍ଡ୍‍ମାନଙ୍କ ସାଙ୍ଗରେ ସେଠି ପଡ଼ି ରହିଲନାହିଁ ବରାବର ? ଏତେକାଳେ ଏଠିକି ପାଦ ପକାଇବାକୁ ତୁମ ମନେପଡ଼ିଲା, ନା ?’ ଦେବଭାଇ ହସିଦେଇ କହିଲେ, ‘ବାସ ! ଭାରତରେ ବୋହେମିୟାନ୍‌ ନାହିଁ । ପୁଣି ଏ ରାଜ୍ୟରେ ଏ ଶବ୍ଦଟା ଶିକ୍ଷିତଠୁଁ ଅଶିକ୍ଷିତ ଯାଏ ଅଧିକାଂଶଙ୍କୁ ଅଗୋଚର । ତୁମେ ଏ ଶବ୍ଦଟା ଜାଣିଛ, ଭାବାର୍ଥ ତା’ର ତୁମକୁବି ଅଗୋଚର ! ଯେଉଁ ଦେଶରେ ନାରୀ ପୁରୁଷଙ୍କ ଭିତରେ ସହଜ ଅବାଧ ବନ୍ଧୁତ୍ୱର ମିଳନ ହୋଇପାରେନାହିଁ, ଏହାର କଳ୍ପନା ଯେଉଁଠି ଲୋକଙ୍କ ନୈତିକ ବୁଦ୍ଧିକୁ ଆତଙ୍କିତ କରିଦିଏ, ସେଠି ବୋହେମିୟାନ୍‌ର ପ୍ରାଚ୍ୟ ସଂସ୍କରଣ ଥିବା ଅସମ୍ଭବ । ବାସ୍ତବରେ ମୋର କାଳିଦାସଙ୍କ ଯୁଗକୁ ଫେରିଯିବାକୁ ମନେହୁଏ ! ସେତେବେଳେ ସମାଜର ବ୍ୟବସ୍ଥା ଆଜିକାଲିକା ଅପେକ୍ଷା ସୁନ୍ଦର ନଥିଲେ ସେମାନେ ଏଡ଼େ ସଜୀବ ସୁନ୍ଦର ରଚନା କେଉଁଠୁ କରିଥାଆନ୍ତେ ?’ ସେଇଠୁଁ ଆଧୁନିକ ମହିଳା ଓ ନାରୀସ୍ୱାଧୀନତା କଥା ଉଠିଲା । ମୁଁ କହିଲି–‘ଭାରତର ଅନ୍ୟାନ୍ୟ ପ୍ରଦେଶରେ ଅନେକ ଶିକ୍ଷିତାଙ୍କ ନାଁ ଶୁଣାଯାଏ, ସେମାନେ ପାଶ୍‌ କରିଛନ୍ତି–ଖୁବ୍‌ ଉନ୍ନତ ସେମାନେ ?’

 

ଦେବଭାଇ କହିଲେ, ‘ଉନ୍ନତ ସ୍ୱାଧୀନ ଭାରତୀୟ ମହିଳା ! କାହାନ୍ତି ? ତୁମର ଅଭିଜ୍ଞତା ଖୁବ୍‌ ଅଳ୍ପ ବୋଲି ତୁମେ ଦିନରେ ସ୍ୱପ୍ନ ଦେଖୁଛ । ତୁମେ ଯେଉଁମାନଙ୍କୁ ସ୍ୱାଧୀନ ବୋଲି ଭାବୁଛ, ସେମାନେ ତିଳେ ହେଲେ ପ୍ରକୃତ ସ୍ୱାଧୀନତାର ଆସ୍ୱାଦ ପାଇନାହାନ୍ତି । ଖାଲି କ’ଣ ଜୋତା ମୋଜା ମାଡ଼ିକରି ପଦାକୁ ବାହାରିଲେ ସ୍ୱାଧୀନ ହୁଅନ୍ତି, ଭାବୁଛ ? ସ୍ୱାଧୀନତାର ସୀମା ଯଦି ଏତିକି ହୋଇଥାନ୍ତା, ତେବେ ନାରୀସ୍ୱାଧୀନତାର କଡ଼ାକର ହେଲେ ଦାମ ନଥାନ୍ତା ।’ ମୁଁ କହିଲି, ‘ଆଚ୍ଛା, ତୁମେ କ’ଣ କହିବାକୁ ଚାହଁ, ଖ୍ରୀଷ୍ଟିଆନ୍‌ ଓ ବ୍ରାହ୍ମସମାଜରେ ସୁଦ୍ଧା ସ୍ତ୍ରୀ ସ୍ୱାଧୀନତାନାହିଁ ?’ ଦେବଭାଇ ନିଜ ହାତରେ ମୁଷ୍ଟ୍ୟାଘାତ କରି ଦୃଢ଼ କଣ୍ଠରେ କହିଲେ–‘ନିଶ୍ଚୟ କହିବାକୁ ଚାହେଁ । ତୁମେ କିଛି ଭାବିବନାହିଁ, ମୁଁ କେଉଁ ସମାଜ ବିଶେଷକୁ ଅପମାନ କରିବାପାଇଁ ଆକ୍ଷେପ ପ୍ରକାଶ କରି କିଛି କହୁନାହିଁ । ଅଯଥା ସମାଲୋଚନାର ପକ୍ଷପାତୀ ମଧ୍ୟ ମୁଁ ନୁହେଁ । କିନ୍ତୁ ବ୍ରାହ୍ମ ମହିଳାମାନେ ଓ ଏ ଦେଶ ଖ୍ରୀଷ୍ଟାନ୍‌ ମହିଳାମାନେ, ଆଉ ତୁମେ କି ତୁମରି ପରି ହିନ୍ଦୁ ସମାଜର କେତୋଟି ଝିଅ ଯାହା ପାଇଛ, ମୋ ମତରେ ତାହା ହେଉଚି ଭେଲ, ନକଲି ସ୍ୱାଧୀନତା । ବରଂ ହିନ୍ଦୁ ସମାଜର ନିମ୍ନ ଶ୍ରେଣୀର ଗରିବ ସ୍ତ୍ରୀ ଲୋକମାନଙ୍କ ଭିତରେ ତୁମମାନଙ୍କ ଭଳି, କି ତୁମ ହାଳିକି ଢେର ବେଶି ପରିମାଣରେ ସ୍ୱାଧୀନତା ଅଛି । ପୁରୁଷର ସାହାଯ୍ୟ ବିନା ସେମାନେ ଜୀବିକାନିର୍ବାହର ଉପାୟ କରିପାରନ୍ତି । ଜୀବିକାର୍ଜନ କରିବାକୁ ସମାଜରେ ପୁରୁଷର ଯେଉଁ ଅଧିକାର, ସେମାନଙ୍କର ସେଇ ଅଧିକାର । ବଜାରରେ, ନଈତୁଠରେ, ବିଲବାଡ଼ିରେ, ସବୁଠି ଗତି ତାଙ୍କର ଅବାଧ । ତୁମେ ଶୁଣି ଆଶ୍ଚର୍ଯ୍ୟ ହେବ–ଅସ୍ପୃଶ୍ୟ ଜାତିର ସ୍ତ୍ରୀ ନିଶାଖୋର ସ୍ୱାମୀ ତା’ର ଅର୍ଜିତ ଧନକୁ ନିଶା ପିଇ ଉଡ଼ାଇଦେଲେ ନିଜେ ଉପାର୍ଜନ କରି ସ୍ୱାମୀକୁ ପୋଷେ, ସନ୍ତାନ ପାଳନକରେ, କିନ୍ତୁ କଥା ପଦକେ ସ୍ୱାମୀମାନେ ତାଙ୍କ ଉପରେ କି ଅତ୍ୟାଚାର ନ କରନ୍ତି ? ତୁମେ କ’ଣ କହିବ, ତୁମେମାନେ କି ତୁମେ ଯାହାଙ୍କ କଥା କହୁଥିଲ ସେମାନେ, ୟା ଅପେକ୍ଷା ବେଶି ଅଗ୍ରସର ହୋଇପାରିଛ ? କଦାପି ନୁହେଁ । ପୁରୁଷର ସାହାଯ୍ୟ ବିନା ତୁମେମାନେ ଦଣ୍ଡେ ଚଳିପାରିବନାହିଁ । ବ୍ରାହ୍ମସମାଜରେ, କି ତୁମ ନବ୍ୟ ହିନ୍ଦୁସମାଜରେ ପୁରୁଷ ନାରୀକୁ ଗୋଟାଏ ସମ୍ପତ୍ତି ଛଡ଼ା ଆଉ କିଛି ଭାବିପାରେନାହିଁ । ପୁରୁଷର ଅନୁଜ୍ଞା ନ ନେଲେ ତୁମମାନଙ୍କର କିଛି ଗୋଟାଏ କାମରେ ହାତ ଦବାର ଜୁ ନାହିଁ । ‘ମରହଟ୍ଟିଆ ଲୋକ’ ବୋଲି ଯେଉଁମାନଙ୍କୁ ଥଟ୍ଟା ବ୍ୟଙ୍ଗ କରି, ଠିକ୍‌ ସେମାନଙ୍କ ପରି, କି ତାଙ୍କଠାରୁ ବେଶି ! ତୁମମାନଙ୍କ ପଛରେବି ପୁରୁଷର ଚବିଶ ଘଣ୍ଟା ସତର୍କ ପହରା ଦିଆହୋଇଥାଏ । ଆଉ ଏଇଥିରୁ ବୁଝାଯାଏ, ତୁମମାନଙ୍କ ଉପରେ ଆସ୍ଥା କି ବିଶ୍ୱାସ ପୁରୁଷର ନାହିଁ । ଯେଉଁଠି ଅଛି, ତାହାବି ବିଶ୍ୱାସ ନୁହେଁ । ମରହଟ୍ଟି ସମାଜର ପୁରୁଷ ଆଉ ଆଧୁନିକ ସମାଜର ଶିକ୍ଷିତ ନବ୍ୟତନ୍ତ୍ରର ପୁରୁଷଙ୍କର ପାର୍ଥକ୍ୟଟା ତାହେଲେ କେଉଁଠି ରହିଲା ବାସ-? ଆଚ୍ଛା, ମୁଁ ଉଦାହରଣ ଦେଇ କହେଁ । ଧର, ତୁମେ ଯଦି ଏଇକ୍ଷଣି କାହାର ଅନୁମତି ନ ନେଇ, ଏକୁଟିଆ ନିଜ ଇଚ୍ଛାରେ ଘରୁ ଚାଲି ଯାଇ ରାତିଯାଏ ନିଜ ଖୁସିରେ ବୁଲାବୁଲି କରି ଘରକୁ ଫେର, ତେବେ ଫଳ କ’ଣ ହେବ ?’ ମୁଁ କହିଲି, ‘ବୋଉ ବାପା ବିରକ୍ତ ହେବେ, ଗାଳିଦେବେ ।’ ଦେବ ଭାଇ କହିଲେ, ‘କିନ୍ତୁ ତୁମେ ଝିଅ ନ ହୋଇ ପୁଅ ହୋଇଥିଲେ ତୁମକୁ କେହି ଗାଳି ଦିଅନ୍ତେନାହିଁ କି ବିରକ୍ତ ହୁଅନ୍ତେନାହିଁ । ଆଜି ବାପା ଗାଳି ଦେବେ, କାଲି ଶ୍ୱଶୁର ସ୍ୱାମୀ ରାଗିବେ । ଏଇ ତ ତୁମର ଅବସ୍ଥା, ୟାରି ନାଁ କ’ଣ ସ୍ୱାଧୀନତା ?’ ମୁଁ କହିଲି, ‘ଗାଳି ଖାଇବି ଭିନ୍ନ କାରଣରୁ । ଆମ ଦେଶରେ ଯୁବତୀ ନାରୀ ଏକୁଟିଆ ରାସ୍ତାକୁ ବାହାରିଲେ ଅନେକ ନିଶ୍ଚିତ ଅନିଶ୍ଚିତ ବିପଦର ଭୟ ରହିଛି ତ-?’

 

ଦେବ ଭାଇ କହିଲେ, ‘ବିପଦର ଭୟ ସବୁ ଦେଶରେ ଅଛି, କିନ୍ତୁ ୟୁରୋପ, ଆମେରିକାର ନାରୀମାନେ ସେ ବିପଦକୁ ଗ୍ରାହ୍ୟ ତଳକୁ ଆଣନ୍ତିନାହିଁ । ଦେଖୁଛ ତ, ବାଟରେ ଘାଟରେ, ଟ୍ରେନରେ ସବୁଠି ଗତି ତାଙ୍କର କେଡ଼େ ନିଃସଙ୍କୋଚ ! ଯେଉଁ ସ୍ୱାଧୀନତାରେ ମଣିଷ ନିଜର ଭାର, ନିଜର ଦାୟିତ୍ୱ ନିଜେ ନେଇ ନ ପାରେ, ତାକୁ ସ୍ୱାଧୀନତା କହିବା ପୋଷାଏ କି ? ସେ ସ୍ୱାଧୀନତାର ଅର୍ଥ ମୋ ପାଖରେ ଅବୋଧ୍ୟ ! ବସ୍ତୁତଃ ଏ ଦେଶର ଖ୍ରୀଷ୍ଟାନ୍‌ ସମାଜରେ, ବ୍ରାହ୍ମ ସମାଜରେ ଏମିତି ଅନେକ ସ୍ତ୍ରୀ ଅଛନ୍ତି, ଯେଉଁମାନେ ଯଥାର୍ଥ ସ୍ୱାଧୀନତା ବିଷୟରେ ବହୁତ ପରିମାଣରେ ଅଗ୍ରସର, କିନ୍ତୁ ଜାଣିଛ ତ, ଇଂରାଜି ପ୍ରବାଦ କହେ, ‘ଗୋଟିଏ କୋଇଲି ଡାକିଲେ ବସନ୍ତ ଜାଗିଉଠେନାହିଁ ।’ କଥା ହେଉଛି, ଯଥାର୍ଥ ନାରୀସ୍ୱାଧୀନତା ଯାହାକୁ କହନ୍ତି, ତାହା ଭାରତବର୍ଷରେନାହିଁ । ମରହଟ୍ଟିଆ ସମାଜ କହ, ନବ୍ୟ ହିନ୍ଦୁ ସମାଜ କହ, ବ୍ରାହ୍ମସମାଜ କହ କେଉଁଠି ଏ ସତ୍ୟ ସ୍ପଷ୍ଟ–କେଉଁଠି ବା ଅସ୍ପଷ୍ଟ, ବଦଳାବଦଳି ଟିକିଏ ମାତ୍ର ! ତୁମେ ସମଗ୍ରଭାବରେ ବିଚାର କରିବାକୁ ଶିଖ । ଖ୍ରୀଷ୍ଟାନ୍‌ ଓ ବ୍ରାହ୍ମ ସମାଜରେ ନାରୀସ୍ୱାଧୀନତାର ‘ସୁବିଧା ବହୁତ ଅଛି, କିନ୍ତୁ ତାହା ସୁବିଧା ମାତ୍ର, ସ୍ୱାଧୀନତା ନୁହେଁ ।’

 

ମୁଁ କହିଲି, ‘ଦେବଭାଇ ! ତୁମେ ନାରୀର ଯେଉଁ ଅବାଧ ସ୍ୱାଧୀନତା କଥା କହୁଛ, ତାହା ପଶ୍ଚିମଦେଶରେ ଖଟେ । ପ୍ରାଚ୍ୟ ଜଳବାୟୁରେ ସେ ଉଧେଇବନାହିଁ । ଏଥିରେ ଭାରତୀୟ ପଦ୍ଧତିଚାଳିତ ସାମାଜିକ ଓ ପାରିବାରିକ ଶାନ୍ତି ଶୃଙ୍ଖଳା ପରିବର୍ତ୍ତରେ ଅଶାନ୍ତି ଓ ବିଶୃଙ୍ଖଳାର ବିଭ୍ରାଟ ଅବଶ୍ୟମ୍ଭାବୀ ।’ ଦେବଭାଇ କହିଲେ, ‘ଏ କଥାଟାରେ ସତ୍ୟ ଅଛି । ପ୍ରଥମ ସ୍ୱାଧୀନତାରେ ସେପରି ହୋଇପାରେ, କିନ୍ତୁ ଏଇଟା ପୂରା ସତ ହେଲା କେଉଁଠି ? ପ୍ରାଚ୍ୟ ଜାପାନରେ ତ ୟାର ପରୀକ୍ଷା ସରିଛି ? ପାଶ୍ଚାତ୍ୟର ଧର୍ମ ଓ ସମାଜନୀତି ଭାରତୀୟଠୁଁ ଭିନ୍ନ ହୋଇପାରେ; କିନ୍ତୁ ମନୁଷ୍ୟ ଜାତି ତ ସବୁଠି ଏକ ? ଏଠିକା ନାରୀତ୍ୱ, ସେଠିକା ନାରୀତ୍ୱ, ୟାର ପ୍ରକୃତିରେ ପାର୍ଥକ୍ୟ କିଛି ଅଛି କି ? ତା’ପରେ, ତାଙ୍କ ଦେଶରେ ସମାଜ ସଂସାର ତ ତୁମ ଦେଶ ହାଳିକି କହିବାକୁ ଗଲେ ଆହୁରି ସୁଶୃଙ୍ଖଳ ଭାବରେ ଚଳୁଛି । ସେଠି କର୍ତ୍ତବ୍ୟର ଦାବି ମନୁଷ୍ୟ ଉପରେ ଏତେ ବେଶି ଯେ, ଦଣ୍ଡେ ଅୟେସ୍‌ କରି ବସି ଭାବୋଚ୍ଛ୍ୱାସରେ ମାତିବାକୁ କାହାର ଅବସରନାହିଁ । ଶୁଣୁଛ ତ ସେଠିକା ଲୋକଙ୍କୁ କର୍ମ ଦିନକୁ ଦିନ କଳ କରିଦଉଛି ? ଶିଳ୍ପ, ବାଣିଜ୍ୟ, କଳକାରଖାନା, ଖାଇବା, ପିନ୍ଧିବା, ଯିବା, ଆସିବା ଏସବୁ ତ ଅତି ସୁଶୃଙ୍ଖଳ ଭାବରେ ସେଠିକା ସମାଜରେ ଚାଲିଛି । ପରନ୍ତୁ ୟା ମୂଳରେ ନାରୀର ହାତହିଁ ପ୍ରଧାନ ରହିଛି ! ତୁମେ ତୁମ ଦେଶର ସମାଜରେ ୟାର କ’ଣ ତୁଳନା ଦବ-? ତୁମ ଦେଶରେ ତ ସମସ୍ତେ ଅଳସ, ବିଶୃଙ୍ଖଳ ।’

 

ମୁଁ କହିଲି, ‘ଦେବଭାଇ ! ତୁମେ ତ ନାରୀସ୍ୱାଧୀନତା ବିଷୟରେ ଏଡ଼େ ଉଦାର । ଯଦି ବିବାହ କର, ତେବେ ବିବାହ ପରେ କ’ଣ ତୁମେ ତୁମ ସ୍ତ୍ରୀକୁ ସତରେ ଏତେଗୁଡ଼ାଏ ସ୍ୱାଧୀନତା ଦେଇପାରିବ ?’ ଦେବଭାଇ ଉତ୍ତେଜିତ ସ୍ୱରରେ କହିଲେ, ‘ଏଇ ‘ଦବା’ କଥାଟାକୁ ବାସନ୍ତି, ମୁଁ ଆପତ୍ତି କରେ–ଚିରଦିନ କରିବି । ସ୍ୱାଧୀନତା କେହି କାହାକୁ ଦେଇପାରେନାହିଁ । ସେ ଜିନିଷଟାକୁ ନିଜର ଆତ୍ମଶକ୍ତିଦ୍ୱାରା ଜୋର କରି ଆଦାୟ କରିନବାକୁ ହୁଏ ।’

 

କିଛିକ୍ଷଣ ଚୁପ୍‌ ରହି ଦେବ ଭାଇ ପୁଣି କହିଲେ, ‘ତେବେ ଏଇ ଅଳ୍ପ ଟିକିଏ କଥା ମୁଁ କହିପାରେ ଯେ, ମୋର ଭବିଷ୍ୟତ୍‌ ସ୍ତ୍ରୀ ଯଦି ଯଥାର୍ଥ ସ୍ୱାଧୀନ ହୁଅନ୍ତି, ତେବେ ତାଙ୍କର କୌଣସି କାର୍ଯ୍ୟରେ ମୁଁ ମୋର ଟିପ ଛୁଇଁବାକୁ ଯିବିନାହିଁ, ଲେଶମାତ୍ର ବାଧାନାହିଁ । ତାଙ୍କର ମନୁଷ୍ୟୋଚିତ ବିବେକବୁଦ୍ଧି ତାଙ୍କୁ ସ୍ୱାଧୀନତାର ଅପଚାର ହାତରୁ ରକ୍ଷା କରିବ । ତା’ ମଝିରେ ସ୍ତ୍ରୀ ପ୍ରତି ‘କର୍ତ୍ତବ୍ୟ’ ‘ଦାୟିତ୍ୱ’ ନାମରେ ମୁଁ କଦାପି ‘ସ୍ୱାମୀତ୍ୱ’ ଜାହେର କରିବାକୁ ଯିବିନାହିଁ । ମୁଁ ଲଜ୍ଜିତ ହେଉଛି, ନିଜ ସମ୍ୱନ୍ଧରେ ମତେ କୈଫିୟତ ଦବାକୁ ହଉଛି ବୋଲି । ଯେତେଦିନଯାଏ ପ୍ରକୃତ କାର୍ଯ୍ୟରେ ନ ଦେଖେଇ ପାରିଛି, ସେତେଦିନଯାଏ ଗୁଡ଼ାଏ ବକିବା ରଙ୍ଗମଞ୍ଚରେ ଯୁଦ୍ଧାଭିନୟ କଲାଭଳି ନୁହେଁ କି-?’ ମୁଁ ତଳକୁ ମୁହଁ କରି ହସୁ ହସୁ କହିଲି, ‘ଆଚ୍ଛା, ହଉ, ବଞ୍ଚିଥିଲେ ଦେଖାଯିବ ଯେ–ଏ ତୁମର ମୁହଁ କଥା କି ମନ କଥା ।’ ଦେବଭାଇ ଚପଳଭାବରେ ହସି ଦେଇ କହିଲେ, ହଁ, ହଁ, ଦେଖିବ–ଦେଖିବ, କାରଣ ଭବିଷ୍ୟତ୍‍ରେ ମତେ ଭଲକରି ଦେଖିବାର ସୁଯୋଗ ବୋଧହୁଏ ତୁମର ଯେତେ ହବ, ସେତେ ଆଉ କାହାର ହବନାହିଁ । ଏ କଥା ତୁମେ ଜାଣ ହୁଏତ, ଆଉ ମୁଁ ତ ଜାଣିଛି ।’ ମୁଁ ମୁହଁ ମୋଡ଼ିଦେଇ ଛାତ ଉପରୁ ପଳାଇ ଆସିଲି । ଦେବଭାଇ ବୋଉ ପାଖକୁ ଚାଲିଗଲେ ।

 

Unknown

ବାସନ୍ତୀ ଡାୟେରୀଟି ଥୋଇଦେଇ ମାନସ–ଚକ୍ଷୁରେ ସେ କାଳର ଘଟଣା ସହିତ ଆଜିର ଘଟଣା ମିଳାଇ ଦେଖିଲା । ନିଜ ଜୀବନଟା ତାହା ନିକଟରେ ଗୋଟାଏ ପ୍ରସିଦ୍ଧ ବାଜୀକରର ଦୁର୍ଜ୍ଞେୟ ଚାତୁରୀ ଭଳି ମନେହେଲା । ତା’ର କ୍ଷୁବ୍ଧ ଅନ୍ତରରେ କେବଳ ଗୋଟାଏ ପ୍ରଶ୍ନ ବାରମ୍ୱାର ଧ୍ୱନିତ ହେବାକୁ ଲାଗିଲା, ସେକାଳର ଦେବଭାଇ ତ ଆଜିକାର ସ୍ୱାମୀ ଦେବବ୍ରତ !

 

–ଏକୋଇଶି–

 

ସନ୍ଧ୍ୟା ଆସିଲା । ଦେବବ୍ରତର ଦେଖାନାହିଁ । ବାସନ୍ତୀର ନିତି ଦୁଇଥର ଗାଧୋଇବାର ଅଭ୍ୟାସ । ଶୀତଦିନେ ମଧ୍ୟ ଏ ନିୟମର ବ୍ୟତିକ୍ରମ କେବେ ହୁଏନାହିଁ; କିନ୍ତୁ ଆଜି ସନ୍ଧ୍ୟାବେଳେ ସେ ଗାଧୋଇଲାନାହିଁ, ମୁଣ୍ଡ ବାନ୍ଧିଲାନାହିଁ । ଲୁଗା ପାଲଟି ଆସି ଘରେ ଆଲୁଅ ପାଖରେ ବସିଲା । ସନ୍ଧ୍ୟାପୂର୍ବରୁ ଡାକବାଲା ଖଣ୍ଡେ ଚିଠି ଦେଇଯାଇଥିଲା । ଚିଠି ଖଣ୍ଡିକ ଅତ୍ୟନ୍ତ ଦୀର୍ଘ ଥିବାରୁ ଗୋଧୂଳିର ସ୍ୱଳ୍ପାଲୋକରେ ସେ ତାହା ନ ପଢ଼ି ରଖି ଦେଇଥିଲା । ବାକ୍ସ ଭିତରୁ ଚିଠିଖଣ୍ଡ କାଢ଼ି ସେ ପଢ଼ିବାକୁ ଲାଗିଲା–ଅନେକ ଦିନ ପରେ ତା’ର ବଉଳ ସୁନୀତି ଲେଖିଛି–

 

ଫୁଲ ବଉଳବେଣି !

 

ଦେଖୁଛି ତୋର ଚିଠିର ସଂଖ୍ୟା କେତେଦିନ ହେଲା ମାନ୍ଦା ପଡ଼ି ଆସୁଛି । ତୁ ଯେତେ ବଡ଼ ଚିଠି ଦେଉ, ମୁଁ ତା’ର ତେତିକି ସାନ ଜବାବ୍‌ ପଠାଏଁ । ସେଇହେତୁରୁ ମୋର ମନେହେଉଛି, ତୁ ମୋ ସମ୍ବନ୍ଧରେ ଗୋଟାଏ କିଛି ଅନୁମାନ କରିଛୁ । ସାନ ଚିଠିରେ ମନୁଷ୍ୟକୁ ଯେମିତି ଭୁଲ ବୁଝିବାର ସମ୍ଭାବନା, ବଡ଼ ଚିଠିରେ ସେମିତି ନୁହେଁ; କାରଣ ତାହା ଲେଖକକୁ ଅସ୍ପଷ୍ଟ କରିଦିଏ । ଦିଟାଯାକ ମୁସ୍କିଲ୍, ମୁଁ ଏବେ କରେ କ’ଣ ! ତୁ ଜାଣୁ, ବଡ଼ ଚିଠି ଲେଖିବାର ଅଭ୍ୟାସ ମୋରନାହିଁ, କିନ୍ତୁ ଆଜି ତୋର ସବୁ ଚିଠିଗୁଡ଼ିକ ହଠାତ୍‌ ଓଲଟାଇ ଓଲଟାଇ ପଢ଼ିଲି । ସେଇ ଯୋଗୁଁ ମୁଁ ଆଜି କେତେକ କଥା ଲେଖିବାକୁ ବସିଛି । ଏ ଚିଠି ଖୁବ୍‌ ଲମ୍ୱା ହବ ବୋଧହୁଏ ।

 

ମୁଁ ବେଶ୍‌ ବୁଝିପାରୁଛି, ଦିନକୁ ଦିନ ତୁ ବଡ଼ ଅଦୃଷ୍ଟବାଦିନୀ, ନିଜ ଉପରେ ବୀତଶ୍ରଦ୍ଧ ଓ ଉଦାସୀନ ହୋଇ ପଡ଼ୁଛୁ । ତୋ ଜୀବନର ଏକ ବିକୃତ ଦିଗ ସେଇଯୋଗୁଁ ତୋ ଚିଠିରେ ପ୍ରକାଶ ହୋଇପଡ଼ୁଛି । ମୁଁ ସ୍ପଷ୍ଟ ଜାଣିପାରୁଛି, ନିଜକୁ ଋଜୁ ରଖି ସେଇ ବାଟରେ ତୋତେ ତୋର ଜୀବନର ସହଜ ଭଙ୍ଗୀ ନେଇଯାଇପାରୁନାହିଁ । ଗୋଟାଏ କି ବାଧା, ଗୋଟାଏ କି କୁଣ୍ଠା ତୋ ବାଟ ଓଗାଳି ଛିଡ଼ା ହୋଇଛି । ତୁ ତା’ ସାଥିରେ ପାରିଉଠୁ ନାହୁଁ ।

 

ପିଲାଦିନ କଥା ମନେପଡ଼ୁଛି–ଆଜି କି ପରିବର୍ତ୍ତନ ! ଆମେ ଦିଅଟିଯାକ କି ଶାନ୍ତିରେ ଜୀବନ କାଟୁଥିଲୁ ! କିନ୍ତୁ ଫଗୁଣର ଛଇଳ ପ୍ରଜାପତିଟି ପରି ତୋର ସଦା–ଚପଳ ଓ ସଦା–ପ୍ରଫୁଲ୍ଲ ଭାବଟି ଉପରେ ସାଂସାରିକ ଜୀବନର, ଜଞ୍ଜାଳମୟ ଦୁଃଖ ଗୋଟାଏ କଳା ଦାଗ ପକାଇ ଦେଇଛି । ମୋର କ’ଣ ପରିବର୍ତ୍ତନ ହୋଇନାହିଁ ? ଜଗତ୍‌ ପରିବର୍ତ୍ତନଶୀଳ–ପ୍ରତିମୁହୂର୍ତ୍ତରେ ପ୍ରକୃତିର ବିଚିତ୍ର ରୂପାନ୍ତନ ସୃଜନ କ୍ରିୟାକୁ ସଚଳ, ସତେଜ କରି ରଖିଛି । ତୋରି ପରି ସଂସାରର ଜଟିଳ ଦୁଃଖର ମାଡ଼ଖାଇ ଛେଚି ହୋଇଯାଇନାହିଁ ବୋଲି ମୋ ଜୀବନଟା ମନଫୁଲାଣିଆ ହୋଇ ନାଚୁଛି, ଖେଳୁଛି ବୋଲି ଭାବୁପରା ? ଭ୍ରାନ୍ତ ତୁ । ସାଂସାରିକ ବନ୍ଧନର ଦୁଃଖ ନଥିଲେ କ’ଣ ମନୁଷ୍ୟର ଦୁଃଖନାହିଁ ? ଏ ଦୁଃଖ ଯେ ତା’ର ଅର୍ଥହୀନ ଦୁଃଖ–ଏ ବିଶ୍ୱର ମର୍ମଦୁଃଖ–ଆନନ୍ଦ ବେଦନାମୟ ଦୁଃଖ !

 

ଭଗବାନଙ୍କର ବୋଧହୁଏ ଉଦ୍ଦେଶ୍ୟ ଯେ, ମନୁଷ୍ୟ ସଂସାରର କଷଣ ଭୋଗକରୁ, ବନ୍ଧନର ଦୁଃଖ ଭୋଗକରୁ । ଯେଣେ ଚାହଁ, ତେଣେ ଦୁଃଖର ଅନନ୍ତ ସମୁଦ୍ର । ତା’ର କ’ଣ କୂଳ ଅଛି, ଭଉଣୀ ? ଏଥିରେ ନିଜର ବ୍ୟକ୍ତିଗତ ଜୀବନଟାକୁ, ତା’ର ଦୁଃଖଟାକୁ ଯଦି ଆମେ ଅତି ଏକାନ୍ତ ଭାବରେ ଦେଖୁ, ତେବେ ଆମେ ସେଠି ବ୍ୟର୍ଥ ହେଲୁ । ମାତ୍ର ଏହା ଖୁବ୍‌ ସତ ଯେ, ବ୍ୟକ୍ତିଗତ ସମସ୍ୟାର ଏବଂ ବ୍ୟକ୍ତିର ଦୁଃଖ ଓ ଅଭାବର ପ୍ରଶ୍ନ ଯେଉଁଠିନାହିଁ, ସେଠି ବିଶ୍ୱର ଦୁଃଖ ବରଣ କରିବାକୁ କହିବା ବାଗାଡ଼ମ୍ବର ମାତ୍ର । ମୋର ତତେ କହିବା କଥା ଏୟା–ତୁ ତୋରି ଦୁଃଖ ନେଇ କେବଳ ନିଜର ସମସ୍ୟା, ଅଭାବ ଉପରେ ଦୃଷ୍ଟି ନିବଦ୍ଧ କରନା । ତୋରି ଅଭାବ–ତୋରି ଦୁଃଖ ଦେଇ ତୁ ନିଖିଳ ଜୀବନର ବେଦନା ବୁଝୁ । ତାକୁ ତୁ ଉପଲବ୍ଧି କରିପାରିଲେ ତୋ ମନର ଭାର ଅନେକ ପରିମାଣରେ ଊଣା ହେବ, ଅନ୍ତରରେ ତୁ ବଳ ପାଇବୁ । ମୋର ଧାରଣା, ସବୁଠୁଁ ବଡ଼ ଶୋକ ବଡ଼ ଦୁଃଖ ଆତ୍ମାକୁ ସମ୍ପଦଶାଳୀ କରେ । ଏ ବୃହତ୍‌ ଐଶ୍ୱର୍ଯ୍ୟର ସନ୍ଧାନ ଯେ ପାଇଛି, ବ୍ୟଥା ବେଦନାରେ ତା’ ମର୍ମସ୍ଥାନରୁ ରକ୍ତ ଉପୁଚି ପଡ଼ିଛି ସତ, କିନ୍ତୁ ପୃଥିବୀର ଅଭାବ କ୍ଳେଶତାକୁ ବାଟବଣା କରିପାରିନାହିଁ, ତାକୁ ବିମୂଢ଼ କରିଦେଇନାହିଁ ।

 

‘‘The world is more full of tears than you know’’. ପାଶ୍ଚାତ୍ୟ କବିଙ୍କର ଏହି କଥାର ଗଭୀର ଅର୍ଥ ଜୀବନର ଅନୁଭୂତି ତୋର ତତେ ବୁଝାଇଦେବ । ନିଜକୁ ସବୁବେଳେ ବିମର୍ଷ କରି ଲାଭ କ’ଣ, ବଉଳ ? ଯାହା ଆସୁଛି, ତାକୁ ବରିନେବା ପାଇଁ ପ୍ରସ୍ତୁତ ହୋଇ ରହିବା । ସେଇ ତ ଯଥାର୍ଥ ବୀରତ୍ୱ । ସଂଗ୍ରାମହିଁ ଜୀବନ–ଜୀବନରେ ସଂଗ୍ରାମନାହିଁ ଯାର ଦାର୍ଶନିକ ଅର୍ଥରେ ତା’ ଜୀବନ ଶାନ୍ତିମୟ, ସୁନ୍ଦର ହୋଇପାରେ–କିନ୍ତୁ ମୋ ମତରେ ସେ ଜୀବନ ନିଶ୍ଚଳ, ବୈଚିତ୍ରହୀନ । ତା’ର ନିଜର ସ୍ୱାର୍ଥଟା କେବଳ ବଡ଼, ବଡ଼ ଦରିଦ୍ର ସେ !

 

ଭାଗ୍ୟ ନିୟତି, ଅଦୃଷ୍ଟ ଫଦୃଷ୍ଟ ଯାହା କହନା ତୁ, ଜୀବନରେ ଚରମ ଦୁଃଖ ବିପଦରେ ପୋଡ଼ି ମରିଗଲେ ସୁଦ୍ଧା ତାହା ମୁଁ ମାନିବିନାହିଁ । ମନୁଷ୍ୟକୁ କର୍ମସ୍ପୃହାହୀନ, ଦୁର୍ବଳ କରିବାପାଇଁ ଆକ୍ଷେପ କରି କିଛି ଲାଭନାହିଁ, ଭବିଷ୍ୟତର ସ୍ୱପ୍ନ ଦେଖି କିଛି ଲାଭନାହିଁ । ବର୍ତ୍ତମାନକୁ ନେଇ ରହିବା–ଯାହା ଦୁଃଖ ଆସୁଛି, ତାକୁ ଜୀବନର ସୁଖ ସାଙ୍ଗରେ ସମଜ୍ଞାନ କରି ନବାଟାହିଁ କର୍ତ୍ତବ୍ୟ ବୋଲି ମୋର ମନେହୁଏ । ଜୀବନ ଦେବତାଙ୍କ ଉପରେ ପ୍ରତି ପଦରେ ନିର୍ଭର ରଖି, ତାଙ୍କର ଇଙ୍ଗିତକୁ ସବୁଠୁଁ ସତ୍ୟ ଓ ଶ୍ରେୟ ଜ୍ଞାନ କରିବା ଉଚିତ । ଦୁଃଖ, ବିପଦ ଓ ଭୟ ଉପରେ ନିଜକୁ ରଖିବାରେ ବଡ଼ ମନୁଷ୍ୟତା ପ୍ରସ୍ଫୁଟ ହେବାର ଅବସର ପାଏ । ଅର୍ଥ, ସମ୍ଭ୍ରମ, ଯଶ, ମାନକୁ ଲୋକେ ପୌରୁଷଲାଭ ବୋଲି କହନ୍ତି; କିନ୍ତୁ ବୋଧହୁଏ ସବୁଠୁଁ ବଡ଼ ପୌରୁଷ ଏଇ ଦୁଃଖକୁ ଆତ୍ମିକ ଶକ୍ତିରେ ପରାଭୂତ କରି ଆନନ୍ଦର ସନ୍ଧାନୀ ହେବାରେ । ଅବଶ୍ୟ ଏହା ଆମଭଳି ସାଧାରଣଲୋକଙ୍କ ପକ୍ଷରେ ବଡ଼ କଠିନ ସାଧନା । ନା ? ତୁ ଅନ୍ତର୍ଯ୍ୟାମୀଙ୍କଠାରେ ପ୍ରାର୍ଥନା କର–

 

‘‘ଦୁଃଖ ଯେ ଦିନ ଦାରୁଣ ହବେ

ଝାଞ୍ଜା ମେଘେର ବାର୍ତ୍ତା କବେ

ସେ ଦୁଃଖ ରାତେ ରଇତେ ଦାଓ

ଗାନେ, ଗାନେ, ଗାନେ ।’’

ଦେଖିବୁ ମନରେ କି ଆନନ୍ଦ ଆସିବ ।’’

 

ତୁ କହୁଛୁ, ଏତେ ବିଫଳତାର ବୋଝ ବହିବାର ତୋର ଆଉ କ୍ଷମତାନାହିଁ । ତୁ ମନୁଷ୍ୟ, ପୁଣି ତୁ ନାରୀ । ଏତେ ଚଞ୍ଚଳ ତୋ ଜୀବନ ରିକ୍ତ ହୋଇଗଲା, ବଉଳ ? ଯାହା କହ, ମୁଁ ଯେ ଜମାରୁ ବିଶ୍ୱାସ କରିପାରୁନାହିଁ । ତୋର ଏ ଦୁର୍ଦ୍ଦିନରେ ସାନ୍ତ୍ୱନା ଦେବାକୁ ମୋର ଶକ୍ତିନାହିଁ । ବେଳେ ବେଳେ ତୋରି ପରି ମନ ମୋର ମରିଯାଏ ମାତ୍ର ଯେତେବେଳେ ଦୁର୍ଦ୍ଦିନର ସମ୍ବଳ ଗୀତଗୁଡ଼ିଏ ଗାଏ, ଗଭୀର ତୃପ୍ତିରେ ମନ ଭରିଉଠେ । ଆଶା ପୁଣି ମତେ ଜୀବନର ପ୍ରେରଣା ଦେଇ ବଞ୍ଚାଏ ।

 

ସୁଖବାଦକୁ ମୁଁ ଆଗେ କହୁଥିଲି ଗୋଟାଏ କବିର ଖିଆଲ; କିନ୍ତୁ ଜୀବନର ନୂଆ ନୂଆ ଅଭିଜ୍ଞତାହିଁ ଏ ସମ୍ବନ୍ଧରେ ମତେ ଦୃଢ଼ ସିଦ୍ଧାନ୍ତରେ ପହଞ୍ଚାଇ ଦେଇଛି ଯେ, ଏ କବିକଳ୍ପନା ନୁହେଁ । ଏହା ମାନବଜୀବନର ପରୀକ୍ଷିତ ସତ୍ୟ ଉପରେ ପ୍ରତିଷ୍ଠିତ । ଏ ଜୀବନ କି ବିଚିତ୍ର, କି ବିପୁଳ, ଅଖଣ୍ଡ ସୌନ୍ଦର୍ଯ୍ୟଭରା । ଏ ପ୍ରାକୃତିକ ସୁଷମାର ସୀମା କାହିଁ ? ଏ ପ୍ରଶ୍ନ ସୃଷ୍ଟି ଦିନୁ କେତେ ପ୍ରାଣରେ ଉଠିଛି । କିନ୍ତୁ ଏ ରହସ୍ୟର ସନ୍ଧାନ କେହି ତ ପାଇଲେନାହିଁ ? ସମସ୍ତଙ୍କ ଚିନ୍ତା ଅସୀମରେ ପ୍ରତିହତ ହୋଇ ଫେରିଆସିଛି–ଏହି ଅସୀମତାହିଁ ପ୍ରାକୃତିକ ରହସ୍ୟ–ଖଣ୍ଡ ଭାବରେ ବିଚାର କଲେ ତ୍ରୁଟି, ଛିଦ୍ର ଅଭାବହିଁ ଆମ ଆଖିକି ବଡ଼ ହୋଇ ଦିଶିବା ସ୍ୱାଭାବିକ, କିନ୍ତୁ ନିଖିଳ–ପ୍ରକୃତି ପରି ଜୀବଟାକୁ ସମଗ୍ରଭାବରେ ବିଚାର କଲୁ ଦେଖିବୁ, କି ସୁନ୍ଦର, ତହିଁରେ ଅସୀମର କି ବିଚିତ୍ର ବିକାଶ !

 

ଦୁଃଖବାଦର ସ୍ଥାନ ଏ ସଂସାରରେ ମୁଖ୍ୟ ଭାବରେ ରହିଛି, କିନ୍ତୁ ବାସ୍ତବରେ ସେଇଟା ଗୌଣ । ଆନନ୍ଦବାଦୀ ପକ୍ଷରେ ଯେଉଁଟା ସତ୍ୟ, ଦୁଃଖବାଦୀ ପକ୍ଷରେ ତା’ର ବିପରୀତ ସେହିପରି ସତ୍ୟ ବୋଲି ପ୍ରତୀୟମାନ ହୁଏ । ଜୀବନରେ ଜଗତର କଳାପାଖଟା ତୋ’ ଚକ୍ଷୁ ଆବୋରି ପକାଉଛି । ତୁ ଆନନ୍ଦବାଦୀ ହେବାକୁ ଚେଷ୍ଟା କର । ଦୁଃଖଟାହିଁ ଜୀବନର ଆଶିଷ, ତାହା ବିଧାତାଙ୍କ ମହାଦାନ ବୋଲି ଗ୍ରହଣ କର ।

 

ବାସନ୍ତୀ ଫୁଲ, ତୋର ପ୍ରବନ୍ଧ ମୁଁ ପଢ଼େ । ଦେବବାବୁ ପରା ତୋର ଥରେ ସେ ନାରୀ ସମସ୍ୟା ବିଷୟକ ପ୍ରବନ୍ଧ ଦେଖି ରାଗିଥିଲେ ? ସାମାଜିକ ଅନ୍ୟାୟକୁ ତୁଚ୍ଛ ଅନ୍ଧତାର ମୋହ ଆଉ ମାମୁଲି ବାକ୍‌ଚାତୁରୀର ଆଢ଼ୁଆଳରେ ରଖି ସାଧାରଣଙ୍କ ଚିନ୍ତା ଏଆଡ଼େ ଆକର୍ଷଣ କରିଦବାକୁ ତୁ ଚାହିଁଥିଲୁ, ଏଇ ତ ତୋ’ ଅପରାଧ ? ପଟି ଭିଡ଼ି ରଖିଲେ କ୍ଷତସ୍ଥାନଟି ଆବୃତ ହୋଇଥିଲେ ସୁଦ୍ଧା ଆରୋଗ୍ୟ ହୁଏନାହିଁ । ସେଥିପାଇଁ ଚିକିତ୍ସା ଲୋଡ଼ା । ଏଥିରେ ଯଦି ଲାଞ୍ଛନା ସହିବାକୁ ହୁଏ, ନାନାଅପବାଦ ନିନ୍ଦାର ଭାଗୀ ହବାକୁ ହୁଏ, ସେ ଲାଞ୍ଛନା, ଅପବାଦ ଓ ନିନ୍ଦାକୁ ମଥାମଣି ପରି ମୁଣ୍ଡରେ ଘେନିବାକୁ ଗୌରବ ବୋଧ କରିବୁ, ଏଇଟା ମୋର ଦୃଢ଼ବିଶ୍ୱାସ । ଦେଶ ଆଗରେ ଯେଉଁ ସମସ୍ୟାକୁ ଠେଲି ଠିଆ କରାଇଦେବାକୁ ତୁ ଚାହୁଁଛୁ, ସେ ସମସ୍ୟା ଯେଉଁ ଭାଇମାନେ ସମାଧାନ କରିବାକୁ ଭୀତ ନୁହଁନ୍ତି, ସେମାନେ ତୋ’ ଡାକରେ ନିଶ୍ଚୟ ଅଗ୍ରସର ହେବେ ।

 

ଏତ ଗଲା ତୋ କଥା । ମୋ କଥା ଟିକିଏ ଲେଖେଁ ।

 

ମୁଁ ଆଦର୍ଶବାଦିନୀ । ସଂସାରୀ ଲୋକେ ଯେନ ତେନ ପ୍ରକାରେଣ କାର୍ଯ୍ୟ ସିଦ୍ଧି କରି ‘‘ପଟ୍‌କଣ ଦେଇ କାମ ଫତେ କରିଦେଲୁଁ’’ ବୋଲି ଯେଉଁଠି ଚରମ ବାହାଦୂରୀ ଦେଖାଇ ହୁଅନ୍ତି, ସେଠି ଆଦର୍ଶବାଦୀର ମୃତ୍ୟୁ ହେଲା ବୋଲି ମୁଁ ଲଜ୍ଜିତ ହୁଏ ।

 

ମୋ’ ଜୀବନର ଅଭିଜ୍ଞତା ଯେତେ ବଢ଼ୁଛି, ସେତିକି ବୁଝୁଛି, ମୋ’ ଉପରେ ଦାୟିତ୍ୱ କେତେ ବଡ଼ । ଆଦର୍ଶକୁ ସୁବିଧାର ଖାତିରିରେ ଛୋଟ କରିବା ଅଭ୍ୟାସ ଯେତେବେଳେ ଚାରିଆଡ଼େ ଘେରି ରହିଛି, ସେତେବେଳେ ସୁବିଧାର ପ୍ରଲୋଭନରେ ନିଜକୁ ଦୃଢ଼ ରଖିବା ଦୂରୁହ ହୋଇପାରେ, କିନ୍ତୁ ବେଶି ଜରୁରୀ । ତୋର ଗୋଟାଏ ଡାଏରୀର ପ୍ରଥମ ପୃଷ୍ଠାରେ ଦେଖିଥିଲି, ‘‘ନାୟମାତ୍ମା ବଳହୀନେନ ଲଭ୍ୟଃ ।’’ ସେ କଥା ବରାବର ମନେରଖିବାକୁ ହେବ ।

 

ଜୀବନର ନଗ୍ନ ବୀଭତ୍ସ ନିଦାରୁଣ ରୂପ ଦେଖିଲେ ସୁଦ୍ଧା ମୋ ଆଦର୍ଶବାଦ ବଜାୟ ରହିଥିବ । ସଂସାରର ବାଧାବିଘ୍ନରେ ପଦେ ପଦେ ଝୁଣ୍ଟିବି, ତଥାପି ମୁଁ ଜୀବନକୁ, ବିଶ୍ୱକୁ ପ୍ରୀତି କରିବି । ଯେଉଁମାନେ ସଂସାର ଦୁଃଖ, ଶଠତା ଓ ପାପ ପାଖଟା ବରାବର ଦେଖୁଛନ୍ତି, ସେମାନଙ୍କ ବୈରାଗ୍ୟ ମୋର ନୁହେଁ । ସଂସାରରେ କେବଳ ଗୋଟାଏ ବୀରତ୍ୱ ଅଛି–ଏ ଜୀବନକୁ ଜାଣିବା ଓ ଜାଣି ସୁଦ୍ଧା ଭଲପାଇବା । ରୋମାଁ ରୋଲାଁଙ୍କର ଏଇ କଥାଟି ମୁଁ ଦିନକୁ ଦିନ ଗଭୀର ସତ୍ୟ ବୋଲି ଉପଲବ୍ଧି କରୁଛି । ମୋର ଆଶା, ତୁ ମଧ୍ୟ ଏଇ ଉପଲବ୍ଧିରେ ଧନ୍ୟ ହେବୁ । ମୋ’ ମତଗୁଡ଼ାକ କେଉଁଠି କେଉଁଠି ତୋ’ ମନକୁ ନ ପାଇଲେ ସୁଦ୍ଧା ମୋର ଶୁଭେଚ୍ଛା ତତେ ଅନ୍ତରରେ ବଳ ଓ ଭରସା ଦେବ ନିଶ୍ଚୟ । ଜୀବନରେ ଗୋଟାଏ ଅସାଧାରଣ କିଛି କରିପକେଇବା ବା ସେପରି ହୋଇ ପଡ଼ିବା ଆମର ଦରକାରନାହିଁ, କି ନ ହେଲୁ ବୋଲି ସେଥିପାଇଁ କ୍ଷୋଭ କରିବାର ଆବଶ୍ୟକତାନାହିଁ । ଆମେ ଭଲ ମଣିଷ ହେବୁଁ, ସତ୍‌ ହେବୁଁ, ଏଇ ସବୁଠୁଁ ବଡ଼ ଲାଭ । କାହାର କର୍ମ, କାହାର ଧର୍ମ, କାହାର ବିଦ୍ୟା, କାହାର ଆଉ କିଛି–ଏମିତି କେତେ ଲୋକଙ୍କର କେତେ ତପସ୍ୟା ହେଉଛି ସତ୍ୟ । ଦୁନିଆ ଆଖିରେ ମୁଁ ଯାହା ହୁଏ, ନିଜ ପାଖରେ ଖାଁଟି ରହିବି । ନିଜ ପାଖରେ କୈଫିୟତ ଦେଲାବେଳେ ମୋ’ ମୁଣ୍ଡ ଯେମିତି ନଇଁ ନ ଯାଏ । ଆଜି ଖୁବ୍‌ ଲେଖିଲିଣି–ବିଦାୟ ।

 

ତୋର ସ୍ନେହର–

ବଉଳ ଫୁଲ

 

ଚିଠିଟି ପଢ଼ିସାରି ବାସନ୍ତୀ ପ୍ରାଣରେ ଆଶା ଓ ଆନନ୍ଦର ଏକ ଅଭିନବ ଲହରୀ ଖେଳିଗଲା । ସୁନୀତିର ଭାବନା ତା’ରି ନିଜର ବୋଲି ସେ ଅନୁଭବ କରିବାକୁ ଲାଗିଲା । ଗଭୀର ପୁଲକରେ ଚେୟାରରୁ ଉଠି ସେ ଉପର ଛାତକୁ ଯାଇ ପାଦଚାରଣ କରିବାକୁ ଲାଗିଲା । ଏତେଦିନେ ଯେମିତି ତା’ର ହୃଦୟର ଭାର ଉଶ୍ୱାସ ହୋଇଯାଇଛି–କି ଶ୍ୱସ୍ତିବୋଧ ତା’ର !

 

–ବାଇଶ–

 

ବ୍ରଜ ଯେଉଁଦିନ ଦେବବ୍ରତଙ୍କ ଘରକୁ ବୁଲିବାକୁ ଆସିଲା, କେଜାଣି କାହିଁକି ସେଦିନ ଦେବବ୍ରତର ମନ ଆଦୌ ଭଲ ନଥିଲା । ସେ ଭାବିଲା, ଖିଆପିଆ ଶେଷ ହେଲେ ଦିବାନିଦ୍ରାର ଆଶ୍ରୟ ଲଭି ଅନ୍ତତଃ କିଛିକାଳ ନିମନ୍ତେ ନିଜର ଦୁଶ୍ଚିନ୍ତା ହାତରୁ ରକ୍ଷା ପାଇବ । ମାତ୍ର ତାହା ହେଲାନାହିଁ । ବ୍ରଜ ଆଗରୁ ଆସିଥିଲେ ଖରାବେଳଟା ତା’ ସାଙ୍ଗରେ କଥାବାର୍ତ୍ତା କହି ହୁଏତ ସେ ଟିକିଏ ଶାନ୍ତିବୋଧ କରିଥାନ୍ତା; କିନ୍ତୁ ବ୍ରଜ ଆସିଲା ବଡ଼ ଡେରିରେ । ଖରାବେଳଟାଯାକ ସେ ନିଜ ଘରେ ଖଟ ଉପରେ ଶୋଇ କେବଳ ଛଟପଟ ହେବାକୁ ଲାଗିଲା । ବେଳେ ବେଳେ ତାହାର ଅନ୍ତର ସେ ଶଯ୍ୟାରେ ଆଉଜଣଙ୍କର ଅଭାବ ଅନୁଭବ କରି କାନ୍ଦିବାକୁ ଲାଗିଲା–ବେଳେ ବେଳେ ତାହାର ମନ ଗୋଟାଏ ଅହେତୁକ ବିଦ୍ରୋହରେ ପୂରି ଉଠିବାକୁ ଲାଗିଲା । ଅନ୍ତରରେ ନିଜର ବେଦନାର ଯଥାର୍ଥ ସ୍ଥାନ ନିରୂପଣ କରି ନ ପାରି ସେ ବିକଳ ଭାବରେ ଶୂନ୍ୟ ଆଡ଼କୁ ଚାହିଁ ରହିଲା ଏବଂ ନିଜର ବ୍ୟଥିତ ଅନ୍ତରକୁ ବ୍ୟର୍ଥ ସାନ୍ତ୍ୱନା ଦେଉ ଦେଉ ଭାବିଲା–‘ମୁଁ କ’ଣ ତାହା ପ୍ରତି ଅନ୍ୟାୟ କରିଛି ? କଦାପି ନୁହେଁ । ସ୍ୱାମୀର ସ୍ତ୍ରୀ ପ୍ରତି କର୍ତ୍ତବ୍ୟ ଯାହା, ତାହା ମୁଁ ଅବହେଳା କରିନାହିଁ । ଅନ୍ୟ କେହି ସାକ୍ଷୀନାହିଁ ସତ; ମାତ୍ର ମୋର ବିବେକ ସାକ୍ଷୀ ରହିଛି । କିନ୍ତୁ ସେ କ’ଣ ମତେ ଯଥାର୍ଥଭାବରେ ଗ୍ରହଣ କରିପାରିଛି ? ସେ କ’ଣ ମତେ ଭୁଲ୍‌ ବୁଝି ଆପେ ଆହତ ହୋଇ ସେ ଆଘାତର ଜ୍ୱଳାତକ ମୋରି ଉପରେ ମାରି ସାରିନାହିଁ ? ସେ ନିଶ୍ଚୟ ତା’ ଜୀବନରେ ମୋ’ ସମ୍ପର୍କଟାକୁ ବନ୍ଧନ ବୋଲି ଭାବି କଷ୍ଟ ପାଇଆସୁଛି । ଯାହା ମନରେ ଏତେ ସ୍ୱାଧୀନ ଭାବର ସ୍ଫୁରଣ, ସେ କାହିଁକି ଭାବୁ ନଥିବ ଯେ, ତା’ ସ୍ୱାମୀ ତାକୁ କ୍ରୀତଦାସୀ ଭଳି କର୍ତ୍ତବ୍ୟ ଅନୁରୋଧରେ ପାଳୁଛି, ପୋଷୁଛି, ଅନୁଗ୍ରହ କରି ତା’ ପ୍ରତି ସଦୟ ବ୍ୟବହାର କରୁଛି ? ଏ କେତେ ମାସ ହେଲା ମୁଁ ତା’ର ଏଇ ରକମ ଗୋଟାଏ ଭାବ ସ୍ପଷ୍ଟ ଦେଖିପାରୁଛି । କିମିତି ଦୂରଛଡ଼ା ସେ ହୋଇଯାଇଛି । ପାଦତଳେ ସାପ ଦେଖିଲା ପରି ମତେ ଦେଖି ପକାଇ ଯେମିତି ତା’ ମୁହଁର ସରାଗ ଭାବ ମରି ଫିକା ପଡ଼ିଯାଏ । ଆଉ କିଛି ନ ବୁଝିଲେ ତ ମଣିଷର ଭାବାନ୍ତର ବୁଝିବା ଭଳି କ୍ଷମତାଟିକ ମୋର ଅଛି ? ଯେଉଁ ସୂତା ପୋରିଆ ହୋଇ ଗଲାଣି, ତାକୁ ବାର ବାର ଗଣ୍ଠି ଦେଲେ କ’ଣ ସେଇଟା ଦମ୍ଭ ରହିବ ? ଦରିଦ୍ରର ଶତ ଛିନ୍ନ ଚିରାଲୁଗାରେ ତାଳି ପକାଇ ଖୁବ୍‌ ବେଶି ଦିନଯାଏ ମଜବୁତ୍‌ କରି ରଖିବାର ପ୍ରୟାସ କଲାଭଳି ତା’ର ଏ ପ୍ରୟାସ ସିନା !’

 

ସେ ଆଉ ଭାବିପାରିଲାନାହିଁ । ଗଭୀର ଉତ୍ତେଜନାରେ ବାରଣ୍ଡାରେ ପାଦଚାରଣ କରିବାକୁ ଲାଗିଲା । ଇତି ମଧ୍ୟରେ କେତେବେଳେ ବ୍ରଜ ଆସି ବାସନ୍ତୀ ସହିତ ବାସନ୍ତୀ ଘରେ ବସି ଗପ କଲାଣି, ତାହା ସେ ଜାଣିପାରିନାହିଁ । ବୁଲୁ ବୁଲୁ ବାରଣ୍ଡା କଣରେ ଥିବା ରଦ୍ଦି କାଗଜ ଟୋକେଇରେ ଖଣ୍ଡେ ଛିଣ୍ଡା ନୀଳ କାଗଜ ତା’ର ଦୃଷ୍ଟିଆକର୍ଷଣ କଲା । କୌତୁହଳୀ ହୋଇ ସେଇଟାକୁ ଟାଣି ନେଇ ଦେଖିଲା, ବାସନ୍ତୀ ହାତର ଅକ୍ଷର । ଛିଣ୍ଡା ଅଂଶଟିରେ ଲେଖା ହୋଇଛି–

 

‘‘...ବିଷେଇ ଉଠୁଛି, ସ୍ୱପ୍ନ ଦେଖିବାର ସୁଖଟିକକ ମୋର ଭାଙ୍ଗିଯାଇଛି, ମୁଁ ଆଉ ବଞ୍ଚିବିନାହିଁ । ମନର ମୃତ୍ୟୁ ଦେହର ମୃତ୍ୟୁଠୁଁ ଯେ ବହୁ ଗୁଣରେ ଭୟାନକ, ଏଇଟା ତୁମେ ଅନ୍ତତଃ ବୁଝିବ ବୋଲି ଭରସା କରି ଏ ଚିଠିଟା ଲେଖୁଛି । ତୁମେ ମନେକରୁଥିବ, ମୁଁ ରାଜଐଶ୍ୱର୍ଯ୍ୟ ଭୋଗରେ ରହିଛି; କିନ୍ତୁ କୌଣସି କୁଟୀରବାସିନୀ ବୋଧହୁଏ ମୋର ସୌଭାଗ୍ୟକୁ ଈର୍ଷା କରିବନାହିଁ । ସରକାରୀ ଜେଲଖାନାଠାରୁ ଏ ଜେଲଟା କୌଣସି ଅଂଶରେ ଶ୍ରେୟଃ, ତାହା ମୁଁ ଭାବିପାରୁନାହିଁ । ତୁମେ ଆସି ମତେ ଏ ରୁଦ୍ଧ ନରକରୁ ଉଦ୍ଧାର କରି ନେଇଯାଅ, ମତେ ମୁକ୍ତ କର । ଏ ଭରସା ଟିକକ ତୁମ ଉପରେ ରଖିବାର କାରଣ, ତୁମ ଛଡ଼ା ବର୍ତ୍ତମାନ ମୋର ଅନ୍ୟ ଅବଲମ୍ବନ ଏ ସଂସାରରେ କେହିନାହିଁ । ଏଇଟା ତୁମେ କ’ଣ ଜାଣିନାହଁ ? ତୁମର ଉତ୍ତର ଆଶାରେ ରହିଲି । ତୁମ ଉପରୁ ମୋର ଶେଷ ଆଶା ଟିକକ ନିଭିବାର ଦେଖିଲେ, ମୋର ଏ ହତଭାଗ୍ୟ ଶୋଚନୀୟ ଜୀବନନାଟ୍ୟରେ ଯବନିକା ପକାଇ ଦେବାର ପ୍ରୟାସିନୀ ହେବି । ତାହା ନ ହେଲେ ମୋର ଯେ ଆଉ...’’

 

ଦେବବ୍ରତ ହାତରୁ ଚିଠିଟା କେତେବେଳୁ ତଳକୁ ଖସି ପଡ଼ିଲାଣି, ତା’ର ଖିଆଲନାହିଁ । ଭୂତଗ୍ରସ୍ତ ପରି ଅର୍ଥହୀନ ଦୃଷ୍ଟିରେ ସେ ବାହାରକୁ ଚାହିଁ ରହିଲା । ତା’ ପାଦତଳୁ ପୃଥିବୀର ଅନୁଭବ ଯେମିତି କୁଆଡ଼େ ମିଳେଇଗଲା । ଅଳ୍ପ ସମ୍ଭୁତ ହୋଇ ସେ ଭାବିଲା–‘‘ତେବେ ମୋର ଧାରଣା ତ ଭୁଲ ନୁହେଁ ? ତା’ର ପ୍ରଣୟୀ ଥାଇ ସେ ମୋ ସାଙ୍ଗରେ ଏତେକାଳ ସାମାଜିକ ସ୍ୱାଚ୍ଛନ୍ଦ୍ୟ ନାମରେ ଛଳନା କରି ଆସିଛି ! ଏଁ ! ବାସନ୍ତୀ ହୀନଚରିତ୍ରା ! ନା, ନା, ମୁଁ କ’ଣଗୁଡ଼ାଏ ଭାବୁଛି ?’’ ପାଗଳଙ୍କ ପରି ସେ କାଗଜଖଣ୍ଡକ ଦୂରକୁ ନିକ୍ଷେପ କଲା; କିନ୍ତୁ ପରମୁହୂର୍ତ୍ତରେ ପୁଣି ସାଉଁଟି ଆଣି ନିର୍ନିମେଷ ନୟନରେ ତା’ ଆଡ଼କୁ ଚାହିଁ ରହିଲା ଓ କହିଲା, ‘‘ନିଶ୍ଚୟ, ଏ ତ ତା’ର ଅକ୍ଷର । କୌଣସି ଉଦ୍ଧାରକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଲିଖିତ ! ମୁଁ ତା’ ବିରୁଦ୍ଧରେ ସାରା ଜଗତକୁ ଅବିଶ୍ୱାସ କରିପାରେ; କିନ୍ତୁ ନିଜ ଆଖି ଯୋଡ଼ାକୁ କିମିତି ଅବିଶ୍ୱାସ କରିବି ? ଏ ଚିଠିଟା ଦେଖିବା ଆଗରୁ ମୁଁ ଅନ୍ଧ ହୋଇଯାଇଥାନ୍ତି ହେଲେ !’’ ସେ ଆଉ କିଛି ଭାବିପାରିଲାନାହିଁ, ଘରେ ଯାଇ ଆରାମ ଚୌକି ଉପରେ ଶୋଇପଡ଼ିଲା । ତା’ କର୍ଣ୍ଣକୁହରରେ ବାଜିବାକୁ ଲାଗିଲା–ଅନ୍ୟ ଘରେ ବାସନ୍ତୀ ବ୍ରଜକୁ ଉତ୍ତେଜିତ ଭାବରେ କହୁଛି–

 

‘‘ଚରମପନ୍ଥୀ ? ହଁ, ମୁଁ ସେଇୟା । ଯେଉଁଟା ଆଦର୍ଶ ବୋଲି ମୋର ବିବେକ ଓ ବୁଦ୍ଧି ଗ୍ରହଣ କରେ, ସମାଜର ତାଡ଼ନା ଭୟରେ ସେଇଟାକୁ ଖର୍ବକରି ମଝିମଝିକିଆ ହୋଇ ସମାଜ ସହିତ ମୋତେ ରଫା କରିବାକୁ ଆସେ ନା । ମୁଁ ପୂରା ବ୍ୟକ୍ତିତ୍ୱବାଦୀ ।’’ ଦେବବ୍ରତର ଉତ୍ତ୍ୟକ୍ତ ମନ ବାସନ୍ତୀ ପ୍ରତି ଆହୁରି ତିକ୍ତ ହୋଇଉଠିଲା–‘‘କି ହୀନ ଏଇ ବାସନ୍ତୀଟା ! ନିଜର କୁ-ଧାରଣା ଓ କୁତ୍ସିତ ଲାଳସାକୁ ‘ଆଦର୍ଶ’ ‘ବିବେକ’ ପ୍ରଭୃତି ନାମ ଦେବାକୁ ସେ କୁଣ୍ଠିତ ହେଉନାହିଁ ! ଛିଃ, ଛିଃ, !’’ ବାସନ୍ତୀ ପ୍ରତି ଗଭୀର ଘୃଣାରେ ତା’ର ଅନ୍ତର ମନ ପୂରି ଉଠିଲା । ବ୍ରଜ ବିଦାୟ ନେବାର ପର କ୍ଷଣରେ ସେ ଉତ୍ତେଜିତ ଭାବରେ ବାସନ୍ତୀର ଘରେ ପ୍ରବେଶ କଲା । ତା’ପରେ କ’ଣ ହେଲା, ତାହା ପାଠକ ଜାଣନ୍ତି ।

 

ଗତକାଲିଠାରୁ ଦେବବ୍ରତ ଅଦୃଶ୍ୟ ହେଲାବେଳୁ ତାଙ୍କ ଘରେ ଚୁଲି ଜଳିନାହିଁ । କେତେ ଖୋଜା ନିଷ୍ଫଳ ହେଲା । ଆଜି ସକାଳେ ଚାକରବାକରମାନେ ଗଣ୍ଡାଏ ଗଣ୍ଡାଏ ପଖାଳ ଖାଇଲେ; କିନ୍ତୁ ଦେବବୋଉ ଓ ବାସନ୍ତୀ ନିର୍ଜଳା ଉପବାସରେ ଦିନ କାଟୁଛନ୍ତି । ଦିନ ଗଲା–ଦେବବ୍ରତର ଦେଖାନାହିଁ । ସନ୍ଧ୍ୟା ହେଲା–ବାସନ୍ତୀ ବଉଳର ଚିଠି ଖଣ୍ଡକ ବାରମ୍ବାର ପଢ଼ି କୋଠାଉପରେ ପଦଚାରଣା କରି ରାତି ଦୁଇଘଡ଼ି କରିଦେଲା–ତଥାପି ଦେବବ୍ରତର ଦେଖାନାହିଁ । ରାତି ବାରଟା ବାଜିଗଲାଣି–ଉପବାସ–କ୍ଳିଷ୍ଟ ପରିବାରଟା କ୍ଳାନ୍ତିରେ ଶୋଇ ପଡ଼ିଛି, କିନ୍ତୁ ବାସନ୍ତୀ ଆଖିରେ ନିଦନାହିଁ । କେତେ ଆଶଙ୍କା ଓ ଦୁର୍ଭାବନାରେ ସେ ବାରମ୍ବାର ଚମକି ଉଠୁଛି, ବାରମ୍ବାର ଝରକା ବାଟେ ଦାଣ୍ଡ ଆଡ଼କୁ ଚାହୁଁଛି–ବେଳେବେଳେ ଅସ୍ଥିର ଭାବରେ ବିଛଣାରେ ଶୋଇପଡ଼ୁଛି । ହଠାତ୍‌ ସେ ଚକିତ ଭାବରେ ଶୁଣିଲା, ଗ୍ରାମଟିର ନୈଶ ନିଃଶବ୍ଦତା ଭଙ୍ଗକରି ଖଣ୍ଡେ ଘୋଡ଼ାଗାଡ଼ି ଦୌଡ଼ିଛି । ଗାଡ଼ିଟା ତାଙ୍କର ଦୁଆର ମୁହଁରେ ଛିଡ଼ାହେଲା ଓ ଅବିଳମ୍ବେ ବାହାରୁ ଡାକ ଶୁଭିଲା–‘ରାମା’, ‘ରାମା’-। ଉତ୍ତରନାହିଁ । ‘ନିଧିଆ’, ‘ନିଧିଆ’ । ନିଧିଆ ନଥିଲା । ଧନିଆ ଶୋଇଥିଲା, ସେ ବାବୁଙ୍କ ଡାକ ଶୁଣି ‘‘ଆଜ୍ଞା’’ କହି ଲଣ୍ଠନଟା ନେଇ ଦାଣ୍ଡକୁ ଦୌଡ଼ିଗଲା । ଦେଖିଲା, ଦାଣ୍ଡରେ ଖଣ୍ଡେ ଘୋଡ଼ାଗାଡ଼ି ଛିଡ଼ା ହୋଇଛି । ଗାଡ଼ିରେ ବସି ଦେବବ୍ରତ କହିଲା, ‘‘ ବୋହୂ ସାଆନ୍ତାଣୀଙ୍କୁ ଡାକି ଦେଲୁ ।’’ ଧନିଆ କିଛି ନ ବୁଝିପାରି ଜିଜ୍ଞାସୁ ଭାବରେ ଚାହିଁ ରହିଲା । ଦେବବ୍ରତ ଧମକ ଦେଇ କହିଲା, ‘‘କାଲ ହେଲୁଣି, ଓଲୁ ! ଶୁଭୁନାହିଁ ? ବୋହୂ ସାଆନ୍ତାଣୀଙ୍କୁ ଡାକି ଆଣ ବୋଲି କହିଲି ପରା ! ଯା ।’’

 

ସାଧାରଣତଃ ବାବୁଙ୍କର ଏପରି ଉଗ୍ରଭାବ ଧନିଆ କେବେ ଦେଖିନାହିଁ । ଧମକ ଖାଇ ଧଡ଼ପଡ଼ ହୋଇ ଦେବବ୍ରତ ଆଗରୁ ସେ ପଳାଇ ଗଲା । ଦେବବ୍ରତର ଧମକ ବାସନ୍ତୀକୁ ଅସ୍ପଷ୍ଟ ଭାବରେ ଶୁଭୁଥିଲା । ଘଟଣା କ’ଣ ସେ ଜାଣିବାପାଇଁ ଉଠି ବସିଲାବେଳକୁ ଧନିଆ ଆସି କହିଲା, ‘‘ବାବୁ ଆପଣଙ୍କୁ ଡାକୁଛନ୍ତି ।’’ ବାସନ୍ତୀ କିଛି ନ ବୁଝି ବିସ୍ମିତ ଭାବରେ ଧନିଆର ଅନୁସରଣ କଲା । ଗୋଟାଏ ଅଜ୍ଞାତ ଆଶଙ୍କାରେ ତା’ ହୃଦୟ କମ୍ପିତ ହୋଇଗଲା ।

 

ବାସନ୍ତୀକି ଦେଖି ଦେବବ୍ରତ ଗାଡ଼ିରେ ବସି କହିଲା, ‘‘ଶୁଣ ।’’ ବାସନ୍ତୀ ଭୀତଭାବରେ ଗାଡ଼ି ରେକାବ୍‌ ପାଖରେ ଛିଡ଼ା ହେଲା । ଦେବବ୍ରତ ବାସନ୍ତୀର ହାତ ଧରିପକାଇ କହିଲା, ‘‘ଏଠି ବସ ।’’ ବିନା ବାକ୍ୟବ୍ୟୟରେ ବାସନ୍ତୀ ଯାଇ ବସିଲା । ସେ ଅନୁଭବ କଲା, ଦେବବ୍ରତ ତା’ ହାତଟାକୁ ଟାଣିନେଲାବେଳେ ଦେବବ୍ରତର ଘର୍ମାପ୍ଳୁତ ହାତଟା ଠକ୍‌ ଠକ୍‌ ହୋଇ ଥରୁଥିଲା ।

ରହସ୍ୟ ଭେଦ କରିବାର କୌତୁହଳ ତା’ର ଉଡ଼ିଗଲା । ମୌନ ହୋଇ ସେ ଗାଡ଼ିର ଗୋଟିଏ ପାଖରେ ବସିରହିଲା । ଦେବବ୍ରତ କୋଚ୍‌ମ୍ୟାନ୍‌କୁ କହିଲା,‘‘ ଚଲାଓ ।’’ ଗାଡ଼ିଟା କ୍ଷିପ୍ରଗତିରେ ଚାଲିଲା । ଲଣ୍ଠନଟା ଧରି ଧନିଆ ବୋକା ଭଳି ଛିଡ଼ା ହୋଇରହିଲା । ଗ୍ରାମ ସୀମାନ୍ତଟା ପାର ହୋଇଗଲାରୁ ଦେବବ୍ରତ ଗାଡ଼ିବାଲାକୁ ଡାକି କହିଲା,‘‘ ସବୁର କରୋ ।’’ ଗାଡ଼ି ଠିଆ ହେଲା । ଦେବବ୍ରତ ଗଳା ଝାଡ଼ି ବଜ୍ର ଗମ୍ଭୀର ସ୍ୱରରେ କହିଲା, ‘‘ବାସନ୍ତୀ, ତୁମେ ଆଜି ମୋ’ ସମ୍ବନ୍ଧରୁ ମୁକ୍ତି ପାଇଲ । ତୁମ ମନମୁତାବକ ଯୁଆଡ଼େ ଇଚ୍ଛା ଯାଇପାର । ମୋ’ ଘରେ ଗାରଦରେ ପଡ଼ି ପଡ଼ି ତୁମେ ଆତ୍ମହତ୍ୟା କରିବ, ନାରୀହତ୍ୟା ପାପର ଭାଗୀ ହେବାକୁ ମୋର ଇଚ୍ଛାନାହିଁ । ତୁମ ଉଦ୍ଧାରକର୍ତ୍ତାଙ୍କୁ ବୃଥାରେ ଏତେ ଆୟାସ କରି ଆସିବାର ଦୁଃଖ ଦେବାକୁ ମୁଁ ଚାହେଁନାହିଁ । ତା’ ଆଗରୁ ବରଂ ତୁମେ ତୁମ ଉଦ୍ଧାରକାରୀଙ୍କ ପାଖକୁ ଚାଲିଯାଅ । ତୁମକୁ ନେଇ ମୁଁ ଖୁବ୍‌ ଶିକ୍ଷା ପାଇଲିଣି, ଖୁବ୍‌ ଜଳିଲିଣି, ଆଉ ଦରକାରନାହିଁ । ତୁମେ ଚରିତ୍ରହୀନା, ଏତିକି କେବଳ ମୋର ଅଗୋଚର ଥିଲା । କାଲି ଭଗବାନ୍‌ ମୋର ଚକ୍ଷୁ ଫିଟାଇ ଦେଇ ରକ୍ଷା କରିଛନ୍ତି । ତୁମ ସାଙ୍ଗରେ ମୋର ସମ୍ବନ୍ଧ ମୁଁ ଛିନ୍ନ କରିନେଲି । ମୁଁ ଦାୟିତ୍ୱମୁକ୍ତ–ମୋ ପାଖରେ ଆଜି ଏହି ମୁହୂର୍ତ୍ତରୁ ଆଉ ତୁମର ସ୍ଥାନନାହିଁ ।’’

ଦେବବ୍ରତ ଏହା କହି ଚାଲିଯାଉଥିଲା, କିନ୍ତୁ କ’ଣ ଭାବି ହଠାତ୍‌ ଠିଆ ହେଲା । ପକେଟ୍‌ରେ ହାତ ଦେଇ କହିଲା, ‘‘ହଁ, ତୁମର ଟଙ୍କା ଆବଶ୍ୟକ, ତୁମକୁ ବିଦାୟ ଦେଲାବେଳେ ଅର୍ଥ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ । ହେଇ ନିଅ ।’’ ପକେଟ୍‌ରୁ ଗୋଟାଏ ମୋଟା ଲଫାପା ଗାଡ଼ି ଭିତରକୁ ପକାଇ ଦେଇ ସେ କୋଚ୍‌ମ୍ୟାନ୍‌କୁ କହିଲା, ‘‘ଗାଡ଼ି ଷ୍ଟେସନମେ ଲେଯାଓ ।’’

ବାସନ୍ତୀ ସ୍ତବ୍ଧ ହୋଇଗଲା–ତାହାର ପାଟି ଫିଟିଲାନାହିଁ । ତୀର ବେଗରେ ଘୋଡ଼ାଦିଟା ଦୌଡ଼ିଲେ । ସେ ଚଳନ୍ତା ଗାଡ଼ିର କ୍ଷୀଣ ଆଲୋକରେ ଦେଖିଲା, ଦେବବ୍ରତର ମୁହଁଟା ମୁର୍‌ଦାର୍‌ଙ୍କ ଭଳି ଫିକା ପଡ଼ିଯାଇଛି । ତହିଁରେ ରକ୍ତର ଚିହ୍ନନାହିଁ । ଆଖିର ଦୃଷ୍ଟି ଅସ୍ୱାଭାବିକ ଭାବରେ ଦୀପ୍ତ ହୋଇ ପୁଣି ନିସ୍ପ୍ରଭ ହୋଇଯାଉଛି–ସାରା ଦିହଟା ଯେମିତି କଳାଖପରା ! ବିକଟ ଅନ୍ଧକାରରେ ଗୁଳ୍ମ କଣ୍ଟକପୂର୍ଣ୍ଣ ସଂକୀର୍ଣ୍ଣ ରାସ୍ତା ଦେଇ ସେ ଟଳି ଟଳି ଅଦୃଶ୍ୟ ହୋଇଯାଉଛି । ବିଦାୟକାଳରେ ପାହାନ୍ତିଆ ଚନ୍ଦ୍ରମା ପରି ବାସନ୍ତୀର ମୁଖଶ୍ରୀ ପାଣ୍ଡୁର ହୋଇଗଲା । ସେ ସ୍ୱପ୍ନୋତ୍‌ଥିତ ପରି ଉଠିବସି ଗୋଟିଏ ଦୀର୍ଘନିଶ୍ୱାସ ପକାଇ ଦିହ ମୁହଁର ଝାଳ ପୋଛୁ ପୋଛୁ କହିଲା, ‘‘ମୁଁ ଚରିତ୍ରହୀନା ? ହେଉ-!’’

 

–ତେଇଶି–

 

ଫଗୁଣମାସିଆ ଖରା ନଇଁ ଆସିଲାଣି । ଦରଘାବଜାର ରାସ୍ତାର ଧୂଳି–ସମୁଦ୍ର ମନ୍ଥନ କରି ମନ୍ଥର ଗତିରେ ବଗିଗାଡ଼ି ଚାଲିଛି–ଗାଡ଼ିରେ ଚାରିଜଣ ଯୁବତୀ । ସେମାନଙ୍କ ବେଶଭୂଷା ଦେଖି ମନେହେଉଥିଲା ଯେ, ଚାରିଜଣଯାକ ଆଧୁନିକ ଧରଣରେ ଶିକ୍ଷିତା । ସମସ୍ତେ ଚୁପ୍‌ଚାପ୍‌ ବସିଛନ୍ତି । କେବଳ ସେମାନଙ୍କ ମଧ୍ୟରୁ ଜଣେ ଚଞ୍ଚଳଭାବରେ ଚାରିଆଡ଼େ ଅନାଉଛି । ହଠାତ୍‌ ଜଣେ କହିଲା–

 

‘‘ଆଲୋ ସୁକୁ, ଆଜି ତୋ ଗୋଲାପ ଏଡ଼େ ଛନ ଛନ କାହିଁକି ?’’

 

ସୁକୁ ଅର୍ଥାତ୍‌ ସୁକୁମାରୀ ହସିଦେଇ କହିଲା, ‘‘ଜାଣି ନା କି ମୀରା ନାନୀ ? ଆଜି ପରା ସେ ଆସିବେ !’’

 

ଉତ୍ସୁକଭାବରେ ମୀରା ପଚାରିଲା, ‘‘ସତେ ?’’ ସୁକୁମାରୀ କ’ଣ କହିବାକୁ ଯାଉଥିଲା–ଏହି ସମୟରେ ତାହାର ଦୃଷ୍ଟି ତା’ର ଗୋଲାପ ମୁହଁରେ ପଡ଼ିଲା । ଗୋଲାପର ଚପଳ ଆଖି ଦିଓଟି ତିରସ୍କାରପୂର୍ଣ୍ଣ ଦୃଷ୍ଟିରେ ତା’ ଆଡ଼କୁ ଚାହିଁ ରହିଛି ! ମୀରା ହସି ହସି ସୁକୁମାରୀର ହାତ ଦିଓଟି ହଲାଇ ଦେଇ ପୁଣି ପଚାରିଲା; ‘‘ସତେ ?’’

 

ସୁକୁମାରୀ କହିଲା, ‘‘ନାହିଁ, ଏମିତି ଥଟ୍ଟାରେ କହିଲିନା । ଗୋଲାପ ତ କହୁଥିଲା, ତାଙ୍କର କାମ ସରିନାହିଁ । କାମ ନ ସରିଲେ କେମିତି ପୁରୀ ଛାଡ଼ି ଆସିବେ ?’’ ମୀରା ସେ ଉତ୍ତରରେ ସନ୍ତୁଷ୍ଟ ହେଲାନାହିଁ–ସୁକୁମାରୀର ଗୋଲାପ ଆଡ଼କୁ ଅନାଇଁ କହିଲା, ‘‘ହଉ, ହଉ ସୁନୀତି, ଆମେ ତ ଆଉ ଭାଗ ନଉନାହୁଁ । ଏତେ ଲୁଚାଚୋରା କାହିଁକି ?’’

 

ସୁନୀତି କାତରଭାବରେ ଉତ୍ତର ଦେଲା, ‘‘ତୁମେ ଯେମିତି, ମୀରା ନାନୀ ! ପୋଡ଼ାମୁହିଁ ଗୋଲାପ କଥା ବିଶ୍ୱାସ କରୁଛ ?’’

 

ଗାଡ଼ିରେ ଅନ୍ୟ ଯେଉଁ ଯୁବତୀ ଜଣକ ବସିଥିଲେ; ତାଙ୍କ ବୟସ ତିନିଙ୍କ ବୟସଠାରୁ କିଛି ବେଶି । ସୁନୀତିର କଥା ଶୁଣି ସେ ଗୋଟାଏ ଦୀର୍ଘନିଶ୍ୱାସ ତ୍ୟାଗକରି ସୁକୁମାରୀକୁ କହିଲେ, ‘‘ତୋର ଏ ବଡ଼ ବଦ୍‌ଅଭ୍ୟାସ ସୁକୁ, ତୁ କାହିଁକି ସବୁବେଳେ ସୁନୀତିକୁ ବିରକ୍ତ କରୁ ? ସେ ପିଲା ଲୋକ–ତା’ ଦୁଃଖ ପ୍ରତି ତୋର ତ ଟିକିଏ ସହାନୁଭୂତିନାହିଁ ?’’ ଯୁବତୀ କିଛିକ୍ଷଣ ନୀରବ ରହି ପୁଣି କହିଲେ, ‘‘କାହାର ଅନ୍ତରରେ କି ବେଦନା ସୁପ୍ତ ରହିଛି, କିଏ ଜାଣେ ? ସେ ବେଦନାର ସ୍ଥାନକୁ ବାରମ୍ବାର ଆଘାତ କରିବା କି ଦରକାର ?’’

 

ତାଙ୍କର ତିରସ୍କାର ବାକ୍ୟରେ ସମସ୍ତେ ଚୁପ୍‌ ହୋଇଗଲେ । ଗାଡ଼ି ପିଟିନ୍‌ସାହିର ଗୋଟିଏ ସାନ କୋଠା ସାମ୍ନାରେ ଠିଆ ହେଲା । ନିଜର ବହିପତ୍ର ହାତରେ ଧରି ସୁନୀତି ଗାଡ଼ିରୁ ଓହ୍ଲାଇଲା ଏବଂ ସୁକୁମାରୀ ପ୍ରତି ଗୋଟାଏ କ୍ରୁଦ୍ଧ କଟାକ୍ଷ ନିକ୍ଷେପ କରି ଚାଲିଯିବାକୁ ଲାଗିଲା । ସୁକୁମାରୀ ପ୍ରାର୍ଥନାସୂଚକ କଣ୍ଠରେ ପଛକୁ ଡାକି କହିଲା, ‘‘ମୋ ରାଣଟି ଗୋଲାପ, ରାଗିବୁନାହିଁ । ତୋ ହାତ ଧରୁଛି । ମୁଁ ପରା ଅଜାଣତରେ କହିପକାଇଛି ।’’ ସୁନୀତି ଉତ୍ତର ଦେଲାନାହିଁ ।

 

ଯୁବତୀମାନେ ସମସ୍ତେ କଟକ ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ, କିଏ ନୂଆ, କିଏ ପୁରୁଣା । ସୁନୀତି ନୂଆ । ସୁକୁମାରୀ ସୁନୀତିର ଗୋଲାପ ଓ ଅନ୍ତରଙ୍ଗ ବନ୍ଧୁ । ଆଜି ବିଶ୍ରାମ ଘଣ୍ଟାରେ ଦୁହେଁଯାକ ସ୍କୁଲ ବଗିଚାରେ ବୁଲୁ ବୁଲୁ ସୁନୀତି କହିଲା, ‘‘ଦେଖ୍‌ ଗୋଲାପ, ଆଜି ସେ ନିଶ୍ଚେ ଆସିବେ ?’’ ସୁକୁମାରୀ ପଚାରିଲା, ‘‘କେମିତି ଜାଣିଲୁ ? ଚିଠି ଦେଇଛନ୍ତି ?’’ ସୁନୀତି କହିଲା, ‘‘ନା ଲୋ, ଚିଠିଫିଠି ଦେଇନାହାନ୍ତି । ମୋ’ ମନ କହୁଛି, ସେ ଆଜି ଆସିବେ । ମୁଁ ମୋର ସର୍ବାଙ୍ଗରେ ତାଙ୍କର ସ୍ପର୍ଶ ଅନୁଭବ କରୁଛି ଆଜି–ମୋ କାନରେ କିଏ ସବୁବେଳେ କହୁଛି, ସେ ଆସିବେ, ଆସିବେ ।’’ ଏହା କହୁ କହୁ ସୁନୀତିର ସର୍ବାଙ୍ଗ ଗୋଟାଏ ଅପୂର୍ବ ପୁଲକରେ ପୂରି ଉଠୁଥିଲା, ତା’ର ମୁଖମଣ୍ଡଳରେ ହାସ୍ୟର ଛଟା ଖେଳି ଯାଉଥିଲା । ସେ ସଜୋରେ ସୁକୁମାରୀର ହାତ ଚାପିଧରି ପୁଣି କହିଲା, ‘‘ଦେଖ ଗୋଲାପ, ସେ ଆଜି ନିଶ୍ଚେ ଆସିବେ । ମୋର ଅନ୍ତରର ବାଣୀ କ’ଣ ମିଛ ହେବ ? କେବେ ନୁହେଁ, କେବେ ନୁହେଁ ।’’ ସୁକୁମାରୀ କହିଲା ‘‘ଆଚ୍ଛା, ଖଡ଼ି ପକାଇବା’’ ଏବଂ ସେ ତତ୍‌କ୍ଷଣାତ୍‌ ଖଡ଼ି ପକାଇଲା–ଖଡ଼ିରେ ପଡ଼ିଲା, ସେ ଆସିବେ । ସୁନୀତି ଚପଳ ହସ ହସି କହିଲା, ‘‘ପୋଡ଼ାମୁହିଁ ଗୋଲାପ, ତୁ ଖଡ଼ି ପକେଇ ମୋର ଅନ୍ତର କଥାକୁ ସମର୍ଥନ କରୁଛୁ । ଯଦି ସେ ନ ଆସିବେ, କାଲି ତୋ କାନ ମୋଡ଼ିଦେବି ।’’ ସୁକୁମାରୀ ମଧ୍ୟ ଚପଳ ହାସ୍ୟ କରି କହିଲା, ‘‘ନାହିଁ ଲୋ, କାଲିଯାଏ ଅପେକ୍ଷା କରିବାକୁ ହବନାହିଁ । ମୋଡ଼ିବାକୁ ଆଜି ଯୋଡ଼ାଏ କାନ ପାଇବୁ, ସେ କାନ ହାତୀ କାନ ଭଳି ।’’ ‘‘କ’ଣ କହିଲୁ ପୋଡ଼ାମୁହିଁ ?’’ –କହି ସୁନୀତି ସୁକୁମାରୀକୁ ମାରିବାକୁ ଦୌଡ଼ିଲା; କିନ୍ତୁ ସେହି ସମୟରେ ସ୍କୁଲର ଘଣ୍ଟା ବାଜିଲା । ଦୁଇ ବନ୍ଧୁ ଆସ୍ତେ ଆସ୍ତେ ନିଜ କାର୍ଯ୍ୟରେ ଚାଲିଗଲେ । ସେଦିନ ଆଉ ସୁନୀତି ନିଜର ଛାତ୍ରୀମାନଙ୍କୁ ଭଲରୂପେ ପଢ଼ାଇପାରିନାହିଁ–ଶିକ୍ଷୟିତ୍ରୀଙ୍କ ଖୁସ୍‌ମେଜାଜ୍‌ ଦେଖି ଛାତ୍ରୀମାନେ ଗପ ଯୋଡ଼ିଦେଲେ । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମେମସାହେବ–ମିଜାଜଟା ଥଣ୍ଡା ନୁହେଁ । ସେବାଟେ ଯାଉଁ ଯାଉଁ ମେମ୍‌ସାହେବ ସୁନୀତିର କ୍ଳାସର ଅବସ୍ଥା ଦେଖିଲେ ଏବଂ ତାକୁ ବାହାରକୁ ଡାକି ନେଇ କର୍କଶ କଣ୍ଠରେ କହିଲେ, ‘‘ତୁମେ ସିନା ଚାକିରୀ ଛାଡ଼ି ଶୀଘ୍ର ଚାଲିଯିବ, କିନ୍ତୁ ପିଲାମାନେ ତ ତୁମ ସଙ୍ଗରେ ସ୍କୁଲ ଛାଡ଼ିବେନାହିଁ । ସେମାନଙ୍କୁ ପରୀକ୍ଷା ଦେବାକୁ ହେବ, ପାଶ୍‌ କରିବାକୁ ହେବ । ବୁଝିଲ ?’’ ସେତିକିବେଳୁ ସୁନୀତିର ମନଟା ଟିକିଏ ଖରାପ ହୋଇଯାଇଥିଲା । ଏହା ନ ଜାଣି ସୁକୁମାରୀ ଗାଡ଼ିରେ ତାହାର ପ୍ରିୟ ପ୍ରସଙ୍ଗ ଉଠାଇବାରୁ ସେ ଟିକିଏ ବିରକ୍ତ ହୋଇଥିଲା ।

 

ଗାଡ଼ିରୁ ଓହ୍ଲାଇ ସୁନୀତି ଅତି ସନ୍ତର୍ପଣରେ ଘର ଭିତରକୁ ଯିବାକୁ ଲାଗିଲା । କାଳେ ଯୋତାର ଶବ୍ଦ ହେବ, ଏହି ଭୟରେ ସେ ଗୋଡ଼ ଟିପି ଟିପି ଗଲା । ଅଜ୍ଞାତଭାବରେ ଆସି ଜଣକୁ ବିସ୍ମିତ କରି ଦେବାର ଆଶାରେ ତା’ ହୃଦୟ ପୁଲକିତ ହୋଇ ଉଠିଲା; କିନ୍ତୁ ବୈଠକଖାନାରେ ପ୍ରବେଶ କରି ସେ ଦେଖିଲା, ଚେୟାରଗୁଡ଼ିକ ପୂର୍ବପରି ଶୂନ୍ୟ, ସେ ଜଣକନାହିଁ । ସେ ବିଷର୍ଣ୍ଣଭାବରେ ଗୋଟାଏ ଚୌକିରେ ବସିପଡ଼ିଲା–ତା’ ଅନ୍ତରରେ କ୍ରନ୍ଦନର ରୁଦ୍ଧ ଆବେଗ ବାରମ୍ବାର ଉଠିବାକୁ ଲାଗିଲା । କିଛିକ୍ଷଣ ସେହିପରି ବସି ସେ ଅସହିଷ୍ଣୁ ଭାବରେ ଡାକିଲା, ‘‘ମା’, ମା’ ।’’ କଲ୍ୟାଣୀ ଘରେ ନଥିଲେ–ମଣିମା ବୁଢ଼ୀ ଅନ୍ୟ ଘରୁ ଜବାବ ଦେଲା, ‘‘ଆଲୋ ସୁନା, ମା’ ଯାଇଚନ୍ତି ମକରାବାଗ୍‌ । ଯୋସେଫ୍‌ ବୋହୂର ଗୋଟିଏ ପୁଅ ହୋଇଛି ଯେ, ସେ ପୁଅର ବଞ୍ଚିବାର ଠିକ୍‌ ନାହିଁ । ମା’ ତାକୁ ଦେଖିବାକୁ ଯାଇଛନ୍ତି । ଆହା, କି ସୁନ୍ଦର ପିଲାଟି !’’ ଶିଶୁଟିର ସୁନ୍ଦର ମୂର୍ତ୍ତି ସୁନୀତିର ଚକ୍ଷୁ ସମ୍ମୁଖରେ ଖେଳିଗଲା । କ୍ଷଣକ ସକାଶେ ନିଜର ଦୁଃଖ ଭୁଲିଯାଇ ସେ ତା’ରି କଥା ଭାବିବାକୁ ଲାଗିଲା । ଶିଶୁଟିକୁ ଦେଖିଲା ପରେ ସେ କେତେଥର ଭାବିଛି, କେବେ ତା’ର ଏମିତି ଗୋଟିଏ ଶିଶୁ ହେବ ।

 

ସନ୍ଧ୍ୟା ହେଲା, ସୁନୀତି ଖଣ୍ଡେ ଚିଠିଲେଖି ଡାକଘରକୁ ପଠାଇଲା–‘‘ପ୍ରିୟତମ, ମୋ ଭଳି ଗୁଣହୀନାକୁ ମନେପକେଇ ତୁମେ ତୁମର ବହୁମୂଲ୍ୟ ସମୟ ନଷ୍ଟ କର, ମୁଁ ସେ ଉଦ୍ଦେଶ୍ୟରେ ଏ ଚିଠି ଲେଖୁନାହିଁ । ତୁମର ଜ୍ୱର ହୋଇଥିଲା, ଲେଖିଥିଲ । ଏବେ କିପରି ଅଛ, କେବଳ ସେତିକି ଜଣାଇଲେ ଆଶା କରେ ତୁମର ମୂଲ୍ୟବାନ୍‌ ଦେଶକାମରେ ବ୍ୟାଘାତ ହେବନାହିଁ । ତୁମର ଦେଶକାମର ରଥଚକ୍ରରେ କିଏ କେଉଁଠି ପିଷ୍ଟ ହେଉଛି, ସେ ଖବର ରଖିବା ତ ତୁମେ ଆବଶ୍ୟକ ମନେକରନାହିଁ । ହେଉ, ତଥାପି ମନେରଖିବ, ମୁଁ ଅଦ୍ୟାପି ମରିନାହିଁ । ଭାଗ୍ୟହୀନା–ସୁନୀତି ।’’ ଡାକରେ ଚିଠି ଦେଇ ମଣିମା ବୁଝି ଆସି କହିଲା, ପିଲାଟିର ଦେହ ବେଳକୁ ବେଳ ଖରାପ ହେଉଛି–କଲ୍ୟାଣୀଙ୍କର ଫେରିବାକୁ ବିଳମ୍ବ ହେବ ।

 

ସୁନୀତି ହାରମୋନିୟମ ଖଣ୍ଡକ ନେଇ ବଗିଚାରେ ବସିଲା । ଦଶମୀ ଚାନ୍ଦର ଜ୍ୟୋତ୍ସ୍ନାରେ ସେତେବେଳକୁ କ୍ଷୁଦ୍ର ବଗିଚାଟି ଝକ୍‌ଝକ୍‌ ହେଉଛି–ଫୁଟନ୍ତା ଫୁଲଗୁଡ଼ିକ ଟହ ଟହ ହୋଇ ହସୁଛି । ସୁନୀତି ଭାବିଲା, ‘‘ସେ ତ ଆଜି ଦିନ ଗାଡ଼ିରେ ଆସିଲେନାହିଁ । ତେବେ କ’ଣ ରାତି ଗାଡ଼ିରେ ଆସିବେ ?’’ ବଗିଚାର ସାନ ବେଦୀ ଉପରେ ବସି ସୁନୀତି ଡାକିଲା, ‘‘ନୁଟୁ, ନୁଟୁ, ନୁଟୁ...-।’’ ଗୋଟିଏ ସାନ କୁକୁର ବାରଣ୍ଡାରେ ଶୋଇଥିଲା–ଡାକ ଶୁଣି ଦୌଡ଼ି ଆସିଲା ଓ ସୁନୀତିର କୋଳରେ ହାରମୋନିୟମ ଦେଖି ନାନାରକମ କୁଁ କାଁ ଶବ୍ଦ କରି ଜଣାଇବାକୁ ଲାଗିଲା ଯେ, ତା’ର ସ୍ଥାନଟିକୁ ସେହି ଯନ୍ତ୍ରଟା ଅଧିକାର କରିବାରେ ସେ ଆଦୌ ସନ୍ତୁଷ୍ଟ ନୁହେଁ । ସୁନୀତି ସସ୍ନେହରେ ତା’ ମୁଣ୍ଡରେ ହାତ ବୁଲାଇ ଦେଇ କହିଲା, ‘‘ନୁଟୁ, ଗୀତ ଶୁଣିବୁ ?’’ ନୁଟୁର ସରବ ପ୍ରତିବାଦ ଆହୁରି ବଢ଼ିଗଲା । ସୁନୀତି ଅଭିମାନ ସୂଚକ କଣ୍ଠରେ କହିଲା, ‘‘ଛି, ନୁଟୁ, ଗୀତ ଗାଇଲାବେଳେ ଗୋଳମାଳ କରନା । ଶୁଣ, ଚୁପ୍‌ ହୋଇ ଗୀତ ଶୁଣ୍‌!’’ ଏହା କହି ସୁନୀତି ହାରମୋନିୟମ ବଜାଇବାକୁ ଆରମ୍ଭ କଲା–ନୁଟୁ ସୁନୀତିର ସାନ ଗୋଡ଼ ଦି’ଓଟି ମଧ୍ୟରେ ନିଜର ସାନ ମୁଣ୍ଡଟି ଲୁଚାଇ ନୀରବରେ ସେ ଧ୍ୱନି ଉପଭୋଗ କରିବାକୁ ଲାଗିଲା ।

 

ସୁନୀତି ଗୋଟିଏ ବଙ୍ଗଳା ଗୀତ ଗାଇଲା–‘‘ମଳୟ ଆସି ମୋ କାନରେ କହି ଯାଇଛି, ପ୍ରିୟତମ, ତୁମେ ଆସିବ । ମୋର ବହୁଦିନର ସଞ୍ଚିତ ହୃଦୟ–ବେଦନା ତୁମ ପ୍ରେମ–ସ୍ପର୍ଶରେ ନାଶିବ । ରବି ଶଶୀ ତାରା ନିଖିଳ ପ୍ରକୃତି ତୁମକୁ ମୋ ନିକଟରେ ପ୍ରକାଶ କରିଅଛନ୍ତି–ତୁମେ ଆସିବ ।’’ ସଂଗୀତ ଶେଷ ହେଲାରୁ ନୁଟୁ ମୁଣ୍ଡ ଟେକି ସୁନୀତି ମୁହଁକୁ ଚାହିଁଲା–ସୁନୀତି ପଚାରିଲା, ‘‘ଭଲ ଲାଗିଲାରେ, ନୁଟୁ ?’’ ନୁଟୁ ଅର୍ଥଶୂନ୍ୟ ଦୃଷ୍ଟିରେ ସୁନୀତି ମୁହଁକୁ ଚାହିଁ ରହିଲା । ସୁନୀତି ହାରମୋନିୟମଟି ତଳେ ରଖିଦେଲା–ନୁଟୁ ତତ୍‌କ୍ଷଣାତ୍‌ ଏକ ଲମ୍ଫରେ ତା’ କୋଳରେ ଉଠି ବସିଲା । ସୁନୀତି ତାକୁ ଦୁଇହାତରେ ଧରି କହିଲା, ‘‘ନୁଟୁ, ତୋ ଗୋଡ଼ ମଇଳା ହୋଇଛି ଯେ । ତୁ ଭାରି ଦୁଷ୍ଟ ହେଉଛୁ ଦିନକୁ ଦିନ–ଖାଲି ମୋ’ ନୁଗା ମଇଳା କରୁଛୁ । ପୁଣି ସେମିତି କଲେ, ଏଇ–’’ କହି ସୁନୀତି ତା’ ଗଣ୍ଡଦେଶରେ ଗୋଟିଏ କ୍ଷୁଦ୍ର ଚପେଟାଘାତ କଲା । ନୁଟୁ ସେ ସ୍ନେହସ୍ପର୍ଶରେ ଆଖି ବୁଜିଦେଲା । ସୁନୀତି ନୁଟୁକୁ ଟିକିଏ ହଲାଇ ଦେଇ ପଚାରିଲା, ‘‘ଆରେ, ନୁଟୁ, ସେ କ’ଣ ଆଉ ଆସିବେନାହିଁ ?’’ ନୁଟୁ କାତର ଦୃଷ୍ଟିରେ ସ୍ନେହମୟୀ ପାଳୟିତ୍ରୀ ମୁହଁକୁ ଚାହିଁ ରହିଲା–କିଛିକ୍ଷଣ ପରେ ସୁନୀତି ନୁଟୁ ମୁହଁକୁ ନିଜର ବକ୍ଷ ଦେଶରେ ଲୁଚାଇ କହିଲା, ‘‘ନାହିଁ, ନୁଟୁ, ତୁ ଭାବନା । ସେ ଆସିବେ, ନିଶ୍ଚେ ଆସିବେ । ଆଜି ନ ଆସିପାରନ୍ତି, କାଲି ନ ଆସିପାରନ୍ତି, ଏ ଜୀବନରେ ନ ଆସିପାରନ୍ତି–କିନ୍ତୁ ଯେତେବେଳେ ହେଲେ ସେ ଦିନେ ଆସିବେ; ଆସିବେ । ତୁ ଆଉ ଏତେ ଭାବନା, ନୁଟୁ ।’’ ନୁଟୁ ମୁହଁକୁ ଭଲରୂପେ ଲୁଚାଇ କୁଁ କୁଁ ଶବ୍ଦ କରିବାକୁ ଲାଗିଲା–ତା’ର ଅର୍ଥ, ‘‘ମୁଁ ତ ଯା ଭାବୁଛି । ତୁମେ ଯେ ଭାବି ଭାବି ସାରା ହେଲ ! କାହିଁ, ଏହି ସାନ୍ତ୍ୱନାରେ ତୁମେ ସ୍ଥିର ରହୁନା ତ-!’’

 

ସୁନୀତି ନୁଟୁକୁ ତଳେ ଥୋଇ ଦେଇ ହାରମୋନିୟମ ଉଠାଇ ନେଲା, କହିଲା, ‘‘ଶୁଣ୍‌, ନୁଟୁ, ଆଉ ଗୋଟିଏ ଗୀତ ଶୁଣ୍‌ ।’’ ନୁଟୁ ବିନା ପ୍ରତିବାଦରେ ପୂର୍ବବତ୍‌ ସୁନୀତିର ଗୋଡ଼ ମଧ୍ୟରେ ମୁହଁ ଲୁଚାଇଲା । ସୁନୀତି ଆଉ ଗୋଟିଏ ବଙ୍ଗଳା ଗୀତ ଗାଇଲା–‘‘ମୋର ଏହି ପଥ ଚାହିଁବାରେ ଆନନ୍ଦ । ସୂର୍ଯ୍ୟର କିରଣ ଚାରିଆଡ଼େ ଖେଳି ବିଦାୟ ନେଉଛି, ଛାୟା ଚାରିଆଡ଼େ ଖେଳୁଛି, ବର୍ଷା ଆସୁଛି, ବସନ୍ତ ଆସୁଛି । କେବଳ ମୋର ଏଇ ପଥ ଚାହିଁବାରେ ଆନନ୍ଦ ।’’

 

ସଂଗୀତର ଝଙ୍କାରରେ କ୍ଷୁଦ୍ର ଉପବନଟି ଯେପରି ଜୀବନ୍ତ ହୋଇ ଉଠିଲା । ସାନ୍ଧ୍ୟ ବାୟୁ ତରୁଲତାମାନଙ୍କୁ ଧୀରେ ଧୀରେ ଦୋହଲାଇବାକୁ ଲାଗିଲା । କେଉଁ ଅଜ୍ଞାତ ଆଗନ୍ତୁକର ସ୍ପର୍ଶ ଲଭିବାପାଇଁ ଚିରଉନ୍ମୁଖ ତରୁଲତା ଯେପରି ସୁନୀତିର ସଂଗୀତ ପ୍ରତିଧ୍ୱନି କରି କହିବାକୁ ଲାଗିଲେ–‘‘ଆମର ମଧ୍ୟ ଏହି ପଥ ଚାହିଁବାରେ ଆନନ୍ଦ ।’’ ଆକାଶରେ ଚନ୍ଦ୍ର ତାରା ହସିବାକୁ ଲାଗିଲେ–ଜ୍ୟୋତ୍ସ୍ନାମଣ୍ଡିତ ବିରାଟ ଆକାଶ ହସିଉଠିଲା–‘‘ଆମର ମଧ୍ୟ ଏହି ପଥ ଚାହିଁବାରେ ଆନନ୍ଦ ।’’ ପ୍ରକୃତିରେ ନିଜର ଅନ୍ତରର ଛବି ପ୍ରତିଫଳିତ ଦେଖି ସୁନୀତି ଉତ୍ସାହିତ ହେଲା–ବିମୁଗ୍‌ଧ କଣ୍ଠରେ ବାରମ୍ବାର ଗାଇବାକୁ ଲାଗିଲା–‘‘ମୋର ଏହି ପଥ ଚାହିଁବାରେ ଆନନ୍ଦ ।’’

 

ତାହାର ଅଜ୍ଞାତରେ ଦିଓଟି ହାତ ପଶ୍ଚାତରୁ ଆସି ତାହାର ଆଖି ଦିଓଟି ଚାପିଧରିଲା । ଅପୂର୍ବ ପୁଲକରେ ସୁନୀତିର ସଂଗୀତ ବନ୍ଦ ହୋଇଗଲା । ହଠାତ୍‌ ଚମକିତ ହୋଇ ନୁଟୁ ଦେଖିଲା ଯେ, ଜଣେ ଦୀର୍ଘକାୟ ଯୁବକ ତା’ର ପାଳୟିତ୍ରୀର ଆଖି ଟିପି ଧରି ଠିଆ ହୋଇ ହସୁଛି । ତାହାର ପାଳୟିତ୍ରୀ ପ୍ରତି ଯୁବକର ଏଭଳି ଔଦ୍ଧତ୍ୟ ତା’ର ଅସହ୍ୟ ହେଲା । ସେ ସରବରେ ପ୍ରତିବାଦ କରିବାକୁ ଲାଗିଲା । ହାରମୋନିୟମଟି ତଳେ ଥୋଇ ଯୁବକର ହାତ ଦିଓଟି ନିଜ ହାତରେ ଚାପିଧରି ସୁନୀତି କହିଲା, ‘‘ଛି, ନୁଟୁ, ମଣିଷ ଚିହ୍ନୁନା ?’’ ନୁଟୁ ଚୁପ୍‌ ହେଲା ।

 

ସୁଦୀର୍ଘ ତିନିମାସ ପରେ ଏହି ସାକ୍ଷାତ୍‌ । ସୁନୀତି ଆଗରୁ ଭାବିଥିଲା, ଦେଖାହେଲେ କେତେ ଅଭିମାନ କରିବ, କଥା କହିବନାହିଁ ଇତ୍ୟାଦି; କିନ୍ତୁ ଦେଖାହେବାର ଆନନ୍ଦରେ ସେ ସବୁ ସଙ୍କଳ୍ପ କୁଆଡ଼େ ଉଭେଇ ଗଲା । ଯୁବକର ହାତ ଦିଓଟି ନିଜର କୋମଳ ହାତଦ୍ୱାରା ଟିକିଏ ଜୋରରେ ଚାପିଧରି ସୁନୀତି କହିଲା, ‘‘ଛାଡ଼ ।’’

 

ଯୁବକ ସୁନୀତି ଆଖିରୁ ହାତ ଖୋଲି ଦେଇ ବେଦୀ ଉପରେ ବସୁ ବସୁ ହସି ପଚାରିଲା, ‘‘କାହାର ପଥ ଚାହିଁ ତୁମେ ଏତେ ଆନନ୍ଦ ପାଅ ? କିଏ ସେ ଭାଗ୍ୟବାନ, ସୁନୀତି ?’’ ସୁନୀତି ଉତ୍ତର ଦେଲାନାହିଁ–ସଲଜ୍ଜ ମୁଖଟି ଯୁବକର କୋଳରେ ଲୁଚାଇ ବସିରହିଲା । ବିମୁଗ୍‌ଧ ଯୁବକ ସୁନୀତିର ଅସଂଲଗ୍ନ କେଶଗୁଚ୍ଛ ଉପରେ ନୀରବ ତୃପ୍ତିରେ ହାତ ବୁଲାଇବାକୁ ଲାଗିଲା ।

 

ପାଠକ ଏ ଯୁବକଙ୍କୁ ଚିହ୍ନନ୍ତି । ଏ ଦେବବ୍ରତର ବନ୍ଧୁ ରମେଶ ଚନ୍ଦ୍ର ମହାପାତ୍ର । ବାସନ୍ତୀ ଓ ଦେବବ୍ରତଙ୍କ ସାହାଯ୍ୟରେ ରମେଶ କଲ୍ୟାଣୀଙ୍କ ପରିବାର ସହିତ ପରିଚିତ ହୋଇଥିଲା । ରମେଶର ନିଷ୍ଠାପରତା ଓ ସଚ୍ଚରିତ୍ର ଦେଖି କଲ୍ୟାଣୀ ତାକୁ ପୁତ୍ରବତ୍‌ ସ୍ନେହ କରୁଥିଲେ ଏବଂ ସୁନୀତି ସହିତ ମିଶିବାକୁ ଦେଉଥିଲେ । ରମେଶ ସହିତ ସୁନୀତିର ଆଳାପ କ୍ରମେ ଭିନ୍ନରୂପ ଧାରଣ କରିଅଛି–ସେ ସୁନୀତି ନିକଟରେ କ୍ରମାନ୍ୱୟରେ ‘ମିଃ ମହାପାତ୍ର,’ ‘ରମେଶବାବୁ’ ଓ ‘ରମେଶ’ ହୋଇ ଶେଷରେ ‘ପ୍ରିୟତମ’ ହୋଇଅଛି । କଲ୍ୟାଣୀ ଯେ ପରସ୍ପର ମଧ୍ୟରେ ଅନୁରାଗର ଏହି କ୍ରମବିକାଶ ଲକ୍ଷ୍ୟ କରୁ ନଥିଲେ, ତାହା ନୁହେଁ । ସେ ଭଲରୂପେ ଲକ୍ଷ୍ୟ କରି ବରଂ ଖୁସି ହୋଇଥିଲେ । ସେ ଯୀଶୁଙ୍କର ପରମ ଭକ୍ତ–ତାଙ୍କ ପ୍ରଶସ୍ତ ହୃଦୟରେ ସାମ୍ପ୍ରଦାୟିକ ସଂକୀର୍ଣ୍ଣତା ସ୍ଥାନ ପାଇ ନଥିଲା । ସମସ୍ତ ରକମର ଭେଦ ଭୁଲି ସେ କିପରି ନିର୍ମଳା ଦେବୀଙ୍କର ଅନ୍ତରଙ୍ଗ ବନ୍ଧୁ ହୋଇଥିଲେ, ପାଠକ ତାହା ଦେଖିଅଛନ୍ତି ।

 

ରମେଶ ଓ ସୁନୀତିର ପରସ୍ପର ପ୍ରତି ଅନୁରାଗ ଅଚିରେ ପ୍ରତିବେଶିମାନଙ୍କ ଦୃଷ୍ଟିଆକର୍ଷଣ କଲା–କିଛିକାଳ ପରେ ସମସ୍ତେ ଜାଣିପାରିଲେ ଯେ, ଶୀଘ୍ର ଦୁହିଁଙ୍କର ବିବାହ ହେବ । ଖ୍ରୀଷ୍ଟିୟାନ ସମାଜର କର୍ତ୍ତାମାନେ କଲ୍ୟାଣୀଙ୍କ ଉପରେ ଖଡ଼୍‌ଗହସ୍ତ ହୋଇଉଠିଲେ । ରେଭରେଣ୍ଡ ସିମଲଟନ୍‌ କଲ୍ୟାଣୀଙ୍କ ଘରକୁ ଆସି ପଚାରିଲେ, ‘‘ସୁନୀତିର ବିବାହ ସମ୍ବନ୍ଧରେ ମୁଁ ଯାହା ଶୁଣୁଛି, ତାହା କ’ଣ ସତ ?’’ କଲ୍ୟାଣୀ ଉତ୍ତର ଦେଲେ, ‘‘ହଁ, ପ୍ରଭୁଙ୍କ କଲ୍ୟାଣରୁ ମୋର ସୁନା ଶୀଘ୍ର ରମେଶକୁ ବିବାହ ହେବ ।’’ ପାଦ୍ରିସାହେବ ଉତ୍ତେଜିତ ଭାବରେ କହିଲେ, ‘‘ପ୍ରଭୁ କଦାପି ଏପରି ବିବାହରେ ସନ୍ତୁଷ୍ଟ ହେବେନାହିଁ । ତୁମେ ଜାଣ, ରମେଶ ହିଦେନ । ସେ ଯୀଶୁଙ୍କ ବାଣୀ ଲାଭକରିନାହିଁ । ସେ କଦାପି ସ୍ୱର୍ଗକୁ ଯାଇପାରିବନାହିଁ । ତା’ର ହୀନ ଆତ୍ମା–’’ପାଦ୍ରିସାହେବ ଭୟଙ୍କର ଗୋଟାଏ କଥା କହିବାକୁ ଯାଉଥିଲେ । କଲ୍ୟାଣୀ ବାଧା ଦେଇ କହିଲେ, ‘‘ଆପଣଙ୍କୁ ମୁଁ କେତେଥର କହିଛି ପାଦ୍ରିସାହେବ, ମୁଁ ଏସବୁ କଥା ବିଶ୍ୱାସ କରେନାହିଁ । ଯେଉଁମାନେ ଯୀଶୁଙ୍କ ବାଣୀ ଶୁଣିନାହାନ୍ତି, ସେମାନେ ଅନନ୍ତ ନରକରେ ପଡ଼ିବେ–ଆପଣଙ୍କର ଏକଥା ଯଦି ସତ୍ୟ ହୁଏ, ତାହେଲେ ବାଇବେଲରେ ବର୍ଣ୍ଣିତ ଅନେକ ମହାପୁରୁଷ ମଧ୍ୟ ନର୍କରେ ପଚୁଛନ୍ତି । ଆଦମ ଓ ଈଭଙ୍କ ପରେ ଯୀଶୁଙ୍କ ଆବିର୍ଭାବ ପୂର୍ବେ ଅସଂଖ୍ୟ ଲୋକ ଧରାବକ୍ଷରେ ବାସ କରିଥିଲେ–ସେମାନେ ତ ଯୀଶୁଙ୍କ ବାଣୀ ଶୁଣିନାହାନ୍ତି । ଯୀଶୁଙ୍କ ଆବିର୍ଭାବ ପରେ ମଧ୍ୟ ଏପରି ଅସଂଖ୍ୟ ଲୋକ ଧରାବକ୍ଷରେ ବାସ କରିଛନ୍ତି, ଯେଉଁମାନେ କଦାପି ଯୀଶୁଙ୍କ ନାମ ଶୁଣିନାହାନ୍ତି । ଏମାନେ ସମସ୍ତେ ନରକରେ ପଚିବେ ? ଭ୍ରାନ୍ତ ଆପଣ, ପାଦ୍ରିସାହେବ । ଏହି ବିଶାଳ ଭାରତର ବହୁ ସଂଖ୍ୟକ ସାଧୁ, ଧାର୍ମିକ ଓ ନ୍ୟାୟବାନ୍‌ ନରନାରୀ ନରକରେ ପଚିବେ, ଆଉ ଏଇ ଦେଶର ଆମେ ମୁଷ୍ଟିମେୟ ଖ୍ରୀଷ୍ଟିୟାନ୍‌ ଯେତେ ହୀନ ହେଉ ପଛକେ, କେବଳ ଆମରିମାନଙ୍କ ପାଇଁ ସ୍ୱର୍ଗଦ୍ୱାର ଆପେ ଆପେ ଖୋଲିଯିବ–ଏହା କ’ଣ ପିଲାଭଣ୍ଡେଇବା କଥା ନୁହେଁ ?’’ କଲ୍ୟାଣୀଙ୍କ ଧୀର ଅଥଚ ଯୁକ୍ତିପୂର୍ଣ୍ଣ କଥା ଶୁଣି ସାହେବ ଆହୁରି ରାଗିଲେ, କହିଲେ, ‘‘ତୁମେ ଜାଣ, ରମେଶ ଖ୍ରୀଷ୍ଟିୟାନ ନ ହେଲେ ଏ ବିବାହ ମୋ ଗିର୍ଜାରେ ହୋଇପାରିବନାହିଁ ?’’ କଲ୍ୟାଣୀ କହିଲେ, ‘ଜାଣେ, ଭଲରୂପେ ଜାଣେ । କେବଳ ଆପଣଙ୍କ ଗିର୍ଜାରେ ନୁହେଁ–ବିବାହ କୌଣସି ସମ୍ପ୍ରଦାୟର ଧର୍ମମନ୍ଦିରରେ ହୋଇପାରିବନାହିଁ । ମୁଁ ରମେଶକୁ ଖ୍ରୀଷ୍ଟିୟାନ ହେବାକୁ ପ୍ରବର୍ତ୍ତାଇବିନାହିଁ, କିମ୍ବା ଖ୍ରୀଷ୍ଟିୟାନ ଧର୍ମ ଛାଡ଼ିବାକୁ ସୁନୀତିକୁ କହିବିନାହିଁ–ସେମାନେ ଯେମିତି ଅଛନ୍ତି, ସେମିତି ଥାନ୍ତୁ । ଆପଣମାନଙ୍କ ଧର୍ମମନ୍ଦିରରୁ ବିତାଡ଼ିତ ହୋଇ ଭଗବାନ ଯେଉଁ ଧୂଳିପୂର୍ଣ୍ଣ ରାଜପଥରେ ଆଶ୍ରା ନେଇଅଛନ୍ତି, ମୁଁ ରମେଶ ଓ ମୋ’ କନ୍ୟାର ହାତ ଧରି ପ୍ରଭୁଙ୍କର ସେହି ଚରଣଧୂଳି ଆଶ୍ରା କରିବି–ସେହି ହେବ ସେମାନଙ୍କର ବିବାହ ।’’ ପାଦ୍ରିସାହେବ ଆଉ ସ୍ଥିର ରହିପାରିଲେନାହିଁ–ଉତ୍ତେଜିତ ଭାବରେ ବାହାରି ଯାଉଁ ଯାଉଁ କହିଲେ, ‘‘ଅଚିରେ ଶୟତାନ ତୁମର ସର୍ବନାଶ କରିବ ।’’ କଲ୍ୟାଣୀ ପାଦ୍ରିଙ୍କ ଅଭିଶାପ ଶୁଣି କାତର ଦୃଷ୍ଟିରେ ପ୍ରାଚୀରରେ ଲମ୍ବମାନ ଯୀଶୁଙ୍କର ଖଣ୍ଡିଏ ଚିତ୍ର ପ୍ରତି ଅନାଇ ମନେ ମନେ କହିଲେ, ‘‘ପ୍ରଭୁ, ତୁମର ନାମ ଗ୍ରହଣ କରି ସୁଦ୍ଧା ଲୋକେ ଏଭଳି ହୁଅନ୍ତି କାହିଁକି ?’’ କଲ୍ୟାଣୀଙ୍କ ନୟନରେ ଚିତ୍ରପଟ କ୍ଷଣକପାଇଁ ଜୀବନ୍ତ ଭଳି ମନେହେଲା–ଯୀଶୁଙ୍କ ପ୍ରଶାନ୍ତ ଓ କରୁଣାପୂର୍ଣ୍ଣ ଦୃଷ୍ଟି କଲ୍ୟାଣୀଙ୍କ ମୁହଁରେ ପଡ଼ିଲା–କଲ୍ୟାଣୀ ଦେଖିଲେ, ସେ ଦୃଷ୍ଟିରୁ ଆଶୀର୍ବାଦ–ଧାରା ବହୁ ଧାରରେ ବହି ଆସୁଛି, ଅଭୟବାଣୀ ବାରମ୍ବାର ଉଚ୍ଚାରିତ ହେଉଛି, ‘‘ଭୟନାହିଁ, ଭୟନାହିଁ, କଲ୍ୟାଣୀ ।’’ ପରକ୍ଷଣରେ କଲ୍ୟାଣୀ ଦେଖିଲେ, ଯୀଶୁଙ୍କ ଦୃଷ୍ଟି ଯେପରି ଟିକିଏ ଉପର ଆଡ଼କୁ ହେଲା, ସେ ଯେପରି ହାତ ଯୋଡ଼ି କାହା ଉଦ୍ଦେଶ୍ୟରେ କହିବାକୁ ଲାଗିଲେ, ‘‘ପିତା, ପିତା, ସେମାନଙ୍କୁ କ୍ଷମା କର–ସେମାନେ କ’ଣ କରୁଛନ୍ତି ନିଜେ ଯେ ତାହା ଜାଣନ୍ତିନାହିଁ ।’’ ସେହିଦିନୁ କଲ୍ୟାଣୀ ମନରେ ଆହୁରି ଶକ୍ତି ପାଇଥିଲେ, ସ୍ଥିର କରିଥିଲେ ଯେ; ଶତ ବାଧା ସତ୍ତ୍ୱେ ସେ ରମେଶ ସହିତ ସୁନୀତିର ବିବାହ ଦେବେ । ଖ୍ରୀଷ୍ଟିୟାନ୍‌ ସମ୍ପ୍ରଦାୟର ଲୋକେ କଲ୍ୟାଣୀଙ୍କ ପ୍ରତିଜ୍ଞାର ଦୃଢ଼ତା ଆଗରୁ ଜାଣିଥିଲେ । ପାଦ୍ରି ସିମଲ୍‌ଟନ୍‌ଙ୍କ କୃପାରୁ ସେହିଦିନୁ କଲ୍ୟାଣୀ ଏକଘରିଆ ହେଲେ–ପିଟିନ୍‌ସାହିର ଗିର୍ଜା ତାଙ୍କୁ ମନା ହେଲା । ସେହିଦିନୁ ବଡ଼ଦିନ ଓ ଅନ୍ୟାନ୍ୟ ଖ୍ରୀଷ୍ଟିୟ ଉତ୍ସବରେ ତାଙ୍କଠାରୁ କେହି ଚାନ୍ଦା ନେବାକୁ ଆସନ୍ତିନାହିଁ, ସାମାଜିକ ପ୍ରୀତିଭୋଜନ ପ୍ରଭୃତିରେ କେହି ସେମାନଙ୍କୁ ଡାକନ୍ତିନାହିଁ ।

 

ବାସନ୍ତୀ ଶାଶୁଘରକୁ ଯିବା ପରେ ସୁନୀତି ଏଫ. ଏ. ପାଶ୍‌ କରି ବାଳିକା ବିଦ୍ୟାଳୟରେ ଶିକ୍ଷୟିତ୍ରୀ ହୋଇଛି–ରମେଶ ପୂର୍ବପରି ଦେଶ ସେବାରେ ଆତ୍ମୋତ୍ସର୍ଗ କରିଛି । ସେଥିପାଇଁ ରମେଶକୁ ମଝିରେ ମଝିରେ ଅନେକ ଦିନପାଇଁ କଟକର ବାହାରକୁ ଯିବାକୁ ହୁଏ । ତିନି ମାସ ହେଲା ରମେଶ ଦୁର୍ଭିକ୍ଷ ସାହାଯ୍ୟ କାମରେ ପୁରୀ ଯାଇଥିଲା–ଆଜି ଫେରିଛି ।

 

ସୁନୀତି ପଚାରିଲା, ‘‘କେଉଁଠି ଅଛ ?’’

 

‘‘କଲେଜ ହଷ୍ଟେଲ୍‌ରେ ଜଣେ ବନ୍ଧୁଙ୍କ ପାଖରେ ।’’

 

‘‘ଓଃ, ଆମ ଘରଟା ପିତା ଲାଗିଲା ପରା !’’

 

‘‘ନାହିଁ, ପିତା ଲାଗିବ କାହିଁକି ? ମୋର ସେଠି ଅନେକ କାମ ଅଛି ।’’

 

‘‘ହାୟରେ କାମ !’’

 

ସୁନୀତି ଦୀର୍ଘନିଶ୍ୱାସ ତ୍ୟାଗ କଲା । ରମେଶ ହସିଲା ।

 

‘‘ଦେହ ଭଲ ଅଛି ?’’

 

‘‘ଆଉ ଜ୍ୱର ହେଉନାହିଁ । ତୁମ ଦେହ ଭଲ ଅଛି ?’’

 

‘‘ମୋ ଦେହ ? ଖୁବ୍‌ଭଲ । ଦେଖୁନା, ଦିନକୁ ଦିନ କେମିତି ଫୁଲିଯାଉଛି । ଯମରବି ଅରୁଚି–’’ ସୁନୀତି ଆଉ କ’ଣ କହିବାକୁ ଯାଉଥିଲା । ରମେଶ ତା’ ମୁହଁ ଚାପିଧରିଲା ।

 

କଥାପ୍ରସଙ୍ଗରେ ଦେବବ୍ରତ ଓ ବାସନ୍ତୀ କଥା ଉଠିଲା । ସୁନୀତି କହିଲା–‘‘ମୁଁ ତ ପ୍ରାୟ ଦି’ମାସ ହେଲା ବଉଳ ପାଖରୁ ଖଣ୍ଡେ ଚିଠି ପାଇନାହିଁ । ଖଣ୍ଡେ ଚିଠି ଦେଇଥିଲି ଯେ, ତା’ରବି ଉତ୍ତରନାହିଁ ।’’ ରମେଶ କହିଲା–‘‘ମୁଁ ମଧ୍ୟ ସେଇଆ, ଦି’ମାସ ହେଲା କୋଣାର୍କ ଆଡ଼େ ମଫସଲରେ ବୁଲୁଛି–ବାଲେଶ୍ୱରର କାହାରି ସଙ୍ଗରେ ଦେଖାସାକ୍ଷାତ୍‌ ହେବାରବି ସୁବିଧା ନଥିଲା । ଚିଠି ଦେଲି, ଉତ୍ତରନାହିଁ । ସେମାନେ କେମିତି ଅଛନ୍ତି, କେଜାଣି !’’

 

ପ୍ରାୟ ରାତି ନଅଟାବେଳେ କଲ୍ୟାଣୀ ଫେରିଲେ । ରମେଶ ତାଙ୍କର ପଦଧୂଳି ଗ୍ରହଣ କଲା । କଲ୍ୟାଣୀ ତା’ ମୁଣ୍ଡରେ ହାତ ବୁଲାଉ ବୁଲାଉ ପଚାରିଲେ, ‘‘ଭଲ ଅଛ ବାପା ?’’

 

‘‘ହଁ, ମା’, ଭଲ ଅଛି ।’’

 

କଲ୍ୟାଣୀ ଉଭୟଙ୍କୁ ବେଦୀ ଉପରେ ବସାଇ ସେମାନଙ୍କ ପଶ୍ଚାତରେ ଠିଆହେଲେ ଓ ସସ୍ନେହରେ ଉଭୟଙ୍କ ମୁଣ୍ଡରେ ହାତ ବୁଲାଇବାକୁ ଲାଗିଲେ–ସମସ୍ତେ ନୀରବ ! କିଛିକ୍ଷଣ ପରେ କଲ୍ୟାଣୀଙ୍କ ଚକ୍ଷୁରୁ ବଡ଼ ବଡ଼ ଅଶ୍ରୁବିନ୍ଦୁ ଝରି ସେମାନଙ୍କ ମସ୍ତକରେ ଅଭିଷେକ–ବାରିରୂପେ ପଡ଼ିବାକୁ ଲାଗିଲା । ରମେଶ ନୀରବରେ ସୁନୀତିର ହାତ ଧରି ବସିରହିଲା । ପରକ୍ଷଣରେ କଲ୍ୟାଣୀ ଭାବାବେଗରେ ରମେଶ ଓ ସୁନୀତିକୁ କୋଳକୁ ଟାଣି ନେଲେ ଓ ନିଜର ବକ୍ଷୋଦେଶରେ ଉଭୟଙ୍କ ମସ୍ତକ ରଖି ମନେ ମନେ କ’ଣ ଆଶୀର୍ବାଦ କରିବାକୁ ଲାଗିଲେ । ଦୂରରୁ କାହାର ସ୍ପନ୍ଦିତ କଣ୍ଠରେ ସଂଗୀତ-ଧ୍ୱନି ଭାସି ଆସୁଥିଲା–

 

‘‘ପ୍ରଭୁ ଏ ମିଳନବିଧାନ ପୁଣ୍ୟ

ରଚିଛ କି ଶୁଭଯୋଗେ ଗୋ ।

ସ୍ନିଗ୍ଧ ପରଶେ ମୁଗ୍‌ଧ ଅନ୍ତର

ନବଜୀବନ ଭୋଗେ ଗୋ ।’’

 

X X X

 

କଲ୍ୟାଣୀ ସୁନୀତି ହାତରେ ଖଣ୍ଡେ ଚିଠି ଦେଇ କହିଲେ, ‘‘ତୁ ସ୍କୁଲକୁ ଯିବାପରେ ଡାକବାଲା ଚିଠି ଖଣ୍ଡିକ ଦେଇଯାଇଛି । ଠିକଣାର ହସ୍ତାକ୍ଷର ଦେଖି ମନେହେଉଛି ବାସନ୍ତୀର ଲେଖା । ଦେଖିଲୁ, କ’ଣ ଲେଖିଛି !’’

 

ସୁନୀତି ଓ ରମେଶ ଚିଠି ଖଣ୍ଡକ ପଢ଼ିଲେ । କେଉଁ ସ୍ଥାନରୁ ଚିଠି ଆସିଛି ତାହା ଜାଣିବାର କୌଣସି ଉପାୟନାହିଁ । ଚିଠିରେ ସ୍ଥାନର ନାମନାହିଁ–ପୋଷ୍ଟ ଅଫିସର ଷ୍ଟାମ୍ପ R.MS.–ଚିଠିରେ ଯେଉଁ ଠିକଣା ଦିଆହୋଇଛି, ତାହା ସମ୍ବାଦପତ୍ରର ଗୋପନୀୟ ଠିକଣା । ବାସନ୍ତୀ ଲେଖିଛି–

 

‘‘ପ୍ରାଣର ବଉଳ ମୋର ! ଭୁଲିଯା, ଭୁଲିଯା, ଏ ଅଭାଗିନୀକୁ ଭୁଲିଯା । ମୁଁ କୁଆଡ଼େ ଅବିଶ୍ୱାସିନୀ–ମୋ ନା ଶୁଣିଲେ ସତୀ କାନରେ ହାତ ଦେବେ ! ବୁଝିଲୁ ?

 

ମାସକରୁ ବେଶି ହେଲା ଅବିଶ୍ୱାସିନୀ ବୋଲି ମୋତେ ଘରୁ ତଡ଼ି ଦେଇଛନ୍ତି–ମୁଁ ଆଜି ରାଜପଥରେ । ନାରୀକୁ ରାଜପଥ ଯେତେ ରକମର ହାତଠାରେ, ମୁଁ ସେ ସବୁ ହାତଠାର ଦେଖୁଛି, ବଉଳ । ଅବାକ୍‌ ହୋଇ ଭାବୁଛି, କି ଅଦ୍ଭୁତ ମୁଁ, କି ଅଦ୍ଭୁତ ଏ ଦୁନିଆ !

 

ମୁଁ କେଉଁଠି ଅଛି, ତାହା ଜାଣିବା ତୋର ଦରକାରନାହିଁ–କାହାରି ଦରକାରନାହିଁ ବୋଧହୁଏ । ତଳ ଠିକଣାରେ ଚିଠି ଦେଲେ ପାଇବି । ଯଦି ତତେ କଳଙ୍କ ନ ଲାଗେ, ରମେଶବାବୁ ଯଦି ଏ କଳଙ୍କିନୀ ସହିତ ତୋର ସମ୍ପର୍କ ଅନୁଚିତ ମନେ ନ କରନ୍ତି, ତେବେ ଚିଠି ଦେବୁ । ତୋରି–ବଉଳ ।

 

Box 3561

 

Statesman. Calcutta

 

ରମେଶ ଓ ସୁନୀତି ଉଭୟେ ସ୍ତବ୍ଧ ହୋଇଗଲେ । ଦେବବ୍ରତ ଅବିଶ୍ୱାସିନୀ ବୋଲି ବାସନ୍ତୀକୁ ଘରୁ ବାହାର କରି ଦେଇଛି । ରମେଶ ଉତ୍ତେଜିତ ଭାବରେ କହିଲା, ‘‘ନା, ନା, ଅସମ୍ଭବ-!’’ ସୁନୀତି ଧୀର ଭାବରେ ଉତ୍ତର ଦେଲା, ‘‘ନିଷ୍ଠୁର ପୁରୁଷ ଜାତି ପକ୍ଷରେ କିଛି ଅସମ୍ଭବ ନୁହେଁ ।’’ କଲ୍ୟାଣୀ ସବୁ ଶୁଣି ସାମାନ୍ୟ ହସିଲେ ଓ ଅବିଚଳିତ କଣ୍ଠରେ କହିଲେ, ‘‘ତୁମେ ସବୁ ଏତେ ବିଚଳିତ ହୁଅନା । ସତେ ଯଦି ବାସନ୍ତୀ ଘରୁ ବାହାରି ଯାଇଥାଏ; ତଥାପି ବିଚଳିତ ହେବାର କିଛିନାହିଁ । ସେମାନେ ପୁଣି ମିଳିତ ହେବେ । ସେମାନଙ୍କ ଜୀବନରେ କଲ୍ୟାଣ ଅକଲ୍ୟାଣର ରୂପ ଧରି ଆସିଛି–ଭୟନାହିଁ ।’’

 

–ଚବିଶି–

 

ଗାଡ଼ିର ଘୋଡ଼ା ଦି’ଟାଙ୍କ ପିଠିରେ ଚାବୁକ ପଡ଼ିବାରୁ ହଠାତ୍‌ ଲମ୍ଫ ଦେଇ ସେ ଦି’ଟା ଅଗ୍ରସର ହେଲେ । ଗାଡ଼ିବାଲା କଚୁଆନ ଦେବବ୍ରତ ଦେଇଥିବା ପାଞ୍ଚଟଙ୍କିଆ ନୋଟଖଣ୍ଡକ ଝାଳରେ ତିନ୍ତି ଯାଇଥିବାର ଅନୁଭବ କରି ତାକୁ ସଯତ୍ନରେ ପକେଟରେ ପୂରାଇ ହାତଟା କାନିରେ ଥରେ ଭଲକରି ପୋଛି ନେଇ ଘୋଡ଼ାଙ୍କ ଉପରେ ଆହୁରି ଦୁଇ ପାହାର ବସାଇଦେଲା । ଦରମଲା ଘୋଡ଼ାଦି’ଟା ପ୍ରଭୁର ଅସଙ୍ଗତ ଆଚରଣ ପ୍ରତି ଉଦାସୀନ ହୋଇ ‘ବଡ଼ ଲୋକଙ୍କର ବଡ଼ କଥା’ ଏହି ତା’ ଭାବି ବୋଧହୁଏ ନିଜ କାର୍ଯ୍ୟରେ ମନଦେଲେ । ଏଣେ ତାଙ୍କ ପ୍ରଭୁ କୋଚବାକ୍‌ସ ଉପରେ ଥାଇ ମଧ୍ୟ ପେଟତଳକୁ ଭଙ୍ଗା ନୋଟ ଖଣ୍ଡକର ସ୍ପର୍ଶ ଅନୁଭବ କରୁଁ କରୁଁ ଠିକ୍‌ ସେଇୟା ଭାବୁଥିଲା–ବଡ଼ ଲୋକଙ୍କର ବଡ଼ କଥା !

 

ନୈଶ ଅନ୍ଧକାରରେ ତା’ର ଭୟ ଯେତିକି ବଢ଼ିଉଠିଲା–ତା’ ଚାବୁକ ସେତିକି କ୍ଷିପ୍ର ଓ ଅନବରତ ଭାବରେ ଘୋଡ଼ା ଦି’ଟାଙ୍କ ପିଠିରେ ପଡ଼ିବାକୁ ଲାଗିଲା; ଆଉ ଜିହ୍ୱା ତା’ର ଶୁଷ୍କ ହୋଇଯାଇ ଚିରାଭ୍ୟସ୍ତ ‘‘ଅହ ଅହ–କ୍ଳେ–କ୍ଳେ’’ ଆଦି ଉତ୍ସାହ ବାଣୀଗୁଡ଼ାକ ସବୁ ପାଶୋରି ପକାଇଲା ।

 

ବାସନ୍ତୀକୁ ନେଇ ଘୋଡ଼ାଗାଡ଼ି ଏହିପରି ଭାବରେ ଗ୍ରାମସୀମାନ୍ତରେ ଅଦୃଶ୍ୟ ହୋଇ ଯିବାଯାଏ ମଧ୍ୟ ଦେବବ୍ରତ ଥରେ ହେଲେ ଫେରି ଚାହିଁଲାନାହିଁ । ତା’ର ନିଜ ଉପରେ ମଧ୍ୟ ଗୋଟାଏ ପ୍ରଚଣ୍ଡ ଚାବୁକର ପ୍ରହାର ସେ ଅନୁଭବ କରୁଥିଲା–ଅନୁଭବର ଶକ୍ତି ଯେତେକ ତା’ର ବାକି ଥିଲା, ସେତକର ସାହାଯ୍ୟରେ ଫେରି ଚାହିଁବାକୁ ଆଉ ସ୍ପୃହାନାହିଁ, ଶକ୍ତିନାହିଁ, ନା ଅବସରନାହିଁ । ସେ ମଧ୍ୟ ଘୋଡ଼ା ଦି’ଟାଙ୍କ ପରି ପଳାଇ ବଞ୍ଚିବା ନୀତିରେ ନିଜଠାରୁ ନିଜର ଦୂରତା ବୃଦ୍ଧି କରିବାପାଇଁ ପ୍ରାଣପଣ ଚେଷ୍ଟା ଲଗାଇଛି–କିନ୍ତୁ ସେ ଚାବୁକ ଯେଉଁଠି, ସେଇଠି ।

 

ଟଳି ଟଳି ନିଜର ଅବାଧ୍ୟ ଅସଂଯତ ଗୋଡ଼ ଦି’ଟାକୁ ବହୁ କଷ୍ଟରେ ଓଟାରି ଓଟାରି ଦେବବ୍ରତ ଚାଲିଛି । ଅଥଚ ମନେକରୁଛି ଯେପରି ସେ ତ୍ରିଭୁବନ ଭ୍ରମଣ କରି ଆସିଲାଣି ଏହି ମୁହୂର୍ତ୍ତକ ଭିତରେ–ତା’ର ଏତେ ଗତି ଶକ୍ତି ! ଠିକ୍‌ ସେହି ଘୋଡ଼ା ଦି’ଟାଙ୍କ ପରି । କିନ୍ତୁ ସେ ଗାଡ଼ିଟାକୁ, ସେ ଚାବୁକଟାକୁ ଏକା କୌଣସିମତେ ପଛରେ ପକେଇପାରୁନାହିଁ । ସେ ଯେପରି ଅତି କଠିନ ବନ୍ଧନରେ ତାଙ୍କ ସହିତ ଚିରକାଳ ପାଇଁ ବନ୍ଧା, ସେ ଚାବୁକଟା ଯେପରି ଜଗତଜିଣା ଗତିରେ ତା’ର ଅନୁଧାବନ କରୁଛି !

 

ଧନିଆ କେତେବେଳେ ଲଣ୍ଠନଟା ହାତରେ ଧରି ପହଞ୍ଚି ଟିକିଏ ଆଡ଼ ହୋଇ ଅଳ୍ପ ଆଗେ ଆଗେ ଚାଲିଲାଣି, ବାବୁଙ୍କୁ ସେ ଖବର ଜଣାନାହିଁ । ବାବୁ ତ ନିଜ ଘର ଫାଟକ ପାର ହୋଇ ଚାଲିଯିବା ଉପରେ ହୋଇଥିଲେ–ଧନିଆ ଧାଇଁ ଆସି ସଶବ୍ଦରେ ଫାଟକଟା ଖୋଲି ପକାଇବାରୁ ଦେବବ୍ରତର ଚେତନା ହେଲା । ଗୃହାଭିମୁଖୀ ନ ହୋଇ କିନ୍ତୁ ଘଡ଼ିଏ କାଳ କଟିଗଲା, ତଥାପି ଭିତରକୁ ଅଗ୍ରସର ହେବାକୁ ଗୋଡ଼ ଚଳିଲାନାହିଁ । ଧନିଆ ବିଚରା ହଜାରେ ପ୍ରଶ୍ନ ଜିଭ ଅଗରେ ନେଇ ପାଟି ଚାକୁଳଉଥିଲା, କିନ୍ତୁ ଭରସି ତୁଣ୍ଡ ଖୋଲି ପାରୁ ନଥିଲା । କିଛିକ୍ଷଣ ପରେ ଧନିଆ ଅତି କଷ୍ଟରେ କହିଲା, ‘‘ଆଜ୍ଞା, ଗାଡ଼ି କେତେବେଳେ ଆସିବ ? ଏଇଠି କ’ଣ ସେତେବେଳଯାଏ–’’ ‘‘ଚୁପ୍‌’’ ବୋଲି କହି ଦେବବ୍ରତ ଆରକ୍ତ ଆଖିଯୋଡ଼ାକ ଧନିଆ ମୁହଁ ଉପରେ କିଛିକ୍ଷଣ ସ୍ଥାପିତ କରି ହଠାତ୍‌ ଅତି କ୍ଷିପ୍ରଗତିରେ ଘରଆଡ଼କୁ ଚାଲିଲା–ଧନିଆ କୌଣସିମତେ ଲଣ୍ଠନଟା ନେଇ ଆଗେ ଆଗେ ଚାଲିବାର ସୁବିଧା ପାଇପାରିଲାନାହିଁ ।

 

ସେ ଘରେ ପହଞ୍ଚି ସଳଖେ ସଳଖେ ଚାଲିଲା ଦୋତାଲାକୁ । ନିଜ ଶୋଇବା ଘରେ ଯାଇ ଦୁଆର ଦେଲାବେଳେ ଧନିଆ ଭିତରକୁ ଯିବାର ଚେଷ୍ଟା କରୁଁ କରୁଁ କହିଲା ‘‘ଆଜ୍ଞା, ବୁଢ଼ୀ ସାଆନ୍ତାଣୀ ଓପାସ ଅଛନ୍ତି–’’ ‘‘ଯାଃ !’’ ବୋଲି ଧନିଆକୁ ଆଡ଼େଇ ଦେବାକୁ ବସିଲାରୁ ଧନିଆ ବିକଳ ହୋଇ ହାତଯୋଡ଼ି କହିଲା–‘‘ଆଜ୍ଞା, ମୁଁ ଖାଲି ଟିକିଏ ବୁଢ଼ୀ ସାଆନ୍ତାଣୀଙ୍କୁ ଡାକିଆଣେ–।’’

 

ଦେବବ୍ରତ କିଛିକ୍ଷଣ ନୀରବ ରହି ହଠାତ୍‌ କ’ଣ ଭାବି କହିଲା, ‘‘ଆରେ–ବୋଉ କେତେବେଳୁ ଖାଇନାହିଁ କି ?’’

 

‘‘ଆଜ୍ଞା; କାଲିଠଉଁ ପରା ବୁଢ଼ୀ ସାଆନ୍ତାଣୀ, ମା’ ଦିହିଁଙ୍କୁ ଦିହେଁ କେହି ପାଣି ଟୋପାଏବି ପାଟିକି ନେଇନାହାନ୍ତି–ଆପଣଙ୍କୁ ଅନେଇ ବସିଚନ୍ତି !’’

 

ଦେବବ୍ରତ ପୁଣି କ’ଣ ଭାବି ପଚାରିଲା, ‘‘ଆଚ୍ଛା, ବୋହୂ ସାଆନ୍ତାଣୀ ଏ ଦି’ଦିନ କ’ଣ କରୁଥିଲେ ?’’

 

‘‘ବସି ବସି କାନ୍ଦୁଥିଲେ–ମୁଁ ନୁଚି ନୁଚି ଦେଖିଚି ! ଲେଖାପଢ଼ିବି କ’ଣ କରୁଥିଲେ–ଆଉ ବୁଢ଼ୀ ସାଆନ୍ତାଣୀ ନିଶାଦେଈ ହେରିକାଙ୍କ ସାଙ୍ଗେ ଚୁପ୍‌ ଚୁପ୍‌ କ’ଣ କଥା ହଉଥିଲେ ।’’

 

‘‘ହୁଁ ! ଆଚ୍ଛା ମୁଁ–’’

 

‘‘ଆଜ୍ଞା–ଆପଣ କ’ଣ କିଛି ଖାଇଚନ୍ତି–ନା, ଆମେ କେହି କିଛି ଖାଇ ନାହୁଁ ।–ମା’ ସାଆନ୍ତାଣୀ ଆମକୁ ସବୁ ପରଷୁ ଥିଲେ ଯିମିତି ସବୁ ଦିନେ–ହେଲେ କ’ଣ ହେବ, ବାବୁ–ମତେ ଖାଲି କାନ୍ଦ ମାଡ଼ୁଥାଏ !–’’ ଏତେଗୁଡ଼ାଏ କଥା ଧନିଆ କହିପାରିଲା କେବଳ ଦେବବ୍ରତ ହଠାତ୍‌ ଅନ୍ୟମନସ୍କ ହୋଇଯାଇଥିବାରୁ । ଏତିକି କହି ଧନିଆ ପିଲାଙ୍କ ପରି କାନ୍ଦିଉଠିଲା ଦେବବ୍ରତ ଚମକିପଡ଼ି ଚାହିଁ ଦେଖିଲା । ହଠାତ୍‌ ତାକୁ ଭାରୀ ଗୋଟାଏ ହସ ମାଡ଼ିଲା–ହୋ ହୋ କରି ହସିଉଠିଲା ସେ । ଧନିଆ ଏଥିରେ ଉତ୍ସାହିତ ହୋଇ ପୁଣି ଆରମ୍ଭ କଲା, ‘‘ନିଶାଦେଈ କହିଚନ୍ତି; ଆପଣ ଆସିଲେ ଆପଣଙ୍କ ସଙ୍ଗେ କଜିଆ କରିବେ–ମା’ଙ୍କୁ ନେଇ ତାଙ୍କ ଘରେ ରଖିବେ, ଏଠିକି ଜମାରୁ ଛାଡ଼ିବେନାହିଁ–ଆଜ୍ଞା ମା’ ସାଆନ୍ତାଣୀ କ’ଣ ନିଶାଦେଈଙ୍କ ଘରେ ରହିଲେ କି ?’’ ଦେବବ୍ରତ ହସି ଉଠୁ ଉଠୁ ରହିଗଲା । ଧନିଆ କଥା କହୁଁ କହୁଁ ଇତିମଧ୍ୟରେ ପଲଙ୍କ ମୁଣ୍ଡ ପାଖର ଛୋଟ ଟେବୁଲଟି ଉପରେ ଲେମ୍ପଟିକୁ ତେଜି ଦେଇ ସାରିଥିଲା । ଦେବବ୍ରତ ନଜର ହଠାତ୍‌ ପଡ଼ିଗଲା ସେହି ଟେବୁଲଟି ଉପରେ । ଚନ୍ଦନକାଠ ଫ୍ରେମରେ ବନ୍ଧା ବାସନ୍ତୀର ଗୋଟିଏ ଆପାଦମସ୍ତକ ପ୍ରତିକୃତି ଉପରେ । ଦୂରରୁ ଦେଖାଗଲା ଯେପରି ଦେବୀପ୍ରତିମାଟିଏ ମୁଖମଣ୍ଡଳରେ ନିବିଡ଼ ସ୍ୱର୍ଗୀୟ ଆଭା ଘେନି ହସ ହସ ଆଖି ଯୋଡ଼ିକ ଟେକି କେଉଁ ସୁଦୂର ସ୍ୱପ୍ନରାଜ୍ୟର ନିମନ୍ତ୍ରଣ ସହିତ ତାହାରି ଆଡ଼କୁ ଅଗ୍ରସର ହେଉଛି । ଏ କ’ଣ ବାସନ୍ତୀ, ସେହି ବାସନ୍ତୀ ଯାହାକୁ ବର୍ତ୍ତମାନ ବର୍ବର ସେ, ନୀଚ ସେ–କାପୁରୁଷ ସେ–ପଦପାର୍ଶ୍ୱସ୍ଥ ସାମାନ୍ୟ କୀଟ ପରି ତ୍ୟାଗ କରି ନିଶୀଥ ରାତ୍ରିରେ ଏକାକିନୀ ଅସହାୟ ଅବସ୍ଥାରେ ଦୂର କରିଦେଇ ଆସିଛି ! ମୁହୂର୍ତ୍ତକ ମଧ୍ୟରେ ନିଜର ଅବିହିତ କର୍ମର ଉଲ୍ଲଙ୍ଗ ମୂର୍ତ୍ତି ତା’ର ମନଶ୍ଚକ୍ଷୁରେ ପ୍ରକଟ ହୋଇଉଠିଲା । ଏହି ଦେବୀ କଳଙ୍କିନୀ–ଚରିତ୍ରହୀନା ! ହୁଁ–ସେଇଠି ତ ଅସଲ କଥା–ଦ୍ୱିଧାର ଭାବଟାକୁ ଟପି, କିନ୍ତୁ ଗୋଟିଏ ଅମିତ କୁଣ୍ଠା ମନରେ ଖେଳିଗଲା–ଏଣେ ସେ ଛବିଟାରୁ ଗୋଟାଏ ଆକର୍ଷଣୀ ଶକ୍ତି ନିର୍ଗତ ହୋଇ ତାକୁ ଅଲଂଘ୍ୟ ଇଙ୍ଗିତରେ ପ୍ରେରିତ କଲା ତାହାର ସନ୍ନିକଟକୁ ! ଦେବବ୍ରତ କିଛିକ୍ଷଣ ଏକ ଧ୍ୟାନରେ ଛବି ଆଡ଼କୁ ଚାହିଁ ହଠାତ୍‌ ଦୌଡ଼ି ଯାଇ ଛବିଟାକୁ ଉଠାଇ ନେଇ ଛାତିରେ ଭିଡ଼ିଧରି ପିଲାଙ୍କ ପରି ଭୋ ଭୋ କରି କାନ୍ଦିଉଠିଲା ।

 

‘‘ଦେବ, କ’ଣ ହେଇଚିରେ ବାପା ?’’ ବୋଲି କହି ଦେବବୋଉ ବ୍ୟସ୍ତ ହୋଇ ଘରଭିତରକୁ ଆସିଲେ । ଦେବ ଦ୍ୱିଗୁଣିତ ବେଗରେ କାନ୍ଦି ଉଠିଲା । ତୁନି କରିବାକୁ ଚେଷ୍ଟା କରୁଁ କରୁଁ ବୁଢ଼ୀ ଦେବର ମୁଣ୍ଡରେ ପିଠିରେ ହାତ ବୁଲାଇ ଦେଉଁ ଦେଉଁ ପଚାରିଲେ, ‘‘ବାପା, ବୋହୂ ମୋର କୁଆଡ଼େ ଗଲାରେ ?’’ ଦେବ କିଛିକ୍ଷଣ ଉଚ୍ଛ୍ୱସିତ ଭାବରେ କାନ୍ଦି କାନ୍ଦି ହଠାତ୍‌ ଉଠି ବସିଲା ପଲଙ୍କ ଉପରେ ଭରା ଦେଇ ବସି ଟହ ଟହ ଲାଲ ଆଖିଯୋଡ଼ିକ କାନିରେ ଭଲକରି ପୋଛିପାଛି ଦେଇ ନତମୁଖରେ କହିଲା, ‘‘ବୋଉ, ତା’ କଥା ଆଉ ତୁ କହିବୁନାହିଁ, ସେ ନାହିଁ–ସେ ତା’ର ଯେଉଁଠୁ ଆସିଥିଲା, ସେଠିକି ଗଲାଣି–’’

 

‘‘ଏ, ତୁ କ’ଣ କହୁଚୁରେ ! ଖୋଲି କରି କହ ମତେ ସବୁ–ଇୟେ କି ଅମଙ୍ଗଳ କଥାରେ–ରାମ, ରାମ ଷଠୀଜୁଇଛି ଘଣ୍ଟ ଘୋଡ଼େଇ ରଖିଥାନ୍ତୁ–ଛୁଆର ମୋର ପେଟରେ ପୁଅ କି ଝିଅ !’’ ଦେବବ୍ରତ ବୋଉ ମୁହଁକୁ ବଲବଲ କରି ଚାହିଁ ରହିଲା ଏ ଖବର ତ ତାକୁ ଜଣା ନଥିଲା । ନିଜ ପ୍ରତି ଗୋଟାଏ ଅମିତ ଘୃଣା ସଙ୍ଗେ ସଙ୍ଗେ ପ୍ରାଣମୂଳରୁ ଗୋଟାଏ ବଡ଼ କୋହ ଉଠି ଶୂନ୍ୟରେ ମିଳାଇଗଲା–ସେ ଏକାବେଳକେ ପଥର ପାଲଟିଗଲା । ଦବବୋଉ ତା’ର ଆହୁରି କତିକୁ ଘୁଞ୍ଚି ଆସି କହିଲେ, ‘‘କିରେ କହୁ ନାହୁଁ କାହିଁକି ମ–କ’ଣ, ହେଇଚି କ’ଣ ?’’ ବୁଢ଼ୀଙ୍କ କଣ୍ଠସ୍ୱରରେ ଟିକିଏ ବିରକ୍ତିର ଆଭାସ ପାଇ ଦେବବ୍ରତ ମୁହଁ ଟେକି ଚାହିଁଲା । ଆଶଙ୍କା ଭୟ–ଉଦ୍‌ବେଳିତ ମୁହଁରେ ତାଙ୍କର ସନ୍ଦେହର ଛାୟା ପଡ଼ିଛି–ଆଖିରେ ଗୋଟାଏ ସଜୀବ ଜ୍ୟୋତି–ଗୋଟାଏ ଉଗ୍ର ତେଜ–ଯାହା ସେ ବାପା ମଲା ଦିନରୁ କେବେ ବୋଉ ଆଖିରେ ଦେଖିନାହିଁ । ଭୟରେ ଦେବବ୍ରତର କଣ୍ଠରୋଧ ହୋଇଗଲା–ତଳକୁ ମୁହଁକରି ଅତି କଷ୍ଟରେ ଏତିକି କହିଲା, ‘‘ମୁଁ ତାକୁ ବାହାର କରିଦେଇଛି–ଦୂର କରି ଦେଇଛି ।’’

 

କଥାଟା ଶୁଣି ଦେବବୋଉଙ୍କର ମୁଣ୍ଡରୁ ଗୋଡ଼ଯାଏ ବିଜୁଳି ଖେଳିଗଲା, ‘‘କ’ଣ ହେଲା ! ବାହାର କରି ଦେଇଚୁ ବୋହୂକୁ–କି ତା’ର କସୁର ? ତୁ ନନ (ଘନ) ସାଆନ୍ତାରାଙ୍କ ନାତି ହେଇକରି–?’’

 

‘‘ବୋଉ–ମତେ ଆଉ ତୁ କିଛି କହନା–ସେ ଦୁଶ୍ଚ–ଅସତୀ !’’

 

‘‘ଏଁ, ଅସତୀ ? ମୋ ବୋହୂ ଅସତୀ ? ଆରେ ! ତୁ କାହାକୁ ଏକଥା କହୁଚୁ ? ଆଚ୍ଛା, ତୋ କଥା ତୁ ଜାଣୁ–ମୁଁ ଯାଉଛି ଏ ଘରୁ ଉଛୁଣି ବାହାରି–’’

 

‘‘ବୋଉ !’’

 

‘‘ବୋଉ ! ନିଆଁ ନା ଚୁଲି ! ବୋଉ–ତୁ ଫେର ମତେ ଡାକୁଚୁ ବୋଉ ବୋଲି ! ଆରେ–ତୁ ମୋରି ପେଟରୁ ପଡ଼ିଥିଲୁ ନାରେ !’’

 

‘‘ବୋଉ ! ମୋର ଦୋଷ କ’ଣ–’’

 

‘‘ମୁଁ କିଛି ଜାଣେନାହିଁ–କାହାର ଦୋଷ ଅଦୋଷ ତୁ ଜାଣୁ–ବୋହୂ ମୋର କୁଆଡ଼େ ଗଲା, ମତେ ଟିକିଏ କହିବୁଟି, ମୁଁ ଯାଏଁ–ଆହା, ପେଟରେ ଦି’ମାସର ଛୁଆ–ରାତି ଅଧରେ ସିଏ କ’ଣ କରୁଥିବ–ଆରେ ଚଣ୍ଡାଳ–ଲାଜ ସରମବି ତତେ ଛାଡ଼ିଗଲାରେ–ହା ମୋ କପାଳ–ଏ ରାଇଜରେ ମତେ ଆଉ ବାସ କରେଇ ଦେଲୁନାହିଁ ତୁ !’’

 

ଦେବବ୍ରତ ସେହିପରି କାଠ ହୋଇ ବସି ସବୁ ଶୁଣିଗଲା । ବୋଉଠାରୁ ଏ ଅପ୍ରତ୍ୟାଶିତ ପ୍ରତିବାଦ ଶୁଣି ତା’ର ସବୁ କୋମଳ ପ୍ରକୃତି ଏକାବେଳକେ ଝାଉଁଳିଗଲା–ଯାହା ଟିକିଏ ବିଚଳିତ ଅନୁତପ୍ତ ହୋଇ ଆସିଥିଲା ତା’ ହୃଦୟଟା, ତାହାବି କ୍ଷଣକେ ବଦଳି ପୁଣି ଟାଙ୍ଗର ହୋଇ ଉଠିଲା । ସେ ଆନୁପୂର୍ବିକ ସବୁ ଘଟନା ଆବୃତ୍ତି କରି ବୋଉଙ୍କୁ ବୁଝାଇ କହିଲା । ଦେବବୋଉ ସବୁ ପୁଣି ହଠାତ୍‌ ଉଠି ଠିଆହେଲେ–ଧୀରେ ଧୀରେ ସେଠାରୁ ବାହାରିଗଲେ ଦ୍ୱାର ପାଖକୁ । ସେଠାରୁ ଗମ୍ଭୀର ଭାବରେ ଧନିଆକୁ କହିଲେ, ‘‘ଅଭି ବେବର୍ତ୍ତାକୁ ଡାକି ଆଣ–ସୁଆରୀ, ଦି’ ଖୁଣ୍ଟ ଗଉଡ଼ ନେଇକରି ଘଣ୍ଟାକ ଭିତରେ ହାଜର କରିବାକୁ ହେବ–ଯା–ଜଲଦି !’’

 

ଘର ଭିତରୁ ଦେବବ୍ରତ ଏ ହୁକୁମ ଶୁଣିଲା । ବୋଉଙ୍କ ଉଦ୍ଦେଶ୍ୟ ମଧ୍ୟ ବୁଝିଲା; କିନ୍ତୁ ପାଟି ଫିଟାଇଲାନାହିଁ । ସେ ଜାଣେ ତା’ ବୋଉର ପ୍ରକୃତି । ଗୋଟାଏ ଦୂରନ୍ତ ଅଭିମାନରେ ସିନା ବୋଉ ତା’ର ତା’ରି ବାହାଘର ଦିନୁ ଏତେଦିନଯାଏ କୌଣସି କଥାରେ ପାଟି ଫିଟାଉ ନଥିଲେ, ନ ହେଲେ ସେ ଯେ ଏଡ଼େ ବଡ଼ ଜମିଦାରୀଟା ଏତେଦିନ କେଡ଼େ ସହଜରେ ଚଳାଇ ଆସିଥିଲେ, ସେ କଥା କ’ଣ ଦେବବ୍ରତକୁ ଜଣାନାହିଁ ? ଗୁମାସ୍ତା ଚାକର, ବେଠିଆ ପ୍ରଜା କିପରି ତାଙ୍କୁ ମାନନ୍ତି, ଡରନ୍ତି, ସେ କଥାବି ଦେବବ୍ରତକୁ ଅଜଣାନାହିଁ–ଆଜି ବୋଉଙ୍କୁ ଦେଖି ଦେବବ୍ରତର ମନେପଡ଼ିଗଲା ବାପା ଥିଲାବେଳର କଥାସବୁ–ଯେତେବେଳେ ବୋଉ ତାଙ୍କର ପୂର୍ଣ୍ଣ ଜ୍ୟୋତିରେ ବିକାଶୁଥିଲେ । ଆଜି ବୋଉଙ୍କର ସେହି ଭାବ ଫେରିଆସିବାର ଦେଖି ଦେବବ୍ରତ ମନରେ ଯେତିକି ଭୟ ଜାତ ହେଲା, ସେତିକି ଆନନ୍ଦବି ହେଲା; କାରଣ ବାପାଙ୍କ ଅନ୍ତେ ବୋଉଙ୍କ ଆହତ ଅଭିମାନର ବୈରାଗ୍ୟ ଦେବବ୍ରତକୁ କେଭେଁ ହେଲେ ଭଲଲାଗିନାହିଁ । ଆଜି ଦୀର୍ଘନିଶ୍ୱାସଟିଏ ପକାଇ ଦେବବ୍ରତ ଭାବିଲା, ‘‘ହାୟ, ବୋଉ ଯଦି ସେହିପରି ସବୁଦିନେ ଥାନ୍ତା, ସବୁଦିନେ ମତେ ଚଳାଇ ଆସିଥାନ୍ତା–’’

 

ବୋଉ ଯେ ସତକୁ ସତ ଘର ଛାଡ଼ି ଚାଲିଯିବେ, ଦେବବ୍ରତ ଏହା ଭାବି ନଥିଲା; କିନ୍ତୁ ଭୋରବେଳକୁ ଯେତେବେଳେ ଧନିଆ ଆସି ଜଣାଇଲା ଯେ, ସୁଆରୀ ଗଉଡ଼ ସଜିଲ ହୋଇ ସାରିଲାଣି–ମା’ ସାଆନ୍ତାଣୀ ଗାଧୋଇ କରି ବାହାରିଯିବେ, ସେତେବେଳେ ତା’ର ମୁଣ୍ଡରେ ବଜ୍ରପାତ ହେଲା । ପରକ୍ଷଣରେ ଗୋଟାଏ କଠିନ ନିର୍ମମ ଭାବ ଆସି ତାକୁ ଆହୁରି ଉଦାସୀନ କରି ପକାଇଲା–ମନ କୋଣରେ ତା’ର ଟିକିଏ ଆନନ୍ଦବି ଉଦୟ ହେଲା ‘‘ଯାଉ ସବୁ–ସବୁ ଯାଉ । ବାସନ୍ତୀକୁ ହାତରେ ତଡ଼ିଛି–ବୋଉ ଏବେ ଯିବ–ଯାଉ, ବହୁତ ଆଚ୍ଛା ।’’ ମନଟା ତା’ର ସର୍ବନାଶର ଆନନ୍ଦରେ ମାତିଉଠିଲା ।

 

ସେ ଭାବିବାକୁ ଲାଗିଲା–ବହୁତ ଆଚ୍ଛା । ମୁଁ ବି ଦେଖିନେବି ସମସ୍ତଙ୍କୁ । ବାସନ୍ତୀକୁ ଭଲପାଇଥିଲି, ବାସନ୍ତୀ ମୋତେ ଠକିଦେଲା । ମୋ ଜୀବନଟାକୁ ଛାରଖାର କରିଦେଇ ଗଲା, ମୋର ସବୁ ସୁଖ ସରାଗ ପୋଡ଼ିଜାଳି–ମୋର ସ୍ୱର୍ଗ ସମ୍ପତ୍ତି ପୂଜାଫୁଲ ନିର୍ମମ ଭାବରେ ପଦଦଳିତ କରି ଚାଲିଗଲା । ଏ ପାପର କ’ଣ ପ୍ରାୟଶ୍ଚିତନାହିଁ–ଜଗତରେ ଯଦି ନ୍ୟାୟର କୌଣସି ମୂଲ୍ୟ ଥାଏ–ସତ୍ୟର ଯଦି କୌଣସି ପ୍ରଭାବ ଥାଏ; ତେବେ ନିଶ୍ଚୟ ୟାର ପ୍ରତିଫଳ ସେ ପାଇବ । ଏତେ କରିଥିଲି–ନିଶ୍ଚୟ, ମୁଁ ତା’ର କ’ଣ ନ କରିଛି ? ସେ ପୁଣି ୟା କଲା’–ହଁ, ମୋ ଜୀବନଟା କ’ଣ ଏଇଥିପାଇଁ ଗଢ଼ା ହୋଇଥିଲା–ସମସ୍ତେ ମନ ଇଚ୍ଛା ମୋ ଉପରେ ଅସାର ଛଳନାର ଖେଳଗୁଡ଼ିଏ ଖେଳିଯିବେ ବୋଲି । ମୁଁ କାହାର କ’ଣ କରିଛି ? ସମସ୍ତେ ମତେ କାହିଁକି ଠକିବେ–ସମସ୍ତେ କାହିଁକି ମୋର ହୃଦୟଟି ନେଇ ଏ ନିର୍ମମ ଖେଳ ଖେଳିବେ ? ନା–ଜଗତରେ କେହି କାହାରି ନୁହେଁ । ଏଇ ବୋଉ, ତା’ର ଯଦି ମୋ ଉପରେ ତିଳେ ସ୍ନେହ ଥାନ୍ତା, ସେ କ’ଣ ବାସନ୍ତୀର ଜୀବନକୁ–ମୋ ବିବାହିତ ଜୀବନକୁ ଏପରି ବିଷମୟ କରିଥାନ୍ତା ଜାଣିଶୁଣି ! ଗୋଟାଏ ହିସାବରେ ବାସନ୍ତୀର ଏ ବିଶ୍ୱାସଘାତକତାର କାରଣ ବୋଉ ନୁହେଁ କି ? ନିଶ୍ଚୟ–ବୋଉ ଯଦି ଟିକିଏ–। ଆଜି ବାସନ୍ତୀକୁ ମୁଁ ବିଦା କରି ଦେଇଛି ବୋଲି, ବୋଉ ଓଲଟା ଗାଇବସିଲାଣି । ମୁଁ ଯାହା କଲି ସେଇଟାଇ ଜାଣି ଖରାପ !

 

ନା, ମୁଁ କାହାରି ମୁହଁକୁ ଚାହିଁବିନାହିଁ–କାହାରି କଥା ଶୁଣିବିନାହିଁ । ଦେଖେ, ଦୁନିଆ ଆଉ କିପରି ଜାଲ ମେଲିବ ଏଥର ! ମୋର, ଆଉ କିଛି ମୋର ହୋଇ ରହିଲାନାହିଁ–ନୋହିଲାନାହିଁ, ଯାଉ ସବୁ ! ନିନ୍ଦା, ଅପମାନ, କଳଙ୍କ ସବୁ ମଥା ପତେଇ ନେବି ! ଏତକ ନୈତିକ ସାହସ ମୋର ଅଛି ନିଶ୍ଚୟ ! ମୁଁ ଡରିବି କାହିଁକି ? ଦୁଃଖ ବା ମୋର କ’ଣ ? ଏତିକି, ମନରେ ଟିକିଏ ଦୁଃଖ ହେଉଛି–ଏଇଟା ମୁଁ ମାନୁଛି । ମାନିବିନାହିଁ–ମୁଁ କ’ଣ ଏଡ଼େ ମିଥ୍ୟାବାଦୀ–ନିଜକୁ ନିଜେ କ’ଣ ଏତେ କମ ଚିହ୍ନିଚି ମୁଁ ! ନାହିଁ–ତେବେ ମୁଁ ଆଉ ଏ ଦୁର୍ବଳତାକୁ ମନରେ ସ୍ଥାନ ଦେବିନାହିଁ–ଅହରହ ସତର୍କ ରହିବି, ଯେପରି ସେ ମାୟାବିନୀର ସ୍ମୃତି ଏ ହୃଦୟରେ ଆଉ ଝଡ଼ ନ ବହାଏ, ସେ କଳଙ୍କିନୀ ପାଇଁ ଯେପରି ଛାତି ଫଟାଇ ଏପରି ଖରଶ୍ୱାସ ଆଉ ନ ବାହାରେ ।

 

ହାୟ, ବାସନ୍ତୀ ! ପ୍ରାଣର ବାସନ୍ତୀ ମୋର ! ଇୟେ କ’ଣ କଲ ? ତୁମକୁ ସେ ଅବିଶ୍ୱାସିନୀ ଭାବିବାକୁ ଆଜି ସୁଦ୍ଧା ଏ ପ୍ରାଣରେ ଶେଳ ବାଜୁଛି । କହ, କହ ଥରେ, ତୁମେ ସେ ଅବିଶ୍ୱାସିନୀ ନୁହ–କହ ଥରେ, ତୁମେ ମୋର–କହ, କହ ତୁମେ ମୋର । ତୁମ ସ୍ୱାଧୀନତାର ହାନି ହେବନାହିଁ, ତୁମ ନାରୀତ୍ୱର ଅମର୍ଯ୍ୟାଦା ହେବନାହିଁ ।

 

କଳଙ୍କିନୀ ହସୁଛି ! ସ୍ୱାଧୀନତା ତା’ର ପ୍ରିୟ ! ସ୍ୱାଧୀନତା–ପ୍ରେମରେ ସ୍ୱାଧୀନତା ଛଡ଼ା ଆଉ କ’ଣ ଅଛି ? ପ୍ରେମ କି କେଭେଁ ସ୍ୱାଧୀନତାର ପ୍ରତିବନ୍ଧକ ହୋଇପାରେ ? ଅସମ୍ଭବ ! ପ୍ରେମର ଅଧୀନ ହୋଇ ମୁଁ ନୀଚରୁ ନୀଚତର, କ୍ଷୁଦ୍ରରୁ କ୍ଷୁଦ୍ରତର, ହୀନରୁ ହୀନତର କାର୍ଯ୍ୟ କରି ସୁଦ୍ଧା ପରାଧୀନ ନୁହେଁ–ସ୍ୱାଧୀନ, ଛୋଟ ନୁହେଁ–ବଡ଼ ! ବାସନ୍ତୀର ହୃଦୟ ଯଦି ପ୍ରେମର ମୁକ୍ତି ପାଇଥାନ୍ତା, ତେବେ ସେ ଅସାର ବାହ୍ୟ ସ୍ୱାଧୀନତା ପାଇଁ ବ୍ୟାକୁଳ ହୋଇ ନଥାନ୍ତା । ସଂସାରରେ ତାବତୀୟ ବନ୍ଧନର ପରାଧୀନତା ସେହି ଚରମ ସ୍ୱାଧୀନତାଠାରେ ନତଶିର ହୋଇ ହୃଦୟ ରାଜ୍ୟରେ ଜୟଧ୍ୱଜା ଉଡ଼ାଇଥାନ୍ତା । ନା, ସେ ଶୃଙ୍ଖଳହୀନତାର ପକ୍ଷପାତିନୀ, ଚରମପନ୍ଥୀ–ଉଚ୍ଛୃଙ୍ଖଳତାର ନାମାନ୍ତର ସ୍ୱାଧୀନତାର ପ୍ରୟାସୀ ! କି ଶିକ୍ଷା ପାଇଛି ସେ–କେବଳ କେତେଟା ମାର୍ଜିତ ରୀତି ନୀତି ତ ତା’ର ଶିକ୍ଷାର ଶେଷ ହୃଦୟର ଶିକ୍ଷା ତ ତା’ର ହୋଇନାହିଁ । ସେ କାହୁଁ ସେ ପ୍ରେମର ମାହାତ୍ମ୍ୟ ବୁଝିବ–ଶୃଙ୍ଖଳାରେ ଯାହାର ମୁକ୍ତି ଦାସତ୍ୱରେ ଯାହାର ଶକ୍ତି, ଆତ୍ମବଳିଟି ଯାହାର ଧର୍ମ । ମୁଁ ତ ଅନ୍ଧ । ନ ହେଲେ ତାଠାରେ ଏତେ ଆଶା ମୁଁ କରି ନଥାନ୍ତି, ତା’ ପ୍ରେମ ଉପରେ ଏଡ଼େ ଅଟ୍ଟାଳିକା ତୋଳି ମୁଁ ଆଜି ଏ ହୀନସ୍ତା ହେଉ ନଥାନ୍ତି । କିନ୍ତୁ–କିନ୍ତୁ–ବାସନ୍ତୀ ଅବିଶ୍ୱାସିନୀ–ଅଦ୍ୟୋପାନ୍ତ ସେ ମାୟାବିନୀ ମୋତେ ପ୍ରତାରଣା କରିଆସିଛି ତା’ର ଅନ୍ୟ ପ୍ରଣୟୀ ଥାଉଁ ଥାଉଁ, ମୁଁ ୟା କୁଆଡ଼ୁ ଜାଣନ୍ତି ? ମୁଁ ତାକୁ ତଡ଼ି ଦେଇଛି, ଭଲ କରିଛି । ତା’ର ସୁଖପଥର କଣ୍ଟକ ହୋଇ ନିଜର ଦୁଃଖ ଡାକି ଆଣି ମୋର ଲାଭ କ’ଣ ହୁଅନ୍ତା ? ଯାଉ, ସେ ଯାଉ–ସବୁ ଯାଉ ! ଆଉ ଏଗୁଡ଼ାକ ଭାବିବିନାହିଁ–ନା, ଦୁର୍ବଳତାର ଏହି ଶେଷ !

 

+ + +

 

ସନିଆମା ବଡ଼ ଅନ୍ଧାରକୁ ଦାନ୍ତ ଘଷିବା ବାହାନାରେ ତୁଠକୁ ଯାଇ କଥା କଥାକେ କାଲିର ଘଟନାଟାକୁ ବନେଇଚୂନେଇ ଗାଁଯାକ ରାଷ୍ଟ୍ର କରିଦେଲା । ଅବଶ୍ୟ ଯାହାକୁ ଯାହାକୁ ସେ କଥାଟା ବିଶ୍ୱାସରେ କହିଲା, ଅର୍ଥାତ୍‌ ଯାହାକୁ ଦେଖିଲା ତାକୁ–ଆଉ କାହାରିକୁ ନ କହିବାକୁ ତାକୁ ଆଖିରାଣ ଦେଇ ଆସିଲା; କିନ୍ତୁ ଦିନ ଘଡ଼ିଏ ନ ହେଉଣୁ ଗାଁ ମୁଣ୍ଡ ଗୋଟାଏ ଜନରବ ବ୍ୟାପ୍ତ ହୋଇଗଲା ଯେ, ସାନ୍ତାରା ଘର ବୋହୂ–ସେଇ ପାଠୋଇ ବୋହୂ, ଯେ ଇସ୍କୁଲ କରିଥିଲା ଗୋ–କାଲି ରାତିରେ କୁଆଡ଼େ କାହା ସାଙ୍ଗରେ ପଳେଇଚି । କ’ଣ ନେଇଚି କ’ଣ କରିଚି କିଏ ଜାଣେ ? ୟା ଭିତରେ ନିଶ୍ଚେ ଆଉ କିଛି କଥା ଅଛି । ଯେଉଁମାନେ ବିଶ୍ୱସ୍ତସୂତ୍ରରେ ବାସନ୍ତୀର ସନ୍ତାନସମ୍ଭାବନା ବିଷୟ ଅବଗତ ହୋଇଥିଲେ, ସେମାନେ ଆଖି ଠରାଠରି ହୋଇ ପ୍ରଚାର କଲେ ଯେ, ଏହା ଯେ ହେବ, ତାହା ସେମାନେ ଆଗରୁ–କେତେ ଆଗରୁ ଭାବିଥିଲେ । କିଏ କହୁଛି କଟକ ଗଲା, କିଏ କହୁଛି କଲିକତା ଗଲା–କିଏ କହୁଛି ବାପଘର ଗଲା । ବାପ ଘର ନା ଛତୁ–କିଏ ପରା ବାବୁଟିଏ ଆସିଥିଲା । ତା’ରି ସାଙ୍ଗରେ ପରା ଗଲା–କେତେଜଣଙ୍କର ଏଇଟା ତୁଚ୍ଛା ଆଖିରେ ଦେଖିବା କଥା, ଶୁଣାଶୁଣି ନୁହେଁ ।

 

ୟାଡ଼େ ସନିଆମା ନସରପସର ହୋଇ ଆସି ଦେବବୋଉଙ୍କ ଖଞ୍ଜାରେ ପଶୁ ନ ପଶୁଣୁଁ ବିଶ୍ରମ୍ଭାଳାପ ଆରମ୍ଭ କରିଦେଲା, ‘‘ମା’ ସାଆନ୍ତାଣି ଗୋ ! କିସ କହିବି–ପୋଖରୀକି ଯାଇଥିଲି, ତୁଠରେ ଯାହା ଶୁଣିଲି–ୟା ପୁଣି ଥିଲା କରମରେ ! ୟା ପୁଣି ଏ ଆଖି ଦେଖିଲା, କାନ ଶୁଣିଲା ! ଏକା ସଭିଏଁ ତମ ଦୁଃଖରେ ହାଇ ହାଇ କରୁଛନ୍ତି । ମୁଁ ବି ଖୁବ୍‌ ପଦେ ଶୁଣେଇ ଦେଲି ସମସ୍ତଙ୍କି–କି, କହିବିନାହିଁ ଡରିବି କି ! ଆମ ବୋହୂ କ’ଣ ଚୋରି କରିଚି ନା ନାରୀ କରିଚି–ଛିକର, ପଚା ବାଇଗଣ କାଞ୍ଜି କର ! କାହା କଥା ମୁଁ ନ ଜାଣେ କାହା ଘରେ ବୋହୂଟା କେଡ଼େ ସତୀ ମୁଁ ଜାଣିନାହିଁ ପରା ! ମଲାରେ, କୁକୁର, ଶୋଇଲା ମେଲାରେ ! କିଛି ହଉ–ଇୟେ ଫେର କହିବେ ଆମକୁ !’’ ଦେବବୋଉ ଝଟ୍‌ କରି ପୂଜାବିଧି ବଢ଼ାଇ ଦେଇ ମୁଣ୍ଡିଆ ମାରୁଥିଲେ–ବାହାରି ଯିବାକୁ ହେବ, ସନିଆମା ପାଟି ଶୁଣିଲାବେଳୁ ତା’ରି କଥାରେ ମନଦେଇ ସେହିପରି ସାଷ୍ଟାଙ୍ଗ ହୋଇ ରହିଥିଲେ । ସନିଆମାର ସହାନୁଭୂତି ଓ ତୋଷାମଦପୂର୍ଣ୍ଣ କଥାଗୁଡ଼ାକ ଶୁଣୁ ଶୁଣୁ ରାଗରେ ତାଙ୍କ ହାଡ଼ ଜଳିଗଲା । ବାସନ୍ତୀ ଯେଉଁଦିନ ନ କହି ନ କହି ପଦେ କଥା ନ୍ୟାୟରେ ତାଙ୍କୁ ଶୁଣାଇ ଦେଇଥିଲା, ସେହିଦିନୁଁ ସନିଆମା ଓ ଅନ୍ୟାନ୍ୟ ସାଇ ମାଇକିନିଆଙ୍କ କଥା ତାଙ୍କୁ ବିଷ ପରି ଲାଗୁଛି-। ଆଜି ପୁଣି ବଂଶ ମର୍ଯ୍ୟାଦାରେ ତାଙ୍କର ଆଘାତ ଲାଗିଛି ବୋଲି ସେ ନିଷ୍ଫଳ ରୋଷରେ ଅଗ୍ନିଶର୍ମା ହୋଇ ରହିଛନ୍ତି । ସନିଆମାର ଛଳ ସହାନୁଭୂତି ତାଙ୍କର ଏକାବେଳକେ ଅସହ୍ୟ ହେଲା–ସେ ଧଡ଼ କରି ଉଠିଆସି ନିକଟରେ ପଡ଼ିଥିବା ଖଣ୍ଡେ ଛାଞ୍ଚୁଣୀ ଉଠାଇ ନେଇ କ୍ରସ୍ତ ଚକିତ ସନିଆମାକୁ ଖଣ୍ଡେ ଦୂର ଗୋଡ଼ାଇ ଗଲେ, ଗୋଟାଏ ପାହାର ତା’ ପିଠିରେ ଥୋଇ ଦେଲା ପରେ ଯାଇଁ ମୁହଁରୁ କଥା ବାହାରିଲା ।

 

‘‘ତୋର ଏଡ଼େ ଛାତି, ଏଡ଼େ ଦିମାକ–ତୁ ମୁହଁ ହଲେଇ ମୋ ଆଗରେ କଥା କହୁଚୁ, ଆଲୋ ? ସାଆନ୍ତଘର କେହି ମାଲିକନାହିଁ, ନା କିସ ଲୋ–ତୁ ଗୋଇନ୍ଦା ହେଇଚୁ ଏଠି, ନୁହେଁ ! ଆ, ଆ–ତୋ ବିଷ ଝାଡ଼ି ଦେଉଚି, ଆ–ବେଶି ଗରବ ହେଇଚି ତୋର, ନୁହେଁ ! ମୋର ତା’ର ପରା ବୋହୂଟାକୁ ସତ୍ୟାନାଶ କରିଦେଇ ଫେରେ ବସିଚୁ ମୋ ମୁହଁରେ କାଳିଦେବୁ–ଆଲୋ ନିମକ ହାରାମିୟାଣି, ବାହାର ମୋ ଘରୁ ଅଭିକା–ବାହାର ।’’

 

ସନିଆମା ଭୟରେ କାଠ ହୋଇ ଯାଇଥିଲା–ସାଆନ୍ତାଣି ପୁଣି ମାରିବାକୁ ଆସିବାରୁ ଏକା ଦଉଡ଼ରେ ସେଠାରୁ ପଳାଇଗଲା ।

 

ଏତିକିବେଳେ ସନିଆ ଆସି କହିଲା, ‘‘ସାଆନ୍ତାଣୀ, ଗଉଡ଼ଙ୍କୁ ସବୁ ଜଳଖିଆ ଦିଆସରିଲାଣି, ନୁଗାପଟା କ’ଣ ଯିବ ସାଙ୍ଗରେ ।’’ ଦେବବୋଉ ଦାଉ କରି ଜଳିଉଠି ସେଇ ପହରାଟି ଧରି ସନିଆକୁବି ଗୋଡ଼େଇ ଗଲେ–କହିଲେ, ‘‘କିଏ କୁଆଡ଼େ ଯିବରେ ଅଳପେଇସା ? କୁଢ଼ିଏ ମୁଁ ଗଲେ ଏଠି ଷଣ୍ଢ ହେବେ ଯିବାଯାଏ ତର ସହୁନାହିଁ ପୋଲାଖିଆଙ୍କର । ଭାବିଚି ମୁଁ ସେମିତି ଚାଲିଯିବି, ନୁହେଁ–ଆଗେ ତମ ସମସ୍ତିଙ୍କି କରାଣ୍ଡୀ ଚିପିଲା ପରି ଚିପି ତମ ମଣ୍ଡରୁ ବସ କାଢ଼ିବି, ତେବେ ଯାଇ ଯିବି । ସାନ୍ତରାଘର ପୋଲାଭାତ ତମକୁ ଉତ୍‌ପାତ କରୁଚି ! ହଉ, ହଉ, ରହିଥା ବାବୁ । ଉପରେ କାରଦାନୀ ତମର କେତେ ମୁଁ ଦେଖୁଚି ରହିଥା ।’’ ସନିଆ କାକୁସ୍ଥ ହୋଇ ଧୀରେ ଧୀରେ ପଛଘୁଞ୍ଚା ଦେଇ ଚାଲିଯାଉଥିଲା । ଦେବବୋଉ ପୁଣି ହୁଙ୍କାର ଦେଇ ଡାକିଲେ, ‘‘ଏଇ ସନିଆ, ଯା ବେବର୍ତ୍ତାକୁ କହିଆ–ଉଛୁଣି ଗଉଡ଼ ସବାରୀ ଦରକାରନାହିଁ, ମୁଁ ଯିବିନାହିଁ–ଦେବବାବୁ ଯିବ ରେଳକୁ, ଫେର କେତେବେଳେ ଦରକାର ହବ । ହୁକୁମ ଯିବ, ଯାଉଚିନା, ଆଁ କରି ଅନେଇଚି’’ ସନିଆ ଥରି ଥରି ପଳାଇ ବଞ୍ଚିଲା ।

 

ବେବର୍ତ୍ତା ଏ ହୁକୁମର ମର୍ମ ବୁଝି ନ ପାରି ସତ ମିଛ ବୁଝିବାକୁ ଆସି ବାହାର ଖଞ୍ଜାରୁ ଡାକି ପଚାରିଲେ, ‘‘ମା’ ସାଆନ୍ତାଣି, ବେହେରାମାନେ ଚାଲି ଯିବେ ?’’ ଦେବବୋଉ ରାଗରେ ଗର ଗର ହୋଇ ଦାଣ୍ଡଦୁଆର ପର୍ଯ୍ୟନ୍ତ ଧାଇଁଆସି କହିଲେ, ‘‘ଯିବେନାହିଁ କିସ, ମୋ ସାତପୁରୁଷଙ୍କ ଉଦ୍ଧାର କରିବେ ଏଠି ! ଥରେ କହିଲେ ତମକୁ ସବୁ କଥା ପସନ୍ଦ ପଡ଼େନାହିଁ, ନୁହେଁ–ରହିଥା ସବୁ, ଗୋଡ଼ ଉପରେ ଗୋଡ଼ ପକେଇ ଅଇସ କରିବା ତମର ଛଡ଼େଇ ଦଉଚି ଏଥର, ରହିଥା ସମସ୍ତଙ୍କର ଦିମାକ ବଢ଼ିଯାଇଚି, ନୁହେଁ–’’ ବୃଦ୍ଧ ବେବର୍ତ୍ତା କିଛି ବୁଝି ନ ପାରି ନିର୍ବାକ ହୋଇଗଲା ।

 

ଏତିକିବେଳେ ଦେବବ୍ରତ ଉପରୁ ଗୋଳମାଳ ଶୁଣି ବୋଉ ଚାଲିଯାଉଛନ୍ତି ବୋଲି ଭାବି କାଳେ ତାକୁ ଆଉ ନ ଖୋଜିବେ, ଏହି ଭୟରେ ତରବର ହୋଇ ଆସୁଥିଲା ତାଙ୍କୁ ଅଟକାଇବାକୁ । ବୋଉଙ୍କ ଭାବ ଦେଖି ବିସ୍ମିତ ହୋଇ କହିଲା, ‘‘ବୋଉ–କ’ଣ, କଥା କ’ଣ ! ତୁ କ’ଣ ସତେ ଯିବାକୁ ବସିଲୁଣି କି ?’’

 

‘‘କଥା ମୋ ମୁଣ୍ଡ ! ମୁଁ ଗଲେ ସମସ୍ତଙ୍କର ଭଲ–ବାବୁଙ୍କର ଯେଉଁ କଥା–ଚାକରବାକରଙ୍କର ତା’ ଛଡ଼ା ଆଉ କ’ଣ ହେବ ? ମୁଁ ତ ୟା ଜାଣି ନଥିଲି ଲୋ ମା’–’’

 

‘‘ବୋଉ !’’

 

‘‘ମତେ ଆଉ ତୁ ପାଟିଫିଟାନା କହି ଦଉଚି !’’ ଏତକ କହି ଦେବବୋଉ ଦମ ଦମ ହୋଇ ନିଜ ଘରେ ପଶି କବାଟ ଲଗାଇଦେଲେ ।

 

ଦେବବ୍ରତ ଦଣ୍ଡେ ଚୁପ୍‌ ହୋଇ ସେଠାରେ ଛିଡ଼ାହୋଇ ରହିଲା । ବୋଉକୁ ଅଟକାଇବାର କଥା ଏ ବ୍ୟବହାରରେ କୁଆଡ଼େ ଛିନ୍ନଛିନ୍ନ ହୋଇଗଲା ତା’ର । ସେ ବି ଅଭିମାନପୂର୍ଣ୍ଣ ହୃଦୟରେ ଗୋଟାଏ ଦୀର୍ଘନିଶ୍ୱାସ ପକାଇ ସେଠାରୁ ଧୀରେ ଧୀରେ ଚାଲିଗଲା, କିନ୍ତୁ ତାକୁ ବେଶିଦୂର ଯିବାକୁ ହେଲାନାହିଁ । ଦୁଇଚାରିଟା ସିଡ଼ି ପାର ହୋଇଛି କି ନାହିଁ, ଦେବବୋଉ ପୁଣି ଦମ ଦମ ହୋଇ ଆସି ତଳୁ ଗୁରୁଗମ୍ଭୀର ସ୍ୱରରେ ଡାକିଲେ, ‘‘ଦେବ–ଶୁଣ ।’’ ଦେବବ୍ରତ ଫେରିଲା । ଦେବବୋଉ ତାକୁ ନିକଟକୁ ଆସିବାକୁ ନ ଦେଇ ସେହିଠାରୁ କହିଲେ, ‘‘ଦେଖ, ଦେବ, ମୁଁ ଭାବିଥିଲି ଚାଲିଯିବି–ଉଛୁଣି ଫେର ଭାବୁଚି ମୁଁ ଗଲେ ଚଳିବନାହିଁ । ତୁ ଭାବିଚୁ ବେମୁରବିୟା ହୋଇ ମଉଜରେ ରହିବୁ । ମୁଁ ବଞ୍ଚି ଥିବାଯାଏ ତତେ ମଣିଷପଣରେ ଚଳେଇବି । ତୁ ଭାବିଚୁ ତୋ ବୋଉ ମଲାଣି ! ନା ବୋଉ ମରିନାହିଁ, ଗୋଟାପଣେ ଜୀଇଁଚି, ଜାଣିଥା, ମୁଁ ଥିବାଯାଏ ଏ ଘରେ ତୋର ଯାହା ମନ ତା’ କରିବୁ, ୟା ମୋ ଦିହ ସହିବନାହିଁ । ଏ ପାପ କିଏ ମୁଣ୍ଡେଇବରେ । ମୁଁ ତତେ କହୁଚି–ମୋ ମୁଣ୍ଡକୁ ଯଦି ତୋର ଆଶଅଛି–ତାହେଲେ ଯା, ବୋହୂକୁ ଫେରାଇ ଆଣ । ନ ହେଲେ ନାରୀହତ୍ୟା ମାତୃହତ୍ୟା ଲାଗିବ । ବୋହୂର ଯାହା ହବ ତ ହବ । ତୁ ଆଜି ଭିତରେ ଯଦି ଏ ଘରୁ ନ ଯାଉ, ମୁଁ ବି ଏଇଠି ତୋରି ଆଗରେ ଦଉଡ଼ି ଦେଇ ମରିବି !’’

 

ଦେବବ୍ରତ ତଳକୁ ଓହ୍ଲାଇ ଆସିଥିଲା । ସେ ଅବାକ୍‌ ହୋଇଯାଇଥିଲା ! ତଥାପି କ’ଣ ଭାବି କହିଲା, ‘‘ହଉ ତେବେ–ମୁଁ ଯାଉଚି ବାହାରି, ତୁ ତୋର ଥା !’’

 

ଦେବବୋଉ ଶୁଷ୍କ ହସଟିଏ ହସି ଦେଇ କହିଲେ, ‘‘ତୁ ବାୟା ହେଲୁ କିରେ–ତତେ ମୁଁ ଏମିତି ଛାଡ଼ିଦେବି, ନୁହେଁ ? ଏଇ ମୋ ଗୋଡ଼ ଛୁଇଁ କରି କହ–ମୋ ଆଖି ଉହାଡ଼ରେ ଆଉ କିଛି କରିବୁନାହିଁ, କହ–ଖାଲି ବୋହୂକୁ ଖୋଜିକରି ନେଇଆସିବୁ, ନ ହେଲେ ତା’ ଠିକଣା ଜାଣିଲେ ମତେ ନେଇଯିବୁ । ଏଇ କଥା ମୋ ଗୋଡ଼ ଛୁଇଁ କରି କହ । ନ ହେଲେ ତୁ ବି ଯିବୁନାହିଁ, କି ମୁଁ ବି ଯିବିନାହିଁ ! ଏଇଠି ତୋରି ଆଗରେ ମୁଁ ଦଉଡ଼ି ଲଗେଇ ମରିବି !’’

 

ଦେବବ୍ରତ ବୋଉଙ୍କ ପ୍ରତିଜ୍ଞାକଠୋର ମୁଖଭାବ ଦେଖି ସ୍ତମ୍ଭିତ ହୋଇଗଲା; କିନ୍ତୁ ହଠାତ୍‌ ତା’ ମୁଣ୍ଡଠାରୁ ଗୋଡ଼ଯାଏ ପ୍ରକମ୍ପିତ କରି ଗୋଟାଏ ବାଷ୍ପୋଚ୍ଛ୍ୱାସ ଉଠି ତାକୁ ଏକାବେଳକେ ନେଇ କଚାଡ଼ିଦେଲା ବୋଉଙ୍କ ଗୋଡ଼ ଉପରେ ।

 

Unknown

–ପଚିଶି–

 

କଚୁଆନଟାର ବିଷମ ଆଗ୍ରହ–ଏହି ଯେ ସୁନ୍ଦରୀ ଯୁବତୀଟି ତା’ରି ଗାଡ଼ିରେ ଏକା ବସି ଆସିଲା, ସେ ଷ୍ଟେସନରେ ପହଞ୍ଚି କ’ଣ କରିବ ?

 

ଘୋଡ଼ା ଦୁଇଟା ଷ୍ଟେସନ ଫାଟକ ପାଖରେ ଆସି ମନକୁ ଛିଡ଼ା ହୋଇଗଲେ । ସେତେବେଳକୁ ପ୍ରାୟ ଭୋର ହୋଇଗଲାଣି; କିନ୍ତୁ ବାସନ୍ତୀ ସେହିଲାଗେ ଗାଡ଼ିରୁ ଓହ୍ଲାଇଲାନାହିଁ ବା କିଛି କହିଲାନାହିଁ । ଓହ୍ଲାଇବାର ବ୍ୟଗ୍ରତା ବା ଆଗ୍ରହ ତା’ଠେଇଁ ନ ଦେଖି କୋଚ୍‌ମାନ୍‌ ଆଗକୁ ଆସି ଛିଡ଼ା ହେଲା । ବାସନ୍ତୀ ଯେମିତି ଗୋଟାଏ କୋଣକୁ ଆଉଜି ବସିଥିଲା, ଠିକ୍‌ ସେମିତି ବସିରହିଲା ।

 

ବାସନ୍ତୀ ଭାବୁଛି, ଯେତେବେଳୁ ସେ ମନ୍ତ୍ରମୁଗ୍ଧ ପରି ସେ ଗାଡ଼ିରେ ବସିଲାଣି, ସେତେବେଳୁ । ବାଟସାରା ଅପଲକ ଚକ୍ଷୁରେ ସେ ଭାବି ଭାବି ଆସିଛି; ତଥାପି ତା’ର ଭାବନାର ଶେଷନାହିଁ । ସେ ଆଗ ପଛକୁ ଚାହିଁ ଦେଖିଛି–ଦେବବ୍ରତର କାଲିର ବର୍ବର ଆଚରଣ ତାକୁ ଯେତେ ଜୋର କରି ବାଧିଛି, ତହୁଁ ବଳି ବାଧୁଛି ଏଇଲାଗେ ତା’ର ପୂର୍ଣ୍ଣ ଅସହାୟତା । କୁଆଡ଼େ ଯିବ ସେ-? ଗାଡ଼ିଟି ବେଶ୍‌ ଥିଲା ପରା । କ୍ଷୁଦ୍ର ଆୟତନ ଭିତରେ ତା’ର ଜୀବନର ସ୍ୱପ୍ନ ସେହି ସ୍ୱାଧୀନତା ଏ ଦୁଇ ତିନି ଘଣ୍ଟାକାଳ ବାସନ୍ତୀ ଉପଭୋଗ କରି ଆସିଥିଲା । ଅଳ୍ପ ପରିସର ଘୋଡ଼ାଗାଡ଼ିରେ ତାକୁ ଯେପରି ଶ୍ୱସ୍ତିବୋଧ ହେଉଥିଲା, ଯେଉଁ ତୃପ୍ତି ତାକୁ ମିଳିଥିଲା, ସେପରି ଏ ଜୀବନରେ କେବେ ଅନୁଭବ କରିନାହିଁ । ତା’ପରେ ପୁଣି ଗାଡ଼ି ଚାଲିଛି, ଦୁଇ ପାର୍ଶ୍ୱର ଯାବତୀୟ କ୍ଷୁଦ୍ର କ୍ଷୁଦ୍ର ବୃକ୍ଷଲତା ଗୁଳ୍ମ କଣ୍ଟକ, ଘରଦ୍ୱାର ସବୁ ପଛରେ ପକାଇ ଚାଲିଛି, ତା’ କ୍ରସ୍ତ ହୃଦୟର ବେଗରେ ନୁହେଁ । ତଥାପି ଚାଲିଛି । କେତେଥର ସେହି ଗାଡ଼ିରେ ବସି ତା’ର ମନେହେଉଛି, ଏହିପରି ତାକୁ ନେଇ କିଏ ଚାଲନ୍ତା କି ଚିରଦିନ ! ଗାଡ଼ିର ଧୀର ମନ୍ଥର ସମାନ ଗତି ତା’ ହୃଦୟର ତଡ଼ିତ ପ୍ରଭାବକୁ ଯଥେଷ୍ଟ ପ୍ରଶମିତ କରିପାରିଛି । ସେ ନିର୍ଜନ ନିଶୀଥର ଅଚପଳ ପାହାନ୍ତି ଯାତ୍ରାରେ ।

 

ସେ ଧୀରସ୍ଥିର ଭାବରେ ବସି ଭାବିଲା, କ’ଣ ସେ କରିବ ? କୁଆଡ଼େ ଯିବ ? ପାହାନ୍ତୀ ତାରାର ସଲଜ୍ଜ ହସ ଦେଇ ସେ ଆଉ ସ୍ୱପ୍ନ ରଚୁନାହିଁ । ଅର୍ଦ୍ଧଚନ୍ଦ୍ରର ପାଣ୍ଡୁର ଲଲାଟ ଓ ଶୁକତାରାର କୁଞ୍ଚିତ ଅଧର ଦେଇ ସେ ଆଉ କୌଣସି ପ୍ରିୟମୁଖର ଚିତ୍ର ଆଙ୍କୁନାହିଁ । ବାସ୍ତବ ଜଗତରେ ଅତି ବାସ୍ତବ ତା’ର ଅସହାୟତା, ଅତି ବାସ୍ତବ ତା’ର ଦେହ, ଅତି ବାସ୍ତବ ତା’ର ଅଭାବ, ଏ ସବୁ ନେଇ ସେ କେଉଁଠି ଠିଆ ହେବ ? କଟକ ଯିବା ତ ଅସମ୍ଭବ–ସେଠାରେ ଏ କଳାମୁହଁ ସେ ଦେଖାଇବ କିପରି ? ତା’ର ଆଉ ଗୋଟିଏ ସ୍ଥାନ ଅଛି, ଆଉ ଗୋଟିଏ ମାତ୍ର । ଇତିପୂର୍ବରୁ ତ ସେ ସେହିଠାକୁ ଯିବାକୁ ସ୍ଥିର କରିଥିଲା, ତେବେ ଆଗରୁ ପତ୍ର ଦେଇ, ଜଣାଇ ଶୁଣାଇ–ଏପରି ଅକସ୍ମାତ ନୁହେଁ । ସେ କେତେଥର ଚିଠି ଲେଖିବାକୁ ଚେଷ୍ଟା କରିଛି ତା’ ବିନୋଦଭାଇ ପାଖକୁ । କେତେଥର ଲେଖିଛି, କେତେଥର ଚିରି ଫୋପାଡ଼ି ଦେଇଛି । ହଠାତ୍‌ ତା’ର ମନେପଡ଼ିଗଲା, ଦୁଇ ଚାରି ଦିନ ପୂର୍ବେ ସେ ଚିଠିଖଣ୍ଡେ ତାଙ୍କଠାରୁ ଲେଖି ପୁଣି ଦି’ଖଣ୍ଡ କରି ଛିଣ୍ଡାଇ ପକାଇ ଦେଇଥିଲା । ହାୟ, ଯଦି ସେ ଚିଠିଖଣ୍ଡିକ ନ ଛିଣ୍ଡାଇ ଡାକରେ ଦେଇପାରିଥାନ୍ତା !

 

ନା, ବିନୋଦ ଭାଇ ଛଡ଼ା ତା’ର ଅନ୍ୟଗତିନାହିଁ । କିନ୍ତୁ ବାସନ୍ତୀର ମନେପଡ଼ିଲା ତା’ର ବିବାହପୂର୍ବ ଜୀବନର ଘଟନାଗୁଡ଼ିକ–କିପରି ଦେବବ୍ରତ ସହିତ ପରିଚୟ ହେବା ପୂର୍ବେ ବିନୋଦବାବୁ–ଦୂର ସମ୍ପର୍କରେ ଭାଇଲେଖା–ଆକାର ଇଙ୍ଗିତରେ ଜଣାଇଥିଲେ ଯେ, ସେ ବାସନ୍ତୀକୁ ଭଲପାଆନ୍ତି; ତାକୁ ସ୍ତ୍ରୀରୂପେ ପାଇଲେ ସୁଖୀ ହେବେ । ନାରୀସୁଲଭ ବୁଦ୍ଧିରେ ସେ ତାହା ସ୍ପଷ୍ଟ ବୁଝିପାରି ତାଙ୍କୁ କିପରି ସ୍ପଷ୍ଟ ଜଣାଇ ଦେଇଥିଲା ଯେ, ତାଙ୍କର କୌଣସି ଆଶାନାହିଁ । ସେଥିଯୋଗେ ବିନୋଦ କିପରି ହତାଶ ହୋଇ କଟକ ଛାଡ଼ି କଲିକତାରେ ପଢ଼ିବାକୁ ଚାଲି ଯାଇଥିଲେ । ସେହିଦିନୁ ତାଙ୍କର ଆଉ ଖବର ନଥିଲା । କେବଳ ବିନୋଦର ବିବାହ ଦିନ ସେ ତାଙ୍କଠାରୁ ଖଣ୍ଡେ କ୍ଷୁଦ୍ର ପତ୍ର ଓ ଗୋଟିଏ ବାଳିକାର ଫଟୋ ପାଇଥିଲା । ବିନୋଦ ଲେଖିଥିଲେ, ସେ ସେହି ବାଳିକାକୁ ବିବାହ କରିଅଛନ୍ତି–ତା’ର ନାମ ବସନ୍ତକୁମାରୀ । ଶେଷରେ ଖାଲି ଏତିକି ଲେଖିଥିଲେ, ‘‘ଯଦି କେବେ ତୋର ଦରକାର ହୁଏ, ବାସନ୍ତୀ, ତୋ ବିନଭାଇକୁ ପର ବୋଲି ଭାବିବୁନାହିଁ । ମୋର ଏହି ଶେଷ ଅନୁରୋଧ ।’’

 

ତାଙ୍କ ସ୍ତ୍ରୀ ବସନ୍ତକୁମାରୀ ଏଇ ସେ ଦିନ ଚିଠି ଲେଖିଥିଲା । ପିଲାଳିଆ ଲେଖାଟି ତା’ ଆଖିଆଗରେ ଫୁଟିଉଠିଲା, ‘ମୁଁ ତମକୁ କ’ଣ ବୋଲି ଡାକିବି, ବାସ ? ମତେ ବସ ବୋଲି ଡାକନ୍ତୁ ସମସ୍ତେ । ବସ ଆଉ ବାସ–ନା, ହବନାହିଁ । ଠିକ୍‌, ଠିକ୍‌, ମୁଁ ତମକୁ ‘ଆ’ ବୋଲି ଡାକିବି, ତମେ ମତେ ‘ଅ’ ବୋଲି ଡାକିବ । ଇୟେ ଗୋଟାଏ ଠାର ! ଆଗୋ ‘ଆ’, ତମ ବରକୁ ଟିକିଏ ଦେଖନ୍ତି, ଆଉ ତମକୁ ସବୁ ଦେଖନ୍ତି । ମୁଁ ଶୁଣିଛି ଗୋ ଶୁଣିଛି, ସବୁ ଶୁଣିଛି ତମ କଥା । କଉଁଠୁ ଶୁଣିଲି ପଚାରିବନାହିଁ ତମେ ମତେ, ମୋ ରାଣ । ଆଚ୍ଛା, ତମେ କ’ଣ ଖେଳ ? ଏଠି ତ କେହିନାହିଁ–ମୁଁ ଖାଲି ବହି ପଢ଼ୁଛି । କେତେ ଲେଖି ଶିଖିଲିଣି, ଭୁଲଭଟକା ଏକା ଧରିବନାହିଁ ତମେ । ତମ ପାଖକୁ ଚିଠି ଲେଖି ଅଭ୍ୟାସ କରିଚି ବୋଲି ମତେ ହୁକୁମ ହୋଇଛି । ବୁଝିଲ ?’’ ଏ ଚିଠି ପଢ଼ି ବାଳିକା ଭ୍ରାତୃବଧୂଟିର ଗୋଟାଏ ଛବି ସେ ନିଜ ମନରେ ଆଙ୍କି ନେଇଥିଲା । ପିଲାଳିଆ ଲେଖା ତା’ର ପଢ଼ି ସେ ମନରେ ଅପୂର୍ବ ଆନନ୍ଦ ପାଇଥିଲା । ସେଥିଯୋଗେ ‘ଅ’ ପ୍ରତି ମନ କୌତୁହଳରେ ଭାରୀ ଆକୃଷ୍ଟ ହୋଇଥିଲା; କିନ୍ତୁ ସେ ପତ୍ରର ଉତ୍ତର ଦେଇପାରିନାହିଁ । ସେତେବେଳେ ତା’ ମନରେ ଘୋର ଯୁଦ୍ଧ ଚାଲୁଥିଲା । ହ, ଏଇ ଚିଠି ପାଇ ତ ସେ ବିନଭାଇ ପାଖକୁ ଯେଉଁ ବଡ଼ ଚିଠିଟା ସେଦିନ ଲେଖିଥିଲା, ସେ ଖଣ୍ଡ ଚିରି ଫୋପାଡ଼ି ଦେଇଥିଲା । ସେମାନେ ଆଜିକାଲି ବର୍ଦ୍ଧମାନରେ ଅଛନ୍ତି । ଠିକଣା ଆଉ କ’ଣ ? ବଡ଼ ଡାକ୍ତରଖାନା ଡାକ୍ତର ତ ! ଗଲେ ବିନଭାଇ କି ବସନ୍ତକୁମାରୀ କେହି କିଛି ଖରାପ ଭାବିବେନାହିଁ ତ ! ନା, ଖରାପ ଆଉ କ’ଣ ? ତେବେ ମୋ ଚିଠିଖଣ୍ଡ ଯଦି ବିନଭାଇ ଆଗରୁ ପାଇଥାନ୍ତେ, ସେ ସବୁଠୁ ଭଲ ହୋଇଥାନ୍ତା; କିନ୍ତୁ–ଏହିଲାଗେ ଆଉ ଅନ୍ୟ ଉପାୟନାହିଁ–ବେଳ ବା କାହିଁ ଚିଠି ଦେବାକୁ ?

 

ବାସନ୍ତୀ ସେହି ଗାଡ଼ିରେ ବସି ରହି ଗାଡ଼ିବାଲାକୁ ପଚାରି ବୁଝିଲା, ସକାଳ ସାତଟାରେ କଲିକତା ଯାଉଥିବା ଡାକଗାଡ଼ି ଆସିବ । ସେଥିରେ ଯିବାର ସ୍ଥିର କରି ବାସନ୍ତୀ ବିନୋଦବାବୁଙ୍କ ପାଖକୁ ଗୋଟାଏ ଟେଲିଗ୍ରାମ କରିଦେଲା ।

 

ବିନୋଦବାବୁ ବାସନ୍ତୀର ଟେଲିଗ୍ରାମ ପାଇ ତରବର ହୋଇ କଲିକତା ବାହାରିଲେ । ବସନ୍ତକୁମାରୀ ପଚାରିଲା, ‘‘କୁଆଡ଼େ ଯାଉଛ କି ଇମିତି ?’’

 

‘‘କଲିକତା ।’’

 

ବିନୋଦବାବୁଙ୍କୁ ସମୟ ଅସମୟରେ ଏହିପରି କଲିକତା ଯିବାକୁ ହୁଏ । ବସନ୍ତକୁମାରୀ ସେଥିପାଇଁ କିଛି ବିସ୍ମିତ ହେଲାନାହିଁ । ତଥାପି ମୁହଁ ମୋଡ଼ିଦେଇ ଯାଇଁ ବିଦାୟୋନ୍ମୁଖ ବିନୋଦବାବୁଙ୍କ ଆଡ଼କୁ ପଛକରି ଝରକା ପାଖରେ ଛିଡ଼ା ହେଲା । ବିନୋଦବାବୁ ଗାଡ଼ିବେଳ ହୋଇଯିବ ବୋଲି ବ୍ୟସ୍ତ ହୋଇ ବାହାରି ପଡ଼ୁଥିଲେ । ସେ ଦ୍ୱାର ପାଖକୁ ଯାଇଛନ୍ତି କି ନାହିଁ, ବସନ୍ତକୁମାରୀ ସେହିପରି ତାଙ୍କ ଆଡ଼କୁ ପଛକରି ଅଭିମାନ ସ୍ୱରରେ କହିଲା, ‘‘ହଉ–ଯାଅ ।’’

 

ବିନୋଦବାବୁ କୌତୁକ ହସ ହସି ଫେରିଆସି ବସନ୍ତକୁମାରୀର କାନ୍ଧରେ ହାତ ପକାଇ କହିଲେ, ‘‘ରାଗିଲ ?’’

 

ବସନ୍ତକୁମାରୀ ଛଳ କ୍ରୋଧରେ ନିଜକୁ ଛଡ଼ାଇ ନେଇ ଖଣ୍ଡି ଓଢ଼ଣାଟିକୁ ଜୋରରେ ଟାଣିକରି ଆଡ଼ ହୋଇଗଲା ।

 

ଆଜି ବ୍ୟସ୍ତତାଯୋଗେ ବିନୋଦବାବୁ ଭୁଲିଯାଇଥିଲେ ଯେ, ଘରୁ ପ୍ରତ୍ୟେକ ଥର ବାହାରିଲାବେଳେ ବସନ୍ତକୁମାରୀର କଡ଼ା ଆଇନ ଅନୁସାରେ ତା’ ମୁଖରୁ ପାଥେୟସ୍ୱରୂପ କିଛି ନେଇଯିବାକୁ ହୁଏ । ଏତେକାଳ କେବେହେଲେ ଏ ନିୟମର ବ୍ୟତିକ୍ରମ ଘଟିନାହିଁ; ଅର୍ଥାତ୍‌ ବସନ୍ତକୁମାରୀ ତା’ର ଦାବି କେବେ ଛାଡ଼ିନାହିଁ । ବିନୋଦବାବୁ ମହାବ୍ୟସ୍ତ ହୋଇ ମନଭୁଲା କଥା ଦି’ ପଦ କହି ଡାକିଲେ, ‘‘ବସ ।’’ ତଥାପି ବସନ୍ତକୁମାରୀ ନୀରବ । ବେଳ ଉଛୁର ହେଉଥିବାର ଜାଣି ସୁଦ୍ଧା ବିନୋଦବାବୁ ନିୟମ ପାଳନ ନ କରି ସେଠାରୁ ପ୍ରସ୍ଥାନ କରିପାରୁ ନଥିଲେ । ସେ ଜାଣନ୍ତି, ଏଇଟା ବସନ୍ତକୁମାରୀର କେଡ଼େ ପ୍ରିୟ ସମ୍ବଳ ଓ ଅଭିମାନିନୀ ବାଳିକା ବଧୂଟି ତାଙ୍କର କେଡ଼େ ଆଘାତ ପାଏ ତା’ର ଏହି ସାଦର ନିୟମଟି ସେ ଅବଜ୍ଞା କଲେ । ସେ ଯୋଗେ ଆହୁରି ଆଦରରେ, ଆହୁରି ଆଗ୍ରହରେ ବିନୋଦବାବୁ ତାକୁ ପାଖକୁ ଟାଣିଆଣି କହିଲେ, ‘‘ଛି, ବସନ୍ତ, ଗାଡ଼ିବେଳ ଗଡ଼ିଯାଉଛି ପରା ! ଏଥର କଲିକତାରୁ ତମପାଇଁ ଭଲ ଜିନିଷଟିଏ ଆଣିବି । ଆସ, ବାଟ ଖର୍ଚ୍ଚ ଦିଅ–’’

 

ବସନ୍ତ କହିଲା, ‘‘ହଁ, ସେଥର ଯେମିତି ଗୋଟାଏ ଶୁଆ ଆଣିଥିଲ, ଦି’ଦିନବି ବଞ୍ଚିଲାନାହିଁ ! ଏଥର ମୂଷା ଆଣିବ ?’’

 

ଅଭିମାନ ତ୍ୟାଗକରି ଆଗ୍ରହଦୀପ୍ତ ଚକ୍ଷୁ ଯୋଡ଼ିକ ବିନୋଦବାବୁଙ୍କ ମୁହଁକୁ ଟେକି ପିଲାଙ୍କ ପରି ବ୍ୟସ୍ତ ହୋଇ ବସନ୍ତ ନିଜ ହାତରେ ଦେଖାଇ ଦେଲା, କେଡ଼େ କେଡ଼େ ମୂଷା ତା’ରି ଦରକାର । ସୁବିଧା ଦେଖି ବିନୋଦବାବୁ ବାଟଖର୍ଚ୍ଚ ଆଦାୟ କରୁ କରୁ କହିଲେ, ‘‘ମୂଷା ? ନାହିଁ ମ–ଏଥର ଆହୁରି ଭଲ ଜିନିଷ ଗୋଟିଏ ଆଣିବି ତମଲାଗି ।’’

 

‘‘କ’ଣ ? କ’ଣ ?’’

 

‘‘ଆଣିଲେ ଦେଖିବ ଯେ ।’’

 

ବିନୋଦବାବୁ ଚାଲିଗଲେ । ଘୋଡ଼ାଗାଡ଼ି ଅନେକ ଦୂରରେ ଅଦୃଶ୍ୟ ହୋଇଯିବାଯାଏ ବସନ୍ତ ସେହିଠାରେ ଛିଡ଼ା ହୋଇ ଅନାଇ ରହିଲା । ହଠାତ୍‌ କ’ଣ ଭାବି ଫେରିଲା, କହିଲା, ‘‘ଆରେ, ନେକ୍‌ଟାଇଟା ତ ପୂରା ହୋଇପାରିଲାନାହିଁ, ଛଅ ମାସ ହେଲା, ଲାଜକଥା ! କେତେ ଟାହୁଲି କରୁଛନ୍ତି । ନା, ଆଜି ତାକୁ ନିଶ୍ଚେ ଶେଷକରି ରଖିଥିବି–’’ ବସନ୍ତ ବ୍ୟସ୍ତ ସମସ୍ତ ହୋଇଯାଇ ବୁଣାବାକ୍‌ସ କାଢ଼ି ବିନୋଦବାବୁଙ୍କ ନେକଟାଇ ବୁଣିବସିଲା । ପାଞ୍ଚ ମିନିଟି ଯାଇନାହିଁ, ବିଲେଇ ଛୁଆ ଦି’ଟା ଆସି ତା’ ଗୋଡ଼ ଉପରେ ଖେଳିବାକୁ ଲାଗିଲେ । ପ୍ରଥମ ପ୍ରଥମ ସେ ମୋଟେ ତାହା ଗ୍ରାହ୍ୟ କଲାନାହିଁ । ପାଞ୍ଚ ମିନିଟ ପରେ ଗୋଟାଏ ହାତରେ ବିଲେଇଛୁଆଙ୍କୁ ଧରିଆଣି କୋଡ଼ରେ ବସାଇ ପୁଣି ବୁଣିବାରେ ମନଦେଲା । ଏତିକିବେଳେ ସାରୀ ଡାକିଲା, ‘‘ବସ !’’ ବସନ୍ତ ପାଟିକରି ସ୍ନେହ ସ୍ୱରରେ ତାକୁ ଶାସନ କଲା, ‘‘ଚୁପ !’’ ଫେର ସାରୀ ଡାକିଲା, ‘‘ବସ, ବସ, ବସ !’’ ଫେର ବସନ୍ତ କହିଲା, ‘‘ନା, ଇୟେ ନିଆଁ ସାରୀ ମତେ ଜଳେଇ ପୋଡ଼େଇ ମାଇଲା ! ଦୂରକରି, ଏ ଦି’ଟା ବିଲେଇଛୁଆ କାହିଁକି ଏମିତି ମରୁଛନ୍ତି !’’ ଏତକ ଗମ୍ଭୀରଭାବରେ କହି ସାରୀକୁ ଜବାବ ଦେଉଁ ଦେଉଁ ଦଉଡ଼ି ବାରଣ୍ଡାକୁ ଆସି ସାରୀ ପିଞ୍ଜରା ଉପରେ ମୁହଁ ଦେଇ କହିଲା, ‘‘କିସ, କିସ, କିସ–’’

 

ସାରୀ କହିଲା, ‘‘ରାଧାକୃଷ୍ଣ–ରା’’

 

ବସନ୍ତ କହିଲା, ‘‘ଚୁପ, କହ–ବି–ନ–ବା–ବୁ ।’’ ସାରୀ କଥା ପଦକ ବୋଧହୁଏ ଶୁଣିପାରିଲାନାହିଁ । କାରଣ ବସନ୍ତ ଖୁବ୍‌ ଆସ୍ତେ ‘ବିନବାବୁ’ ବୋଲି କହିଲା । ସେ ଥଣ୍ଟ ଏକପାଖିଆ କରି ଆଗ୍ରହରେ ପୁଣିଥରେ ଶୁଣିବାକୁ ଅନାଇ ରହିଲା । ବସନ୍ତ ବିରକ୍ତ ହୋଇ କହିଲା, ‘‘ମୁଁ ତାଙ୍କ ନା ବଡ଼ପାଟିରେ କିମିତି କହିବିଲୋ ପୋଡ଼ାମୁହିଁ ? କହ, ବିନବାବୁ, ବିନ, ବିନ–’’

 

ସାରୀ କହିଲା, ‘‘ଚୁପ୍‌ !’’ ବସନ୍ତ ଭୟରେ ଚାରିଆଡ଼କୁ ଅନାଇଲା, କିଏ କୁଆଡ଼ୁ ଆସିଲା କି ଆଉ ! ଛଳକ୍ରୋଧରେ ସାରୀ ପଞ୍ଜୁରୀକୁ ପଣନ୍ତ କାନିରେ ଭଲକରି ଘୋଡ଼ାଇ ପକାଇ ଅନ୍ଧାରିଆ କରି ମଜା ଦେଖିବାକୁ ଆଗ୍ରହରେ ଅପେକ୍ଷା କରି ରହିଲା । ସାରୀ ପ୍ରତିବାଦ ଛଳରେ କହିଲା, ‘‘ବାବୁ, ବାବୁ, ବାବୁ !’’ ବସନ୍ତ ରାଗରେ ଲୁଗା ଛଡ଼ାଇ ନେଇ ଚାଲି ଯାଉଁ ଯାଉଁ କହିଲା, ‘‘ହଉ, ହଉ ତୋ ମଜା ଦେଖୁଛି, ରହିଥା–’’ ସାରୀ କଟର କଟର କରି ବିକଳ ହେଲାପରି ଡାକ ଛାଡ଼ିଲା । ବସନ୍ତ ନ ଶୁଣି ଚାଲିଗଲା ହାଣ୍ଡିଶାଳ ପାଖ ଘରକୁ । ସେଠି ଗୋଟିଏ ବାଉଁଶିଆ ଘୋଡ଼ିଆ ହୋଇ ଗୋଟିଏ ଛୋଟ ଚେମିଣିଆ ଦରମଲା ଅବସ୍ଥାରେ ପଡ଼ିଥିଲା । ତାକୁ ଅତି ଆଦରରେ ଉଠାଇ ନେଇ ଛାତିପାଖରେ ଧରି ଗେଲ କଲା, ‘‘ନା ନା ରେ, ନାନ ବାଇ ।’’ ଚେମିଣିଆ ଚେଁ କରି ଡାକି ରାବିଲା । ‘‘ଆଲୋ ଲୋ, ଚେମାଟାକୁ ଦୁଧ ଖୋଇ ନାହିଁ ତ’’ କହି ବସନ୍ତ ଚାକରାଣୀକୁ ଡାକି ଦୁଧ ମଗାଇ ଚେମିଣିଆକୁ ଖୁଆଇଲା । ବିଲେଇଛୁଆ ଦି’ଟା ତା’ ମୁଣ୍ଡରେ ପିଠିରେ ଚଢ଼ି ତାକୁ ବିରକ୍ତ କରୁଥାନ୍ତି ।

 

ଏହିପରି ବସନ୍ତକୁମାରୀର ଦିନସାରା କଟିଗଲା । ସନ୍ଧ୍ୟା ହେଲା, ଅଥଚ ସ୍ୱାମୀଙ୍କ ନେକଟାଇ କଥା ଆଉ ଥରେ ହେଲେ ମନେପଡ଼ିଲାନାହିଁ । ସନ୍ଧ୍ୟା ହେଲାରୁ ବସନ୍ତ ବିଲେଇଛୁଆ ଦି’ଟାଙ୍କୁ ଛାଡ଼ି ରୋଷେଇବାସର ଆୟୋଜନରେ ମନ ଦେଲା ।

 

‘‘ବସନ୍ତ, କିଏ ଆସିଛି ଦେଖିଲଣି । ଦେଖ, ତୁମପାଇଁ କ’ଣ ଆଣିଛି ?’’ ବସନ୍ତକୁମାରୀ ବ୍ୟସ୍ତ ହୋଇ ହାଣ୍ଡିଶାଳରୁ ବାହାରିପଡ଼ିଲା । ଆଜି ସେ ଭାବି ସ୍ଥିର କରିଥିଲା–ଆଜି ଏତେ ଡେରି ଯଦି ହେଲା, ଆସିଲେ କେଭେ କଥା କହିବନାହିଁ । ଆଉ କ’ଣ ଆଣିଛନ୍ତି କଲିକତାରୁ ନ ଦେଖିଲେ, ମନକୁ ମାନିଲେ ରାତିସାରା–ନା ! କିନ୍ତୁ ସ୍ୱାମୀଙ୍କ ଭରାକଣ୍ଠ ଶୁଣି ସବୁ କୁଆଡ଼େ ପାସୋର ଗଲା ତା’ର । ସେ ଧାଇଁ ଆସି ସଙ୍ଖୁଡ଼ିହାତ ଯୋଡ଼ାକୁ ନ ଧୋଇ ଟେକି ଏକାବେଳକେ ବିନୋଦବାବୁଙ୍କ ପାଖରେ–ମୁଣ୍ଡରେ ଲୁଗାନାହିଁ, ମୁହଁରେ ବିନ୍ଦୁ ବିନ୍ଦୁ ଝାଳ ମୁକ୍ତା ପରି ମାନୁଛି । ହଠାତ୍‌ ତା’ର ନଜର ପଡ଼ିଲା, ଅଦୂରରେ କାନ୍ଥକୁ ଆଉଜି ଗୋଟିଏ କିଏ ଠିଆ ହୋଇଛି–ସ୍ତ୍ରୀ ଲୋକଟିଏ । ବିସ୍ମିତା ବସନ୍ତର ମୁଖରୁ କଥା ବାହାରିଲାନାହିଁ । ସେ ଜିଜ୍ଞାସୁ ଦୃଷ୍ଟିରେ ନିଜ ସ୍ୱାମୀଙ୍କ ଆଡ଼କୁ ଅନାଇଲା ।

 

‘‘ଚିହ୍ନ କିଏ ସେ–କଲିକତାରୁ ତମପାଇଁ ତାଙ୍କୁ ଆଣିଛି ।’’ ଏହା କହି ବିନୋଦବାବୁ ହସି ହସି ସେଠାରୁ ଚାଲିଯିବାକୁ ବସିଲେ । ବସନ୍ତ ଅଧବାଟ ଯାଇଁ ତାଙ୍କୁ ଚୁପ୍‌କରି କହିଲା, ‘‘ହେ ତୁମେ ରହ, ମୁଁ ଭଲ ବଙ୍ଗଳା କହିପାରିବିନାହିଁ ।’’

 

‘ସେ ବଙ୍ଗାଳୁଣୀ ନୁହନ୍ତି, ଓଡ଼ିଆଣୀ–’’

 

‘‘ସତେ ?’’ ବସନ୍ତ ଧାଇଁଯାଇ ହାତ ଧୋଇ ଆସି ବାସନ୍ତୀର ହାତ ଧରି ନିଜ ଘର ଭିତରକୁ ନେଇଗଲା । ବାସନ୍ତୀର ଏପର୍ଯ୍ୟନ୍ତ କିପରି ଗୋଟାଏ ଅଡ଼ୁଆ ଅଡ଼ୁଆ ଲାଗୁଥିଲା । ବସନ୍ତର ସରଳ ଅମାୟିକ ବ୍ୟବହାରରେ ମୁଗ୍ଧ ହୋଇ ସେ ଆନନ୍ଦରେ ତାକୁ କୁଣ୍ଢାଇ ପକାଇଲା, କହିଲା ‘‘ନୂଆବୋହୂ–’’

 

‘‘ଏ, –ମୁଁ କାହିଁକି ବୋହୂ ହେବି ? ମୁଁ ତ ଝିଅଟାଏ, ମୋ ନାଁ ବସନ୍ତ–’’

 

ବାସନ୍ତୀ ହସି ଉଠି କହିଲା, ‘‘ନା, ତମ ନାଁ ପରା ‘ଅ’ ?’’ ‘‘ଆରେ, ତମେ ସେ ନାଁ କିମିତି ଜାଣିଲ ? ମୋ ‘ଆ’କୁ ଦେଖିଥିଲ କି ?’’

 

‘‘ମୁଁ ନିଜେ ‘ଆ’ ।’’

 

‘‘ସତେ ?’’

 

ବସନ୍ତ ତା’ ବଡ଼ ବଡ଼ ଆଖିଯୋଡ଼ାକ ଟେକି ବାସନ୍ତୀକୁ ଗୋଡ଼ରୁ ମୁଣ୍ଡଯାଏ ଦେଖିଗଲା-

 

ଦେଖୁ ଦେଖୁ ଦିନ ଦୁଇ ଚାରିଟା କଟିଗଲା । ବାସନ୍ତୀ ନିକଟରେ ବସନ୍ତ ଏକ ବିଚିତ୍ର ବସ୍ତୁ ବୋଲି ମନେହେଲା । ତା’ର ସରଳ ଅକପଟ ଆଚରଣ, ଅତ୍ୟଧିକ କ୍ରୀଡ଼ାପରାୟଣତା, କ୍ଷୁଦ୍ର କ୍ଷୁଦ୍ର ଜୀବଜନ୍ତୁଙ୍କ ପ୍ରତି ମାତୃବତ୍‌ ସ୍ନେହ, ସବୁ ବାସନ୍ତୀର ବିଚିତ୍ର ବୋଧ ହେଉଥିଲା । ତା’ ଛଡ଼ା, ସବୁ ପିଲାପଣିଆ ଅନ୍ତରାଳରେ ବସନ୍ତର ପ୍ରଖର ବୁଦ୍ଧିର ଯେ କେତୋଟା ପରିଚୟ ବାସନ୍ତୀ ଏହି କେତେଦିନ ମଧ୍ୟରେ ପାଇଥିଲା, ତଦ୍ଦ୍ୱାରା ବାସନ୍ତୀର ମନ କୌତୁହଳରେ ତା’ ପ୍ରତି ଅଧିକରୁ ଅଧିକ ଆକୃଷ୍ଟ ହୋଇ ଉଠିଥିଲା । ଦିନେ ବାସନ୍ତୀ ହସି ହସି ବସନ୍ତକୁ କହିଲା, ‘‘ନୂଆବୋହୂ–ନା, ନା, ‘ଅ’-! ତୁମକୁ ଗୋଟାଏ କଥା ପଚାରନ୍ତି ?’’

 

‘‘କ’ଣ ?’’ ବୋଲି କହି ବସନ୍ତ ବଡ଼ ବଡ଼ ଆଖି ଦି’ଟା ଟେକି ଚାହିଁଲା । ବାସନ୍ତୀ ତାକୁ ଆହୁରି ଆଦରରେ କୋଳକୁ ଟାଣିଆଣି କହିଲା, ‘‘ତମକୁ ଆଜି ମୁଁ ପରୀକ୍ଷା କରିବି ।’’

 

‘‘ପରୀକ୍ଷା ? ନା ଲୋ ମା’–ମୁଁ ପରୀକ୍ଷା ଦେଇପାରିବିନାହିଁ । ଭୁଲଭଟକା ହେଲେ ତୁମେ କହିଦବ ଯାହାକୁ ପାର ତାକୁ । ନା, ନା ।’’

 

‘‘ନାଇ ମ, ମୁଁ କ’ଣ ସେ ପରୀକ୍ଷା କଥା କହୁଚି ? ମୁଁ ଏମିତି କେତେଟା ପ୍ରଶ୍ନ ପଚାରିବି-। ତା’ର ଉତ୍ତର ତମେ ଦବ ମୁହେଁ ମୁହେଁ ।’

 

‘‘କ’ଣ, ପଚାର ।’’

 

ବାସନ୍ତୀ କେତେଗୁଡ଼ିଏ ପ୍ରଶ୍ନ କଲା, ଜୀବନରେ ତା’ର ଉଦ୍ଦେଶ୍ୟ କ’ଣ, ବିନଭାଇକୁ ସେ କାହିଁକି ଭଲପାଏ, ପ୍ରେମମାନେ କ’ଣ ଇତ୍ୟାଦି ଇତ୍ୟାଦି । ବସନ୍ତ ଏ ସବୁ ଜଟିଳ ପ୍ରଶ୍ନର ଅତ୍ୟନ୍ତ ସରଳ ଓ ସ୍ୱାଭାବିକ ଉତ୍ତର ଦେଇ ବାସନ୍ତୀକୁ ମୁଗ୍ଧ କରିଦେଲା । ବାସନ୍ତୀ ସବୁଠାରୁ ବେଶି ଚମତ୍କୃତ ହେଲା ଗୋଟିଏ ପ୍ରଶ୍ନର ଉତ୍ତରରେ ବସନ୍ତକୁମାରୀର ମନର ପରିଚୟ ପାଇ । ବାସନ୍ତୀ ପଚାରିଲା, ‘‘ଆଚ୍ଛା, ଯେ ତୁମକୁ ପ୍ରଶଂସା କରେ, ତାକୁ ତୁମର ଭଲଲାଗେ, ନା ଯେ ତୁମକୁ ନିନ୍ଦାକରେ, ତାକୁ ଭଲଲାଗେ ?’’

 

ବସନ୍ତକୁମାରୀ ଅତି ସହଜ କଣ୍ଠରେ ଉତ୍ତର ଦେଇଥିଲା, ‘‘ନିନ୍ଦୂକ ବା ପ୍ରଶଂସାକାରୀ ଯଦି ମୋର ଦୋଷ ବା ଗୁଣ ଦେଖି ନିନ୍ଦା ବା ପ୍ରଶଂସା କରନ୍ତି, ତେବେ ମତେ ବେଶ୍‌ ଭଲଲାଗେ । ବୃଥା ନିନ୍ଦାରେ ମୁଁ ଯେପରି ବିରକ୍ତ ହୁଏ, ବୃଥା ପ୍ରଶଂସାରେ ମଧ୍ୟ ସେହିଭଳି ବିରକ୍ତ ହୁଏ ।’’

 

ପ୍ରଶ୍ନୋତ୍ତର ଶେଷ ହେଲାପରେ ହଠାତ୍‌ ବସନ୍ତ କହିଲା, ‘‘ଆଗୋ ଆ, ମୁଁ ତମକୁ ଗୋଟାଏ କଥା ପଚାରନ୍ତି ?’’

 

‘‘କି କଥା ?’’ ବୋଲି କହି ବାସନ୍ତୀ କିଞ୍ଚିତ୍‌ କୌତୁକପୂର୍ଣ୍ଣ ଆଖିରେ ତାକୁ ଚାହିଁ ରହିଲା । ବସନ୍ତ ଟିକିଏ ଥଙ୍ଗ ଥଙ୍ଗ ହୋଇ ଭୟରେ ଆରମ୍ଭ କଲା, ‘‘ନା, ସତେ ଏକା ଲୁଚେଇବନାହିଁ, କି ରାଗିବନାହିଁ ମୋ ଉପରେ । ମୁଁ ଯାହା ପଚାରିବି, ତା’ର ଉତ୍ତର ଦବ । ଏଁ ?’’

 

‘‘କ’ଣ କହୁନା’’ ବୋଲି କହି ହସ ହସ ଆଖି ଯୋଡ଼ିକ ଟେକି ବାସନ୍ତୀ ବସନ୍ତକୁ ଭିଡ଼ିଆଣିଲା । ବସନ୍ତ ସଲଜ୍ଜ ଭାବରେ କହିଲା, ‘‘ଆଚ୍ଛା, ତୁମେ ଦେବବାବୁଙ୍କୁ ଖୁବ୍‌ ଭଲପାଅ, ଦେବବାବୁବି ତୁମକୁ–ହେଇ, ତମ ମୁହଁ ତ ଶୁଖିଗଲାଣି । ମୁଁ ସେଥିପାଇଁ ପରା ପଚାରୁ ନଥିଲି । ମୁଁ କାହିଁକି ପଚାରୁଥିଲି କି, ଯଦି ଦିହେଁ ଦିହିଁଙ୍କୁ ଭଲପାଅ ଆଜି ସୁଦ୍ଧା, ତେବେ ସେ ବି କେମିତି ତମକୁ ତଡ଼ିଦେଲେ, ତମେବି କିମିତି ବାହାରି ଆସିଲ ?’’ କହିସାରି ଆଖିଯୋଡ଼ିକ ଟେକି ବସନ୍ତ ବାସନ୍ତୀର ପାଣ୍ଡୁର ମୁଖପ୍ରତି ଛନ ଛନ ହୋଇ ଚାହିଁଲା । ବାସନ୍ତୀ ଏ ଅପ୍ରତ୍ୟାଶିତ ପ୍ରଶ୍ନରେ ଅଭିଭୂତ ହୋଇଯାଇଥିଲା । କିଛିକ୍ଷଣ ଅପ୍ରତିଭ ହେଲା ପରି ରହି କହିଲା, ‘‘ଗଲା କଥାରେ ଫଳ କ’ଣ, ନୂଆ–’’

 

‘‘ଗଲା କଥା ? ଗଲା କଥା ଫେର ଗୋଟାଏ କ’ଣ ? ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଗଲା ଆଇଲା କଥା ଗୋଟାଏ କ’ଣ ? ମତେ ତ ଲାଗୁଛି, ତୁମେ ନିଶ୍ଚୟ ତାଙ୍କୁ ଭଲପାଅ ଆଜି ସୁଦ୍ଧା–ହଁ, କି ନା, କହୁନା କାହିଁକି ?’’

 

ବାସନ୍ତୀ ଚୁପ୍‌ ହୋଇ ରହିଲା । ବସନ୍ତ ପୁଣି କହିଲା, ‘‘ଆଚ୍ଛା, ସେ କଥା ଗଲା । ଦେବବାବୁ ତୁମକୁ ଭଲପାନ୍ତି କି ନା, କହିବଟି !’’ ବାସନ୍ତୀ ଉତ୍ତର ଖୋଜି ପାଇଲାନାହିଁ । ସେ କ’ଣ ନିଜେ ଏ କଥା ଭାବିନାହିଁ ? ଦେବବ୍ରତ ଯେ ତାକୁ ପ୍ରାଣ ଅପେକ୍ଷା ଭଲପାଏ, ଏ କଥା ସେ ତ ଭଲରୂପେ ଜାଣେ ! ତା’ ନିଜ କଥା ଛାଡ଼ । ସେ ନିର୍ବାକ୍‌ ହୋଇଗଲା ବସନ୍ତର ସରଳ ପ୍ରଶ୍ନ ଯେଉଁ ବିଷୟ ପ୍ରତି ବାସନ୍ତୀର ଆଖି ଖୋଲିଦେଲା, ସେ ବିଷୟଟା କେବେହେଲେ ତ ବାସନ୍ତୀ ମନେ ମନେ ଭଲରୂପେ ପରୀକ୍ଷା କଲାନାହିଁ ! ଦୁହିଁଙ୍କର ଦୁହିଁଙ୍କ ପ୍ରତି ପ୍ରେମ ଥାଇ ସୁଦ୍ଧା ଏ ଅସମ୍ଭବ ଘଟନା ଘଟିବା ବର୍ତ୍ତମାନ ତାକୁ ଭାରୀ ବିଚିତ୍ର ଲାଗିଲା । ସତେ, ତ କ’ଣପାଇଁ ଏପରି ହେଲା ? ଦେବବ୍ରତ କିପରି ତାକୁ ଦୁଶ୍ଚରିତ୍ରା ବୋଲି ଭାବିପାରିଲା ? କିଛି କାରଣ ନଥାଇ ତ ୟା ସମ୍ଭବ ହୋଇ ନ ପାରେ ? ସେ କାହିଁକି ଏ ସହଜ କଥାଟା ଆଜିଯାଏଁ ବୁଝିନାହିଁ ? ସେ ତ ଆଜିଯାଏ ଭାବିଆସିଛି ଯେ, ତା’ ସଙ୍ଗ ଦେବବ୍ରତର ଅସହ୍ୟ ହେବାରୁ ସେ ଗୋଟାଏ ବୃଥା ଅଭିଯୋଗରେ ତାକୁ ତ୍ୟାଗ କରିଛି । ତା’ର ବର୍ତ୍ତମାନ ମନେହେଲା, ହୁଏତ ଏପରି ଭାବିବା ତା’ର ଅନ୍ୟାୟ ! ନା, ନା, ତାକୁ ଦୁଶ୍ଚରିତ୍ରା ଭାବିବାକୁ କି କାରଣ ସେ ଦେଇଛି ତାଙ୍କୁ ? କିଛି ତ କାରଣନାହିଁ ! ସେ ବା ତାକୁ ଦୁଶ୍ଚରିତ୍ରା ବୋଲି ଭାବିପାରିଲେ କିପରି ? ପୁଣି ବାସନ୍ତୀର ମନ ବିଦ୍ରୋହୀ ହୋଇଉଠିଲା ।

 

ବସନ୍ତ ପୁଣି କହିଲା, ‘‘ଆଚ୍ଛା, ଦେବବାବୁ କେଉଁ ହିସାବରେ ତମକୁ ଘରୁ ତଡ଼ିଦେଲେ ? ତମେବି କିମିତି ? ଏକା ପଦକରେ ଚାଲିଆସିଲ ! ମୁଁ ଜମାରୁ ବୁଝିପାରୁନାହିଁ ପରା । ମତେ ଲାଗୁଛି, ଆଗରୁ ନିଶ୍ଚେ ଭାବ ଭାଙ୍ଗିଯାଇଥିଲା । ତା’ ନ ହେଲେ ସେ ବି ଇମିତି ଭୁଲ ବୁଝନ୍ତେ କାହିଁକି, ଆଉ ତୁମେବି ଇମିତି ଏକବୁଝା ହୋଇ ତାଙ୍କ କଥାକୁ ମାନି ଚାଲିଆସନ୍ତ କାହିଁକି ?’’

 

ବାସନ୍ତୀ ସେତିକିବେଳେ ମର୍ମେ ମର୍ମେ ବୁଝୁଥିଲା ଯେ, ପ୍ରେମର ଅଭାବରୁ ଏ ଦୁର୍ଘଟଣା ଘଟିନାହିଁ । ତା’ର ଏକମାତ୍ର କାରଣ, ଉଭୟ ପକ୍ଷର ଗୋଟାଏ ମିଥ୍ୟା ଅଭିମାନ, ଗୋଟାଏ ଅବୁଝା ଅହମିକା । ସେ ନିଜେ କ’ଣ କିଛି ଦୋଷ କରିନାହିଁ ? ଦେବବ୍ରତ ପ୍ରତି ତା’ର କର୍ତ୍ତବ୍ୟ ସେ ସର୍ବତୋଭାବରେ କରିପାରିଛି କି ?

 

ବସନ୍ତ କହିଗଲା, ‘‘ତୁମେ ବୋଧହୁଏ ମୋ ଉପରେ ରାଗୁଛ । ରାଗ ପଛକେ, କିନ୍ତୁ ମୁଁ କଦାପି ତୁମ ଭଳି ହୋଇ ନଥାନ୍ତି । ଯେଉଁଦିନ ଟିକିଏ କେଁ ଦେଖିଥାନ୍ତି, ସେହିଦିନ ସେଇଟା ନ କରିବାଯାଏଁ ମତେ ଭାତ ରୁଚି ନଥାନ୍ତା । ଦିହିଁଙ୍କ ମନ ଭାଗ ଭାଗ ହେଇଗଲେ ଯାହା ହୁଏ, ସେଇୟା ତୁମର ହୋଇଛି । ସେଥିରେ ତୁମରବି ଦୋଷ ଅଛି, ତାଙ୍କରବି ଦୋଷ ଅଛି । ତୁମେ ତ ୟା ବୁଝି–ଛି, ଛି, ପିଲାଙ୍କ ଭଳି କାନ୍ଦୁଛ !’’

 

ବସନ୍ତ ବାସନ୍ତୀର ମୁହଁଟିକୁ ଟେକି ନିଜ ଛାତି ଉପରେ ରଖି ତାକୁ ଉଚ୍ଛ୍ୱାସିତ କ୍ରନ୍ଦନରୁ ବିରତ କରିବାକୁ ଚେଷ୍ଟାକଲା; କିନ୍ତୁ ଫଳ ଓଲଟା ଫଳିଲା । ବାସନ୍ତୀ ଜାଣେ, ସେ କି ନିବିଡ଼ ଭାବରେ ଦେବବ୍ରତକୁ ଭଲପାଏ । ବସନ୍ତ କଥାରେ ତା’ର ମନେହେଲା, ତା’ ନିକଟରେ ଯେପରି ଦେବବ୍ରତ ଆଗ ଅପେକ୍ଷା ଦ୍ୱିଗୁଣ ପ୍ରିୟ ହୋଇଛି । କେଜାଣି କାହିଁକି, ଦେବବ୍ରତ ପ୍ରତି ତା’ର ସବୁ ଅଭିମାନ, ବିରାଗ ଆଜି କୁଆଡ଼େ ଉଭେଇ ଗଲା । ରହିଲା କେବଳ ସେହି ଅତୀତ କାଳର ଦରଫୁଟା ପ୍ରୀତି ମୁକୁଳଟି, ଯାହାର ବିକାଶପାଇଁ ତା’ର ଅନ୍ତରରେ ଆଜି ମଳୟ ବହୁଛି, ପଲ୍ଲବି ଥରୁଛି, କୋକିଳ ଗାଉଛି । ସେହି ମୁକୁଳର ମାଦକଭରା ଗନ୍ଧ ବାସନ୍ତୀକୁ ପାଗଳ କରିପକାଲଲା–ମୁକ୍ତ ପ୍ରେମାବେଗରେ ତା’ ଅନ୍ତର ଉଚ୍ଛ୍ୱସିତ ହୋଇଉଠିଲା ।

 

–ଛବିଶି–

 

ସକାଳ ସାତଟା ଆଠଟାବେଳେ ସୁନୀତି ଖଣ୍ଡେ ସାନ ଚୌକି ପକାଇ ସାନ ବଗିଚାଟିରେ ବସିଥିଲା । ଅଦୂରରେ ତାନପୂରାର ମୃଦୁ ଗୁଞ୍ଜନ ଶୁଣାଗଲା । ସୁନୀତି ଫାଟକ ପାଖକୁ ଆସି ଦେଖିଲା, ତା’ର ପୁରୁଣା–ବନ୍ଧୁ ଫକୀର ସାହେବ ଆସୁଛନ୍ତି । ଫକୀର ସାହେବ ବାଗ୍‌ବାଦ୍‌ବାସୀ ମୁସଲମାନ–ଅନେକ ଦିନରୁ ଓଡ଼ିଶାକୁ ନିଜର ମାତୃଭୂମି କରି ନେଇଅଛନ୍ତି । ଭିକାରୀ ବୃଦ୍ଧ ବହୁକାଳରୁ ଅନ୍ଧ । ଗୋଟିଏ ଛୋଟପିଲା ତାଙ୍କ ହାତ ଧରି ତାଙ୍କୁ ଏଣେତେଣେ ଘେନିଯାଏ ।

ଫାଟକ ସାମ୍ନାରେ ଠିଆହୋଇ ଫକୀର ତାନପୂରା ବଜାଇବାକୁ ଲାଗିଲେ । ସୁନୀତି ତାଙ୍କୁ ବୈଠକଖାନା ଭିତରକୁ ଡାକିନେଲା ଏବଂ ଗୋଟିଏ ଚୌକିରେ ବସାଇ କହିଲା, ‘‘ଓସ୍ତାଦ୍‌ଜୀ, ଆଜି ଗୋଟିଏ ନୂଆ ଗୀତ ଗାଆନ୍ତୁ ।’’ ଓସ୍ତାଦ୍‌ଜୀ ଉତ୍ତର ଦେଲେନାହିଁ–କେବଳ ପରିତୋଷର ଶୁଭ୍ର ହାସ୍ୟରେ ତାଙ୍କର ଶୁଭ୍ର ଶ୍ମଶ୍ରୁ ଉଜ୍ଜ୍ୱଳ ହୋଇଉଠିଲା । ସେ ଏକ ମନରେ କିଛିକ୍ଷଣ ତାନପୂରା ବଜାଇ ଗୋଟିଏ ଉର୍ଦ୍ଧୁଗୀତ ଗାଇଲେ, ‘‘ପ୍ୟାରିରେ, ମୁଁ ତ କବି ନୁହେଁ–ଗାୟକ ମଧ୍ୟ ନୁହେଁ । କିପରି ତୋର ରୂପ ଗୁଣ ବର୍ଣ୍ଣନା କରିବି ? ....ମୁଁ ଆଜି ଦୀନ ଭିଖାରୀ, କିନ୍ତୁ ମୁଁ ଯଦି ସମରଖନ୍ଦ୍‌ ଓ ବୁଖାରାର ମଧ୍ୟ ସମ୍ରାଟ ହୋଇଥାନ୍ତି, ତେବେ ତୋ ଲାଗି ମୁଁ ସେ ସବୁ ରାଜ୍ୟ ତ୍ୟାଗ କରନ୍ତି । ତୋତେ ସଙ୍ଗରେ ଘେନି ମୁଁ ଗଭୀର ବନକୁ ଚାଲିଯାଆନ୍ତି–ସେଠାରେ ତୋର ସ୍ପର୍ଶରେ କଣ୍ଟାଗଛରେ ଗୋଲାପ ଫୁଟନ୍ତା, ଖଜୁରୀ ଗଛରୁ ସିରାଜୀ ଝରନ୍ତା । ଫିରଦୌସ୍‌ କିପରି ସ୍ଥାନ ମୁଁ ତାହା ଜାଣେନାହିଁ, କିନ୍ତୁ ତୁ ମୋ ସଙ୍ଗରେ ଥିଲେ ମୁଁ ଯେଉଁଠାକୁ ଯାଆନ୍ତି, ସେଠାରେ ଫିର୍‌ଦୌସ୍‌ ରଚନା କରନ୍ତି । ତୁ କ’ଣ ଆଉ ଦେଖା ଦେବୁନାହିଁ ? ମୋର ଏ ପ୍ରତୀକ୍ଷା କ’ଣ ଆଉ ଶେଷ ହେବନାହିଁ ?’’ ଅଶୀତିପର ବୃଦ୍ଧ ଫକୀର ଏ ସଂଗୀତ ଗାଉ ଗାଉ ବେଳେ ବେଳେ ବିହ୍ୱଳ ହୋଇଯାଉଥାନ୍ତି–ଦୁଇ ଧାରରେ ତାଙ୍କ ଆଖିରୁ ଲୁହ ଗଡ଼ି ପଡ଼ୁଥାଏ । କେତେବେଳେ ବା ଆନନ୍ଦରେ ଆତ୍ମବିସ୍ମୃତ ହୋଇ ସେ ବିସ୍ମିତ ବଦନରେ ଦୂରକୁ ଚାହିଁ ରହୁଥାଆନ୍ତି । ବୃଦ୍ଧ ଫକୀରଙ୍କ କଣ୍ଠରେ ସୁନୀତି ଏଭଳି ପ୍ରେମର ସଂଗୀତ ଶୁଣୁ ଶୁଣୁ ମୁଗ୍ଧ ହୋଇଯାଉଥାଏ । ଯାହାର ଚିରନ୍ତନ ପ୍ରତୀକ୍ଷାର ବେଦନା ଏ ସଂଗୀତରେ ମୂର୍ତ୍ତି ହୋଇଛି, ସେ ନିଜର ମନେ ମନେ ସେହି ପ୍ରେମିକର ଚିତ୍ର ଆଙ୍କୁ ଥାଏ ।

ସଂଗୀତଚର୍ଚ୍ଚା କିଛିକ୍ଷଣ ଚାଲିଲା । ସୁନୀତି କହିଲା, ‘‘ଓସ୍ତାଦ୍‌ଜୀ, ଆଜି ଖରା ମାଡ଼ି ଆସିଲାଣି । ଆଉ କୁଆଡ଼େ ଯାଆନ୍ତୁନାହିଁ । ଆମରି ଏଠି ଖାଆନ୍ତୁ ।’’ ଫକୀର ଉତ୍ତର ଦେଲେନାହିଁ, ନୀରବରେ ବସିବାକୁ ଲାଗିଲେ । ତାଙ୍କର ଦୃଷ୍ଟିହୀନ ଚକ୍ଷୁ ଦିଓଟି ଉଜ୍ଜ୍ୱଳ ହୋଇ ଉଠିଲା । ତାଙ୍କର ପଥ ପ୍ରର୍ଦଶକ ଟୋକାଟି ବାହାରକୁ ଅନାଇଥିଲା, ହଠାତ୍‌ କହିଲା, ‘‘ତଶରିଫ୍‌ ଲିଜିୟେ, ବାବୁଜୀ ।’’ ସୁନୀତି ବାହାରକୁ ଆସି ଦେଖିଲା, ରମେଶ ନୀରବରେ ବାରଣ୍ଡାରେ ଛିଡ଼ା ହୋଇଛି । ଅପ୍ରତ୍ୟାଶିତ ଭାବରେ ରମେଶକୁ ଦେଖି ନିଜର ଅଜ୍ଞାତରେ ତା’ର ମୁଖ ଉଜ୍ଜ୍ୱଳ ହୋଇଉଠିଲା । ସେ କିଛି ନ କହି କିଛିକ୍ଷଣ ରମେଶ ମୁହଁକୁ ଚାହିଁ ହସିବାକୁ ଲାଗିଲା । ରମେଶ କହିଲା, ‘‘ବାଃ, ବେଶ୍‌ ଲୋକ ତ ! ଭଦ୍ରଲୋକ ଏଠି ଛିଡ଼ା ହୋଇଛି, ଆଉ ଏ କେବଳ ହସୁଛନ୍ତି !’’

ସୁନୀତି ଦୁଷ୍ଟ ହସ ହସି କହିଲା, ‘‘ଓଃ, ଭାରୀ ତ ଭଦ୍ରଲୋକ ! ଭଦ୍ରଲୋକଙ୍କୁ ଏଠି ଛିଡ଼ାହେବାକୁ କିଏ କହିଥିଲା ?’’

‘‘ହଠାତ୍‌ ଘର ଭିତରକୁ ଯାଇ ତୁମର ସଂଗୀତାଳାପରେ ବାଧା ଦେବାଟା ସୁରୁଚିର ପରିଚୟ ହୁଅନ୍ତା ପରା !’’ –ରମେଶ ଆସ୍ତେ ଆସ୍ତେ ଘର ଭିତରକୁ ଗଲା, ସୁନୀତି ତା’ ପଛେ ପଛେ ଘର ମଧ୍ୟରେ ପ୍ରବେଶ କଲା ।

‘‘ବଉଳ ଘରକୁ କେବେ ଯିବ ଠିକ୍‌ କଲ ?’’

‘‘ଏବେ ତ ଆଉ ତାହା ବଉଳ ଘର ନୁହେଁ, ସୁନୀତି, ଦେବବ୍ରତବାବୁଙ୍କ ଘର !’’–ଦୁହେଁଯାକ ଖବର ନେଇ ଜାଣିଥିଲେ, ସତକୁ ସତ, ଖଣ୍ଡେ କ’ଣ ଚିଠି ପଢ଼ି ଦେବବ୍ରତ ବାସନ୍ତୀକୁ ଅବିଶ୍ୱାସିନୀ ବୋଲି ଘରୁ ବାହାର କରି ଦେଇଛି । ଘଟଣାଟା ରମେଶକୁ ବଡ଼ ବାଧିଥିଲା । ରମେଶ କଥାର ଅର୍ଥ ହୃଦୟଙ୍ଗମ କରି ସୁନୀତି କିଛିକ୍ଷଣ ଚୁପ୍‌ ହେଲା, ପୁଣି ପଚାରିଲା–

 

‘‘ସତେ କେବେ ଯିବ ?’’

 

‘‘ଆଜି ଦିନ ଗାଡ଼ିରେ ।’’

 

‘‘ମତେ ସଙ୍ଗରେ ନେଇ ଚାଲ ।’’

 

‘‘ପାଗଳ ହେଲ–ତୁମକୁ ସଙ୍ଗରେ ନେଇଗଲେ ଲୋକେ କ’ଣ କହିବେ ?’’

 

ସୁନୀତି ଓଠଫୁଲାଇ ଅଭିମାନ କ୍ଷୁବ୍ଧ କଣ୍ଠରେ କହିଲା, ‘‘ତୁମେ ଯେ ଲୋକଙ୍କ କଥାକୁ କାହିଁକି ଏତେ ଭୟ କର, ମୁଁ ବୁଝିପାରୁନାହିଁ । ଲୋକେ ଖାଲି ନିନ୍ଦା କଲାବେଳକୁ ଶତଜିହ୍ୱ ହୁଅନ୍ତି, ଏହା କ’ଣ ତୁମେ ଜାଣନା ?’’

 

‘‘ବାପ୍‌ରେ ବାପ୍‌, ତୁମେ ଯେ ତର୍କ ଆରମ୍ଭ କଲ ! ତର୍କ କରିବାର ବେଳନାହିଁ, ସୁନୀତି । ଗାଡ଼ିବେଳ ହେଲାଣି । ମୁଁ ଖାଲି ଦେଖାକରିବାକୁ ଆସିଥିଲି । ମା’ କାହାନ୍ତି ?’’

 

‘‘ଥାଉ, ଥାଉ, ସେ ସବୁ ଚଲାଖି ଥାଉ । ଗାଡ଼ିବେଳ ଢେର ଡେରି ଅଛି । ତୁମେ ବସିବଟି ।’’–ସୁନୀତି ବଳପୂର୍ବକ ରମେଶକୁ ଗୋଟାଏ ଚେୟାରରେ ବସାଇଦେଲା । ଦୁହେଁଯାକ ବସିଲାରୁ ଫକୀର ସାହେବ ପୁଣି ଗାଇବାକୁ ଲାଗିଲେ ।

 

ଡାକବାଲା ଫାଟକ ପାଖରେ ଡାକିଲା–‘‘ଚିଠି ନିଅ ।’’ ସୁନୀତି ଦୌଡ଼ି ଯାଇ ଡାକବାଲାଠାରୁ ଦୁଇଖଣ୍ଡ ଚିଠି ଆଣିଲା । ଦେଖିଲା, ଖଣ୍ଡେ ତାହାର, ଉପରେ ବାସନ୍ତୀର ହାତ ଲେଖା ଠିକଣା; ଆଉ ଅନ୍ୟ ଖଣ୍ଡକ ରମେଶର, ଦେବବ୍ରତ ହସ୍ତାକ୍ଷରରେ ଠିକଣା ଲେଖା ହୋଇଛି । ଦେବବ୍ରତ ରମେଶକୁ ସୁନୀତିର ‘କେଆର’ରେ ଚିଠି ଲେଖି ଲଫାଫାର ଗୋଟିଏ କଣରେ ଲେଖି ଦେଇଛି–‘‘ରମେଶବାବୁ କଟକରେ ନଥିଲେ ସେ ଯେଉଁଠାରେ ଥିବେ, ସେଠାକୁ ଏହା ପଠାଇଦେବେ ।’’ ଉଭୟ ପରମ ଆଗ୍ରହରେ ନିଜ ନିଜର ଚିଠି ପଢ଼ିଲେ । ବାସନ୍ତୀ ସୁନୀତିକୁ ଲେଖିଛି ଅତି ସାନ ଚିଠିଟିଏ ।

 

‘‘ପ୍ରାଣର ବଉଳ ମୋର,

 

ଭୁଲଯା, ଭୁଲିଯା...ଏ ଅଭାଗିନୀକୁ ଭୁଲିଯା । ମୁଁ କୁଆଡ଼େ ଅବିଶ୍ୱାସିନୀ–ମୋ ନାଁ ଶୁଣିଲେ ସତୀ କାନରେ ହାତ ଦେବେ ! ବୁଝିଲୁ ? ମୁଁ ଆଜି ରାଜପଥରେ । ନାରୀକୁ ରାଜପଥ ଯେତେ ରକମରେ ହାତଠାରେ, ମୁଁ ସେ ସବୁ ହାତଠରା ଦେଖୁଛି । ବଉଳ ! ସ୍ଥିର ହୋଇ ଭାବୁଛି; କି ଅଦ୍ଭୁତ ମୁଁ, କି ଅଦ୍ଭୁତ ଏ ଦୁନିଆ ! ମୁଁ କେଉଁଠି ଯଦି ତାହା ଜାଣିବା ତୋର ଦରକାରନାହିଁ, କାହାରି ଦରକାରନାହିଁ ବୋଧହୁଏ । ଯଦି ତୋତେ କଳଙ୍କ ନ ଲାଗେ, ରମେଶବାବୁ ଯଦି ଏ କଳଙ୍କିନୀ ସହିତ ତୋର ସମ୍ପର୍କ ଅନୁଚିତ ମନେ ନ କରନ୍ତି, ତେବେ ଚିଠି–ନା, ନା, ଚିଠି ଦେବାର କିଛି ଦରକାରନାହିଁ । ମୋତେ ତୋର ସ୍ମୃତିପଟରୁ ପୋଛି ପକାଇବୁ ।

 

ସ୍ନେହର

ବାସନ୍ତୀ ।’’

 

ସୁନୀତି ଦୀର୍ଘନିଶ୍ୱାସ ତ୍ୟାଗ କଲା । ହାୟରେ, ଚିଠିଟାରେ ଠିକଣାମଧ୍ୟନାହିଁ, ଲଫାଫା ଉପରେ ମୋହର ବି ଆର୍‌ ଏମ୍‌. ଏସ !

 

ରମେଶ, ମଧ୍ୟ ଦେବବ୍ରତର ଚିଠି ପଢ଼ିଲା ।

 

‘‘ରମେଶ ଭାଇଟି ମୋର,

 

ତୁମେ ବୋଧହୁଏ ସବୁ ଶୁଣିଛ । ମୁଁ କେଡ଼େ ଅପରାଧୀ, ତାହା ନିଜର ଅନ୍ତରେ ଅନ୍ତରେ ଅନୁଭବ କରୁଛି । କ୍ଷମାର ଅଯୋଗ୍ୟ ମୁଁ ।

 

ଭାବିଥିଲି, ସେ ମୋର ଜୀବନର କଣ୍ଟକ । ତାକୁ ଘରୁ ତଡ଼ି ଦେଲେ ମୋର ଜୀବନ–ପଥ କଣ୍ଟକଶୂନ୍ୟ ହେବ; କିନ୍ତୁ ତାହା ତ ହେଲାନାହିଁ । ତାକୁ ଘରୁ ତଡ଼ିଦେଲି ସତ; କିନ୍ତୁ ଅନ୍ତରରୁ ତଡ଼ିଦେଇ ପାରିଲିନାହିଁ ତ ! ସେ ଯେ ମୋ ଜୀବନ ସହିତ ଏଭଳି ନିବିଷ୍ଟଭାବରେ ଗୁନ୍ଥୀ ରହିଛି, ମୂଢ଼ ମୁଁ, ତାକୁ ତଡ଼ି ଦେଲାବେଳେ ତାହା ବୁଝିପାରି ନଥିଲି । ସେ ଗଲାପରେ ତା’ର ଅଶ୍ରୁସିକ୍ତ ଆଖି ଦିଓଟି ସବୁବେଳେ ମୋ ଆଖିଆଗରେ ଖେଳି ଯାଉଥାଏ । ସ୍ୱପ୍ନରେ, ଜାଗରଣରେ ମୁଁ ଖାଲି ଦେଖିବାକୁ ଲାଗିଲି, ସେ କରୁଣ ଦୃଷ୍ଟିରେ ମୋ ଆଡ଼କୁ ଚାହିଁ ରହିଛି, ବେଳେ ବେଳେ କାତର ଭାବରେ ପଚାରୁଛି, ‘‘ମୁଁ ଅବିଶ୍ୱାସିନୀ, ପ୍ରିୟତମ ?’’ ମୁଁ ସେ ଚାହାଣୀ ସହ୍ୟ କରି ନ ପାରି ନାନାକାର୍ଯ୍ୟରେ ବୁଡ଼ି ରହିବାକୁ ଚେଷ୍ଟା କଲି, ନିଜର ଅନ୍ତର ବେଦନାକୁ ବାହାର କାର୍ଯ୍ୟର ଗୋଟାଏ ମିଥ୍ୟା ଆବରଣରେ ଘୋଡ଼ାଇବାକୁ ଚେଷ୍ଟା କଲି, ହେଲାନାହିଁ ! ଚାରିଆଡ଼େ ବାସନ୍ତୀର ମୂର୍ତ୍ତି ସହସ୍ର ରୂପ ଧରି ମୋ ସମ୍ମୁଖରେ ବୁଲିବାକୁ ଲାଗିଲା, ‘‘ମୁଁ ଅବିଶ୍ୱାସିନୀ ବୋଲି ସତେ ତୁମେ ବିଶ୍ୱାସ କର-?’’ ମୁଁ ଏ ପ୍ରଶ୍ନର ଉତ୍ତର ଖୋଜି ପାଇଲିନାହିଁ ।

 

ସେ ଥିଲାବେଳେ ଯେଉଁମାନେ ସହସ୍ର ରକମରେ ତାହାର ନିନ୍ଦା କରୁଥିଲେ, ସେ ଗଲାପରେ ସେହିମାନେ ଉଚ୍ଛ୍ୱସିତ ଭାବରେ ତାହାର ପ୍ରଶଂସା କରିବାକୁ ଲାଗିଲେ, ‘‘ଏମିତି ସୁନା ବୋହୂ କୋଟିକେ ଗୋଟିଏ ମିଳେନାରେ, ବାପା ! ତୁ ଏଡ଼େ ଭଲ ପିଲା–ତୁ ୟା କରିବୁ ବୋଲି ଆମେମାନେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲୁ ।’’ ଏହି ଲୋକଗୁଡ଼ାଙ୍କ ଭାଣ୍ଡପଣିଆରେ ମୋ ଦେହ ଜଳି ଯାଉଥାଏ ସତ, କିନ୍ତୁ ମୋର ଆତ୍ମଗ୍ଳାନି ବଢ଼ିଯାଉଥାଏ, ଭାଇ ।

 

ସବୁଠୁ ବିଷମ ହେଲେ ବୋଉ । ସେ ରାଗରେ କିଛିଦିନ ଜଳି ଉଠିଲେ; କିନ୍ତୁ ଏବେ କେତେଦିନ ହେଲା ଶଯ୍ୟା ଆଶ୍ରୟ କଲେଣି । ମଝିରେ ମଝିରେ ତାଙ୍କୁ ଜ୍ୱର ହେଉଛି । ରୋଗର ପ୍ରଭାବରେ ସେ ବେଳେ ବେଳେ ପ୍ରଳାପ ବକନ୍ତି–‘ମୋ ନୟନମଣି ବାସ, ମୋ ବୋହୂ, ଆ ମା’ ଆ-। ମୋ କୋଳକୁ ଆ । ସେ ଦୁଷ୍ଟ ପାଖକୁ ଆଉ ଯାଆନା–ମୋ କୋଳରେ ବସ୍‌, ଆ ।’ ମୁଁ ଏ ସବୁ ଦେଖି ହତବୁଦ୍ଧି ହୋଇଗଲିଣି । ମୋର ମନେହେଉଛି, ତା’ର ଅଭାବ ମୋଠୁ ଏମାନେ ବେଶି ଅନୁଭବ କରୁଛନ୍ତି । ଯେଉଁ ସନିଆମା ତା’ର ଶ୍ରୀ ଦେଖିପାରୁ ନଥିଲା, ସେ ତା’ପାଇଁ ଦିନରାତି କାନ୍ଦୁଛି । ଭାଇ ରମେଶ, ମୁଁ ଏ କେତେଦିନ ହୃଦୟରେ କି ବୃଶ୍ଚିକଦଂଶନ ଅନୁଭବ କରୁଛି, ତାହା ବର୍ଣ୍ଣନା କରିବାର ଶକ୍ତି ମୋରନାହିଁ । ମାତ୍ର ଭଗବାନ ମୋର ଅନୁଶୋଚନାକୁ ଯଥେଷ୍ଟ ମନେକରୁନାହାନ୍ତି । ବାସନ୍ତୀ ବିନା ଏ ଘର ମତେ ଶ୍ମଶାନ ଭଳି ମନେହେଉଛି । ଏ ଶ୍ମଶାନ-ପୁରୀରେ ଭୂତାବିଷ୍ଟ ଭଳି ଚାରିଆଡ଼େ ବୁଲୁ ବୁଲୁ ଦିନେ ବାରଣ୍ଡା କଣରେ ଦୁଇ ତିନି ଖଣ୍ଡ ଛିଣ୍ଡା କାଗଜ ଦେଖିଲି । ପଢ଼ି ବୁଝିଲି, ମୁଁ ଯେଉଁ ଚିଠିର ଗୋଟାଏ ଅଂଶକୁ ପଢ଼ି ବାସନ୍ତୀକୁ ଅବିଶ୍ୱାସିନୀ ମନେକରିଥିଲି, ଏ କାଗଜଗୁଡ଼ିକ ତା’ର ଅନ୍ୟାନ୍ୟ ଅଂଶ । ମୁଁ ଯେଉଁ ଚିଠିକୁ ବାସନ୍ତୀର ପ୍ରଣୟପତ୍ର ଭାବିଥିଲି, ଏ ଅଂଶଗୁଡ଼ିକ ପଢ଼ି ବୁଝିଲି, ସେ ଚିଠି ତାହାର କେଉଁ ‘ସ୍ନେହର ଭାଇଟି’ ପାଖକୁ ଲେଖା-। ପ୍ରଥମେ ‘ଦୁଃଖିନୀ ଭଉଣୀଟିକୁ ଏତେ ଶୀଘ୍ର ଭୁଲିଗଲ’ ଇତ୍ୟାଦିରୂପେ ଅଭିମାନ ପ୍ରକାଶ କରି ବାସନ୍ତୀ ଲେଖିଛି, ‘ଭାଇ, ତୁମ ଛଡ଼ା ଦୁନିଆରେ ମୋର ଆଶ୍ରୟସ୍ଥଳ ଆଉ କେହିନାହିଁ । ଯାହାଙ୍କ ହୃଦୟରେ ସ୍ଥାନ ଲାଭ କରି ନିଜକୁ ଧନ୍ୟ ମନେକରିଥିଲି, ସେ ତ ପ୍ରତ୍ୟେକ ମୁହୂର୍ତ୍ତରେ ମୋତେ ଅନାଦର କରୁଅଛନ୍ତି, ମୋର ମନୁଷ୍ୟତ୍ୱକୁ ଅପମାନ କରୁଅଛନ୍ତି । ତୁମେ ମୋତେ ଉଦ୍ଧାର ନ କଲେ କିଏ ମୋର ଆଶ୍ରା ହେବ ? ଏହା ତଳେ ଲେଖା ଅଛି, ‘ତୁମର ସାନ ଭଉଣୀ ବାସନ୍ତୀ ।’ ଏହା ଜାଣିଲା ପରେ ମୋର ଅନୁତାପ କେତେ ପରିମାଣରେ ବୃଦ୍ଧି ପାଇଛି, ତୁମେ ତାହା ବେଶ ଅନୁମାନ କରିପାରୁଥିବ । ମୁଁ କେତେ ଭାବୁଛି, କିଛି ସ୍ଥିର କରିପାରୁନାହିଁ । ବାସନ୍ତୀର ଯେ ସତକୁ ସତ କୌଣସି ‘ଭାଇ’ ଥିଲା, ତାହା ତ ମୁଁ କେବେ ଜାଣି ନଥିଲି । ତୁମେ କ’ଣ ତାହାର କୌଣସି ଭ୍ରାତୃସ୍ଥାନୀୟ ଆତ୍ମୀୟଥିବାର ଜାଣ ?

 

ମୁଁ ବାସନ୍ତୀ ଭଳି ନିରପରାଧୀକୁ କି ପାଶବିକ ଦଣ୍ଡ ଦେଇଛି, ତାହା ଭାବିଲାବେଳକୁ ମୋର ସାରା ଦେହ ଶୀତେଇ ଉଠୁଛି । ସେ କେଉଁଠି ଅଛି, ଜାଣେନାହିଁ, ଜାଣିପାରିବାର ଉପାୟ ମଧ୍ୟ କିଛି ଦେଖୁନାହିଁ । ଭାଇ, ମୋର ତଥାପି ମୋର ମନେହେଉଛି, ସେ ମୋ ଉପରେ ରାଗିନାହିଁ-। ମୁଁ ଅନୁଭବ କରୁଛି, ସେ ଯେପରି ମୋର ମଙ୍ଗଳପାଇଁ ସବୁବେଳେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି । ତା’ର ଅନବସ୍ଥାନରେ ତା’ର ମହତ୍ତ୍ୱ ମୋ ଦୃଷ୍ଟିରେ ଶତଗୁଣରେ ବୃଦ୍ଧିପାଇ ମୋ ବିବେକକୁ ବାରମ୍ବାର ଆଘାତ କରୁଛି, ମୋତେ ବିକଳ କରିପକାଉଛି ।

 

ସୁନୀତି ଦେବୀ ଏ ସବୁ ଶୁଣି ମୋତେ ଘୃଣା କରିବେ ନିଶ୍ଚୟ । ହଁ, ମୁଁ ଘୃଣାର ପାତ୍ର । ମୁଁ ଜାଣେ, ତାଙ୍କର ସଙ୍ଗୀନି ପ୍ରତି ମୁଁ ଯେଉଁ କୁବ୍ୟବହାର କରିଛି, ତାହା ଅମାର୍ଜନୀୟ । ତାଙ୍କୁ କେବଳ ଏତିକି କହିବ, ସାରା ଜୀବନବ୍ୟାପୀ ଅନୁଶୋଚନାର ଅଗ୍ନିପରୀକ୍ଷାଦ୍ୱାରା ପ୍ରାୟଶ୍ଚିତ କଲେ ସେ କ’ଣ ମୋତେ କ୍ଷମା କରିବେନାହିଁ ? ତୁମେ ଦୁହେଁ ମୋପାଇଁ ଭଗବାନଙ୍କ ପାଖରେ କୃପା ଭିକ୍ଷା କରିବ, ରମେଶ । ମୋର କଳୁଷିତ ହୃଦୟର କାତର ପ୍ରାର୍ଥନା ସେ ଯଦି ନ ଶୁଣନ୍ତି, ଭରସା ଅଛି, ତୁମ ଦୁହିଁଙ୍କ ପବିତ୍ର ହୃଦୟର ଗୁହାରୀ ସେ ଶୁଣିବେ ।

 

ବିଦାୟ, ଭାଇ ରମେଶ, ବିଦାୟ । ମୋ ସହିତ ତୁମର ବୋଧହୁଏ ଆଉ ଦେଖା ହେବନାହିଁ ! ଯଦି ନ ହୁଏ, କ୍ଷତି କ’ଣ ? ମୋ ଭଳି ବନ୍ଧୁର ଜୀବନ ତୁମର ପବିତ୍ର ଓ କର୍ମମୟ ଜୀବନର ସ୍ମୃତିପଟରେ କେବଳ ଗୋଟାଏ ଦୁଃଖସ୍ୱପ୍ନ ପରି ଲେଖାରହିବ ସିନା !

 

ତୁମର ଅଧମ ବନ୍ଧୁ

ଦେବବ୍ରତ ।’’

 

ରମେଶ ଚିଠି ଖଣ୍ଡିକ ପଢ଼ି ସ୍ତବ୍ଧ ହୋଇଗଲା । ସୁନୀତି ରମେଶଠାରୁ ଦେବବ୍ରତର ଚିଠିଖଣ୍ଡିକ ନେଇ ପଢ଼ିଲା ଓ ରମେଶକୁ ବାସନ୍ତୀର ଚିଠି ପଢ଼ିବାକୁ ଦେଲା । ଉଭୟ କିଛିକାଳ ନିର୍ବାକ୍‌ ହୋଇଗଲେ । କଲ୍ୟାଣୀ ସବୁ ଶୁଣି ସାମାନ୍ୟ ହସିଲେ ଓ ଅବିଚଳିତ କଣ୍ଠରେ କହିଲେ, ‘‘ତୁମେ ସବୁ ଏତେ ବିଚଳିତ ହୁଅନା । ସତେ ଯଦି ବାସନ୍ତୀ ଘରୁ ବାହାରି ଯାଇଥାଏ, ତଥାପି ବିଚଳିତ ହେବାର କିଛିନାହିଁ । ସେମାନେ ପୁଣି ମିଳିତ ହେବେ । ସେମାନଙ୍କ ଜୀବନରେ କଲ୍ୟାଣ ଅକଲ୍ୟାଣ ରୂପ ଧରି ଆସିଛି । ଭୟନାହିଁ !’’

 

ଦେବବ୍ରତର ଚିଠିର ଶେଷ ଅଂଶଟି ଉପରେ ପୁନର୍ବାର ଦୃଷ୍ଟି ପଡ଼ିବାରୁ ରମେଶ ନିଜର ଅଜ୍ଞାତରେ ଚମକିପଡ଼ିଲା । “ମୋ ସହିତ ତୁମର ବୋଧହୁଏ ଆଉ ଦେଖା ହେବନାହିଁ ”–ଏ କଥାର ଅର୍ଥ କ’ଣ ? ଦେବବ୍ରତ କ’ଣ ଆତ୍ମହତ୍ୟା କରିବ ? ନା, ନା, ସେ କ’ଣ ଏଡ଼େ ଦୁର୍ବଳ ! ରମେଶ କିଛିକ୍ଷଣ ପରେ ପୁଣି ଭାବିଲା, କେଜାଣି, କିଏ କହିପାରେ ? ଭ୍ରାନ୍ତ ହୃଦୟାବେଗର ବଶବର୍ତ୍ତୀ ହୋଇ ଯେଉଁ ଦେବବ୍ରତ ବାସନ୍ତୀ ଭଳି ସ୍ତ୍ରୀକୁ ପରିତ୍ୟାଗ କରିପାରେ, ତା’ ପକ୍ଷରେ ତ କିଛି ଅସମ୍ଭବ ନୁହେଁ !

 

କଲ୍ୟାଣୀଙ୍କ ପାଦଧୂଳି ଘେନି ରମେଶ ତରତର ହୋଇ ବାହାରି ଗଲା । ତାହାର ସାଇକେଲରେ ଜଳଖିଆ ପାତ୍ରଟି ବାନ୍ଧି ଦେଉଁ ଦେଉଁ ସୁନୀତି କହିଲା, “ମୋ ରାଣ, ତାଙ୍କ ଘରେ ପହଞ୍ଚିଲା ମାତ୍ରକେ ମୋତେ ଚିଠି ଲେଖିବ । ମୁଁ ଚାତକ ଭଳି ଚାହିଁ ରହିଲି ।” ସେଦିନ ରାତିରେ ବଉଳ କଥା ଭାବି ଭାବି କେତେଥର ସୁନୀତି ଅଶ୍ରୁଜଳରେ ତା’ର ବକ୍ଷ ସିକ୍ତ କଲା, କେତେଥର ହାରମୋନିୟମ୍ ବଜାଇ କରୁଣସ୍ଵରରେ ଗୀତ ଗାଇଲା ।

 

–ସତେଇଶି–

 

ଦେବବ୍ରତ ବାଲେଶ୍ଵରରୁ ବଡ଼ ବଡ଼ ଡାକ୍ତର ଓ ସିଭିଲ୍ ସର୍ଜନଙ୍କୁ ନେଇ ବୋଉଙ୍କ ଚିକିତ୍ସା ବିଷୟରେ ପରାମର୍ଶ କରିଥିଲା । ସେମାନେ ସବୁ ହାଲ ଶୁଣି ମତ ଦେଲେ ଯେ, ରୋଗ ତାଙ୍କର ବେଶି ଭାଗ ମାନସିକ ଉତ୍ତେଜନା ଓ ଉଦ୍‌ବେଗ ଯୋଗୁଁ । ତାଙ୍କର ମନ ପ୍ରଫୁଲ୍ଲ ରଖିବାର ବ୍ୟବସ୍ଥା କରିବାକୁ ହେବ–ଆଉ କୌଣସି ସ୍ଵାସ୍ଥ୍ୟକର ସ୍ଥାନକୁ କିଛିଦିନ ପାଇଁ ଚାଲିଗଲେ ସଦ୍ୟ ଫଳଲାଭର ସମ୍ଭାବନା ।

 

ବାସନ୍ତୀ ଗଲାର କିଛିଦିନ ପରେ ଦେବବୋଉଙ୍କୁ ଜ୍ଵର ଧରିଲା–ଘନ ଘନ ଜ୍ଵର ହୋଇ ଶେଷକୁ ମୂର୍ଚ୍ଛା ରୋଗ ଓ ତା’ର ସମସ୍ତ ଆନୁଷଙ୍ଗିକ ଉପସର୍ଗମାନଙ୍କ କବଳରେ ସେ ବର୍ତ୍ତମାନ ଶଯ୍ୟାଶାୟୀ । ଏଡ଼େ ବଡ଼ ସୁସ୍ଥ ସବଳ ମୂର୍ତ୍ତିଟି ସତେ ଯେମିତି ବିଛଣାରେ ଲାଗିଗଲା ଭଳି ହୋଇଚନ୍ତି । ଆଗର ଦୀପ୍ତି ଆଉ ନାହିଁ, ଦେଖିଲାବେଳକୁ ବିକଳ ଲାଗୁଛି ।

 

ଆଜି ସକାଳ । ଦେବବୋଉଙ୍କୁ ନିୟମ ମୁତାବକ ଔଷଧ ଖୁଆଇ ତାଙ୍କ ବିଛଣା ଝାଡ଼ିଝୁଡ଼ି ଦେଇ ପାଖରେ ବସି କପାଳରେ ହାତ ବୁଲାଉ ବୁଲାଉ କହିଲା, “ବୋଉ, ମୋ ସାଙ୍ଗରେ କେତେଥର ପୁରୀ ଭୁବନେଶ୍ଵର ବୁଲିଯିବୁ ବୋଲି ଜିଗର କରିଥିଲୁ, ଚାଲ ଭୁବନେଶ୍ଵର ଆଡ଼େ ମାସେ ଖଣ୍ଡେ ନେଇ ତତେ ବୁଲେଇ ଆଣିବି । ତୋ ଦିହବି ସେଠିକି ଗଲେ ଖୁବ୍ ଭଲ ବୋଧ ହେବ । ଏଠି ଏ ଗମ୍ଭୀରି ଘରଟା ଭିତରେ ପଡ଼ିରହି ବେଶି ମନ ଖରାପ ହଉଛି ତୋର ।”

 

ମୁହଁଟି ମଉଳେଇ ଦେଇ ସୁଭଦ୍ରାଦେଈ କହିଲେ, “ମୋର ତୀର୍ଥବ୍ରତ କରିବାର ସଉକ ଆଉ କ’ଣ ଅଛି ? ନା, ମତେ ତୋ ଭୁବନେଶ୍ଵର ସ୍ଵର୍ଗ ନେବ ? ମରଣ କ’ଣ ମୋ ଭଳି ପାପୀକୁ ଲୋଡ଼ି ଆସୁଛି ଯେ, ତୋ ମନରେ ଏଡ଼େ ଦକ ? ତାହେଲେ ତ ମୋର ସବୁ ଭୋଗ ପୂର୍ଣ ହୋଇଥାନ୍ତା–ଉଦ୍ଧାର ହୋଇଯାନ୍ତି ତମମାନଙ୍କଠୁଁ । ମୋ ଦିନ ତ ଅସରନ୍ତି ! ମରିଲେ ଏଇଠି ପଡ଼ି ମରିବି ।” ଏତିକିରେ ଦେବବ୍ରତ ଚୁପ୍ । ଆଉ ଜଳବାୟୁ ପରିବର୍ତ୍ତନ କଥା ତୁଣ୍ଡରେ ଧରିବାକୁ ତାହାର ସାହସ ହେଲାନାହିଁ । ନିଜର ସମସ୍ତ ଶକ୍ତି ଦେଇ କିପରି ବୋଉର ସେବା କରିବ, ଏଇ ହେଲା ତାହାର ପ୍ରଧାନ ଚିନ୍ତା । ଯାହା ଯୋଗୁଁ ତା’ର ଏତେ ଦଶା, ତା’ ଅଭାବଟା ଯେପରି ବୋଉ ନ ଜାଣୁ, ଏଥିପାଇଁ ସେ ଦିନରାତି ଜଗି ଚଳୁଥାଏ । କିନ୍ତୁ ମନର ଖଟ୍‌କା କ’ଣ ମୁଣ୍ଡ ଆଉଁସାରେ ଯାଏ ? କାନ୍ଥରେ ବାଡ଼ରେ, ଦୁଆର ପଞ୍ଜରରେ ବାସର ସକଳ ଆଖିଦିଓଟି, ବୋଉଙ୍କର ରୋଷ ଶୋକଭରା ଆଖି ଯୋଡ଼ିକ ଦେବବ୍ରତକୁ ଅନାଇ ବୁଲୁଥାନ୍ତି । ସତେ ଅବା ସେ ରୋଗଗ୍ରସ୍ତ ! ମନ କଥା ମନରେ ରଖି ସେ କେବଳ ଲାଗିଥାଏ ବୋଉଙ୍କ ସେବାରେ–ତାଙ୍କୁ ପ୍ରବୋଧ ଦେବାରେ ।

 

ଦେବବ୍ରତ ଜୀବନ ଉପରେ ମାସକେତୁଟା ଗୋଟାଏ ଯୁଗ ଭଳି ବିତି ଯାଇଛି–ତା’ ଜୀବନର ଗତି ଯେମିତି ବେତାଳିଆ ହୋଇପଡ଼ିଛି । ତା’ର ଉତ୍ସାହବ୍ୟଞ୍ଜକ କଥାବାର୍ତ୍ତା, ସରସ ହାସ୍ୟ ପରିହାସ–ତା’ର ରୂପକାନ୍ତିଯୁକ୍ତ ବଳିଷ୍ଠ ଦେହ, ସବୁକୁ ଯେମିତି ଗୋଟାଏ କଳା ପ୍ରପଞ୍ଚ ଢାଙ୍କି ପକାଉଛି । ଦେହ ମୁଣ୍ଡରେ ପ୍ରସାଧନ କଥା ଦୂରେଥାଉ, ମୁଣ୍ଡ ବାଳଗୁଡ଼ାକ ବଢ଼ି ଯାଇଛି–କୋଉଁ କାଳରୁ କ୍ଷୌରକର୍ମର ସମ୍ପର୍କନାହିଁ । ଚକ୍ଷୁତାରକାର ଦୀପ୍ତି ନିଭିଯାଇ କାହିଁ କୋଟରଗତ । ସେ କେବଳ ଗୋଟାଏ ହତଭାଗ୍ୟ ପୁରୁଷର ଚିହ୍ନ ପରି ଦିଶୁଛି । ଆଗ ଦେବବ୍ରତ ସାଥିରେ ଏବର ଦେବବ୍ରତର ପାର୍ଥକ୍ୟ ବଡ଼ ବେଶି । କୋଉଠିକୁ ଯିବା ଆସିବା ତ ଦୂରର କଥା, ବିଶେଷ ଦାୟରେ ନ ପଡ଼ିଲେ କଥା କହିବାକୁ ସୁଦ୍ଧା ସେ ଉତ୍ସାହ ବୋଧ କରେନାହିଁ । ନିଜର ଦୁଃଖର ହେତୁ କ’ଣ, ସେ ଯେ ହୃଦୟଙ୍ଗମ କରିପାରୁ ନଥିଲା, ଏ କଥା ନୁହେଁ; କିନ୍ତୁ ସେ ତା’ର ତୀବ୍ର ଅବେଗର ବଶବର୍ତ୍ତୀ ହୋଇ ଯେଉଁ କାର୍ଯ୍ୟଟି କରି ପକାଇଥିଲା, ସେହିଯୋଗୁରୁ ତା’ ପଛେ ପଛେ ଅପରିସୀମ ମନସ୍ତାପ ତାକୁ ଏପରି ଅଭିଭୂତ କରି ପକାଇଥିଲା ଯେ, ସେ ତା’ର ମାନସିକ ଅବସ୍ଥାରେ ସମୟୋପଯୋଗୀ କୌଣସି ସୁବ୍ୟବସ୍ଥା କରିପାରୁ ନଥିଲା । କ’ଣ କଲେ, କି ଉପାୟ ଅବଲମ୍ବନ କଲେ ଯେ ତା’ର ଜୀବନ ସୁଖମୟ ହୋଇପାରିବ–ମନର ଶାନ୍ତି ଆସିବ, ସେ କଥା ଆଜିଯାଏ ସ୍ଥିର କରିପାରି ନଥିଲା । ବୋଉଙ୍କ ଅସୁସ୍ଥତା ଦିନକୁ ଦିନ ବଢ଼ିବାର ଦେଖି ତା’ର ନିଜକୁ ନିଜେ ବୁଝିପାରିବା ଭଳି ଜ୍ଞାନ ଲୋପ ପାଇଥିଲା । ସବୁଠୁ ତାକୁ ଏଇ ପ୍ରଶ୍ନଟି ବେଶି ପୀଡ଼ିତ କରୁଥିଲା–ବୋଉ ପ୍ରତି ମୁଁ କ’ଣ ମୋର କର୍ତ୍ତବ୍ୟ କରିପାରିଛି ? ମୋ ଯୋଗୁରୁ ଗୋଟାଏ ଦିନ ତ ସେ ସୁଖରେ କଟାଇପାରିନାହିଁ ! କିନ୍ତୁ ମୋ କର୍ତ୍ତବ୍ୟର ପ୍ରତ୍ୟାଶା ନ ରଖି ତା’ର ପ୍ରତିଟି ଦିନ ସେ ମୋରି ସେବାରେ, ମୋରି ସ୍ଵାଚ୍ଛନ୍ଦ୍ୟପାଇଁ ତ ଖରଚ କରିଦେଇ ଆସିଛି ! ନା ସୁପୁତ୍ର, ନା ସୁଯୋଗ୍ୟ ସ୍ଵାମୀ ମୁଁ ! କେବଳ ଅପଦାର୍ଥଟିଏ !

 

ନିଜର ଅସାରତା ସେ ଯେତିକି ଯେତିକି ବୁଝୁଥିଲା, ନିଜ ପ୍ରତି ତା’ର ଅଶ୍ରଦ୍ଧା–ନିଜର ପୌରୁଷ ପ୍ରତି ଅନାସ୍ଥା, ଘୃଣା ତା’ର ସେତିକି ବଢ଼ି ଯାଉଥିଲା । କିନ୍ତୁ ଏହା ସତ୍ତ୍ୱେ ସେ ଏତିକିରେ କେବଳ ଆଶ୍ଵାସ ପାଉଥିଲା ଯେ, ସେ ତା’ର ସମଗ୍ର ପ୍ରାଣର ଯତ୍ନ ଓ ଶୁଭ ଇଚ୍ଛା ନେଇ ବୋଉର ସେବାରେ ପ୍ରତିମୁହୂର୍ତ୍ତକୁ ବ୍ୟୟ କରିବାର ସୌଭାଗ୍ୟ ପାଇଥିଲା–ଦୁଃଖର ଘନ ଅନ୍ଧକାରରେ ଏତିକି ଥିଲା ତା’ର ଆଲୋକ ରେଖା !

 

ସମୟ କାହାପାଇଁ ବସି ରହେନାହିଁ–ପୁଣି ଦୁଇମାସ ଗଡ଼ି ଗଲାଣି । ବୋଉଙ୍କର ବେରାମ ଯେତେ କଲେ ଭଲ ହେବାକୁନାହିଁ । ଅବସ୍ଥା ଅନୁମାନ କରି ଦେବବ୍ରତ ବେଶ୍ ବୁଝିଲା ଯେ, ବୋଉ ଆଉ ବେଶିଦିନ ବଞ୍ଚିବାର ଆଶା ରଖିବା ବୃଥା । ଏଥି ମଧ୍ୟରେ କେତେ ଲୋକଙ୍କୁ ପଚାରି, କେତେ ଚେଷ୍ଟା କରି ଆଜିଯାଏ ବାସନ୍ତୀର କିନାରା କରିପାରିଲାନାହିଁ, କିନ୍ତୁ ଏକଥା ବୋଉ ବା ବିଶ୍ଵାସ କରିବ କାହିଁକି ? ବୋଉର ଅବଶ୍ୟମ୍ଭାବୀ ମୃତ୍ୟୁ କଥା ଭାବିଲାକ୍ଷଣି ତା’ ଛାତିଟାଯାକ ଥରିଯାଏ । ଭୟସଙ୍କୁଚିତ ହୋଇ ଦେବବ୍ରତ ଆଉ ତେଣିକି ଭାବିବାକୁ ସାହସ ନ କରି ମନକୁ ପ୍ରବୋଧନା ଦେବାର ଉପାୟ ଖୋଜି ଫେରିଆସେ । କିନ୍ତୁ ନିଜକୁ ଭୁଲାଇ ପାରୁଛି କୁଆଡ଼େ ? ମନକୁ ଆଖିଠାରି ତା’ର ଯେ ତ୍ରାହିନାହିଁ !

 

ସେ ବେଳେ ବେଳେ ଭାବିବସେ, ତା’ର ପ୍ରାଣପାତ କରି ନିଜେ ଯାଇ ବାସନ୍ତୀକୁ ଆବିଷ୍କାର କରି ଆଣିବ–କିନ୍ତୁ ସଙ୍ଗେ ସଙ୍ଗେ ତା’ର ଉତ୍ସାହ ଝାଉଁଳି ଯାଏ, ଯେତେବେଳେ ଏକୁଟିଆ ପଡ଼ିଥିବା ବୋଉର ମୃତ୍ୟୁ–କରାଳ–ଛାୟାଚ୍ଛନ୍ନ ଦେହଟି ମୁହଁଟି ସେ ମାନସଚକ୍ଷୁରେ ଦେଖେ । ଆଉ ବା କେତେଟା ଦିନ ବଞ୍ଚିବ ବୋଉ ? ପନ୍ଦର କୋଡ଼ିଏ ଦିନରୁ ଅଧିକ ଯେ ବଞ୍ଚିବ, ବିଶ୍ୱାସ ହୁଏନାହିଁ-। ବୋଉକୁ ସେ ଛାଡ଼ିଦେଇ ବାସନ୍ତୀ ଅନ୍ଵେଷଣରେ ଗଲେ ଜୀଇଁ ଥାଉଁ ଥାଉଁ ବୋଉକୁ ସମାଧି ଦେଇ ଯିବା ଭଳି ହେବ । ଏତେ ସେବା, ଶ୍ରମ, ସବୁ ତା’ର ପଣ୍ଡ ହୋଇଯିବ । ପୁଣି ବାସନ୍ତୀକୁ ଯଦି ନ ପାଏ–ସେ ଚେଷ୍ଟା ବ୍ୟର୍ଥ ହୁଏ, ତେବେ ଦୁଇକୁଳ ନଷ୍ଟ ।

 

ଆଉ ଆସିବା ପର୍ଯ୍ୟନ୍ତ ବୋଉ ଯଦି ନଥାଏ–ଏଇ ଚିନ୍ତାଟିକୁ ମନରେ ଆଲୋଚନା କରି ସେ ତା’ ଘରେ ପଦଚାରଣା କରୁଥିଲା । ଧନିଆ ଖଣ୍ଡେ ଟେଲିଗ୍ରାମ ଆଣି ହାତରେ ଦେବାରୁ ତା’ର ଚିନ୍ତାର ସୂତ୍ର ହଜିଗଲା । ଆଗ୍ରହଭରେ ପଢ଼ି ଦେଖିଲା–ରମେଶ ଆସୁଛି ବୋଲି ତାର କରିଛି । ଧନିଆ ଆଜିକାଲି ବାବୁଙ୍କ ଦକ୍ଷିଣ ହସ୍ତସ୍ୱରୂପ । ମୁନିବ ଚାକରଙ୍କ ମଧ୍ୟରେ ଯେଉଁ ସ୍ଵାଭାବିକ ଭେଦରେଖା, ପରସ୍ପରଙ୍କ ଅଜଣାରେ ତାହା କୋଉଁ ଦିନୁ ନିଭି ଗଲାଣି । ଦେବବ୍ରତ ବୋଉର ଶୁଶ୍ରୁଷାରେ ବରାବର ନିୟୋଜିତ ଥାଏ । ଗଲା–ଅଇଲା, ଘର–ବାହାର କାମ ତଦାରଖ୍ କରିବା, ସମସ୍ତଙ୍କ ତତ୍ତ୍ଵ ନେବା ଭାର ଧନିଆ ଇଚ୍ଛାପୂର୍ବକ ନିଜ ଉପରେ ନେଇଛି । ଧନିଆର ବୋହୂ ସାଆନ୍ତାଣୀଙ୍କ ପାଇଁ କିଛି କମି ମନ ଗୋଳେଇ ହଉ ନଥିଲା । ଦେବବାବୁ କଟକରେ ଥିଲାବେଳେ ସେ କେତେଥର ବୋହୂ ସାଆନ୍ତାଣୀଙ୍କ ପାଖକୁ ବହିପତ୍ର, ଚିଠି ନେଇ ଆସେ–ବକ୍‌ସିସ୍ ନେଇଯାଏ-। ସାଆନ୍ତାଣୀ ଗାଳି ମନ୍ଦ କଲେ, ଦେବବାବୁ ରାଗ ହେଲେ ସେ କେତେ ବୁଝାଉଥିଲେ–ପଇସା ପତ୍ରଠାରୁ ଜାମା–ଲୁଗାଯାଏ କେତେ କ’ଣ ଲୁଚେଇ କରି ଦେଉଥିଲେ । ବେଳେ ବେଳେ ବୁଢ଼ୀ ସାଆନ୍ତାଣୀ ଜାଣିଲେ କହନ୍ତି–ଧନିଆ ଟୋକା ମୁହଁ ଦଶ ହାତ ବଢ଼ିଗଲାଣି ବୋହୂ ଯୋଗୁରୁ ! ଧନିଆ ତା’ର ବାସଅପା ସହିତ ଆସିଲାଦିନୁ ଦେବବ୍ରତ ପାଖରେ ରହି ତା’ର ଗୋଟିଏ ସ୍ଵାଭାବିକ ମମତା ଜନ୍ମି ଯାଇଥିଲା । ବାସ ଅପାଙ୍କ ଶ୍ଵଶୁର ଘରେ ରହି ଚାକରଟା ହୋଇ ଅପା ବୋଲି ତାଙ୍କୁ ଡାକିବାଟା ଧନିଆ ମତରେ ସମୀଚୀନ ହେବନାହିଁ ବୋଲି ଧନିଆ ବାସନ୍ତୀକୁ ବୋହୂସାଆନ୍ତାଣୀ ଡାକିଲା ସିନା–ନୋହିଲେ ସମ୍ପର୍କ ଓ ମମତାଟା ପୂର୍ବପରି ରହିଗଲା । ବିପଦବେଳେ ମନୁଷ୍ୟ ଯଥାର୍ଥ ଦରଦୀବନ୍ଧୁର ପରିଚୟ ପାଇଥାଏ । ଦୁଃଖ ବିପଦର କଷଟି ପଥରରେ ଧନିଆ କଷିହୋଇ ଯାଇଛି । ଦେବବ୍ରତର ଘରେ ଏଇକ୍ଷଣି ସେ ଏକାଧାରରେ ଭୃତ୍ୟ, ପୁଣି ସମଦୁଃଖୀ ବନ୍ଧୁ । ଦେବବ୍ରତର ଆଖିରୁ ଲୁହ ପୋଛିଦେବାକୁ ସେଇ–ତା’ ଆନନ୍ଦରେ ଆନନ୍ଦ ପ୍ରକାଶ କରିବାକୁ ସେଇ-। ଗାଁ ଭିତରେ କର୍ତ୍ତବ୍ୟାନୁରୋଧରେ ମୌଖିକ ସମବେଦନା ପ୍ରକାଶ କରିବାକୁ ଯେଉଁମାନେ ଆସୁଥିଲେ, ଧନିଆ ଚାକରର ପରସ ସେମାନଙ୍କଠୁ କୋଟିଗୁଣେ ଦେବବ୍ରତର ବିକ୍ଷତହୃଦୟକୁ ଆଶ୍ଵାସନା ଓ ଭରସା ଦେଉଥାଏ ।

 

ବାବୁ କାଳେ ମନରେ କ’ଣ ପାଞ୍ଚିବେ ବୋଲି ବଡ଼ ସଙ୍କୋଚରେ ଧନିଆ ବାବୁଙ୍କୁ ପଚାରିଲା, “ବାବୁ, ତାର କିଏ କରିଛି ?”

 

ଦେବବ୍ରତ କହିଲା, “ରମେଶ ଆସିବ ବୋଲି ତାର କରିଛି ।”

 

ଆଶାରେ ଉତ୍‌ଫୁଲ୍ଲ ହୋଇ ଧନିଆ କହିଲା, “ନିଶ୍ଚେ ବୋହୂ ସାଆନ୍ତାଣୀଙ୍କ କଥା ବୁଝି ଆସୁଛନ୍ତି–ନ ହେଲେ ଜରୁରୀ ତାର କାହିଁକି କରିଥାନ୍ତେ ?”

 

ଦେବବ୍ରତ ସନ୍ଦିଗ୍ଧ ଭାବରେ କହିଲା, “କେଜାଣି !”

 

ଖାମିନ୍ଦ ଚାକର ଦୁହିଁଙ୍କ ମନରେ ଆଶା ନିରାଶାର ଦ୍ଵନ୍ଦ୍ଵ ଖେଳିଗଲା ।

 

ଧନିଆଠୁ ରମେଶର ତାର ଖବର ଶୁଣି ଦେବବୋଉ ନିଶ୍ଚିତରୂପେ ଭାବି ନେଇଥିଲେ ଯେ, ରମେଶ ବାସନ୍ତୀର କିଛି ଖବର ନେଇଆସୁଛି । ଏତେ ଦିନର ମନର ଭାବ ଯେମିତି ଏଇ କଥାଟିରେ ବାରଅଣା ହାଲୁକା ହୋଇଗଲା । କେତେକାଳ ସେ ଘର ସମ୍ପର୍କରୁ ନିଜକୁ ଅଲଗା କରିଥିଲେ । ଆଜି ଲୋକବାକଙ୍କୁ ଡକାଇ ଘରର ହାଲଚାଲ ବୁଝିଲେ–ସେମାନଙ୍କ ସଞ୍ଚିତ ଅଭିଯୋଗ ଶୁଣିଲେ । ତାଙ୍କ ମୁହଁରେ ଏକ ଅପୂର୍ବ ଚଞ୍ଚଳ ଭାବ ଦେଖି ଦେବବ୍ରତ ବଡ଼ ଅଧୀର ହୋଇପଡ଼ିଥିଲା । ତା’ର ମନେହେଉଥିଲା, ହୁଏତ ରମେଶଠାରୁ ବିଫଳ ମନୋରଥ ହୋଇ ବୋଉଙ୍କ ହୃଦୟ ବେଶି ଦୁର୍ବଳ ହୋଇପଡ଼ିପାରେ । ସେ ଝଟକା ସହି ନ ପାରି ତାଙ୍କର ‘ହାର୍ଟଫେଲ’ ହୋଇପାରେ । ଆଉ ଭାବିବାକୁ ତା’ର ମାତୃବତ୍ସଳ ମନ ସାହାସ ପାଉ ନଥିଲା ।

 

ଯାହା ଆଶଙ୍କା କରି ସେ ଆଗରୁ ଏଡ଼େ ବିବ୍ରତ ହୋଇ ପଡ଼ିଥିଲା, ତାହା ସତକୁ ସତ ଆସି ପହଞ୍ଚିଲା । ରମେଶ ଆସି ପହଞ୍ଚିବା ସଙ୍ଗେ ସଙ୍ଗେ ତା’ଠାରୁ ସବୁ ଶୁଣି ଦେବବୋଉ ମନ ଭାଙ୍ଗିପଡ଼ିଲା; କିନ୍ତୁ ଦେବ ଏ ସମ୍ବନ୍ଧରେ ଆଗରୁ ସତର୍କ ଥିଲା ବୋଲି ସେ ବଡ଼ ବେଶି ବିଚଳିତ ହେଲାନାହିଁ । ରମେଶ କହିଲା, ସେ ଅନେକ ଚେଷ୍ଟାକରି ବାସନ୍ତୀର ସୁରାକ୍ କିଛି ମାତ୍ର ପାଇନାହିଁ । ତେବେ ଚଞ୍ଚଳ ପାଇବାର ଆଶା ଅଛି । କଥାଟା ଦେବବ୍ରତର ପରାମର୍ଶ ଅନୁସାରେ ବିଲକୁଲ ମନଗଢ଼ା ।

 

ଦେବବୋଉଙ୍କ ଆଖିରୁ ଲୁହ ଝରି ଶୁଖି ଯାଇଥିଲା କାନ୍ଦିବେ କ’ଣ ? ମନୁଷ୍ୟ ଅନ୍ତରର ଆର୍ତ୍ତି ଯେତେବେଳେ ତା’ର ସହିଷ୍ଣୁତା ବନ୍ଧ ଡେଇଁଯାଏ, ସେତେବେଳେ ତା’ର କାନ୍ଦିବାର ଅବସର କାହିଁ ? ଗଭୀରତମ ସୂକ୍ଷ୍ମ ଅନୁଭୂତିର ପ୍ରକାଶଯୋଗ୍ୟ ଭାଷା ଯେମିତି ଯାଇ ତା’ଠୁ କେତେ ତଳେ ପଡ଼ିଥାଏ, ସେମିତି ମନୁଷ୍ୟ ମନର ଅସୀମ ବ୍ୟଥା–ଅବୁଝା ଅନ୍ତର୍ଦାହଠାରୁ ତା’ର ଦୁଃଖ ଲାଘବକର ଅଶ୍ରୁ ଯାଇଁ କେତେ ଉପରେ ରହିଥାଏ, ତାକୁ କଳିବ କିଏ ?

 

ମନର ଏ ଅବସ୍ଥାରେ କିଛି ପ୍ରବୋଧ ଦେବାର ଚେଷ୍ଟା କରିବାଟା ନୈରାଶ୍ୟ–ପୀଡ଼ିତ ମନ ପ୍ରତି ଉପହାସ କରିବା ଭଳି ହେବ ବୋଲି ଦେବବ୍ରତ ମୌନ ରହିଲା । କିନ୍ତୁ ରମେଶ କହିଲା, “ମାଉସୀ ! ନୂଆବୋହୂ ତ ଦୁନିଆ ଛାଡ଼ି ଯାଇନାହାନ୍ତି–କୌଣସି ଆତ୍ମୀୟ ଲୋକଙ୍କ ପାଖରେ ଥିବେ ବୋଲି ଆମେ ଭାବୁଛୁ । ଦେବଠୁ ତ ଜାଣିଥିବ, ତାଙ୍କର କିଏ ଗୋଟିଏ ଭାଇ ଅଛନ୍ତି–ତାଙ୍କ ପାଖକୁ ଯିବାକୁ ତାଙ୍କ ମନରେ ସଂକଳ୍ପ ଥିଲା । ବ୍ୟସ୍ତ ହୁଅନାହିଁ–ସବୁ ଏଇ ମାସକ ଭିତରେ ଜଣାପଡ଼ିଯିବ ଯେ ।”

 

ବାସନ୍ତୀ ଚାଲିଗଲା ପରେ ସୁଭଦ୍ରାଦେଈ ଦେବବ୍ରତ ଉପରେ ସେ ଖୁବ୍ ବିରକ୍ତ ହୋଇ ପଡ଼ିଥିଲେ, ଏ କଥା ପାଠକମାନେ ଜାଣନ୍ତି । ବୋଉଙ୍କ ତୋଡ଼ରେ ଡରିକରି ବାସନ୍ତୀର ପରେ ମିଳିଥିବା ଚିଠି ଅଧିକ କଥା ସେ ଗୋପନ ରଖିଥିଲା, କାରଣ ସେ ପ୍ରଥମେ ବୋଉଙ୍କୁ ଜଣାଇ ଦେଇଥିଲା ଯେ, ବାସନ୍ତୀ ତା’ର କୋଉଁ ପ୍ରଣୟୀକୁ ସାହାଯ୍ୟ ଭିକ୍ଷା କରି ଚିଠି ଲେଖିଛି । ପରେ ପତ୍ରାଂଶରୁ ଯେତେବେଳେ ସେ ‘ଭାଇ’ ବୋଲି ଆବିଷ୍କାର କଲା, ସେ କଥା ଭୟରେ ଆଉ ବୋଉଙ୍କ କାନରେ ପକାଇବାକୁ ସାହସ କଲାନାହିଁ । ରମେଶ ତ ଏସବୁ କଥା ଜାଣି ନଥିଲା । କଥାପ୍ରସଙ୍ଗରେ ଏ ତତ୍ତ୍ଵଟି ତା’ ମୁହଁରୁ ବାହାରି ଗଲାକ୍ଷଣି ଦେବବ୍ରତ ସନ୍ତ୍ରସ୍ତ ଭାବରେ ଅନ୍ୟଆଡ଼େ ଦୃଷ୍ଟି ଫେରାଇ ନେଲା । ଦେବବୋଉଙ୍କ ମନରେ ସେ ଗୋଟିଏ କ୍ଷୁଦ୍ର ଆନନ୍ଦର ଢେଉ ଉଠିଲା, ତାହା ଏଇଥିପାଇଁ ଯେ, ବାସନ୍ତୀର ଚରିତ୍ର ସମ୍ବନ୍ଧରେ ତାଙ୍କର ତିଳେ ହେଲେ ସନ୍ଦେହ ନଥିଲେ ସୁଦ୍ଧା ତାଙ୍କର ଅସାବଧାନତାରେ କେବେ କେବେ ଏହି ଗୂଢ଼ ସନ୍ଦେହଟି ମୁଣ୍ଡ ଟେକି ଉଠୁଥିଲା । ଏବେ ତାଙ୍କର ସନ୍ଦେହ ନିର୍ମୂଳ ହେଇଗଲା ଓ ସେ ବାସନ୍ତୀ ସମ୍ବନ୍ଧରେ ନିଜର ଧାରଣାକୁ ଛୋଟ କରି ଦେଇନାହାନ୍ତି, ଏହି ଯୋଡ଼ିକ କାରଣ ତାଙ୍କ ମନରେ ଶାନ୍ତିର ପ୍ରଲେପ ଦେଲା ।

 

ଦେବବ୍ରତ ଅପରାଧୀ ଭଳି ଶୂନ୍ୟ ଦୃଷ୍ଟିରେ ଚାହିଁଥିଲା, ତା’ର ଆଉ ବହପ ପାଉ ନଥାଏ ବୋଉଙ୍କୁ ସିଧାଭାବରେ ଚାହିଁ ବସିବାକୁ । ପୁଅ ଆଡ଼କୁ ଥରେ ଚାହିଁ ସୁଭଦ୍ରାଦେଈ ରମେଶକୁ କହିଲେ, “ବାପା ରମୁ ! ମତେ ଆଉ ଏ ମିଛ ମାୟାରେ ଭୁଲେଇ କେତେଦିନ ବଞ୍ଚେଇ ରଖିବ ? ମୁଁ ଭଲ ବୁଝୁଛି, ମୁଁ ଆଉ ଅଳ୍ପଦିନ । ମୋ ଆଶା ପୂରି ଯାଇଥାନ୍ତା, ଖାଲି ଏ ବାଇଆଟାକୁ ମୋ ନୟନପିତୁଳୀ ହାତରେ ଯଦି ସମର୍ପି ଦେଇଯାଇଥାନ୍ତି । ସେ ଖିଆଲବାଜିଆ ଢଙ୍ଗ ତା’ର ଆଉ ଏ ଦିନେ ଯେ ଛାଡ଼ିପାରିବ, ସେ ଭରସା ମୋରନାହିଁ । ଆଉ ତା’ ଖିଆଲବାଜିଆ ହୁରୁମାପଣକୁ ରୋକିବାକୁ ସଂସାରରେ କେବଳ ବାସ ଛଡ଼ା ଆଉ କାହାରି ସାଧ୍ୟନାହିଁ । ମୁଁ ଆଜି ଆଖିବୁଜିଲେ କାଲି ତା’ ମରଜି ଜଗିବ କିଏ ?” ତାଙ୍କ ଅବରୁଦ୍ଧପ୍ରାୟ କଣ୍ଠର କଥାଗୁଡ଼ିକରୁ ବାତ୍ସଲ୍ୟର ମମତା ଯେମିତି କୋଉଁ ଅକ୍ଷୟ ଭଣ୍ଡାରରୁ ଉଛୁଳିପଡ଼ିଲା ।

 

ଦୁହେଁଯାକ ସୁଭଦ୍ରାଦେଈକୁ ଆଉଁସୁଥିଲେ । ଦେବକୁ ବୋଉ କହିଲେ, “କିରେ ତୋର ସାଙ୍ଗ ଆସିଛି, ତାକୁ ନେଇ ଚର୍ଚ୍ଚା କରିବୁ କ’ଣ, ନା ଆଣି ଏଠି ଦଣ୍ଡ ଦେଉଛୁ ?” ରମେଶ ବ୍ୟସ୍ତ ଭାବରେ କହିଲା, “ଏ କ’ଣ, କହୁଛ, ମାଉସୀ, ଦେବ ଘର କ’ଣ, ମୋର ନୁହେଁ, ନା, ମୁଁ ତା’ ଭଳି ତମ ପୁଅ ହବାର ଯୋଗ୍ୟ ନୁହେଁ ? ତୁମକୁ କେତେକାଳୁ ନ ଦେଖି ଏଠିକି ଆସିବାପାଇଁ କେତେଥର ମତ୍‌ଲବ୍ କରିଛି ।”

 

ବୋଉଙ୍କ ଜିଗର ଦେଖି ଦୁଇ ବନ୍ଧୁ ବୁଲିବାକୁ ଚାଲିଗଲେ । ଦେବବ୍ରତ କହିଲା, “ଚାଲ, ଏଇ ଗଛତଳେ ବସିବା ।” ରମେଶ କ୍ଳାନ୍ତବୋଧ କରୁଥିଲା । ଦୁହେଁ ଗୋଟିଏ ବରଗଛତଳେ ବସିଗଲେ ।

 

ଦେବବ୍ରତର ଶୁଷ୍କ ମୂର୍ତ୍ତି, ମଳିନ ଚକ୍ଷୁ ଓ ଅଯତ୍ନବିନ୍ୟସ୍ତ ରୁକ୍ଷ କେଶ ପ୍ରତି ରମେଶ ଭଲକରି ନଜର ଦେବାର ସମୟ ପାଇ ନଥିଲା, ଏଠି ନିରୋଳାରେ ଦେବବ୍ରତକୁ ଦେଖିବାର ଅବସର ପାଇଲା । ତା’ର ଏତେ ବଡ଼ ଟାଣୁଆ ମନଟା କ’ଣ ହୋଇଗଲା । ଆକ୍ଷେପ କରି ରମେଶ କହିଲା, ‘ଭାଇ, ତୋର ଅବସ୍ଥା ଦେଖି ତତେ ଆଉ ଦୋଷ ଦେବାର ଆଗ୍ରହ ଲେଶମାତ୍ରନାହିଁ । ଏଠିକି ଆସି ତତେଗୁଡ଼ାଏ ଟାଣ ଟାଣ କଥା ଶୁଣାଇ ଦେବି ବୋଲି ମନେ ମନେ ମୋର ବରାଦ ଥିଲା ।”

 

ଦେବବ୍ରତର ଆଖି ଯୋଡ଼ିକ ସଜଳ ହୋଇଉଠିଲା । ରମେଶର ଗୂଢ଼ଭାବପୂର୍ଣ୍ଣ କଥାରେ ତୀବ୍ର ଲଜ୍ଜାବୋଧ ତା’ର ପ୍ରଚଣ୍ଡ ଦାମ୍ଭିକତାକୁ ସମୂଳରେ ବିଧ୍ଵସ୍ତ କରି ପକାଇଲା । ନିଜକୁ ସମ୍ଭାଳି ନେଇ ସେ କହିଲା, “ମୁଁ ତ ତତେ ମୋ ମନ କଥାଯାକ ଚିଠିରେ ଜଣାଇଛି, ଆଉ ଅଧିକ କ’ଣ କହିବି, କହ ! ମୋର ପୋଡ଼ା ମନ କେବଳ ଏଇଟିକକେ ଶାନ୍ତି ପାଉଛି ଯେ, ତା’ର ଅନୁପସ୍ଥିତିରେ ବୋଉର ସେବାଯତ୍ନ କରିବାର ସାମର୍ଥ୍ୟଟିକ ମୋର ଅଛି । କିନ୍ତୁ ଭାଇ, ଯେତେହେଲେ ତା’ ଅଭାବ ତ ମେଣ୍ଟାଇବା ମୋର ସାଧ୍ୟାତୀତ ! ଏଇ ଅଭାବଟା ନେଇ ଯଦି ବୋଉ ଚାଲିଯାଏ, ତେବେ ମୋ ଜୀବନସାରା ତା’ର ଏଇ ବୁଭୁକ୍ଷା ମୋ ମନକୁ ସନ୍ତେଇବ । ସେ ଯେ ଏପରି ଦେହରେ ମନରେ ଏତେକାଳ ବଞ୍ଚିରହିଛି, ସେତିକି କେବଳ ମୋର ପ୍ରତିଦିନର ବ୍ୟର୍ଥତା ଭିତରେ ଗୋଟାଏ ମସ୍ତବଡ଼ ଲାଭ ।”

 

ରମେଶ ସନ୍ତପ୍ତ ବନ୍ଧୁର ହୃଦୟବ୍ୟଥା ବୁଝି କଥାଟାକୁ ବାଆଁରେଇବା ପାଇଁ କହିଲା, “ଥାଉ, ସେ କଥା ଭାବିଲେ କ’ଣ ହେବ । କିଛି ଖବର ପାଇଲୁଣି ଭଲା ? ପୁରୀ ହେରିକା ଖୋଜିଛୁ-?”

 

ଦେବବ୍ରତ କହିଲା, “ଓଡ଼ିଶାଟା କ’ଣ ଏତେଦିନଯାଏ ବାକି ରଖିଛି ମନେକରିଛୁ ?” ଦୁଃଖିତ ହୋଇ ଦେବବ୍ରତ ପୁଣି କହିଲା, “ବାକି ରହିଲୁ ଭାଇ, ତୁ । ବୋଉକୁ ଟିକିଏ ଦମ୍ଭ ଦେଇଯା-। ଖୋଜି ଖୋଜି ମୋର ସବୁ ସାମର୍ଥ୍ୟ ଲୋପ ହେବା ଉପରେ ରହିଲାଣି । ଯାହା ତୁମେମାନେ କରିବ ।’’ ରମେଶ କହିଲା, “ତୁ ଏତେ ବ୍ୟସ୍ତ କାହିଁକି ହେଉଛୁ ? ଗୋଟାଏ ଭ୍ରମର ଭଉଁରୀରେ ହୁଡ଼ି ଯାହା କରି ପକାଇଥିଲୁ, ତା’ର ସୁଧ ଅସୁଲ ସହିତ ପ୍ରାୟଶ୍ଚିତ୍ତ କରି ସାରିଲୁଣି । ମୁଁ ତ ମାଉସୀକି ଭରସା ଦେଇଛି । ତୁ ହତାଶ ହୋଇ ପଡ଼ନା; କାରଣ ତୋର ମନର ଭାବ ଯଦି ଟିକିଏ ସେ ଜାଣନ୍ତି, ତେବେ ମୋ ଉପରେ ଭରସା କରି ତାଙ୍କ ମନରେ ଯେ ବିଶ୍ଵାସ ଜନ୍ମିଛି, ସେ ମୂଳପୋଛ ହୋଇଯିବ ।”

 

ଦୂରରୁ ଧନିଆକୁ ଚଞ୍ଚଳ ଆସିବାର ଦେଖି ଦେବବ୍ରତର ମୁହଁଟା ଆଶଙ୍କାରେ ଫିକା ପଡ଼ିଗଲା । ଧନିଆ କହିଲା, ‘ବୁଢ଼ୀ ସାଆନ୍ତାଣୀ ବଡ଼ ବ୍ୟସ୍ତ ହୋଇ ଆପଣଙ୍କୁ ଖୋଜୁଛନ୍ତି । ମୋତେ ନିଶାବୋଉ ସାଆନ୍ତାଣୀ ପଠାଇଦେଲେ ଡାକିବାକୁ ।” ଊର୍ଦ୍ଧ୍ୱଶ୍ଵାସରେ ଦୁଇବନ୍ଧୁ ଘରକୁ ଫେରିଆସିଲେ ।

 

ରମେଶ କହିଲା–“ଆମେ ଗଲାବେଳେ ବେଶ୍ ସୁସ୍ଥ ଥିଲେ, ବସାଇ ଦେଲେନାହିଁ; ଏତେ ଚଞ୍ଚଳ କ’ଣ ହେଲା ।” ଯନ୍ତ୍ର ଦେଇ ରମେଶ ସୁଭଦ୍ରାଦେଈଙ୍କ ହୃତ୍‌ପିଣ୍ଡ ପରୀକ୍ଷା କରିବା ପରେ ଦେବବ୍ରତର ଜିଜ୍ଞାସୁ ଭାବ ବୁଝି କହିଲା, “ହୃଦୟର ଆକ୍ଷେପ ବଡ଼ ଜୋର ଦେଖୁଛି ।” ଏତିକିରେ ଦେବବ୍ରତର ମୁହଁ ଉପରେ ଯେମିତି କିଏ କଳା ପାଣି ଢାଳି ଦେଲା । ଉଠି ପଡ଼ି ସେ କହିଲା, ‘ମୁଁ ଯାଉଛି, ଡାକ୍ତର ଆଣିବାକୁ ପଠାଇଦିଏଁ ।”

 

ଡାକ୍ତର ଅନେକକ୍ଷଣ ବରଫ ଇତ୍ୟାଦି ପ୍ରୟୋଗ କରିବାରେ ରୋଗୀ ଟିକିଏ ସୁସ୍ଥ ହେଲାପରି ବୋଧ ହେଲା । ସେହି ଦିନଠାରୁ ଦୁଇଦିନ ସୁଭଦ୍ରାଦେଈ ଅଳ୍ପ ସୁସ୍ଥ ରହିଲେ । ଦୁଇ ଦିନ ଅଧିକ ବେରାମ ପଡ଼ନ୍ତି–ଗଲା ଗଲା ଡାକ ପଡ଼ିଯାଏ–ଦେବବ୍ରତ ଓ ରମେଶ କାତର ହୋଇ ପ୍ରାଣପଣ ସେବା ଚିକିତ୍ସାରେ ଲାଗି ପଡ଼ିଥାନ୍ତି । ଏହିପରି ଦିନରାତି ଯାଉଥାଏ । ଘରେ ବାହାରେ ସବୁଆଡ଼େ ଉଦ୍‌ବେଗ । ଅନୁକ୍ଷଣ ପରିଶ୍ରମ, ଚିନ୍ତା ଓ ଉତ୍କଣ୍ଠାରେ ଦେବବ୍ରତର ମନ ସଙ୍ଗେ ସଙ୍ଗେ ସୁସ୍ଥ ସବଳ ଦେହ ମଧ୍ୟ ଅଳ୍ପ ଭାଙ୍ଗି ପଡ଼ିବାର ଲକ୍ଷଣ ସ୍ପଷ୍ଟ ପ୍ରକାଶ ପାଇଲା । ଡାକ୍ତର ଯେଉଁଦିନ ପରାମର୍ଶ ଦେଇ ଗଲେ ଯେ, ଦେବବ୍ରତ ଆଉ ଆଗପରି ଦିନ ରାତି ଜଗି ବୋଉଙ୍କ ପାଖରେ ରହି ପାରିବନାହିଁ, ସେହି ଦିନଠାରୁ ଦେବବ୍ରତର ମନରେ ବିଷାଦକାଳିମା ଗାଢ଼ରୁ ଗାଢ଼ତର ହେବାକୁ ଲାଗିଲା । ସେ ତ ରହିବନାହିଁ, ରମେଶ ତ ଦିନ ଅଧକରେ ଚାଲିଯିବ, କିଏ ସେବା ଶୁଶ୍ରୁଷ କରିବ–କାହାକୁ ଚାହିଁ ବୋଉ ଟିକିଏ ସାନ୍ତ୍ଵନା ପାଇବ ଏ ଶେଷ ଅବସ୍ଥାରେ ? ବାସନ୍ତୀ ଥିଲେ ସିନା ହୁଅନ୍ତା-! ତା’ର ତ କୂଳକିନାରା କିଛି ମିଳିଲାନାହିଁ ଆଜିଯାଏ । ଖୋଜା ଲୋଡ଼ା, ଲେଖାଲେଖିରେ ଫଳ କିଛି ଫଳିଲାନାହିଁ । ଦେବବ୍ରତ ଅପେକ୍ଷା ରମେଶର ଏଥିପାଇଁ ଚିନ୍ତା ଦିନକୁ ଦିନ ବେଶି ହେଉଥାଏ-। ମାଉସୀ ସବୁଦିନ ଡାକ ଆସିବାବେଳ ହେଲେ ପଚାରନ୍ତି, “ରମୁ, କିଛି ଖବର ମିଳିଲା ? ମୁଁ କ’ଣ ମୋ ଲକ୍ଷ୍ମୀଟିକୁ ଟିକିଏ ଦେଖିପାରିବିନାହିଁ କିରେ ! ତମେ ସବୁ କିଛି କରୁଛ, ନା ମତେ ଖାଲି ଭଣ୍ଡାଉଛ ମ ?” ରମେଶ ନିର୍ବାକ୍ ରହେ । ପରେ ଏଆଡ଼ୁ ସେଆଡ଼ୁ ସତ ମିଛ କହି ତାଙ୍କୁ ଭରସା ଦେଉଥାଏ । ଏହିପରି ପ୍ରାୟ ଦୁଇ ତିନି ସପ୍ତାହ ବିତିଗଲା । ଧନିଆଠାରୁ ଚିଠି ଆସିଲା କଲିକତାରେ ଆଜିଯାଏ ବୋହୂ ସାଆନ୍ତାଣୀଙ୍କର କିଛି ତଥ୍ୟ ମିଳିନାହିଁ । ଏ ଯେ ବୋଝ ଉପରେ ନଳିତାବିଡ଼ା ।

 

ସୁଭଦ୍ରା ଦେଈ ଟିକିଏ ଭଲ ହେଲେ । ପରେ ରମେଶ ମାଉସୀଙ୍କର କ୍ଷୀଣ କଣ୍ଠରୁ ସ୍ନେହଭରା ଆଶୀଷ ନେଇ ବିଦାୟ ଘେନିଲାବେଳେ ସୁଭଦ୍ରାଦେଈ କହିଲେ, “ରମୁ ଯାଉଛୁ, ବାସ କଥା ମୋର ବୁଝି ଚଞ୍ଚଳ ଲେଖିବୁ । ମୁଁ ଅନାଇ ରହିଛି । ମା’ ହାତ ଟିକିଏ ବାଜିଲେ ଅବା ମୋ ଦେହ ବଦଳି ଯିବ । ଟଙ୍କାପଇସାକୁ ଖାତିର କରିବୁନାହିଁ । ମୋର କଡ଼ାଏ କଉଡ଼ି ଥିବା ଯାଏ ବୋହୂକୁ ଖୋଜି ଆଣିବାପାଇଁ ମୁଁ ଦେବି । ମୋ ଦିହ ଆଜି ଭଲ ହୋଇଗଲେ, କାଲି ସକାଳୁ ଭିକ ମୁଣି ଧରି ମୋ କୁଳଲକ୍ଷ୍ମୀକୁ ମୁଁ ପରା ଖୋଜି ବାହାରନ୍ତି ! ହଁ, ଦଇବ ସାହା–ହଉ, ଯା ବାପା, ବେଳ ଉଛୁର ହୋଇଯାଉଛି । ମନେରହିଲାଟି, ବାପା, ଯା କହିଲି ମନେ ନିଶ୍ଚେ...” ଛଳଛଳ ଆଖିରେ ରମେଶ ବାହାରିଗଲା ।

 

ବାଲେଶ୍ଵର ଷ୍ଟେସନରେ ଦୁଇ ବନ୍ଧୁଙ୍କର ବିଦାୟ ଆବେଗଭରା ଦୀର୍ଘନିଶ୍ଵାସ ଦିଓଟି ଯେତେବେଳେ ରେଳ ଗାଡ଼ିର ଧୂଆଁରେ ମିଳେଇ ଗଲା, ରମେଶ ଝରକା ବାଟେ ମୁହଁ ବଢ଼ାଇ କହିଲା, “ଆଜି ସେଇଟା ଲେଖି ପଠାଇ ଦେବୁ ।” ଘରକୁ ଫେରିବା ସଙ୍ଗେ ସଙ୍ଗେ ଦେବବ୍ରତ ଚାରିଟା ବଡ଼ ବଡ଼ ପୁଲିନ୍ଦା ଡାକଘରେ ପଳାଇ ଦେବାପାଇଁ ବୁଢ଼ା ଗୁମାସ୍ତାଙ୍କୁ ଦେଇଦେଲା । ତା’ର ଦୁଇଦିନ ପରେ ଦେଖାଗଲା, କଲିକତା, ବୋମ୍ବାଇ, ମାନ୍ଦ୍ରାଜ ଓ ଲାହୋରର ଚାରିଟା ଦୈନିକ କାଗଜରେ ଟିକିଏ ଅପେକ୍ଷାକୃତ ବଡ଼ ବଡ଼ ଅକ୍ଷରରେ ଗୋଟିଏ ଲେଖାଏଁ ନୋଟିସ ବାହାରିଛି–

 

“ବାସ, ଫେରିଆସ । ବୋଉ ମୃତ୍ୟୁଶଯ୍ୟାରେ । ମୁଁ ଅର୍ଦ୍ଧମୃତ ।

 

ଦେବ ।”

 

–ଅଠେଇଶି–

 

ସେଦିନ ଥିଲା ଶରତର ଶୁଭ୍ର ସୁବିମଳ ପ୍ରଭାତ, ଆଜି ବସନ୍ତର ମୁଗ୍ଧ ରକ୍ତିମ ସନ୍ଧ୍ୟା । ଶରତ୍‌ ଉଷାର ସେ ସଦ୍ୟ ସରୋଜ ହାସଟିକ କିନ୍ତୁ ବାସନ୍ତୀ ମୁଖରେ ମଉଳି ଯାଇଛି । ତା’ର କ୍ଷତହୃଦୟର ରିକ୍ତବେଦନା ଆଜି ଯେପରି ଆକାଶରେ, ଭୁବନରେ ବ୍ୟାପ୍ତ ହୋଇ ଯାଇଅଛି । ତା’ର ଏହି ଘଟଣାବହୁଳ ଜୀବନର ଏକ ଏକ ପୃଷ୍ଠା ଖୋଲି ରକ୍ତ ଛଳଛଳ ଏହି ବ୍ୟଥିତ ଗୋଧୂଳି ସଙ୍ଗରେ ନିଜ ଅନ୍ତରର ବିଦୀର୍ଣ୍ଣ ବାସନା ମିଶାଇ ଦେଇ ସେ ଆଜି ମୃଦୁ ମୃଦୁ କରୁଣ ସ୍ଵରରେ ଗାଉଛି–

 

ହେ ପ୍ରିୟ, ହେ ମୋର

ଜନମେ ଜନମେ ପ୍ରିୟ

ବେଦନାର ଥାଳେ

ଆଉ ଲୁହ ଢାଳିଦିଅ,

ନିଖିଳ ଭୁବନ କଲେ ହତାଦର

ବିଜନପଥର ହେ ମୋର ଦୋସର,

ବ୍ୟଥାର ଅରତ ରକ୍ତ ଗଗନେ

ତୋଳୁଛି ହେ ସଖା ନିଅ ।

ହେ ପ୍ରିୟ, ହେ ମୋର ଜନମେ ଜନମେ ପ୍ରିୟ ।

 

ଗୁଣୁ ଗୁଣୁ ଗାଇ ବାସନ୍ତୀ ସେଦିନର କଥା ଭାବୁଥିଲା । ଉଷାରୁଣ କିରଣ ତାଙ୍କର ସେହି ପ୍ରକୋଷ୍ଠଟିରେ ଝରକାବାଟେ ଆସି ଘରେ ପଡ଼ିଥିଲା । ମାତା ରୋଗଶଯ୍ୟାରେ, ଦେବବ୍ରତର ସାଇକେଲ ଘଣ୍ଟି ଦ୍ଵାରରେ ଟଂ ଟଂ ବାଜି ଉଠିଲା ଏବଂ ଗୋଟାଏ ସୁଗନ୍ଧ ପବନ ଘେନି ସାଙ୍ଗରେ ଆସିଲା ପରି ଦେବ ଆସି ଗୃହ ମଧ୍ୟରେ ପ୍ରବେଶ କରିଥିଲା । ସେତେବେଳେ ତା’ର ବୟସ ଅତି ଅଳ୍ପ । ଶରତ୍ କାଶଫୁଲ ପରି ସେ ଧରାରେ ଗୋଟାଏ ଅବ୍ୟକ୍ତ ଆନନ୍ଦର ଉଦ୍‌ଗମ ସମ ଫୁଟିଥିଲା-। ଅତୀତ ବା ଭବିଷ୍ୟତ ପାଇଁ ତା’ର ଭାବନା ଶୋଚନା ଥିଲାନାହିଁ । କେବଳ ସମୀରଣ ସ୍ପର୍ଶରେ ହସି ହସି ଏକ ପାର୍ଶ୍ଵକୁ ଲୋଟି ପଡ଼ିବା ବ୍ୟତୀତ ତା’ର ଆଉ କିଛି କାର୍ଯ୍ୟ ନଥିଲା ।

 

ତା’ପରେ ପୁଣି ଆଉ ଦିନେ–ଏହିପରି ରକ୍ତିମ ସନ୍ଧ୍ୟା, ଏହିପରି ବୃକ୍ଷ ଗହଳରେ ସୁନାଢ଼ଳା ପୁଷ୍କରିଣୀର ଜଳ ଚକମକ କରୁଥିଲା । ମୃଦୁ ବାତବିକ୍ଷୋଭିତ କ୍ଷୁଦ୍ର କ୍ଷୁଦ୍ର ଜଳବୀଚି ଏହିପରି ସେଦିନ ନାଚି ନାଚି ତଟଦେଶରେ ଗେଲ ଖେଳୁଥିଲା । ତା’ ଆଖି ଦୁଇଟା ଫୁଟନ୍ତ କମଳ ପରି ଏହି ସୁଷମାରେ ମୁଗ୍ଧ ହୋଇ ଭାସୁଥିଲା । ହଁ, ସେହିଦିନ–ଠିକ୍ ଏହିପରି ସମୟରେ–କିଏ ଆସି ପଛରୁ ତା’ ଆଖି ଦିଓଟି ଚାପିଧଇଲା । ସମସ୍ତ ଦେହଟା ତା’ର ଲଜ୍ଜାରେ ସଡ଼ିପଡ଼ିଲା । ସେ ମୁଖରେ କିଛି କହିପାରିଲାନାହିଁ । କେବଳ ଉଃ ଉଃ କରି ଆପଣାର କମ୍ପିତ ହସ୍ତ ଦିଓଟି ଦେବବ୍ରତର ହାତ ଉପରେ ରଖି ଚକ୍ଷୁକୁ ମୁକ୍ତ କରିବାକୁ ଚେଷ୍ଟା କଲା । କିନ୍ତୁ ଧୀରେ–ଅତି ଧୀରେ ! ଇଚ୍ଛା ହେଉ ନଥାଏ, ସେ ହାତ କାଢ଼ିନେବାକୁ–ସେହିପରି ଆଜୀବନ ଅନ୍ଧୁଣୀ ରହି ତା’ର ପୃଷ୍ଠବର୍ତ୍ତୀ ଯୁବକର କୋଳକୁ ଢଳିପଡ଼ିବାକୁ ମନ ତା’ର ଉତ୍ସୁକ ହେଉଥାଏ । ସେଦିନର ସେହି ସୁଖସ୍ମୃତି ଆଜି ବିପୁଳ ବେଦନା ବହି ତା’ ଅନ୍ତରରେ ଏକ କରୁଣ ଛବି ଆଙ୍କି ରଖିଛି । ଗର୍ଭଭାରାକ୍ରାନ୍ତ ତା’ର ଅବଶ ଅଙ୍ଗଟାକୁ ସେହିଦିନ ପରି ଆଜି ତା’ର ଏ ଜନ୍ମର ପ୍ରିୟତମ ଅଙ୍ଗରେ ଆଉଜାଇ ଦେଇ ବିସ୍ମୃତିର ସୁଷୁପ୍ତିରେ ମଜ୍ଜି ରହିବାକୁ ତା’ ପ୍ରାଣ ଆଜି ଲୋଡ଼ୁଛି ।

 

ଦୀର୍ଘ ଆଠ ମାସ ଅତୀତ ହେଲାଣି, ବାସନ୍ତୀ ଆସି ବିନୋଦବିହାରୀଙ୍କ ଗୃହରେ ଆଶ୍ରୟ ନେଇଅଛି । ଏ କେତେକ ମାସ ନାନାଭାବନାରେ ତା’ର ଅତୀତ ହୋଇଯାଇଛି । ପ୍ରତିଦିନର ପ୍ରତ୍ୟେକ ମୁହୂର୍ତ୍ତଟି ଗଣି ତେବେ ତାକୁ ଛାଡ଼ିବାକୁ ହୋଇଛି । ହଁ, ଦେବବ୍ରତ ତାକୁ ଅବିଶ୍ଵାସ କରି ବିତାଡ଼ିତ କଲା; କିନ୍ତୁ ଏଥିପାଇଁ ଦାୟୀ କିଏ ? ଅଂଶତଃ ସେ ନିଜେ ନୁହେଁ କି ? ସେ କ’ଣ ଏତେଦିନ ଦେବବ୍ରତକୁ ଚିହ୍ନିନାହିଁ ! ତା’ର ନିଷ୍କପଟ ଅନ୍ତର, ତା’ର ସରଳ ମଧୁର ବ୍ୟବହାର, ତା’ର ପ୍ରଗାଢ଼ ପ୍ରେମ ସମ୍ବନ୍ଧରେ ବାସନ୍ତୀର ଆଉ କିଛି ସଂଶୟ ଥିଲା କି ? ନୁହେଁ । ତେବେ କାହିଁକି–କାହିଁକି ସେ ଦେବବ୍ରତର ମୁହଁର କଥାକୁ ସାର ବୋଲି ମଣିଲା ? କାହିଁକି ତା’ର ଅଭିମାନୀ ପୁରୁଣା ‘ଦେବ’ ଭାଇଟିକି ଏତେ ସହଜରେ ପାଖଛଡ଼ା କରିଦେଲା ? ହେଲା ବା, ନ ବୁଝି ନ ସୁଝି ଦେବବ୍ରତ ତା’ ପ୍ରତି ଏତେଦୂର ଅନ୍ୟାୟ କରି ପକାଇଛି, ତାହା ବୋଲି ତା’ର ପ୍ରାଣପ୍ରତିମ ପ୍ରଣୟୀଙ୍କୁ ସେ କ’ଣ ସେଥିପାଇଁ କ୍ଷମା କରିପାରନ୍ତାନାହିଁ ? ସେ ମଧ୍ୟ ଅଭିମାନ କରି ଚାଲି ଆସିଲା କାହିଁକି ? ଦେବବ୍ରତ ତା’ର ଆଦର୍ଶକୁ କ୍ଷୁଣ୍ଣ କରି ଦେଖିଛି, ତା’ର ନାରୀତ୍ଵର ଅମର୍ଯ୍ୟାଦା କରିଛି; କିନ୍ତୁ ସେଥିପାଇଁ କ’ଣ ସେ ନିଜେ ଦାୟୀ ନୁହେଁ ? ଦେବବ୍ରତ ଚିତ୍ତରେ ସଂଶୟର ସ୍ଥାନଟିଏ ଯେ ଫାଙ୍କ ପଡ଼ିଗଲା, ବାସନ୍ତୀ ନିଜ ତ୍ରୁଟିରୁ ନିଜେ ତାହା ପୂରଣ କରିପାରିନାହିଁ । ସେ ଆଜି ତା’ର ପ୍ରେମର ପାତ୍ର ଓ ତା’ର କର୍ମକ୍ଷେତ୍ରରୁ ଦୂରରେ ରହି ନିଜ ପ୍ରକୃତସ୍ୱରୂପ ବୁଝିପାରିଛି । ସେ ଆଜି ସ୍ପଷ୍ଟ ଦେଖିପାରିଛି, ସେତେବେଳର ଘରର ବାସନ୍ତୀ ସହିତ ବାହାରର–ବାସନ୍ତୀର କେତେଦୂର ତାରତମ୍ୟ ! ପଦାରେ ସେ ଯେତେଦୂର ବିସ୍ତୃତି ଲାଭ କରିପାରିଥିଲା, ଘରେ ସେପରି ନୁହେଁ । ତା’ ନ ହେଲେ ଦେବବ୍ରତର ବାସନ୍ତୀ–ପରିପୂର୍ଣ୍ଣ ଚିତ୍ତରେ ସନ୍ଦେହ କରିବାର ସ୍ଥାନ କେଉଁଠି ଥାନ୍ତା ?

 

ଆଉ ତା’ର ଶାଶୁ ବୁଢ଼ୀ, ହିନ୍ଦୁ ଗୃହର ଅପୂର୍ବ ଶକ୍ତିମତୀ ସେହି ନାରୀ ! ପଦେ କଥା ମୁହଁରୁ ବାହାରୁ ନ ବାହାରୁ ଭୃତ୍ୟ ଅମଲାମାନେ ତ୍ରସ୍ତ କମ୍ପିତ ହୋଇଉଠନ୍ତି । ପୁତ୍ର ତାଙ୍କର ବିନାନୁମତିରେ ଜଣେ ଅଜ୍ଞାତକୁଳଶୀଳାକୁ ବିବାହ କରିବାରୁ ସିନା ସେ ପ୍ରଥମେ ରାଗ କରିଥିଲେ; କିନ୍ତୁ ଯେତେବେଳେ ଲୋକ ଚିହ୍ନିବାର ତାଙ୍କର ଆଶ୍ଚର୍ଯ୍ୟ କ୍ଷମତା ଗୁଣରେ ସେ ବାସନ୍ତୀକୁ ଭଲରୂପେ ଚିହ୍ନିନେଲେ, ସେଦିନୁ ତା’ ପ୍ରତି ତାଙ୍କର କେତେ ଆଦର, କେତେ ଯତ୍ନ ! କେତେଥର କହିଛନ୍ତି, “ମୁଁ ତ ଏହିପରି ବୋହୂଟିଏ ଖୋଜୁଥିଲି ଲୋ ମା’ ଆଉ ମନରେ ଯାହାର ଟିକିଏ ଟାଣନାହିଁ, ସବୁବେଳେ ଖାଲି ଲାଜକୁଳୀଲତା ପରି ଝାଉଁଳି ପଡ଼ୁଥିବ, ମୁହଁ ଟେକି ଜଣକୁ ପଦେ କଥା କହିପାରିବନାହିଁ, ସେମିତି ଝିଅଙ୍କୁ ଦେଖିଲେ ମୋ ହାଡ଼ ଜଳିଯାଏ । କି ଗୋ, ମାଇକିନା ହେଲେ ବୋଲି କ’ଣ ସବୁ ଗଲା, ମନରେ ଟିକିଏ ଦମ୍ଭନାହିଁ, କି ଟାଣନାହିଁ ! ଚାକରବାକରଙ୍କୁବି ନିଜର ମାନ୍ୟଲୋକ ପରି ଲାଜରେ ଆଡ଼େଇ ହେବ ! ଛି, ଛି, ସେଗୁଡ଼ାକ ଆଉ ଘରର ସାଆନ୍ତାଣୀ ହେବେ କ’ଣ ମ, ସେ ତ ଚାକରାଣୀ । ସେମିତି ଚାକରାଣୀ ହାତରେ ମୋର ଏତେ ସମ୍ପତ୍ତିର ଭାର ଦେବାକୁ ମୋ ମନ ତ କେବେ ରାଜି ହୁଅନ୍ତାନାହିଁ ।” ବାସନ୍ତୀ ଦେଖିଲା, ସମସ୍ତଙ୍କ ଭିତରେ ତା’ର ସେହି ମରହଟ୍ଟୀ ଶାଶୁ ବୁଢ଼ୀଟି କେବଳ ତାକୁ ଚିହ୍ନିପାରିଥିଲେ ଏବଂ ତା’ର ଆଦର୍ଶର ମର୍ଯ୍ୟାଦା କରି ଜାଣିଥିଲେ । ସେହି ଶାଶୁ ଆଜି ମୃତ୍ୟୁଶଯ୍ୟାରେ । ଆସିବା ସମୟରେ ସେ ତାଙ୍କୁ ପଦେ କହି ଆସିନାହିଁ । ଏପରି ବ୍ୟବହାରରେ ତା’ର କୁଳାଭିମାନିନୀ ଶାଶୁ କ’ଣ ଭାବୁଥିବେ ! ଏ ସମସ୍ତ ଭାବନା ଆଜି ଅଧିକ ଜାଗ୍ରତ ହୋଇ ତା’ ପ୍ରାଣକୁ ବିଶେଷ ଭାବରେ ଉଦ୍‌ବେଳିତ କରି ପକାଇଛି ।

 

ଖବରକାଗଜରେ ସେ ବାରମ୍ବାର ଦେବବ୍ରତର କଥାଗୁଡ଼ାକ ପଢ଼ିଲା । “ଫେରିଆସ, ବୋଉ ମୃତ୍ୟୁଶଯ୍ୟାରେ । ମୁଁ ଅର୍ଦ୍ଧମୃତ ।” ଏହି ଦେବବ୍ରତ ପ୍ରତି ତା’ର ଏତେ ଅଭିମାନ ! ଛି, ଛି ।

 

କାହାରି ପ୍ରତି ଆଜି ବାସନ୍ତୀର ରାଗନାହିଁ । କେବଳ ଯେଉଁ ଅଜ୍ଞାତ ଦେବତାର ଅଦୃଶ୍ୟ ଅଙ୍ଗୁଳିସଙ୍କେତରେ ତା’ ଜୀବନ ବାତ୍ୟାନ୍ଦୋଳିତ ନୌକା ପରି ଇତସ୍ତତଃ ବିକ୍ଷିପ୍ତ ହୋଇ ପଡ଼ିଛି, ତାହାର ପ୍ରତି ଗୋଟାଏ ବିକଳ କ୍ଷୋଭରେ ବାସନ୍ତୀର ଦୁଇ ଚକ୍ଷୁ ଦେଇ ଦରଦର ଧାରରେ ଅଶ୍ରୁ ବହିବାକୁ ଲାଗିଲା ।

 

ଏହି ସମୟରେ ପଛରୁ ତା’ ଆଖି ଦିଓଟି କିଏ ମୁଦି ଧରିଲା, ଦେହମୟ ତା’ର ଶୀତେଇ ଉଠିଲା–“ଦେବଭାଇ !” ମୁହୂର୍ତ୍ତକ ପରେ ସେ ଜାଣିପାରିଲା, ଏ ଆଉ କେହି ନୁହେଁ–ତା’ର ‘ଅ’ । ବସନ୍ତକୁମାରୀର ହସ୍ତ ଆର୍ଦ୍ର ବୋଧ ହେବାରୁ ସେ ବାସନ୍ତୀର ସମ୍ମୁଖକୁ ଯାଇ ଅତି କୋମଳ ସ୍ଵରରେ କହିଲା, “ହଇ ହେ ‘ଆ’, ତୁମେ କାନ୍ଦୁଚ ? କାହିଁକି ? ତୁମକୁ ମୋ ରାଣ, ଏଠି କ’ଣ ଅସୁବିଧା ହେଉଛି, କହ ।” ବାସନ୍ତୀ ମୃଦୁ ହାସ୍ୟ କରି କହିଲା, “ନାହିଁ ଭଉଣୀ, ଅସୁବିଧା କ’ଣ ? ଏଠାରୁ କ’ଣ ଆଉ ଅଧିକ ସୁଖରେ ଆଉ କାହିଁ ରହନ୍ତି ?” ଏତିକି କହିପକାଇ ବାସନ୍ତୀର ମନେପଡ଼ିଗଲା, ସବୁ ମନୋମାଳିନ୍ୟ ଓ ଅଶାନ୍ତି ମଧ୍ୟରେବି ଦେବବ୍ରତ ପାଖରେ ଥିଲେ ସେ ଯେତେ ସୁଖରେ ଥାନ୍ତା, ବିଶ୍ଵ–ସଂସାରରେ ଆଉ କୌଣସି ସ୍ଥାନନାହିଁ ସେ ଆନନ୍ଦ ଦେବାକୁ । ତା’ର ଅଶ୍ରୁ ସମ୍ଭାଳି ହେଲାନାହିଁ–ଅଶ୍ରୁର ସ୍ରୋତ ଅଧିକ ଦୃଢ଼ ବେଗରେ ବହିବାକୁ ଲାଗିଲା । ଏ ଦୁଃଖ ତା’ର ନିଜର ଦୁରବସ୍ଥା ପାଇଁ ନୁହେଁ, ତା’ର ପ୍ରାଣପ୍ରିୟ ସ୍ଵାମୀଙ୍କର ଅନୁତାପହିଁ ଏହାର ମୂଳ କାରଣ-। ବାସନ୍ତୀ ଭାବି ବିସ୍ମିତ ହେଲା, ନାରୀ–ସ୍ଵାଧୀନତା ପାଇଁ ସେ ଯେଉଁ ଅଦ୍ୟମ ସାହସରେ କାର୍ଯ୍ୟ କରୁଥିଲା, ତାହା ବର୍ତ୍ତମାନ କାହିଁ ? ସେ ଆଜି ଏତେ କୋମଳ, ଏତେ ଦୁର୍ବଳ ହୋଇପଡ଼ିଲା କିପରି-?

 

ବସନ୍ତକୁମାରୀ ଆଖିଏ ଲୁହ ପୂରାଇ ଯେତେବେଳେ ଶିଶୁସୁଲଭ ଆର୍ଦ୍ରକଣ୍ଠରେ ପଚାରିଲା “ଆ, ତୁମେ କାନ୍ଦୁଚ, ମୋ ରାଣ, ତୁମର କ’ଣ ହେଇଚି, କହ,” ବାସନ୍ତୀ ସସ୍ନେହରେ ତା’ର ଛୋଟ ମୁହଁଟିକୁ କ୍ରୋଡ଼ରେ ଜାକି ଧରିଲା । ବସନ୍ତକୁମାରୀ ତା’ ଜୀବନ ଇତିହାସର ପରିଚୟ ପାଇଥିଲେହେଁ ଲୋକ ଏତେ ଅଧୀର ହୋଇ କାନ୍ଦିବାର କାରଣ ଯେ କ’ଣ ଅଛି, ସେ ବୁଝିପାରୁ ନଥିଲା ଏବଂ କାନ୍ଦିଲେ ସାନ୍ତ୍ଵନା କ’ଣ ଦେବ, ସେ କଥା ଖୋଜି ପାଉ ନଥିଲା । ଏହି ସ୍ନେହଶୀଳା ବାଳିକାଟିର ନିବିଡ଼ ସହାନୁଭୂତିରେ ବାସନ୍ତୀର ଅନ୍ତର ଆପ୍ଳୁତ ହୋଇଉଠିଲା ।

 

ପୂର୍ବାକାଶରୁ ଅନ୍ଧକାର ଓହ୍ଲାଇ ଆସିଲାଣି । ସମ୍ମୁଖସ୍ଥ ପୁଷ୍କରିଣୀ ଉପରେ ସନ୍ଧ୍ୟାର ଧୂସର ଛାୟା ପଡ଼ିଲାଣି । ବୃକ୍ଷାନ୍ତରାଳରେ ଗୋଟି ଗୋଟି ହୋଇ ତାରା ଫୁଟିଲେଣି । ବସନ୍ତକୁମାରୀ ଲୋତକରେ ବାସନ୍ତୀର ବସ୍ତ୍ର ଆର୍ଦ୍ର ହୋଇପଡ଼ିଛି । ବାସନ୍ତୀ ତାକୁ କ୍ରୋଡ଼ରୁ ଉଠାଇ ପ୍ରବୋଧ ବାକ୍ୟ କହି ତା’ର ବଡ଼ ବଡ଼ ଡୋଳା ଦି’ଟାରୁ ଲୁହ ପୋଛିଦେଲା ।

 

ଦୁଇ ସଖୀ ଗୃହ ମଧ୍ୟକୁ ଆସି ଦେଖିଲେ, ବିନୋଦବିହାରୀ ବତୀ ଜାଳି ଖଣ୍ଡେ ଡାକ୍ତରୀ ପୁସ୍ତକ ଖୋଲି ବସିଅଛନ୍ତି । ପଦଶବ୍ଦ ଶୁଣି ମୁଖ ଫେରାଇ ବିନୋଦ ଦୁହିଁଙ୍କ ମୁଖକୁ ଚାହିଁ କିଛି ଗୋଟାଏ ଘଟନା ଘଟିଛି ବୋଲି ବୁଝିପାରି ପଚାରିଲେ, “କି ହୋ, ଏ ପୁଣି କ’ଣ ହେଲା ?”

 

ବସନ୍ତର ଆଖି ପୁଣି ସଜଳ ହୋଇ ଉଠିଲା । ସେ ସ୍ଵାମୀ ନିକଟକୁ ଯାଇ ଆର୍ଦ୍ରକଣ୍ଠରେ କହିଲା, “ହେ ଦେଖିଲ, ୟାଙ୍କର ଏମିତି କ’ଣ ହେଇଯାଇଛି ଯେ, ପୋଖରୀକୂଳଟାରେ ଏକୁଟିଆ ବସି ଏତେ କାନ୍ଦିବେ !” ବିନୋଦଙ୍କର ଆଉ ବୁଝିବାକୁ ବାକି ରହିଲାନାହିଁ ଯେ, ବାସନ୍ତୀର କାନ୍ଦିବାହିଁ ତାଙ୍କର ପତ୍ନୀର ଚକ୍ଷୁ ଫୁଲିଥିବାର କାରଣ । ସ୍ତ୍ରୀ ସହିତ ସେ ଯାହା ଟିକିଏ କୌତୁକ କରିଥାନ୍ତେ, ବାସନ୍ତୀର ଦୁଃଖରେ ତାଙ୍କ ମନଟାବି ବଥେଇ ଉଠିଲା । ସେ ଧୀରେ ଧୀରେ କହିଲେ, “ଛି, ବାସନ୍ତୀ, ତୁମ ମଧ୍ୟରେ ଯେଉଁ ଅମୃତ ଶିଶୁଟିର ଆବିର୍ଭାବ ହୋଇଅଛି, ତାହା ପ୍ରତି ଏହାଦ୍ଵାରା କେତେଦୂର ଅନ୍ୟାୟ କରାଯାଉଛି, ବୁଝିପାରୁ ନାହଁ ?” ବାସନ୍ତୀ ନୀରବରେ ଧୀର ପଦବିକ୍ଷେପ କରି ଖବରକାଗଜରେ ସେହି ଧାଡ଼ିଟା ନେଇ ବିନୋଦବିହାରୀଙ୍କୁ ଦେଖାଇଲା । ବିନୋଦ ପଢ଼ି ସାରି ସମସ୍ତ ବୁଝିପାରି କହିଲେ, “ବେଶ୍ ତ, ଦେବବ୍ରତଙ୍କୁ ସବୁ ସମ୍ବାଦ ଜଣାଇଦେବା । ପ୍ରସବ ପୂର୍ବରୁ ତ ତୁମର ଯିବାଟା ଉଚିତ ହେବନାହିଁ ।” ବସନ୍ତକୁମାରୀ କାବା ହୋଇ ସବୁ ଶୁଣିଲା, କିନ୍ତୁ ପରେ ସ୍ଵାମୀଙ୍କଠାରୁ ସବିଶେଷ ବୁଝିବ ବୋଲି ବାସନ୍ତୀକୁ ନେଇ ଗୃହ ମଧ୍ୟକୁ ଚାଲିଗଲା ।

 

ଠିକ୍ ସେହିଦିନ ସନ୍ଧ୍ୟାବେଳେ କଟକ ଦୋକାନ ବଜାରରେ ଆଲୁଅ ନ ଲାଗୁଣୁ ଦଳେ ଦଳେ ସ୍କୁଲ ପିଲା ଖୁସିଗପ କରି ଚୌଧୁରୀବଜାର ଅଭିମୁଖେ ତରତର ହୋଇ ଚାଲିଅଛନ୍ତି । ଆଜି ଟାଉନହଲରେ ଗୋଟାଏ ସଭା ବସିବ । କେତେ ଅନାଡ଼ି ପିଲା ଚାଲିଛନ୍ତି ଚୌଧୁରୀବଜାରରୁ ଗୁଡ଼ାଖୁ କିଣିବେ, ଗୌଣ ଭାବରେ ସଭାଟାରେ ଟିକିଏ ଯୋଗଦେଇ ଆସିବେ । ସଭାପତି କିଏ, ବିଷୟ କ’ଣ, ବକ୍ତା କିଏ, ସେମାନେ କିଛି ଜାଣନ୍ତିନାହିଁ । ତେବେ ସଭାପତି ଜଣେ ସ୍ଥାନୀୟ ଗଣ୍ୟମାନ୍ୟ ଲୋକ, ବକ୍ତା ଜଣେ ବିଦେଶାଗତ ଖ୍ୟାତନାମା ଅଧ୍ୟାପକ ଏବଂ ବିଷୟଟି ‘ବିବାହ’ ବା ଏହିପରି ଗୋଟାଏ କିଛି କଥା ନେଇ । ସବୁ ସମାଜରେ ଏହିପରି ଦଳେ ଦଳେ ଥାନ୍ତି, ସେମାନେ କେବଳ ଗୋଟାଏ ସ୍ରୋତରେ ଭାସି ଚାଲନ୍ତି । ଏମାନେ ସେହି ଦଳର । ଏମାନଙ୍କର ସଭାରେ ଯୋଗ ଦେବାର ପ୍ରଥମ କାରଣ, ଗୁଡ଼ାଖୁ, ଲୁଗା, ଗାମୁଛା ପ୍ରଭୃତି କିଣିବା, ଦ୍ଵିତୀୟ କାରଣ, ଅଧିକାଂଶ ଛାତ୍ର ଆଜି ସଭାରେ ଯୋଗ ଦେଇଅଛନ୍ତି । ଅଧିକ ସଂଖ୍ୟକ ଛାତ୍ର ଆସିବାର କାରଣ, ବିଷୟଟି ସେହିମାନଙ୍କ ପାଇଁ ଉଦ୍ଦିଷ୍ଟ–“ଆଧୁନିକ ଯୁଗରେ ବିବାହର ନୀତି ।”

 

ବକ୍ତାଙ୍କ କଥାର ଭାବାର୍ଥ ହେଉଛି, ସମଗ୍ର ଭାରତର ତଥା ମାନବସମାଜର କଲ୍ୟାଣପାଇଁ ସଂକୀର୍ଣ୍ଣ ଜାତିପ୍ରଥାଗତ ବ୍ୟବଧାନ ସବୁ ଅମାନ୍ୟ କରି ରୁଚି ଅନୁସାରେ ବୈବାହିକ ପ୍ରଥା ପ୍ରଚଳନ କରିବାର ସମୟ ଆସିଅଛି ଏବଂ ଏହା ଯଦ୍ଦ୍ୱାରା ଶୀଘ୍ର ସାଧାରଣଙ୍କ ମଧ୍ୟରେ ପ୍ରବର୍ତ୍ତନ କରାଯାଇପାରେ, ସେଥିପାଇଁ ପ୍ରତ୍ୟେକ ଶିକ୍ଷିତ ବ୍ୟକ୍ତିର ସଚେଷ୍ଟା ହେବା ଉଚିତ । ବିଷୟଟିରେ ମତଦ୍ଵୈଧ ହେବାର ସମ୍ଭାବନାଥିବାରୁ ବକ୍ତାଙ୍କ ଅଭିପ୍ରାୟ ଅନୁସାରେ ତାଙ୍କୁ କେହି ପ୍ରଶ୍ନ କରିବାକୁ କିମ୍ବା ତାଙ୍କର ଯୁକ୍ତିଯୁକ୍ତ ସମାଲୋଚନା କରିବାକୁ ସଭାପତି ଶ୍ରୋତୃମଣ୍ଡଳୀକୁ ଅନୁରୋଧ କଲେ ।

 

ଏ ସ୍ଥଳରେ ଉତ୍କଳର ଶିକ୍ଷିତ ସମାଜରୁ କିଏ କ’ଣ କହିଥିବେ, ପାଠକମାନେ ଅନୁମାନ କରି ସ୍ଥିର କରନ୍ତୁ । ଯେତେ ଲୋକ ସମାଲୋଚନା କରିବାକୁ ଠିଆ ହେଲେ, ସେଥିମଧ୍ୟରୁ ଠିକ୍ ସମାଲୋଚନା କିଏ କଲେ ବୋଲାଯାଇପାରେନାହିଁ । ଯାହା ଶୁଣାଗଲା, କେବଳ ଅକଥ୍ୟ, ଅଶ୍ରାବ୍ୟ, ଅଶ୍ଳୀଳ । ବ୍ୟକ୍ତିଗତ ଆକ୍ଷେପର ମଧ୍ୟ ବାକି ରହିଲାନାହିଁ ଏବଂ ନୀରିହ ସଭାପତି ଓ ବକ୍ତା ମଧ୍ୟ ସେଥିରୁ ରକ୍ଷା ପାଇଲେନାହିଁ ।

 

ଏ ସମ୍ପର୍କରେ କେବଳ ଜଣେ ନବ୍ୟ ଶିକ୍ଷିତଙ୍କ ଅଭିମତ ଜାଣିରଖିବା ଉଚିତ । ସେ ମହୋଦୟ ଅନ୍ୟମାନଙ୍କ ପରି ବାଜେ ଯୁକ୍ତିତର୍କ କରିବାଟାକୁ ପସନ୍ଦ କରନ୍ତିନାହିଁ । କେବଳ ତାଙ୍କର ଅଭିଜ୍ଞତାମୂଳକ କେତେଟା ଉଦାହରଣ ସେ ବ୍ୟକ୍ତ କରିବେ । କଲେଜରେ ଅଧ୍ୟୟନ କାଳରେ ତାଙ୍କର ଦୁଇଜଣ ପରମବନ୍ଧୁ ଏହିପରି ବାତୁଳତା କରି କି ବିଷମୟ ପରିଣାମ ଭୋଗ କରୁଅଛନ୍ତି, ତାହାର ଦୃଷ୍ଟାନ୍ତ ସେ ଦେଖାଇଥିଲେ । ଜଣେ ଅଭିଭାବକଙ୍କ ବିନାନୁମତିରେ ଗୋଟିଏ ଅଜ୍ଞାତକୁଳଶୀଳା (ଏଇଟି ବକ୍ତାଙ୍କର କପୋଳକଳ୍ପିତ) ନବ୍ୟଶିକ୍ଷିତା ଯୁବତୀଙ୍କୁ ବିବାହ କଲେ, କିନ୍ତୁ ଅଳ୍ପଦିନ ପରେ ତାଙ୍କୁ ଭ୍ରଷ୍ଟାଚାରିଣୀ ଦେଖି ଗୃହରୁ ବିତାଡ଼ନ କଲେ । ଆଉ ଜଣେ ଏକ କିରସ୍ତାନ କନ୍ୟାକୁ ବିବାହ କରିବାକୁ ଯାଉଅଛନ୍ତି । ସମାଜ କିଛି ଅଭିମତ ବ୍ୟକ୍ତ କରିବା ପୂର୍ବରୁ ସ୍ଵୟଂ ଭଗବାନ୍‌ ତାଙ୍କ ଉଦ୍ଦେଶ୍ୟରେ ସୂଚନା ଦେଇସାରିଲେଣି । କିରସ୍ତାନ କନ୍ୟାଟି ବର୍ତ୍ତମାନ କଠିନ ରୋଗରେ ପୀଡ଼ିତା ଅଛନ୍ତି । ବିବାହ କଲେ ଏ ଦମ୍ପତି କେତେଦୂର ସୁଖୀ ହେବେ, ଭଗବାନ୍ ଯେପରି ତାହାର ପୂର୍ବାଭାସ ଦେଇସରିଆଛନ୍ତି । ବକ୍ତା ଚିତ୍କାର କଲେ, ଦେଶର ମସ୍ତିଷ୍କସ୍ୱରୂପ ଶିକ୍ଷିତ ସମାଜ ! ଦେଶର ଭବିଷ୍ୟତ ଆଶାଭରସା ଛାତ୍ର ସମାଜ । ସାବଧାନ ! ଥରେ ବିଚାରି ଦେଖ; କି ଦାୟିତ୍ଵ ବହନ କରି ତୁମ୍ଭେମାନେ ଏ ସଂସାରକୁ ଆସିଅଛ । ଯେତେ ବଡ଼ ପଣ୍ଡିତ, ତାର୍କିକ ହୁଅନ୍ତୁ, ମୋର ଏ ଦୁଇଟା ଚାକ୍ଷୁଷ ପ୍ରମାଣ କିଏ ଖଣ୍ଡନ କରିବେ ଦେଖାଯାଉ । ତୁମ୍ଭେମାନେ ଇତର ଜନସାଧାରଣଙ୍କ ପରି ହୋ’ ମତାଣିରେ ତାଳି ମାରନାହିଁ । କବି ଯଥାର୍ଥ କହି ଅଛନ୍ତି–

 

“ବିଜ୍ଞଜନେ ତୁମ୍ଭ ରୀତି ଦେଖି କାବା,

ଜନତା କୁହାଟେ ବାହାବା ବାହାବା ।”

 

ଦୁଷ୍ଟ କଲେଜ ପିଲା କେତେଟା ଏହି ବିଜ୍ଞ ମହୋଦୟଙ୍କୁ “ବସି ଯାଅ” “ଚୁପ୍‌ ରୁହ” କହି ଉତ୍ତ୍ୟକ୍ତ କରୁଥାନ୍ତି; କିନ୍ତୁ ବକ୍ତା ଅନର୍ଗଳ ଗପି ଚାଲିଥାନ୍ତି । ଆଉ କେହି ବକ୍ତାଙ୍କର ଆଦର୍ଶ ସାହସର ପରିଚୟ ପାଇ ମୁରୁକିହସା ଦେଇ “ଗୋ ଅନ୍” ଇତ୍ୟାଦି କହିବାରେ ଲାଗିଥାନ୍ତି, କେତେଲୋକ କାନରେ ହାତ ଦେଇ ମୁହଁ ତଳକୁ କରି ବସିଥାନ୍ତି, କେତେଜଣ “ଶାନ୍ତି” “ଶାନ୍ତି” ଡାକି ବେଶି ଅଶାନ୍ତି ସୃଷ୍ଟି କରୁଥାନ୍ତି ।

 

କେହି କେହି ନୀରବ ପଦକ୍ଷେପରେ ସଭାଗୃହ ପରିତ୍ୟାଗ କରିବାକୁ ଲାଗିଲେଣି । ସଭାଗୃହ ପରିତ୍ୟାଗ କରିବା ଲୋକଙ୍କ ମଧ୍ୟରୁ ସର୍ବପ୍ରଥମେ ବାରଣ୍ଡାରେ ଠିଆ ହୋଇଥିବା ଗୋଟିଏ ଲୋକ ବାହାରି ପଡ଼ିଲା । ହାତରେ ଖଣ୍ଡେ ସୁଟ୍‌କେସ୍‌, ଲମ୍ବ ଦାଢ଼ି, କେଶ ପ୍ରସାଧନବିହୀନ, ପ୍ରଶସ୍ତ ବକ୍ଷ, ଦୀର୍ଘକାୟ । ଦରଜା ଦେଇ ହଲ୍ ବାହାରେ ଯେ ଚତୁଷ୍କୋଣ ଆଲୋକଖଣ୍ଡ ପଡ଼ିଥିଲା, ସେଥିରେ ଲୋକଟିକୁ ଦେଖାଗଲା । ମୁଖ ଉଜ୍ଜ୍ୱଳ ଗୌରବର୍ଣ୍ଣ, କିନ୍ତୁ କିପରି ଗୋଟାଏ ଶୀର୍ଣ୍ଣ ମଳିନତା ଲୋକଟାର ମୁଖକୁ ଅବୃତ କରି ରଖିଛି ଚକ୍ଷୁର ପତା ଦୁଇଟା ଯେପରି ଉତ୍ତାପରେ ସିଝି ସିଝି କଳା ହୋଇଯାଇଛି । କାହିଁକି କେଜାଣି, ହଠାତ୍ ଲୋକଟା ସେହି ଆଲୋକଖଣ୍ଡରୁ ଅପସୃତ ହୋଇ ଅନ୍ଧକାର ରାସ୍ତା ମଧ୍ୟରେ ତରତର ହୋଇ ଚାଲିଛି । ଦୋକାନ ବଜାର ଗଳି ସେ ଏକ ନିଶ୍ଵାସରେ ଅତିକ୍ରମ କରିଯିବାକୁ ବ୍ୟଗ୍ର । ଯେଉଁ ବାଟେ ବେଶି ଲୋକ ଯାତାୟାତ କରୁଅଛନ୍ତି, ଏ ଲୋକଟା ସେ ବାଟ ଛାଡ଼ି, ଦୋକାନ ପାର୍ଶ୍ଵ ଛାଡ଼ି, ଦୂରେ ଦୂରେ ଅନ୍ଧକାର ଖୋଜି ଗତି କରୁଅଛି । ଯେପରି କି ଏମାନଙ୍କ ମଧ୍ୟରେ ଲୋକଟାକୁ ଚିହ୍ନିବା ଭଳି ଅନେକ ଅଛନ୍ତି ଏବଂ ସେ ସେମାନଙ୍କଠାରୁ ଆତ୍ମଗୋପନ କରିବାକୁ ଚାହେଁ ।

 

ଲୋକଟାକୁ ଏପରି ବାଟ ଛାଡ଼ି ଅବାଟରେ ଯାଉଥିବାର ଦେଖି ବିଟ୍‌ବାଲା କନେଷ୍ଟବଲ ଡାକିଲା, “କୋନ୍‌ ହୈ !” ଲୋକଟା କିଛି ନ କହି ଥକ୍‌କା ହୋଇ ଠିଆହେଲା । କନେଷ୍ଟବଲ ହାତରେ ଆଲୋକ ଥିଲା । ସେ ତା’ ମୁଖରେ ଆଲୋକପାତ କରି କେଜାଣି କ’ଣ ବିଚାରି ସଟାଂ କରି ତା’ ଗୋଡ଼ତଳେ ପଡ଼ିଯାଇ କହିଲା, “ମାଫ୍ କରନ୍ତୁ, ଆଜ୍ଞା । ଏତେବେଳଟାରେ ଏ ବେଶରେ କୁଆଡ଼େ ଚାଲିଛନ୍ତି ? କାହାର କ’ଣ ହେଇଛି କି ?” ଶ୍ମଶ୍ରୁଳ ଲୋକଟା ତା’ କଥା କିଛି ବୁଝି ନପାରି ମୃଦୁ ସ୍ଵରରେ କହିଲା, “କିଏ ତୁମେ ?” କନଷ୍ଟେବଲ ଦଣ୍ଡାୟମାନ ହୋଇ ଯୋଡ଼ହାତରେ କହିଲା, “ଆଜ୍ଞା, ମୁଁ ପରା ମହମ୍ମଦ ।” ଲୋକଟା ଯେପରି ସବୁ କିଛି ଭୁଲିଯାଇଛି, ପୁଣି ସ୍ମରଣରେ ଆଣିବାପାଇଁ ଚାହିଁ କହିଲା, “ମହମ୍ମଦ !”

 

“ଆଜ୍ଞା ହଁ, ହଜୁରଙ୍କ ହାତରେ ଯେ ଜୀବନ ପାଇଛି, ସେହି ମହମ୍ମଦ । ହଜୁର ଯାହାର ଉପକାର କରନ୍ତି, ତାକୁ ଏତେ ଶୀଘ୍ର ଭୁଲିଯାନ୍ତି ! ସେ ଦିନ ଘରପୋଡ଼ି କଥା କ’ଣ ଭୁଲିଯାଇଛନ୍ତି ! ମତେ ଲୋକଗୁଡ଼ାକ ବିନା ଦୋଷରେ ଘରେ ନିଆଁ ଲଗାଇଛି ବୋଲି ମାରି ମାରି ସେହି ନିଆଁରେ ପକାଇବାକୁ ଘେନି ଯାଉଥିଲେ । ମୁଁ ପ୍ରାଣ ବିକଳରେ ଡକା ପାରୁଥାଏ । ହଜୁର ପରା ମତେ ଉଦ୍ଧାର କଲେ ! ଡାକ୍ତରଖାନାକୁ ନେଇ ହାତରୁ ପଇସା ଖର୍ଚ୍ଚ କରି ମତେ ଭଲ କରାଇଲେ । କଟକ ସହରର କେଉଁ ବଜାର, କେଉଁ ଗଳିର ଦୁଃଖୀରଙ୍କୀ ଲୋକ ହଜୁରଙ୍କୁ ନ ଚିହ୍ନେ । ମୁଁ ହଜୁରଙ୍କ ହାତରୁ ଜୀବନ ପାଇଛି, ଚିହ୍ନିନାହିଁ ।”

 

ଲୋକଟା ଟିକିଏ ଇତସ୍ତତଃ ହେଲାପରି ଜଣାଗଲା । ତତ୍ପରେ ମଳିନ ହାସ୍ୟ ହସି କହିଲା, “ଆଚ୍ଛା ମହମ୍ମଦ, ମୁଁ ଗୋଟାଏ ବିଶେଷ କାମରେ ଯାଉଛି ।” ମହମ୍ମଦ ସହଜରେ ଛାଡ଼ିବାର ପାତ୍ର ନୁହେଁ । ସେ ତା’ର ବେତନଦାତାର ହୁକୁମ ଅମାନ୍ୟ କରି ତା’ର ଜୀବନଦାତାର ଅନୁଗାମୀ ହୋଇ ତାକୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇ ଦେବାକୁ ଜିଗର କଲା । ଲୋକଟା ଗମ୍ଭୀର ଭାବରେ “କିଛି ଦରକାରନାହିଁ, ମହମ୍ମଦ” କହି ପୁଣି ପୂର୍ବ ଗତିରେ ଚାଲିଲା । ମହମ୍ମଦ ବିଚାରିଲା, “କିଏ ମରି ଶୋଇଛି, ତାକୁ ଉଠାଇବାକୁ କେହିନାହିଁ; କେଉଁ ବୁଢ଼ୀ ରୋଗରେ ଶୋଇଛି, ତା’ର ଶୁଶ୍ରୁଷା କରିବା ଲୋକ ଅନାବଶ୍ୟକ ମନେକରନ୍ତି; କିଏ ଅସହାୟ, ଖାଦ୍ୟାଭାବରୁ ତିନି ଦିନ ଉପାସ ଭୋକରେ ପଡ଼ିଛି; ଏହିସବୁ ବାଜେ ବିଷୟ ଖୋଜି ବୁଲି ଲୁଚି ଲୁଚି ସେ ସବୁର ପ୍ରତିକାର କରିବାହିଁ ଏ ଲୋକଟାର ବିଶେଷ କାମ ।” ସେ ପିଙ୍କା ଟାଣି ନିଜ କର୍ତ୍ତବ୍ୟରେ ମନ ଦେଲା ।

 

ଲୋକଟା ଦ୍ରୁତ ଗତିରେ ଯାଇଁ ପିଟିନ୍‌ସାହି ଭିତରେ ପଶିଲା । ଖଣ୍ଡେ ଏକତାଲା କୋଠା ଦୁଆରେ ଦଣ୍ଡାୟମାନ ହୋଇ ଅନେକକ୍ଷଣ କ’ଣ ଭାବିଲା, ପରେ ଧୀରେ ଧୀରେ ଯାଇ ଦରଜାରେ ହାତ ଦେଲା । ଭିତରୁ ନାରୀକଣ୍ଠରୁ ଶବ୍ଦ ଶୁଣାଗଲା, “କିଏ ?”

 

“ଦୁଆର ଖୋଲନ୍ତୁ ।” ଗୋଟିଏ ଦାସୀ ଆସି ଦୁଆର ଖୋଲି ଦେଲା । ଦାସୀଟି ଏହି କିମ୍ଭୁତକିମାକାର ଆଗନ୍ତୁକର ଆପାଦମସ୍ତକ ନିରୀକ୍ଷଣ କରି ବିରକ୍ତ ସ୍ଵରରେ ପଚାରିଲା, “କ’ଣ ଦରକାର ତୁମର ?”

 

ଲୋକଟି ଗମ୍ଭୀର ହୋଇ ପଚାରିଲା, “ରମେଶବାବୁ ଅଛନ୍ତି ?”

 

“ହଁ, ତାଙ୍କୁ ଫୁରସେତ୍‌ନାହିଁ ।”

 

“ଖବର ଦିଅ, ଦୁଇ ମିନିଟ୍‌ପାଇଁ ବାହାରକୁ ଆସିବେ ।”

 

“ସେ ବ୍ୟସ୍ତ ଅଛନ୍ତି ।”

 

“ଆଗେ ଖବର ଦିଅ ।” ଦାସୀକୁ ଆଉ ବାକ୍ୟବ୍ୟୟ କରିବାକୁ ହେଲାନାହିଁ । ଗୃହ ମଧ୍ୟରୁ ଜଣେ ଯୁବକ ବାହାରି ଆସି ଲୋକଟାକୁ ନ ଚାହିଁ ନ ପଚାରି ଏକାବେଳକେ ବଳପୂର୍ବକ ଆଲିଙ୍ଗନ କରି ଉଚ୍ଛ୍ଵସିତ ସ୍ଵରରେ କହିଲା, “କିରେ ଦେବବ୍ରତ, ଛି ଭାଇ, ଏ କ’ଣରେ ? ତୁ ଗୋଟାଏ ଏତେବଡ଼ ସିଧାସଳଖ ମଣିଷଟାଏ ହେଇ ଏକାବେଳକେ ଭାଙ୍ଗିପଡ଼ିଛୁ ଯେ–କିରେ ଆମ ଜୀବନର ଲଢ଼ାଇ କ’ଣ ଶେଷ ହେଲାଣି କି, ଏ ଯେ ଖାଲି ଆରମ୍ଭ ।” ଏତିକି କହି ଯୁବକଟି ତାକୁ ଏକାବେଳକେ ଗୃହ ମଧ୍ୟକୁ ଟାଣି ନେଇଯିବାକୁ ବସିଲା; କିନ୍ତୁ ଆଗନ୍ତୁକଟି ତାକୁ ବାଧା ଦେଇ କହିଲା, “ରହ ଭାଇ, ସୁନୀତି ସହିତ ମୋର ସାକ୍ଷାତ୍ ହେବା ଉଚିତ କି ନା, ପ୍ରଥମେ ଠିକ୍ କରିବା ଆବଶ୍ୟକ ।” ଯୁବକଟି ଆଗନ୍ତୁକର ହାତକୁ ହଲାଇ ହସି ହସି କହିଲା, “ସେ କ'ଣରେ, ସୁନୀତିର ଦେହ ବେରାମ, ତୁ ତାକୁ ଟିକିଏ ଦେଖି ଯିବୁନାହିଁ ?”

 

“ହଁ, ଆଜି ସଭାରେ ସେହି ବେରାମ ସମ୍ବାଦ ଶୁଣି ତ ଆସିଲି, ନ ହେଲେ ତ ଠିକ୍ କରିଥିଲି–”

 

“ଦୂର୍ ପାଗଳ, ଆ, ସେ ସବୁ କଥା ପରେ ହେବ ।”

 

ଦେବବ୍ରତର ଉତ୍ତରକୁ ଅପେକ୍ଷା ନ କରି ରମେଶ ତାକୁ ଏକଦମ୍ ଭିତରକୁ ଟାଣିନେଇଗଲା । ସୁନୀତିର ପ୍ରକୋଷ୍ଠରେ ପ୍ରବେଶ କରି ଦେବବ୍ରତ ଦେଖିଲା, କ୍ଷୀଣ ଆଲୋକରେ ସୁନୀତି ଏକପାର୍ଶ୍ଵରେ ଶୟନା । ପାଖରେ ଔଷଧ ଟେବୁଲଟି । ସୁନୀତିର ଦେବବ୍ରତ ସମ୍ବନ୍ଧରେ ଶୁଣିବାକୁ ଆଉ କିଛି ବାକି ନଥିଲା । ସେ ବର୍ତ୍ତମାନ କରଲେଉଟାଇ ଦେବବ୍ରତ ଉପରେ ଦୃଷ୍ଟି ପକାଇ ଦେଇ ଚକିତ ହୋଇ କହିଲା “ଏଁ–ଦେବବାବୁ–ଏ ଚେହେରା କ’ଣ ହେଇଛି ? କି ଏପରି ଅପରାଧ ତୁମେ କରିଛ ଯେ, ସେଥିପାଇଁ ଏତେ ଅନୁତାପ ? ସେ ଚଗଲୀଟା ତୁମକୁ ସିନା ଖାଲି ଗୋଟାଏ ତୁଚ୍ଛା ଅଭିମାନରେ ଛାଡ଼ିଚାଲିଯାଇଛି, ନ ହେଲେ ତା’ର ଅବସ୍ଥା ଏବେ ଯାହା ହେବଣି, ତାହା ତା’ର ଏ ସହୀକୁ ଭଲରୂପେ ଜଣା ।”
 

ଦେବବ୍ରତ ମୁହଁ ପୋତି ସବୁ ଶୁଣିଗଲା, ପଦେ ଉତ୍ତର ଦେଇପାରିଲାନାହିଁ କିମ୍ବା ମୁହଁ ଟେକି ସୁନୀତିକୁ ଚାହିଁପାରିଲାନାହିଁ । କେବଳ ରମେଶକୁ ପଚାରିଲା, “ସୁନୀତି ଏପରି କେତେଦିନ ହେଲା ଅସୁସ୍ଥ ? ଡାକ୍ତରମାନେ କ’ଣ କହୁଛନ୍ତି ?” ରମେଶ ସୁନୀତିକୁ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ଥରେ ଚାହିଁ ଦେବବ୍ରତକୁ ଉତ୍ତର କଲା, “ଗତଦୁଇ ସପ୍ତାହ ହେଲା ଏହିପରି ସେ ଭୋଗୁଛି, ମଝିରେ ତ ନ୍ୟୁମୋନିଆ ପର୍ଯ୍ୟନ୍ତ ଯାଇଥିଲା; କିନ୍ତୁ ବର୍ତ୍ତମାନ ବହୁ ପରିମାଣରେ ଭଲ ହୋଇଆସିଲାଣି । ଡାକ୍ତରମାନଙ୍କର ଆଉ ଡରନାହିଁ ।” ଦେବବ୍ରତର ସ୍ଵୟଂ ପ୍ରସଙ୍ଗ ଉତ୍ଥାପନ କରି ରମେଶ କହିଲା, “ଆଚ୍ଛା, ଦେବ, ବୋଉଙ୍କ ଦେହ କିପରି କହିଲୁ, ତୁ ଯେ ଏତେ ଚଞ୍ଚଳ ବାହାରିପଡ଼ିବୁ, ମୁଁ ଭାବି ନଥିଲି !”

 

“ବୋଉ ବର୍ତ୍ତମାନ ଅନେକ ପରିମାଣରେ ସୁସ୍ଥ ହେଲେଣି, ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ମତେ ଘରେ ରଖି ଦେଲେନାହିଁ ।”

 

‘‘ସଙ୍ଗରେ ତ ଆଉ କେହିନାହିଁ, କାବୁଲିଙ୍କ ପରି ଏମିତି ଏକା ଏକା ବାହାରିଲୁ ?”

 

“ନାହିଁ, ଭାଇ, ବୋଉ ଜବରଦସ୍ତି ଚାକର ପୁଝାରୀ ସାଥିରେ ଦେଇଥିଲେ, ସେମାନଙ୍କୁ ବାଟରୁ ଫେରାଇ ଦେଇଛି । ମୋ ଭାଗ୍ୟ ଘେନି ମତେ କୁଆଡ଼େ ବୁଲିବାକୁ ହେବ ଜଣାନାହିଁ । ସେଥିରେ ପୁଣି ଢୋଲ ପିଟି ଆଉ ଦୁଇଜଣଙ୍କୁ ସଙ୍ଗରେ ଘେନି ରୋଷଣୀ କରି ବାହାରିବି କାହିଁକି ? ଖାଲି ଧନିଆଟା ସାଙ୍ଗ ଛାଡ଼ୁନାହିଁ ।”

 

“ଆଚ୍ଛା, ବର୍ତ୍ତମାନ କିଛି ଠିକଣା ନ ବୁଝି ଯାତ୍ରା କରିବୁ କୁଆଡ଼େ ?”

 

ଦେବବ୍ରତ ଅଳ୍ପ ହସି କହିଲା, “କୁଆଡ଼େ ଆଉ ? ନିରୁଦ୍ଦେଶ ଯାତ୍ରା । ତେବେ ଆପତତଃ କଲିକତା ଚାଲିଲି ।”

 

“ନିୟମିତ ପତ୍ର ଦେବୁ କିନ୍ତୁ ।”

 

“ସୁବିଧା ମିଳିଲେ ତ ?” ତା’ପରେ ସୁନୀତିର ଅସୁସ୍ଥତାବଶତଃ ରମେଶ ଆଜିର ସଭାକୁ ଯାଇପାରି ନଥିବାରୁ ଦେବବ୍ରତକୁ ପଚାରି ସବୁ ବୁଝିଲା ।

 

ସେହିଦିନ ଦେବବ୍ରତର ଯାତ୍ରା କରିବାର କଥା, କିନ୍ତୁ ରମେଶ ଓ ସୁନୀତିର ବଳାତ୍କାରରେ ସେଦିନ ତାକୁ ସୁନୀତି ଗୃହରେ ଆତିଥ୍ୟ ଗ୍ରହଣ କରିବାକୁ ହେଲା ।

 

ବିନୋଦବିହାରୀ ବାସନ୍ତୀର ସବିଶେଷ ସମ୍ବାଦ ଲେଖି ଯେତେବେଳେ ବାଲେଶ୍ଵରକୁ ପତ୍ର ଲେଖିଲେ, ସେ ପତ୍ର ପହଞ୍ଚିବା ପୂର୍ବରୁ ଦେବବ୍ରତ ଯାତ୍ରା କରିସାରିଥିଲା । ସେ ରମେଶକୁ ପତ୍ର ଦେବ ବୋଲି ଏକରକମ ଅଙ୍ଗୀକାର କରିଗଲା ସତ୍ୟ; କିନ୍ତୁ ବାସନ୍ତୀକୁ ଏପରି ଭାବରେ ନିର୍ବାସିତ କରିଦେବାଟା ଦେବବ୍ରତକୁ ସମାଜ ଓ ସଂସାର ସମକ୍ଷରେ ଏତେଦୂର ବିବ୍ରତ କରି ପକାଇଥିଲା ଯେ, ସେ ନା ରମେଶ, ନା ତାହାର ମାତା କାହାରିକୁ ନିଜର ସମ୍ବାଦ ଜଣାଇବାଟା ଉଚିତ କିମ୍ବା ଅନୁଚିତ ଠିକ୍ କରିପାରିଲାନାହିଁ । ବାସନ୍ତୀ ଅବଳା ନାରୀ, ସେ ତାକୁ ଏକାକୀ ବିଦାୟ କରି ଦେଇଛି, କେଉଁ ଦିଗକୁ ଯିବ କିଛି ନ ବୁଝି ନ ବିଚାରି ଏକାବେଳେ ଉନ୍ମାଦଗ୍ରସ୍ତ ଲୋକ ପରି ତ୍ୟାଗ କରିଦେଇଛି । ସେହି ଅସହାୟ ନାରୀର ନିର୍ବାସନ ସେ ନିଜେ ଏବଂ ଅନ୍ୟମାନେ ତ ସହ୍ୟ କରି ରହିଅଛନ୍ତି । ଆଉ ସେ ପୁରୁଷ ହୋଇ କ’ଣ ଏପରି ନିରୁଦ୍ଦେଶ ହୋଇଯିବାର କଥା ଯେ, ଅନ୍ୟମାନେ ତା’ପାଇଁ ଶଙ୍କିତ ହେବେ ! ନା, ସେ ବାସନ୍ତୀର ସନ୍ଧାନ ନ କରିବାଯାଏ କାହାରିକି କିଛି ଖବର ଦେବନାହିଁ ।

 

–ଅଣତିରିଶ–

 

ସୁଭଦ୍ରାଦେଈ ବିନୋଦବିହାରୀଙ୍କ ପତ୍ରରୁ ବାସନ୍ତୀର ସମସ୍ତ ସମ୍ବାଦ ପାଇ ନିଶାମଣିକି ଡାକି କହିଲେ, “ଏଥର ମୋ ଦେହ ଆଉ କିଛି ଖରାପ ହେବନାହିଁ ଲୋ ନିଶା, ମୋ ହଜିଲା ନିଧି ତ ମିଳିଲାଣି ।” ସେ ପତ୍ର ସଙ୍ଗରେ ନିଶାମଣି ନିକଟକୁ ମଧ୍ୟ ଖଣ୍ଡେ ପତ୍ର ଆସିଥିଲା । ସେ ଖଣ୍ଡ କିନ୍ତୁ ବାସନ୍ତୀର ହାତର ଲେଖା । ବାସନ୍ତୀର ପ୍ରତିଷ୍ଠିତ ନାରୀ ଶିକ୍ଷାଗାର ସମ୍ବନ୍ଧରେ ସେ ପତ୍ରଟି ପୂର୍ଣ୍ଣ ହୋଇଛି । ବିଦ୍ୟାଳୟର ଆଦର୍ଶକୁ ଆହୁରି କିପରି ଉଚ୍ଚତର କରିବାକୁ ହେବ, ବାଳିକା, ଯୁବତୀ ଓ ପ୍ରୌଢ଼ାମାନଙ୍କୁ କିପରି ବିଭିନ୍ନ ରୀତିରେ ଶିକ୍ଷା ଦେବାକୁ ହେବ ଏବଂ ସମ୍ପୂର୍ଣ୍ଣ ଆଧୁନିକ ଧରଣରେ ସେମାନଙ୍କୁ ଦୀକ୍ଷିତା କରି କିପରି ଭାରତୀୟ ଆଦର୍ଶକୁ ବଡ଼ କରି ସେମାନଙ୍କ ସମକ୍ଷରେ ଧରିବାକୁ ହେବ, ଏହିସବୁ ନେଇ ପଟ୍ଟଶିଷ୍ୟା ନିଶାମଣି ନିକଟକୁ ଦୀର୍ଘ ପତ୍ର ଲେଖା ଯାଇଛି । ଶେଷରେ ଶାଶୁଙ୍କ ପ୍ରଣାମ ଏବଂ ଅନ୍ୟ ସବୁ ସଙ୍ଗିନୀମାନଙ୍କ ନିକଟକୁ ସ୍ନେହସମ୍ଭାଷଣ ଦିଆଯାଇଛି । ନିଶାମଣିର ପତ୍ର ଶୁଣି ବୃଦ୍ଧା ଅତ୍ୟନ୍ତ ଆହ୍ଲାଦିତା ହୋଇପଡ଼ିଲେ ।

 

ଅନୁପସ୍ଥିତିଜନିତ ବାସନ୍ତୀର ବ୍ୟକ୍ତିତ୍ଵ ସୁଭଦ୍ରାଙ୍କୁ ଏକାବେଳକେ ମୁଗ୍ଧ କରି ଦେଇଛି । ସେ ଏ ସବୁ ଶୁଣି ନିଶାମଣି ମସ୍ତକରେ ହସ୍ତ ରଖି ତାକୁ ଆଶୀର୍ବାଦ କଲେ, ଯେପରି ସେମାନଙ୍କର ଏହି ମହତ୍ କାର୍ଯ୍ୟଟି ସୁସମାହିତ ହେଉ ଏବଂ ବୋହୂ ଫେରିଲେ ତା’ର ଅଧିକାଂଶ ସମୟ ଏହି କାର୍ଯ୍ୟରେ ବ୍ୟୟ କରିବାକୁ ତାକୁ ବାଧ୍ୟ କରିବେ ବୋଲି ଅଙ୍ଗୀକାର କଲେ । ସୁଭଦ୍ରା କହିଲେ, “ଆଲୋ ନିଶା, ବୋହୂର ମୋର କ’ଣଟିଏ ହେବ କହିଲୁ ?”

 

ନିଶା ବୃଦ୍ଧାଙ୍କ ମନ ପରୀକ୍ଷା କରିବାପାଇଁ ମୃଦୁ ହସି କହିଲା, “ପୁଅଟିଏ ହେଲେ ଭଲ ହୁଅନ୍ତା ।”

 

“ତୋ ତୁଣ୍ଡ ସୁତୁଣ୍ଡ ହେଉ ଲୋ ନିଶା । ପୁଅଟିଏ ହେଲେ ଏକା ମୋ ପିଣ୍ଡ ପାଣିର ସଂସ୍ଥାନ ରଖିଦେଇ ମୁଁ ମରନ୍ତି । ତା’ ବୋଲି ଝିଅ ହେଲେ କ’ଣ ଦୁଃଖ କରିବି କିଲୋ ?”

 

“ନାହିଁ ବଡ଼ମା, ଝିଅ କାହାର, ପୁଅ କାହାର !”

 

“ଯାହା କହିଲୁ, ମୋ ବୋହୂ ପରି ଯାର ଝିଅ ଜନ୍ମ ହେବ, ପୁଅ ନଥିଲେବି ତ ତା’ର ପିତୃପୁରୁଷଙ୍କର ସ୍ଵର୍ଗ ଦୁଆର ଖୋଲା ହେଇଛି ।”

 

ସନିଆମା ଆସି କେତେବେଳେ ନିକଟରେ ଠିଆ ହୋଇ ରହିଛି, ସୁଭଦ୍ରାଙ୍କର ସେ ଦିଗକୁ ନଜରନାହିଁ । ଏଣିକି ସେ ସାଆନ୍ତାଣୀଙ୍କ ସାଙ୍ଗରେ ସରି ହୋଇ କଥା କହିପାରେନାହିଁ । ବାସନ୍ତୀଠାରୁ ସୁଭଦ୍ରାଦେଈ ଶିକ୍ଷା କରିଛନ୍ତି, ସନିଆମା ଯେଉଁ ଦରର ଲୋକ, ତା’ ସହିତ ସାଆନ୍ତାଣି ହୋଇ ସମାନ କରି କଥା କହିବାଟା ସୁନ୍ଦର ନୁହେଁ । ସନିଆମା ସେହିଦିନୁ ସାଆନ୍ତାଣୀକୁ ଯେ କେବଳ ଡରି ଡରି ଚଳେ, ତାହା ନୁହେଁ; ସାଇପଡ଼ିସାରେ ମଧ୍ୟ ବାସନ୍ତୀ ବିଷୟରେ ପଦେ କଥା କହିବାକୁ ତା’ର ସାହସ ହୁଏନାହିଁ । ସେହି ସନିଆମାକୁ ଆଜି ନିକଟରେ ଠିଆ ହୋଇଥିବାର ଦେଖି ତା’ ପ୍ରତି ତୀକ୍ଷ୍ଣ ଦୃଷ୍ଟି ନିକ୍ଷେପ କରି ସୁଭଦ୍ରା କହିଲେ, “କିଲୋ, ତୁ ଟା କାହିଁକି ଏଠି ଠିଆ ହୋଇ ରହିଛୁ, ଯା, ବାସନ ମାଜ୍ ।” ସନିଆମା ଭୟରେ ତତ୍‍କ୍ଷଣାତ୍ ପ୍ରସ୍ଥାନ କଲା ।

 

ପୁଣି ସୁଭଦ୍ରା ଦେଇ କହି ବସିଲେ, “ହଁ ଲୋ ନିଶା, ଦେବ ଏବେ ଏତେ ଦିନ ହେଲା ଗଲାଣି ଯେ, କିଛି ଖବର ଅନ୍ତରନାହିଁ । ଏ ପିଲାଗୁଡ଼ାକ କ’ଣ ବୁଢ଼ୀ ମା’ଟା ଉପରେ ସବୁ ରାଗ ସାଧୁଛନ୍ତି କିଲୋ ?”

 

“ଛି, ବଡ଼ମା ଏ କଥା କାହିଁକି ଭାବୁଛ ମ ! ଦେବଭାଇ କ’ଣ ପିଲାଛୁଆ ହୋଇଛନ୍ତି ଯେ କୁଆଡ଼େ ହଜିଯିବେ ?”

 

“ଆଲୋ, ସେ କଥା ନୁହେଁ ଯେ, ବୁଢ଼ୀ ମା’ଟାକୁ ଟିକିଏ ଖବର ଦିଅନ୍ତାନାହିଁ ?”

 

“କୁଆଡ଼େ କୁଆଡ଼େ ବୁଲୁଥିବେ, ସୁବିଧା ଅସୁବିଧା ପୁଣି ବିଚାର କରିବାକୁ ହେବ ।”

 

“ହଁ ତା’ ସତ, ତା’ ଉପରେ ମୋର ସନ୍ଦେହ କିଛିନାହିଁ ଯେ, ମୋ ପାଦ ଛୁଇଁ ଯେତେବେଳେ ସେ ଯାଇଛି । ତେବେ କଥା କ’ଣ କି, ସେତ ବୋହୂର ଠିକଣା କିଛି ଜାଣିପାରିଲାନାହିଁ, କୁଆଡ଼େ କୁଆଡ଼େ ପିଲାଟା ଅକାରଣ କେତେ ବୁଲିବ ! ମୁଁ ଅବା ବୋହୂ ପାଖକୁ ଚାଲିଯାନ୍ତି । ଏଣେ ଘର ଚଳିବ କିପରି ? ଏ ତ ନିଆଁଶିଆ ଚାକରଗୁଡ଼ାକ ଶଗୁଣା ପରି ଚାହିଁ ବସିଛନ୍ତି । ପିଠି ଆଡ଼େଇଲେ ଚିଲା ମାରି ନେବେ ।”

 

“ନାହିଁ ତୁମେ ଆଉ କିପରି ଯିବ, ବଡ଼ମା, ଦେବଭାଇଙ୍କି ଖୋଜି ଆଣିବାକୁ ଆଉ କାହାରିକି ପଠାଅ ।”

 

“ହଁ, ସେଇକଥା କରିବା । ତୁ ଆମର ସବୁ କଥା ଲେଖି ବୋହୂ ପାଖକୁ ଖଣ୍ଡେ ଚିଠି ଲେଖିଦେଲୁ । ଦେବ କଥା, ମୋ କଥା, ତୁମ ଇସ୍କୁଲ କଥା । ହଁ ଲୋ ନିଶା, ତୋ କଥା କ’ଣ ବୋହୂ ପାଖକୁ କିଛି ଲେଖି ନାହୁଁ କି ?”

 

ନିଶାମଣି ଟିକିଏ ଲଜ୍ଜିତା ହୋଇ ପଚାରିଲା “ମୋ କଥା ପୁଣି ଗୋଟିଏ କ’ଣ ମ ?”

 

ଦେବବୋଉ ହସି ହସି କହିଲେ, “ଆଲୋ, ତୋର ସେଇ ବାହାଘର କଥା ମ ।”

 

ନିଶାମଣି ଆରକ୍ତଗଣ୍ଡରେ ତଳକୁ ମୁଖ ନତକରି କହିଲା, “ନାହିଁ; ସେ କଥା ଲେଖିନାହିଁ-।”

 

“ଏଥର ସେଇ କଥା ଲେଖିଦେବୁଟି; ବୋହୂ ମୋର ଭାରି ଖୁସିଟାଏ ହେବ । ନ ହେଲେ, ତା’ର ପରା ଝିଅଟିକୁ ମୋର କ’ଣ ନା ପାଞ୍ଚ ହଜାର ଟଙ୍କା ନ ନେଲେ ବାହା ହେବନାହିଁ । ତା’ ବାପର ସିନା ଟଙ୍କା ଅଛି ବୋଲି ! କାହିଁକିରେ, ଝିଅ ହେଲା ବୋଲି କ’ଣ ତା’ର ଆଉ କିଛିନାହିଁ-। ତୁ ଗୋଟାଏ ବେ. ଏମ. ପଢ଼ିଛୁ; ତୋର ଏଇ ନିକୁଛା ବୁଦ୍ଧି ! ଟଙ୍କା ନେଇ ଯୋଉଁଠି ବାହା ହ, ଏଡ଼େ ଗୁଣର ଝିଅ ତତେ ସଂସାର ଭିତରେ ମିଳିବନା ! ଭଲ କରିଛୁ ଲୋ ନିଶା; ନାହିଁ କରି ଦେଇଛୁ । ଏ ଭଳି ପୁରୁଷକୁ ବାହା ହେଇ ତୁ କ’ଣ ସୁଖ ପାଆନ୍ତୁ ! ଯେଉଁଟା ଗୁଣ ନ ଚିହ୍ନି ଆଗ ଟଙ୍କା ଚିହ୍ନିଲା, ସେଇଟା କି ପୁରୁଷ ପୁଅଲୋ ।”

 

ଅଳ୍ପ ଦିନ ତଳେ ଜଣେ ଉଚ୍ଚ ଶିକ୍ଷିତ ଯୁବକଙ୍କ ସହ ନିଶାମଣିର ବିବାହ ପ୍ରସ୍ତାବ ଚାଲିଥିଲା । କିନ୍ତୁ ଯୁବକଟି ନଗଦ ଟ୫୦୦୦.୦୦ ଦାବି କରିବାରୁ ସ୍ୱୟଂ ନିଶାମଣୀ ପିତାଙ୍କ ପାଦତଳେ ପଡ଼ି ଏ ବିବାହରେ ଅସମ୍ମତି ଜଣାଇବାକୁ ବାଧ୍ୟକଲା । ତା’ର ନାରୀତ୍ଵକୁ କ୍ଷୁଣ୍ଣ କରି ଯେଉଁ ଅର୍ଥ–ପିଶାଚ ଧନଟାକୁ ସର୍ବପ୍ରଥମେ ଦାବି କରିବସେ, ସେ ତାକୁ ସ୍ୱାମୀରୂପେ ବରଣ କରିପାରିବନାହିଁ । ଏ ବିଷୟ ବାସନ୍ତୀକୁ ଲେଖିଦେବାକୁ ସୁଭଦ୍ରାଦେଈ ନିଶାମଣିକୁ କହିଲେ । କାରଣ ସେ ଆଉ ପୂର୍ବକାଳିଆ ନୁହନ୍ତି, ବାସନ୍ତୀ ତାଙ୍କୁ ସମ୍ପୂର୍ଣ୍ଣ ନୂତନ ଧରଣର କରିନେଇଛି ।

 

ଏହି ସମୟରେ ମା’ ସାଆନ୍ତାଣୀ, ମା’ ସାଆନ୍ତାଣୀ ଡାକି କିଏ ଜଣେ ଜମିଦାରଙ୍କ ଉଆସ ଭିତରେ ପ୍ରବେଶ କଲା । ଦେବବୋଉ ଧନିଆର ସ୍ଵର ବାରି ପାରିଲେ । ଧନିଆ ଆସି ଲଥକରି ଖାମିନ୍ଦାଣୀଙ୍କ ଗୋଡ଼ତଳେ ପଡ଼ିଗଲା । ଖାମିନ୍ଦାଣୀ ହସି ହସି ପଚାରିଲେ, “କିରେ ପୋଡ଼ାମୁହାଁ, ଖାଲି ଫୁର୍ତ୍ତି କରି ଫେରିଲୁ, ନା ମୋ ବୋହୂର କିଛି ଖବର ଆଣିଛୁ ?”

 

ଧନିଆ କରଯୋଡ଼ି କାକୁତି କରି କହିଲା “କିଛି ପାଇଲିନାହିଁ ସାଆନ୍ତାଣୀ, କଲିକତା ସହର ଗୋଟାକ ଧନ୍ଦି ଧନ୍ଦି କିଛି କିନାରା କରି ହେଲାନାହିଁ ?”

 

“ହଁ, ଚିଠିରେ ସେଇ କଥା ଲେଖିଥିଲୁ । ଆରେ ହଉ ହଉ । ସେଥିପାଇଁ ମୋର ଭାବନାନାହିଁ । ହେଇ ଦେଖ୍, ତୁ ଖଣ୍ଡିଆ ଖାଲି ଟଙ୍କା ଶ୍ରାଦ୍ଧକରି ଯାହା କରି ନ ପାରିଲୁ, ମୁଁ ଘରେ ବସି ତାହା କରିଛି ।” ଏହା କହି ସୁଭଦ୍ରାଦେଈ ବିନୋଦବିହାରୀଙ୍କ ଚିଠିଖଣ୍ଡି ଧରି ଧନିଆକୁ ଦେଖାଇଲେ ।

 

ଧନିଆ ଉତ୍ସୁକ ଦୃଷ୍ଟିରେ ପଚାରିଲା, “ସେ କ’ଣ ସାଆନ୍ତାଣୀ ?” ଦେବବୋଉ ଉତ୍‍ଫୁଲ୍ଲ ହୋଇ କହିଲେ, “ଆଉ କ’ଣରେ, ବୋହୂ, ମୋର ଏ ଚିଠିଖଣ୍ଡ ପଠାଇଛି ।”

 

ଧନିଆ ଆନନ୍ଦ ଗଦ୍‍ଗଦ୍ ସ୍ଵରରେ କହିଲା, “କେଉଁଠି ଅଛନ୍ତି?”

 

“ବର୍ଦ୍ଧମାନରେ ।”

 

“ମୁଁ ତେବେ ଆଜି ଚାଲିଲି । ସାଆନ୍ତାଣୀ, ବାବୁ ସାଆନ୍ତେ କାହାନ୍ତି ?”

 

“ରହ ଖଣ୍ଡିଆ, କଥା କ’ଣ ନ ବୁଝି ଚାଲିଲି ! ଚିଠି ନ ପାଉଣୁ ବାବୁ ଏବେ କୁଆଡ଼େ ବୋହୂକୁ ଖୋଜିବାକୁ ଦଶଦିନ ହେଲା ଗଲେଣି । ତୁ ଯାଇ ଆଗେ ମୋ ବାବୁକୁ ଖୋଜିଆଣ । ଚାକର ପୂଝାରୀ କେହି ସାଙ୍ଗରେନାହିଁ, କ’ଣ ଖାଉଛି ପିଉଛି କେଜାଣି ।”

 

ଧନିଆ ବ୍ୟସ୍ତ ହୋଇ କହିଲା, “ସାଆନ୍ତାଣୀ, ଆମେ ଗଣ୍ଡା ଗଣ୍ଡା ଚାକର ଥାଉଁ ଥାଉଁ ବାବୁଙ୍କୁ କାହିଁକି ପଠାଇଦେଲେ–ଏଇ ଯୋଉଁ ତୁରୁତୁରିଆ କଥା !”

 

ସାଆନ୍ତାଣୀ ଏଥର ଗମ୍ଭୀରଭାବରେ କହିଲେ, “ତୁନିହ, ସେଥିପାଇଁ ତୋ ମୁଣ୍ଡ ବଥାଉଛି କାହିଁକି ?” ଧନିଆ ହଠାତ୍ ପ୍ରକୃତିସ୍ଥ ହୋଇ ଜାଣିପାରିଲା, ସେ ସାଆନ୍ତାଣୀଙ୍କ ଆଗରେ କଥା କହୁଛି । ସୁଭଦ୍ରାଦେଈ କିଛିକ୍ଷଣ ପରେ ନିଶାମଣିକୁ ଉଦ୍ଦେଶ୍ୟ କରି କହିଲେ, “ହଁ ଲୋ ନିଶା, ଧନିଆକୁ ଆଜିକାଲି କଲିକତା ପଠାଇ କି ଲାଭ । କଲିକତା ସହରରେ ସେ ଦେବକୁ ପାଇବ କୋଉଠୁ ? ପୁଣି ଆଗପରି ଫେରିଆସିବ ସିନା । ଦେବ ତ ପୁଣି ଏହାରି ପରି କିଛି ଖବର ନ ଜାଣିଲେ ଦଶ ପନ୍ଦର ଦିନରେ ଫେରିଆସିବ । ନା, କ’ଣ କହୁଛୁ ? ଖାଲି ଭାବନା ଏତିକି, ପିଲାଟା ଖାଇବ ପିଇବ କିପରି ।”

 

ନିଶାମଣି ଏହି ସ୍ନେହଶୀଳା ଜନନୀଙ୍କ ହୃଦୟର ପରିଚୟ ପାଇ ଅଳ୍ପ ହସି କହିଲା, “ଖାଇବା ପିଇବାରେ ତୁମର ଏତେ ଭାବନା କିଆଁ ମ ବଡ଼ମା ! ସେ କ’ଣ ଏମିତି ଅନାଡ଼ି ହୋଇଛନ୍ତି ଯେ, କଲିକତା ସହରରେ ହାତରେ ଟଙ୍କା ପଇସା ଥାଉ ଥାଉ ଉପାସ ରହିବେ !”

 

ଶେଷରେ ଧନିଆକୁ ହଠାତ୍ ପଠାଇବା ଅନାବଶ୍ୟକ ମନେକରି ସେ ପ୍ରସ୍ତାବ କିଛିଦିନ ପାଇଁ ସ୍ଥଗିତ ରଖାଗଲା ଏବଂ ସବିଶେଷ ସମ୍ବାଦ ସହ ବାସନ୍ତୀ ନିକଟକୁ ପତ୍ର ଲେଖାଗଲା ।

 

–ତିରିଶି–

 

ପୁରୀ ଡାକଗାଡ଼ି କଲିକତାରେ ସକାଳ ଆଠଟା ମଧ୍ୟରେ ଲାଗେ । ଗାଡ଼ିରୁ ଓହ୍ଲାଇ ଦେବବ୍ରତ ପଦବ୍ରଜରେ ଚାଲି ଚାଲି ଯିବାର ସ୍ଥିର କଲା । ଟ୍ୟାକ୍ସି ଅବା ବାସ୍‍ରେ ଉଠି ଏହି ବିରାଟ ଜନସମାଗମକୁ ଅତିକ୍ରମ କରି ଦ୍ରୁତ ପ୍ରସ୍ଥାନ କରିବାକୁ ତା’ର ଇଚ୍ଛା ହେଲାନାହିଁ । ଏହି ସହସ୍ର ସହସ୍ର ଯାନ୍ତ୍ରୀଙ୍କ ମଧ୍ୟରେ ଏକ ହୋଇ ଚାଲିବାକୁ ଆଜି ତା’ର ଆଗ୍ରହ ଜନ୍ମିଲା । ଦୁଃଖତାପରେ ତା’ର ଚିତ୍ତଟି ମ୍ରିୟମାଣ ହୋଇ ପଡ଼ିଥିଲା; କିନ୍ତୁ ଏହି ପ୍ରବଳ ଜନସଂଘ ମଧ୍ୟରେ ତା’ର ଅନ୍ତରର ପୁରୁଷଟି ଯେପରି ସଜାଗ ହୋଇ ଉଠିଲା । ସେ ଦେଖିଲା, ଏହି ଜନସ୍ରୋତରେ ହସ ଖୁସିରେ ଗଳ୍ପ କୌତୁକ କରି ସମସ୍ତେ ଚାଲିଅଛନ୍ତି; କାରଣ ପ୍ରତ୍ୟେକର ଧାରଣା ଜନ୍ମିଛି, ସେ ଏକାକୀ ନୁହେଁ, ତାହାରି ପରି ଅସଂଖ୍ୟ ଲୋକ ବିଭିନ୍ନ ଲକ୍ଷ୍ୟ ଧରି ଚାଲିଅଛନ୍ତି । ତାହାରି ପରି ଦୁଃଖ ଦୈନ୍ୟରେ ଏ ଜନସଂଘ ମଧ୍ୟରେ କେତେ ଅନ୍ତର ବ୍ୟଥିତ, ରକ୍ତାକ୍ତ । ତଥାପି ହାସ୍ୟ ଆନନ୍ଦର ବିରାମନାହିଁ । ପ୍ରତ୍ୟେକ ଲୋକ ଅନୁଭବ କରୁଛି ଯେ, ସେ ଦୁଃଖ କେବଳ ଏକା ତାହାରି ନୁହେଁ, ସେ ଏ ଜଗତ୍ ସଂସାରର, ଏ ବିପୁଳ ମାନବସମାଜର ସାଧାରଣ ଦୁଃଖ । ବିଶ୍ୱବ୍ୟାପୀ ଏହି ଦୁଃଖର ସାଗର ମଧ୍ୟରୁ ଯେ ଅସଂଖ୍ୟ ଲହରୀର ଉତ୍ଥାନ ପତନ ପ୍ରତି ମୁହୂର୍ତ୍ତିରେ ଘଟୁଛି, ସେଥିମଧ୍ୟରୁ ଗୋଟିଏ ମାତ୍ର ଲହରୀର ଆଘାତ ତା’ ଅନ୍ତରରେ ବାଜିଛି ।

 

ଏହିପରି ଅସଂଖ୍ୟ ଲହରୀର ଆଘାତ ଅସଂଖ୍ୟ ଅନ୍ତରରେ ବାଜୁଛି । ଲୋକ ଦୁଃଖ ପାଏ, ସେ ଯେତେବେଳେ ଆପଣା ମଧ୍ୟରେ ଆବଦ୍ଧ ରହି ନିଜକୁ ଏକକ କରି ଦେଖେ; କିନ୍ତୁ ଯେତେବେଳେ ସେ ଏହି ବିରାଟ ମାନବସମାଜର କ୍ଷୁଦ୍ରାଦପି କ୍ଷୁଦ୍ର ଅଂଶରୂପେ ନିଜକୁ ଦେଖିପାରେ, ସେତେବେଳେ ନିଜର ଦୁଃଖ ଭୁଲିଯାଇ ସମଗ୍ର ବିଶ୍ୱକୁ ଯେ ବିରାଟ ଦୁଃଖର ଛାୟା ଆଚ୍ଛନ୍ନ କରି ରହିଅଛି, ସେହି ଭାବନାର ସମବେଦନାରେ ତା’ ଅନ୍ତର ତରଳିପଡ଼େ । ଦେବବ୍ରତର ଚକ୍ଷୁସମ୍ମୁଖରୁ ସ୍ଵାର୍ଥର ଏହି ସଂକୀର୍ଣ୍ଣତା ମୁହୂର୍ତ୍ତକରେ ଅପସାରିତ ହୋଇଗଲା ଏବଂ ସେ ଆପଣାକୁ ବିଶ୍ଵମାନବ ସମାଜର ଗୋଟିଏ ଅଙ୍ଗରୂପେ ଅନୁଭବ କଲା । ଏ ପ୍ରବଳ ଜନସଂଘରୁ ପ୍ରତି ଲୋକକୁ ପୃଥକ୍ କରିଦେଲେ ପ୍ରତି ଅନ୍ତରରେ କି ମର୍ମନ୍ତୁଦ ବ୍ୟଥା ଲୁକ୍କାୟିତ ରହିଅଛି, ତାହାରିପାଇଁ ଆଜି ଦେବବ୍ରତର ପ୍ରାଣ ବ୍ୟାକୁଳ ହୋଇଉଠିଲା । ନିଜ ଦୁଃଖରେ କାତର ହେବାରୁ ତାକୁ ଆଉ ଅବସର ମିଳିଲାନାହିଁ, କିନ୍ତୁ ପ୍ରାଣପାତ କରି ବାସନ୍ତୀକୁ ଫେରାଇ ନେବାର ପ୍ରତିଜ୍ଞା ସେ ଭୁଲିଲାନାହିଁ । ସେ ଗୋଟାଏ ମନୁଷ୍ୟ ପରି ମନୁଷ୍ୟ, ପୁରୁଷକାରରେ ତା’ର ଦୃଢ଼ ବିଶ୍ୱାସ । ସେ କ୍ଳୀବ ନୁହେଁ ।

 

ଦେବବ୍ରତ ସ୍ଥିର କରିଥିଲା, ବାସନ୍ତୀର ସମ୍ବାଦ ନ ପାଇ ସେ କାହାରିକି ପତ୍ର ଦେବନାହିଁ-। ଅବଶ୍ୟ କାହାରି ପ୍ରତି ଅଭିମାନ କିମ୍ବା କ୍ଷୋଭରେ ନୁହେଁ । ଏହାହିଁ ତା’ର ପ୍ରତିଜ୍ଞା । କିନ୍ତୁ ତିନି ମାସ ଅତୀତ ହୋଇ ଗଲାଣି । କଲିକତାରୁ ପାଟନା, ଗୟା, ଏଲାହାବାଦ, ବେନାରସ ଆଦି ଅନେକ ସ୍ଥାନ ବୁଲି ନିରସ୍ତ ହୋଇ ଦେବବ୍ରତ ପୁଣି କଲିକତା ଫେରିଆସିଅଛି । ବାଟ ଘାଟରେ ବୁଲି ଦେବବ୍ରତ ପ୍ରତି ଗୃହକୁ ଚାହିଁଯାଏ, ପ୍ରତି ଗାଡ଼ି ମଧ୍ୟକୁ ଦୃଷ୍ଟି ନିକ୍ଷେପ କରିଭାବେ, ବାସନ୍ତୀ କେଉଁଠାରେ ଚାହିଁ ଦେଇ ତା’ର ମଳିନ ମୁଖଟି ଲୁଚାଇ ଦେବ ପରା ! ଯେତେବେଳେ ତୀର ବେଗରେ ଧାଇଁଥାଏ, ସେ ବାହାରକୁ ଚାହିଁଭାବେ, ବାସନ୍ତୀ ଅବା ଏହି ଶ୍ୟାମଳ ଶସ୍ୟକ୍ଷେତ୍ର ମଧ୍ୟରେ, ଏହି ପାହାଡ଼ ଜଙ୍ଗଲ ଭିତରେ ଏକାକିନୀ ଠିଆ ହୋଇ ଗାଡ଼ିରେ ତା’ର ପରିଚିତର ସନ୍ଧାନ କରୁଥିବ । ଆଉ ତା’ର ଉଦ୍‍ବେଗ ଜନ୍ମେ, ଯେବେ ସେ ତା’ର ଅନ୍ତରର କୋମଳତମ ପ୍ରଦେଶର ସେହି ଏକମାତ୍ର ମଧୁର ମୁଖଟି ଦେଖିପାରନ୍ତା, ତେବେ ଏକ ଲମ୍ପରେ ଚଳନ୍ତା ଗାଡ଼ି ମଧ୍ୟରୁ ଭୂତଳରେ ଅବତୀର୍ଣ୍ଣ ହୁଅନ୍ତା ! କିନ୍ତୁ ପରକ୍ଷଣରେ ମୃଦୁ ହସିଭାବେ, ମୁଁ କ'ଣ ପାଗଳ ହୋଇଯିବି ?

 

ଦେବବ୍ରତ ଯେତେବଡ଼ ପୁରୁଷ ହେଉ, ବାସନ୍ତୀର ପ୍ରଭାବ ତାକୁ ମଧ୍ୟେ ମଧ୍ୟେ ଏତେଦୂର ଅଭିଭୂତ କରିଦିଏ ଯେ, ସ୍ତ୍ରୀଜନୋଚିତ ଶୋକାଶ୍ରୁ ସମ୍ବରଣ କରିବା ଲାଗି ତାକୁ ଅତ୍ୟନ୍ତ କଷ୍ଟ ପାଇବାକୁ ହୁଏ । ତା’ର ପ୍ରତି ଦୈନନ୍ଦିନ କର୍ମକୁ ବାସନ୍ତୀ ଏତେଦୂର ସମାଚ୍ଛନ୍ମ କରି ରଖିଥିଲା ଯେ, ସେ ଯେଉଁଠାରେନାହିଁ, ସେଠାରେ ସଂସାର, ସମାଜ ଆଦି କିଛିନାହିଁ ବୋଲି ଦେବବ୍ରତର କେତେଥର ଦୁର୍ବଳତା ଆସେ । ଅତ୍ୟନ୍ତ ସଂଯମ ସହକାରେ ସେ ସକଳ ବହନ କରି ବାସନ୍ତୀର ଅନୁସନ୍ଧାନରେ ମନପ୍ରାଣ ଢାଳି ଦେଇଥାଏ ।

 

ନାନାସ୍ଥାନ ବୁଲି ହତାଶ ହୋଇ ଶୋଷରେ ପୁଣି କଲିକତା ଫେରିଆସି ଦେବବ୍ରତ କ’ଣ କରିବ କିଛି ସ୍ଥିର କରିପାରିଲାନାହିଁ । ତା’ର ଦେହ ମନ ଅବସନ୍ନ ହୋଇ ପଡ଼ିଅଛି । ତା’ର ପ୍ରକାଣ୍ଡ ଶରୀରଟା ମ୍ୟାଲେରିଆଗ୍ରସ୍ତ ରୋଗୀ ପରି କ୍ଷୀଣ ହୋଇ ପଡ଼ିଅଛି । ଜେଲ୍‍ରୁ ବାହାରିବା ଲୋକ ପରି ତା’ର ଦୀର୍ଘ କେଶଗୁଛ ଓ ଶ୍ମଶ୍ରୁ ମଧ୍ୟରୁ ଲୋକଟିକୁ ସହଜରେ ଚିହ୍ନିବାର ଉପାୟନାହିଁ । ପାଦରେ ଯୋତାନାହିଁ ।

 

“ଉତ୍କଳ ନିବାସ”ର ଗୋଟିଏ ସଂକୀର୍ଣ୍ଣ ପ୍ରକୋଷ୍ଠ ମଧ୍ୟରେ ବସି ସେ ବାସନ୍ତୀର ବିବାହ ପୂର୍ବର ଚିଠି କେତେଖଣ୍ଡ ଧରି ମୁଖସ୍ଥ କଲାପରି କେତେଥର ପଢ଼ିବାରେ ଲାଗିଛି-। ବାହାରେ ଟଣ୍ ଟଣ୍ କରି ଟ୍ରାମ ଚାଲିଛି । ଟ୍ୟାକ୍ସି, ବାସ୍, ଗାଡ଼ି, ଘୋଡ଼ା, ସେଁ । ସେଁ । ଶବ୍ଦରେ ଅଣନିଶ୍ୱାସୀ ହୋଇ ଇତସ୍ତତଃ ଛୁଟିଛି । ଦେବବ୍ରତର କୌଣସି ଦିଗକୁ ଲକ୍ଷ୍ୟ ନଥାଏ । ସେ ନିବିଷ୍ଟ ଚିତ୍ତରେ ଚିଠି କେତେଖଣ୍ଡ ବାରମ୍ବାର ପଢ଼େ । ନିକଟରେ ଖଟ ଉପରେ ଖଣ୍ଡିଏ କେବଳ ଚାଦର ପଡ଼ିଛି । ଶେଯ, ତକିଆ କିଛିନାହିଁ ।

 

କେତେକ ସମୟ ପରେ ପ୍ରକୋଷ୍ଠ ମଧ୍ୟରେ ଗୋଟାଏ କ’ଣ ଶବ୍ଦ ଶୁଣିପାରି ଦେବବ୍ରତ ଫେରି ଚାହିଁଲା । ଦେଖିଲା ଗୋଟାଏ ଲୋକ କାନ୍ଥକୁ ଆଉଜି ବସିଛି ଏବଂ ଦୁଇ ଆଣ୍ଠୁ ମଧ୍ୟରେ ମୁହଁ ଗୁଞ୍ଜି କଇଁ କଇଁ ହୋଇ କାନ୍ଦୁଛି, ପାଖରେ ବୁଜୁଳାଟିଏ ରହିଛି ।

 

ଦେବବ୍ରତ ପଚାରିଲା, “କିଏ ?” ଲୋକଟା ମୁହଁ ଟେକି ଚାହିଁଲାନାହିଁ, କି ଉତ୍ତର ଦେଲାନାହିଁ; କେବଳ ଅଧିକ ଉଦ୍‍ବେଗରେ କାନ୍ଦିବାକୁ ଲାଗିଲା । ଦେବବ୍ରତ ଉଠିଯାଇ ଲୋକଟାର ମୁହଁ ଟେକି ଧରିଲା–ଏ କ’ଣ ? ଧନିଆ ଚାକରଟା ! ଦେବବ୍ରତର ନାନାଆଶଙ୍କା ଜନ୍ମିଲା । ସେ ଅଧୀର ହୋଇ ପଚାରିଲା “କିରେ ଧନିଆ, ତୁ କେତେବେଳୁ ଆସି ଏଠାରେ ଏପରି କାନ୍ଦୁଛୁ କାହିଁକି-? ବୋଉ ଭଲରେ ଅଛନ୍ତି ନାରେ ? ବୋହୂ ସାଆନ୍ତାଣୀଙ୍କର ଖବର କ’ଣ ମିଳିଛି କିରେ-?”

 

ଧନିଆଟାର କାନ୍ଦ ଉଦ୍‍ବେଗରେ ପାଟିକି ପାଟି ବାଜୁଛି । ଆଖି ଦୁଇଟାରୁ ମେଘ ବର୍ଷିଲା ପରି ପାଣି ଗଳୁଛି । ସେ କଥା କହିପାରିଲାନାହିଁ । ଦେବବ୍ରତ ଅତି କଷ୍ଟରେ ତାଠାରୁ ବୁଝିଲା, ସମସ୍ତେ ଭଲରେ ଅଛନ୍ତି । ବୋହୂ ସାଆନ୍ତାଣୀଙ୍କର ଭଲ ଖବର ମିଳିଛି । ତା’ର ଆଉ ବୁଝିବାକୁ ବାକି ରହିଲାନାହିଁ ଯେ, ତା’ର ଏହି ବିଛଣା, ଏହି ଯୋତାବିହୀନ ପାଦ ଦୁଇଟା, ଏହି କେଶ ଦାଢ଼ିସମେତ ଚେହେରାଟାହିଁ ତା’ର ଏକାନ୍ତ ଅନୁଗତ ଏହି ଭୃତ୍ୟଟିର ପ୍ରାଣରେ ଆଘାତ କରିଛି । କାରଣ ଧନିଆ ଦେଖିଛି, ଦେବବ୍ରତ କି ବିଛଣାରେ ଶୁଏ । ବିଛଣା ଚାଦର ଉପରେ କାହିଁ ଟିକିଏ ମଇଳା ହେବାର ଦେଖାଗଲେ ଧୋବାଘରେ ଦେଇନାହିଁ ବୋଲି ସେ କେତେ ଗାଳି ଶୁଣିଛି । ଜାମା କୁର୍ତ୍ତାରୁ କାହିଁ କେଉଁଠି ଟିକିଏ ଇସ୍ତ୍ରୀ ଭାଙ୍ଗିଗଲେ, ସଙ୍ଗେ ସଙ୍ଗେ ତାକୁ ଆଉଥରେ ଇସ୍ତ୍ରୀ କରାଇ ନ ଆଣିଲେ ରକ୍ଷାନାହିଁ । କୋଡ଼ିଏ ପଚିଶ ଟଙ୍କିଆ ଯୋତା କିଣା ଯାଇ ଗୋଡ଼କୁ ନ ହେଲେ ସେ ପୁଣି ଦିନେ ଅମଲା ଭୃତ୍ୟମାନଙ୍କୁ ଦାନ କରାଯାଉଥିଲା ।

 

ଦେବବ୍ରତ ଧନିଆ ପିଠିରେ ହାତ ରଖି କହିଲା, “ଯା, ଯା, ସେ କଳପାଣିରେ ମୁହଁ ହାତ ଧୋଇ ଆ ।” ଧନିଆ ଉଠିଲାନାହିଁ । ବାବୁଙ୍କର ଏହି ସ୍ନେହାର୍ଦ୍ରସ୍ଵରରେ ତା’ର ଲୋତକଧାର ଦ୍ଵିଗୁଣିତ ହୋଇ ବହିବାକୁ ଲାଗିଲା । ତା’ର ବେଶି ଉଚ୍ଛ୍ଵାସ ଉଠୁଥାଏ, ଯେତେବେଳେ ସେ ଭାବୁଥାଏ, ମା’ ସାଆନ୍ତାଣୀ ଏ ଚେହେରା ଦେଖିଲେ କ’ଣ କହିବେ ! ଏ ବିଛଣା, ଏ ମୁହଁ, ଏ ପାଦ-!

 

ବହୁଦିନ ଧରି ସ୍ନାନାହାରରେ ଅନିୟମ ଯେ ଏହାର ମୂଳକାରଣ, ଏହା ବୁଝିବାକୁ ତା’ର ଆଉ ବାକି ରହିଲାନାହିଁ । ନିଜର ଅନିଚ୍ଛା ସତ୍ତ୍ୱେ ବହୁବାର ତାକୁ ଦେହର ଦୈନନ୍ଦିନ ଦାବିଗୁଡ଼ାକୁ ଅମାନ୍ୟ କରିବାକୁ ହୋଇଛି । କାରଣ ବାସନ୍ତୀକୁ ଲଭିବାର ଆଶା ଓ ଭାବନାହିଁ ତା’ର ମନପ୍ରାଣକୁ ଅଧିକାର କରି ବସିଥିଲା । ଧନିଆଠାରୁ ପ୍ରଥମେ ବାସନ୍ତୀର ଖବର ଯେତେବେଳେ ସେ ଶୁଣିପାରିଲା, ସେତେବେଳେ ଦୁଃଖ ଓ ଆନନ୍ଦରେ ତା’ର ଅନ୍ତର ଯେପରି ଆନ୍ଦୋଳିତ ହେବାକୁ ଲାଗିଲା, ତାହା କେବଳ ସେହି ଜାଣେ ! ଅନିୟମଜନିତ ଶରୀରର ଦୁର୍ବଳତା ଉପରେ ବାସନ୍ତୀକୁ ନିକଟରେ ଲାଭକରିବା ଆଶା ଉତ୍ତେଜନାରେ ତା’ର ଶରୀର ଅସୁସ୍ଥ ହୋଇପଡ଼ିଲା ।

 

ବାବୁଙ୍କ ଶୁଶ୍ରୁଷାପାଇଁ ଧନିଆ ଚାକର ଯେପରି ଚାରିଟା ଲୋକ ହୋଇଗଲା–ଡାକ୍ତର ଡାକିବା, ଔଷଧ ଆଣିବା, ପଥି ରାନ୍ଧିବା ଆଦି ସକଳ କାର୍ଯ୍ୟରେ ଧନିଆ ! ସେହି ଜ୍ଵର ଦେହରେ ଡାକ୍ତରର ପରାମର୍ଶ ଅବହେଳା କରି ବାସନ୍ତୀକୁ ଦେଖିବାପାଇଁ ଦେବବ୍ରତର ମନ ବ୍ୟଗ୍ର ହୋଇଉଠିଲା । ଧନିଆର ବହୁ କାକୁତିମିନତିରେ ଏବଂ ନିଜ ଶରୀରର ଦୁର୍ବଳତା ଲକ୍ଷ୍ୟକରି ସେ ବହୁତ ସଂଯମ ସହକାରେ ସୁସ୍ଥ ହେବାପାଇଁ “ଉତ୍କଳ–ନିବାସ”ରେ ଅପେକ୍ଷା କଲା ।

 

ଦୁଇଦିନ ପରେ ଦେବବ୍ରତ ଆଜି ଟିକିଏ ସୁସ୍ଥ ଅଛି, ଦେହରେ ଜ୍ଵରନାହିଁ, କିନ୍ତୁ ଦୁର୍ବଳତା ପୂର୍ବପେକ୍ଷା ଦୁଇଗୁଣ ବଢ଼ିଯାଇଛି । ଯାହାହେଉ ଆଉ ବିଳମ୍ବ ନୁହେଁ, ଆଜି ନିଶ୍ଚୟ ବର୍ଦ୍ଧମାନ ଯାତ୍ରା କରିବାକୁ ହେବ, ତା’ର ଜୀବନର ପ୍ରିୟତମା ବାସନ୍ତୀକୁ ଲାଭ କରିବାପାଇଁ ! ଧନିଆ ଚାକର ଗୋଟାଏ କ’ଣ ପୁଟୁଳି ଫିଟାଉଥିବାର ଦେଖିପାରି ଦେବବ୍ରତ ଦୁର୍ବଳ କଣ୍ଠରେ ପଚାରିଲା, “ସେ କ’ଣରେ ?”

 

ଧନିଆ ପୁଟୁଳି ଫିଟାଉ ଫିଟାଉ ଉତ୍ତର କଲା, “ମା’ ସାଆନ୍ତାଣୀ ନାଉ କଖାରୁ ବଡ଼ି, ଆଉ ଆଚର ଦେଇଥିଲେ ।” ଦେବବ୍ରତର ଦୁଇ ଚକ୍ଷୁ ସଜ୍ଜଳ ହୋଇଉଠିଲା । ତା’ର ଏହି ସ୍ନେହମୟୀ ଜନନୀକୁ ସେ ଗୃହରୁ ଆସିବା ଦିନରୁ ନିଜ ସମ୍ବାଦ ଜଣାଇନାହିଁ । ଦେବବ୍ରତ ଅଭିମାନକରି ନୀରବ ରହିଛି, ଏ କଥା ସେ କଦାପି ମନରେ ଆଣିବେନାହିଁ । ତଥାପି ଏତେ ଦିନ କୌଣସି ସମ୍ବାଦ ନ ପାଇ ନିଶ୍ଚୟ ଉତ୍କଣ୍ଠିତା ହୋଇ ପଡ଼ିଥିବେ । ସଙ୍ଗେ ସଙ୍ଗେ ସେ ଜନନୀଙ୍କ ନିକଟକୁ ନିଜର ସମ୍ବାଦ ଜଣାଇ ଖଣ୍ଡିଏ ପତ୍ର ଲେଖିଦେଲା, ରମେଶ ନିକଟକୁ ପତ୍ର ଦେବାକୁ ମଧ୍ୟ ଭୁଲିଲାନାହିଁ ।

 

ବାବୁଙ୍କର ଦୁର୍ବଳତା ଲକ୍ଷ୍ୟକରି ଆଉ ଦୁଇ ଦିନ ରହି ବର୍ଦ୍ଧମାନ ଯାତ୍ରା କରିବାପାଇଁ ଧନିଆ ଅନୁନୟ କଲା; କିନ୍ତୁ ତାହା ମଞ୍ଜୁର କରାଗଲାନାହିଁ । ଯାତ୍ରାର ସମସ୍ତ ଆୟୋଜନ କରାଗଲା । ଦେବବ୍ରତର ହଠାତ୍ ମନେପଡ଼ିଲା, ବର୍ଦ୍ଧମାନରେ ବାସନ୍ତୀ କେଉଁ ଠିକଣାରେ ଅଛି ସେ ଜାଣେନାହିଁ । ବାସନ୍ତୀକୁ ଲଭିବାର ଆନନ୍ଦରେ ତା’ ମନ ଏତେଦୂର ପରିପୂର୍ଣ୍ଣ ହୋଇ ଉଠିଥିଲା ଯେ, ଏ ସବୁରେ ତା’ର ନଜର ପଡ଼ିନାହିଁ । କିନ୍ତୁ ବିନୋଦବିହାରୀଙ୍କ ପତ୍ରଖଣ୍ଡି ଯେତେବେଳେ ସେ ଖୋଜିଲା, ଆଉ ତାହା ପାଇଲାନାହିଁ । ଧନିଆ ବାବୁଙ୍କୁ ଏପରି ବ୍ୟସ୍ତ ହୋଇ କିଛି ଖୋଜୁଥିବାର ଦେଖି ପଚାରିଲା, “ଆଜ୍ଞା, କ’ଣ ଖୋଜୁଛନ୍ତି ?”

 

ଦେବବ୍ରତ ବ୍ୟସ୍ତ ହୋଇ କହିଲା “ଆରେ, ବୋହୂ ସାଆନ୍ତାଣୀଙ୍କ ଖବର ଥିଲା ସେ ଯେଉଁ ଚିଠି ଖଣ୍ଡରେ, ସେ କାହିଁ ?”

 

“ଆପଣଙ୍କୁ ତ ଦେଇଛି ।” କହି ବାବୁଙ୍କୁ ଖୋଜିବାକୁ ନ ଦେଇ ନିଜେ ବ୍ୟାଗ, କୁର୍ତ୍ତା ପକେଟ ଆଦି ଦରାଣ୍ଡିବାକୁ ବସିଲା । କିନ୍ତୁ ପତ୍ରଖଣ୍ଡ ମିଳିଲାନାହିଁ ।

 

ଦେବବ୍ରତ ହତାଶ ହୋଇ ପଚାରିଲା, “ଆଚ୍ଛା, ଚିଠିଖଣ୍ଡି କିଏ ଲେଖିଥିଲେ ତୁ ତାଙ୍କ ନାମ ଜାଣୁ ?”

 

“ଆଜ୍ଞା ନା, ସେ ଜଣେ ଡାକ୍ତର, ଏତିକି ଜାଣେ ।”

 

“କେଉଁ ବଜାର କି ଗଳିରେ ତାଙ୍କ ଘର କିଛି ତୋର ମନେଅଛି ?”

 

“ନାହିଁ ଆଜ୍ଞା !”

 

ଦେବବ୍ରତର ବଡ଼ ରାଗ ହେଲା, ଧନିଆ କାହିଁକି ସେ ପତ୍ର ତା’ଠାରୁ ନେଇ ସୁବିଧାରେ ନ ରଖିଲା । କିନ୍ତୁ ପରକ୍ଷଣରେ ତା’ର ଏପରି ନିର୍ବୋଧତା ଲାଗି ସେ ଲଜ୍ଜିତ ହେଲା । ଯାହାହେଉ ବର୍ଦ୍ଧମାନରେ ପହଞ୍ଚିଲେ ବାସନ୍ତୀର ସନ୍ଧାନ ନେବା ବେଶି କଷ୍ଟକର ହେବନାହିଁ ମନେକରି ଯିବାର ସମସ୍ତ ଆୟୋଜନ କରିବାପାଇଁ ଦେବବ୍ରତ ଧନିଆକୁ ଆଦେଶ ଦେଲା ।

 

ଦୁର୍ବଳ ଶରୀରରେ ଦେବବ୍ରତର ଏ ଯାତ୍ରା ସହ୍ୟ ହେଲାନାହିଁ । ବର୍ଦ୍ଧମାନରେ ଗାଡ଼ି ନ ପହଞ୍ଚୁଣୁ ସେ ପୁଣି ଜ୍ଵରାକ୍ରାନ୍ତ ହୋଇପଡ଼ିଲା । ଧନିଆର ବୁଦ୍ଧି ହଜିଗଲା । ଏତେବେଳେ ସେ କ’ଣ କରିବ ! ବାବୁ ଏକାବେଳକେ ଅଚେତନ । ଷ୍ଟେସନରେ ଓହ୍ଲାଇ ଧନିଆ ଭାବିଲା, ଏ ଅବସ୍ଥାରେ ବାବୁକୁ ନେଇ ସେ ବୋହୂସାଆନ୍ତାଣୀଙ୍କ ଠିକଣା କେଉଁଠାରେ ଖୋଜିବ ? ଆଉ କିଛି ନ ଭାବି ଖଣ୍ଡେ ଗାଡ଼ି ଡାକି ବାବୁକୁ ବସାଇ ଗାଡ଼ିବାଲାକୁ ବଡ଼ ଡାକ୍ତରଖାନାକୁ ନେବାପାଇଁ ହୁକୁମ ଦେଲା ।

 

ଦେବବ୍ରତ ଯେତେବେଳେ ଚକ୍ଷୁ ଫିଟାଇ ଚାହିଁଲା, ସେତେବେଳେ ସେ କେଉଁଠାରେ ବୁଝିପାରିଲାନାହିଁ । ଧନିଆକୁ ଜିଜ୍ଞାସୁଦୃଷ୍ଟିରେ ଚାହିଁବାରୁ ସେ ଉତ୍ତର କଲା, “ଆଜ୍ଞା, ଏ ଡାକ୍ତରଖାନା । ହଜୁର ସୁସ୍ଥ ହେଲେ ବୋହୂସାଆନ୍ତାଣୀଙ୍କ ଖବର ବୁଝି ଆସିବି ।” ବାସନ୍ତୀ କଥା ମନେପଡ଼ିବାରୁ ଦେବବ୍ରତ ଦରଜା ବାହାରକୁ ଦୃଷ୍ଟି ନିକ୍ଷେପ କଲା । ଆକାଶ ମେଘାଚ୍ଛନ୍ନ, ଝୁପ୍ ଝୁପ୍ ବୃଷ୍ଟି ପଡ଼ୁଛି । ସନ୍ଧ୍ୟାବେଳର ପଦରଞ୍ଜିତ ଅଳକ୍ତ ରାଗ, ଦିଗ୍‍ବଧୁର ନୀଳ ଚିକ୍‍ଣ କଜ୍ଜଳରେଖା ଆଜି ଯେପରି କିଏ ଏକ ଚୁମ୍ବନରେ ଶୋଷଣ କରି ଦେଇ ସବୁ ଫାପ୍ସା କରି ଦେଇଛି । ଦେବବ୍ରତ ଉଦାସ ପ୍ରାଣରେ ଭାବୁଛି–ବାସନ୍ତୀ ! ହାୟ ! ବାସନ୍ତୀ ।

 

ଏହି ସମୟରେ ଡାକ୍ତରବାବୁ ଆସି ପହଞ୍ଚିଲେ । ଦେବବ୍ରତ ଦେଖିଲା, ଡାକ୍ତରବାବୁ ଚେହେରାରେ ଯେପରି ସୁଶ୍ରୀ, ସେହିପରି ମଧ୍ୟ ମିଷ୍ଟାଳାପୀ; କିନ୍ତୁ ଧନିଆକୁ ଏହି ଡାକ୍ତରବାବୁଟି ବଡ଼ ଅଦ୍ଭୁତ ମନେହେଉଥାନ୍ତି । ପ୍ରଥମରୁ ଗାଡ଼ିରୁ ଓହ୍ଲାଇ ସେ ଯେତେବେଳେ ଏହି ଡାକ୍ତରବାବୁଟି ସଙ୍ଗରେ ଦେଖାକଲା, ସେତେବେଳେ ଦେବବ୍ରତର ନାମ ଧାମ ଶୁଣି ଡାକ୍ତରବାବୁଟି ଏପରି ଚକିତ ଓ ବ୍ୟସ୍ତସମସ୍ତ ହେଲା ପରି କାହିଁକି ବୋଧହେଲେ, ଧନିଆ ତାହା ବୁଝିପାରିଲାନାହିଁ । ତା’ପରେ ଆଜି ଦିନ ମଧ୍ୟରେ ଦେବବ୍ରତକୁ ଦେଖିବାପାଇଁ ପ୍ରତି ଘଣ୍ଟାରେ ଥରେ ଥରେ ସେ ଆସି ଏତେଦୂର ଯତ୍ନ ନେବାର କାରଣ ମଧ୍ୟ ସେ ଖୋଜି ପାଇଲାନାହିଁ । ଡାକ୍ତରବାବୁଟି ଖାଣ୍ଟି ବଙ୍ଗଳାରେ କଥାବାର୍ତ୍ତା କରୁଥାନ୍ତି । ଧନିଆ ମଧ୍ୟ ବାଲେଶ୍ଵରରେ ଥାଇ ଏବଂ ଦେବବ୍ରତ ସଙ୍ଗରେ ନାନାସ୍ଥାନ ଭ୍ରମଣ କରି ବଙ୍ଗଳା କହିବାରେ ବେଶ୍ ଅଭ୍ୟସ୍ତ ହୋଇଗଲାଣି ।

ଦେବବ୍ରତଠାରେ ନ୍ୟୁମୋନିଆର ସଞ୍ଚାର ଦେଖି ଡାକ୍ତରବାବୁ ବିଧିମତେ ଚିକିତ୍ସାରେ ଲାଗିଥାନ୍ତି । ତିନିଦିନ ପରେ ଦେବବ୍ରତର ଅବସ୍ଥା ଆଉ ଟିକିଏ ଭଲ ଦିଗକୁ ଆସିଛି । ତିନିଦିନ ହେଲା ଧନିଆ ଚାକର ଆହାର ନିଦ୍ରା ଭୁଲି ବାବୁଙ୍କ ସେବାରେ ଲାଗିଛି ଏବଂ ତିନିଦିନ ପରେ ଦେବବ୍ରତର ଆଜି ଗାଢ଼ ନିଦ୍ରା ହୋଇଛି । ବାବୁଙ୍କ ପଦରେ ହସ୍ତ ସଞ୍ଚାଳନ କରୁ କରୁ ଧନିଆ ବାହାରେ ଦୁଇ ଜଣଙ୍କର କଥୋପକଥନ ଶୁଣିପାରିଲା । ତା’ କାନରେ ଦୁଇଟା ଗୋଟାଏ ଓଡ଼ିଆ କଥା ବାଜିଲା । ବହୁଦିନ ପରେ ଏ ସୁଦୂର ସ୍ଥାନରେ ଅନ୍ୟ ମୁଖରୁ ନିଜର ମାତୃଭାଷା ଶୁଣିବାକୁ ପାଇ ସେ କୌତୁହଳନିବୃତ୍ତି ଲାଗି ଧୀର ପଦକ୍ଷେପରେ ରୋଗୀର କକ୍ଷ ପରିତ୍ୟାଗ କରି କବାଟ ବାହାରକୁ ଚାହିଁଲା । ଦେଖି ଅବାକ୍ ହେଲା ଯେ, ସେହି ଡାକ୍ତରବାବୁଟି ଗୋଟିଏ ଲୋକ ସଙ୍ଗରେ ତୁନି ତୁନି କ’ଣ କଥା କହୁଛନ୍ତି । ଧନିଆ ଧଡ଼ପଡ଼ ହୋଇ ଯାଇ ଡାକ୍ତରବାବୁଙ୍କ ଗୋଡ଼ତଳେ ପଡ଼ି ବିହ୍ଵଳ ଭାବରେ କହିଲା, “ଆଜ୍ଞା, ଆପଣଙ୍କ ଘରେ ଆମ ବୋହୂସାଆନ୍ତାଣୀ ଅଛନ୍ତି, ନିଶ୍ଚେ ଅଛନ୍ତି-।” ଡାକ୍ତରବାବୁଙ୍କ ଭାବଗତିରୁ ଧନିଆ ଯାହା ସନ୍ଦେହ କରିଥିଲା, ତାଙ୍କ ମୁଖରୁ କଞ୍ଚା ଓଡ଼ିଆ କଥା ଶୁଣି ତା’ର ସେ ଧାରଣା ଦୃଢ଼ିଭୂତ ହୋଇଗଲା । ଡାକ୍ତରବାବୁ ତାକୁ ଚୁପ୍ କରାଇ ସବୁ କଥା ବୁଝାଇ କହିଲେ । ତା’ର ବୋହୂସାଆନ୍ତାଣୀ ତାଙ୍କରି ଘରେ ଅଛନ୍ତି ଏବଂ ଭଲରେ ଅଛନ୍ତି; କିନ୍ତୁ ଦେବବ୍ରତବାବୁଙ୍କର ବର୍ତ୍ତମାନ ଅବସ୍ଥାରେ ତାଙ୍କୁ କୌଣସି ପ୍ରକାର ଉତ୍ତେଜନାମୂଳକ ସମ୍ବାଦ ଶୁଣାଇବା ନିରାପଦ ନୁହେଁ । ସେହି କାରଣରୁ ସେ ତାଙ୍କୁ ନିଜ ଗୃହକୁ ନ ନେଇ ଡାକ୍ତରଖାନାରେ ରଖାଇବାର ବନ୍ଦୋବସ୍ତ କରିଅଛନ୍ତି । ଧନିଆକୁ ମଧ୍ୟ ଏହି ନିୟମ ପାଳିବାକୁ ହେବ, ଡାକ୍ତରବାବୁଙ୍କ ବିନା ପରାମର୍ଶରେ ସେ ଏ ସମ୍ବାଦ ବାବୁଙ୍କୁ କହିବନାହିଁ । ଧନିଆ ବିନୀତ ଭାବରେ ନିଜର ସମ୍ମତି ଜଣାଇଲା, କିନ୍ତୁ ତା’ ଛାତି ଫୁଲି ଉଠୁଥାଏ, କଥାଟା କିମିତି ବାବୁଙ୍କୁ କହିଦିଅନ୍ତା ।

ଧନିଆ ସେତିକିରେ ଶାନ୍ତ ହୋଇ ରହିବାର ପାତ୍ର ନୁହେଁ । ଡାକ୍ତରବାବୁଙ୍କଠାରୁ ବୋହୂସାଆନ୍ତାଣୀଙ୍କର ସମସ୍ତ ସମ୍ବାଦ ଗୋଟି ଗୋଟି କରି ବୁଝିଲା । ଯେତେବେଳେ ଶୁଣିଲା, ମାସ ଦୁଇ ହେଲା ତା’ର ଗୋଟିଏ ଛୋଟ ସାଆନ୍ତ ଜାତ ହୋଇଅଛନ୍ତି, ଧନିଆର ଗୋଡ଼ ଆଉ ତଳେ ଲାଗିଲାନାହିଁ । ଛୋଟ ସାଆନ୍ତକୁ ଥରେ ଦେଖି ଆସିବାପାଇଁ ସେ ଡାକ୍ତରବାବୁଙ୍କଠାରେ ବହୁତ ଅଳି କଲା । ଦେବବ୍ରତର ଏ ଅବସ୍ଥାରେ ଧନିଆ ତାକୁ ଛାଡ଼ି ମୁହୂର୍ତ୍ତେ କାହିଁ ଯିବା ଅନୁଚିତ ଏବଂ ତା’ର ବୋହୂସାଆନ୍ତାଣୀ ଓ ଛୋଟ ସାଆନ୍ତ ଏହି ସ୍ଥାନକୁ ଆସିବେ ବୋଲି ବିନୋଦବିହାରୀ ଧନିଆକୁ ପ୍ରବୋଧ ଦେଲେ ।

ଶରତର ସଦ୍ୟସ୍ନାତା ପ୍ରକୃତି ପରି ବାସନ୍ତୀର ଜନନୀ–ମୂର୍ତ୍ତି ଅତ୍ୟନ୍ତ ସିଗ୍ଧ କମନୀୟ ହୋଇ ଉଠିଛି । ତା’ର ମୁଗ୍ଧ ଚକ୍ଷୁ ଦିଓଟି ଶିଶୁସନ୍ତାନଟି ଉପରେ ନିବିଷ୍ଟ ଭାବରେ ପଡ଼ିଛି । ଦୁଇ ମାସ ହେଲା ଶିଶୁଟି ବାସନ୍ତୀର ଗର୍ଭରୁ ପଡ଼ି ତା’ର କୋମଳ କ୍ରୋଡ଼ର ଆଶ୍ରୟ ନେଇଛି । ଏ ଦୁଇ ମାସର ଶିଶୁଟିକୁ ଚାହିଁ କେତେଥର ତା’ର ଚକ୍ଷୁ ଦିଓଟି ଲୋତକପୂର୍ଣ୍ଣ ହୋଇ ପଡ଼ିଅଛି । ଅତୀତର ଅନ୍ୟ ସକଳ ଦୁଃଖ ପରି ସେ ଲୋତକ ସେ ନିଜ କାନିରେ ପୋଛି ଦେଇଛି । ଦେବବ୍ରତକୁ ଛାଡ଼ି ଆସିବା ଦିନୁ ତା’ ପ୍ରତି ସମସ୍ତ ସଂସାରରୁ ପ୍ରାଣଖୋଲା ହାସ୍ୟ ଆନନ୍ଦ ଯେପରି କିଏ ସମ୍ପୂର୍ଣ୍ଣରୂପେ ପୋଛି ନେଇଛି । ବସନ୍ତକୁମାରୀର ସହସ୍ର ଅନୁରୋଧ ସତ୍ତ୍ୱେ ଦେବବ୍ରତକୁ ନ ଦେଖିବା ପର୍ଯ୍ୟନ୍ତ ସେ ପୁତ୍ରର କୌଣସି ନାମ ରଖିନାହିଁ । ସେ ଦିନ ଶିଶୁଟିର ସର୍ବାଙ୍ଗରେ ତୈଳ ମର୍ଦ୍ଦନ କରି ବାସନ୍ତୀ ତାକୁ ସୂର୍ଯ୍ୟୋତ୍ତାପ ଦେଉଥିଲା, ବସନ୍ତକୁମାରୀ ତରତର ହୋଇ ଆସି କହିଲା, ଶୁଣିଲଣି ଗୋ ‘ଆ’, ଆମ ଦେଶରୁ ଦୁଇଜଣ କିଏ ଓଡ଼ିଆ ଲୋକ ଡାକ୍ତରଖାନାକୁ ଆସିଛନ୍ତି !”

ବାସନ୍ତୀ ଶିଶୁ ଅଙ୍ଗରୁ ଦୃଷ୍ଟି ଫେରାଇ ପଚାରିଲା, “କିଏ ମ ସେ ?”

ବସନ୍ତକୁମାରୀ ମୃଦୁ ମୃଦୁ ହସି କହିଲା, “କେଜାଣି ମ, କିଏ ଜଣେ ଦାଢ଼ିଆ ବାବୁ, ସାଙ୍ଗରେ ଗୋଟିଏ ଚାକର ।” ବାସନ୍ତୀ ଆଉ କିଛି ପଚାରିବା ଆବଶ୍ୟକ ମନେ ନ କରି “ହଁ, କିଏ ହୋଇଥିବେ ?” କହି ନିଜ କାର୍ଯ୍ୟରେ ମନ ଦେଲା । ବସନ୍ତକୁମାରୀ ଦଉଡ଼ି ଯାଇ ବାସନ୍ତୀକୁ ଆଲିଙ୍ଗନ କରି କହିପକାଇଲା, “ସେଇ ଗୋ ସେଇ ! ତୁମକୁ ପରା ଆମ ପାଖରୁ କାଢ଼ି ନେବାକୁ ଆସିଛନ୍ତି !’’

 

ବାସନ୍ତୀ ଦେହରେ ବିଜୁଳି ଖେଳିଗଲା । ସେ ଅବାକ୍ ହୋଇ ପଚାରିଲା, “ସେଇ କିଏ ମ ?” ବସନ୍ତକୁମାରୀ ହସି ହସି କହିଲା, ସେଇ ତ, ଆଉ ‘କିଏ ମ’, କ’ଣ ?”

 

ବାସନ୍ତୀର ଅସମ୍ଭବ ମନେହେଲା, ‘ଦାଢ଼ିଆ ବାବୁ’ ‘ଡାକ୍ତରଖାନାରେ’ ପ୍ରଭୃତି କଥା କେତେଟା ଶୁଣି ସେ ଟିକିଏ ବ୍ୟସ୍ତ ହୋଇ କହିଲା, “ଯାଃ, ତୁମେ କ’ଣ ସବୁ କଥାରେ ଏମିତିକା ଥଟ୍ଟା କରିବ, ‘ଅ’ ?”

 

ବସନ୍ତ ଏଥର ଶିଶୁର ସରଳତା ସହ ଉତ୍ତର କଲା, “ମୋ ରାଣ ‘ଆ’, ତୁମକୁ ଏ କଥାରେ ଥଟ୍ଟା କରନ୍ତି ? ହେଇ ପରା ରାମା ଚାକର ତୁମ ଭାଇଙ୍କ ପାଖରୁ ସବୁ କଥା ଶୁଣି ଆସି କହୁଛି । ସେ ପରା କୁଆଡ଼େ ତିନି ଦିନ ହେଲା ଆସିଛନ୍ତି ଗୋ ‘ଆ’, ଏ ଆମକୁ ସେ କଥା ଲୁଚାଇ ରଖିଛନ୍ତି । ମତେବି ଆଗରୁ କହିଲେନାହିଁ । ମୁଁ କୁଆଡ଼େ ଡବଡ଼ବୀଟାଏ, ତୁମକୁ ସେଇକ୍ଷଣି ସବୁ କହିପକାଇଥାନ୍ତି । ହଁ, ଦିହ କ’ଣ ଖରାପ ହୋଇଥିଲା, ଏବେ ଟିକିଏ ଭଲ ଅଛନ୍ତି ।”

 

ବାସନ୍ତୀର ଦେହ ମନ କ’ଣ ହୋଇଗଲା । ଦେବବ୍ରତ ଅସୁସ୍ଥ ହୋଇ ଏହି ନିକଟବର୍ତ୍ତୀ ଡାକ୍ତରଖାନାରେ ତିନିଦିନ ଆସି ରହିଲାଣି, ସେବା ଶୁଶ୍ରୁଷା କିଏ କରୁଛି କେଜାଣି ! ସେ ଏତେଦୂର ହତଭାଗିନୀ ଯେ, ଏ ସମୟରେ ମଧ୍ୟ ଏତେ ନିକଟରେ ଥାଇ ତାଙ୍କୁ ଦେଖିପାରିଲାନାହିଁ ।

 

ବାସନ୍ତୀର ବ୍ୟଗ୍ରତା ଦେଖି ବସନ୍ତକୁମାରୀ କହିଲା, “ଦେବବାବୁ ଆଜି ଅନେକ ପରିମାଣରେ ଭଲ ହୋଇ ଏବେ ଶୋଇଛନ୍ତି । ଦେଖିବାକୁ ଯିବ, ‘ଆ’ ବାସନ୍ତୀ ଶିଶୁକୁ ଭୁଲିଯାଇ ଧଡ଼ପଡ଼ ଉଠି ବସନ୍ତର ଛୋଟ ଭଉଣୀଟି ପରି ଉତ୍ତର କଲା, “ହଁ, ଚାଲ ।” ବସନ୍ତ ଅବାକ୍ ହୋଇ କହିଲା, “ଏ କ’ଣ ମ, ପିଲାଟାକୁ ଏମିତି ଖରାରେ ପକାଇ ଦେଇ ଯିବ ?” ବାସନ୍ତୀ କିଛି ଶୁଣିପାରିଲାନାହିଁ, କିଛି ଦେଖିପାରିଲାନାହିଁ । ଅଳ୍ପବୟସ୍କା ବାଳିକାଟି ପରି କେବଳ ମୁହଁକୁ ତଳକୁ ପୋତି ପୁନରାବୃତ୍ତି କରି କହିଲା, “ହଁ, ଚାଲ ।”

 

ବସନ୍ତକୁମାରୀ ଠୋ ଠୋ ହସିଉଠି କହିଲା, “ଏ କୁଆଡ଼ ଅଭିଆଣ କଥା ମ, ଦି’ ମାସର ଛୁଆଟାକୁ ଖରାରେ ପକାଇଦେଇ ଯିବ ! ତୁମକୁ କିଏ ଭେଳକି ଲଗାଇ ଦେଲାଣି କି ଗୋ, ‘ଆ’ । ଲୁଗାପଟା ନ ପିନ୍ଧି ଏମିତି ବାହାରକୁ ଯିବ ?”

 

ବାସନ୍ତୀ ସେମିତି ବାହାରକୁ ଗଲା । କେବଳ ଶିଶୁଟିକୁ ପଶ୍ଚିମା ଧାଈ ହାତରେ ଦେଇ ସ୍ନାନ କରାଇ ଦେବାକୁ କହିଗଲା । ବସନ୍ତକୁମାରୀକୁ ମଧ୍ୟ ଅଗତ୍ୟା ସେହି ବେଶରେ ବାହାରିବାକୁ ହେଲା । ଦେବବ୍ରତର ସେ ପର୍ଯ୍ୟନ୍ତ ନିଦ୍ରା ଭାଙ୍ଗିନାହିଁ । ଧନିଆ ଚାକର ବସି ପାଦ ଆଉଁସୁଛି । ବିନୋଦବାବୁ ନିଜ ଗାଡ଼ିକୁ ଡାକ୍ତରଖାନା ଅଭିମୁଖରେ ଆସୁଥିବାର ଦେଖି ଗାଡ଼ିକୁ ବାଟରେ ଭେଟିଲେ ଏବଂ ପ୍ରଥମେ ଦେବବ୍ରତ ଶୋଇଛି କି ନା ଦେଖିବାକୁ ଗଲେ; କାରଣ ଶୋଇବା ସମୟ ବ୍ୟତୀତ ଅନ୍ୟ ସମୟରେ ବାସନ୍ତୀର ଉପସ୍ଥିତି ରୋଗୀ ପକ୍ଷରେ ଯେ ନିରାପଦ ନୁହେଁ, ତାହା ସେ ଭଲରୂପେ ଜାଣିଥିଲେ ।

 

ବିନୋଦବିହାରୀ ରୋଗୀକକ୍ଷରୁ ବାହାରି ଯେତେବେଳେ ହାତ ଠାରି ଡାକିଲେ, ତେତେବେଳେ ପ୍ରଥମେ ବସନ୍ତ ଓ ପରେ ବାସନ୍ତୀ ଗାଡ଼ି ମଧ୍ୟରୁ ବାହାରି ଆସିଲେ । ଧୀର ପଦକ୍ଷେପରେ ଦୁଇ ସଖୀ କକ୍ଷ ମଧ୍ୟରେ ପ୍ରବେଶ କଲେ । ବସନ୍ତ ଶାନ୍ତଭାବରେ ଶାୟିତ ଏହି ପ୍ରକାଣ୍ଡକାୟ ପୁରୁଷଟିକୁ ପ୍ରଥମେ ଦେଖିପାରିଲା । ଧନିଆ ଧଡ଼ପଡ଼ ହୋଇ ବୋହୂ ସାଆନ୍ତାଣୀଙ୍କ ପାଦତଳେ ପଡ଼ିବାକୁ ଉଦ୍ୟମ କରୁଥିଲା, ଡାକ୍ତରବାବୁଙ୍କ ମନାରେ ସ୍ଥିର ହୋଇ ବସିଲା । ମାତ୍ର ବାସନ୍ତୀ ଯେତେବେଳେ ଦେବବ୍ରତର ଶୀର୍ଣ୍ଣ କ୍ଷୀଣ ମୁଖ ଉପରୁ ଦୃଷ୍ଟି ଫେରାଇ ଧନିଆକୁ ଚାହିଁଲା ଏବଂ ତାକୁ ଡୋଳାଏ ଲୁହ ପୂରାଇ ମୁହଁଟାକୁ ଚଉଷଠୀ ମହଣ ଭାରୀ କରି ବସିଥିବାର ଦେଖିଲା, ସେତେବେଳେ ଆଉ ସ୍ଥିର ହୋଇ ରହିପାରିଲାନାହିଁ । ପୁଳାଏ କାନିରେ ଆଖି ଦୁଇଟା ଚାପି ଧରି ଏକଦମ୍ ଆସି ବସିଲା ଗାଡ଼ି ଭିତରେ । କିଛିକ୍ଷଣ ପରେ ବସନ୍ତକୁମାରୀ ଯେତେବେଳେ ଗାଡ଼ି ଭିତରକୁ ଫେରିଆସିଲା, ସେ ଦେଖିଲା, ବାସନ୍ତୀର ପରିହିତ ବସ୍ତ୍ରର ଅର୍ଦ୍ଧେକ ଲୋତକରେ ଆର୍ଦ୍ର ହୋଇଯାଇଛି ।

 

ଦେବବ୍ରତ ଶରୀର ଯେତିକି ସୁସ୍ଥ ହୋଇ ଉଠିଥାଏ, ବାସନ୍ତୀପାଇଁ ଭାବନା ତା’ର ସେତିକି ପ୍ରବଳ ହୋଇ ତା’ ଚିତ୍ତରେ ଜାଗ୍ରତ ହେଉଥାଏ । ସେ ଧନିଆକୁ ପଚାରିଲେ ଧନିଆ କହେ, ଡାକ୍ତରବାବୁ ଜାଣନ୍ତି । ଡାକ୍ତରବାବୁ କହନ୍ତି, “ହଁ, ଜଣେ ଓଡ଼ିଆ ଡାକ୍ତର ଅପେକ୍ଷାକୃତ ଟିକିଏ ଦୂରବର୍ତ୍ତୀ ସ୍ଥାନରେ ଥିବାର ସେ ଶୁଣିଛନ୍ତି, ମାତ୍ର ତାଙ୍କ ସହ ବିଶେଷ ଘନିଷ୍ଠତାନାହିଁ ।” ଦେବବ୍ରତ ତାଙ୍କଠାକୁ କେତେଥର ପତ୍ର ଲେଖି ସେହି ସ୍ଥାନକୁ ପଠାଇଦେବାକୁ ଡାକ୍ତରବାବୁଙ୍କୁ ଅନୁରୋଧ କରେ, କିନ୍ତୁ କୌଣସି ଖଣ୍ଡିକର ଉତ୍ତର ପାଏନାହିଁ ।

 

ଅବଶେଷରେ ଦିନେ ଡାକ୍ତରବାବୁ ଆସି ଦେବବ୍ରତକୁ ଖବର ଦେଇ ଗଲେ ଯେ, ସେ ଖୋଜୁଥିବା ଭଦ୍ରଲୋକଟି ଛୁଟିନେଇ ସ୍ଥାନାନ୍ତରକୁ ଚାଲି ଯାଇଥିଲେ, ବର୍ତ୍ତମାନ ଫେରିଆସିଛନ୍ତି ଏବଂ ଡାକ୍ତରବାବୁଙ୍କଦ୍ଵାରା ତାଙ୍କ ଗୃହକୁ ନିମନ୍ତ୍ରିତ ହୋଇଛନ୍ତି । ଦେବବ୍ରତ ଯଦି ଦୟାକରି ତାଙ୍କର ନିମନ୍ତ୍ରଣ ଗ୍ରହଣ କରନ୍ତି, ତେବେ ତାଙ୍କ ଘରେ ଉଭୟଙ୍କର ଆଳାପ ହୋଇଯିବ । ଦେବବ୍ରତ ଏ ସୁଯୋଗ ଛାଡ଼ିଲାନାହିଁ । ଆନନ୍ଦର ସହିତ ନିମନ୍ତ୍ରଣ ଗ୍ରହଣ କଲା । ସେତେବେଳକୁ ସେ ସାମାନ୍ୟ ସୁସ୍ଥ ହୋଇ ଆସିଲାଣି । ଆଉ ଭୟ କରିବାର କାରଣ କିଛିନାହିଁ ।

 

ଯଥା ସମୟରେ ଦେବବ୍ରତକୁ ଡାକ୍ତରବାବୁଙ୍କ ଗାଡ଼ି ଆସି ଘେନିଗଲା । ଡାକ୍ତରବାବୁଙ୍କ ଗୃହଟି ଆଧୁନିକ ରୁଚି ଅନୁଯାୟୀ ସୁସଜ୍ଜିତ, କିନ୍ତୁ ନିମନ୍ତ୍ରିତ ଭଦ୍ରବ୍ୟକ୍ତି ଆଉ କାହାରିକି ନ ଦେଖି ଦେବବ୍ରତ ବିସ୍ମିତ ହେଲା । ଡାକ୍ତରବାବୁଟି ଦେବବ୍ରତକୁ ବୈଠକଖାନା ପାର କରାଇ ଏକାବେଳକେ ଗୃହ ମଧ୍ୟକୁ ଡାକି ନେବାଦ୍ଵାରା ଏତେଦୂର ସୌହାର୍ଦ୍ଦ୍ୟ ଦେଖାଇବାର କାରଣ ସେ କିଛି ବୁଝିପାରୁ ନଥାଏ । ଡାକ୍ତରବାବୁଙ୍କ ଶୟନକକ୍ଷରେ ବସି ଦୁହିଁଙ୍କ ମଧ୍ୟରେ କେତେ ପ୍ରକାର କଥାବାର୍ତ୍ତା ଚାଲିଥାଏ । ସବୁ କଥା ବଙ୍ଗଳାରେ । ମଧ୍ୟେ ମଧ୍ୟେ ଭିତରୁ ନାରୀ କଣ୍ଠର ରୁଦ୍ଧ ହାସ୍ୟ ଧ୍ଵନି ଶୁଣାଯାଉଥାଏ । ଦେବବ୍ରତ ଭଦ୍ରତା ଖାତିରରେ କିଛି ପଚାରି ପାରୁ ନଥାଏ, ଅଥଚ ଏ ସବୁର ଅର୍ଥ ବୁଝିବା ତା’ ପକ୍ଷରେ କଷ୍ଟକର ।

 

ଦେବବ୍ରତର ଶରୀର ସୁସ୍ଥ ହୋଇଆସିଲାଣି । କାଲିଠାରୁ ତାକୁ ଆଉ ଡାକ୍ତରଖାନାରେ ରହିବାକୁ ହେବନାହିଁ ଇତ୍ୟାଦି ବିଷୟ ଉତ୍ଥାପନ ପରେ ଡାକ୍ତରବାବୁ ପଚାରିଲେ, “ହଁ ମହାଶୟ, ସେ ଓଡ଼ିଆ ଡାକ୍ତରବାବୁଟି ସହିତ ଆପଣଙ୍କର କ’ଣ କାର୍ଯ୍ୟ ଅଛି ?” ଦେବବ୍ରତ ସ୍ଥିର ଭାବରେ ଉତ୍ତର କଲା, “ଗୋଟାଏ ଘରୁଆ କାର୍ଯ୍ୟ ଅଛି ।”

 

ଡାକ୍ତରବାବୁଟି ମୁରୁକି ହସି ପଚାରିଲେ, “ସେ ଆପଣଙ୍କର କିଛି ସମ୍ପର୍କୀୟ ?”

 

“ନା ।”

 

“ତେବେ ପରିଚିତ ବନ୍ଧୁ ବୋଧହୁଏ ?”

 

“ନା ।”

 

“ବେଶ୍ ତ, ତାହେଲେ ବୋଧହୁଏ କୌଣସି ବ୍ୟବସାୟ ସଂକ୍ରାନ୍ତରେ ଆସିଛନ୍ତି ?”

 

ଦେବବ୍ରତ ଧୀରଭାବରେ ଉତ୍ତର କଲା, “ମାଫ କରିବେ, ମହାଶୟ, ଏ ସମ୍ପର୍କରେ ମୁଁ କୌଣସି କଥା ଉତ୍ଥାପନ କରିବାକୁ ପ୍ରସ୍ତୁତ ନୁହେଁ ।”

 

ଅନ୍ୟ ପ୍ରସଙ୍ଗ ପକାଇବାକୁ ଯାଇ ଡାକ୍ତରବାବୁ କହିଲେ, “ଆଚ୍ଛା ମହାଶୟ, ଆପଣମାନଙ୍କ ଦେଶମିଶ୍ରଣ କଥା କ’ଣ ହେଲା, ଓଡ଼ିଶା ଏଥର ପୁଣି କାହା ସଙ୍ଗରେ ମିଶୁଛି ?”

 

“ଭାରତ ସରକାରଙ୍କ ନିଷ୍ପତ୍ତି କିଛି ତ ଶୁଣାଯାଇନାହିଁ !” ଡାକ୍ତରବାବୁ ଟିକିଏ ବ୍ୟଙ୍ଗ ସ୍ଵରରେ କହିଲେ, “ବେଙ୍ଗଲ ପାର୍ଟିସନ ପରି ଗୋଟାଏ ବଡ଼ କିଛି ଗଣ୍ଡଗୋଳ ହେବ ପରା !”

 

“ନା, ବେଙ୍ଗଲ ପାର୍ଟିସନ ପରି ଗଣ୍ଡଗୋଳ ହେବା ସମ୍ଭବ ନୁହେଁ । କାରଣ ଜାତୀୟଜାଗରଣ ଯୁଗରେ ବଙ୍ଗଳାକୁ ସରକାର ବିଭକ୍ତ କରିଦେବାଦ୍ଵାରା ବଙ୍ଗଳାରେ ଗଣ୍ଡଗୋଳ ଆରମ୍ଭ ହେଲା । ବର୍ତ୍ତମାନ ତ ଓଡ଼ିଶା ବିଭକ୍ତ କରାଯାଉନାହିଁ; ବହୁବର୍ଷ ହେଲା ବିଚ୍ଛିନ୍ନ ଓଡ଼ିଶାକୁ ଏକ କରିବାହିଁ ବର୍ତ୍ତମାନର ସମସ୍ୟା ।”

 

ବ୍ୟଙ୍ଗ ହସି ଡାକ୍ତରବାବୁ କହିଲେ, “ଆଚ୍ଛା ମହାଶୟ, ବଙ୍ଗଳା ସହିତ ଓଡ଼ିଶା ରହିଲେ ତା’ ପକ୍ଷରେ କେତେଦୂର ଲାଭ ହୁଅନ୍ତା ! ଏତ ବଡ଼ ଗୋଟାଏ ଉନ୍ନତ ଜାତି । ଆଉ ମଧ୍ୟ ଓଡ଼ିଆମାନେ ବଙ୍ଗୀୟମାନଙ୍କୁ ଅନୁକରଣ କରିବାକୁ ଯେପରି ପରମ ସୌଭାଗ୍ୟ ମନେକରନ୍ତି–”

 

ଏଇ ବଙ୍ଗୀୟ ଭଦ୍ରଲୋକଟି ଏପରି ସଂକୀର୍ଣ୍ଣ ପ୍ରାଦେଶିକତା ବିଷୟ ଉତ୍ଥାପନ କରିବାର କାରଣ ଦେବବ୍ରତ ବୁଝିପାରୁ ନଥାଏ । ଦେବବ୍ରତ ଟିକିଏ ଉତ୍ତେଜିତ ହେଲାପରି ଆଉ କ’ଣ କହିବାକୁ ଯାଉଥିଲା, ଏହି ସମୟରେ ଧନିଆ ଧଇଁସଇଁ ହୋଇ ଆସି ଦୁଇଟା ଟେଲିଗ୍ରାମ ଦେବବ୍ରତ ହାତକୁ ବଢ଼ାଇଦେଲା । ଦେବବ୍ରତ ଖୋଲି ଦେଖିଲା । ଗୋଟାକରେ ଖବର ଆସିଛି–ଆଉ ସାତ ଦିନ ରହିଲା ରମେଶର ସୁନୀତି ସହିତ ବିବାହ ହେବ, ସେଥିରେ ଦେବକୁ ସସ୍ତ୍ରୀକ ଯୋଗଦେବାକୁ ହେବ । ଆଉ ଖଣ୍ଡକରୁ ପଢ଼ିଲା–ସେ ଅସୁସ୍ଥ ଥିବାର ସମ୍ବାଦ ପାଇ ବୋଉ କାଲି ସକାଳେ ଆସି ବର୍ଦ୍ଧମାନରେ ଓହ୍ଲାଉଛନ୍ତି ! ଦେବବ୍ରତ ଧନିଆକୁ ଚାହିଁ ପଚାରିଲା, “ମୁଁ ଅସୁସ୍ଥ ହେବା ଖବର ବୋଉ ନିକଟକୁ କିଏ ଲେଖିଲା ?” “କେଜାଣି ଆଜ୍ଞା, ମୁଁ ତ କିଛି ଜାଣେନାହିଁ ।”

 

ଦେବବ୍ରତ ବ୍ୟସ୍ତ ହୋଇ ଡାକ୍ତରବାବୁଙ୍କଠାରୁ ବିଦାୟ ନେବାକୁ ଉଠି ଠିଆହେଲା । ଏହି ସମୟରେ ଦ୍ଵାରଦେଶରେ ଗୋଟିଏ ଅପରିଚିତା ରମଣୀ ମୂର୍ତ୍ତି ଶିଶୁଟିଏ କୋଳରେ ଧରି ଠିଆ ହୋଇଥିବାର ସେ ଦେଖିପାରିଲା । ଏହି ଅପରିଚିତାର କୋଳରେ ନିଜ ସନ୍ତାନକୁ ଦେଖି, ରାମଚନ୍ଦ୍ର ଯେତେବେଳେ ପ୍ରଥମେ ଲବକୁଶଙ୍କୁ ଦେଖିଥିଲେ, କିମ୍ବା ଦୁଷ୍ମନ୍ତ ଯେତେବେଳେ ପ୍ରଥମେ ଭରତଙ୍କୁ ଦେଖିଥିଲେ, ସେମାନଙ୍କ ମନ ମଧ୍ୟରେ ଯେ ଭାବର ଉଦ୍ରେକ ହୋଇଥିଲା, ଦେବବ୍ରତର ତାହା ହେଲା କି ନାହିଁ, ତାକୁ ଜଣା; କିନ୍ତୁ ଶିଶୁଟି ଏହି ଲମ୍ବା ଦାଢ଼ିବାଲା କିମାକାର ପୁରୁଷଟିକୁ ଚାହିଁ ଚିତ୍କାର କରି ଉଠିଲା । ରମଣୀଟି ହସି ହସି ଡାକିଲା, “ମୁଁ ଏ ପିଲାକୁ ତୁମର ଧରିପାରେ ନା ମ ‘ଅ’, ତୁମେ ଆସି ନିଅ ।”

 

ଦେବବ୍ରତ ଏହି ରମଣୀ ମୁଖରୁ ନିଜ ମାତୃଭାଷା ଉଚ୍ଚାରିତ ହେଉଥିବାର ଶୁଣି ଡାକ୍ତରବାବୁଙ୍କ ପ୍ରତି ଚକିତ ହୋଇ ଚାହିଁଲା; କିନ୍ତୁ ଡାକ୍ତରବାବୁ, ଧନିଆ, ଉଭୟେ ଇତ୍ୟବସରେ ପ୍ରସ୍ଥାନ କରିସାରିଛନ୍ତି । ଦେବବ୍ରତ ଅବାକ୍ ହୋଇ ଯେତେବେଳେ ପୃଷ୍ଠଦେଶକୁ ଦୃଷ୍ଟି ଫେରାଇଲା, ସେ ଦେଖିଲା, ଆଉ ଜଣେ ରମଣୀ କ୍ରନ୍ଦିତ ମୁଖରେ ଶିଶୁଟିକୁ କୋଳକୁ ନେଉଛି । କିଏ ଏ ? ଦେବବ୍ରତ ବିସ୍ମୟାଭିଭୂତ ଚିତ୍ତରେ ଚାହିଁ ରହିଲା ଶିଶୁଟି ଜନନୀ କ୍ରୋଡ଼ରେ ବସି ନିର୍ଭୀକଭାବରେ ସେହି କିମ୍ଭୁତକିମାକାର ପୁରୁଷକୁ ଚାହିଁ ରହିଲା ।

 

ଦେବବ୍ରତର ଦୃଷ୍ଟି ବାସନ୍ତୀ ମୁଖ ଉପରେ ପଡ଼ିଲା, ସେ ପୁତ୍ରକୁ ଚାହିଁଲାନାହିଁ କିମ୍ବା ତାକୁ କୋଳକୁ ନେବାକୁ ଗଲାନାହିଁ । ଶିଶୁଟି ସେହି ଲୋକଟାକୁ ତା’ ଆଡ଼କୁ ଧୀରେ ଧୀରେ ଅଗ୍ରସର ହେବାର ଦେଖିପାରି ଭୟରେ ଜନନୀ ବକ୍ଷରେ ମୁହଁ ଗୁଞ୍ଜିଲା । ଶିଶୁଟିର ସ୍ମରଣଶକ୍ତି ସଜାଗ ଥିଲେ ଆଜି ତା’ର ମନେପଡ଼ନ୍ତା ଯେ, ସେ ଯେତେବେଳେ ଜନନୀ ବକ୍ଷରୁ ମୁଖ କାଢ଼ିଲା, ସେତେବେଳେ ଦେଖିଲା, ସେହି ଭୀଷଣ ଦାଢ଼ିବାଲା ଲୋକଟା ତା’ ଜନନୀକୁ ଦୁଇ ହସ୍ତରେ ଆଲିଙ୍ଗନ କରିଛି ଏବଂ ତା’ର ମାତା ଏକ ହସ୍ତରେ ତାକୁ ଧରି ଅନ୍ୟ ହସ୍ତରେ ସେହି ଲୋକଟାର ପୃଷ୍ଠ ଦେଶ ବେଷ୍ଟନ କରିଛି ଓ ତା’ର ସ୍କନ୍ଧ ମଧ୍ୟରେ ମୁଖ ରଖି ଆର୍ଦ୍ରସ୍ଵରରେ କହୁଛି, “ଦେବଭାଇ !”

 

ଆଉ ସେହି ଲୋକଟି ତା’ର ଜନନୀ ସ୍କନ୍ଧରେ ତା’ର ଦାଢ଼ିପୂର୍ଣ୍ଣ ମୁହଁଟା ଗୁଞ୍ଜି କାନ ପାଖରେ ଗଦ୍‍ଗଦ୍ ସ୍ଵରରେ କହୁଛି, “ବାସ !”

Image